ପାଲାର ପରିବେଷଣ ଶୈଳୀ

( ଲୋକ ନାଟକ କ୍ରମରେ ପାଲା)

23 Min Read

ଉପକ୍ରମ

ପାଲା ହେଉଛି ଗୀତ, ବାଦ୍ୟ, ନୃତ୍ୟ ଏବଂ ଅଭିନୟର ବଳିଷ୍ଠ ସମନ୍ଵୟରେ ଓଡିଶାରେ ପରିବେଷିତ ହୋଇଆସୁଥିବା ଏକ ଲୋକପ୍ରିୟ ବିଦଗ୍ଧ ଲୋକ ନାଟକ । ବିଷୟ ବସ୍ତୁ ଏବଂ ପରିବେଷଣକୁ ଲକ୍ଷ କଲେ ଏଥିରେ ନାଟ୍ୟ ଶାସ୍ତ୍ରରେ ବର୍ଣ୍ଣିତ ଦଶରୂପକ ଅନ୍ତର୍ଗତ ଭାଣ ଓ ବିଥିର ପ୍ରଭାବ ଦେଖାଯାଏ । ଏହିଭଳି ଏକ ଲୋକ ନ।ଟକର ସୃଷ୍ଟିର ଆଦ୍ୟବୀଜ ଭାରତୀୟ ସନାତନ ଧର୍ମର ସତ୍ୟନାରାୟଣ ପୂଜନର ଧର୍ମୀୟ ତଥା ପାରମ୍ପରିକ ପୃଷ୍ଠ ଭୂମିରୁ ପଡିଥିବା କଥା ମଧ୍ୟ ସ୍ପଷ୍ଟ ଜଣାପଡେ । କାରଣ ପ୍ରାଚୀନ ଯୁଗରେ ବିଶେଷ କରି ଖ୍ରୀ.ପୂ. ୨୦୦ ରୁ ଖ୍ରୀ ୨୦୦ ମଧ୍ୟରେ ନାଟ୍ୟକୋବିଦ ଭରତ ମୁନୀଙ୍କ ନାଟ୍ୟଶାସ୍ତ୍ର ରଚନାବେଳକୁ ଭାରତରେ ଅନେକ ସ୍ଥାନରେ ଭାଣ ଏବଂ ବିଥି ପର୍ଯ୍ୟାୟର  ନାଟ୍ୟ ପରିବେଷଣ ଦେଖାଗଲାଣି । ଯାହାକୁ ଦୃଷ୍ଟିରେ ରଖି ଭରତ ମୁନି ରୂପକକୁ ଦଶ ଭାଗରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ହେଲା ଯଥା ନାଟକ, ଭାଣ, ବୀଥି, ଅଙ୍କ, ପ୍ରହସନ, ପ୍ରକରଣ, ଡିମ, ଇହାମୃଗ, ବ୍ୟ।ୟୋଗ ଏବଂ ସମବାକାର । ଏହି ପାଲା ନାଟର ଆଦ୍ୟ ବୀଜ ମଧ୍ୟ ସେହି ସମୟରୁ ପଡ଼ିଥିବା କଥା ଅନୁମାନ କରାଯାଏ  । କାରଣ ସନାତନ ଧର୍ମରେ ପ୍ରଭୁ ସତ୍ୟ ନାରାୟଣ ହିନ୍ଦୁ ମାନଙ୍କର ଏକ ପ୍ରମୁଖ ଆରାଧ୍ୟ ଦେବତା ଅଟନ୍ତି ଏବଂ ପାଲା ନାଟରେ ପାଳନ କରାଯାଉଥିବା ଧର୍ମୀୟ ପରମ୍ପରା ତାଙ୍କୁ ଆଧାର କରି ସୃଷ୍ଟି ହୋଇଥିବା କଥା  ନିଃସନ୍ଦେହ ଅଟେ । ପ୍ରାଥମିକ ପର୍ଯ୍ୟାୟରେ ସତ୍ୟ ନାରାୟଣଙ୍କ ପୂଜାକୁ ଆଧାର କରି ଏକ ଧର୍ମୀୟ ନାଟ୍ୟ ପରମ୍ପରା ବିକାଶ ଲାଭ କରିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ପ୍ରାଚୀନ ତଥା ମଧ୍ୟ ଯୁଗୀୟ ଓଡିଆ ସାହିତ୍ୟରୁ ନାନା ପୌରାଣିକ ଏବଂ କାଳ୍ପନିକ ବିଷୟବସ୍ତୁ ମାନ ଏହାର ପରିବେଷଣର ପରିଧି  ଭିତରକୁ ପ୍ରବେଶ କଲା ସେତେବେଳେ ନାଟକୀୟ ଉପାଦାନ ମାନଙ୍କ ସହାୟତାରେ ଏହା ଏକ ପୂର୍ଣ୍ଣାଙ୍ଗ ନାଟକର ରୂପ ନେଲା। ପୁନଶ୍ଚ ପରବର୍ତ୍ତୀ ସମୟରେ ଯେତେବେଳେ ମୁସଲମାନ ମାନେ ତାଙ୍କର ପୀର ସମ୍ପ୍ରଦାୟର ଧର୍ମୀୟ ପ୍ରଭାବରେ ପ୍ରଭାବିତ ହେଲେ  ସେତେବେଳେ ପ୍ରତିକୂଳ ରାଜନୈତିକ ପରିସ୍ଥିତିକୁ ସାମ୍ନା କରିବାକୁ ଏହା ସତ୍ୟ ନାରାୟଣ ପାଲାରୁ ସତ୍ୟପୀର ପାଲାରେ ରୂପାନ୍ତରିତ ହୋଇଥିଲା । ଏହି ସତ୍ୟପୀର ନାମକୁ ବିଶ୍ଳେଷଣ କଲେ ଜଣାଯାଏଯେ ସନାତନ ଧର୍ମର ପରମ ଆରାଧ୍ୟ ଦେବତା ବିଷ୍ଣଙ୍କ ଏକ ରୂପ ବା ଅବତାର ସତ୍ୟ ନାରାୟଣ ଏବଂ ପୀର ହେଉଛନ୍ତି ସୁଫି ମାନଙ୍କର ଧର୍ମଗୁରୁ ଯିଏ ସେମାନଙ୍କୁ ଇସଲାମୀୟ ଅଧ୍ୟାତ୍ମିକତାରେ ପ୍ରଭାବିତ କରିଥାନ୍ତି । ଏହି ସତ୍ୟ ଓ ପୀର ଶବ୍ଦ ଦ୍ଵୟର ମିଶ୍ରଣରେ  ସତ୍ୟପୀର ପାଲାର ନାମ କରଣ କରାଯାଇଛି ।  ସମୟକ୍ରମେ ଆଜି ଏହି ପାଲା ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିବା ସହ ଏକ ବିଦଗ୍ଧ ଲୋକ ନାଟକ ଭାବରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିପାରିଛି ।  ଏହା ସହିତ ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ  ଓଡ଼ିଆ ମାନଙ୍କର ଶିକ୍ଷା, ସଂସ୍କାର, ନୈତିକତା, ଆଧ୍ୟାତ୍ମିକତା ଏବଂ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଭାବରେ କାର୍ଯ୍ୟ କରି ଆସୁଛି ।

