ଜଗନ୍ନାଥ ଶକ୍ତିର କେନ୍ଦ୍ର

4 Min Read

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର ନିବନ୍ଧ ପ୍ରକାଶିତ ହୋଇଛି । ଜଗନ୍ନାଥ ସଂସ୍କୃତି ଏବଂ ବର୍ତ୍ତମାନ ସମୟରେ ଏହାସହିତ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ବିଷୟ ।             – ସମ୍ପାଦକ

Support Samadhwani

 

ଜଗନ୍ନାଥଙ୍କୁ ନେଇ ଆମର ତଥାକଥିତ ସଭ୍ୟ ସମାଜ ଭିତରେ ଦୁଇଟି କଥା ରହିଛି । ଗୋଟିଏ  ଯେଉଁ ବ୍ୟବସାୟ ସଂସ୍କୃତି କଥା ମୁଁ କହୁଥିଲି ଆଉ ଗୋଟେ ହେଉଛି ଶକ୍ତିର ସଂସ୍କୃତି ବା ଶକ୍ତିମତାର ସଂସ୍କୃତି ଯେଉଁଟା ହେଉଛି ରାଜା ଏବଂ ସାମନ୍ତ ମାନଙ୍କର ସଂସ୍କୃତି । ମୋଟାମୋଟି ଧର୍ମର ସୃଷ୍ଟି ବା ଈଶ୍ୱରଙ୍କୁ ନେଇ ଯେଉଁ ଧର୍ମଗୁଡ଼ିକ ସୃଷ୍ଟି ହେଲା ସବୁଗୁଡ଼ିକ ଏକ ସମୟରେ ସୃଷ୍ଟି ହେଲା । ସାମନ୍ତବାଦର ପ୍ରଚଳନ  ପରେ, ଯେତେବେଳେ ଧର୍ମଯାଜକମାନେ ଆସିଲେ ଏବଂ ରାଜାମାନେ ଆସିଲେ, ସେମାନଙ୍କ ପ୍ରତି ଲୋକମାନଙ୍କର ଆନୁଗତ୍ୟ ରହିଲା । ସେତେବେଳେ  ସେମାନେ କଳ୍ପନା କଲେ ଯେ, ରାଜା ମହାରାଜାଙ୍କ ଠାରୁ ବି ଆହୁରି ଶକ୍ତିଶାଳୀ କିଛି ଅଛି । ଶକ୍ତିକୁ ନେଇ ସବୁ ପ୍ରକାର ଚିନ୍ତାକରାଗଲା । ଆହୁରି ଶକ୍ତିଶାଳୀ ଏଭଳି ଏକ ସତ୍ତାର ସେମାନେ କଳ୍ପନା କଲେ ଯାହାଫଳରେ ଈଶ୍ୱରଙ୍କର ଅସ୍ତିତ୍ୱ ସେହି ସମୟରେ ହିଁ ଆରମ୍ଭହେଲା । ଧର୍ମଗୁଡ଼ିକ ବି ଏହି ଈଶ୍ୱରଙ୍କୁ କେନ୍ଦ୍ରକରି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଗଢ଼ିଉଠିଲା ।

ଓଡ଼ିଶାରେ ସେହି ସମୟରେ ଶବର ସମ୍ପ୍ରଦାୟ ବହୁ ସଂଖ୍ୟାରେ ଥିଲେ ଏବଂ ସେମାନଙ୍କର ଆନୁଗତ୍ୟ ଲାଭ କରିବା ରାଜାଙ୍କ ପକ୍ଷରେ ଅନିବାର୍ଯ୍ୟ ଥିଲା । ରାଜା ନିଜର ଶକ୍ତିର ବୃଦ୍ଧି ପାଇଁ; ନିଜକୁ ଅଧିକ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଏବଂ ସବୁ ସମ୍ପ୍ରଦାୟ ପାଖରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବା ପାଇଁ ଶବରଙ୍କର ଦେବତା ଜଗନ୍ନାଥଙ୍କୁ ନେଇଆସିଲେ ଏବଂ ତା’ଙ୍କୁ ନିଜର ଦେବତା ରୂପେ ଗ୍ରହଣ କରିଗଲେ । ତା’ପରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରାଗଲା ଏବଂ ରଜା ନିଜକୁ ଜଗନ୍ନାଥଙ୍କର ଶ୍ରେଷ୍ଠ ସେବକ ଘୋଷଣା କଲେ ।    ରାଜା ବି ଜଗନ୍ନାଥଙ୍କ ସାନ୍ନିଧ୍ୟରେ ଶକ୍ତିଶାଳୀ ହୋଇଉଠିଲେ । ତେଣୁ ଜଗନ୍ନାଥ ରାଜାଙ୍କ ପାଇଁ ହୋଇଗଲେ ଶକ୍ତିର କେନ୍ଦ୍ର । ଯାହାଫଳରେ ରାଜା ଶବର ସମ୍ପ୍ରଦାୟ ଠାରୁ ବି ଆନୁଗତ୍ୟ ଲାଭ କଲେ । ଏହା ଗୋଟିଏ ରାଜନୈତିକ ବ୍ୟବସ୍ଥା ହୋଇଗଲା ଯେଉଁଟାକି ଓଡ଼ିଶାରେ ରାଜାଙ୍କୁ ଶକ୍ତିଶାଳୀ କଲା । ଏବେ ଧରନ୍ତୁ ଗଜପତିଙ୍କ କଥା କହିବା, ଆଜି ହୁଏତ ତାଙ୍କର ରାଜ୍ୟ ନାହିଁ କିନ୍ତୁ ସାରା ଓଡ଼ିଶାରେ ଗଜପତି ଦିବ୍ୟସିଂହ ଦେବ ଭାବରେ ତାଙ୍କର ସମ୍ମାନଟା ଖୁବ୍ ରହିଛି । ଦ୍ୱିତୀୟକଥା, ଜଗନ୍ନାଥଙ୍କର ଶ୍ରେଷ୍ଠସେବକ ବୋଲି ତାଙ୍କୁ ଧରାଯାଉଛି ।

