ଅତୀତରେ ଆମ ଗାଁ ବର୍ତ୍ତମାନ ପରି ସୁନ୍ଦର ଥିଲା । ଆମ ଗାଁର ନାମ ଅଢଙ୍ଗା ବସ୍ତି । ଆମ ଗାଁ’ରେ କେନାଲ ରହିଛି, ଯେଉଁଥିରେ ଖରାଦିନେ ପାଣି ଆସିଲେ କୃଷକମାନଙ୍କୁ ଚାଷ କରିବାରେ ସୁବିଧା ହୁଏ । ପୂର୍ବରୁ ଆମ ଗାଁ’ରେ ମାଟି ସଡ଼କ ଥିଲା । ବିଦ୍ୟୁତ୍ ବ୍ୟବସ୍ଥା ଠିକ୍ ରେ ହୋଇନଥିଲା । ଚାଷ ଜମି ବହୁ ପରିମାଣରେ ଥିଲା । ଅଧିକାଂଶ ଲୋକେ ଅଶିକ୍ଷିତ ଥିଲେ । କିନ୍ତୁ ସମସ୍ତଙ୍କ ମଧ୍ୟରେ ସମାନତା ଓ ପ୍ରେମ ଥିଲା । ପୂର୍ବରୁ ହିନ୍ଦୁ ଓ ମୁସଲିମ୍ ମାନେ ମିଶି ଭାଇଭାଇ ଭଳି ଖୁସିରେ ରହୁଥିଲେ । ଲୋକଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥିଲା । ଲୋକଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥିଲା । ପୁରୁଣା ଦିନରେ ଇଦ୍-ଉଲ-ଫିତର, ଇଦ-ଉଲ-ଜୁହା, ଗଣେଷ ପୂଜା, ସରସ୍ୱତୀ ପୂଜା, ହୋଲି, ଦୀପାବଳି, ଦଶହରା ଆଦି ପର୍ବ ମିଳିମିଶି ପାଳୁଥିଲେ । ଇଦ-ଉଲ-ଫିତର ଓ ଇଦ-ଉଲ-ଜୁହା ସମୟରେ ଗାଁ’ରେ ମେଳା ବସେ । ଆମ ଗାଁ’ରେ ଉଭୟ ହିନ୍ଦୁ ଓ ମୁସଲିମ୍ କାହାର ଝଗଡା ହେଲେ ଲୋକେ ଉଭୟ ସମସ୍ତଙ୍କ ସମାଧାନ କରୁଥିଲେ । ଗାଁର ଲୋକମାନେ ଧାନ, ଆଖୁ, ମାଣ୍ଡିଆ, ବିରି, କୋଳଥ ଆଦି ଚାଷ କରୁଥିଲେ । ପରସ୍ପର ଦୁଃଖ ଓ ସୁଖରେ ସମସ୍ତେ ମିଳିମିଶି ଚଳୁଥିଲେ । ପୂର୍ବରୁ ଗାଁ’ରେ ନଦୀପାଣି ବଢିପାଣି ହୋଇ ଅନେକ ଲୋକ, ପଶୁପକ୍ଷୀ, ଧନଜୀବନ ସବୁ ନଷ୍ଟ ହୋଇଯାଉଥିଲା । ବନ୍ୟା ଓ ବାତ୍ୟା ହେଲେ ଗାଁ ସ୍କୁଲରେ ଆଶ୍ରୟ ନେଉଥିଲେ । ଆମ ଗାଁ’ରେ ଏକ ମସଜିଦ୍ ଏବଂ ଏକ ମନ୍ଦିର ଥିଲା । ୧୯୯୯ ଅକ୍ଟୋବର ୨୯ ତାରିଖରେ ହୋଇଥିବା ମହାବାତ୍ୟା ସମୟରେ ଦୀର୍ଘ 2 ଦିନ ଧରି ବର୍ଷା ଓ ପବନ ବହୁଥିଲା । ଏହା ଗୁରୁବାର ଓ ଶୁକ୍ରବାର ଦିନ ହୋଇଥିଲା । ଅନେକ ଲୋକ, ଧନଜୀବନ, ଗାଈଗୋରୁ, ଗଛଲତା, ପଶୁପକ୍ଷୀ, ସବୁ ନଷ୍ଟ ହୋଇଯାଇଥିଲା । ସେତେବେଳେ ଆମର ଏକ ଆଜବେଷ୍ଟ ଘର ଥିଲା । କିନ୍ତୁ ଆଉ ସବୁ ମୁସଲିମ୍ ଲୋକଙ୍କର ମାଟିର ଘର ଥିଲା । ସେସବୁ ଘର ଏହି