ସର୍ବଶ୍ରେଷ୍ଠ ଆଦିବାସୀ କବି ସନ୍ଥକବି ଭୀମଭୋଇ

ଭୀମଭୋଇଙ୍କ ରଚନାର ସର୍ବଶ୍ରେଷ୍ଠ ଓ ସଫଳ କୃତି ହେଉଛି ‘ସ୍ତୁତି ଚିନ୍ତାମଣି’।

ଡ. ହିମାଦ୍ରୀ ତନୟା ମିଶ୍ର 592 Views
26 Min Read

ଊନବିଂଶ ଶତାବ୍ଦୀର କବି ଭୀମଭୋଇ ୧୮୫୦ ମସିହା ବୈଶାଖ ମାସ ପୂର୍ଣ୍ଣମୀ ଦିନ ସୋନପୁର ରାଜ୍ୟ ବୀରମହାରାଜପୁର ଅନ୍ତର୍ଗତ ଜଟାସିଂଘ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୮୯୫ ମସିହା ସୋନପୁର ରାଜ୍ୟର ଲଛିପୁର ଗ୍ରାମ ନିକଟସ୍ଥ ଖଲିଆପାଲି ଗ୍ରାମରେ ଶିବଚତୁର୍ଦ୍ଦଶୀ ଦିନ ପ୍ରାଣତ୍ୟାଗ କରିଥିଲେ । ଅଦ୍ୟାବଧି ସେହି ଗ୍ରାମରେ ଭୀମଭୋଇଙ୍କ ସମାଧିପୀଠ ରହିଛି । ସମାଧି ମନ୍ଦିରରେ ଭୀମଭୋଇଙ୍କ ସହିତ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସମାଧିସ୍ଥ ରହି ପୂଜା ପାଉଛନ୍ତି । ଭୀମଭୋଇ ଜଟାସିଂଘା ଗ୍ରାମର କନ୍ଧ ଦମ୍ପତି ଦନା ଓ ଗୁରୁବାରୀଙ୍କ ପାଳିତ ପୁତ୍ର । ପିଲାଦିନରୁ ଭୀମକୁ ଜନ୍ମ କରି ତାଙ୍କ ମାତା ଜଟାସିଂଘା ଗ୍ରାମର ପୋଖରୀ ହୁଡ଼ାରେ ଛାଡ଼ି ଯାଇଥିଲେ । ନବଜାତ ଶିଶୁ ପୁତ୍ରକୁ କନ୍ଧ ଦମ୍ପତି ଖୁବ୍ ଯତ୍ନରେ ତାଙ୍କୁ ଲାଳିତ ପାଳିତ କରିଥିବାରୁ ଭୀମଭୋଇ ନିଜକୁ କନ୍ଧ କବି ରୂପେ ପରିଚୟ ଦେଇଛନ୍ତି । ଅଲୋଡ଼ା ଅଖୋଜା ସନ୍ତାନ ଭାବେ ସ୍ୱପିତା ମାତାଙ୍କ ସ୍ନେହରୁ ବଞ୍ôଚତ ଥିବା କଥା ‘ସ୍ତୁତି ଚିନ୍ତାମଣି’ରେ ଉଲ୍ଲେଖ କରିଛନ୍ତି । ନିଜକୁ ସାନ୍ତ୍ୱନା ଦେଇ ସେ ପୁଣି ନିଜ ପିତାଙ୍କୁ ଅନାଦି ଠାକୁର ଓ ମାତାଙ୍କୁ ଆଦିଶକ୍ତି ଭାବରେ ଗ୍ରହଣ କରିଛନ୍ତି । କବିକୃତ୍ୟ କଳା ଧରି ତାଙ୍କର ଜନ୍ମ ମଧ୍ୟ ସ୍ୱୀକାର କରିଛନ୍ତି । ଚାରିବର୍ଷ ବୟସରେ ସେ ନିଜ ଆଖିରେ ଗାଁ’ଦାଣ୍ଡରେ ଯୋଗୀପୂତ୍ର ଯିଏକି ଶଙ୍ଖଚକ୍ର ଚିହ୍ନ ସହ କଷା କୌପୀନ ପିନ୍ଧି ବୁଲୁଥିବାର ଦେଖିଥିଲେ । ପରବର୍ତ୍ତୀ ସମୟରେ ପାଳିତ ପିତାମାତାଙ୍କ ସ୍ନେହ ସାନ୍ନିଧ୍ୟରୁ ବଞ୍ôଚତ ହୋଇ ଯାଯାବର ଜୀବନକୁ ଆଦରି ନେଇଥିଲେ । ଗାଈ ଚରେଇ, ପରଘରେ ମୂଲଲାଗି ନିଜର ପ୍ରତିପୋଷଣ କରି ଆସିଥିଲେ । ଭୀମଭୋଇଙ୍କୁ ଷୋହଳବର୍ଷ ବୟସ ହେଲାପରେ ପୂର୍ବତନ ରେଢ଼ାଖୋଲ ରାଜ୍ୟର କଙ୍କଣପଡ଼ା ଗ୍ରାମ ଢ଼େଙ୍କାନାଳଠାରେ ସିଦ୍ଧିଲାଭ କରି ନିଜର ନୂତନ ମହିମା ଧର୍ମର ପ୍ରଚାର ଉଦ୍ଦେଶ୍ୟରେ ବାହାରିଥିବା ବଉଦ ରାଜ୍ୟର ମହିମା ଗୋସାଁଇ ତାଙ୍କର ପ୍ରଥମ ଶିଷ୍ୟ ଗୋବିନ୍ଦବାବାଙ୍କୁ ସାଙ୍ଗରେ ନେଇ ଭୀମଭୋଇଙ୍କୁ ସାକ୍ଷାତ କରାଇ ତାଙ୍କୁ ମହିମା ଧର୍ମ ଦୀକ୍ଷା ଦେଇ ମହିମା ଧର୍ମର ଦ୍ୱିତୀୟ ଶିଷ୍ୟ ଭାବରେ ଗ୍ରହଣ କରିଥିଲେ ଏବଂ କବି ଭୀମଭୋଇଙ୍କ ଅଲୌକିକ ଗୀତ ରଚନା ନ କରି ମହିମା ଧର୍ମ ସମ୍ବନ୍ଧୀୟ ଗୀତ ରଚନା କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଭୀମଭୋଇଙ୍କ ଜୀବନଧାରା ବଦଳିଯାଇଥିଲା । ପଶ୍ଚିମ ଓଡ଼ିଶାର ଅତ୍ୟନ୍ତ ଜନପ୍ରିୟ ଲୋକଗୀତ ଡ଼ାଇଖାଇ, ହୁମବଉଳୀ, ସଜନୀ, ହଳିଆଗୀତ, ରସର୍‌କେଲି ଓ ବଣ୍ଡା ଆଦି ନ ଲେଖି ମହିମାଧର୍ମ ଉପରେ ଗୀତ ଓ ଶାସ୍ତ୍ର ରଚନା କରିଥିଲେ । ଗୁରୁଙ୍କ ପାଖରୁ ମହିମାଧର୍ମ ବିଷୟରେ ଜାଣି ତାଙ୍କରି ଆଦେଶରେ ରାଶି ରାଶି ଗ୍ରନ୍ଥ ରଚନା କଲେ । ପରେ ସେ ମହିମାଧର୍ମର ଆଦିଭକ୍ତ, ଆଦିକବି, ଆଦି ପ୍ରବକ୍ତା ଓ ଆଦି ନିୟାମକ ପାଲଟି ଗଲେ । ଭୀମଭୋଇଙ୍କ ସାହିତ୍ୟ ରଚନା ଓଡ଼ିଶା ମାଟିର ରୂପ, ରସ ଓ ଗନ୍ଧକୁ ସ୍ପର୍ଶ କରିଛି । ତାଙ୍କର ସୃଷ୍ଟି ସମ୍ଭାର କେବଳ ମହିମା ଧର୍ମକୁ ପ୍ରଚାର ଓ ପ୍ରସାର କରାଇ ନଥିଲା, ଓଡ଼ିଆ ଭାଷା ସାହିତ୍ୟକୁ ବହୁ ଭାବରେ ସମୃଦ୍ଧ କରିଥିଲା । ବର୍ତ୍ତମାନ ଭୀମଭୋଇଙ୍କ ରଚନାବଳୀ ତାଳପତ୍ର ପୋଥିରୁ ସଂଗୃହୀତ ହୋଇ ପ୍ରକାଶିତ ହୋଇଅଛି । ପ୍ରକାଶିତ ଗ୍ରନ୍ଥମାନଙ୍କ ମଧ୍ୟରୁ ‘ସ୍ତୁତି ଚିନ୍ତାମଣି’, ‘ଭଜନମାଳା’, ‘ଚଉତିଶା’, ‘ଶ୍ରୁତି ନିଷେଧଗୀତା’, ‘ପଦ୍ମକଳ୍ପ’, ‘ନିର୍ବେଦ ସାଧନ’, ‘ଅଷ୍ଟକ ବିହାରୀଗୀତା’, ‘ବ୍ରହ୍ମ ନିରୂପଣଗୀତା’, “ଆଦିଅନ୍ତ ଗୀତା” ଇତ୍ୟାଦି ପ୍ରଧାନ ।

ଭୀମଭୋଇ କେବଳ ଓଡ଼ିଶାର ନୁହଁନ୍ତି କି ଭାରତବର୍ଷର ନୁହଁନ୍ତି ସମଗ୍ର ବିଶ୍ୱର ସର୍ବଶ୍ରେଷ୍ଠ ଆଦିବାସୀ କବି ରୂପେ ଖ୍ୟାତି ଅର୍ଜନ କରିଛନ୍ତି । ସେ ଜଣେ କବି ବ୍ୟତୀତ ଜଣେ ସମାଜ ସଂସ୍କାରକ, ଧର୍ମ ପ୍ରଚାରକ, ନୀତିବାଦୀ ଓ ସତ୍ୟନିଷ୍ଠ ମଣିଷ । ହିନ୍ଦୁ ଧର୍ମରେ ସଂସ୍କାର ଆଣିବା ପାଇଁ ସେ ମହିମା ଧର୍ମ ଗ୍ରହଣ କରିଥିଲେ । ପୁଣି ମହିମା ଧର୍ମରେ ସଂସ୍କାର ଆଣିବା ପାଇଁ ନିଜ ମତାନୁସାରେ ଉଦାରପନ୍ଥୀ ମହିମା ସମାଜ ଗଢ଼ିଥିଲେ । ଭୀମଭୋଇ ଜଣେ ବିପ୍ଳବୀ-ସନ୍ଥକବି । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଏକ ସଂସ୍କାରମୁଖୀ ଧର୍ମ ଭାବରେ ମହିମା ଧର୍ମ ମୁଣ୍ଡ ଟେକିଥିଲା । ସମାଜରେ ଜାତି ଭେଦର ତୀବ୍ରତା, ଅନ୍ଧବିଶ୍ୱାସ, ଧର୍ମୀୟ ଆଚରଣରେ ଶିଥିଳତା ଆଦି କୁସଂସ୍କାରରେ ସମାଜ କବଳିତ ହୋଇ ରହିଥିଲା । ମଠ, ମନ୍ଦିର ଓ ତୀର୍ଥକ୍ଷେତ୍ର ମାନଙ୍କରେ ଧର୍ମାଚରଣର ଅଧୋଗତି ସମ୍ପର୍କରେ ସଂସ୍କାରବାଦୀ ସାଧୁ ଓ ଶିକ୍ଷିତ ଲୋକମାନେ ପ୍ରତିକ୍ରିୟାଶୀଳ ହେଲେ । ପଣ୍ଡିତ ରାଜା ରାମମୋହନ ରାୟ ହିନ୍ଦୁଧର୍ମର ପୁଞ୍ଜିଭୂତ କୁସଂସ୍କାର, ତତ୍‌୍‌କାଳୀନ ସମାଜରେ ପ୍ରଚଳିତ ବାଲ୍ୟବିବାହ, ସତୀଦାହ, କୁଳୀନତା ଆଦି କୁସଂସ୍କାର ମୂଳୋତ୍ପାଟନ ସମ୍ପର୍କରେ ଅନ୍ଧବିଶ୍ୱାଗ୍ରସ୍ତ ହିନ୍ଦୁମାନଙ୍କ ବିରୁଦ୍ଧରେ ସ୍ୱର ଉଠାଇ ବହୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ଆବିର୍ଭାବ ସମାଜ ଓ ଧର୍ମ କ୍ଷେତ୍ରରେ ଏକ ଗଠନମୂଳକ ସଂଗ୍ରାମର ସୂଚନା ଦେଇଥିଲା ଯାହାର ଉପଲବ୍ଧି ଆଜି ରହିଛି । ବ୍ରିଟିଶ୍‌ମାନଙ୍କ ଆଗମନ, ମିଶ୍‌ନାରୀମାନଙ୍କ ଦ୍ୱାରା ଆଧୁନିକ ଶିକ୍ଷାର ପ୍ରସାର, ପାଦ୍ରିମାନଙ୍କ ଦ୍ୱାରା ଖ୍ରୀଷ୍ଟଧର୍ମ ପ୍ରଚାର, ନବ ବିଜ୍ଞାନର ଅଭ୍ୟୁଦୟ କୁସଂସ୍କାର ବିରୋଧରେ ଅନୁକୂଳ ପ୍ରେରଣା ସାଧାରଣ ଶିକ୍ଷିତ ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା । ଚିରାଚରିତ ଧର୍ମୀୟ ସଂସ୍କାର, ବିଶ୍ୱାସ ଓ ସାମାଜିକ ଚଳଣି ଉପରେ ଆଘାତ ସୃଷ୍ଟି କରି ମହିମା ଗୋସ୍ୱାମୀ ଓ ଭୀମଙ୍କ ସହ ଅନ୍ୟ ମହିମାସାଧୁଙ୍କ ପ୍ରଚାର ଯେତେବେଳେ ଆଗେଇ ଚାଲିଲା ଅନେକ ରାଜା ଓ ସମ୍ଭ୍ରାନ୍ତ ଗୋଷ୍ଠୀଙ୍କ ଅତ୍ୟାଚାର ମଧ୍ୟ ଖୁବ୍ ଅଧିକା ଥିଲା । ଶୂନ୍ୟବ୍ରହ୍ମଙ୍କ ଉପଲବ୍ଧି ମହିମା ଧର୍ମର ମୂଳତତ୍ତ୍ୱ ଥିଲା । ଏହାକୁ ବିଶ୍ୱାସ କରି ଅଜ୍ଞାତ ଓ ମୋହଗ୍ରସ୍ତ ଆଭିଜାତ୍ୟ ସମାଜର ଅତ୍ୟାଚାର ଓ ଲାଞ୍ଛନା ବିରୁଦ୍ଧରେ ନିଜର ମର୍ମନ୍ତୁଦ କ୍ଷୋଭକୁ ପ୍ରକାଶ କରି କବି ‘ସ୍ତୁତିଚିନ୍ତାମଣି’ ପରି ଏକ ମହାନ ଗ୍ରନ୍ଥ ରଚନା କରିଯାଇଛନ୍ତି ଯେଉଁଥିରେ ମନୁଷ୍ୟ ସନ୍ୟାସ ବ୍ରତ ପାଳନ କରିବା ସହିତ ଆଦର୍ଶ ଗ୍ରାର୍ହସ୍ଥ୍ୟ ଧର୍ମାଚରଣ, ବ୍ରହ୍ମଚର୍ଯ୍ୟ ପାଳନ ଓ ଗୁରୁଙ୍କ ଠାରେ ଆତ୍ମସମର୍ପଣ କଥା ଆକର୍ଷଣୀୟ ରୀତିରେ ବର୍ଣ୍ଣିତ ରହିଛି । ଖିଲିଆପାଲିରେ ଭୀମଭୋଇ ବ୍ରାହ୍ମଣ କନ୍ୟାକୁ ବିବାହ କରିଥିଲେ ଏବଂ ଆଦର୍ଶ ଜୀବନ ନିର୍ବାହ କରିଥିଲେ । କପିଳେଶ୍ୱର ଓ ଲାବଣ୍ୟବତୀ ଭୀମଙ୍କର ଦ୍ୱୟ ସନ୍ତାନ ଥିଲେ । ଆଶ୍ରମରେ ଅନେକ ମହିମା ସନ୍ନ୍ୟାସୀମାନେ ମଧ୍ୟ ରହୁଥିଲେ । ଭୀମଭୋଇଙ୍କ ପ୍ରେରଣାର ଉତ୍ସଥିଲା ସାରଳା ମହାଭାରତ, ବଳାରାମ ଦାସଙ୍କ ‘ରାମାୟଣ’, ଜଗନ୍ନାଥ ଦାସଙ୍କ ‘ଶ୍ରୀମଦ୍ ଭାଗବତର’ ଚରିତ୍ର । ତତ୍ତ୍ୱ ଓ ନୀତିଶିକ୍ଷା ତାଙ୍କ ରଚନାର ସମ୍ଭାର । ଜନବୋଧ ଭାଷାରେ ସାବଲୀଳ ଭଙ୍ଗୀରେ ତାଙ୍କ ଲେଖାଗୁଡ଼ିକ ରହିଛି । ଏହାଛଡ଼ା ପ୍ରାଚୀନ ଯୁଗର ବହୁ କବିଙ୍କ ଦ୍ୱାରା ରଚିତ ଭଜନ, ଜଣାଣ, ଚଉତିଶା, ଚମ୍ପୂ, ଚଉପଦୀ, ବୋଲି, ଷୋଡ଼ଶ, ପୋଇ ଆଦି ତାଙ୍କ କବିମାନସରେ ଆଲୋଡ଼ନ ସୃଷ୍ଟି କରିଥିଲା । ଭୀମଭୋଇ ସେହି ଧାରାକୁ ଅନୁସରଣ କରି ଶୂନ୍ୟ ଅଲେଖ ପୁରୁଷଙ୍କୁ ଉପାସ୍ୟ ରୂପେ ଗ୍ରହଣ କରି ଅନେକ ମଧୁରତମ ସୃଷ୍ଟି ସଂରଚନା କରିଯାଇଛନ୍ତି ଯାହାକି ଦେଶର ଏକ ଘଡ଼ିସନ୍ଧି ସମୟରେ କୁସଂସ୍କାର, ଅନ୍ଧବିଶ୍ୱାସ ଓ ରକ୍ଷଣଶୀଳତାର ସଂକୀର୍ଣ୍ଣ ଗଣ୍ଠି ମଧ୍ୟରୁ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଯଥେଷ୍ଟ ପ୍ରଚେଷ୍ଟା କରିଛନ୍ତି ।

ଓଡ଼ିଆ ସାହିତ୍ୟରେ ଭୀମଭୋଇ ହେଉଛନ୍ତି ଜଣେ ବିପ୍ଳବୀ ସନ୍ଥକବି । ଓଡ଼ିଆ ଜାତି ଓ ଓଡ଼ିଆ ସଂସ୍କୃତି ପ୍ରତି ଆଦିବାସୀ କନ୍ଧ ସଂପ୍ରଦାୟର ଏ କବିଙ୍କର ଦାନ ଅତୁଳନୀୟ ଓ କାଳଜୟୀ । ପ୍ରତିଭା ଓ ସାଧନା ଧର୍ମର କି ଜାତିର ଅପେକ୍ଷା ରଖେନା । ପରବର୍ତ୍ତୀ କାଳରେ ବୈଦିକ ବ୍ରାହ୍ମଣ୍ୟ ସଂସ୍କୃତ ଓ ଧର୍ମର ପ୍ରଭାବ ଭାରତର ପୂର୍ବାଞ୍ଚଳର ଶବର ଉଡ୍ର, କଳିଙ୍ଗ ପାର୍ବତ୍ୟ ଓ ଆରଣ୍ୟକ ଆଦିବାସୀ ପ୍ରଧାନ ଅଞ୍ଚଳରେ ଆଧିପତ୍ୟ ବିସ୍ତାର କଲେ ମଧ୍ୟ ଅଣବୈଦିକ ସଭ୍ୟତା, ସଂସ୍କୃତି, ସାମାଜିକ ଚଳଣି, ବିଶ୍ୱାସ ଓ ଧର୍ମୀୟ ସତ୍ତାକୁ ଯେ ଆତ୍ମସ୍ଥ କରିନେଇଛି । ଶ୍ରୀ ଜଗନ୍ନାଥ ବିଗ୍ରହ ଓ ଜଗନ୍ନାଥତତ୍ତ୍ୱ ତା’ର ଜ୍ୱଳନ୍ତ ଦୃଷ୍ଟାନ୍ତ । ରାମାୟଣରେ ବର୍ଣ୍ଣିତ ଗୁହର ଶବର, ଶବରୀ, ମହାଭାରତରେ ବର୍ଣ୍ଣିତ ଏକଲବ୍ୟ, କୈବର୍ତ୍ତ କୁଳର କବି ଭୀମାଧୀବରଙ୍କ ପରି ଅଲେଖ ଧର୍ମ ବା ମହିମା ଧର୍ମର ପ୍ରଭାବଶାଳୀ କବି ଭୀମଭୋଇ କେବଳ ଓଡ଼ିଆ ଜାତି ଓ ତା’ର ସାହିତ୍ୟର ନୁହନ୍ତି, ସେ ସମଗ୍ର ଭାରତୀୟ ସାହିତ୍ୟର ଗର୍ବ । କବି ଚିରକାଳ ଦ୍ରଷ୍ଟା ଏବଂ ସ୍ରଷ୍ଟା । ନିଜ ସୃଷ୍ଟି ମାଧ୍ୟମରେ ସେ ସମାଜର ସ୍ଥିତାବସ୍ଥା କଥା ଉଲ୍ଲେଖ କରେ । ଭଲମନ୍ଦ ତର୍ଜମା କରେ । ଦୁରାଚାର ଓ ମନ୍ଦ ବ୍ୟକ୍ତିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରେ । ବର୍ତ୍ତମାନ ଉପରେ ଉପସ୍ଥିତ ହୋଇ ନିଜର ଦିବ୍ୟ ଦୃଷ୍ଟିରେ ସେ ଭବିଷ୍ୟତକୁ ଲକ୍ଷ୍ୟ କରେ । ଆଗାମୀ ସକାଳ କିପରି ସମଗ୍ର ମାନବ ସମାଜ ପାଇଁ ଶୁଭଙ୍କର ହେବ ତାହା ସେ ନିଜ ସୃଷ୍ଟିରେ ବ୍ୟକ୍ତ କରେ । କବି ଭୀମଭୋଇ ହେଉଛନ୍ତି ଓଡ଼ିଆ ସାହିତ୍ୟର ଜଣେ କ୍ରାନ୍ତଦର୍ଶୀ ସ୍ରଷ୍ଟା । ଊନବିଂଶ ଶତକର ମଧ୍ୟ ଭାଗରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପାଣିପାଗରେ ଉତ୍କଳୀୟ ବୈଷ୍ଣମ ଧର୍ମ ଓ ଖ୍ରୀଷ୍ଟଧର୍ମକୁ କେନ୍ଦ୍ରକରି ଯେଉଁ ତୁମୂଳ ହଟଚମକ ସୃଷ୍ଟି ହୋଇଥିଲା ସେଥିରେ ଉତ୍କଳୀୟ ଜନତା ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଏହାର ଏକ ସ୍ଥାୟୀ ସମାଧାନ ଆଣି ଉତ୍କୀୟ ସାମାଜିକ ବ୍ୟବସ୍ଥାକୁ ସୁସ୍ଥ ଓ ସୌମ୍ୟ କରିବା ପାଇଁ ପ୍ରୟାସୀ ହୋଇ ଭୀମଭୋଇ ପ୍ରଚାର କଲେ ମହିମା ଧର୍ମ । ଏହି ଧର୍ମର ମୂଳତତ୍ତ୍ୱ ରହିଲା –“ଭଗବାନଙ୍କ ସୃଷ୍ଟିରେ କେହି ସାନବଡ଼ ନୁହନ୍ତି, ସମସ୍ତେ ସମାନ । ପରଂବ୍ରହ୍ମ ହେଉଛନ୍ତି ବିଶ୍ୱପିତା । ସମସ୍ତେ ତାଙ୍କର ସନ୍ତାନ । ଏ ସୃଷ୍ଟିର ସମସ୍ତ ଦେବଦେବୀ ତାଙ୍କ ଦ୍ୱାରା ପରିଚାଳିତ । ସୃଷ୍ଟି ମଧ୍ୟରେ ଜାତି ଭେଦର ବିଚାର ନାହିଁ, ବ୍ରାହ୍ମଣ ଶୂଦ୍ର ନାହିଁ, ପ୍ରତିମା ପୂଜା ନାହିଁ, ହିଂସା, ଦ୍ୱେଷ, ଭୟ-ଭ୍ରାନ୍ତି, ପରଶ୍ରୀକାତର ଭାବ ନାହିଁ । ଏ ଧର୍ମର ମୁଖ୍ୟ କଥା ହେଲା ‘ତମସୋ ମାଂ ଜ୍ୟୋତିର୍ଗମୟୀ, ମୃତ୍ୟୋମାଂ ଅମୃତଂ ।” ମାନବ ସମାଜର ନେତୃତ୍ୱ ନେଲେ ଭୀମଭୋଇ । ତାଙ୍କ ସାହିତ୍ୟ ସୃଷ୍ଟି ମଧ୍ୟରେ ସେ ସେହି ମଣିଷର ବନ୍ଦନା ଗାନ କଲେ ଓ ମାନବବାଦର ବାର୍ତ୍ତା ପ୍ରଚାର କଲେ । ଏସବୁ ସମ୍ଭବ ହେଲା ନିଜର ପ୍ରିୟଗୁରୁ ମହିମା ଗୋସାଇଁଙ୍କ ଦ୍ୱାରା । ତାଙ୍କ ଦ୍ୱାରା ଭୀମଭୋଇଙ୍କ ମୂର୍ଖ ଭାବ ଭୀମଙ୍କଠାରୁ ଲୋପ ପାଇଗଲା । ଏହି ମର୍ମରେ ‘ଆଦିଅନ୍ତ ଗୀତା’ ମଧ୍ୟରେ ସେ ଉଲ୍ଲେଖ କରିଛନ୍ତି –

“ଜନମ କାଳରୁ ମୂର୍ଖ ମୁଁ ହୋଇଥିଲି

ଷୋଳ ବରଷକେ କବି ମୁଁ କୃତ୍ୟ କଲି

ବେଦଶାସ୍ତ୍ର ବୋଲି କିଛି ମୁଁ ଜାଣେ ନାହିଁ

ଗୁରୁ ହୃଦେ ପଦ୍ମେ ବସି ଯେ ଦେଲେ କହି ।”

ଭୀମଭୋଇଙ୍କ ରଚନାର ସର୍ବଶ୍ରେଷ୍ଠ ଓ ସଫଳ କୃତି ହେଉଛି ‘ସ୍ତୁତି ଚିନ୍ତାମଣି’ । ଏଥିର କବିଙ୍କର ଜୀବନାନୁଭୂତି ଓ ତାଙ୍କ ଜୀବନ ଦର୍ଶନ ସହିତ ମହିମା ଗୋସାଇଁଙ୍କ ଧର୍ମ ଦର୍ଶନ ପ୍ରକାଶ ପାଇଛି । ସମକାଳୀନ ସମାଜର ରାଜା ପ୍ରଜା ସମ୍ପର୍କ, ପରିବାରର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆଚାର, ଚଳଣି, ଧର୍ମ ଓ ରାଜା-ମହାରାଜାଙ୍କର ସ୍ୱଧର୍ମ ମଧ୍ୟ ବର୍ଣ୍ଣିତ ରହିଛି । ଗ୍ରନ୍ଥ ପ୍ରାରମ୍ଭରେ କବି ନିଜ ଜୀବନର ବାଲ୍ୟ ଓ କୈଶୋରାବସ୍ଥା କିପରି ଘୋର ନୈରାଶ୍ୟ ଓ ଦୁର୍ଦ୍ଦିନ ମଧ୍ୟରେ ବିତିଛି ତାହାର ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି । କାବ୍ୟଟି ଶହେଟି ବୋଲିରେ ବିଭକ୍ତ ହୋଇଛି । ପ୍ରଥମ ବୋଲିରେ ଭଗବାନ ବ୍ରହ୍ମରୂପେ ପୃଥିବୀର କୋଣେ ଅନୁକୋଣେ ପରିବ୍ୟାପ୍ତ ବୋଲି ଉଲ୍ଲେଖ ରହିଛି । ପଞ୍ଚଦଶ ବୋଲିରେ ସେହି କଥାର ପୁନରାବୃତ୍ତି ମଧ୍ୟ କରିଛନ୍ତି । ଭଗବାନଙ୍କ ପ୍ରତି ଯିଏ ସମର୍ପିତ ଓ ଭଗବାନଙ୍କୁ ଯିଏ ଭକ୍ତି ଭାବରେ ପ୍ରାର୍ଥନା କରେ ସେ ତାଙ୍କ ନିକଟରେ ରହିଥାନ୍ତି । ପୁନଶ୍ଚ ସମାଜର ହାନି ଲାଭ ଓ ଭଲମନ୍ଦର ତର୍କଣା କବି କରିଛନ୍ତି । ସ୍ୱାର୍ଥପାଇଁ ମଣିଷ ମଣିଷ ମଧ୍ୟରେ ହେଉଥିବା ଯୁକ୍ତି ତର୍କ, ଆପଣାର ପରର ବିଚାର ଭେଦ ଓ ଦ୍ୱନ୍ଦ୍ୱ ସେ ସମାଜରେ ସର୍ବତ୍ର ଲକ୍ଷ୍ୟ କରିଛନ୍ତି । ପିତା-ପୁତ୍ରର ସୁମଧୁର ସମ୍ପର୍କ ମଧ୍ୟରେ ସ୍ୱାର୍ଥ ହିଁ ବିଭେଦ ସୃଷ୍ଟି କରିଛି । ଲୋଭ ଓ ମୋହର ଶିକାର ହୋଇ ମାନବ ଆତ୍ମଜ୍ଞାନ ହରାଉଛି । ମୋହାନ୍ଧ ହୋଇ ଯୋଗୀଜନ ସିଂହାସନ ଏପରିକି କାମିନୀ କାଞ୍ଚନ ପ୍ରତି ଆସକ୍ତ ହୋଇପଡୁଛି । ଜଣେ ତର୍କ ପ୍ରହରୀ ଓ ସଚେତନ ମାର୍ଗଦର୍ଶକ ଭାବରେ ଭୀମଭୋଇ ସମାଜକୁ ସଂସ୍କାରିତ କରିବାକୁ ଚେଷ୍ଟା କରିଛନ୍ତି । କବିଙ୍କ ଦୃଷ୍ଟିରେ ଏ ଦେହ ଓ ପୃଥିବୀର କୌଣସି ବ୍ୟକ୍ତି ପାଇଁ ଚିରସ୍ଥାୟୀ ନୁହେଁ । ଏହା ଅସ୍ଥାୟୀ, କ୍ଷଣିକ ଓ ଅଳୀକ । ତେଣୁ ବୃଥାରେ ସଂସାରର ମୋହ ଜାଲରେ ଛନ୍ଦି ହୋଇ ପରମ ପୁରୁଷଙ୍କୁ ଭୁଲିବା ଅର୍ଥ ପାପ ମଧ୍ୟରେ ଲୀନ ହେବା କଥା । ଏଥିରୁ ମୁକ୍ତି ନିମନ୍ତେ ସୁନ୍ଦର ଦୁଇପଦ ସେ ରଚନା କରିଛନ୍ତି –

“ନ ପାଚନ୍ତେ ଫଳ ଉପୁଜୁଛି ଖଳ ଶତେବାର ବସିହାଟ

ଯେହ୍ନେ ଜଳେ ମୀନ ଧୀବରରେ ପୁଣି ବିନା ଦୋଷେ ହୋଏ ନଷ୍ଟ ।”

(ସ୍ତୁତି ଚିନ୍ତାମଣି, ପଞ୍ଚଦଶ ବୋଲି)

ଭୀମଭୋଇଙ୍କର ନିର୍ଭୀକ ଚିନ୍ତା ଚେତନାରେ ଭୟଭୀତ ହୋଇ ରେଢ଼ାଖୋଲର ତତ୍‌କାଳୀନ ଶାସକ କବିଙ୍କୁ କିପରି ତାଙ୍କ ରାଜ୍ୟରୁ ଘଉଡ଼ାଇ ଦେବେ ଚିନ୍ତା ମଧ୍ୟ କରିଥିଲେ ଯାହାଫଳରେ ଭୀମ ଭୋଇଙ୍କୁ ଏସବୁର ଶରବ୍ୟ ହେବାକୁ ପଡ଼ିଥିଲା । ସେ ତାଙ୍କ ଜୀବଦ୍ଦଶାରେ ହାସ୍ୟ, ଭର୍ତ୍ସନା, ଗାଳି, ନିନ୍ଦା ସହ୍ୟ କରିବାକୁ ପଡ଼ିଥିଲା । ସମାଜର ଚତୁର୍ଦ୍ଦିଗରେ ଦେଖିଛନ୍ତି ସେସବୁର ପ୍ରମତ୍ତ ଲୀଳା । ଏସବୁ ଦେଖି ସେ ଅଣନିଃଶ୍ୱାସୀ ହୋଇ ପଡ଼ିଛନ୍ତି । ଜଗନ୍ନାଥ ଧର୍ମ, ବୈଷ୍ଣବ ଧର୍ମ ଓ ଖ୍ରୀଷ୍ଟଧର୍ମର ବିରୁଦ୍ଧାଚରଣ ପୂର୍ବକ ପିତୁଳା ପୂଜାର ବିରୋଧ କରି ମାନବ ଧର୍ମର ଜୈତ୍ର ଗାନ କରୁଥିବା କବିଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରାଯାଇଛି । ଏ ସବୁର ବହୁ ଘାତପ୍ରତିଘାତର ସମ୍ମୁଖୀନ ସେ ହୋଇଛନ୍ତି । ସେ କାହାର କିଛି ଦୋଷ ନ କରି ସୁପଥରେ ଯାଇ ମଧ୍ୟ ଦୋଷୀ ଓ ପାପୀ ହୋଇଛନ୍ତି । ଏହିପରି ଅନେକ ରାଶି ରାଶି କଷ୍ଟକୁ ଓ ନିଜ ଜୀବନର ଦାରୁଣ ବ୍ୟଥା ଓ ବେଦନାକୁ କବି ନିଜ ‘ସ୍ତୁତି ଚିନ୍ତାମଣି’ କାବ୍ୟରେ ସ୍ଥାନୀତ କରିଛନ୍ତି । ଶ୍ରୀମଦ୍ ଭଗବତ ଗୀତ ପରି ସେହି ରୀତିରେ ଭୀମ ଭୋଇ ରଚନା କରିଛନ୍ତି ‘ବ୍ରହ୍ମ ନିରୂପଣ ଗୀତା’ । ଭୀମ ଭୋଇଙ୍କ ଦୃଷ୍ଟିରେ ସମଗ୍ର ପୃଥିବୀ ବ୍ରହ୍ମମୟ । ବ୍ରହ୍ମ ପୁଣି ଏକ ଓ ଅଭିନ୍ନ । ଏହାର ଦ୍ୱୈତ ସତ୍ତା ନାହିଁ । ସେହି ବ୍ରହ୍ମ କେତେବେଳେ ସାକାର ପୁଣି କେତେବେଳେ ନିରାକାର । ତେଣୁ ପରଂବ୍ରହ୍ମଙ୍କ ସମ୍ପର୍କିତ ବିଭିନ୍ନ ତତ୍ତ୍ୱପୂର୍ଣ୍ଣ କଥାକୁ ଅତୀବ ସୁନ୍ଦର ଓ ସରଳ ଭାବରେ ଉପସ୍ଥାପନ କରିବାପାଇଁ କବି ସୃଷ୍ଟି କରିଛନ୍ତି ‘ବ୍ରହ୍ମ ନିରୂପଣ ଗୀତା’ । ଗୁରୁ ଶିଷ୍ୟ ମଧ୍ୟରେ କଥୋପକଥନ ରୀତିରେ କବି ବ୍ରହ୍ମଙ୍କର ଗୂଢ଼ ତତ୍ତ୍ୱକୁ ସରଳ କରିଦେଇଛନ୍ତି । ପୁନଶ୍ଚ ଏହା ମଧ୍ୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ବର୍ଣ୍ଣନା ଓ ବ୍ରହ୍ମ ନିରୂପର ତଥା ବ୍ରହ୍ମତତ୍ତ୍ୱ ଜାଣିବାରେ ତାହାର ଭୂମିକା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । କବିଙ୍କ ଦୃଷ୍ଟିରେ ସଂସାରର ସବୁ ମଣିଷ ସମାନ । ବଡ଼ସାନ ଓ ଜାତିଭେଦର ବାଛବିଚାର ରହିବା ଅନୁଚିତ । ନାରୀ ଓ ପୁରୁଷ ଉଭୟଙ୍କୁ ନେଇ ସମାଜ ଓ ସଂସାର । ଜଣଙ୍କ ବିନା ଅନ୍ୟ ଜଣଙ୍କର ପରିକଳ୍ପନା କରାଯାଇନପାରେ । ଆମ ଶରୀର ଭିତରେ ଥିବା ଆତ୍ମା ହେଉଛି ପରଂବ୍ରହ୍ମ । ଭଗବାନଙ୍କୁ ପାଇବାକୁ ହେଲେ ମଣିଷକୁ ସଂପୂର୍ଣ୍ଣ ରୂପେ ତୃପ୍ତି କରିବା ସମ୍ଭବ ନୁହେଁ । କବି ଭୀମଭୋଇଙ୍କ ଦୃଷ୍ଟିରେ ଜୀବ ହେଉଛି ପତ୍ନୀ ଓ ପରମ ହେଉଛନ୍ତି ପତି । ପତି ଓ ପତ୍ନୀଙ୍କ ମିଳନରେ ଯେପରି ପୂର୍ଣ୍ଣ ସୁଖପ୍ରାପ୍ତି ହୋଇଥାଏ ଉଭୟଙ୍କ ସଂସ୍ପର୍ଶରେ ସେହିପରି ଜୀବ ଓ ପରମ ଏକାତ୍ମ ହୋଇଥାନ୍ତି । ଏହି ଗ୍ରନ୍ଥ ମଧ୍ୟରେ ରାମାୟଣର ପ୍ରାୟ ସମସ୍ତ ଚରିତ୍ରକୁ ଆନୟନ କରି କବି ତାହାକୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସହିତ ଏକାକାର କରିଦେଇଛନ୍ତି ଓ ଶରୀରର ବିଭିନ୍ନ ଅଙ୍ଗ ବର୍ଣ୍ଣନା ମଧ୍ୟରେ ସେହି ଚରିତ୍ରଗୁଡ଼ିକୁ ଏପରି ରସୋତ୍ତୀର୍ଣ୍ଣ କରି ଚିତ୍ରିତ କରିଛନ୍ତି ଯେ, ତାହା କୌଣସି ପାଠକକୁ ମୁଗ୍ଧ କରିଥାଏ । ଜୀବ ଶରୀର ସମ୍ପର୍କରେ କିଛି ଜିଜ୍ଞାସା କଲେ ପରମ ସେ ପ୍ରଶ୍ନର ଉତ୍ତର ରଖିଥାନ୍ତି । ମାତ୍ର କାବ୍ୟର ଦ୍ୱାଦଶ ଅଧ୍ୟାୟ ବେଳକୁ କବି ଦାମ୍ପତ୍ୟ ଜୀବନ କଥା ଉଲ୍ଲେଖ ନ କରି ବ୍ରହ୍ମର ଅନ୍ୱେଷଣ କରିଛନ୍ତି ଓ ବ୍ରହ୍ମପ୍ରାପ୍ତିର ସୂତ୍ର ସ୍ଥିର କରିଛନ୍ତି । କାରଣ ତାଙ୍କ ମତରେ ମାନବ ଓ ସମାଜର ଏକାନ୍ତ ସତ୍ୟ ହେଉଛି ବ୍ରହ୍ମପ୍ରାପ୍ତି । କ୍ଷଣିକ ସୁଖରେ ନିମଗ୍ନ ହୋଇ ଚିରନ୍ତନ ସତ୍ୟକୁ ଭୁଲିଯିବାକୁ ସେ ଅନୁଚିତ ଦର୍ଶାଇ ଏହି ଅଧ୍ୟାୟରେ ପ୍ରଶ୍ନୋତ୍ତର ମାଧ୍ୟମରେ ବ୍ରହ୍ମଜ୍ଞାନର ଚର୍ଚ୍ଚା କରିଛନ୍ତି । କବିଙ୍କ ବର୍ଣ୍ଣନାରେ –

“ସର୍ବଠାରେ ସର୍ବରୂପେ ଗୋ ହୋଇପାରେ

ଆପେ ନ କରଇ ପର ଗୋ ହାତେ କରେ

ଅନନ୍ତ ପୁରୁଷ ସେହି ଗୋ ରୂପ ନାହିଁ

ଅଲେଖ ଅବ୍ୟକ୍ତ ନାମ ଗୋ ଅଛି ବହି ।” (ଆଦିଅନ୍ତ ଗୀତା)

ଊନବିଂଶ ଶତକର ଉତ୍କଳୀୟ ପାଣିପାଗକୁ ଲକ୍ଷ୍ୟକରି କବି ‘ଅଷ୍ଟକ ବିହାରୀ ଗୀତା’ ରଚନା କରିଛନ୍ତି । ସଂସାରର ଚତୁର୍ଦ୍ଦିଗ ହେଉଛି ହଳାହଳମୟ । ସମାଜରୁ ସତ୍ୟ କ୍ରମଶଃ ଲୋପପାଇଯାଉଛି । ସଂସାରର ଚାରିଆଡ଼େ ସେ ଦେଖିଛନ୍ତି ପାପ, ମିଥ୍ୟା, ଅତ୍ୟାଚାର ଓ ଅନ୍ଧକାର । ପୃଥିବୀକୁ ବିପତ୍ତି ମାଡ଼ି ଆସୁଚି । ସ୍ୱାର୍ଥାନ୍ଧ ହୋଇ ପୃଥିବୀବାସୀ ସତ୍ୟଠାରୁ ଦୂରେଇ ଯାଉଛନ୍ତି । ସେ ଯେଉଁ ନୂଆ ପୃଥିବୀର ଆଶାରେ ଏକଦା ମହିମା ଧର୍ମ ପ୍ରଚାର କରିଥିଲେ ସେହି ଆଶା କ୍ରମଶଃ ତାଙ୍କଠାରୁ କ୍ଷୀଣ ହୋଇଯାଇଛି । ପୃଥିବୀର ଏହି ନର୍କ ଯନ୍ତ୍ରଣା ସହ୍ୟ କରିନପାରି ତାଙ୍କର ପରମ ପ୍ରିୟ ଗୁରୁଦେବ ମହିମା ଗୋସାଇଁ ପୃଥିବୀରୁ ଚିର ବିଦାୟ ନେଇଛନ୍ତି । ଅନନ୍ୟୋପାୟ ହୋଇ ପୃଥିବୀବାସୀଙ୍କୁ କ୍ଷଣିକ ଆନନ୍ଦରୁ ମୁକ୍ତ କରି ତାଙ୍କ ହୃଦୟରେ ଚିରନ୍ତନ ଆନନ୍ଦ ଆଣି ଦେବାପାଇଁ ପ୍ରୟାସୀ ହୋଇ ସେ ସେହି କାବ୍ୟରେ ଲେଖିଛନ୍ତି ସଂସାରର ମାୟା ଜାଲରେ ବ୍ୟସ୍ତ ଓ ବିବ୍ରତ ମାନବ ସମାଜକୁ ସେହି କଥା ହିଁ କହିଛନ୍ତି ଓ କଳିଯୁଗରୁ ନିଜକୁ ମୁକ୍ତ ରଖିବାପାଇଁ ନିଜ କର୍ତ୍ତବ୍ୟରେ ମନୋନିବେଶ କରିବାକୁ । ହିନ୍ଦୁ ଧର୍ମରେ ପ୍ରଚଳିତ ପ୍ରାୟ ତେତିଶିକୋଟି ଦେବଦେବୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ମାନବ ଶରୀରରେ ସମସ୍ତ ଦେବଦେବୀ ରହିଛନ୍ତି ବୋଲି ‘ଶ୍ରୁତି ନିଷେଧ ଗୀତା’ ମଧ୍ୟରେ ଆହ୍ୱାନ ଦେଇ ଉତ୍କଳୀୟ ସମାଜରେ କବି ଭୀମଭୋଇ ପ୍ରଥମେ ବିପ୍ଳବ ସୃଷ୍ଟି କରିଛନ୍ତି । ଏହି କ୍ଷୁଦ୍ର କାବ୍ୟଗ୍ରନ୍ଥରେ ହିନ୍ଦୁମାନଙ୍କର ପ୍ରାୟ ସମସ୍ତ ଦେବତା, ଉତ୍କଳୀୟ ମାନବ ଜାତିର ପ୍ରୀତିର ପ୍ରତୀକ ଶ୍ରୀଜଗନ୍ନାଥ ତାଙ୍କ ମହାପ୍ରସାଦ, ହିନ୍ଦୁର ପବିତ୍ର ବୃକ୍ଷ ତୁଳସୀ ପ୍ରଭୃତିକୁ ଅସ୍ୱୀକାର କରି ଶରୀର ମଧ୍ୟରେ ଥିବା ବ୍ରହ୍ମଙ୍କୁ ପୂଜା କରିବାକୁ ଜନମାନସକୁ ନିବେଦନ କରିଛନ୍ତି ।

ଆତ୍ମ-ଯଜ୍ଞରେ ଆବିଷ୍କାର କାଳରେ କବି ଚେତନା ବିଶ୍ୱ ସୃଷ୍ଟିର ଅଖଣ୍ଡ ଯଜ୍ଞକ୍ରିୟାକୁ ପ୍ରତ୍ୟକ୍ଷ କରନ୍ତି । “ଯୁଗ ଯୁଗାନ୍ତରେ କଳ୍ପ କଳ୍ପନାରେ ଶ୍ୱେତ ଶୁକ୍ଲାମ୍ବର ରୂପ / ଅଣଚାଷ ବାୟୁ ନାସାରୁ ଜନମ ଚନ୍ଦ୍ର ସୂର୍ଯ୍ୟ ଯା’ର ଦୀବ   ସମୁଦ୍ର ବୋଲୁଛି ଅଭୟ ପୟରୁ କରୁଣା ଅକ୍ଷତ ନେବି । ଯୁଗ ଯୁଗାନ୍ତରେ ସପତ ବେଢ଼ାରେ ଚଉକତି ପୂରୁଥିବି ।” ‘ସ୍ତୁତିଚିନ୍ତାମଣି’ ବିଷୟବସ୍ତୁ ମୁଖ୍ୟତଃ ମହିମା ଧର୍ମ ଓ ଦର୍ଶନର ପ୍ରଖ୍ୟାପନା । ଆଗମ, ନିଗମ ଉଭୟ ତତ୍ତ୍ୱର ଛାୟା ଏଥିରେ ପ୍ରତିଫଳିତ । ଉପନିଷଦୀୟ ବ୍ରହ୍ମ ଓ ଆତ୍ମତତ୍ତ୍ୱ, ବୌଦ୍ଧ ଶୂନ୍ୟ ଚେତନା, ନାଥ ସିଦ୍ଧ ସହଜ ଦର୍ଶନ ସହ ଜ୍ଞାନଭକ୍ତି ଯୋଗାତ୍ମିକା ନିର୍ଗୁଣ ସାଧନାର ସିଦ୍ଧାନ୍ତମାନ ଏଥିରେ କାବ୍ୟାୟିତ । ପଞ୍ଚସଖା ଦର୍ଶନ ଓ ସାଧନାତତ୍ତ୍ୱର ଏହା ବହୁକାଂଶରେ ପ୍ରତିଧ୍ୱନିତ । ଜୀବ ପରମ ସମ୍ପର୍କ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ, ଗୁରୁବାଦ, କୃପାତତ୍ତ୍ୱ, ଶରଣାଗତି ଓ ସମର୍ପଣ ପ୍ରଭୃତି ସାଧନା ଚାର ରୂପେ ଉଦ୍‌ବୋଧିତ ହେବାରେ ଏହି ଧର୍ମ ସମନ୍ୱୟ ଭିତ୍ତିକ ଆଧ୍ୟାତ୍ମିକତା ସୁସ୍ପଷ୍ଟ । ଭୀମଭୋଇଙ୍କ ସମଗ୍ର କାବ୍ୟକୃତିରେ ଗୋଟିଏ ସ୍ୱର ହିଁ ମୁଖରିତ ଜୀବନର ଆଧ୍ୟାତ୍ମିକ ମହତ୍ତ୍ୱ । ଧର୍ମ ଯେତେ ପାପପୁଣ୍ୟ ସ୍ୱର୍ଗ ନରକର ଭୂଆଁ ବୁଲାଉ ପଛକେ ଦର୍ଶନ ଯେତେ ଅଜ୍ଞାନତା, କ୍ଷୁଦ୍ରତା, ଦେଶ କାଳଖଣ୍ଡ ତା’ର କଥା ବଖାଣୁ ପଛକେ, ଆଧ୍ୟାତ୍ମବାଦୀର ନିରୋଳା ବିଶ୍ୱାସରେ ବ୍ୟକ୍ତି ଦିବ୍ୟ ଚେତନାର ଅନ୍ତଃସ୍ୱରୂପରେ ଦିବ୍ୟ ଓ ତା’ର ଜୀବନ ଦିବ୍ୟତା ଆଡ଼କୁ କ୍ରମ ବିକଶିତ, ତା’ର ସଚେତନ କର୍ମ ଓ ଭାବନାରେ ସେ ଦିବ୍ୟ ଅଭୀପ୍‌ସା ପ୍ରତିଫଳିତ । ସବୁ ଜଳବିନ୍ଦୁ ଶେଷ ରୂପରେ ନିଜ ଉତ୍ସ ସମୁଦ୍ରକୁ ଫେରିଆସିବା ପରି ଜୀବ ଚେତନାର ଅବଶେଷ ବିଲୟ ସେଇ ବ୍ରହ୍ମ ସମୁଦ୍ରରେ । ଜୀବର ଜନ୍ମ ମରଣାବଦ୍ଧ ଜୀବନଯାତ୍ରା କେବଳ ସେଇ ପରମ ଶାଶ୍ୱତ ଅଭିମୁଖେ ଅନ୍ତଃସତ୍ତାର ଚେତନା ଭିସାର । ‘ସ୍ତୁତି ଚିନ୍ତାମଣି’ରେ ସ୍ଥଳ ବିଶେଷରେ ତାଙ୍କ ଦୁଃଖଭରା ଜୀବନର ଅଶ୍ରୁତ ଅଭିବ୍ୟକ୍ତି ପାଠକର ହୃଦୟକୁ ଥରାଇଦିଏ । ତେବେ “ଖାଇବାକୁ ଅନ୍ନ ପିନ୍ଧିବାକୁ ବସ୍ତ୍ର ସୁସ୍ଥେ ନ ମିଳିଛି କିଛି ।” ବୋଲି କହୁଥିଲେ ହେଁ ଜଗତର ହିତେ ବାନ୍ଧିଲଇଁ ଗୀତେ ମୋ ମନକୁ କରି ସତ” ପରି ନୀତି ଉପରେ ତାଙ୍କର ଜୀବନ ଦୃଷ୍ଟି ନିବଦ୍ଧ ଥିଲା । ସେ ଅଜପା ମନ୍ତ୍ର ବୋଲନ୍ତେ ତାଙ୍କୁ ଲୋକେ ଅଛବ ଜାତି, ବେଳେବେଳେ କିରସ୍ତାନ ବୋଲି ଗାଳି ଗୁଲଜ କରିଛନ୍ତି । “ତାଙ୍କ ଗୁଜୁରାତି ପଠାଣ ଅଟନ୍ତି ବୋଇଲେ ଖପରଖିଆ” ପରି କଟୂକ୍ତି ବି କବିଙ୍କୁ ସହିବାକୁ ପଡ଼ିଛି । ସେ ଜଗତକୁ ସୂଚେଇ ଦେଉଥିଲେ ଯେ ସତ୍ୟଧର୍ମ ଆସିବାର ସମୟ ଉପଗତ ହେଲାଣି । ସ୍ରଷ୍ଟାପୁରୁଷ ଗୁରୁ ରୂପେ ଜଗତରେ ଆବିର୍ଭୂତ ହେଲେଣି । ଭୀମଭୋଇ ସଂସାରୀ ମଣିଷକୁ ଯୋଗୀ ସନ୍ନ୍ୟାସୀ ହେବାକୁ ପ୍ରବର୍ତ୍ତାଇ ନାହାନ୍ତି । ଗୃହୀର ପରିବେଶ ଭିତରେ କିପରି ନିର୍ମଳ ସୁସ୍ଥ ଜୀବନ ଗଢ଼ିଉଠିବ, ତା’ର ବାର୍ତ୍ତା ପ୍ରଚାର କରିଯାଇଛନ୍ତି । କବିଙ୍କ ଭାଷାରେ –

“ପାରୁ ପରିଯନ୍ତେ ଶୁଝୁଅଛି ମୁହିଁ ଘେନୁଛୁ କି ନାହିଁ ତୁହି

ଜନମ ଯାତକ ବହିଗଲାଣି ତ ଗଉଣିରେ ମାପି ଦେଇ

ପୁଣି ଯେତେଠାରୁ ଆଣିଅଛି ମୁହିଁ ଏପରି କହିବୁ ମୋତେ

ସାହୁ ରାହୁ ତୁହି ପାରି କରିନିଅ ଏବେ ମୁଁ କହୁଚି ତୋତେ

 

ସାହୁ ଗଙ୍ଗାଜଳ ହୃଦୟ ନିର୍ମଳ ହେଲେ ଖାତକକୁ ଲାଭ

ଖାତକ ବୁଝିଲେ ସାହୁ ନେଉଥିବ ସବୁଦିନ ପ୍ରୀତି ଥିବ ।”

କବି ଭୀମଭୋଇ ଥିଲେ ବିଶ୍ୱ ମାନବର ପରମ ହିତୈଶୀ । ସେ ଅଞ୍ଚଳ, ରାଜ୍ୟ, ଦେଶ ମଧ୍ୟରେ ସୀମିତ ନଥିଲେ, ତାଙ୍କର ଜନ୍ମ, ମଙ୍ଗଳ କାମନା ଥିଲା ଦେଶାତୀତ ଓ ବିଶ୍ୱ ପ୍ରସାରିତ । ନାରୀ ଜାତିକୁ ବିଶେଷ ସମ୍ମାନ ଦେଇ କିପରି ସେମାନେ ଉଚ୍ଚ ଆସୀନ ହୋଇ ମଙ୍ଗଳମୟୀ ରୂପେ ଦଣ୍ଡାୟମାନ ହେବେ, ସେଥିପାଇଁ ମଞ୍ଜୁଳ ଚିତ୍ର ପ୍ରଦାନ କରିଛନ୍ତି । ନାରୀ ନରକର ଯନ୍ତ୍ରଣା ନ ହେଉ, ନରକର ଦ୍ୱାର ନ ହେଉ । ସେ ସ୍ୱର୍ଗୀୟ ପାରିଜାତ ପରି ସୁବାସିତ ହେଉ । କବିର କଳ୍ପନା ସ୍ୱର୍ଗୀୟ ଓ ଚିରବନ୍ଦନୀୟ । ସେ ଜାଣନ୍ତି ସତୀତ୍ୱ, ନାରୀର ଗୌରବ ଓ ଅନ୍ୟପକ୍ଷରେ ମନ-ମୀନର ଶିକାର ହୋଇ ନାରୀ କୁଳଟା ବି-ସାଜିଛି । ଏଇ ଉଭୟ ଦିଗରୁ ନାରୀମାନଙ୍କୁ ସେ ସଚେତନ କରାଇ ତାଙ୍କର ଜୀବନର ଗୌରବ ଆଉ ରୌରବ ଦର୍ଶାଇଛନ୍ତି । କବି ମହିମା ଧର୍ମ ଦର୍ଶନ ପ୍ରଚାର ପ୍ରସାର ସହିତ ଆଧୁନିକ ଯୁଗର ନାରୀକୁ ନୂତନ ସନ୍ଦେଶ ଦେବାରେ ତତ୍‌ପର ରହିଛନ୍ତି । ସେ ଅନୁଭବ କରିଛନ୍ତି ସମୟର କୁଟିଳ ଗତି । ଆଧୁନିକ ସଭ୍ୟତାର ଅଗ୍ରଗତିରେ ନାରୀ ନୈତିକତାର ଅଧୋଗତିକୁ ଉପଳବ୍ଧି କରିଛନ୍ତି । ନାରୀ ଶକ୍ତିର ଦୃଢତା, ସଂଯମତା, ଶୃଙ୍ଖଳତା ହିଁ ଜଗତକୁ ମଧୁମୟ କରିଥାଏ । ଏହି ତାଙ୍କର ଦୃଢ ଧାରଣା । ନାରୀ ଯେପରି ମାୟାବିନୀ, କାମାଚାରୀ ନ ହୋଇ, ସଦାଚାରୀ ହେବ ଏହାହିଁ କବିଙ୍କର କଳ୍ପନା ଓ ଯୋଜନା । ପତିପତ୍ନୀ ଜୀବନଯାପନ ମଞ୍ଜୁଳ ହେଲେ ପରସ୍ପର ମଧ୍ୟରେ ସ୍ନେହ ମମତା ପ୍ରେମ ରହିଲେ ସେହି ପରିବାର ‘ବୈକୁଣ୍ଠଧାମ’ ପରି ମନେହୁଏ । ନାରୀ ସୀତା ପରି ସତ୍ୟ ପଥରେ ଚାଲିଲେ ପୁରୁଷ ଧନ୍ୟ ହୁଏନାହିଁ କେବଳ, ବଂଶ ମଧ୍ୟ ଉଜ୍ଜ୍ୱଳ ହୁଏ ।

ଜୀବନର ସକଳ ଆବେଗ ଓ ଅନୁଭୂତି ରେଖାଙ୍କିତ ହୋଇଥାଏ ସାର୍ଥକ କବିତ୍ୱରେ । ଜୀବନର ସୁଖ-ଦୁଃଖ, ଅଶ୍ରୁ-ଉଲ୍ଲାସ, ଆବେଗ-ଆକୁଳତା, ଭୋଗ-ତ୍ୟାଗ ଆଦି ମାନବୀୟ ବୃତ୍ତିର ଚିତ୍ର ଚିତ୍ରିତ ହୋଇଥାଏ କବି କୃତିରେ । କବିତ୍ୱର ସ୍ନିଗ୍ଧ ଆଲୋକଧାରା ବର୍ଣ୍ଣିଳ ଇନ୍ଦ୍ରଧନୁ ସୃଷ୍ଟିକରେ ବିଦଗ୍ଧ ପାଠକ ମନରେ । କବିତ୍ୱର ଚିତ୍ତବୃତ୍ତି ସହିତ ଆଧ୍ୟାତ୍ମିକ ଧାରାର ଭକ୍ତିଭାବନା ପ୍ରବଣତାର ସହିତ ମିଶ୍ରିତ ହୋଇଯାଏ ତାହା ହୋଇଉଠେ ଅପୂର୍ବ ଓ ଅନନ୍ୟ । ଭଜନ ସାହିତ୍ୟରେ ଏକ ସାର୍ଥକ ଗୀତି କବି ଭାବରେ ଖୁବ୍ ପରିଚିତ ଓ ବନ୍ଦିତ । ମହିମା ଧର୍ମର ନୀତି ପଦ୍ଧତି, ଆଚାର, ବିଚାର ଓ ଆଦର୍ଶ ପ୍ରଚାର ପାଇଁ ଏ ଭଜନଗୁଡ଼ିକ ଉଦ୍ଦିଷ୍ଟ ଥିବାରୁ ରସୋଲ୍ଲାସର ଅଭାବ ପରିଲକ୍ଷିତ ହୁଏ ତଥାପି ଭଜନଗୁଡ଼ିକରେ ଯାଦୁକାରୀ ଶକ୍ତି ତାହା ସାଧାରଣ ମଣିଷର ତିତ୍ତ ଜଗତକୁ ଅପୂର୍ବ ଭାବୋଚ୍ଛ୍ୱାସରେ ଆଚ୍ଛନ୍ନ କରିଦିଏ ।

ସନ୍ଥକବିଙ୍କର ପ୍ରାୟ ସମସ୍ତ ଭଜନ ଏକେଶ୍ୱରବାଦ ଓ ଶୂନ୍ୟତତ୍ତ୍ୱକୁ ନେଇ ରଚିତ । ଏକର ମହିମାବନ୍ତ ପରଂବ୍ରହ୍ମ ହେଉଛନ୍ତି ଏ ସୃଷ୍ଟିର ମୂଳସେତୁ । ସେ ନିର୍ଗୁଣ, ନିରଞ୍ଜନ, ନିରାକାର, ଅଦେହୀ, ଅବ୍ୟୟ ଓ ଅକ୍ଷୟ । ସେ ସତ୍ୟ ଶିବ ସୁନ୍ଦର । ଅବନା ମନ୍ଦିର ତାଙ୍କର ପ୍ରିୟ ବାସସ୍ଥଳୀ । ଏ ଅଲେଖ ପୁଣି ପାଦ ପାଣି ହୀନ । ସେ ସମସ୍ତଙ୍କର ପୁଣି କାହାର ନୁହନ୍ତି । ସେ ସମସ୍ତଠାରେ ଅଛନ୍ତି ପୁଣି ଧରିବା ଅସମ୍ଭବ । ସେଇ ନିର୍ଗୁଣ ନିରଞ୍ଜନ ପରମ କ୍ଷିତି, ଅପ, ତେଜ, ମରୁତ, ବ୍ୟୋମ ପଞ୍ଚଭୂତର ସର୍ଜନାକାରୀ ଓ ନିୟାମକ । ତଥାପି ସେଥିରେ ସେ ନିର୍ଲିପ୍ତ । କେହିଁ ତାଙ୍କୁ ଛୁଇଁ ପାରନ୍ତି ନାହିଁ । ମହିମା ଧର୍ମର ଏଇ ରହସ୍ୟବାଦ ଚିତ୍ରିତ ହୋଇଛି ତାଙ୍କର ଅନେକ ଭଜନରେ । କେବଳ ଅଚ୍ୟୁତାନନ୍ଦ କି ଭୀମଭୋଇଙ୍କ ରଚନାରେ ନୁହେଁ ବୈଦିକ ଯୁଗରେ ମଧ୍ୟ ଏହି ଶୂନ୍ୟବାଦର ମହତ୍ତ୍ୱ ପ୍ରକଟିତ ହୋଇଛି । ଭୀମଭୋଇଙ୍କର ଶୂନ୍ୟ, ମହାଶୂନ୍ୟ ଓ ମୁଳଶୂନ୍ୟ ପରି ବୌଦ୍ଧଧର୍ମର ବଜ୍ରଯାନୀମାନେ ମଧ୍ୟ ବହୁ ଆଗରୁ କରିଯାଇଛନ୍ତି । ଭକ୍ତି ସାହିତ୍ୟ ଧାରାରେ ଏ ଶୂନ୍ୟବାଦଟି ଏକ ଅମୂଲ୍ୟ ସଂପଦ । ପ୍ରତ୍ୟେକ ଜୀବାତ୍ମା ପରମାତ୍ମାଙ୍କର ଅଂଶବିଶେଷ । ପ୍ରଖ୍ୟାତ ଜୀବପରମ ତତ୍ତ୍ୱ ମହିମାଧର୍ମର ଏକ ମୁଖ୍ୟ ବିଭବ । ପ୍ରତ୍ୟେକ ସ୍ରଷ୍ଟା ଜଣେ ଜଣେ ସମାଜ ସୁଧାରକ ଓ ସଂସ୍କାରକ । ଭୀମଭୋଇଙ୍କ ଭଜନରେ ମର୍ମବାଣୀ, ସମାଜରୁ ଅନ୍ୟାୟ, ଅନୀତି, ଅନାଚାର ଦୂର କରିବା ପାଇଁ । ସଂସାରରେ ଧର୍ମର ସ୍ଥାପନ ପାଇଁ ସେ ଅଲେଖଙ୍କ ପାଖରେ ଆସ୍ଥା ସ୍ଥାପନ କରିଛନ୍ତି ।

“ଧର୍ମକୁ ସ୍ଥାପନ କର ସର୍ବଜନ ସତ୍ୟ ଯୁଗେ ଯେ ରାତି

ପିଣ୍ଡ ବ୍ରହ୍ମାଣ୍ଡ ଯେ କଲେ ନିର୍ମାଣ ସେ ଏକା ରଖିବେ ଯତି ।”

ମନୁଷ୍ୟ ଇନ୍ଦ୍ରିୟାସକ୍ତ ହେଲେ ଭଲମନ୍ଦ ବିଚାର କରିପାରେ ନା । ବାଦ, ଛିଦ୍ର, ହିଂସା, ଦ୍ୱେଷ, ଛନ୍ଦ କପଟରେ ସେ ନିଶାଗ୍ରସ୍ତ ପରି ମଜ୍ଜି ରହିଥାଏ । ସତମିଛ କଥାରେ ସେ ସମାଜର ସମସ୍ତ ବିଧିବ୍ୟବସ୍ଥାକୁ କଳୁଷିତ କରିଥାଏ । ଏ ସବୁଥିରୁ ନିବୃତ୍ତ ରହିବାକୁ କବି ଅନେକ ପ୍ରୟାସ କରିଛନ୍ତି ଜଗତଜନଙ୍କ ପାଇଁ । ସେବା ମନୋବୃତ୍ତି ନେଇ ଦରିଦ୍ରକୁ ସାହାଯ୍ୟ କରିବା, ମୈତ୍ରୀ କରୁଣା ପ୍ରୀତି ଭାବକୁ ନେଇ ଜୀବମାନଙ୍କୁ ଦୟା ଦେଖାଇବାରେ ମାନବିକତା ବିକଶିତ ହୁଏ । ପ୍ରକୃତ ମଣିଷପଣିଆରେ ନିଦର୍ଶନ ଏଇ ସୁକର୍ମରେ ହିଁ ମିିଳିଥାଏ । ମାନବବାଦୀ କବିଙ୍କ ପ୍ରାଣରେ ଏ ଅଗାଧ ବ୍ୟାକୁଳତାକୁ ମାପିହୁଏ ନାହିଁ । “ଜୀବେ ଦୟା”ଠାରୁ ଶ୍ରେଷ୍ଠଧର୍ମ ଏ ଦୁନିଆରେ ଆଉ କିଛି ନାହିଁ । ମହିମା ଧର୍ମ ମୂର୍ତ୍ତି ପୂଜାରେ ଆସ୍ଥାପୋଷଣ କରନ୍ତି ନାହିଁ । ମହିମା ପ୍ରଭୁ ଶୂନ୍ୟ ପୁରୁଷଙ୍କ ନିକଟରେ ଅନାବିଳ ଭକ୍ତି ଓ ଆତ୍ମ ସମର୍ପଣ ହେଉଛି ଏହି ଧର୍ମର ପ୍ରମୁଖ ସାଧନା । ମହିମା ଧର୍ମ ଏକ ସଂସ୍କାରବାଦୀ ଆନ୍ଦୋଳନ, ସନାତନ ହିନ୍ଦୁଧର୍ମରେ ପ୍ରଚଳିତ ପୌତ୍ତଳିକତାବାଦ, ନାନା କୁସଂସ୍କାର, ଅନ୍ଧବିଶ୍ୱାସ ଏବଂ ଜତିଗତ ଅନ୍ଧଭାବନା ବିଷୟରେ ମହିମା ଆନ୍ଦୋଳନ ଏକ ପ୍ରତିବାଦମୂଳକ ଭାବଧାରା । ଜାତିଗତ ସଂକୀର୍ଣ୍ଣତାର ସଂପୂର୍ଣ୍ଣ ବିରୋଧୀ । ମହିମା ଧର୍ମରେ ମିଥ୍ୟା କଥନ, ଚୌର୍ଯ୍ୟବୃତ୍ତି, ପରଦାର ଗଗନ, ପରାପବାଦ, ଲୋଭ ପ୍ରଭୃତିକୁ ପରିହାର କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଶୂନ୍ୟ ହେଉଛି ବ୍ରହ୍ମର ଅଧିଷ୍ଠାନ । ସେଇ ଶୂନ୍ୟବ୍ରହ୍ମଙ୍କ ଭଜନ କଲେ ଇହଧାମରୁ ମୁକ୍ତି ମିଳିଥାଏ । ଅନ୍ୟକୁ ଆପଣେଇ ନେବାର ଭାବନା ମହିମା ଧର୍ମରେ ସତତ ଜାଗ୍ରତ ରହିଥାଏ । ମହିମା ଧର୍ମରେ ଗୃହସ୍ଥ ଓ ସନ୍ନ୍ୟାସୀ ଉଭୟେ ଦୀକ୍ଷା ଗ୍ରହଣ କରିଥାନ୍ତି । ଉଭୟଙ୍କର ଉପାସନା ଏକପ୍ରକାର । ଗୃହୀମାନେ ଗେରୁଆ ଲୁଗା ପରିଧାନ କରନ୍ତି । ସନ୍ନ୍ୟାସୀମାନେ ବଳ୍‌କଳ ଅଥବା ଡ଼ୋର କୌପୁନୀ ପିନ୍ଧିବାର ବିଧି ରହିଛି । ଏମାନେ ରାଜା, ବ୍ରାହ୍ମଣ, ମାଳାକାର, ଗଣକ, ଗଣିକା, ବାରିକ, ହାଡ଼ି ଓ ଧୋବାମାନଙ୍କ ଗୃହରୁ ଅନ୍ନ ଗ୍ରହଣ କରିବାକୁ ବାରଣ ରହିଛି । ଗ୍ରାହସ୍ଥଶ୍ରମକୁ ପ୍ରାଧାନ୍ୟ ଦେଇ କବି ଲେଖିଛନ୍ତି –