Support Samadhwani

ସାମନ୍ତମାନଙ୍କର ବା ରାଜାମାନଙ୍କର ସନ୍ତକ ହିସାବରେ ମଧ୍ୟ ସିଏ ନାହାଁନ୍ତି କି?

ଭଗବତ ପ୍ରସାଦ – ଭାରତବର୍ଷ ବୋଧହୁଏ ପୃଥିବୀର ଏକମାତ୍ର ଦେଶ ଯେଉଁଠିକି ଏକ ପର୍ଯ୍ୟାୟରେ ବୈଦିକ ସମାଜରେ ଦେବତା ନଥିଲେ । ମହେଞ୍ଜୋଦାରୋ, ହରପ୍ପା ସଭ୍ୟତାରେ ବି ଆମେ ଦେବତା ପାଇବାନି ।  ସେଠି ଭଗବାନ ନଥିଲେ କି ପୁରୋହିତ ନଥିଲେ । ସେତେବେଳେ ଏକ ଅଲଗା ଧରଣର ସମାଜ ଭାରତରେ ସୃଷ୍ଟି ହୋଇଥିଲା  । ଯେତିକି ତଥ୍ୟ ମିଳୁଛି ଅନ୍ୟ ଯାଗାରେ ଏଭଳି ଏକ ସମାଜ ସୃଷ୍ଟି ହୋଇନାହିଁ । ଦକ୍ଷିଣ ଆମେରିକାରେ କିଛିମାତ୍ରାରେ ଏଭଳି ସଭ୍ୟତା ସୃଷ୍ଟି ହୋଇଥିଲା ଯାହାଫଳରେ ସମାଜବାଦକୁ ଏକ ନୂଆ ରୂପ ଦେଇପାରିଛି ଦକ୍ଷିଣଆମେରିକା । ସେଠି ଆମାଜନ ଅବବାହିକାରେ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଏକ ଅଲଗା ଭିତ୍ତିଭୂମିରେ  ଏକ ସମାଜ ସୃଷ୍ଟି ହୋଇଥିଲା । କିନ୍ତୁ ଭାରତବର୍ଷର ସମାଜଟା ଅନେକ ଉନ୍ନତ ହୋଇଥିଲା ଏବଂ ଆଉଟିକେ ଆଗକୁ ଯାଇଥିଲା । ଭାରତ ତତ୍କାଳୀନ ସମୟରେ ସହର ସମାଜ ସୃଷ୍ଟି କରିପାରିଥିଲା । ସେଇଟା ଅନ୍ୟ ଦେଶରେ ସମ୍ଭବ ହୋଇପାରିନାହିଁ କାରଣ ଏବେ ମଧ୍ୟ ସେ ସମାଜରେ ପୁରୁଣା କଥା ସବୁ ରହିଛି, ଯେଉଁଠି ରାଷ୍ଟ୍ର ଭାବନା ପ୍ରାୟ ନାହିଁ, ରାଜା ବି ନାହାଁନ୍ତି ଆଉ ଦେବତା ବି ଏତେ ଶକ୍ତିଶାଳୀ ହୋଇ ରହିନାହାନ୍ତି କିନ୍ତୁ ଲୋକଙ୍କର ଦେବ ବିଶ୍ୱାସ ରହିଛି । ତେଣୁ ଆଦିମ ସମାଜର ଦେବଦେବୀ ଉପରେ ବିଶ୍ୱାସ ପୃଥିବୀର ସବୁ ଅଞ୍ଚଳରେ ରହିଛି ।

ରାଜାଙ୍କର ସୁବିଧା ଦୃଷ୍ଟିରୁ ଜଗନ୍ନାଥଙ୍କୁ ଏକ ପ୍ରକାର ବ୍ୟବହାର କରାଯାଉଛି କହିଲେ ଚଳେ । ନିଜେ ରୟତ ହିସାବରେ ରାଜା ବିଶ୍ୱାସ କରୁଥିଲେ ଯେ ଜଗନ୍ନାଥ ଏତେ ଶକ୍ତିମାନ, ତାଙ୍କର ଶ୍ରେଷ୍ଠ ସେବକ ହିସାବରେ ନିଜର କ୍ଷମତା ବହୁତ ବଢ଼ିଯିବ ଏବଂ ତାହାହିଁ ହେଲା ଓଡ଼ିଶାରେ । ଶବରମାନଙ୍କର ଆନୁଗତ୍ୟ ଲାଭ କରିବା ପାଇଁ ଏବଂ ସବୁ ଆଦିବାସୀ (ସମ୍ପ୍ରଦାୟ)ର ଆନୁଗତ୍ୟ ଲାଭ କରିବା ପାଇଁ ରାଜା ଜଗନ୍ନାଥଙ୍କୁ ବ୍ୟବହାର କଲେ ।

 

photo credit-https://bit.ly/3wfCALt

Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