Support Samadhwani

ସତ୍ୟ ନାରାୟଣ ବା ସତ୍ୟପୀର ପାଲାର ବିଷୟବସ୍ତୁ

ପାଲା ନାଟ ସଂପୂର୍ଣ୍ଣ ଭାବରେ ପ୍ରାଥମିକ ପର୍ଯ୍ୟାୟରେ ଏକ ପ୍ରଭୁ ସତ୍ୟନାରାୟଣଙ୍କ ଧର୍ମୀୟ ପରମ୍ପରାର ପୃଷ୍ଠଭୂମିରୁ ଉତ୍ପତ୍ତି ଲାଭ କରିଥିଲା । ତେଣୁ ପ୍ରାଥମିକ ସ୍ତରରେ ଏହି ନାଟ୍ୟ ପରମ୍ପରାରେ ସତ୍ୟନାରାୟଣଙ୍କ ମହିମା ବା ସେ ସମ୍ବନ୍ଧୀୟ ପୁରାଣ ମାନ ଭକ୍ତ ମାନଙ୍କ ସମ୍ମୁଖରେ ବସି ପାଠ କରାଯାଉଥିଲ। ବା ଗାୟନ କରାଯାଉଥିଲା । ପରବର୍ତ୍ତୀ ସମୟରେ ଓଡିଶାର ଉର୍ବର ସାଂସ୍କୃତିକ କ୍ଷେତ୍ରରେ ଯେତେବେଳେ ଆଦିକବି ସାରଳା ଦାସ ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀ ପୂର।ଣ ଓ ଲକ୍ଷ୍ମୀ ନାରାୟଣ ବଚନିକା ରଚନା କରିବା ସହ ତତ୍କାଳୀନ ସମୟର କଳସା ଚଉତିଶା ଓ କେଶବ କୋଇଲି ଚଉତିଶା ଭଳି ସାହିତ୍ୟ ମାନ କେବଳ ପାଲା ନାଟ ନୁହେଁ ସମଗ୍ର ଓଡ଼ିଶାର ପାରମ୍ପରିକ ଲୋକ ନାଟକ ଓ ଲୋକ ନାଟକ ଜଗତକୁ ନୂଆ ବାଟ ଦେଖାଇବାରେ ସହାୟକ ହୋଇପାରିଲା । ତାର ପରବର୍ତ୍ତୀ ସମୟରେ ପୁରାଣ ସାହିତ୍ୟ ଜଗତରେ ପଞ୍ଚସଖାଙ୍କ ଆବିର୍ଭାବ , ସେମାନଙ୍କ ଦ୍ଵାରା ଏବଂ ସେମାନଙ୍କର ସମସାମୟିକ ସାହିତ୍ୟିକ ମାନଙ୍କ ଲେଖନୀ ଚାଳନାରେ ଓଡିଆ ସାହିତ୍ୟରେ ଅଷ୍ଟାଦଶ ମହାପୁରାଣ ଓ ଉପପୁରାଣ ରଚନା ଫଳରେ ସେସବୁ ପୁରାଣର ମୁଖ୍ୟ ତଥା ଗୌଣ ବିଷୟ ଗୁଡ଼ିକ ପାଲା ନାଟରେ ବିଷୟବସ୍ତୁ ଭାବରେ ପରିବେଷଣ କରାଗଲା । ଏହା ଫଳରେ ପାଲା ନାଟ ଆହୁରି ସୁନ୍ଦର ଓ ରସାଣିତ ହେବାରେ ସକ୍ଷମ ହେଲା ।

ଏହାର ପରବର୍ତ୍ତୀ ସମୟରେ ମୋଗଲ ଯୁଗରେ ମୋଗଲ ମାନଙ୍କ ଆକ୍ରମଣରୁ ପାଲା ସସ୍କୃତିକୁ ବଞ୍ଚାଇବାକୁ କବିକର୍ଣ୍ଣ ହିନ୍ଦୁ ଧର୍ମ ଆଧାରିତ ଷୋହଳଟି ଭିନ୍ନ ଭିନ୍ନ କାହାଣୀ ସହିତ ପୀର ସମ୍ପ୍ରଦାୟର କାହାଣୀ ମାନଙ୍କୁ ଯୋଡ଼ି ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମର ସମନ୍ଵୟରେ ଷୋଳପାଲା ରଚନା କଲେ । ଯାହା ଆମର ପାରମ୍ପରିକ ଜୀବନରେ ଆଜି ମଧ୍ୟ ପରିବେଷିତ ହେଉଛି । ଏହାକୁ ସତ୍ୟପୀର ପାଲା ଭାବରେ ମଧ୍ୟ ଗ୍ରହଣ କରାଯାଏ । ଏହି ସତ୍ୟପୀର  ପାଲାକୁ ସର୍ବପ୍ରଥମେ କବି କର୍ଣ୍ଣ ରଚନା କରିଥିଲେ । ସେ ବଙ୍ଗଳା ଓ ଓଡ଼ିଆର ମିଶ୍ରିତ ଭାଷାରେ ଷୋହଳ ଗୋଟି ପାଲା ରଚନା କରିଥିଲେ । ଯାହାକୁ ଆମେ ଷୋଳପାଲା ଭାବରେ ପରିବେଷଣ କରିଥାଉ । ଏହି ଷୋଳପାଲା ଆମ ଧର୍ମୀୟ ଜୀବନ ସହ ଯୋଡି ହୋଇ ଆମର ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ପ୍ରାରମ୍ଭରୁ ପରିବେଷିତ ହୋଇଆସୁଥିଲା । ସେଗୁଡ଼ିକ ହେଲା ଯଥା :- ୧. ଜନ୍ମ ପାଲା ୨. ପଦ୍ମଲୋଚନ ପାଲା ୩. ମର୍ଦ୍ଦଗାଜି ପାଲା ୪. ମର୍ଦ୍ଦଗାଜି ବିଭା ପାଲା ୫. ବିଦ୍ୟାଧର ପାଲା ୬. ମଦନ ସୁନ୍ଦର ପାଲା ୭. ସଦାନନ୍ଦ ସୌଦାଗର ପାଲା ୮. ମନୋହର ଫାସ୍ୟାର ପାଲା ୯. ଶଙ୍କର ଗୁଡ଼ିଆ ପାଲା ୧୦. ଦୁର୍ଜନ ସିଂହ ପାଲା ୧୧. ହେରାଚାନ୍ଦ ପାଲା ୧୨.ଉଗ୍ରତାରା ୧୩. କାଠୁରିଆ ପାଲା ୧୪. ଲକ୍ଷ୍ମଣ କୁମାର ପାଲା ୧୫. ଅଭିନ୍ନ ମଦନ ପାଲା ୧୬. ସ୍ଵର୍ଗାରୋହଣ  ପାଲା ।

ପ୍ରଥମ ବର୍ଷରେ ଜନ୍ମ ନେଲେ ନାରାୟଣ

Support Samadhwani

ବିଚିତ୍ର ଲୀଳା କରିଲେ ଏ ମର୍ତ୍ତ୍ୟ ଭୁବନ ॥

ଆହେ ସାଧୁଜନେ  ଲୀଳା ହୋଇଛି କିପରି

କ୍ରମାନ୍ଵୟରେ ସେ କଥା କହୁଛି ବିସ୍ତାରି ॥

ଦ୍ଵୀତିୟରେ ଲୀଳା କରିଲେ ଶ୍ରୀ ପଦ୍ମଲୋଚନ

ତୃତିୟରେ  ମର୍ଦ୍ଦଗାଜୀ ଲଭିଲାକ ଜନ୍ମ ॥

ମର୍ଦ୍ଦଗାଜୀ ବିଭାସାରି ଚତୁର୍ଥରେ ଗଲେ

ପଞ୍ଚମରେ ବିଦ୍ୟାଧର ତାରାବତୀ ଭଲେ ॥

ମଦନ ସୁନ୍ଦର ପାଲା ଷଷ୍ଠେ ଭିଆଇଣ

ସଦାନନ୍ଦ ସୌଦାଗର କରିଲେ ସପ୍ତମ ॥

ଫାସ୍ୟାର ପାଲା ବୋଲି ଅଷ୍ଟମ ବିଧାନ

ନବମେ ଶଙ୍କର ଗୁଡ଼ିଆ ଶିରିଣି ଭକ୍ଷଣ ॥

ଦଶମେ ଦୁର୍ଜନ ସିଂହ ଗର୍ବକୁ ଗଞ୍ଜନ

ତା ପୁତ୍ର ଚନ୍ଦ୍ରହାସକୁ କଲେ ଦରଶନ ॥

ହାରାଚାନ୍ଦ ଏକାଦଶେ, ଦ୍ଵାଦଶେ ଉଗ୍ରତାରା

କାଠୁରିଆ ବୋଲି ପାଲା ତ୍ରୟୋଦଶେ ହେଲା ॥

ଚତୁର୍ଦ୍ଦଶେ ଲକ୍ଷ୍ମଣ କୁମାର, ଅଭିନ୍ନ ମଦନ

ଷଷ୍ଠ ଦଶରେ କରିଲେ ପ୍ରଭୁ ସତ୍ୟ ନାରାୟଣ ॥

ଷୋଳପାଲା ଷୋଳବର୍ଷେ କରି ସମାପନ

କମଳାଙ୍କ ସହ କଲେ ସେ ସ୍ଵର୍ଗାରୋହଣ ॥

ଏହି ସମୟରେ ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଆରମ୍ଭ ହେଲା ଏବଂ ସାହିତ୍ୟ ଜଗତରେ ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ , ଅଭିମନ୍ୟୁ ସାମନ୍ତସିଂହାର, ଯଦୁମଣି ମହାପାତ୍ରଙ୍କ ଭଳି ପ୍ରତିଭାବାନ ସାହିତ୍ୟିକ ମାନଙ୍କ ଲେଖନୀ ଚାଳନାରେ ଶହ ଶହ କାବ୍ୟ କବିତା, ଚମ୍ପୁ , ଚଉତିଶା, ଛନ୍ଦ, ଅଳଙ୍କାରରେ ମଧ୍ୟ ଯୁଗୀୟ ଓଡ଼ିଆ ସାହତ୍ୟ ଗାୟକ ଏବଂ ଶ୍ରୋତାମାନଙ୍କର ସ୍ନେହ ଭାଜନହୋଇପାରିଲା । ଏପରିକି ତାହାର ବର୍ଣ୍ଣିତ ବିଷୟବସ୍ତୁ ମାନ ପାଲା ନାଟରେ ପ୍ରୟୋଗ ହେବାଦ୍ଵାର। ଏହାର ବିଷୟବସ୍ତୁ ଆହୁରି ବ୍ୟାପକ ହୋଇପାରିଲା । ପରବର୍ତ୍ତୀ ସମୟରେ ପୁଣି ଓଡ଼ିଆ ସାହିତ୍ୟର ନବଜାଗରଣ ପର୍ବରେ ରାଧାନାଥ ରାୟ  , ଫକିର ମୋହନ ସେନାପତି , ମଧୁସୂଦନ ରାଓ , ଗଙ୍ଗାଧର ମେହେର, ନନ୍ଦକିଶୋର ବଳ, କୁନ୍ତଳା କୁମାରୀ ସାବତ ତଥା ଅନ୍ୟାନ୍ୟ କବି ମାନଙ୍କର ରଚିତ କାବ୍ୟ କବିତା ପାଲା ନାଟର ପରିବେଷଣ ପରିଧି ଭିତରକୁ ପ୍ରବେଶ କରି ଏହାକୁ ଆହୁରି ରସାଣିତ କରିବାରେ ସହାୟକ ହେଲା । ଏପରିକି ଜାତୀୟତା ଆଧାରିତ ଐତିହାସିକ ବିଷୟବସ୍ତୁ ମାନ ମଧ୍ୟ ଏଥିରେ ପରିବେଷିତ ହୋଇପାରିଲା ।

ପାଲାର କେତେକ ଶୀର୍ଷକ

ପାଲାର ପ୍ରକାରଭେଦ

ପରିବେଷଣର ଭିନ୍ନତାକୁ ଆଧାର କରି ପାଲାକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା ଯଥା :- ୧. ଠିଆ ପାଲା ୨. ବୈଠିକି ପାଲା ୩. ବାଦି ପାଲା ।

ଠିଆ ପାଲା : –  ଯେଉଁଠି ଏକ ଖୋଲା ମଞ୍ଚର ଚାନ୍ଦୁଆ ତଳେ ପାଞ୍ଚ ଛଅ ଜଣ କଳାକାର ଗୀତ, ବାଦ୍ୟ, ନୃତ୍ୟ ଓ ଅଭିନୟ ସହାୟତାରେ ଠିଆ ହୋଇ ପାଲା ପରିବେଷଣ କରିଥାନ୍ତି ତାହାକୁ ଠିଆ ପାଲା କୁହାଯାଏ ।

ବୈଠିକି ପାଲା :-  ଯେଉଁ ପାଲାକୁ ବିଶେଷ କରି ସତ୍ୟନାରାୟଣଙ୍କ ପୂଜାରେ ଆୟୋଜିତ ସଙ୍ଗୀତ ଆସର ଭଳି ଗାୟକ ଓ ପାଳିଆମାନେ ବସି  ଗାୟନ ମାଧ୍ୟମରେ  ପରିବେଷଣ କରିଥାନ୍ତି  ତାହାକୁ ବୈଠିକି ପାଲା କୁହାଯାଏ । ବିଶେଷ କରି ଏହି ଧରଣର ପାଲା ସାଧାରଣତଃ ଗର୍ଭ ସଂସ୍କାର, ଏକୋଇଶା ବ ନାମକରଣ, ବିଦ୍ୟାରମ୍ଭ, ବ୍ରତୋପନୟନ କିମ୍ବା ସତ୍ୟନାରାୟଣ ପୂଜା ଆଦି ମାଙ୍ଗଳିକ କାର୍ଯ୍ୟକ୍ରମରେ ପରିବେଷିତ ହୋଇଥାଏ । ଏହି ପାଲାରେ ମୁଖ୍ୟତଃ କବିକର୍ଣ୍ଣଙ୍କ ବିରଚିତ ସତ୍ୟନାରାଯଣଙ୍କ ଷୋଳପାଲା କିମ୍ବା ତ ଭିତରୁ ଯେକୌଣସି ଗୋଟିଏ ପାଲା ଗାୟନ କରାଯାଇଥାଏ । ବୈଠିକି ପାଲା ପରିବେଷଣରେ ନାଟକୀୟ ଉପାଦାନ ମାନଙ୍କର ବ୍ୟବହାର ବହୁତ କମ ପରିମାଣରେ ଦେଖିବାକୁ ମିଳେ । ଏହା ପରିବେଷଣ ଆଧାରିତ ନହୋଇ ପୂଜା ଆଧାରିତ ହୋଇଥାଏ ।

ବାଦିପାଲା  :-  ଯେଉଁ ପାଲାରେ ସାଧାରଣତଃ ଏକାଧିକ ନାଟ୍ୟଦଳ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁକୁ ଆଧାରକରି ପ୍ରତିଯୋଗିତାମୂଳକ ପରିବେଷଣରେ ଭାଗନେଇଥାନ୍ତି ତାହାକୁ ବାଦିପାଲା କୁହାଯାଏ । କାରଣ ବାଦି କହିଲେ ଆମେ ସାଧାରଣତଃ ପ୍ରତିଯୋଗିତାକୁ ବୁଝିଥାଉ । ଏହି ପାଲାକୁ ଭାଗଭାଗ କରି ପରିବେଷଣ କରାଯାଇଥାଏ । ପ୍ରଥମ ନାଟ୍ୟଦଳ ଯେଉଁଠି ତାଙ୍କ ପରିବେଷଣ ସମାପ୍ତ କରିବେ ପ୍ରତିଯୋଗୀ ଦଳ ସେମାନଙ୍କ ପରିବେଷଣକୁ ସେଠାରୁ ଆରମ୍ଭ କରିବେ । ଏହା ସହିତ ସେମାନେ ପରସ୍ପରକୁ ବିଷୟ ଆଧାରିତ ନାନା ପ୍ରଶ୍ନ ମଧ୍ୟ ପଚାରିଥାନ୍ତି  ଏବଂ ସେମାନେ ସେମାନଙ୍କର ନାଟକୀୟ ଶୈଳୀ ପ୍ରୟୋଗ କରି ଉତ୍ତର ପ୍ରଦାନ କରିଥାନ୍ତି । ଏହି ଧରଣର ପାଲା ସାଧାରଣ ପାଲା ପରିବେଷଣଠାରୁ ସ୍ଵତନ୍ତ୍ର ଅନୁଭୂତ ହୋଇଥାଏ । ଏପରିକି ଏହା ଅଧିକ ଗବେଷଣାଧର୍ମୀ, ଆମୋଦଦାୟକ ଏବଂ ପ୍ରଭାବଶାଳି ହୋଇଥାଏ ।

ବାଦୀପାଲା :-  ବିଗତ ଚାରି ପାଞ୍ଚ ଦଶନ୍ଧି ଧରି ମହିଳା ମାନେ ପାଲା ଜଗତକୁ ପ୍ରବେଶ କଲେଣି । ଯାହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ  ଅଟେ । ଗାୟିକାମାନେ ଜଣେ ଜଣେ ପୁରୁଷ ମୃଦଙ୍ଗ ବାଦକଙ୍କୁ, ଯାହାଙ୍କୁ ବାୟକ କୁହାଯାଏ ତାଙ୍କ ସହିତ ଚାରି ପାଞ୍ଚ ଜଣ ମହିଳା ପାଳିଆ କିମ୍ବା ଅଧା ମହିଳା ଓ ଅଧା ପୁରୁଷ ପାଳିଆଙ୍କ ସହାୟତାରେ ଯେଉଁ ପାଲା ନାଟ ପରିବେଷଣ କରିଥାନ୍ତି ତାହାକୁ ଆଜିର ସମୟରେ ମହିଳା ପାଲା ନାମରେ ନାମିତ କରାଯାଇଛି । ପରିବେଷଣ ଶୈଳୀ, ବିଷୟବସ୍ତୁ, ମଞ୍ଚସଜ୍ଜା, ଆଭିମୁଖ୍ୟ ତଥା ବେଶଭୂଷାରେ କୌଣସି ପାର୍ଥକ୍ୟ କିମ୍ବା ସ୍ଵତନ୍ତ୍ରତା ନଥିବା କାରଣରୁ ଏହାକୁ ଏକ ସ୍ଵତନ୍ତ୍ର ପର୍ଯ୍ୟାୟଭୁକ୍ତ କରିବା ଅନାବଶ୍ୟକ ଅଟେ ।

ଆଦି ପର୍ଯ୍ୟାୟର ପାଲାକାର 

ଯେଉଁ ମାନଙ୍କୁ ପାଲା ନାଟର ଜନକ ଭାବରେ ଗ୍ରହଣ କରାଯାଏ ସେମାନେ ହେଲେ ଯଥା – ୧. ଭୃଗୁରମ ୨. ଶ୍ରୀ କବି  ୩. ଶଙ୍କର।ଚାର୍ଯ୍ୟ  ୪. କବି କର୍ଣ୍ଣ । ପରବର୍ତ୍ତୀ ସମୟରେ ବିଂଶ ଶତକରେ ଯେଉଁମାନେ  ଏହି ପାଲା ନାଟକୁ ସେମାନଙ୍କର ସୃଜନଶୀଳତା, ପାଣ୍ଡିତ୍ୟ ତଥା ନାଟ୍ୟ ପ୍ରତିଭା ବଳରେ ଏକ ସୁସମୃଦ୍ଧ ବିଦଗ୍ଧ ନାଟ୍ୟପରମ୍ପରାକୁ ରୂପାନ୍ତରିତ କଲେ ସେମାନେ ହେଲେ ଯଥା – ଗାୟକ ସମ୍ରାଟ ବିଶ୍ଵନାଥ ପାଟ୍ଟଯୋଶୀ, କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ, ଗାୟକ ଶିରୋମଣି ନିରଞ୍ଜନ କର, ଗାୟକ ରତ୍ନ ହରେକୃଷ୍ଣ ନାଥ, ଗାୟକବାଗ୍ମୀ ବୈଷ୍ଣବ ଚରଣ ପ୍ରଧାନ, ଗାୟକ ଭୂଷଣ ଘନଶ୍ୟାମ ନାୟକ, ଗାୟକ ଚନ୍ଦ୍ର ପରମାନନ୍ଦ ଶରଣ, ଗାୟକ ରତ୍ନ ଲୋକନାଥ କର, ଗାୟକ ପାଠାଗାର ମାର୍କଣ୍ଡେୟ ବାହିନୀପତି, ଗାୟକ ଯୁଗଜ୍ୟୋତି ଜଗନ୍ନାଥ ବେହେରା ଆଦି ପ୍ରମୁଖ ଅଟନ୍ତି ।

ପାଲାର ଚରିତ୍ର

ମୁଖ୍ୟତଃ ପାଲା ନାଟ ଏକ ପାଞ୍ଚ ରୁ ଛଜଣ ଅଭିନେତାକୁ ଆଧାର କରି ଗଠିତ ଏକ ନାଟ୍ୟଦଳ ଦ୍ଵାରା ପରିବେଷଣ କରାଯାଇଥାଏ । ଏହାର ମୁଖ୍ୟଙ୍କୁ ଗାୟକ କୁହାଯାଏ । ଏପରିକି ଏହି ଗାୟକଙ୍କୁ ପାଲା ନାଟର ଗୁରୁ ଭାବରେ ମଧ୍ୟ ଗ୍ରହଣ କରାଯାଏ । ଗାୟକଙ୍କୁ ନାଟ୍ୟ ପରିବେଷଣରେ ବାଦ୍ୟ ସଙ୍ଗୀତରେ ଯେଉଁ ବାଦକ ଜଣକ ସହଯୋଗ କରନ୍ତି ତାଙ୍କୁ ବାୟକ କୁହାଯାଏ । ଏହାସହିତ ଗାୟନରେ ପାଳି ଧରି ସହଯୋଗ କରି ଆସୁଥିବା ସହଯୋଗୀ କଳାକାରମାନଙ୍କୁ ପାଳିଆ କୁହାଯାଏ । ଏମାନଙ୍କର ସଂଖ୍ୟା ତିନିରୁ ଚାରି ଥାଏ । ସେହି ପାଳିଆ ମାନଙ୍କର ପ୍ରତିନିଧିତ୍ଵ କରୁଥିବା ମୁଖ୍ୟ ପାଳିଆକୁ ଶ୍ରୀ ପାଳିଆ କୁହାଯାଏ । ପାଲାର ପ୍ରାଥମିକ ସ୍ତରରେ କଳାକାର ମାନଙ୍କର ସଂଖ୍ୟା ତିନି ରୁ ଚାରି ମଧ୍ୟରେ ରଖାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ପାଞ୍ଚ ଜଣଙ୍କୁ ବଢାଇ ଦିଆଗଲା । ସେହି ପାଞ୍ଚ ଜଣଙ୍କୁ ସନାତନ ଧର୍ମର ପାଞ୍ଚ ପ୍ରମୁଖ ଦେବତା ଭାବରେ ଗ୍ରହଣ କରାଗଲା ଯଥା – ୧. ଗଣେଶ ୨. ନାରାୟଣ ୩. ରୁଦ୍ର ୪. ଅମ୍ବିକା ୫. ଭାସ୍କର । ପୁଣି ପରବର୍ତ୍ତୀ ସମୟରେ ଏହାର ସଂଖ୍ୟା ଅଦ୍ୟାବଧି ଚାଲୁ ରହିଛି । ଛ ଜଣ କଳାକାର ଆଧାରିତ ପାଲା ଗୋଷ୍ଠୀକୁ ପାଞ୍ଚ ଜଣ ବାୟକ ତଥା ପାଳିଆକୁ ପଞ୍ଚଦେବତା ଏବଂ ଗାୟକଙ୍କୁ ସେମାନଙ୍କର ଉପାସକ ବା ପୂଜାରୀ ଭାବରେ ଗ୍ରହଣ କରାଯାଏ ।

ପାଲା ନାଟର ପରିବେଷଣ ପରମ୍ପରା

ମୁଖ୍ୟତଃ ପାଲା ଏକ ସଙ୍ଗୀତ ଭିତ୍ତିକ ଲୋକ ନାଟକ ଅଟେ । ଏହି ଲୋକ ନାଟକରେ  ସଙ୍ଗୀତ ବା ଗାୟନ ଏକ ପ୍ରମୂଖ ତଥା ପ୍ରାଥମିକ ଉପାଦାନ ଅଟେ । ବିଶେଷତଃ ଆମର ମହାପୁରାଣ , ଉପପୂରାଣ, ମହାକାବ୍ୟ, କାବ୍ୟ, କିମ୍ବଦନ୍ତୀର  ବିଷୟବସ୍ତୁ ମାନଙ୍କୁ ଏଥିରେ ପରିବେଷଣ କରାଯାଇଥାଏ । ପ୍ରାଚୀନ ଯୁଗୀୟ ପାରମ୍ପରିକ ଓଡିଶୀ ସଙ୍ଗୀତର ଗାୟନ ଶୈଳୀକୁ ପାଲା ପରିବେଷଣରେ ପ୍ରାଥମିକତା ଦିଆଯାଇଥାଏ । ସେଗୁଡିକ ଯଥା ଚୋଖି, ବଙ୍ଗଳାଶ୍ରୀ ,ଶଙ୍କରାଭରଣ, କାମୋଦୀ , କେଦାର, ବରାଡି ଏବଂ ଅନ୍ୟାନ୍ୟ ଅଟନ୍ତି । ପାଲା ନାଟର ପରିବେଷଣର ପ୍ରଥମ ଭାଗରେ ମଞ୍ଚକୁ ବାୟକ ଆସି ପାଳିଆ ମାନଙ୍କୁ ଧରି ବାଦ୍ୟ ସଙ୍ଗୀତ ପରିବେଶଣ ପୂର୍ବକ ପୂର୍ବରଙ୍ଗ ସମ୍ପାଦନ କରନ୍ତି । ଏହି ସମୟରେ ସନାତନ ଧର୍ମର ଆରାଧ୍ୟ ଦେବତା ସତ୍ୟ ନାରାୟଣଙ୍କ ପ୍ରତୀକାତ୍ମକ ପ୍ରତିକୃତିକୁ ପୂଜା କରାଯାଇଥାଏ । ଏହି ପ୍ରକ୍ରିୟା ମାଧ୍ୟମରେ ସମସ୍ତ ଦର୍ଶକ ମାନଙ୍କ ମନରେ ନାଟକ ପ୍ରତି ଏକ ଆଗ୍ରହ ସୃଷ୍ଟି କରାଯାଇଥାଏ । ଏହାପରେ ପରେ ମଞ୍ଚକୁ ଗାୟକ ଆସି ଚାମର ସେବା ସହ ପଞ୍ଚଦେବତାଙ୍କ ଉଦ୍ଦେଶ୍ୟରେ ତାଙ୍କର ଭକ୍ତିପୂତ ପ୍ରାର୍ଥନା ପରିବେଶଣ କରିଥାନ୍ତି । ଯାହାକୁ ଆମେ ମଙ୍ଗଳାଚରଣ ଭାବରେ ଗ୍ରହଣ କରିପାରିବା ।

ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା

ଭିନ୍ନଭିନ୍ନ ନ କର୍ତ୍ତବ୍ୟମ ପଞ୍ଚଦେବ ନମସ୍ତୁତେ ।

ଅର୍ଥାତ ହେ ପ୍ରଭୁ ଅଗ୍ରପୂଜ୍ୟ ଗଜାନନ, ଦେବ ଦେବ ମହାଦେବ, ଜଗତ ଜନନୀ ମା ଦୂର୍ଗା, ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟ , ସମସ୍ତଙ୍କୁ ଆମର ସସମ୍ମାନେ ଭକ୍ତିପୂତ ପ୍ରଣାମ । ଆପଣମାନେ ଆମର ଏହି ନାଟକର ନିର୍ବିଘ୍ନ ପରିବେଶଣ ସହ କଳାକାର ମାନଙ୍କର, ପୃଷ୍ଠପୋଷକ ମାନଙ୍କର, ଦର୍ଶକ ସମାଜର ତଥା ସମଗ୍ର ବିଶ୍ଵର ମଙ୍ଗଳ ବିଧାନ କରନ୍ତୁ । ଏହାପରେ ଗାୟକ ମହାଶୟ ନୀଳାଚଳ ନିବାସୀ ଜଗତର ନାଥ ଜଗନ୍ନାଥ, ବିଦ୍ୟାଦାତା ପ୍ରଭୁ ଗଣେଶ , ବାକ୍ୟଦେବୀ ମା ସରସ୍ଵତୀ, ଦଶଦିଗପାଳ , ଗୁରୁ ଗୁରୁଜନ ମାନଙ୍କ ନିକଟରେ ଭକ୍ତିପୂତ ପ୍ରଣାମ ଜଣାଇ ନାଟକ ତଥା ଜନସମାଜର ମଙ୍ଗଳ ବିଧାନ ପାଇଁ ପ୍ରାର୍ଥନା କରିଥାନ୍ତି । ଏହିଭଳି ଭାବରେ ମଙ୍ଗଳାଚରଣ ସମ୍ପାଦନ କରିସାରିବାପରେ ସେ ଉପସ୍ଥିତ ଦର୍ଶକ ମାନଙ୍କୁ ନାଟକର ବିଷୟବସ୍ତୁ ସମ୍ବନ୍ଧରେ ସୂଚନା ପ୍ରଦାନ କାରିଥାନ୍ତି । ଯାହାକୁ ପ୍ରାଚ୍ୟ ନାଟ୍ୟ ପରମ୍ପରାରେ ପ୍ରସ୍ତାବନା କୁହାଯାଇଥାଏ ।  ଏହାପରେ ପାଲାରେ ନାଟ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଗାୟକ ପ୍ରଥମେ ଏହି ପର୍ଯ୍ୟାୟରେ  ପରିବେଷିତ ହେବାକୁ ଯାଉଥିବା ନାଟକର ବିଷୟବସ୍ତୁ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥାନ୍ତି । ପ୍ରସ୍ତାବନା କାର୍ଯ୍ୟ ସମାପନ କରି ଗାୟକ ମାନେ ଆଦିକବି ସାରଳା ଦାସ, ଭକ୍ତ କବି ବଳରାମ ଦାସ, ଅତିବଡୀ ଜଗନ୍ନାଥ ଦାସ, ଭକ୍ତକବି ଅଚ୍ୟୁତାନନ୍ଦ ଦାସ, କବି ଅନନ୍ତ ଦାସ, ଯଶୋବନ୍ତ ଦାସ, ଭକ୍ତକବି ଦୀନକୃଷ୍ଣ ଦାସ , କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ , ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର , ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର , ସନ୍ଥ କବି ଭୀମଭୋଇ , ସଣ୍ଠକବି ଅଭିରାମ ପରମ ହଂସ, କବିବର ରାଧାନାଥ , ସ୍ଵଭାବ କବି ଗଙ୍ଗାଧର, ପଲ୍ଲୀକବି ନନ୍ଦକିଶୋର, ଉତ୍କଳ ଭାରତୀ କୁନ୍ତଳା କୁମାରୀ, ଉତ୍କଳମଣି ଗୋପବନ୍ଧୁ , ପଣ୍ଡିତ ନୀଳକଣ୍ଠ, ତଥା ଅନ୍ୟାନ୍ୟ ଓଡିଆ ସାହିତ୍ୟିକ , ମାନଙ୍କ ରଚିତ ବିଷୟବସ୍ତୁକୁ ନାଟକୀୟ ଢଙ୍ଗରେ ପ୍ରାଚୀନ ଯୁଗୀୟ ପାରମ୍ପରିକ ଓଡିଶୀ ରାଗ, ଛନ୍ଦ ଓ ଅଳଙ୍କାରକୁ  ଆଧାର କରି ପରିବେଷଣ କରିଥାନ୍ତି । ଏପରିକି ପାଲାର ବିଷୟବସ୍ତୁକୁ ଅଧିକରୁ ଅଧିକ ରସାଣିତ କରିବା ନିମନ୍ତେ ପ୍ରାଚୀନ ଭାରତୀୟ ସଂସ୍କୃତ ପୂରାଣ, କାବ୍ୟ ମାନଙ୍କର ଉଦ୍ଧୃତ ଶ୍ଳୋକ ତଥା କାବ୍ୟ ଖଣ୍ଡ ମାନଙ୍କୁ ପରିବେଷଣରେ ଯୋଗ କରିଥାନ୍ତି । ଏହା ସହିତ ଓଡିଆ ସାହିତ୍ୟର ନାନାବିଧ ଚଉତିଶା, କୋଇଲି, ଚଉପଦୀ, ଚମ୍ପୁ , ଭଜନ, ଜଣାଣ , କୀର୍ତ୍ତନ, ଛନ୍ଦ, ଅଳଙ୍କାର ମାନଙ୍କୁ ମଧ୍ୟ ପାଲା ପରିବେଷଣରେ ବ୍ୟବହାର କରିଥାନ୍ତି । ବେଳେବେଳେ ଦର୍ଶକ ମାନଙ୍କୁ ନାଟକ ପରିବେଷଣ ପ୍ରକ୍ରିୟା ମାଧ୍ୟମରେ ସାମିଲ କରି ଏହାର ପରିବେଶଣକୁ ଲୋକାଭିମୁଖି ମଧ୍ୟ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି । ପାଖାପାଖି ଅଢେଇ ରୁ ତିନି ଘଣ୍ଟାର ପରିବେଷଣ ପରେ ନାଟକର ବିଷୟବସ୍ତୁ ଯେତେବେଳେ ମୁଖ, ପ୍ରତିମୁଖ, ଗର୍ଭ, ବିମର୍ଶ ଓ ନିର୍ବହଣର ଧାରା ଦେଇ ସମାପ୍ତ ହୁଏ ସେତେବେଳେ ଉପସ୍ଥିତ ଦର୍ଶକଙ୍କ ଠାରୁ ଆରମ୍ଭ କରି ସମଗ୍ର ବିଶ୍ଵବାସୀଙ୍କର ମଙ୍ଗଳ ବିଧାନ ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ନାଟକକୁ ସମାପ୍ତ କରିଥାନ୍ତି । ଯାହାକୁ ଆମେ ଆମ ନାଟ୍ଯ ପରମ୍ପରାରେ ଭରତବାକ୍ୟ କହିଥାଉ ।

ପାଲା ମଞ୍ଚ

ପୂରାକାଳରେ ପାଲା ନାଟକୁ ବିଶେଷ କରି ଗାଁ ମାନଙ୍କର  ମନ୍ଦିର ପ୍ରାଙ୍ଗଣ , ଗାଁ ସାହି କିମ୍ବା ପାଲା ପରିବେଷଣ ପାଇଁ ମାନସିକ ରଖିଥିବା ପୃଷ୍ଠପୋଷକଙ୍କ ଗୃହ ସମ୍ମୁଖରେ କିମ୍ବା ଗାଁ ମୁଖିଆଙ୍କ ଘର ଆଗରେ ପରିବେଶଣ କରାଯାଇଥାଏ । ଆନୁମାନିକ ଶହେ ବର୍ଗ ଫୁଟ ବିଶିଷ୍ଟ ସ୍ଥାନରେ ଚାରିକୋଣରେ ଚାରୋଟି ବାଉଁଶ ଖୁଣ୍ଟି ବାନ୍ଧି ତ।ଉପରେ ଏକ ଚାନ୍ଦୁଆ ଟାଙ୍ଗି ଏକ ମଞ୍ଚାର ପ୍ରସ୍ତୁତ କରାଯାଇଥାଏ । ସେହି ଚାନ୍ଦୁଆ ତଳେ ଏକ କାଠ  ଚଉକିରେ ପ୍ରଭୁ ସତ୍ୟ ନାରାୟଣଙ୍କ ପ୍ରତୀକାତ୍ମକ ପ୍ରତିମାକୁ ରଖି ତାଙ୍କୁ ଯଥାବିଧି ପୂଜାର୍ଚ୍ଚନା କରି ତା ସମ୍ମୁଖରେ ପାଲା ପରିବେଷଣ କରାଯାଇଥାଏ । ପାଲା ନାଟ ପାଇଁ କୌଣସି ସ୍ଥାୟୀ ମଞ୍ଚାର ବ୍ୟବହାର କରାଯାଏ ନାହିଁ । କିନ୍ତୁ ବାଦୀପାଲା କ୍ଷେତ୍ରରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଦର୍ଶକ ମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ଯାତ୍ରା ମଞ୍ଚ ଭଳି ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇଥାଏ । ସେଠାରେ ଏକାଧିକ ଦିନ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ନାଟକ ପରିବେଷଣ କରାଯାଇଥାଏ ।  ପରବର୍ତ୍ତୀ ସମୟରେ ପାଲ। ମନ୍ଦିରର ମଣ୍ଡପ କିମ୍ବା ଗାଁ ସାହିରୁ ଆସି ଗଡଜାତି ରାଜଦରବାର କିମ୍ବା ଜମିଦାର ତଥା ସାମନ୍ତ ମାନଙ୍କ ବାରଣ୍ଡା ମଧ୍ୟରେ ପରିବେଷିତ ହୋଇ ପୂରାଣ , ସାହିତ୍ୟର ବିଷୟବସ୍ତୁ ମାନଙ୍କୁ ପ୍ରଚାର ପ୍ରସାର କରିବାରେ ପ୍ରମୂଖ ଭୂମିକା ନିର୍ବାହ କଲା । ଆଜିର ଆଧୁନିକ ଯୁଗରେ ପାଲା ସହର ମାନଙ୍କରେ ସ୍ଥାପିତ ଏକମୂଖୀ ନାଟ୍ୟମଣ୍ଡପର ପ୍ରେକ୍ଷାଗୃହ ତଥା ବୈଦ୍ୟୁତିକ ଗଣମାଧ୍ୟମର ସୁସଜ୍ଜିତ ନାଟ୍ୟ ମଣ୍ଡପରେ ପରିବେଷିତ ହେବା ଆରମ୍ଭ ହେଲାଣି । ସ୍ଥଳବିଶେଷରେ ଗାଁ ମାନଙ୍କର ଯାତ୍ରା ନାଟକ ପରିବେଷଣ ପରମ୍ପରା ଭଳି ବାଦୀପାଲ।କୁ ପ୍ରତିଯୋଗୀତା ମୂଳକ ପରିବେଷଣ ଭାବରେ ମଧ୍ୟ ଗ୍ରହଣ କରାଗଲାଣି ।

ପାଲା ମଞ୍ଚର ଆଲୋକ ସଜ୍ଜା କଥା ଯଦି ଆମେ ଚିନ୍ତା କରିବା ତେବେ ପ୍ରାଚୀନ ଯୁଗରେ ତେଲ ଦୀପ କିମ୍ବା ମଶାଲ ସହାୟତାରେ ମଞ୍ଚକୁ ଆଲୋକିତ କରାଯାଉଥିଲା । ତାହାର ପରବର୍ତ୍ତୀ ସମୟରେ କିରୋସିନ ବତୀ , ଗ୍ୟାସ ଲାଇଟ ସହାୟତାରେ ମଧ୍ୟ ଆଲୋକ ସମ୍ପାଦନ କାର୍ଯ୍ୟ କରାଗଲା । ଶେଷରେ ବିଦ୍ୟୁତ ଶକ୍ତିର ଆବିଷ୍କାର ପରେ ବିଦ୍ୟୁତ ଆଲୋକ ସହାୟତାରେ ମଞ୍ଚକୁ ଆଜି ବହୁ ସୁନ୍ଦର ଭାବରେ ଆଲୋକିତ କରାଯାଇପାରୁଛି । ଠିକ ସେହିଭଳି ଶବ୍ଦ କ୍ଷେତ୍ରରେ ମଧ୍ୟ ପ୍ରାଚୀନ ଯୁଗରେ ଡାକବାଜି ଯନ୍ତ୍ରର ବିନା  ସହାୟତାରେ ନାଟ୍ୟ ପରିବେଷଣ କରାଯାଉଥିଲାବେଳେ ଆଜିକୁ ଦୀର୍ଘ ଦୁଇ ଦଶନ୍ଧି ଧରି ମାଇକ୍ରୋଫୋନ ଏପରିକି ବେତାର ଯନ୍ତ୍ର ସହାୟତାରେ ଏହାର ବାଚିକ ଅଭିନୟକୁ ଶ୍ରବଣ ଯୋଗ୍ୟ କରାଯାଇପାରୁଛି ।

ପାଲାର ସଙ୍ଗୀତ ପରମ୍ପରା

ପୂର୍ବରୁ ଆମେ ଏଠାରେ ଉଲ୍ଲେଖ କରିସାରିଛୁ ଯେ ପାଲା ଏକ ସଙ୍ଗୀତ ଭିତ୍ତିକ ଲୋକନାଟକ ଅଟେ । ପାଲା ନାଟର ପରିବେଶଣରେ ଗାୟନ ଏକ ପ୍ରମୁଖ କାର୍ଯ୍ୟ ଅଟେ । ଓଡିଆ ତଥା ସଂସ୍କୃତ ସାହିତ୍ୟର ପୂରାଣ ଓ କାବ୍ୟ ଭଣ୍ଡାରରୁ ନିର୍ବାଚିତ ବିଷୟବସ୍ତୁ ମାନଙ୍କୁ ପ୍ରାଚୀନ ଓଡିଶୀ ସଙ୍ଗୀତ ପରମ୍ପରାର ନାନାବିଧ ରାଗ, ଚମ୍ପୁ, ଚଉପଦୀ , ଭଜନ , ଜଣାଣ , କୀର୍ତ୍ତନ, ଛନ୍ଦ, ଅଳଙ୍କାର ସହାୟତାରେ ଏହାକୁ ପରିବେଷଣ କରାଯାଇଥାଏ । ଗାୟକଙ୍କ ଗାୟନକୁ ଶୃତିମଧୁର କରିବା ନିମନ୍ତେ ପାଳିଆମାନେ ଏକ ସ୍ଵତନ୍ତ୍ର ଶୈଳୀରେ ଗାୟକଙ୍କ ପ୍ରବନ୍ଧକୁ ପାଳି ଧରିଥାନ୍ତି । ଏହାର ପରିବେଷଣରେ ମଧ୍ୟ ସେହିଭଳି ପାରମ୍ପାରିକତାକୁ ରକ୍ଷା କରିବା ନିମନ୍ତେ ପାରମ୍ପରିକ ବାଦ୍ୟ ଯନ୍ତ୍ରମାନ ବ୍ୟବହାର କରାଯାଇଥାଏ । । ମୁଖ୍ୟତଃ ଏଠାରେ ଅବନଦ୍ଧ ଓ ଘନ ସଂପ୍ରଦାୟର ବାଦ୍ୟଯନ୍ତ୍ରମାନଙ୍କୁ ବ୍ୟବହାର କରାଯାଇଥାଏ । ଅନବଦ୍ଧ ବାଦ୍ୟ ଭିତରେ ମୃଦଙ୍ଗ ଏବଂ ଘନ ବାଦ୍ୟ ଭିତରେ ଝାଞ୍ଜ, ଗିନି, ମଞ୍ଜିରା ଏବଂ ଛୋଟ ରାମତାଳି ବ୍ୟବହାର କରାଯାଇଥାଏ । ଗାୟକ ମଧ୍ୟ ବେଳେବେଳେ ମଞ୍ଜିରା ବାଦନ କରି ନାଟ୍ୟ ସଙ୍ଗୀତ ପରିବେଷଣ କରିଥାନ୍ତି । ଗାୟକଙ୍କ ସଙ୍ଗୀତ ତଥା ଅଭିନୟ ପରିବେଷଣ, ବାୟକଙ୍କ ମୃଦଙ୍ଗ ବାଦନ, ପାଳିଆ ମାନଙ୍କର ଅଭିନୟ ପାଲା ନାଟର ପରିବେଷଣଙ୍କୁ ଏକ ସାତ୍ତ୍ଵିକ ସ୍ତରକୁ ନେଇଯାଇଥାଏ । ସେଥିନିମନ୍ତେ ପାଲା ନାଟକୁ ବିଦଗ୍ଧ ନାଟ୍ୟ କଳା ଭାବରେ ଗ୍ରହଣ କରାଯାଇଛି ।

ପାଲା ନାଟର ବେଶପୋଷାକ ଓ ବ୍ୟବହୃତ ଉପକରଣ 

ଆମ ଧର୍ମ, ପରମ୍ପରା ଓ ସଂସ୍କୃତିର ମୂଳ ଭିତ୍ତିରୁ ଏହାର ଉନ୍ମେଷ ଓ ବିକାଶ ଘଟିଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ତେଣୁ ଏହି ନାଟ୍ୟପରମ୍ପରାର କଳାକାର ମାନେ ମୁଖ୍ୟତଃ ମଧ୍ୟ ଯୁଗର ରାଜା କିମ୍ବା ରାଜ ଦରବାରର ପଣ୍ଡିତ ମାନଙ୍କ ଭଳି ବିଭିନ୍ନ ରଙ୍ଗର କୁର୍ତ୍ତ। , ଧୋତି ଏବଂ ଉତ୍ତରୀୟକୁ ସେମାନେ ନାଟ୍ୟପରିଧାନ ଭାବରେ ଗ୍ରହଣ କରିଥାନ୍ତି । ନାଟ୍ୟ ପରିବେଷଣ ସମୟରେ ସେମାନେ ବ୍ୟବହାର କରୁଥିବା ଉତ୍ତରୀୟକୁ ଆବଶ୍ୟକ ସ୍ଥଳେ ଅଭିନୟରେ ବିଭିନ୍ନ ହସ୍ତୋପକରଣ ତଥା ମଞ୍ଚୋପକରଣ ଭାବରେ ବ୍ୟବହାର କରିଥାନ୍ତି ଯଥା – ନବଜାତ ଶିଶୁ , ସ୍ଵାଦିଷ୍ଟ ବ୍ୟଞ୍ଜନ ପୂର୍ଣ୍ଣ ସୁବର୍ଣ୍ଣ ଥାଳି , ନବ ବିବାହିତା କନ୍ୟାର ଓଢଣି , ଘୋଡାର ଲଗାମ, ଫୁଲମାଳ ଇତ୍ୟାଦି । ଏହା ସହିତ କାଳାକାର ମାନେ ବିଭିନ୍ନ ପ୍ରକାରର ମୋତି, ରୁଦ୍ରାକ୍ଷ ତଥା ଚନ୍ଦନର ମାଳା ବେକରେ ପିନ୍ଧି ସେମାନଙ୍କ ବେଶ ପୋଷାକ ପରିକଳ୍ପନା କରିଥାନ୍ତି ।

ଏହି ଲୋକ ନାଟକରେ ବ୍ୟବହାର କରାଯାଉଥିବା ଉପକରଣ କଥା ଯଦି ଆମେ ଚିନ୍ତା କରିବା ତେବେ ଜଣାଯାଏଯେ ଏଥିରେ ସାଧାରଣତଃ ଦୁଇ ପ୍ରକାରର ଉପକରଣ ବ୍ୟବହାର କରାଯାଇଥାଏ । ସେଗୁଡିକ ହେଲା ଯଥା ୧. ମଞ୍ଚୋପକରଣ ୨. ହସ୍ତୋପକରଣ । ମଞ୍ଚୋପକରଣ କହିଲେ ଆମେ ସାଧାରଣତଃ ଆମେ ଏକ ଶହ ବର୍ଗଫୁଟ ବିଶିଷ୍ଟ ଚାନ୍ଦୁଆ ତଳେ ଏକ ଚଉକିରେ ଅବସ୍ଥାପିତ କରାଯାଇଥିବା ସତ୍ୟ ନାରାୟଣଙ୍କ ପ୍ରତିକାତ୍ମକ ମୂର୍ତ୍ତିକୁ ମଞ୍ଚୋପକରଣ ଭାବରେ ବ୍ୟବହାର କରାଯାଇଥାଏ ।ଗାୟନ ସମୟରେ ଚମରୀ ଗାଇର କେଶରେ ନିର୍ମିତ ଚାମର ମଧ୍ୟ ଧରିଥାନ୍ତି । ଯାହା ଏହି ନାଟକର ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଅଟେ । ଏହା ମଧ୍ୟ ଆବଶ୍ୟକ ସ୍ଥଳେ ଭିନ୍ନ ଭିନ୍ନ ଅର୍ଥରେ ବ୍ଯ୍ବହାର କରାଯାଇଥାଏ ।  ତତ ସହିତ ପାଳିଆ ମାନେ ସମୟ ସମୟରେ ନାଟକର ବିଭିନ୍ନ ଚରିତ୍ରକୁ ଉପସ୍ଥାପନ କରିବା ନିମନ୍ତେ ବିଭିନ୍ନ ହସ୍ତୋପକରଣ ଯଥା ବାଡି, ମାଳା, ଭିକ୍ଷାଥାଳ, ରୁଦ୍ରାକ୍ଷ ମାଳା, ବୀଣା ଭଳି ସାମାନ୍ୟ ହସ୍ତୋପକରଣ ମାନ ବ୍ୟବହାର କରିଥାନ୍ତି ।  ଏହା ସହିତ  ଏମାନେ ନିଶ, ଦାଢି, ଚଷମା, ଜଟା , ମୁକୁଟ ଭଳି ଅତି ସାମାନ୍ୟ ହସ୍ତୋପକରଣ ମାନ ମଧ୍ୟ ବ୍ୟବହାର  କରିଥାନ୍ତି ।

ପାଲା ନାଟର କେତେକ ପ୍ରମୁଖ ଗୁରୁ

ପାଲା ନାଟକୁ ଏକ ଧର୍ମୀୟ ତଥା ପାରମ୍ପରିକ ଅବୃତ୍ତି ଧର୍ମୀ ଲୋକ ନାଟ୍ୟ ପରମ୍ପରାରୁ ଏକ ସର୍ବଶ୍ରେଷ୍ଠ ବିଦଗ୍ଧ ନାଟ୍ୟକଳାରେ ରୂପାନ୍ତରିତ କରିବା ଦିଗରେ ଯେଉଁ  ମାନଙ୍କ ଦୃଷ୍ଟିକୋଣ, ସୃଜନଶୀଳତା, ଜ୍ଞାନ, ପାଣ୍ଡିତ୍ୟ ତଥା ତ୍ୟାଗ ସହାୟକ ହୋଇଆସିଛି ସେହି କଳା ପ୍ରବଣ ନାଟ୍ୟପ୍ରାଣ ବ୍ୟକ୍ତିମାନେ ହେଲେ ଯଥା – ୧.ଗାୟକ ସମ୍ରାଟ ବିଶ୍ଵନାଥ ପଟ୍ଟଜୋଶୀ ୨. କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୂ ୩. ଗାୟକ ଶିରୋମଣି ନୀରଞ୍ଜନ କର ୪. ଗାୟକ ରତ୍ନ ହରେକୃଷ୍ଣ ନାଥ ୫. ଗାୟକ ବାଗ୍ମୀ ବୈଷ୍ଣବ ଚରଣ ପ୍ରଧାନ ୬. ଗାୟକ ଭୂଷଣ ଘନଶ୍ୟାମ ନାୟକ ୭. ଗାୟକ ଚନ୍ଦ୍ର ପରମାନନ୍ଦ ଶରଣ ୮. ଗାୟକ ରତ୍ନ ଲୋକନାଥ କର ୯. ଗାୟକ ପାଠାଗାର ମାର୍କଣ୍ଡେୟ ବାହିନୀପତି ୧୦. ଗାୟକ ଯୁଗଜ୍ୟୋତି ଜଗନ୍ନାଥ ବେହେରା ।

