ବିଶିଷ୍ଟ ଚିତ୍ରକାର ପାଣୁ ମହାରଣା ଓ ଏକ ପ୍ରଚ୍ଛଦପଟ

ପାଣୁ ମହାରଣାଙ୍କ ଚିତ୍ରରେ ତାଙ୍କର ବ୍ୟକ୍ତିଗତ ଛଟା ବଳିଷ୍ଠ ରୂପେ ଅନୁଭୂତ ହେଇଥାଏ

20 Min Read

ଶିବ ତାଣ୍ଡବ, ପଟଚିତ୍ର । ସଂଗ୍ରହ – ରାଜଭବନ, ଭୁବନେଶ୍ୱର ।

୨୦୨୨ ମସିହା ଶେଷ ସପ୍ତାହଟି ବିତିଥିଲା କଳା ଭ୍ରମଣରେ । ଆମେ ପୁରୀ ନୀଳାଚଳରୁ ଆନ୍ଧ୍ରପ୍ରଦେଶର ସୁଦୂର ସିଂହାଚଳ ପର୍ଯ୍ୟନ୍ତ ଭ୍ରମଣ କରିଥିଲୁ। ମୋ ସହଯାତ୍ରୀ ଭାବେ ସାଂଗରେ ଥିଲେ ଉତ୍ସାହୀ ଯୁବ ଗବେଷକ, ସଂଗୀତଜ୍ଞ ତଥା ଆର୍କିଭିସ୍ଟ ଶ୍ରୀ ପ୍ରତୀକ ପଟ୍ଟନାୟକ । ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ ଆମ ଭ୍ରମଣର ପ୍ରଥମ ଗନ୍ତବ୍ୟ ସ୍ଥଳଟି ଥିଲା ବୀରପ୍ରତାପପୁର ଶାସନ ନିକଟସ୍ଥ ଗୋଟେ ଛୋଟିଆ ଗାଁ ଦାଣ୍ଡସାହି । ବିଶ୍ୱ ପ୍ରସିଦ୍ଧ ରଘୁରାଜପୁର ଶିଳ୍ପୀ ଗ୍ରାମଠାରୁ ମାତ୍ର ଦୁଇ କିଲୋମିଟର ବ୍ୟବଧାନରେ ଅବସ୍ଥିତ ଏହି ଦାଣ୍ଡସାହି ଶିଳ୍ପୀ ଗ୍ରାମଟି କିନ୍ତୁ ଜନାରଣ୍ୟଠାରୁ ବିଚ୍ଛିନ୍ନ ଏବଂ ଖୁବ ନିର୍ଜନ ମନେହେଲା ।  ସେଠାକୁ ଯିବାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଚିତ୍ରକାର ଶ୍ରୀ ପାଣୁ ମହାରାଣାଙ୍କ ଜନ୍ମ ଓ କର୍ମର ଭୂଖଣ୍ଡଟିକୁ ସ୍ୱଚକ୍ଷୁରେ ଦେଖି ଅଙ୍ଗେ ନିଭେଇବା । ସେଠି ପହଞ୍ଚିଲା ବେଳକୁ ପାଖାପାଖି ଦିନ ଏଗାରଟା ବାଜି ସାରିଥିଲା, ଶୀତଦିନରେ ବି ଖରା ବଡ଼ ଟାଣ ଥିଲା । ଦାଣ୍ଡସାହିରେ ଏବେ ଅଳ୍ପ କିଛି ଚିତ୍ରକାର ଘର ରହିଛନ୍ତି । ଆମେ ସେଠାରେ ଦୁଇ ତିନି ଘର ଚିତ୍ରକାରଙ୍କୁ ଭେଟିଲୁ । ସୌଭାଗ୍ୟକ୍ରମେ ପାଣୁ ମହାରଣାଙ୍କ ନାତି ଚିତ୍ରକାର ଶ୍ରୀ ବିଭୁ ମହାରଣାଙ୍କ ସଙ୍ଗେ ଆମର ଦେଖା ହେଲା । ତାଙ୍କ ଘର ଭିତରକୁ ପ୍ରବେଶ କରୁ କରୁ ଡାହାଣ ପଟ କାନ୍ଥରେ ବଡ଼ ଆକାରର ଗୋଟେ ପଟଚିତ୍ରଟିଏ ଟଙ୍ଗା ହେଇଥିଲା । ସେଇ ପଟଚିତ୍ରଟି ଥିଲା ପାଣୁ ମହାରଣାଙ୍କ ପୁଅ ଓ ବିଭୁ ମହାରଣାଙ୍କ ବାପା ଶିଳ୍ପିଗୁରୁ ଶ୍ରୀ ଅନନ୍ତ ମହାରଣାଙ୍କ ହାତର କାମ । ଚିତ୍ରଟି ଥିଲା “ମାୟା-ଦୁର୍ଗା” । ରାମଚନ୍ଦ୍ରଙ୍କ ବନବାସ ସମୟର ଘଟଣା । ରାବଣକୁ ବଧ କରିବା ପାଇଁ ଦେବୀଦୁର୍ଗାଙ୍କ ମାଟିର ପିତୁଳାଟିଏ ଗଢ଼ି, ରାମଚନ୍ଦ୍ର ଦୁର୍ଗାପୂଜାର ଆୟୋଜନ କଲେ । ପୂଜାରେ ଲକ୍ଷେ ଆଠ ପଦ୍ମଫୁଲ ଅର୍ପଣ କଲାବେଳେ ଶେଷକୁ ଗୋଟେ ଫୁଲ କମ ପଡ଼ିଗଲା । ଦେବୀଙ୍କ ପୂଜା ବଡ଼ ନିଷ୍ଠାରେ ସମାପନ ହୁଏ । ପୂଜା ସମ୍ପର୍ଣ୍ଣ ନ ହେଲାଯାଏଁ ଅଧାରୁ ଉଠିହେବନି । ହନୁମାନ ତ ନିଜେ ହାତରେ ପଦ୍ମଫୁଲ ତୋଳି ଆଣିଥିଲେ । ଲକ୍ଷ୍ମଣ ଭଲରୂପେ ଲକ୍ଷେ ଆଠ ଫୁଲ ଗଣିଥିଲେ । ତାହେଲେ ଗୋଟେ ଫୁଲ କମ ପଡ଼ିଲା କିଭଳି । ଭାଳେଣି ପଡ଼ିଗଲା । ନିରୁପାୟ ହେଇ ରାମଚନ୍ଦ୍ର ତୂଣୀରରୁ ଶରଟିଏ ବାହାର କରି ନିଜର କମଳ ଲୋଚନରୁ ଗୋଟେ ଅର୍ପଣ କରିବାପାଇଁ ଉଦ୍ୟତ ହୁଅନ୍ତେ ସାକ୍ଷାତ ଦେବୀଦୁର୍ଗା ପ୍ରକଟ ହେଇ ରାମଚନ୍ଦ୍ରଙ୍କୁ ଅଟକାଇଲେ । ରାମଚନ୍ଦ୍ରଙ୍କ ନିଷ୍ଠାକୁ ପରୀକ୍ଷା କରିବାକୁ ଯାଇ ଦୁର୍ଗା ମାୟାରେ ଫୁଲଟିଏ ଅନ୍ତର୍ଦ୍ଧାନ କରଦେଇଥିଲେ । ପୂଜାରେ ଦେବୀଦୁର୍ଗା ଅତ୍ୟନ୍ତ ପ୍ରସନ୍ନ ହେଇ ରାମଚନ୍ଦ୍ରଙ୍କୁ ଯୁଦ୍ଧରେ ବିଜୟୀଭବ ବୋଲି ବର ପ୍ରଦାନ କଲେ । ପୁରୀଧାରାରେ ଅଙ୍କା ବଳିଷ୍ଠ ସ୍ୱଭାବର ସେଇ ପଟଚିତ୍ରଟି ଆଡ଼କୁ ଆଖି ଆପେ ଆପେ ଚାଲିଗଲା । ଚିତ୍ରଟିକୁ ଦେଖି ସ୍ୱତଃସ୍ଫୁର୍ତ୍ତଭାବେ ମୁଁ କହିଉଠିଥିଲି, ଶଂଙ୍ଖପୋତା କାମ କେଡ଼େ ସୁନ୍ଦର ହୋଇଚି ! ସେଇ ପଦକ କଥାରେ ବିଭୁ ମହାରଣା ଠଉରେଇନେଲେ ଯେ, ଏ ଲୋକଜଣକ ଏମିତି ସେମିତି ନୁହ‌ଁନ୍ତି କିନ୍ତୁ ପଟଚିତ୍ରକୁ ଜାଣିଥିବା ବୁଝିଥିବା କେହି ଜଣେ ବ୍ୟକ୍ତି । ସେଠୁ ସେ ଆମ ଉଦ୍ଦେଶ୍ୟ ବୁଝିପାରି  ଆମକୁ ପାଣୁ ମହାରଣାଙ୍କ ହାତର ଗୋଟେ ବଡ଼ ଅସମ୍ପୂର୍ଣ୍ଣ ରାମଲୀଳା ପଟି ଦେଖାଇଲେ । ରାମଲୀଳା ପଟିର ଠିକ୍ ମଝିକି ରଘୁନାଥ ଅଭିଷେକ । ରାମାଭିଷେକ ବୋଲି ନ କହି ପାଣୁ ମହାରଣେ ସଦାବେଳେ ରଘୁନାଥ ଅଭିଷେକ ବୋଲି କହୁଥିଲେ । ରାମାଭିଷେକ ଅପେକ୍ଷା ରଘୁନାଥ ଅଭିଷେକ ବୋଲି କହିବା ଅଧିକ ସମୀଚୀନ ବୋଲି ମନେ କରୁଥିଲେ । ଯାଗା ଯାଗା ଟିପଣା, ଠାଏ ଠାଏ ବନକା ସାଙ୍ଗକୁ କିଛି କିଛି ଯାଗାରେ କାମ ସରୁକଳା ପର୍ଯ୍ୟନ୍ତ ଉପନୀତ ହେଇଥିଲା । ସରୁକଳା ପାଖର ଧଡ଼ିଗୁଡ଼ିକ ସରିଆସିଥିଲା । ପାଣୁ ମହାରଣାଙ୍କ କାମ କରିବାର ପଦ୍ଧତିକୁ ଉତ୍ତରୋତ୍ତର ଖୋଲାଖୋଲିଭାବେ ଦେଖିବାର ସୁଯୋଗ ମିଳିଲା । ଏଇ କାମଟି ହୁଏତ ପାଣୁ ମହାରଣାଙ୍କ ଜୀବନର ଅନ୍ତିମ ସନ୍ତକ (swansong) ହୋଇଥାଇପାରେ ।

“ମାୟା-ଦୁର୍ଗା”, ପଟଚିତ୍ର । ଫଟୋ ସୌଜନ୍ୟ: ପ୍ରତୀକ ପଟ୍ଟନାୟକ ।

ପାଣୁ ମହାରଣାଙ୍କ ହାତର ଅସମ୍ଫୂର୍ଣ୍ଣ ରାମଲୀଳା ପଟି । ଫଟୋ ସୌଜନ୍ୟ: ପ୍ରତୀକ ପଟ୍ଟନାୟକ ।

ଦାଣ୍ଡସାହିରେ ପାଖାପାଖି ଦୁଇ ଘଣ୍ଟା ଅତିବାହିତ କରିଥିଲୁ ଆମେ । ଖରା ସାଙ୍ଗକୁ ଭୋକ ଲାଗୁଥାଏ, ସ୍ଥିରକଲୁ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାରଠାରେ ମଧ୍ୟାହ୍ନ ଭୋଜନ କରିବୁ ।  ସେଇଯୋଗୁଁ ରଘୁରାଜପୁରକୁ ଆଉ ନ ଯାଇ, ଆମେ ସେଦିନ ସିଧା ପୁରୀ ଜଗନ୍ନାଥ ମନ୍ଦିର ଅଭିମୁଖେ ବାହାରି ପଡ଼ିଥିଲୁ । ପରେ ପରେ ଅନୁଧ୍ୟାନପୂର୍ବକ ପ୍ରସ୍ତୁତ ଆମ କଳା ଯାତ୍ରାସୂଚୀ ଅନୁଯାୟୀ ଆମେ ପାଖାପାଖି ସମସ୍ତ ଯାଗା ପରିଦର୍ଶନ କରି ଶେଷରେ ଭୁବନେଶ୍ୱରରେ ପହଂଚିଥିଲୁ । ଭୁବନେଶ୍ୱରରେ ଦି’ତିନି ଦିନ ବିଶ୍ରାମ ପରେ ଦିଲ୍ଲୀ ଫେରିଯିବା ପାଇଁ ପ୍ରସ୍ତୁତ ହେଉଥାଏ । ଇତି ମଧ୍ୟରେ ନୂଆବର୍ଷ ପଦାର୍ପଣ କରିସାରିଥାଏ । ଦିଲ୍ଲୀ ଫେରିବାର ଦିନକ ପୂର୍ବରୁ ଭୁବନେଶ୍ୱରରେ ରହୁଥିବା ମୋ ବଡ଼ ଭଉଣୀ ଘରକୁ ଯାଇଥାଏ । ତାଙ୍କ ଘରେ ମୋର ଗୋଟେ ଲୁହା ଟ୍ରଙ୍କ ବାକ୍ସଟିଏ ରଖିଥିଲି, ଯେଉଁଥିରେ ପ୍ରାୟ ସତେଇଶି ବର୍ଷ ତଳର ମୋର ଯାବତୀୟ ଖାତା, ବହି, ଆର୍ଟ କ୍ୟାଲେଣ୍ଡର, କ୍ୟାଟଲଗ୍ ଏବଂ ଅନାବନା କେତେକଣ ଜିନିଷ ଭରି ହେଇ ରହିଥିଲା । ଟ୍ରଙ୍କଟିକୁ ଖୋଲି ପୁରୁଣା ଜିନିଷ ଅଣ୍ଡାଳିଲାବେଳେ ଅଚାନକ ଭାବରେ ପାଇଲି ସେଇ ଚଟି କ୍ୟାଟଲଗ୍ ଖଣ୍ଡିକ । କ୍ୟାଟଲଗର ପ୍ରଚ୍ଛଦପଟରେ ଥିଲା ପାଣୁ ମହାରଣାଙ୍କ ସେଇ ଚିତ୍ରଟି ଯାହାକୁ ମୁଁ ଅନେକ ଦିନରୁ ମନେ ମନେ ଖୋଜୁଥିଲି । ଆନନ୍ଦର ସୀମା ରହିଲା ନାହିଁ । ମୋର ଅତି ପ୍ରିୟତମ ଚିତ୍ରମାନଙ୍କ ଭିତରୁ ଇଏ ଗୋଟେ ଚିତ୍ର । ମନେମନେ ଭାବିଲି ଏକି ସଂଯୋଗ ! କଳା ଯାତ୍ରାର ଆରମ୍ଭ ପାଣୁ ମହାରଣାଙ୍କ ଗାଁ’ଠୁ ଆରମ୍ଭହୋଇ ତାଙ୍କରି ଖଣ୍ଡେ କାମର ମୁଦ୍ରିତ ପ୍ରତିକୃତିଠାରେ ଶେଷ ହେଲା ।

ଭୁବନେଶ୍ୱରର ବି.କେ ଆର୍ଟ କଲେଜରେ ପଢ଼ିବାବେଳର କଥା । ୧୯୯୨ ମସିହାରେ ଲଳିତ କଳା ଅକାଦେମୀ, ନୂଆ ଦିଲ୍ଲୀ ଦ୍ୱାରା ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର, ଭୁବନେଶ୍ୱରଠାରେ ମାର୍ଚ୍ଚ ୧୬ ରୁ ୨୩ ଯାଏଁ ସପ୍ତାହକ ପାଇଁ ଏକ ପ୍ରଦର୍ଶନୀ ଓ ସେମିନାରର ଆୟୋଜନ କରାଯାଇଥିଲା । ପ୍ରଦର୍ଶନୀର ଶୀର୍ଷକ ଥିଲା Primitive Vigour: Tribal, Folk and Traditional Arts of India । କନଭେନର୍ ଦାୟୀତ୍ୱ ବହନ କରିଥିଲେ ଡକ୍ଟର ଦିନନାଥ ପାଠୀ ଏବଂ ସେଇ ଅବସରରେ ଡକ୍ଟର ପାଠୀଙ୍କ ତତ୍ତ୍ୱାବଧାନରେ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର, ଭୁବନେଶ୍ୱର ଦ୍ୱାରା  ୩୫ ପୃଷ୍ଠାର ଖଣ୍ଡେ କ୍ୟାଟଲଗ୍ ପ୍ରକାଶିତ ହୋଇଥିଲା । ୨୦.୫ ଗୁଣନ ୨୨.୫ ସେଣ୍ଟିମିଟର ସାଇଜର କ୍ୟାଟଲଗ୍ ପ୍ରଚ୍ଛଦପଟଟି ଭଲରୂପେ ଲ୍ୟାମିନେଟେଡ୍ ହୋଇଥିଲା । କ୍ୟାଟଲଗର ପ୍ରଚ୍ଛଦରେ ଛପାଯାଇଥିଲା ଚିତ୍ରକାର ପାଣୁ ମହାରଣାଙ୍କ ଏକ ପଟଚିତ୍ର । ଦ୍ୱିତୀୟ ପୃଷ୍ଠାରେ ପ୍ରଚ୍ଛଦ ବିବରଣୀରେ ଲେଖାଯାଇଥିଲା :– “ଶିବ ତାଣ୍ଡବ, ପଟଚିତ୍ର, ଓଡ଼ିଶା । ସଂଗ୍ରହ – ରାଜଭବନ, ଭୁବନେଶ୍ୱର ।“ ଏଯାବତ୍ ମୂଳ ପଟଚିତ୍ରଟି ଦେଖିବାର ସୁଯୋଗ ପାଇ ନାହିଁ । ଉକ୍ତ ପଟଚିତ୍ରଟି ରାଜଭବନଠାରେ ଅଦ୍ୟାବଧି ସୁରକ୍ଷିତଭାବେ ବିଦ୍ୟମାନ ଅଛି କି ନାହିଁ  ତାହାର ସୂଚନା ମଧ୍ୟ ମୋ ପାଖରେ ନାହିଁ । ସେଇ ମୂଳ ପଟଚିତ୍ରଟିକୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ଉପଲବ୍ଧ ପ୍ରତିକୃତି ହେଲା ଏଇ କ୍ୟାଟଲଗରେ ମୁଦ୍ରିତ ପ୍ରଚ୍ଛଦପଟ । ଏଥିପାଇଁ ଶ୍ରେୟର ଭାଗୀଦାର ହେବେ ଦିନନାଥ ପାଠୀ । ପଟଚିତ୍ରଟିକୁ ଅକ୍ଷୁର୍ଣ୍ଣରୂପେ ଛାପିବାକୁ ଯାଇ ପ୍ରଚ୍ଛଦପଟ ଉପରେ କୌଣସି ଶିରୋନାମା ଆଦି ଲେଖା ନ ଛାପି ସେ ଆଉ ଏକ ମହାନକାର୍ଯ୍ୟ କରିଯାଇଛନ୍ତି ।

ପାଣୁ ମହାରଣାଙ୍କ ହାତର “ଶିବ ତାଣ୍ଡବ” ଚିତ୍ରଟି ହେଉଛି ଏକ ଚାରିକୋଣିଆ ପଟି ଉପରେ ତିଆରି ପଟଚିତ୍ର । ପଟିର ଠିକ ମଝାମଝିକୁ ବିଶାଳକାୟ ପଞ୍ଚମୁଖୀ ମହାଦେବ ତାଣ୍ଡବ ନୃତ୍ୟରେ ମଗ୍ନ । ଶିବଙ୍କ ଅର୍ଦ୍ଧ ନିମୀଳିତ ମୁଖମଣ୍ଡଳର ଭାବ ଇତର ମନୁଷ୍ୟ ପକ୍ଷେ ଅବୋଧ୍ୟ । ଭାଙ୍ଗନିଶାରେ ଉବୁଟୁବୁ ହେଲାଭଳି ମାଦକଭରା ଚାହାଣି । କିସୁନ୍ଦର ସେ ଆଖି, ନାକ ଆଉ ପାଟିର ଗଢ଼ଣ ! ନାକର ଗଢ଼ଣ ଏକ ଉର୍ଦ୍ଧ୍ୱଗାମୀ ଲିଙ୍ଗଭଳି ପ୍ରତୀତ ହେଉଛି । ହେଙ୍ଗୁଳରଙ୍ଗର ଜମୀନ୍ ଉପରେ ଶଙ୍ଖ ରଙ୍ଗର ମହାଦେବଙ୍କ କର୍ପୁର ଭଳି ଧବଳ ଶରୀର ଅତୀବ ଭବ୍ୟ ମନେ ହେଉଛି । ପଞ୍ଚମୁଖକୁ ଖଞ୍ଜିଲା ଭଳି ସମାନ ଦଶଭୁଜ । କଙ୍କଣ, ହାତଖଡ଼ୁ, ବଳା ଆଦି ଗହଣାରେ ସୁଶୋଭିତ ହସ୍ତଗୁଡ଼ିକରେ କ୍ରମାନୁଯାୟୀ ଉପରୁ ତଳକୁ ସର୍ପ ଓ ଫର୍ଶା, ତ୍ରିଶୂଳ ଓ ଡମ୍ବରୁ, ଅଙ୍କୁଶ ଓ ଫାଶ, ବାନା ଓ ଘଣ୍ଟି ଏବଂ ସବାତଳକୁ ବରଦ ମୁଦ୍ରା ଓ ଅସ୍ତୁ ମୁଦ୍ରା । ଶିବଙ୍କ ଧବଳ ଶରୀରକୁ ମାନିଲାଭଳି ହଳଦିରଙ୍ଗର ନିଖୁଣ ଗୋଲେଇଡ଼ାଳିର ଛିଟ ପଡ଼ିଥିବା ନୀଳବର୍ଣ୍ଣର ଧୋତି ