ଆମ ଗାଁ ଜଳଗଡ଼ର କାହାଣୀ

ଦମୟନ୍ତୀ ସୁନା
27 Views
7 Min Read

ଦମୟନ୍ତୀ ସୁନା ଝାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ । ୨୦୨୩ ମସିହାରେ ଆମ ଗାଁ ଇତିହାସ ଟିମ ତାଙ୍କ ସ୍କୁଲକୁ ଯାଇଥିଲୁ । ଗୋଟିଏ ଥର ସେମାନଙ୍କ ସ୍କୁଲ ପିଲାମାନଙ୍କ ସହିତ ଭେଟ ହୋଇଛି । ସେହି ଭିତରେ ସେ ତାଙ୍କର ଗାଁ ଇତିହାସକୁ ଲିପିବଦ୍ଧ କରିବାପାଇଁ ଯେତିକି ଚେଷ୍ଟା କରିଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ । ତାଙ୍କର ଗ୍ରାମର ନାମ ଜଳଗଡ଼ । ତାଙ୍କର କାହାଣୀ ଭିତରେ ଗ୍ରାମର ଅତୀତର କାହାଣୀ ଓ ସଂସ୍କୃତି ପରିପ୍ରକାଶ ହୋଇଛି ।

Support Samadhwani

ଜଳଗଡ଼ ଗ୍ରାମର ଅତୀତରେ ଛୋଟ ଛୋଟ ଘର ଥିଲା, ଲୋକମାନେ ଗରିବ ଥିଲେ, ମାଟି ଓ ଚାଳ ଘରରେ ରହୁଥିଲେ। ପାଣି ପାଇଁ ପୋଖରୀକୁ ଯାଉଥିଲେ, ଚପଲ ବା ମୋବାଇଲ ନଥିଲା। ଗାଁର ସେତେବେଳେ ଶିକ୍ଷା ନଥିଲା; ଲୋକମାନେ ଗୁହାଳରେ ପାଠ ପଢ଼ୁଥିଲେ। ଏହି ସବୁ କଥା ଦମୟନ୍ତୀଙ୍କର ଗାଁ ଓ ଲୋକମାନଙ୍କ ଜୀବନ ଧାରାକୁ ପ୍ରକାଶ କରେ। ଖାଦ୍ୟ ସଂସ୍କୃତି ସମ୍ପର୍କରେ ସେ ଲେଖିଛନ୍ତି ଯେ, ଲୋକମାନେ କୁଦୋ, ମାଣ୍ଡିଆ, ଗୁଞ୍ଜି, କନ୍ଦେଇ କନ୍ଦା ଖାଉଥିଲେ ଓ ପ୍ରକୃତିକ ଉପାୟରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଦମୟନ୍ତୀ ଏହି ପାରମ୍ପରିକ ଖାଦ୍ୟ ସଂସ୍କୃତିକୁ ସ୍ମରଣ କରିବାପାଇଁ ପ୍ରୟାସ କରିଛନ୍ତି । ତାଙ୍କର ଲେଖା ଭିତରେ, ଗ୍ରାମର ଅତୀତର ପ୍ରକୃତିକ ପରିବେଶ କେମିତି ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ପ୍ରକାଶିତ ହୋଇଛି ।

ଦମୟନ୍ତୀଙ୍କର ଏହି କାହାଣୀ ଆମକୁ ବରଗଡ ଜିଲ୍ଲା, ପାଇକମାଳ ବ୍ଲକର ଝାରବନ୍ଧ ପଞ୍ଚାଯତର ଜଳଗଡ ଗାଁ’ର ଅତୀତର ଏକ ସୁନ୍ଦର ଚିତ୍ର ପ୍ରଦାନ କରିଛି । ଏହା ସହିତ ସେତେବେଳେ ସେହି ଅଞ୍ଚଳର ପରିବେଶ, ଖାଦ୍ୟ, ସରଳ ଜୀବନ, ସଂସ୍କୃତିକ ପରିବେଶ ଇତ୍ୟାଦି ସହିତ ମଧ୍ୟ ପରିଚିତ କରାଇଛି ।

Support Samadhwani

ଆମ ଗାଁ ଜଳଗଡ଼ ଅତୀତରେ କେମିତି ଥିଲା ?