ଏହା ସହିତ ଯେଉଁ ପଣ୍ଡିତ କଳାକାର ମାନେ ଏଭଳି ବିଦଗ୍ଧ କଳାକୁ ବର୍ଷ ବର୍ଷ ଧରି ଆଧୁନିକତା, ଅଶ୍ଳୀଳତା ଏବଂ ନଗ୍ନତାରୁ ମୁକ୍ତ ରଖି ଆମ ସାହିତ୍ୟର ପ୍ରଚାର ପ୍ରସାର କରିଆସୁଛନ୍ତି । ସେମାନେ ହେଲେ ଯଥା – ୧. ଗାୟକ ସରୋଜ ଅନନ୍ତ ଚରଣ ମହାପାତ୍ର ୨. ଧରମାନନ୍ଦ ଦୀକ୍ଷିତ ୩. ବଂଶୀଧର ମହାପାତ୍ର ୪. ଗାୟକ ପ୍ରଦୀପ ଭ୍ରମରବର ମହାରଣା ୫. ଗାୟକ ପୁରୁଷ ସରସ୍ଵତୀ କାହ୍ନୁ ଚରଣ ପତ୍ରୀ ୬. ଗାୟକ କଳାକାର ଅନିରୁଦ୍ଧ ପାଣିଗ୍ରାହୀ ୭. ଗାୟକ ବାଣୀ ଭୂଷଣ ଅର୍ଜୁନ ଦାସ ୮. ଗାୟକ କୋକିଳ କାଳନ୍ଦି ପାତ୍ର ୯. ଗାୟକ ରତ୍ନ ନରୋତ୍ତମ ମହାପାତ୍ର ୧୦. ଗାୟକ କ୍ଷେତ୍ରବାସୀ ମିଶ୍ର ୧୧. ଗାୟକ କୁଳମଣି ଶତପଥି ୧୨. ଗାୟକ ସମ୍ରାଟ ଅଭୟ ଚରଣ ସ୍ଵାଇଁ ୧୩. ଗାୟକ ସୁଧାକର ପ୍ରଫେସର ନିରଜନ ପଣ୍ଡା ୧୪. ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ ୧୫. ଗାୟକ ମଞ୍ଜୁଳ ଅଲେଖ ଦାସ ୧୬. ଗାୟକ ଦିଲ୍ଲୀପ କୁମାର ଦାସ ୧୭. ଗାୟିକା ଅମ୍ରିତା ସାମଲ ୧୮. ଗାୟକ ବସନ୍ତ କୁମାର ସ୍ଵାଇଁ ୧୯. ଗାୟକ ବାଣିଶ୍ରୀ ବିନୟକ ମିଶ୍ର ୨୦. ଗାୟକ ନିଶଙ୍କ ଷଡଙ୍ଗୀ ୨୧ . ଗାୟକ କେଶରୀ ଉଦୟନାଥ ରଥଶର୍ମା ୨୨. ଗାୟକ କ୍ଷେତ୍ରବାସୀ ମିଶ୍ର ୨୩. ଗାୟକ ସରୋଜ ଅନନ୍ତ ମହାରଣା ୨୪. ଗାୟକ ମଞ୍ଜୁଳ ମାୟାଧର ଶତପଥି ୨୫. ଗାୟକ ବଂଶୀଧର ଓଝା ୨୬. ଗାୟକ ଚକ୍ରବର୍ତ୍ତୀ ମାୟାଧର ପ୍ରଧାନ ୨୭. ଗାୟକ କାବ୍ୟକଲ୍ଲୋଳ ନରେନ୍ଦ୍ର କୁମାର ସାମଲ ୨୮. ଗାୟକ ସରୋଜ କୁମାର ପ୍ରଧାନ ୨୯. ଗାୟକ କଲ୍ଲୋଳ ପ୍ରଫୁଲ୍ଲ ଆଚାର୍ଯ୍ୟ ୩୦. ଗାୟକ ଗୁଣନିଧି ବସନ୍ତ କୁମାର ମିଶ୍ର । ଏହା ସହିତ ବର୍ତ୍ତମାନ ସମୟର ବହୁ ପ୍ରତିଭାବାନ ପାଲା ଗାୟକ ସେମାନଙ୍କର ପାଣ୍ଡିତ୍ୟର ପର।କାଷ୍ଠା ଦେଖାଇ ପାଲା ପରିବେଷଣର ଗୁଣାତ୍ମକ ମୂଲ୍ୟକୁ ବୃଦ୍ଧି କରିଚାଲିଛନ୍ତି ।

ଓଡିଶାର ମୁସଲମାନ ପାଲା ଗାୟକ

ଓଡିଶାର ପାଲା ନାଟକୁ ସତ୍ୟପିର ପାଲା ଭାବରେ ନାମିତ କଲେ  ମଧ୍ୟ ସନାତନ ଧର୍ମ ଭଳି ମୁସଲିମ ଧର୍ମର କଳାକାର ମାନେ ପାଲାନାଟରେ ଭାଗ ନିଅନ୍ତି ନାହିଁ  କିମ୍ବା ପରିବେଷଣ କରିବା ପାଇଁ ମାନସିକ ରଖନ୍ତି ନାହିଁ । କିନ୍ତୁ ଭଦ୍ରକ ଜିଲ୍ଲାର ଧାମନଗର ନିକଟବର୍ତ୍ତୀ ଗୌଡପୋଖରୀ ଗ୍ରାମରେ ଏକ ମୁସଲିମ ପରିବାର ଅଛି । ଯେଉଁମାନେ ପୁରୁଷ ପୁରୁଷ ଧରି ସତ୍ୟପୀର ପାଲା ପରିବେଷଣକୁ ସେମାନଙ୍କର କୌଳିକ ବୃତ୍ତି ଭାବରେ ଗ୍ରହଣ କରିନେଇଛନ୍ତି । ଏପରିକି ସେମାନେ ଶେଷ ଏଗାର ପିଢୀ ଧରି ନିରବିଛିନ୍ନ ଭାବରେ ଏହାର ପ୍ରଚାର ପ୍ରସାର କରି ଆସୁଥିଲେ । ବର୍ତ୍ତମାନ ପିଢୀର ସେମାନଙ୍କ ବଂଶର କଳାକାର ମାନଙ୍କ ମଧ୍ୟରେ ଘନିଶା, ଧନିଶା, ଅନମୂଲ ସାହା, ଖଇରସ୍ତା, ସେଖ ଅବଦୁଲ ସମ୍ମତ ଆଦି ପ୍ରମୁଖ ଅଟନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ସେମାନଙ୍କର ପାଲା ପରିବେଷଣକୁ କୌଣସି ମୁସଲିମ ପରିବାର ମାନସିକ ରଖିବା କିମ୍ବା ପୃଷ୍ଠପୋଷକତା ପ୍ରଦାନ କରିବା ଦେଖାଯାଇନାହିଁ । ଏପରିକି ସେମାନଙ୍କ ସହିତ ପାଲା ପରିବେଷଣରେ ଅନ୍ୟ ମୁସଲିମ ମାନେ ଆଗ୍ରହର ସହ ଅଂଶଗ୍ରହଣ କରିବା କଥା ମଧ୍ୟ ଲକ୍ଷ୍ୟ କରାଯାଇନାହିଁ । ଯେତେବେଳେ ସମଗ୍ର ଭାରତ ବର୍ଷରେ ବାବ୍ରି ମସଜିଦ ଭଙ୍ଗ ଘଟଣ। ଏକ ସମ୍ପ୍ରଦାୟିକ ବିଦ୍ଵେଷ ସୃଷ୍ଟି କଲା ସେହି ସମୟରେ ସେମାନଙ୍କର ଧର୍ମଯାଜକ ବା ମୌଲବୀମାନେ ସେମାନଙ୍କୁ ହିନ୍ଦୁ ଓ ମୁସଲିମ ଧର୍ମର ସମନ୍ଵୟରେ ସୃଷ୍ଟିଲାଭ କରିଥିବା ପାଲା ନାଟ ପରିବେଷଣରୁ ନିବୃତ୍ତ ରହିବାକୁ ବାଧ୍ୟ କରିଥିଲେ । ଫଳରେ ଜାତୀୟ ସ୍ତରର ଏହି ହିନ୍ଦୁ ମୁସଲମାନ ମାନଙ୍କ ଦ୍ଵନ୍ଦ ଓ ମତ ପାର୍ଥକ୍ୟ ସତ୍ୟପୀର ପାଲା ଭଳି ଏକ ସମ୍ପ୍ରଦାୟିକ ସଂପ୍ରୀତିର ବାର୍ତ୍ତା ପ୍ରଚାର କରିବା ସହ ଏକ ବିଦଗ୍ଧ ନାଟ୍ୟ ପରମ୍ପରା ଯାହା ମୁସଲିମ ମାନଙ୍କ ପ୍ରତ୍ୟକ୍ଷ ସହଯୋଗିତାରେ ଆଗକୁ ବଢିଚାଲିଥିଲା ତାହା ଧିରେଧିରେ ନଶ୍ଚିହ୍ନ ହେବାକୁ ଲାଗିଲା ।

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