ମହାବାତ୍ୟାରେ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ମହାବାତ୍ୟା ଦିନ ଆମ ଘରେ ଆମ ସାହିରେ ପ୍ରାୟ ୪୦-୫୦ ଜଣ ଲୋକ ରହିଥିଲେ । ଆଉ ଲୋକମାନେ ଗାଁ ବିଦ୍ୟାଳୟରେ ରହିଥିଲେ । ଏହାର ସପ୍ତାବ ପରେ ରିଲିଫ ବଣ୍ଟନ ମଧ୍ୟ ହୋଇଥିଲା । ଏହା ପରେ 1 ମାସ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହୋଇଥିଲା । ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ ଲୋକମାନେ । ପୂର୍ବରୁ ଗାଁ’ରେ ହିନ୍ଦୁ ଘରେ କଳିକଜିଆ ହେଲେ- “ମନସୁର ଅଲ୍ଲୀ ମାଘାସା” ଏହି ଦୁଇ ଜଣ ମୁଖିଆ ସମାଧାନ କରୁଥିଲେ । ପୂର୍ବରୁ ଗାଁ’ରେ ବିବାହ ହେଲେ ସମସ୍ତେ ଆନନ୍ଦ ଉଲ୍ଲାସରେ ବିବାହ ଉତ୍ସବ ପାଳନ କରୁଥିଲେ । ହିନ୍ଦୁ ଲୋକ ମାନଙ୍କ ମଧ୍ୟରେ କାହାର ମୃତ୍ୟୁ ହେଲେ ସେ ମସାଣିରେ ପୋଡୁଥିବା ବେଳେ ମୁସଲିମମାନେ ତାଙ୍କୁ ସମାଧି ଦେଉଥିଲେ । ୨୦୦୨ ମସିହାରେ ଆମ ଗାଁ’ରେ ସଡକ ଯୋଜନା ସହାୟତାରେ ପକ୍କା ସଡକ ତିଆରି ହୋଇଥିଲା । ଆମ ଗାଁ’ରେ ଏକ ପୀର ଅସ୍ଥାନ ରହିଛି । ଉତ୍ସବ ସମୟରେ ଲୋକମାନେ ପିଠାପଣା, ମିଠା, ଲଚ୍ଛା, ଖିରି ଅନେକ ସୁସ୍ୱାଦୁ ଖାଦ୍ୟ ଖାଉଥିଲେ ।
ଏବେ ଆମ ଗାଁ’ରେ ପ୍ରାୟ ୧୦୦୦ ଉର୍ଦ୍ଧ ଘର ରହିଛି । ଆମ ଗାଁ’ରେ 2000 ରୁ ଉର୍ଦ୍ଧ ଲୋକ ବାସ କରନ୍ତି । ଆମ ଗାଁ’ରେ ହିନ୍ଦୁ ଓ ମୁସଲିମ୍ ଉଭୟ ସଂପ୍ରଦାୟ ଲୋକ ରହୁଛନ୍ତି । ଆମ ଗାଁ’ରେ ମୁସଲିମ୍ ମାନଙ୍କ ବଡ ପର୍ବ ଇଦ୍ ଓ ହିନ୍ଦୁ ମାନଙ୍କ ଦଶହରା ଓ ଦୀପାବଳୀ । ଇଦ୍ ରେ ମୁସଲିମ୍ ମାନେ ନୂଆ ବେଶପୋଷାକ ପରିଧାନ କରି ଗାଁ’ରେ ବୁଲି ବୁଲି, ସୁସ୍ୱାଦୁ ଖାଦ୍ୟ ଖାଇ, ପରସ୍ପରକୁ ଅଭିନ୍ଦନ ଜଣାନ୍ତି । ହିନ୍ଦୁମାନେ ନିଜ ଦେବ ଦେବୀଙ୍କୁ ପୂଜା କରନ୍ତି, ନୂଆ ପୋଷାକ ପିନ୍ଧନ୍ତି । ଭଲ ଭଲ ଖାଇବା, ଗୀତ ନାଚ ଆଦି ହୋଇଥାଏ । ଆମ ଗାଁ’ରେ କୌଣସି ଡାକ୍ତରଖାନା ନାହିଁ । ଏବେ ଆମ ଗାଁ’ରେ ପ୍ରାୟ ସବୁ ପକ୍କା ଘର ରହିଛି । ଆମ ଗାଁ’ରେ 2000 ରୁ ଉର୍ଦ୍ଧ ଲୋକ ବାସ କରନ୍ତି । ଆମ ଗାଁରୁ ପ୍ରାୟ 8 କି.