ଫୋଟୋ କ୍ରେଡିଟ – ଦ ପ୍ରିଣ୍ଟ
ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହ ଏକ ସାକ୍ଷାତକାର
ହାଇଦ୍ରାବାଦ ଓ ଉନ୍ନାଓରେ ଘଟିଥିବା ବର୍ବର ଧର୍ଷଣ ଓ ହତ୍ୟାର ପୃଷ୍ଠଭୂମିରେ ଭାରତ ବର୍ଷର ଆଜି ଯେଉଁ ସମସ୍ୟା ଦେଖା ଦେଇଛି , ମୁଁ ସବୁବେଳେ ଭାବେ, ଏ ପ୍ରକାର ପ୍ରସଙ୍ଗର ତାତ୍କାଳୀକ ମୂଲ୍ୟାଙ୍କନ କରିବା ଅପେକ୍ଷା ତାର ଗୋଟିଏ ଐତିହାସିକ ମୂଲ୍ୟାଙ୍କନ ହେବା ଦରକାର। ଲିଙ୍ଗଗତ ବୈଷମ୍ୟ ଆଜିର ସମସ୍ୟା ବା ସଙ୍କଟ ନୁହଁ। ଯେମିତି ଅନେକ ଗବେଷଣାରେ କୁହାଯାଉଛି ଯେ ଧର୍ଷଣଟା ଅନେକ ସମୟରେ ଭାରତୀୟ ପରିବାର ଭିତରେ ଗୋଟିଏ ଅଂଶବିଶେଷ ହୋଇ ରହିଆସିଛି।
ପାରିବାରିକ ଶୋଷଣ ଭିତରେ ଆମେ ଦେଖିବା ଯେ ଯୌନ ନିର୍ଯାତନା ଅନେକ ସମୟରେ ପାରିବାରିକ ସମ୍ପର୍କର ପରିସରରୁ ହିଁ ଆରମ୍ଭ ହୋଇଥାଏ । ଛୋଟ ଛୋଟ ପିଲାମାନଙ୍କ ଉପରେ ଯେଉଁ ଅଧିକରୁ ଅଧିକ ଧର୍ଷଣର ଖବର ଶୁଣିବାକୁ ମିଳୁଛି ଏହା ପଛରେ ପାରିବାରିକ ଅସମାନତା ଓ ଶୋଷଣର କାହାଣୀ ରହିଛି। ଦୀର୍ଘ ବର୍ଷ ଧରି ଆମେ ଏହି ଭୟଙ୍କର ସତ୍ୟକୁ ଅଣଦେଖା କରି ଆସିଛେ।
ନିଜ ପରିବାର ଭିତରେ ଛୋଟ ପିଲାଟି ଯେ କେତେ ବଡ଼ ନିର୍ଯାତନାର ଶିକାର ହୁଏ, ପରିବାରର ମହାନତା ବ୍ୟକ୍ତ କରିବାକୁ ଯାଇ ଆମେ ଏହି ବାସ୍ତବତା ପ୍ରତି ଆଖି ବୁଜିଦେଉ। ଆମେ ବଡ ବିକଳ ଭାବରେ ପରିବାରକୁ ବଞ୍ଚାଇବାକୁ କହୁ, ନା ନା ନା ଆମ ପରିବାରରେ ଟର୍ଚର ନାହିଁ । ଯୌନତାକୁ ବୁଝି ନପାରିବା ଗୋଟିଏ ରୋଗ ଏ ରୋଗରୁ ମୁକ୍ତି ପାଇବା ପାଇଁ ଯେଉଁ ସାମାଜିକ କନସଲଟେନ୍ସି ଦରକାର, ସେଇଟା ଆମର ନାହିଁ ।
