ଅତଃ ଗେଣ୍ଡା ମାହାତ୍ମ୍ୟ ବର୍ଣ୍ଣନାଂ  

ଆଜିର ବିକାଶ ଯୁଗରେ ଗେଣ୍ଡା କ'ଣ ବସିଛି । ଗେଣ୍ଡା ଗେଣ୍ଡାଳଙ୍କ ମାଟି ପଲମଲୁ ଯାଇ ବଡ ବଡ ହୋଟେଲର ରୂପା ପ୍ଳେଟ ବା ଦାମିକା ପୋର୍ସିଲିନ ପ୍ଳେଟରେ ଜାଗା ପାଇଲାଣି ।

ନଟବର ଷଡ଼ଙ୍ଗୀ 411 Views
13 Min Read

ଭାଦ୍ରବ ମାସ ଅମାବାସ୍ୟା । ଚିତା ଲାଗି ଅମାବାସ୍ୟା । ଗାଁ ଗଣ୍ଡାରେ ଚିତଉ ଅମାସ୍ୟା କୁହନ୍ତି । ସେ ଦିନ ଜଗନ୍ନାଥ ମହାପ୍ରଭୁଙ୍କୁ ନୂଆଧାନ ଚାଉଳ ବାଟି ଚିତା ଲଗାଯାଏ । ଗାଁ ମାନଙ୍କରେ ଚିତଉ ପିଠା ହବ । ସେତେବେଳେ(୧୯୪୨-୪୩)ତ ଗାଁ ଲୋକଙ୍କର ଚାଷ ପ୍ରଧାନ ଜୀବିକା । ଜମିରେ ଖଟନ୍ତି । ଖୁବ ଫସଲ କମାନ୍ତି। ଧାନ ତ ଓଡିଶାର ମୁଖ୍ୟ ଚାଷ । ଧାନ ବିଲ ଭୋଦୁଅ ମାସ ବେଳକୁ ବେଉଷଣ,ବଛା,ଖେରୁଆ ପକା ସରିଯାଇଥାଏ । ଧାନ ପିଲ ଗାଳି ପକାଏ । ବଢିବା ସମୟ । ପୋକ ଯୋକ କାଳେ ଲାଗିବେ । ଚାଷୀର ମୁଣ୍ଡ ଚାରିପଟରେ ବୁଦ୍ଧି । ସେ ଜାଣିଥିଲା ବିଲରେ ଗେଣ୍ଡା କଙ୍କଡା ସଂଖ୍ୟା ବଢିଲେ ସେମାନେ ପୋକ ଯୋକ ଖାଇଯିବେ। ଓଦା ମାଟିକୁ ଗୋଡରେ ପାଟିରେ ଖୋଳି ନରମ କରିବେ । ଧାନ ଗଛର ଚେର ବଢିବ । ଚେର ବଢିଲେ ଗଛ ଅଧିକ ଖାଦ୍ୟ ମାଟିରୁ ଖାଇପାରିବ । ବଢିବ । ଚିତଉ ଅମାବାସ୍ୟାରେ ଅଧା ନଡିଆ ,କଳାଜିରି ଅରୁଆ ଚାଉଳ ବାଟି ମା ମାନେ ପିଠା କଲେ । ଚିତଉ ପିଠା ତେଲୁଣି (ପଲମ) ଟିକେ ଖଲୁଆ । ପିଠା ଘୋଡାଇବା ପାଇଁ ଗୋଟିଏ ମାଟି ଘୋଡଣି । ଚିତଉ ପିଠା ପାଇଁ ପିଠଉ ତିଆରି ହେଲା । ଚୂଲିରେ ତେଲୁଣି ବସାଇ ନିଆଁ ଜାଳିଲେ । ଧିକି ଧିକି ନିଆଁ । ଓଦା କନାରେ ତେଲୁଣିକୁ ଘଷିଦେଲେ । ମାପରେ ପିଠଉ ଢାଳିଲେ । ସାଙ୍ଗେ ସାଙ୍ଗେ ମାଟି ଗୋଡଣିଟି ଘୋଡାଇ ଦେଲେ । ଘୋଡଣି ଚାରିପଟେ ଖଣ୍ଡେ ଓଦା କନା ବୁଲାଇ ରଖିଦେଲେ । ୩/୪ ମିନିଟରେ ଚିତଉ ବାହାରିବ । ଧୋବ ଫର ଫର ପିଠା । ଫୁଲିଯାଇଥିବ । ବାହାରିଲା । ଗରମ ଗରମ ପିଠା ଆମେ ପିଲା ବେଳେ ଖାଇଛୁ । ନରମ , ମିଠା ,ସୁଆଦିଆ । ସେଇ ଚିତଉ ପିଠାରୁ ୫/୭ ଟି ନନା ନେଇ ଧାନ ବିଲରେ ପକାଇ ଦିଅନ୍ତି । ଗେଣ୍ଡା ଖାଇବେ । ଅଣ୍ଡା ଦେବେ । ସଂଖ୍ୟା ବଢିବ । ଦେଶୀ କୃଷି ବିଜ୍ଞାନ । ଶ୍ରାବଣ , ଭାଦ୍ରବରେ ହିଡ ଦାଢରେ ଧୋବ ଫର ଫର ମାଳି ଭଳି ଶହ ଶହ ଅଣ୍ଡା । ଗୋଟିଏ ଗେଣ୍ଡାର । ସେହି ପରି ଶହ ଶହ ଗେଣ୍ଡା ଅଣ୍ଡା ଦେଲେ । ଗେଣ୍ଡା ସାମ୍ରାଜ୍ୟ ବଢିଲା ।

ଗେଣ୍ଡା ଦୁଇ ପ୍ରକାରର । ବଡ ଗେଣ୍ଡା ,ଗୁଲି ଗେଣ୍ଡା । ବଡ ଗେଣ୍ଡା ପାଣିରେ ରୁହନ୍ତି ମାଟିରେ ବି ରୁହନ୍ତି । ଗୁଲି ଗେଣ୍ଡା ପୋଖରୀ,ଗାଡିଆରେ ରୁହନ୍ତି । ବଡ ଗେଣ୍ଡା ଉପରେ ମାଡ । ଭୋଦୁଅ ମାସରେ କଣ ମାଛ । ବାଉରି ବାବରଙ୍କ ଘରେ ଘରେ ଦାନ୍ତିଆ (ଖଇଁଚି) । ରାତିରେ ବିଲକୁ ଯାଇ ପାଣି ଚଳପ୍ରଚଳ ବାଗ ଦେଖି ଦାନ୍ତିଆ ବସାଇ ଦେଇ ଆସିଲେ । ସକାଳେ ଦାନ୍ତିଆ ଉଠାଇ କୁଡିଆ ଆଗରେ ଝାଡିଲେ । ରତା,ମାଗୁର ,ଶିଙ୍ଗି ଚୂନା ମାଛ ତ ଅଲବତ ଥବ । ବଡ କାଳିଆ କଙ୍କଡା ୨/୪ଟା,ବଡ ଗେଣ୍ଡା ୧୦/୧୫ ଟା ଯାଏଁ ଥିବେ । ମାଛ ସେରେ ଦେଢସେର ସାଆନ୍ତ ଘରେ ଦବ । ସାଆନ୍ତାଣୀ ଚାଉଳ ସେରେ ଖଣ୍ଡେ ଦେବେ । ବ୍ରାହ୍ମଣମାନେ ତ ଘାସକୁ ବଡ ପାଳକୁ ଛୋଟ । ରାତି ବିକାଳି ଲଲୁଆଣି ଅଛନ୍ତି । ଜୀବନକୁ ସାରୁ ପତ୍ରରେ ଗୁଡାଇ ରଖିବା ଲୋକ ଏମାନେ । ଭିଡକୁ ନୁହନ୍ତି । ରାତିରେ ଦାନ୍ତିଆ ବସେଇବାକୁ ଯିବେ । ପୁଣି ମକଦ୍ଦମ । ମାନ ଇଜ୍ଜତ ବରବାଦ ହୋଇଯିବନି । ସେମାନେ ପର ତୁଣ୍ଡରେ ସୁଆଦ କରିବା ଲୋକ । ମାଛ ବାଉରି ଧରିବ । ସେମାନେ ଶୁଖିଲାଟାରେ ବାଳିଆ ପିଟିବେ । ଚାଉଳ ଗଣ୍ଡାକ ଧରି ଦଳିତ ଭାଇ ଘରକୁ ଆସେ । ଘରଣୀ ପିଲାମାନେ ଲାଗିଗଲେଣି । ପୁଅ ଝିଅ ମାନେ ପତର ପାତର ଗୋଟାଇ ନିଆଁ ଜାଳିଛନ୍ତି । କଙ୍କଡା ପୋଡା ଚାଲିଛି । ଘରଣୀ ଗେଣ୍ଡାକୁ ଭାଙ୍ଗି ଖୋଳ ଛଡାଉଛନ୍ତି । ନରମ ମାଂସ ଗୋଟିଏ ପଲମରେ ରଖୁଛି । ମାଇପେ ଦିନରାତି ଖଟୁଥାନ୍ତି । ମର୍ଦ୍ଦଙ୍କ ଆଖିକୁ ଦିଶେନି । ଦଳିତ ଭାଇ ଗୋଟେ ଗଡ ଜିତିଛିତ । ଗେଣ୍ଡା,କଙ୍କଡା ଆଣିଛି । ଗେରସ୍ତ ପଣିଆ ଦେଖାଇ ପାଟି” କଣ ମୁଁ ସାଆନ୍ତ ଘରୁ ଆସିଲିଣି । ଏ ପର୍ଯ୍ୟନ୍ତ ତୁ ଗେଣ୍ଡା ଭାଜିନୁ ? ଖାଇଲେ ପୁଣି କାମକୁ ଯିବି ତ” । ଘରଣୀ କାନ ପହରେଇ ଦେଇ ଚୁଲି ଲଗାଏ । ଗେଣ୍ଡା ମାଂସକୁ ଧୋଇ ଧାଇ ଆଣେ। ତେଲ ୨/୪ ଟୋପା ତେଲୁଣିରେ ବୁଲାଇ ଦେଇ ଗେଣ୍ଡା ପକାଏତ ଖରଡା ଖରଡି କରେ । ଆରେ ଏ କଣ ?ତେଲୁଣିରେ ଗେଣ୍ଡା ମାଂସ । ଗରମ ହୋଇ ତେଲ ବାହାରିଲାଣି । ଗେଣ୍ଡା ମାଂସ ନରମ ,ପୃଷ୍ଟିସାର  ଖୁନ୍ଦିହୋଇଥାଏ । ଚିକ୍କଣ (ସ୍ନେହସାର)ତ ତେଲୁଣି ଭିତରେ ଭର୍ତ୍ତି କରି ଦଉଛି । ଦଳିତ ମାନେ ଗେଣ୍ଡାର ମାହାତ୍ମ୍ୟ ଜାଣିଥିଲେ । ପଖାଳ ଭାତ ,ଗେଣ୍ଡା ଭଜା, କଙ୍କଡା ଚଟଣି ଖାଇ ଦେହରୁ ଚିକ୍କଣ ବୋହି ପଡୁଥିବ । ଛୁଆଁ ଜାତି ସ୍ତ୍ରୀଲୋକମାନେ ପିଲାକୁ ୪/୬ ମାସ କ୍ଷୀର ଦବା କଷ୍ଟ । ଦଳିତ ମହିଳା ମାନେ ବର୍ଷେ ଦି ବର୍ଷ ପର୍ଯ୍ୟନ୍ତ ଛୁଆକୁ କ୍ଷୀର ଦେଇଥାନ୍ତି । ଖାଆନ୍ତି ମାଣ୍ଡିଆ ଜାଉ,ପଖାଳ ଭାତ ,ବିଲ ବାଡିରୁ ସଂଗ୍ରହ କରି ନାନା ଜାତିର ଶାଗ,କଙ୍କଡା ଚଟଣି ଆଉ ଗେଣ୍ଡା ଭଜା । ବ୍ରାହ୍ମଣ ଉଚ୍ଚ ଜାତିଙ୍କ ପାଇଁ ଗେଣ୍ଡା ତ ଅଖାଦ୍ୟ । ଦଳିତ ମାନେ ଗେଣ୍ଡା ଖାଆନ୍ତି ବୋଲି ସେମାନେ ଗେଣ୍ଡାଳ ଅପବାଦ ମୁଣ୍ଡାଇଛନ୍ତି  ।

ଆଉ ଅଛି ? ଦେଶୀ ଚାଷ ୧୯୬୫ ଠାରୁ ବୁଡି ଗଲା । ପେଟୁଆ ବିହନ ଆସିଲା । ଖତ ପକେଇଲେ ଭଲ ନ ପକେଇଲେ ନାହିଁ  । ରାସାୟନିକ ସାର ଚାଷୀ ଜମିରେ ଢାଳିଲା । ଗଛ ଉଦବାର୍ଜିଆ ହୋଇ ବଢିଲେ । ରୋଗ,ପୋକ,କୀଟନାଶକ ବିଷ ଛିଞ୍ଚା ଚାଲିଲା । ରୋଗ ପୋକତ ଜବତ ନହୁଅନ୍ତି । ମାଟିରେ ବିଷ ,ପାଣିରେ ବିଷ ,ଖାଦ୍ୟରେ ବିଷ ଚରିଗଲା । କଙ୍କଡା,ଗେଣ୍ଡା କେତେ ମାତର । ସମସ୍ତେ ପଦା ହୋଇଗଲେ । ମାଛ ବେଙ୍ଗର ବଂଶ ବୁଡିଗଲା । ନଈରେ ହଜେଇ ପୋଖରୀରେ ଖୋଜିଲେ କଣ ମିଳିବ କି ? ମାଲିକ ପୋଖରୀରେ ମାଛ ଜାଆଁଳ ଛାଡିଲା । ଦେଖା ଶୁଣା ନାହିଁ । ମାଛଙ୍କ ପାଇଁ ଖାଦ୍ୟ ପକାଇବା ନାହିଁ । ପୋଖରୀରେ ଦଳ ମାଡିଗଲାଣି । ମାଲିକ ଛଟାଂକିଏ ଚିନିରେ ନଈଟା ଯାକ ପଣା କରୁଛି । ପାଣି କମିଲା । ଜାଲ ଧରି ମାଛ ମାରିବାକୁ ଗଲେ । ପାଣିରେ ବୁଡି ବୁଡି ଆଖି,ହାତ ଛେତା ପଡିଲାଣି । ଆରେ ମାଛ କାହାନ୍ତି । ଖିଅରେ ଖିଏ ଲେଖାଏଁ ଗୁଳି ଗେଣ୍ଡା । “ଶଳା ବାଉରୀ ଟୋକା କୁହୁକ ଜାଆଁଳ ନେଇଛି । ପୋଖରୀରେ ଗେଣ୍ଡା ଭର୍ତ୍ତି । ଧରମ ସହିଲେ ହେଲା”। ନାଇଁ ଆଜ୍ଞା ଆପଣା କଲା କର୍ମ ବେଳୁ ହୋଇବ ସାବଧାନ । ଖାଦ୍ୟ ନାହିଁ । ପୋଖରୀରେ ଦଳ । ଚିଲ,ବଗ ,ସାପ ଜାଆଁଳ ଖାଇଗଲେ । ଭୋକ ଉପାସରେ ଛୁଆ ମାଛ ମରିଗଲେ । ନିଜକୁ ଦୋଷ ନଦେଇ ସବୁ ଅଲେଇ ବଲେଇ ବାଉରୀ ମୁଣ୍ଡରେ ।

୧୯୬୫ ଆଗରୁ । ମାଇପି ମୁଲିଆ ବିଲ ବାଛିବେ । ଲୁଗାରେ ଅଣ୍ଟି କରିଥିବେ । ଖତ,ମାଟି ,ପୋକ ,ଜୋକ ଖାଇ ଗେଣ୍ଡା ମାନେ ସୁସ୍ଥ ସବଳ । ବେଶ ବଡ ବଡ ଆକାର । ଗୋଟାକ ୧୫/୨୦ ଗ୍ରାମ ଓଜନ ହେବ । ବିଲ ବାଛି ଉଠିଲା ବେଳକୁ ଅଣ୍ଟିରେ ଅଣ୍ଟିଏ ଗେଣ୍ଡା । ୩/୪ ସେର ହେବେ । ଘରେ ସେ ଦିନ ଭୋଜିଭାତ । ଆମର ୪/୫ ଏକର ଜମି । ୧୯୯୬ ଠାରୁ ଜମି ସାର ଔଷଧ ଦେଖିନି । ଦେଶୀ ଧାନ ଚାଷ ।