ମୋତେ ଅନ୍ୟ କଥା ବା ଅନ୍ୟ ଗଳ୍ପ ଭଲ ଲାଗେନି । ଗିରିଶ ବାବୁ ମହାଶୟ ଯେଉଁ ସବୁ ବିଦେଶୀ ବଡ଼ ବଡ଼ ଅଭିନେତା ବା ଅଭିନେତ୍ରୀ ମାନଙ୍କର ଗଳ୍ପ କରନ୍ତି , ଯେଉଁସବୁ ବହି ପଢ଼ି ଶୁଣାନ୍ତି ମୋତେ ସେସବୁ ଭାରି ଭଲଲାଗେ। ମିସେସ ସିଡନୀଶ ଯେତେବେଳେ ଥିଏଟର କାର୍ଯ୍ୟ ତ୍ୟାଗ କରି , ଦଶ ବର୍ଷ ବିବାହିତା ଜୀବନ ଅତିବାହିତ କରିବା ପରେ ପୁନର୍ବାର ରଂଗମଂଚ ଆବର୍ତ୍ତିନ କରନ୍ତି, ସେତେବେଳେ ତାଙ୍କର ଅଭିନୟରେ କେଉଁ ସମାଲୋଚକ କେଉଁ ଭାବେ ତାଙ୍କ ଦୋଷ ଗୁଣ ବର୍ଣ୍ଣନା କରିଥିଲେ ସେସବୁ ବହିରେ ପଢ଼ି ବୁଝେଇ ଦେଉଥିଲେ। କେଉଁ ଆକ୍ରୋଶ ପକ୍ଷୀର ସ୍ୱର ସହିତ ନିଜର ଗଳା ସାଧନା କରୁଥିଲେ, ତାହା କହୁଥିଲେ। କିଏ କେମିତି ସଜ-ସାଜ୍ୟ କରନ୍ତି, ବୋହୁମାନେ କେମିତି ହାମଲେଟ ସାଜନ୍ତି, ଅଫେଲିଆ କେମିତି ଫୁଲର ପୋଷାକ ପିନ୍ଧନ୍ତି, ବଂକିମବାବୁଙ୍କର “ଦୁର୍ଗେଶ ନନ୍ଦିନୀ” କେଉଁ ବହିର ଛାୟା ବଲମ୍ବନେ ଲିଖିତ, ‘ରଜନୀ’ କେଉଁ ଇଂରାଜୀ ପୁସ୍ତକର ଭାବ ସଂଗ୍ରହରେ ରଚିତ, ଏମିତି କେତେ କହିବି ଗିରିଶବାବୁ ମହାଶୟଙ୍କର ଓ ଅନ୍ୟାନ୍ୟ ସ୍ନେହଶୀଳ ବନ୍ଧୁଗଣଙ୍କର ଯତ୍ନରେ ଇଂରାଜୀ, ଗ୍ରୀକ, ଫ୍ରେଞ୍ଚ, ଜର୍ମାନୀ, ପ୍ରଭୃତି ବଡ଼ ବଡ଼ ଅଥରଙ୍କର କେତେ ଗଳ୍ପ ଯେ ମୁଁ ଶୁଣିଚି ତାହା କହି ପାରିବିନି। ଖାଲି ଶୁଣୁନଥିଲି , ସେଇଠାରୁ ଭାବ ସଂଗ୍ରହ କରି ସତତ ସେଇ ସକଳ ଚିନ୍ତା କରୁଥିଲି। ସେଥିପାଇଁ ମୋ ସ୍ୱଭାବ ଏମିତି ହେଇଯାଇଥିଲା ଯେ, ଯଦି କେତେବେଳେ କୁଆଡେ ବୁଲିବାକୁ ଯାଏ , ସେଠିକାର ଘର ବାଡ଼ି ମୋତେ ଭଲ ଲାଗେନି , ମୁଁ କେଉଁଠି ବନ ପୁଷ୍ପ ଶୋଭିତ ନିର୍ଜନ ସ୍ଥାନ ,ତାହା ଖୋଜି ବୁଲେ। ମୋତେ ଲାଗେ ଯଦି ମୁଁ ଏଇ ବନରେ ରହିଥାନ୍ତି, ମୁଁ ଏଇ ବନରେ ଚିର ପାଳିତ ! ପ୍ରତ୍ୟେକ ଲତା ପତ୍ରର ସୌନ୍ଦର୍ଯ୍ୟ ଦେଖି ମୁଁ ହୃଦୟ ଭରି ଯାଏ । ମୋର ପ୍ରାଣ ଯେମିତି ଆନନ୍ଦରେ ନାଚି ଉଠେ। କେତେବେଳେ କେଉଁ ନଦୀତୀରେ ଗଲେ ମୋର ହୃଦୟ ଯେମିତି ତରଙ୍ଗରେ ଭାସି ଯାଏ, ମୋର ମନ ହୁଏ ସତେ ଯେମିତି ସାରା ଜୀବନ ଏଇ ନଦୀ ତରଙ୍ଗରେ ନାଚି ନାଚି ଜୀବନ ବିତେଇଦେବି। କୁଚ ବିହାରର ନଦୀ ଗୁଡ଼ାକର ବାଲି ଅଭ୍ର ପରି ଧଳା, ଭାରି ସୁନ୍ଦର, ମୁଁ ସେଇ ନଦୀ ବାଲିରେ ଶୋଇ ଶୋଇ ନଦୀର ତରଙ୍ଗ ଦେଖେ। ମୋତେ ଲାଗେ ସେମାନେ ଯେମିତି ମୋ ସାଙ୍ଗରେ କଥା ହେଉଛନ୍ତି ।
ନାନାବିଧ ଭାବ ସଂଗ୍ରହ ପାଇଁ ସବୁବେଳେ ମନକୁ ଲିପ୍ତ ରଖି ମୁଁ କଳ୍ପନାରେ ହିଁ ବାସକରେ, କଳ୍ପନା ଭିତରେ ଆତ୍ମ ବିସର୍ଜନ କରିପାରେ ମୁଁ, ସେଥିପାଇଁ ବୋଧେ ମୁଁ ଯେତେବେଳେ ଯେଉଁ ଚରିତ୍ରରେ ଅଭିନୟ କରେ, ତାହାର ଚରିତ୍ରରେ ଭାବର ଅଭାବ ହୁଏନି। ଯାହା ଅଭିନୟ କରେ , ତାହା ଯେ ଅପରର ମନମୁଗ୍ଧ କରିବା ପାଇଁ ବା ବେତନଭୋଗୀ ଅଭିନେତ୍ରୀ ବୋଲି କରୁଛି, ତାହା କେବେ ମନେ ହେଇନି। ମୁଁ ନିଜେ ନିଜକୁ ଭୁଲିଯାଏ। ଚରିତ୍ରର ସୁଖ ଦୁଃଖ ନିଜେ ଅନୁଭବ କରେ, ଅଭିନୟ କରୁଛି ତାହା ଭାବିଲେ ନିଜେ ହିଁ ବିଶ୍ୱାସ କରିହୁଏନା। ସେଥିପାଇଁ ମୋତେ ସମସ୍ତେ ସ୍ନେହ କରନ୍ତି।
ଦିନେ ଗିରିଶବାବୁ ତାଙ୍କର ‘ମୃଣାଳିନୀ’ ଦେଖିବାକୁ ଆସିଥିଲେ , ମୁଁ ମୃଣାଳିନୀରେ ‘ମନୋରମା’ ର ଚରିତ୍ରରେ ଅଭିନୟ କରୁଥିଲି। ମନୋରମା ଚରିତ୍ରଟା ଦେଖି ବଙ୍କିମବାବୁ କହିଥିଲେ “ମୁଁ ମନୋରମା ର ଚରିତ୍ର ବହିରେ ଲେଖିଥିଲି, କେବେ ଯେ ତାହା ପ୍ରତ୍ୟକ୍ଷ ଦେଖିବି ତାହା ଭାବି ନଥିଲି , ଆଜି ମନୋରମାକୁ ଦେଖିକି ମୋର ମନେ ହେଲା ଯେ, ମୁଁ ସତ୍ ମନୋରମା କୁ ଦେଖୁଛି “। କିଛି ମାସ ହେଲା ଏବେର ଷ୍ଟାର ଥିଏଟରର ମ୍ୟାନେଜର ଅମୃତଲାଲ ବସୁ ମହାଶୟ ଏଇ କଥା କହିଥିଲେ ଯେ, ” ବିନୋଦ, ତୁମେ କି ସେଇ ବିନୋଦ – ଯାହାକୁ ଦେଖି ବଙ୍କିମବାବୁ କହିଥିଲେ ଯେ, ସେ ମନୋରମାକୁ ପ୍ରତ୍ୟକ୍ଷ ଦେଖିଛି? ଯେହେତୁ ଏବେ ରୋଗରେ, ଶୋକରେ ସେ ଶଯ୍ୟାଶାୟୀ।