ଉ :ଅତୀତରେ ଆମ ଗାଁ’ରେ ବହୁତ ଛୋଟ ଛୋଟ ଘର ଥିଲା ଓ ଆମ ଗାଁ’ର ଲୋକମାନେ ବହୁତ ଗରିବ ଥିଲେ I   ସେତେବେଳେ ଆମ ଗାଁ’ରେ ଦୁଇ ପ୍ରକାରର ଘର ଗୁଡିକ ଥିଲା ଯଥା,ଗୋଟିଏ ଚାଳ   ଘର ଓ ଅନ୍ୟଟି ମାଟିର ଘର I   ଚାଳ ଘର ଉପରେ ପୁଆଳ ଥିଲା ଓ ମାଟିର ଘର ଉପରେ ବାଉଁଶ ପିଟି ଖପର ଥିଲା I   ଆମ ଗାଁ’ରେ ସେତେବେଳେ ନଳକୂଅ ନଥିଲା I   ସେତେବେଳେ ପୋଖରୀରୁ ମାଠିଆରେ ପାଣି ଆଣି ପିଉଥିଲେ ଓ ରାନ୍ଧୁଥିଲେ I  ଆମ ଗାଁ’ର ଅଧା ଲୋକମାନେ ଖାଲି ଗୋଡ଼ରେ ଚାଲୁଥିଲେ ଓ କେତେକ ଲୋକ କଠଉ ପିନ୍ଧି ଚାଲୁଥିଲେ I   ସେତେବେଳେ ଗୋଡ଼ରେ ପିନ୍ଧିବା ପାଇଁ ଚପଲ ନଥିଲା କେବଳ କଠଉ ଥିଲା I   ସେଇ କଠଉର ଦାମ ଥିଲା 50 ପଇସି ଓ ଆମ ଗାଁ’ରେ ସେତେବେଳେ ବିଦ୍ୟାଳୟ ମଧ୍ୟ ନଥିଲା I   ସେତେବେଳେ ଗୁହାଳରେ ଲୋକମାନଙ୍କୁ ପାଠ ପଢ଼ାଯାଉଥିଲା I  ଲୋକମାନେ ଭୂତି ଗଳେ ଅଡେ ମହୁଲ ବେଳେ ସେହି ମହୁଲକୁ ଆଣି ହାଣ୍ଡିରେ ସିଝାଇ ଖାଉଥିଲେ ଓ ଗୁହାଳରେ ପାଠ ପଢିବାପାଇଁ ଯାଉଥିଲେ I   ସେତେବେଳେ କଥାବାର୍ତ୍ତା ହେବା ପାଇଁ ମୋବାଇଲ ନଥିଲା I   ଗାଁ’ର ଲୋକମାନେ ଚି଼ଠିରେ କଥାବାର୍ତ୍ତା ହେଉଥିଲେ I   ଦୁରକୁ ଯିବା ଆସିବା ପାଇଁ ଗାଡି ନଥିଲା I   ଲୋକମାନେ ଶଗଡ଼ ଗାଡ଼ିରେ ଯିବା ଆସିବା କରୁଥିଲେ I   ଆମ ଗାଁ’ଟି ପୂର୍ବେ ଏହିଭଳି ଥିଲା |

ଆଗ କାଳରେ ଆମ ଗାଁ’ର ଲୋକମାନେ କ’ଣ ସବୁ ଖାଦ୍ୟ ଖାଉଥିଲେ ?

ଉ :ଅତୀତରେ ଆମ ଗାଁ’ର ଲୋକମାନେ ବହୁତ ଗରିବ ଥିଲେ । ସେତେବେଳେ କୁଦୋ,ମାଣ୍ଡିଆ,ଗୁଞ୍ଜି,କନ୍ଦେଇ କନ୍ଦା ଶିଝେଇ କରି କିମ୍ବା/ପଲସା ପତ୍ରରେ ପିଠା ପୁଡ଼େଇ କରି ଖାଉଥିଲେ ଓ ତାଙ୍କ ଜୀବନକୁ ରକ୍ଷା କରୁଥିଲେ ।  

କୁଦୋକୁ ଏମିତି ଚାଷ କରାଯାଇଥାଏ ଅତୀତରେ – ପ୍ରଥମେ କୁଦୋକୁ ବୁନିବେ ଓ ଲଙ୍ଗଳ ଫାନ୍ଧିବେ ଓ ପାଚିଲେ କାଟିବେ ମଣାଇକରି ଘରକୁ ଆଣିବେ ଓ ଆଣିକରି ତାକୁ ସିଝେଇ କି ଜୋତାରେ ଦଳି କରି ଢେଙ୍କିରେ କୁଟିବେ । କୁଦୋକୁ କୁଟିଲେ ଚାଉଳ ବାହାରେ ସେଇ ଚାଉଳକୁ ରାନ୍ଧି ଖାଇବେ I   