ଖତ ୨୫/୩୦ ଶଗଡ ପଡେ । ବେଙ୍ଗ ,କଙ୍କଡା,ଗେଣ୍ଡା ,ଛୋଟ ମାଛ ମାନଙ୍କର ଆମ ବିଲରେ ଯାତ । ବିଲ ବଛା ହେବ । ଖବର ପାଇଲେ ତ ଦଳିତ ସ୍ତ୍ରୀ ଲୋକମାନେ ଦିନକୁ ୮/୧୦ ହାଜର । ୭/୮ ଦିନ ବଛାବଛି ଚାଲେ । ୩ଟା ୪ଟା ବେଳକୁ କାମରୁ ଉଠିଲା ବେଳକୁ ସମସ୍ତଙ୍କ ଅଣ୍ଟିରେ ଅଣ୍ଟିଏ ଲେଖାଏଁ ଗେଣ୍ଡା । ୩୦/୪୦ ଗ୍ରାମ ଗୋଟାକ ଓଜନ । ମୁଁ ଗେଲରେ କୁହେ “ବାଛିଲ ମଜୁରିତ ନବ। ଆମ ଗେଣ୍ଡା ନଉଛ । କେତେ ପଇସା କାଟିବି”। ସେମାନେ ଖୁବ ସରଳ ଲୋକ । ମୋର ତାଙ୍କର ଭଲ ପଡେ । ଜାଣନ୍ତି ନଟ ସାର ମିଛରେ କହୁଛନ୍ତି । ବୁଦ୍ଧିମତୀ । ସେମାନେ ମତେ କସିଛନ୍ତି କୁହନ୍ତି “ମଜୁରି ଦବନି ,ଆମେ ଯାଉଛୁ”। ଦିନ ଯିବ କଥା କାଳ କଳାକୁ ଥବ।

ଆମେ ଦେଖୁଛେ ପଇସା ବାଲା ଲୋକେ ବିଦେଶ ଭ୍ରମଣରେ ଯାଉଛନ୍ତି । ଆମେରିକା ,ବିଲାତ ,ଜର୍ମାନ । ଦେଶ ଭିତରେ ଥିବା ଦର୍ଶନୀୟ ସ୍ଥାନ । ଆମ ଗେଣ୍ଡା ମାନଙ୍କର ମନ ନାହିଁ ? ୪୦/୪୫ ବର୍ଷ ତଳର କଥା । ଆଫ୍ରିକାରୁ କିଛି ଗେଣ୍ଡା ସାଙ୍ଗ ହୋଇ ଭରତ ଭ୍ରମଣରେ ବାହାରନ୍ତି । ଆଫ୍ରିକା ,ଆରବ ଦେଶ ,ପାକିସ୍ଥାନ ବୁଲି ପହଞ୍ଚନ୍ତି ଗୁଜୁରାଟରେ । ସେଠାରୁ ଦଳ ବଳ ହୋଇ ଦେଶ ସାରା ଖେଦି ଗଲେ । ଗାଡି ମଟର ନୁହେଁ । ପଦଯାତ୍ରା । ସେମାନେ ଖୁବ ଚାଲିପାରନ୍ତି । ଦିନକୁ ୧୦/୧୨ କିଲୋମିଟର ଚାଲି । ଦେଖୁ ଦେଖୁ ଭୁବନେଶ୍ଵରରେ ସଦଳ ବଳ ଧରି ହାଜର । ମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ଅଫିସରଙ୍କ ଘରେ ପାଦ ପକାଇବେ । ରାସ୍ତା,ଘାଟ,ପାର୍କ ଯୁଆଡେ ଚାହିଁବ ଗେଣ୍ଡା । ବଡ ବଡ ଗେଣ୍ଡା  । ଗୋଟାକ ୭୦/୮୦ ଗ୍ରାମ ଓଜନ । ଧଳା । ଜନ ସଂଖ୍ୟା ବଢିଲାଭଳି ଏମାନେ ବଂଶ ବଢେଇ ଚାଲିଛନ୍ତି ।ଘରେ ସାଲୁବାଲୁ ଗେଣ୍ଡା ।ଖଟରେ ଶୋଇଲେ ।ରୋଷେଇ ଘରେ ଖା ପିଅ କଲେ ।ସବୁ ଅଲେଇ ବଲେଇ ତ ସରକାରଙ୍କ ମୁଣ୍ଡରେ । ଗେଣ୍ଡା ମାରିଣି ଅଭିଯାନ ଆରମ୍ଭ ହେଲା । ବସ୍ତି ଲୋକ ମାନେ ଦିମାସ ମାଗଣା  ମାଂସ ଖାଇଲେ ।