ମୁଁ ବହୁ ଛୋଟ ବେଳୁ ଅଭିନୟରେ ଆସିଛି । ବୁଦ୍ଧି ହେବା ଦିନରୁ ଗିରିଶବାବୁ ମହାଶୟଙ୍କର ଶିକ୍ଷାପାଇଁ ମୋତେ ଲୋକେ ବହୁ ଉଚ୍ଚ ସ୍ଥାନ ପ୍ରଦାନ କରିଆସିଛନ୍ତି, କିଛି କଠିନ ବ୍ୟବହାର କଲେ ଭାରି ଦୁଃଖ ହୁଏ । ମୁଁ ସବୁବେଳେ ଆଦର ଓ ସମ୍ମାନ ଆଶା କରେ । ମୋ ଥିଏଟରର ବନ୍ଧୁ – ବାନ୍ଧବ ମାନେ ମୋତେ ଅତ୍ୟଧିକ ଆଦର କରନ୍ତି । ଯାହା ହେଲେ ବି ଏଇ ଭିତରେ ମୁଁ କିନ୍ତୁ ଆତ୍ମନିର୍ଭର ହବାର ଭରଷା ନିଜ ଭିତରେ ସଂଚୟ କରି ସାରିଲିଣି।
ସେଇ ସମୟର ଆଉ ଗୋଟେ କଥା କୁହେ: ପ୍ରାତପବାବୁଙ୍କ ଥିଏଟରକୁ ଆସିବାର ଠିକ ଆଗେ, ବା ତା ଠାରୁ ଟିକେ ଆଗେ, ମୋର ଅବସ୍ଥା ପାଇଁ ମୋତେ ଜଣେ ସମ୍ଭ୍ରାନ୍ତ ଯୁବକଙ୍କ ଆଶ୍ରୟରେ ରହିବାକୁ ପଡିଥିଲା। ସେ ଭାରି ସଜ୍ଜନ ମଣିଷ ; ସ୍ୱଭାବ ଭାରି ଭଲ ଏବଂ ମୋତେ ଅନ୍ତର ସହିତ ସ୍ନେହ କରନ୍ତି। ତାଙ୍କର ସେହି ଅକୁତ୍ରିମ ସ୍ନେହ ପାଇଁ ମୁଁ ତାଙ୍କ ସହିତ ବାନ୍ଧି ହେଇଥିଲି । ପ୍ରଥମେ ତାଙ୍କର ଇଛା ଥିଲା ଯେ , ମୁଁ ଥିଏଟର ରେ କାମ ନ କରେ, , କିନ୍ତୁ ଯେତେବେଳେ ଏକାଥରେ ମୁଁ କୌଣସି ମତେ ରାଜି ନହେଲି , ସେ କହିଲେ , ତେବେ ତୁମେ ଅବେତନିକ (ଆମେଚର) ଭାବେ କାମ କର, ମୋର ଗାଡି ତମୁକୁ ଥିଏଟର ନେଇ ଛାଡିବା ଓ ନେଇ ଆସିବ। ମୁଁ ମହା ବିପଦରେ ପଡ଼ିଗଲି , ଚିର କାଳ ଦରମା ନେଇ କାମ କରି ଆସିଛି। ମୋ ମାଁଙ୍କର ଧାରଣା ଯେ, ଥିଏଟର ପଇସାରେ ଆମର ଦାରିଦ୍ର୍ୟ ଦଶା ସୁଧୁରିଛି , ଅତଏବ ଏହା ହିଁ ଆମର ଲକ୍ଷ୍ମୀ। ଆଉ ଆମ ଅବସ୍ଥା ଥିଲା ଯେ, ସଉକ ପାଇଁ ଆମେ କାମ କରିନୁ। ହାଡଭଙ୍ଗା ମେହନତ କରିବାକୁ ପଡୁଥିଲା ସେଥିପାଇଁ ସଉକ କରିବାର ଜାଗା ନଥିଲା। ମୁଁ ଏଇ କଥା ଗିରିଶ ବାବୁ ମହାଶୟଙ୍କୁ କହିଲି, , ସେ କହିଲେ ଯେ, “ତାହେଲେ କ’ଣ କରିବା, ତମେ ଅମୁକ ବାବୁଙ୍କୁ କହିଦିଅ ଯେ,ତମେ ଦରମା ନଉନ। ତମର ଦରମା ଟଙ୍କାଟା ମୁଁ ତମ ମାଁଙ୍କ ହାତରେ ଦେଇଦେବି। ” ଯଦିଓ ପ୍ରତାଡନା ଆମର ଚିର ସହଚରି , ଏଇ ପତିତ ଜୀବନରେ , ଆମ ବ୍ୟବସାୟର ଅଂଶ ପ୍ରତାଡନା ହେଇପାରେ , ତଥାପି ମୁଁ ବହୁତ ଦୁଃଖିତ ପାଇଲି। ଆଉ ମୁଁ ଘୃଣିତା ବାରନାରୀ ହେଲେ ବି ବହୁ ଉଚ୍ଚ ଶିକ୍ଷା ପାଇଥିଲି, ବ୍ୟବସାୟରେ ପ୍ରତାଡନା ବା ମିଥ୍ୟା, ମୁଁ ଅନ୍ତରରେ ଘୃଣା କରେ । ଅବିଶ୍ୱାସ ଆମ ଜୀବନର ମୂଳ ମନ୍ତ୍ର ହେଲେବି ମୁଁ ସମସ୍ତଙ୍କୁ ବିଶ୍ୱାସ କରେ ଓ ଭଲ ବ୍ୟବହାର କରେ । ଲୁଚାଛପା କାମ ମୁଁ ପସନ୍ଦ କରେନି । କ’ଣ କରିବି , ପରିସ୍ଥିତିରେ ପଡ଼ି ମୋତେ ଗିରିଶ ବାବୁଙ୍କର କଥାରେ ସମ୍ମତ ହବାକୁ ପଡିଲା । ଉକ୍ତ ବ୍ୟକ୍ତିଙ୍କ ସହିତ ଗିରିଶବାବୁଙ୍କର ସୌହାର୍ଦ୍ୟ ଥିଲା, ସେ ଏତେ ସଜ୍ଜନ ଯେ, କାଳେ କିଏ କ’ଣ ଭାବିବେ ବୋଲି ସମୟ ଆଗୁରୁ ସିଏ ମୋତେ ନେଇ ଥିଏଟର ରେ ଛାଡି ଦିଅନ୍ତି। ସେ ଯାହା ହଉ ପ୍ରତାପ ଜହୁରିଙ୍କ ଥିଏଟର ବେଶ ସୁଶୃଙ୍ଖଳ ଭାବେ ଚାଲିଥିଲା। ସେ ଭାରି ଭଦ୍ର ଓ ସୁଦକ୍ଷ ବ୍ୟକ୍ତି ଥିଲେ । ଯେଉଁମାନେ ଥିଏଟରରେ କାମ କରିଛନ୍ତି , କେବଳ ପ୍ରତାପ ବାବୁ ହିଁ ଋଣଗ୍ରସ୍ଥ ହେଇନାହାନ୍ତି। ଲାଭ ହେଉଥିଲା କି ନାହିଁ ଜାଣିନି, ସିଏ କେବେ କହି ନାହାନ୍ତି। ତେବେ ନୁକସାନ ହଉନି ତାହା ଜଣା ପଡେ। କାହିଁକି ନା ପ୍ରତ୍ୟେକ ରାତିରେ ଟିକେଟ ଭଲ ବିକ୍ରି ହଉଥାଏ, ଓ ସବୁକିଛି ସୁରୁଖୁରୁରେ ଚାଲୁଥିଲା। ତାଙ୍କର ସବୁ ବନ୍ଦୋବସ୍ତ ବି ଭଲ ଥିଲା। ସବୁପରେ ସେ ଯେ ଜଣେ ବ୍ୟବସାୟୀ ସେଇଟା ଜାଣି ହାଉଥିଲା। ଏଇ ପ୍ରସଙ୍ଗରେ ଉକ୍ତ ଥିଏଟର ଛାଡିବା ଓ “ଷ୍ଟାର ଥିଏଟର” ସୃଷ୍ଟିର କଥା କହି ଏଇ ଅଧ୍ୟାୟ ଶେଷ କରେ । ଗିରିଶ ବାବୁଙ୍କର ନୂଆ ନୂଆ ବହି, ନୂଆ ନୂଆ ଗଳ୍ପରେ ଆମକୁ ଭାରି ଖଟିବାକୁ ପଡୁଥିଲା। ପ୍ରତିଦିନ ଅତିଶୟ ଖଟଣି ପାଇଁ ମୋ ଦେହ ବି ଖରାପ ହବାକୁ ଲାଗିଲା, ମୁଁ ଗୋଟେ ମାସ ପାଇଁ ଛୁଟି ମାଗିଲି, ସେ ଅନେକ କଥା କଟାକଟି ପରେ ପନ୍ଦର ଦିନ ଛୁଟି ଦେଲେ। ମୁଁ ସେଇ ଛୁଟିରେ ଚିକିତ୍ସା ପାଇଁ କାଶୀ ପଳେଇଲି। କିନ୍ତୁ ସେଠି ମୋ ଦେହ ବେଶୀ ଖରାପ ହେଲା। ସେଥିପାଇଁ ମୋ ଆସିବା ପାଇଁ ପ୍ରାୟେ ଗୋଟେ ମାସ ଲାଗିଲା। ଫେରିକି ଫୁଣି ଥିଏଟରରେ ଯୋଗ ଦେଲି, କିନ୍ତୁ ଶୁଣିଲି ଯେ ପ୍ରତାପ ବାବୁ ମୋ ଛୁଟିର ଦରମା ଦେବାକୁ ଚାହୁଁ ନାହାନ୍ତି। ଗିରିଶ ବାବୁ କହିଲେ “ଛୁଟିର ଦରମା ନ ଦେଲେ ବିନୋଦ କାମ କରିବନି, ଭାରି ଅସୁବିଧା ହବ “। ଯଦିଓ ମୁଁ ସ୍ପଷ୍ଟ ଶୁଣିନି ହେଲେ ଏସବୁ ଶୁଣି ମୋ ଦେହ ଜଳିଗଲା, ଭାରି ରାଗ ଲାଗିଲା। ମୋର କେମିତି ମନ ଭିତରେ ନିଆଁ ଜଳି ଉଠୁଥାଏ। ସେଇ ଦିନ ପ୍ରତାପ ବାବୁ ଭିତରେ ଆସିଥିଲେ, ମୁଁ ମୋ ଦରମା ମାଗିଲି। ସେ ହସିକି କହିଲେ “କି ଦରମା, ତମେ ତ କାମ ହିଁ କରିନ”। ଆଛା ଦରମା ଦେବେନି ? କହି ଚାଲି ଆସିଲି। ଆଉ କେବେ ଯାଇନି।
ତାପରେ ଗିରିଶବାବୁ, ଅମୃତ ମିତ୍ର ମୋ ପାଖକୁ ଆସିଲେ। ମୁଁ ଗିରିଶ ବାବୁଙ୍କୁ କହିଲି “ମହାଶୟ !, ମୋର ବେଶି ଦରମା ଦରକାର, ଆଉ ଯାହା ତାଙ୍କର ବାକି ଅଛି ତାହା ବି ଦିଅ ନହେଲେ ମୁଁ କାମ କରିବିନି। ସେତେବେଳେ ଅମୃତ ମିତ୍ର କହିଲେ , “ଦେଖ ବିନୋଦ, ଏବେ ଆଉ ଝାମେଲା କର ନା, ଜଣେ ମାରୱାଡି ଲୋକ , ଗୋଟେ ନୂଆ ଥିଏଟର କରିବାକୁ ଚାହୁଁଛନ୍ତି , ଯେତେ ଟଙ୍କା ଖର୍ଚ୍ଚ ହବ ସେ କରିବେ। ଏବେ କିଛି ଦିନ ଚୁପ କରିକି ରହିଯା, ଦେଖିବା କଣ ହେଉଛି “।
ଏଇଠାରୁ ହିଁ “ଷ୍ଟାର ଥିଏଟର” ସୂତ୍ରପାତ ଆରମ୍ଭ ହେଲା। ମୁଁ ବି ଗିରିଶ ବାବୁ କଥା ଅନୁଯାୟୀ ପ୍ରତାପବାବୁଙ୍କୁ ଆଉ କିଛି କହିଲିନି।