ମି. ଦୂରରେ ନିଆଳିରେ ଡାକ୍ତରଖାନା ମାନ ରହିଛି । ଆମ ଗାଁ’ରେ ଗୋଟିଏ ଉର୍ଦ୍ଦୁ ସ୍କୁଲ, ଗୋଟିଏ ଓଡିଆ ସ୍କୁଲ ଓ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ରହିଛି । ଆମ ଗାଁ’ରେ ସ୍ଥାନେ ସ୍ଥାନେ ସରକାରୀ ନଳକୂପ ବସିଛି । ଗତବର୍ଷ 2024 ମସିହାରେ ସରକାରଙ୍କ ତରଫରୁ ପାଣିଟ୍ୟାପ ଯୋଜନା ଦ୍ୱାରା ସମସ୍ତଙ୍କ ଘର ଆଗରେ ଗୋଟିଏ ପାଣି ଟ୍ୟାପ ବସିଛି । ଏଥିରେ ଦିନକୁ ୨ଥର ପାଣି ଆସିଥାଏ । ପୂର୍ବରୁ ଆମ ଗାଁ’ରେ ହିନ୍ଦୁ ମୁସଲିମ୍ ମିଳିମିଶି ରହୁଥିଲେ । ସେ ସମ୍ପର୍କ ଏବେ ନିମ୍ନ ହୋଇଗଲାଣି । ଏବେ ଭଲ ସମ୍ପର୍କ ନାହିଁ । ଛୋଟ ଛୋଟ କଥାରେ ଝଗଡା ହେଉଛି । ଗାଁ’ରେ ଅନେକ ସୁବିଧା ଆସିଛି । ଏବେ ଆମ ଗାଁ ଶେଷରେ ଏକ ଡ୍ୟାମ ତିଆରି ହୋଇଛି । ଲୋକମାନେ କୃଷି କାର୍ଯ୍ୟ ସହ ମାଛ ଚାଷ ଓ କୁକୁଡା ଚାଷ କରୁଛନ୍ତି । ଗାଁ’ରେ ଅନେକ ଶିକ୍ଷିତ ହେଲେଣି । କୃଷିର କିମ୍ୱା ଅନ୍ୟ କୌଣସି କାର୍ଯ୍ୟରେ ଏବେ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ହେଉଛି ।
ଆମ ଗାଁ’ରେ ଆଗରୁ ଧାନ, ମାଣ୍ଡିଆ, ବିରି, ଓ ଅନ୍ୟାନ୍ୟ ପରିବା ଚାଷ ହେଉଥିଲା । ପାନବର୍ଜ ମଧ୍ୟ ଥିଲା । ଏବେ ଚାଷର ପରିମାଣ କମିଯାଇଛି । ଗାଁରୁ ଅନେକ ପନିପରିବା, ପାନ ବଜାରକୁ ବିକ୍ରିପାଇଁ ଯାଏ । ଏବେ ଯେଉଁମାନେ କୁକୁଡା ଓ ସତ୍ସ୍ୟ ଚାଷ କରୁ ଅଛନ୍ତି, ସେମାନଙ୍କର ମାଛ ଓ କୁକୁଡା ଫାର୍ମ ରହିଛି । ପୁରୁଣା ଖାଦ୍ୟ ଗୁଡ଼ିକୁ ଆଉ କେହି ଖାଇବାକୁ ପସନ୍ଦ କରୁନାହାନ୍ତି । ଏବେ ମାଣ୍ଡିଆ ଚାଷ ହେଉନାହିଁ । ଆଗରୁ ଲୋକମାନେ ସମସ୍ତେ ମାଣ୍ଡିଆ ଜାଉ, ବିରି ଓ କୋଳଥ ଡାଲି ଖାଉଥିଲେ । ଏବେ ଖାଉନାହାନ୍ତି ।
ଆମ ଗାଁ’ରେ ଏହି ଖରାଛୁଟି ଏକ ଜାଦୁର ମେଳା ବସିଥିଲା । ପ୍ରାୟ 5 ଦିନ ଧରି ଆମେ ବହୁତ ଖେଳ ଦେଖିଥିଲୁ । ପିଲାମାନେ ପ୍ରାୟତଃ କ୍ରିକେଟ୍ ଖେଳନ୍ତି । ମୁଁ ସମସ୍ତ ଖେଳ ଖେଳିବାକୁ ଭଲପାଏ ।