ଧର୍ଷଣର ଦୁଇଟା କଥା, ଗୋଟିଏ ହେଉଛି ଧର୍ଷଣର କାରଣ ସ୍ୱରୂପ ଗୋଟେ ସାମାଜିକ ଉତ୍ସ ଅଛି ଓ ସେଇଟା ଆମର ସାମାଜିକ ବିପର୍ଯୟ ତ ନିଶ୍ଚୟ । ତା’ ସହିତ ଧର୍ଷଣକୁ ନେଇ ଗୋଟିଏ ରାଜନୈତିକ ପ୍ରୟୋଗ ମଧ୍ୟ ଆମେ କରୁଛୁ।
ଆପଣ ଭାବନ୍ତୁ ମଣିପୁରରେ କ’ଣ ହେଲା। ଯେତେବେଳେ ସେନାବାହିନୀ କେଉଁଠି ଧର୍ଷଣ କରୁଛନ୍ତି ବା ପୋଲିସ କେଉଁଠି ଧର୍ଷଣ କରୁଛି ସେଠି ଆମେ ତାକୁ ଦେଶପ୍ରେମ ନାଁରେ ଚାପି ଦେଉଛୁ । ଆମେ କହୁଛୁ ଯେ ସେଇଠି ସେଇଟା ଗୋଟିଏ ଭୁଲ ଅଭିଯୋଗ । ତା’ ବିରୁଦ୍ଧରେ ମଣିପୁରର ପ୍ରତିବାଦ ଆମକୁ ଚେତେଇ ଦେଲା ଯେ ବାସ୍ତବରେ ଏ ପ୍ରକାର ସ୍ଥିତିକୁ ଆମେ ଗ୍ରହଣ କରିପାରିବା ନାହିଁ , ଗ୍ରହଣ କରିବା ଉଚିତ୍ ନୁହଁ ।
ଯଦି କାଶ୍ମୀରରେ କିଛି ଧର୍ଷଣର ଖବର ଆସୁଛି, ତା ହେଲେ ସାଙ୍ଗେ ସାଙ୍ଗେ ଖବରଦାତାକୁ କୁହାଯିବ , ଆପଣ ହେଉଛନ୍ତି ଦେଶ ଦ୍ରୋହୀ । ଅର୍ଥାତ୍ ନାରୀକୁ ସମ୍ମାନିତ କରିବା ଭଳିଆ ଦେଶପ୍ରେମକୁ ଆମେ ଆଜି ପର୍ଯ୍ୟନ୍ତ ଅସ୍ୱୀକାର କରି ଆସିଛୁ । ଆମେ ଭାବୁଛୁ ଦେଶପ୍ରେମର ଅର୍ଥ ହେଉଛି ସବୁ ପ୍ରକାରର ଶୋଷଣ ଏବଂ କଷଣକୁ ସ୍ୱୀକାର କରିଯିବା ।
ମୋ ମତରେ ଦେଶପ୍ରେମର ଅର୍ଥ ହେଉଛି ସବୁ ପ୍ରକାରର ଶୋଷଣ ଏବଂ ଅତ୍ୟାଚାର ବିରୁଦ୍ଧରେ ଦମନତନ୍ତ୍ର ବିରୁଦ୍ଧରେ ସିଧା ସଳଖ ଛାତି ପତେଇ ଠିଆ ହେବା । ଆଜି ଯଦି ଗୋଟିଏ ପରେ ଗୋଟିଏ ଧର୍ଷଣ ବଢ଼ି ଚାଲିଛି ଏବଂ ସେ ନିର୍ଯାତନାକୁ ପ୍ରତିବାଦ କରିବାକୁ ଲୋକ ରାସ୍ତାକୁ ବାହାରୁଛନ୍ତି ଏଥିରେ ମଧ୍ୟ ଗୋଟେ ପ୍ରକାର ଛଳନା ଅଛି ।
ନିର୍ଭୟା କ୍ଷେତ୍ରରେ ଆମେ ସବୁଠୁ ଅଧିକ ସଚେତନ ଭାବରେ ପ୍ରତିବାଦ କଲୁ କାରଣ ସେ ଝିଅଟି ଦିଲ୍ଲୀର ଥିଲା । କିନ୍ତୁ ସେଇ ସମାନ ଭାବରେ ହରିୟାନାରେ ଘଟୁଥିବା ଘଟଣା ଓ ସେଇ ସମାନ ସମୟରେ ଘଟୁଥିବା ଓଡ଼ିଶାର ଘଟଣା ବିଷୟରେ ସଚେତନ ହେଲୁନାହିଁ।