ମାଣ୍ଡିଆ ଚାଷ – ମାଣ୍ଡିଆକୁ ପ୍ରଥମେ ପହ୍ଲ। ପକାନ୍ତି ଓ ଲଙ୍ଗଳ ଫାନ୍ଧିକରି ଯାଗାଇବେ । ତା’ପରେ ମାଣ୍ଡିଆ ପାଚିଲେ ଖୁଟି କରି ଘରକୁ ଆଣି ମାଣିବେ ଓ ଶୁଖେଇ କି ଜୋତାରେ ତାକୁ ଦଳି ଦେବେ ।  ଦଳି ସାରିଲେ ହାଣ୍ଡିରେ ଚାଉଳ ଓ ପାଣି ଲଗାଇ ତାକୁ ରାନ୍ଧି ତା’ପରେ ଖାଇବେ ।   

ନିହିର କେଉଁଥିରେ ମିଳେ ଓ ତାକୁ କେମିତି ଅତୀତରେ ଖାଉଥିଲେ- ନିହିର କୁଦୋରୁ ମିଳେ ଓ ନିହିରକୁ ଶୁଖେଇ ତା’ପରେ ଢେଙ୍କିରେ କୁଟିଥାନ୍ତି । ତାକୁ ଭାଜିକି ଖାଆନ୍ତି କିମ୍ବା ପଖାଳ ବନାଇ ଖାଆନ୍ତି ।  

କନ୍ଦେଇ କନ୍ଦା ଏମିତି ରନ୍ଧାଯାଏ- କନ୍ଦାକୁ ମାଟିରୁ ଖୋଳିକି ବାହାର କରିବେ ଓ ସେଇଟାକୁ ଧୋଇକି ଢେଙ୍କିରେ କୁଟିବେ ତା’ପରେ ଶିଳରେ ବାଟିବେ । ତାକୁ ବାଟିସାରିଲା ପରେ ପଲସା ପତ୍ରରେ ପୁଡ଼େଇ କରି ଖାଇବେ । ଏମିତି କନ୍ଦାକୁ ରନ୍ଧାଯାଏ । ଏହିପରି ଭାବରେ ଖାଦ୍ୟ ବନେଇ ଖାଉଥିଲେ ଓ ତାଙ୍କ ଜୀବନକୁ ବଞ୍ଚାଉଥିଲେ ଆମ ଗାଁ’ର ଲୋକମାନେ ।  

ଆମ ଗାଁ’ର କାହାଣୀ ଯାହା ଏବେବି ମନେ ଅଛି ?   