ଆମ ଗାଁ’ରେ ଏକ ଡାକ୍ତରଖାନା ଆବଶ୍ୟକ । କାରଣ ଏତେ ଦୂର ଗଲାବେଳେ ଅନେକ ଲୋକଙ୍କ ବେଳେ ବେଳେ ମୃତ୍ୟୁ ହୋଇଥାଏ । ଏଥିପାଇଁ ଗାଁ ଲୋକେ ରାଜନୈତିକ ଲୋକଙ୍କୁ ଜଣାଇ ଡାକ୍ତରଖାନା ଖୋଲିବାର କଥା କହିବାରୁ ଏବେ ଡାକ୍ତରଖାନା ତିଆରି ଚାଲିଛି । ପୁରୁଣା ଦିନରେ ଗାଁ’ରେ ସ୍କୁଲ ନଥିଲା । ଏବେ ଅଛି । ପିଲାମାନେ ଭଲରେ ପାଠ ପଢୁଛନ୍ତି । ସମସ୍ତ ପିଲା ସ୍କୁଲ ଯାଆନ୍ତି । ପୂର୍ବରୁ ଛୋଟ ପିଲାମାନେ କାମ କରୁଥିଲେ । ଏବେ ସମସ୍ତେ ଶିକ୍ଷାଲାଭ କରୁଛନ୍ତି । ଆମ ଗାଁ’ରେ ପୂର୍ବରୁ ବହୁତ ଜଙ୍ଗଲ ଥିଲା । କ୍ରମେ ଜନସଂଖ୍ୟା ବୃଦ୍ଧି ହେତୁ, ଜଙ୍ଗଲ କାଟି ଘର ଦ୍ୱାରର କରି ବାସ କରୁଛନ୍ତି । ପୂର୍ବରୁ ଜଙ୍ଗଲରୁ କାଠ, ଫଳ, ଫୁଲ, ଔଷଧ ମିଳୁଥିଲା । ପୂର୍ବରୁ ଗାଁ’ରେ ଅଧିକ ଆବର୍ଜନା ନଥିଲା । ଏବେ ଅଧିକ ପ୍ଲାସ୍ଟିକ୍ ବ୍ୟବହାର ହେତୁ ଗାଁର ରୂପ ବଦଳିଛି । ପୂର୍ବ ଅପେକ୍ଷା ଖରାପ ଦିଶୁଛି । ଗାଁର ସମସ୍ତ ଲୋକ କାମଧନ୍ଦା କରନ୍ତି, ଯେମିତିକି – କୃଷକ, କମାର, କାଠମିସ୍ତ୍ରୀ, ରାଜମିସ୍ତ୍ରୀ, ମାଛଧରା ଅନ୍ୟ ବାଣିଜ୍ୟ ଆଦି କରନ୍ତି । ନା’ ଏବେ ଲୋକମାନେ ଆଉ ଏକାଠି ମିଶି ପର୍ବ ପାଳନ କରୁନାହାଁନ୍ତି। ଆମ ଗାଁ ଅନ୍ୟ ଲୋକ – “ ଗୋଲାମୁଦିନସା” ସେ ଆୟକର ବିଭାଗ/ Income tax department ରେ ଚାକିରି କରିଥିଲେ ।

ମୋ ସ୍ୱପ୍ନର ଗାଁ
ଆମ ଗ୍ରାମର ନାମ ଅଢଙ୍ଗା ବସ୍ତି । ଏହା କଟକ ଜିଲ୍ଲାର ଅଲଣା ଗ୍ରାମପଞ୍ଚାୟତରେ ଅବସ୍ଥିତ । ମୁଁ ଆମ ଗାଁ’ରେ ଏକ ଡାକ୍ତରଖାନା ଖୋଲିବାକୁ ଚାହେଁ । ଯେଉଁମାନଙ୍କ ଚାଳଘର ଅଛି ତାଙ୍କୁ ପକ୍କା ଘରେ ରଖିବାକୁ ଚାହଁ । ଆମ ଗାଁର ସମସ୍ତ ଲୋକ ମିଳିମିଶି ଚଳୁଥିବେ । ଦୁଃଖ, ସୁଖର ସାଥିହୋଇ ଭେଦଭାବ ନକରି ଖୁସିରେ ଜୀବନ ଯାପନ କରୁଥିବେ । ସବୁ ପ୍ରକାରର ଦୋକାନ ରହିଥିବ । କାହାରିବି ଅସୁବିଧା ନଥିବ । ରାସ୍ତା ଘାଟ ପରିଷ୍କାର ରହିଥିବ । ରାସ୍ତା କଡରେ ଛୋଟ ଛୋଟ ଗଛ ଲାଗିଥିବ । କଳି କଜିଆ ହଉନଥିବ । ସବୁ ପର୍ବ ମିଳିମିଶି ପାଳୁଥିବେ । ଏକ ପାର୍କ ପ୍ରତିଷ୍ଠା ହୋଇଥିବ। ଏହି ଭଳି ଭାବେ ମୋ ସ୍ୱପ୍ନର ଗାଁ ଥିବ ।