କିଛି ବର୍ଷ ତଳେ ଓଡ଼ିଶାର କୁନ୍ଦୁଲିରେ ଯେଉଁ ଘଟଣା ଟି ଘଟିଲା ସେତେବେଳେ ମଧ୍ୟ ଆମ ପ୍ରତିକ୍ରିୟା ବଡ ଶିଥିଳ ଥିଲା। ଧର୍ଷଣକାରୀ ଯେତେବେଳେ ଅର୍ଦ୍ଧସାମରିକ ବଳର ଯବାନ ବୋଲି ଜଣାପଡ଼ିଲା ସେତେବେଳେ ଆମେ କଥାଟାକୁ ଅନ୍ଧାରକୁ ନେଇ ଗଲୁ । ସେ ବିଷୟରେ ଆଉ ଆଲୋଚନା ହେଲା ନାହିଁ । ଝିଅଟି ବହୁତ ସଂଘର୍ଷ କଲା ପରେ ଯେତେବେଳେ ଆତ୍ମହତ୍ୟା କଲା ସେତେବେଳେ ଆମର ବିବେକ ଜାଗ୍ରତ ହେଲା ।
ତେଣୁ ଗୋଟେ ଛଳନାର ସମାଜ ଆମ ଭିତରେ ଅଛି ଯିଏ ଆଜି ପର୍ଯ୍ୟନ୍ତ ଧର୍ଷଣର ଗୋଟେ ସୁବିଧାବାଦ ତିଆରି କରିଛି । ଧର୍ଷଣକୁ ନେଇ ଗୋଟିଏ ସୁବିଧାବାଦୀ ରାଜନୈତିକ ଚରିତ୍ର ଆମେ ତିଆରି କରିଛୁ ଯେ, ଆମ ଧର୍ଷଣ ଭଲ ତମ ଧର୍ଷଣ ଖରାପ୍ ।
ଆପଣ ଯେତେବେଳେ ମହାନ୍ ଭାରତୀୟ ସଂସ୍କୃତିର କଥା କହୁଛନ୍ତି, ସେତେବେଳେ ଗୋଟେ ଅମାନବୀୟ ପ୍ରଥା ଓ ପରମ୍ପରାର ଐତିହ୍ୟ କଥା ଭୁଲିଯିବା ଉଚିତ ହେବନାହିଁ ।
ଆମର ଗୋଟେ ସମସ୍ୟା ହେଉଛି ଯେ, ନିଜ ସଂସ୍କୃତି କଥା କହିଲା ବେଳେ ଆମେ ନିଜକୁ ମ୍ୟାକୋ ମେନ ବୋଲି ଭାବୁଛୁ। ଆମ ମତରେ ଆମେ ହିଁ ମହାନ୍ ଅନ୍ୟମାନେ ଗୌଣ ବା ଖରାପ ଏହି ଅବଧାରଣାକୁ ଆପଣଙ୍କୁ ଭାଙ୍ଗିବାକୁ ପଡ଼ିବ।
ଆପଣ ସେତେବେଳେ ମହାନ ହେବେ ଯେତେବେଳେ ଆପଣ ଅନ୍ୟମାନଙ୍କୁ ଗ୍ରହଣ କରିନେବାର ଗୋଟିଏ ହୃଦୟ ତିଆରି କରିପାରିବେ । ଭାରତୀୟ ଜୀବନଦର୍ଶନରେ ଏହି କଥାଟି ଥିଲା ।
ଆପଣଙ୍କର ପ୍ରାଚୀନ ଦର୍ଶନ ବିଶେଷ କରି ଛଅଟି ଦର୍ଶନ ସାଂଖ୍ୟ, ବେଦାନ୍ତ, ନ୍ୟାୟ ,ମୀମାଂସା ଏଇ ଯେଉଁ ଛଅଟି ଦର୍ଶନ ଅଛି, ତା ଭିତରୁ ଅନ୍ତତଃ ଦୁଇଟି ଦର୍ଶନରେ ଈଶ୍ୱର ବିଶ୍ୱାସକୁ ସଂପୂର୍ଣ୍ଣ ଭାବେ ନେଗେଟ କରାଯାଇଛି । ଈଶ୍ୱର ନାହାଁନ୍ତି ବୋଲି କୁହାଯାଇଛି ।
ତେଣୁ ଭାରତୀୟ ସଂସ୍କୃତିର ଗୋଟେ ବଡ଼ ମହାନତା ହେଉଛି ଯେ ସବୁ ପ୍ରକାରର ବିରୋଧାଭାସକୁ ସ୍ୱୀକାର କରିବାର ପ୍ରବଣତା । ଈଶ୍ୱର ନାହାଁନ୍ତି ବୋଲି କହୁଥିବା ଗୋଟେ ଦର୍ଶନକୁ ମଧ୍ୟ ଛଅଟି ମୂଖ୍ୟ ଦର୍ଶନ ଭିତରେ ସ୍ଥାନ ଦେଇପାରେ । ଚାର୍ବାକଙ୍କ ଭଳିଆ ବସ୍ତୁବାଦୀ ଏବଂ ନିରିଶ୍ୱରବାଦୀଙ୍କୁ ଭାରତୀୟ ଜୀବନରେ ମହର୍ଷି ଆଖ୍ୟା ଦିଆଯାଇପାରେ ।
ଯାବତୀୟ ଜାତିଭେଦ ସତ୍ତ୍ୱେ ଯାବତୀୟ ଧାର୍ମିକ ବିଦ୍ୱେଷ ସତ୍ତ୍ୱେ ଭାରତ ନିଜକୁ ଗୋଟିଏ ଏନଟିଟି ଭାବରେ ତିଆରି କରିପାରିବାର କଳାଟି ଜାଣିଛି । ଯେମିତି ବୌଦ୍ଧ ଓ ହିନ୍ଦୁମାନଙ୍କ ଭିତରେ ହଜାର ହଜାର ବର୍ଷର ସଂଘର୍ଷ ହୋଇଛି, କିନ୍ତୁ ତାରି ଭିତରେ ବୁଦ୍ଧ କେଉଁଠି ନା କେଉଁଠି ହିନ୍ଦୁମାନଙ୍କର ନବମ ଅବତାର ଭାବରେ ଗ୍ରହଣୀୟ ହୋଇପାରିଛନ୍ତି। ଏହାର ଦୁଇଟି ତତ୍ତ୍ୱ ଅଛି । ଗୋଟିଏ କଥା ହେଉଛି ଯେ ଆପଣ ତାକୁ କୋ ଅପ୍ଟ କରି ଗିଳି ଦେଉଛନ୍ତି କିନ୍ତୁ ଆଉ ଗୋଟିଏ ଯୁକ୍ତି ମଧ୍ୟ ହୋଇପାରେ ଯେ ଆପଣ ତାଙ୍କୁ ଆଣି ଆପଣଙ୍କ ଭିତରେ ଆସିମିଲେଟ୍ କରୁଛନ୍ତି ।
ଆମର ସାଂସ୍କୃତିକ ଇତିହାସକାର ମାନଙ୍କ ମଧ୍ୟରେ ଗୋଟେ ସମସ୍ୟା ଅଛି। ଆମେ ଭାବୁ ଯେ, ଏଇଟା ମଧ୍ୟ ଗୋଟେ ନେଗେଟିଭ୍ କଥା। ହିନ୍ଦୁମାନେ ବୁଦ୍ଧଙ୍କୁ ଈଶ୍ୱରଙ୍କର ନବମ ଅବତାର ଭାବରେ ଗ୍ରହଣ କରିବାଟା ଗୋଟେ ଛଳନା ହୋଇଥାଇପାରେ; କିନ୍ତୁ ସାଧାରଣ ଲୋକଙ୍କ ପାଇଁ ହେଉଛି ସମନ୍ୱୟର ପ୍ରତୀକ ହେବାରେ ସମର୍ଥ ହୋଇଛି ।