“ଗୃହେ ଧର୍ମେ ଥିବି ଅନ୍ୟସ୍ଥା ନୋହିବ

ଆଜ୍ଞାନ ହେଉ ଏହି ବାଗେ

ଶ୍ରୀଗୁରୁ ଛାମୁରେ ଭୀମ ଅରକ୍ଷିତ

କରପତ୍ର ଯୋଡ଼ି ମାଗେ

ନାମଟି ଅକ୍ଷୟ ଅଜନ୍ମ ଅଜୟ

ଚାରି ଯୁଗେ ଯେବେ ସତ୍ୟ

ଗୃହେ ଥାଇ ବିହିତ କର୍ମେ ଚାଲିଲେ

ସବୁ ହେବ ପରାପତ ।”

ଭୀମଭୋଇଙ୍କ ପରଂବ୍ରହ୍ମଙ୍କର ଏକ ବିଶେଷ ଉପାଧି ହେଉଛନ୍ତି ସେ ଅରୂପାନନ୍ଦ । ଏକାଧାରରେ ସେ ଅରୂପ ଓ ଆନନ୍ଦମୟ । ଯିଏ ଶୂନ୍ୟ ସ୍ୱରୂପରେ ତ୍ରିଭୁବନରେ ପରିବ୍ୟାପ୍ତ ସେ ହିଁ ଅରୂପ । ପରଂବ୍ରହ୍ମ କେବଳ ଅରୂପାନନ୍ଦ ନୁହନ୍ତି ସେ ପୂର୍ଣ୍ଣାନନ୍ଦ ସ୍ୱାମୀ ମଧ୍ୟ । ପରଂବ୍ରହ୍ମଙ୍କ ଅଦୃଶ୍ୟ ପରମ ପଦରୁ ପ୍ରକଟିତ ହୋଇଥିବା ବେଦ ହିଁ ସକଳ ପ୍ରପଞ୍ଚର ଲୀଳାଭୂମି । ଋକ୍‌ବେଦରୁ ସୃଷ୍ଟି ପୃଥିବୀ ଓ ସପ୍ତ ସମୁଦ୍ର । ସାମବେଦରୁ ଶୂନ୍ୟ ଏବଂ ପବନ, ଅଥର୍ବ ବେଦରୁ ଦଶଦିଗକୁ ଛନ୍ଦୁଥିବା ବିଦ୍ୟା । ସାମଯୁକ୍ତ ଯଜୁର୍ବେଦରୁ ଅର୍ଦ୍ଧ ଅଥବା ଅର୍ଦ୍ଧମାତ୍ର । ଏବଂ ଶିଶୁ ବେଦରୁ ଭକ୍ତବତ୍ସଳ କରୁଣା ସାଗର ଅନାମ ଦୀନବନ୍ଧୁଙ୍କ ଆସ୍ଥାନର ସୃଷ୍ଟି । ବ୍ରହ୍ମଙ୍କର ଏକ ଅକଳିତ ମହିମା ଅସମ୍ଭବକୁ ସମ୍ଭବ କରିପାରେ । ମୂର୍ଖକୁ ପଣ୍ଡିତ କରିପାରେ । ଅଜ୍ଞାନକୁ ଜ୍ଞାନୀ କରିପାରେ । ପାଷାଣକୁ ପାଣି କରିପାରେ । ପଙ୍ଗୁକୁ ଗିରି ଲଙ୍ଘନର କ୍ଷମତା ଦେଇପାରେ ଏବଂ ଅପୁତ୍ରିକକୁ ପୁତ୍ରଦାନ କରିପାରେ । ମନୁଷ୍ୟ ଜନ୍ମ ହେଉଛି ଦୁର୍ଲ୍ଲଭ ଜନ୍ମ । ପରମାତ୍ମାଙ୍କର ସେ ପ୍ରିୟ ପ୍ରତିଭୂ । ଜଗତର କଲ୍ୟାଣ ସାଧନ ପାଇଁ ସେ ଅଭିପ୍ରେତ । କିନ୍ତୁ ସେ ଅମଳିନ ଆତ୍ମାଟିଏ ଧୂଳି ଧରଣୀର ମୋହମାୟାରେ ପଡ଼ି ଲକ୍ଷ୍ୟଚ୍ୟୁତ ହୋଇଯାଏ । ତା’ର ଦେବତ୍ୱ ସତ୍ତାଟିକୁ ପାଶୋରି ଆସୁରିକ ଅଭିଳାଷରେ ସେ ମତ୍ତ ହୋଇଉଠେ । ସତ୍ୟରେ ମରିବା ଓ ସତ୍ୟରେ ତରିବା ଥିଲା ଭକ୍ତ କବିଙ୍କର ଜୀବନର ଶ୍ରେଷ୍ଠ ଅଭିଳାଷ ଥିଲା । ପ୍ରକୃତରେ ବାଟବଣା ସାଧାରଣ ମଣିଷଙ୍କ ପାଇଁ ତାଙ୍କର ଭକ୍ତି ସାହିତ୍ୟ ଥିଲା ଦିଗବାରେଣୀ ପରି । ନୈତିକ ଚେତନା ଜାଗ୍ରତ କରିବା ପାଇଁ ତାଙ୍କର ଗୋଟିଏ ଗୋଟିଏ ପଂକ୍ତି ଏକ ଏକ ପ୍ରଜ୍ଜ୍ୱଳିତ ଦୀପସ୍ତମ୍ଭ ସଦୃଶ । ତାଙ୍କର ମହତବାଣୀ ଆଜି ବି କର୍ଣ୍ଣେ ପଡ଼େ;

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ପାଉ ।

ଜଗତର ହିତେ ବାନ୍ଧିଲଇଁ ଗୀତେ

ମୋ ମନକୁ କରି ସତ

ଅବଧୂତ ଅବଧୂତ ବୋଲିବାକୁ

ବୋଇଲେ ବାବନାଭୂତ ।”

ସହାୟକ ଗ୍ରନ୍ଥସୂଚୀ :

(୧)       କବିର ଗ୍ରନ୍ଥାବଳୀ : ୨୦୧୮

(୨)       ‘ମହିମା ଧର୍ମ’ : ଡ. ସୌଦାମିନୀ ପଟ୍ଟନାୟକ (୧୯୮୬)

(୩)       ଓଡ଼ିଆ ସାହିତ୍ୟର ଇତିହାସ : ୧୯୬୭, ଡ଼. ମାୟାଧର ମାନସିଂହ

(୪)       ‘ସ୍ତୁତି ଚିନ୍ତାମଣି’ : ଭୀମଭୋଇ, ସଂପାଦନ ଆର୍ତ୍ତବଲ୍ଲଭ ମହାନ୍ତି, ପ୍ରକାଶନ-୧୯୫୦ ମସିହା

(୫)       ସନ୍ଥକବି ଭୀମଭୋଇ : ସାରଳା ସାହିତ୍ୟ ସଂସଦ, ୧୯୯୭ ପ୍ରକାଶ

 

ସହକାରୀ ଗବେଷିକା

ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ,

ସର୍ଦ୍ଦାର ପଟେଲ ହଲ କମ୍ପେ୍ଲକ୍ସ, ଭୁବନେଶ୍ୱର

Share This Article
ସହଯୋଗୀ ଗବେଷିକା,ଓଡିଆ ଭାଷା ଉତ୍କର୍ଷ ଗବେଷଣା କେନ୍ଦ୍ର, ଭାରତ ସରକାର
Exit mobile version