ଅତୀତରେ ଆମ ଗାଁ’ର ନାମ ନଥିଲା ।  ଥରେ ଲୋକମାନେ ବେଦି ଘରେ ସମସ୍ତେ ଏକାଠି ହୋଇ କଥାବାର୍ତ୍ତା ହେଲେ ଯେ,ଆମ ଗାଁ’ର ନାମ ରଖିବା । ସେତେବେଳେ ଗୋଟିଏ ଲୋକ କହିଲା, ଆମ ଗାଁ’ର ଚାରିଆଡକୁ ଦେଖିଲେ ଖାଲି ଜଳପଥ ବହୁତ ଦେଖାଯାଉଛି । ସେଥିପାଇଁ ଆମ ଗାଁ’ର ନାମ ଜଳଗଡ଼ ରଖିବା ।  ଏହି କଥାକୁ ସମସ୍ତେ ଶୁଣି ବହୁତ ଖୁସିହେଲେ ଓ ଗାଁ’ର ନାମ ଜଳଗଡ଼ ରଖିଦେଲେ । ସେହିଦିନଠାରୁ ଆମ ଗାଁ’ର ନାମ ଜଳଗଡ଼ ହିଁ ରହିଛି । ସେତେବେଳେ ଆମ ଗାଁ’ରେ ବହୁତ ତିହାର ବିହାର ହେଉଥିଲା ।  ନୂଆଖାଇରେ ଆମ ଗାଁ’ର ଲୋକମାନେ ନିଜ ଘରେ ନୂଆଖାଇ ପାଳନ କରି ବେଦି ଘରକୁ ଆସି ନୂଆଖାଇ ଭେଟ ହେଉଥିଲେ ଓ ବେଦି ଘରେ ନାଚ,ଗୀତ ହେଉଥିଲା । ଯିଏ ନାଚିଥିବେ,ଗୀତ ଗାଇଥିବେ ସେହି ଲୋକମାନଙ୍କୁ ପୁରଷ୍କାର ମିଳୁଥିଲା । ଏବେବି ଏହିସବୁ ଏମିତି ହିଁ ହେଉଛି ।  ଆମ ଗାଁ ପାଖରେ ଗୋଟେ ପଡ଼ା ଥିଲା । ସେଇ ପଡ଼ାରେ ବୃଦ୍ଧଲୋକ ଟିଏ ରଥଯାତ୍ରାରେ ପୂଜା କରୁଥିଲା ଓ ରଥ ଟାଣୁଥିଲା ।  ଦିନେ ସେଇ ବୃଦ୍ଧଲୋକଟି ମରିଗଲା । ସେହିଦିନଠାରୁ ଆମ ଗାଁ’ରେ ରଥଯାତ୍ରା ହୁଏ ନାହିଁ ।  ଆମ ଗାଁ’ରେ ସେତେବେଳେ ବେଦି ଘର ଓ ଶିବ ମନ୍ଦିର ନଥିଲା ।  ଥରେ ଆମ ଗାଁ’ର ଲୋକମାନେ ସମସ୍ତେ ଏକାଠି ହୋଇ କଥାବାର୍ତ୍ତା ହେଲେ ଯେ,ଆମ ଗାଁ’ର ସୁବିଧା ପାଇଁ ବେଦି ଘର ବନାଇବା ଓ ଶିବ ମନ୍ଦିର ଟିଏ ବନାଇବା ।  ଏହିକଥା ଶୁଣି ସବୁଲୋକ ଠିକ ଅଛି କହି ଆମ ଗାଁ’ରେ ବେଦି ଘର ବନାଇଲେ ଓ ଶିବ ମନ୍ଦିର ବନାଇଲେ ।  ସେହିଦିନଠାରୁ ଆମ ଗାଁ’ରେ ବେଦି ଘର ଓ ଶିବ ମନ୍ଦିର ଅଛି I  ଆଗରେ ଆମ ଗାଁ’ରେ ବହୁତ ଗଛ ଲତା ଥିଲା I  ଯେମିତି ଜଙ୍ଗଲ ଦେଖାଯାଏ ପୁରା ସେମିତି ଥିଲା ଓ ଆଗରେ ପଶୁମାନେ ରହୁଥିଲେ ସେହ ପଶୁମାନଙ୍କର ନାମ ହେଲା-ଭାଲୁ,ବାଘ,ଚିତା ବାଘ ଆଦି ଘର ପାଖକୁ ଆସି ଛେଳି,ମେଣ୍ଢାକୁ ଖାଇଦେଉଥିଲେ I  ବାଘ,ଭାଲୁ ଲୋକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଖାଇଦେଉଥିଲେ ।  ଥରେ ଆମ ଗାଁ’ର ଲୋକମାନେ ସବୁ ଗଛ ଲତାକୁ କାଟିଦେଲେ ଓ ସେଥିରେ ନିଆଁ ଲଗାଇଦେଲେ ।  ତା’ପରେ ସେଠାରେ ପଡିଆ ଭଳି ହେଇଗଲା ଓ ତିନୋଟି ପଶୁ ଆମ ଗାଁ’ରୁ ଭାଗିଗଲେ ।  ସେଇଦିନଠାରୁ ଆମ ଗାଁ’ର ଲୋକମାନେ ଖୁସିରେ ବଞ୍ଚିଲେ ।  

 

                                                              ଗୀତ

                                                 ମାରିବୁ ହେଲେ ମାରିଦେ ଭଗବାନ 

                                                 ତାରିବୁ ହେଲେ ତାର

                                                 ତୁହି କରିଛୁ ମାୟା ସଂସାର 

                                                 ତୋ ବିନା ସଂସାର 

                                                                       କାହାକୁ ଦେଇଛୁ ବିଲବାଡି

                                                                       କାହାକୁ ଦେଇଛୁ କଲମ ଘଡି 

                                                                       କାହାକୁ ଦେଇଛୁ ତଲାରଫା ଭାର 

                                                                       ମାରିବୁ ହେଲେ ମାରିଦେ ଭଗବାନ 

                                                                       ତାରିବୁ ହେଲେ ତାର 

Share This Article
Student Historians (Class 10, Jhargabandh Panchayat High School, Jharbandh).