କେତେ ଖାଇବେ । ଏମାନେ ତ ସଗର ବଂଶ ପରି ମାଡିଯାଉଛନ୍ତି । ସରକାର ତ ଚାଷ ପାଇଁ ବିଷ ବେପାର ଲମ୍ବାଇଛନ୍ତି । କମ୍ପାନୀମାନଙ୍କ ପାଖେ ଶକ୍ତି ଶାଳି ମାରଣା ଅସ୍ତ୍ର । ଡି.ଡି.ଟି ,ମାଲାଥିଅନ,ସେଭିନ । କର୍ପୋରେସନ ଲୋକେ ସ୍କେୟର ଧରି ଛିଞ୍ଚିଲେ ଛିଞ୍ଚିଲେ ଔଷଧ ଯେ ଘର ଭିତର ,ବାହାର ସବୁଆଡ଼େ ଧୂଆଁ । ଯିବେ କୁଆଡେ । ଲକ୍ଷ ଲକ୍ଷ ଗେଣ୍ଡା ମରିପଡିଲେ । ଭସ୍ମାସୁର କବଳରୁ ତୁମେ ଛାର ଗେଣ୍ଡା ବର୍ତ୍ତୀ ଯିବ । ଦେଖୁ ଦେଖୁ ଗେଣ୍ଡା ସହିତ ଲନ,ପାର୍କରେ ପାଚି ଗଲାଣି । ଫୁଲ ଝାଉଁଳି ଲାଣି । ଗେଣ୍ଡାଙ୍କ ବିଦେଶ ଯାତ୍ରା ଶେଷ ଯାତ୍ରା ହୋଇଗଲା ।

ଗେଣ୍ଡାର ଜନ କଲ୍ୟାଣ ଭୂମିକା ଜାଣିଲେ ଆପଣ ନିଜକୁ ବିଶ୍ଵାସ କରିପାରିବ ନାହିଁ । ସୁଷମ ଖାଦ୍ୟ ଅଭାବ । ବାୟୁ ଚଳାଚଳ ନାହିଁ  ଛୋଟ ଘରେ ବସବାସ ଯକ୍ଷ୍ମା ରୋଗର କାରଣ । ବାଟିଏ ଚଷିଲେ ନାଁ ପଡେ ବାଟରେ ହଗିଲେ ନାଁ ପଡେ । ଆମ ଦେଶରେ ଯକ୍ଷ୍ମା ରୋଗ କୋଟି ସଂଖ୍ୟାରେ । ବି .ସି .ଜି ଟୀକା ଫେଲ । ପିଲାଠାରୁ ବଡ ଯାଏଁ ଟିବି । ଗରିବ,ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ମାନଙ୍କ ଘରେ ଅଧିକ । ଜବାହରଲାଲ ନେହୁରୁଙ୍କ ସ୍ତ୍ରୀ କମଳା ନେହେରୁ ତ ଟିବିରେ ପ୍ରାଣ ହରାଇଥିବା କୁହାଯାଏ । ଆଜି କାଲି ଟିବି ପାଇଁ ଔଷଧ ବାହାରିଲାଣି । ଆରମ୍ଭରୁ ରୋଗ ଚିହ୍ନଟ କରି ଚିକିତ୍ସା କଲେ ୭୦/୮୦ ପ୍ରତିଶତ ରୋଗୀ ସଂପୂର୍ଣ୍ଣ ରୋଗ ମୁକ୍ତ ହୋଇପାରୁଛନ୍ତି । ଔଷଧ ,ଇଂଜେକସନ ବି ସରକାରୀ ଡାକ୍ତରଖାନାରେ ମାଗଣା । ମାତ୍ର ଖାଦ୍ୟ !ଡାକ୍ତର ଚିଠା ଲେଖିଦେବେ “ଦିନକୁ ଗୋଟେ ଅଣ୍ଡା ,ମାଂସ ୨୦୦ ଗ୍ରାମ ,କ୍ଷୀର ଲିଟରେ ,ଭାତ ଡାଲି ଖାଇବାକୁ ହେବ । ପୃଷ୍ଟିକର ଖାଦ୍ୟ ନଖାଇଲେ ଯେତେ ଔଷଧ ଇଂଜେକସନ ନେଲେ ବି ରୋଗ ଭଲ ନହୁଏ  । ଜନ୍ତୁକୁ ଚାହିଁ ସିନା ନାରାଚ । ଗରିବ ଲୋକ ।