ଭାରତ ରେ ଶହ ଶହ ବର୍ଷ ଧରି ଏଇ ଯେଉଁ ପରସ୍ପର ବିରୋଧି ତତ୍ତ୍ୱଗୁଡ଼ିକ ଗୋଟିଏ ଜାଗାରେ ରହିଛନ୍ତି, ତାହା ହିଁ ଏହି ସଂସ୍କୃତିର ଜୀବନ ରେଖା । ଭାରତୀୟ ସମାଜରେ ବ୍ରାହ୍ମଣବାଦର ପ୍ରଚଣ୍ଡ ପ୍ରଭାବ ରହିଛି । କିନ୍ତୁ ଭାରତୀୟ ସମାଜରେ ବ୍ରାହ୍ମଣବାଦ ବିରୋଧରେ ତିନି ହଜାର ବର୍ଷର ଲିଖିତ ସଂଘର୍ଷ ମଧ୍ୟ ଅଛି ।
ଏଠି ବ୍ରାହ୍ମଣବାଦ ଅଛି, ତାର ଅର୍ଥ ନୁହଁ ଯେ ବ୍ରାହ୍ମଣବାଦକୁ ଲୋକେ ବିରୋଧ କରି ନାହାନ୍ତି ବା ସମସ୍ତେ ତାକୁ ଗ୍ରହଣ କରିନେଇଛନ୍ତି। ଏଠି ଗୋରଖନାଥ ଆସିଛନ୍ତି, କବିର ଆସିଛନ୍ତି, ବୁଦ୍ଧ ଆସିଛନ୍ତି, ଏଠି ମହାବୀର ଆସିଛନ୍ତି, ମୀରା ବାଈ ଆସିଛନ୍ତି, ଭୀମ ଭୋଇ ଆସିଛନ୍ତି, ସାରଳା ଦାସ ଆସିଛନ୍ତି। ଯେଉଁମାନେ ନିଜ ନିଜ ବାଟରେ ବ୍ରାହ୍ମଣବାଦ ବିରୋଧି ତତ୍ତ୍ୱକୁ ପ୍ରତିଷ୍ଠା ଦେଇଛନ୍ତି।
ଲିଙ୍ଗଗତ ବୈଷମ୍ୟ ବିରୋଧରେ ସଂଘର୍ଷ କରିଥିବା ଚରିତ୍ରଙ୍କ ଭିତରେ ଆପଣ ଦକ୍ଷିଣ ଭାରତରେ ଅଣ୍ଡଲ ବା ଉତ୍ତର ଭାରତରେ ମୀରା ବାଈଙ୍କୁ ପାଇବେ। ତା’ର ବିଭିନ୍ନ ବାଟରେ ପ୍ରତିବାଦ ଆସିଛି । ତେଣୁ ପ୍ରତିବାଦର ସଂସ୍କୃତି ମଧ୍ୟ ଭାରତୀୟ ସମାଜର ଗୋଟିଏ ବଡ଼ ଅଙ୍ଗ। ଅନ୍ୟ ଜାଗାରେ ପ୍ରତିବାଦଗୁଡ଼ିକ ତିଷ୍ଠି ପାରିନାହିଁ ।
ଗୋଟେ ମଜା କଥା ହେଉଛି କ୍ୟାଥଲିସିଜିମ ବିରୁଦ୍ଧରେ ଗୋଟେ ପ୍ରୋଟେଷ୍ଟାଣ୍ଟ କଲଚର ଆରମ୍ଭ ହେଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦେଖାଗଲା ଯେ ପ୍ରୋଟେଷ୍ଟଟାଣ୍ଟ ମାନେ କ୍ୟାଥଲିକମାନଙ୍କ ଠାରୁ ଅଧିକ ରକ୍ଷଣଶୀଳ ହୋଇଗଲେ । ଏଠି ଭାରତର ଗୋଟେ ମଜା କଥା ହେଉଛି ଏଠି ରକ୍ଷଣଶୀଳତାକୁ ଭାଙ୍ଗିବାକୁ ଯାଇ ବହୁ ଉଦାର ମତ ଏବଂ ପନ୍ଥା ତିଆରି ହୋଇଛି ଏବଂ ସେମାନେ ପୁଣି ସେହି ପ୍ରୋଟେଷ୍ଟଟାଣ୍ଟ ଙ୍କ ଭଳି ମଠ, ମହନ୍ତ ଜାଲରେ ଫସି ଯାଇଛନ୍ତି। ଯେମିତି କବୀର ଦାସ, ଯିଏ ସବୁପ୍ରକାର ମଠ ମହନ୍ତବାଦକୁ ଅସ୍ୱୀକାର କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କରି ଅନୁଗାମୀ ପୁଣି ସେହି ମଠ ଓ ମହନ୍ତ ପ୍ରତିଷ୍ଠା କଲେ ।
ଓଡ଼ିଶାରେ ୧୮୫୦-୫୫ ମସିହାରେ ମହିମା ଧର୍ମ ପ୍ରତିଷ୍ଠା ହେଲା ଏବଂ ଏହା ୧୮୭୫ ବେଳକୁ ବଡ଼ ଆନ୍ଦୋଳନରେ ପରିଣତ ହେଲାଣି । ମହିମା ଗୋସେଇଁ ଗୋଟେ କାମ କରୁଥିଲେ, ସେ ଯେଉଁ ଗାଁକୁ ଗଲେ ସେ ଅଳ୍ପ ଦିନ ରହିବେ ଗୋଟେ ଚାଳ ଘର କରିବେ । ଗଲାବେଳେ ଆଶ୍ରମଟାକୁ ପୋଡ଼ି ଦେଇ ଯିବେ । ମହିମା ଗୋସେଇଁ ତାଙ୍କ ଜୀବନକାଳ ଭିତରେ ଗୋଟିଏ ବି ଆଶ୍ରମ ତିଆରି କରି ନାହାଁନ୍ତି। ଯେଉଁ ଆଶ୍ରମ ଛାଡ଼ିଛନ୍ତି, ଗଲା ବେଳେ ସେହି ଆଶ୍ରମ ପୋଡ଼ି ଦେଇ ଯାଇଛନ୍ତି । ସେହି ମହିମା ଗୋସେଇଁଙ୍କର ମୃତ୍ୟୁ ପରେ କେତେ ମଠ ତିଆରି ହେଲା, କେତେ ମନ୍ଦିର ତିଆରି ହେଲା, କେତେ ଆଶ୍ରମ ତିଆରି ହେଲା ।
ଏଇ ଯେଉଁ ପରସ୍ପର ବିରୋଧି ଜୀବନବୋଧକୁ ଗୋଟିଏ ଜାଗାରେ ରଖିପାରିବାର ମହନତା ଭାରତୀୟ ଜୀବନ ଦର୍ଶନରେ ଅଛି । ମୁଁ ଏହାକୁ ଭାରତୀୟ ଧର୍ମ ଦର୍ଶନର ବୋଲି କହୁନାହିଁ ବରଂ ମୁଁ ଏହାକୁ ଭାରତୀୟ ଜୀବନ ଦର୍ଶନ ବୋଲି କହୁଛି ।
ଭାରତୀୟ ଜୀବନ ଦର୍ଶନରେ ଏ ମହାନ୍ ସୂତ୍ରକୁ ଆମକୁ ଆବିଷ୍କାର କରିବାକୁ ପଡ଼ିବ । ଏବଂ ସେ ମହାନତାର ସୂତ୍ର ଅଛି ବୋଲି ଭାରତ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି । ନ ହେଲେ ଭାରତରେ ଯେଉଁ ପ୍ରକାର ଧାର୍ମିକ ବିଦ୍ୱେଷ ରହିଛି, ଧାର୍ମିକ ବିଭାଜନ ରହିଛି ଏବଂ ସାମାଜିକ ସ୍ତରରେ ଆମେ ଏତେ ପରିମାଣରେ ବିଭାଜିତ। ହେଲେ ତା’ରି ସତ୍ତ୍ୱେ ଭାରତ ହଜାର ହଜାର ବର୍ଷ ଧରି ତିଷ୍ଠିବାର ଏକମାତ୍ର କାରଣ ହେଉଛି ସବୁ ବିରୋଧୀ ମତର ସମନ୍ଵୟ। କିନ୍ତୁ ଅନେକ ସମୟରେ ଏଇ ମହାନତାଟା ଆମ ଭିତରେ ଯେଉଁ କଦର୍ଯ୍ୟ ପ୍ରବତ୍ତି ଟ୍ଟଅଛି ତାର ଗୋଟେ ମୁଖା ପାଲଟି ଯାଉଛି।
ଆମ ଭିତରେ ଜାତିବାଦ ଅଛି, ଆମେ ଆମ ପାଖରେ ରହୁଥିବା ମଣିଷଙ୍କୁ ଘୃଣା କରୁ, ନିଜ ପାଖରେ ରହୁଥିବା ମଣିଷଙ୍କୁ ଆମେ ଅସ୍ପୃଶ୍ୟ କରି ବର୍ଷ ବର୍ଷ ଧରି ରଖିଛୁ। ସେଥିପାଇଁ ମହାନତା କଳଙ୍କିତ ହେଇଛି । ଆମେ ଧର୍ମ ନାଁରେ ନିଜର ପଡ଼ିଶାଙ୍କୁ ହତ୍ୟା କରୁଛୁ, ସେଥିପାଇଁ ଆମର ମହାନତା କଳଙ୍କିତ ହୋଇଛି ।
ଆମେ ଗୋଟିଏ ଲିଙ୍ଗକୁ, ନିଜ ଭଉଣୀକୁ, ସ୍ତ୍ରୀକୁ, ମାଁକୁ, ପରିବାରର ସ୍ତ୍ରୀ ଲୋକଙ୍କୁ ହଜାର ହଜାର ବର୍ଷ ଧରି ଦ୍ୱିତୀୟ ଶ୍ରେଣୀ ନାଗରିକ ବୋଲି ରଖି ଆସିଛୁ। ସେଥିରେ ଆମର ମହାନତା କଳଙ୍କିତ ହେଉଛି ।
ଏଇ କଳଙ୍କକୁ ଆପଣ ଯଦି ଆଇଡ଼େଣ୍ଟିଫାଏ ନକରି ନିଜକୁ ମହାନ ବୋଲି କହିବେ ତା ହେଲେ ଆପଣଙ୍କର ମହାନତାରେ କୌଣସି ମୂଲ୍ୟ ନାହିଁ । କବୀରଙ୍କ ପାଇଁ ଆପଣ ମହାନ୍ କାରଣ ସେ ଆପଣଙ୍କୁ ଅପାଣଙ୍କର ଜୀବନର କଳଙ୍କକୁ ଚିହ୍ନେଇ ଦେଇଥିଲେ । ମୀରାବାଇଙ୍କ ପାଇଁ ଆପଣ ଗୌରବାନ୍ୱିତ କାରଣ ସେ ଆପଣଙ୍କର କଳଙ୍କକୁ ଚିହ୍ନେଇ ଦେଇ ପାରିଥିଲେ । ଆପଣ ଗାନ୍ଧୀଙ୍କ ପାଇଁ ଗୌରବାନ୍ୱିତ କାରଣ ଗାନ୍ଧୀ ଏହା କହିଥିଲେ ଯେ ଏହା ହେଉଛି ଭାରତୀୟମାନଙ୍କର ଗୋଟେ ବଡ଼ ପାପ ।
ତେଣୁ ମହାନତାର ସବୁଠୁ ବଡ଼ ଗୁଣଟି ହେଉଛି ଆପଣଙ୍କ ଭିତରେ ଥିବା ଦୁର୍ବଳତାକୁ ପରିଚିହ୍ନିତ କରିବା । ନିଜ ଭିତରର ଦୁର୍ବଳତାକୁ ଢାଙ୍କି ଦେଇ ଆପଣ ନିଜକୁ ମହାନ୍ ବୋଲି ଯଦି କହିବେ ତା’ ହେଲେ ଆପଣଙ୍କ ମହାନତାରେ କୌଣସି ମୂଲ୍ୟ ନାହିଁ। ଏବଂ ଲୋକ ଆପଣଙ୍କର ମୂଲ୍ୟବୋଧକୁ ଦୁଇ କଡ଼ାର ମୂଲ୍ୟ ଦେବେ ନାହିଁ । ଏବଂ ଅନ୍ୟପାଖଟା ବି ହେଉଛି ଆପଣ ଯେତିକି ମହାନ୍ ଆପଣଙ୍କର ପୋଡ଼ଶୀ ବି ସେତିକି ମହାନ୍ । ଆପଣଙ୍କ ଠାରୁ ଦୂରରେ ଥିବା ଦେଶ ମଧ୍ୟ ସେତିକି ମହାନ ।
ଆପଣ ଆମେରିକାନମାନଙ୍କୁ ଘୃଣାକରି କି ଚାଇନିଜମାନଙ୍କୁ ଘୃଣା କରି ଆପଣ କହିପାରନ୍ତି ଯେ ଆମେରିକାର ସରକାର ଯାହା କହୁଛି ତାହା ସହିତ ଆପଣ ଏକମତ ହୋଇନପାରନ୍ତି । ଗାନ୍ଧୀ ବହୁତ ବଡ଼ କଥା କହିଥିଲେ ଯେ ବ୍ରିଟିଶ ସରକାରଙ୍କ ସହିତ ଆମର ଝଗଡ଼ା ଅଛି କିନ୍ତୁ ବ୍ରିଟେନରେ ରହୁଥିବା ଲୋକମାନଙ୍କ ସହିତ ଆମର କୌଣିସି ଝଗଡ଼ା ନାହିଁ ।
ଯେଉଁଠି ବର୍ତ୍ତମାନ ସମୟରେ ଭାରତର ଯେଉଁ ସମସ୍ୟା ଆସିଛି ଯେ ଏ ଦେଶରେ ପାକିସ୍ଥାନ ପ୍ରତି ବିଦ୍ୱେଷ ଅଛି ତା’ ସହିତ ପାକିସ୍ଥାନୀ ଲୋକମାନଙ୍କ ପ୍ରତି ବିଦ୍ୱେଷ ମଧ୍ୟ ଅଛି ଏବଂ ଭାରତରେ ଯେଉଁମାନେ ମୁସଲମାନ ଧର୍ମାବଲମ୍ବୀ ତାଙ୍କୁ ମଧ୍ୟ ପାକିସ୍ଥାନୀ ବୋଲି କହି ଆପଣଙ୍କ ମନରେ ବିଦ୍ୱେଷ ସୃଷ୍ଟି କରାଯାଉଛି ।
କେବଳ ମୁସଲମାନ ନୁହଁନ୍ତି ଯେଉଁମାନେ ଉଦାରତାର ବା ମାନବବାଦର କଥା କହୁଛନ୍ତି ସେମାନଙ୍କୁ ମଧ୍ୟ ପାକିସ୍ଥାନ ପଳେଇଯିବା ପାଇଁ କୁହାଯାଇଛି । ତେଣୁ ଏ ପ୍ରକାର ବିଦ୍ୱେଷ ରଖି ଯେଉଁମାନେ ମହାନତାର କଥା କହୁଛନ୍ତି ସେମାନେ ହେଉଛନ୍ତି ଏ ପୃଥିବୀର ସବୁଠୁ ନିମ୍ନ ସ୍ତରର ଲୋକ ଏବଂ ସେମାନଙ୍କର ଚିତ୍ତପ୍ରବୃତି ଏତେ ନିମ୍ନ ସ୍ତରର ଯେ ସେମାନେ ଭାରତୀୟ ମହାନ ସଂସ୍କୃତି ବିଷୟରେ କହିବାକୁ ଯୋଗ୍ୟ ହିଁ ନୁହଁନ୍ତି ।
ଧର୍ଷଣ ଓ ନାରୀ ନିର୍ଯ୍ୟାତନାକୁ ଅଲଗା କରି ଦେଖି ହେବନାହିଁ। ଆମ ସମାଜ ନାରୀ କୁ ମୂଲ୍ୟ ଦେବା ଶିଖିନାହିଁ। ତେଣୁ ସେହି ଅବହେଳା ଓ ଉପେକ୍ଷା ଭାବନା ଉଗ୍ର ହୋଇ ଧର୍ଷଣ ପାଲଟୁଛି।