ଦିଓଳି ଭାତ ଗଣ୍ଡାକ ମିଳିଲେ କେଡେ କଥା ।ମାଂସ ,ଅଣ୍ଡା ,କ୍ଷୀର କାହୁଁ ପାଇବେ ।ମୁଁ ତିନି ଜଣ ଯକ୍ଷ୍ମା ରୋଗୀଙ୍କୁ ଗେଣ୍ଡା ଖୁଆଇ ଭଲ କରିଛି ।ସଂମ୍ପୂର୍ଣ୍ଣ ମାଗଣା ।ମୋର ଛାତ୍ର ଜୟୀ ଭୋଇ ।ନବମ ଶ୍ରେଣୀରେ ପଢୁଥାଏ ।ଦିନେ ଶ୍ରେଣୀରେ ବାନ୍ତି କଲାତ ରକ୍ତ ବାନ୍ତି ।ନିଆଳି ଡାକ୍ତରଖାନାକୁ ନେଲୁ ।ଡାକ୍ତର କହିଲେ ପେଟରେ ଅଲସର ହୋଇଥିବ ।“ନାଁ ହବନି ,ଚାଲ ଜୟୀ କଟକ ବଡ ଡାକ୍ତର ଖାନା”।କଟକ ଗାଲୁ ପରୀକ୍ଷା ହେଲା ।ଯକ୍ଷ୍ମା ।ଇଂଜେକସନ ,ଔଷଧ ଦେଲେ ।ନିଆଳି ଡାକ୍ତର ଖାନାକୁ ଲେଖିଦେଲେ । ଚିକିତ୍ସା ସିନା ମାଗଣା ଖାଦ୍ୟ !ବାଉରୀ ମୁଣ୍ଡ ।ମାଂସ, ଅଣ୍ଡା ବହୁତ ଦୂର “ଜୟୀ ତୁମ ଗାଁରେ ତ ୮/୧୦ ଦଳ ପୋଖରୀ ,ବାପଙ୍କୁ କହି ଗେଣ୍ଡା ସଂଗ୍ରହ କର ।ସବୁଦିନ ୭/୮ ଗେଣ୍ଡା ତରକାରୀ ଖାଆ ।ଦେଖିବା କଣ ହଉଛି”।ମୁଁ ତ ଅନୁମାନରେ ପଣିକିଆ ଲେଖିଲି ।ଆରେ ଗେଣ୍ଡା ତ ଆଶ୍ଚର୍ଯ୍ୟ ବିଜୁଳି ମଲମ ଭଳି କାମ ଦେଲା ।୩/୪ ମାସରେ ଜୟୀ ସମ୍ପୂର୍ଣ୍ଣ ରୋଗ ମୁକ୍ତ ।ପୁଣି ପଢିଲା ।ଚାକିରି କଲା ।ଏବେ ଜୟୀ ଜୟୀ ପରି ।

ଆମ ଗାଁ ବାଉରିଆ ପାଢୀ ସାନ ପୁଅ ।ସରକାରୀ ଚାକିରି ।ପୁଣି ସ୍ୱାସ୍ଥ୍ୟ ବିଭାଗରେ ।ବାହାରିଲା ଯକ୍ଷ୍ମା ।ଔଷଧ ପାତ୍ର ତ ମାଗଣା ପାଇଲା । କିନ୍ତୁ ମାଂସ ,ଅଣ୍ଡା ,କ୍ଷୀର । ବାଉରୀ ବନ୍ଧୁର ଆଁ କଲେ ଅନ୍ତ ଦିଶୁଛି । ଖୁବ ଗରିବ । ଔଷଧ ଖାଉ ।ଭାଗ୍ୟରେ ଯାହାଥିବ । ମୋ କାନରେ ପଡିଲା । ମୁଁ ଜାଣେ ବାଉରିବନ୍ଧୁ ମହାଦେବଙ୍କ ସେବକ। ବ୍ରାହ୍ମଣ ଖୁବ ମାତ୍ରିକିଆ । ତା ବୋଊ ,ତା ସ୍ତ୍ରୀ ଥାନ୍ତି । ମୁଁ ତ କହିଦେଲି “ବାବୁ ବାଉରୀ ବନ୍ଧୁ ତୁମ ନକଟେକା ଚଳିବନି । ଦିଅଁ ଙ୍କ ପୋଖରୀରୁ ଗେଣ୍ଡା ସଂଗ୍ରହ କରି ତାକୁ ଦେ । ଗେଣ୍ଡାରେ ଭଲ ଚିକ୍କଣ । ଅକାଳେ ନିୟମ ନାସ୍ତି । ତୁ ସେ ବ୍ରାହ୍ମଣ ଫାମଣ କଥା ରଖ । ଗେଣ୍ଡା ଖାଇବାକୁ ଦେଇ ଦେଖ । ୩/୪ ମାସରେ ପୁଅ ଝାଡିଝୁଡି ହୋଇ ପୁଣି ଚାକିରିକି ଯିବ । ମୁଁ ତା କହିଦେଇ ଆସିଲି । ବୋହୁ ପିଲାଟି ଶୁଣୁଥାଏ । ବାଉରି ବନ୍ଧୁ ଯିବେ କୁଆଡେ । ଗେଣ୍ଡା ଯୋଗାଡରେ ଲାଗିଗଲେ । ଗେଣ୍ଡା ସରିଗଲେ । ତାଙ୍କ ଶଶୁର ଘର ମହୁଖଣ୍ଡା । ଖାଲୁଆ ଜାଗା । ଗେଣ୍ଡା ହାଉ ଯାଉ । ମାମୁଁ ୨/୩ ଦିନରେ ରେ ଥରେ ଭଣଜା ପାଇଁ ଗେଣ୍ଡା ଆଣି ପହଞ୍ଚିଲେ । ୨/୩ ମାସରେ ରୋଗ ଭଲ । ପୁଅ ଚାକିରି କରୁଛ । ଓଡିଶା ଖଣି ନିଗମର ବଡ ଅଫିସର ଦୀନକୃଷ୍ଣ ଷଡଙ୍ଗୀ । ଆମ ଗାଁର ।ଶ୍ରୀ ଅରବିନ୍ଦଙ୍କର ପଟ୍ଟଶିଷ୍ୟ । ସାବିତ୍ରୀ କାବ୍ୟ ପ୍ରବଚନ ପାଇଁ ସେ ଭାରତରେ ପ୍ରସିଦ୍ଧ ଥିଲେ । ଟିବି ହେଲା । ଗେଣ୍ଡା ଖାଇ ଖାଇ ଦୁଆରେ ଖୋଳ ଗଦା କରିଦେଲା । ସଂମ୍ପୂର୍ଣ୍ଣ ରୋଗ ମିକ୍ତ ହୋଇ ପୁଣି ଚାକିରିକୁ ଗଲା ।ଦିନୁ ଆଉ ନାହିଁ  ।

ଆଜିର ବିକାଶ ଯୁଗରେ ଗେଣ୍ଡା କ’ଣ ବସିଛି । ତା ନାଁ ଆଜି ପାଞ୍ଚ ତାରକା ହୋଟେଲ ପର୍ଯ୍ୟନ୍ତ ବ୍ୟାପିଚାଲିଲାଣି । ଗେଣ୍ଡାଳଙ୍କ ମାଟି ପଲମଲୁ ଯାଇ ସେ ବଡ ବଡ ହୋଟେଲର ରୂପା ପ୍ଳେଟ ବା ଦାମିକା ପୋର୍ସିଲିନ ପ୍ଳେଟରେ ଜାଗା ପାଇଲାଣି । ବଡ ବଡ ସାହେବମାନେ ଗେଣ୍ଡା ରୋଷେଇର ନୂଆ ନୂଆ ତରିକା ଦେଖାଇଲେଣି । ୪ଟି  ଗେଣ୍ଡା ତରକାରି ବିଲାତି ସସ୍ ପ୍ଳେଟରେ ଥୁଆ ହେଲାତ କୋଟିପତି ଖାଇ ଆତ୍ମହରା ।ମାତ୍ର ୪୦୦ ଟଙ୍କା । ଧନ୍ୟରେ ଗେଣ୍ଡା, ଧନ୍ୟ ତୋର ମହିମା । ଧନ୍ୟ ଓଡିଶାର ଖାଦ୍ୟ ସଂସ୍କୃତି ।

ଇତି ଗେଣ୍ଡା ମାହାତ୍ମ୍ୟ ବର୍ଣ୍ଣନଂ ସମାପ୍ତ ।

 

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)
Exit mobile version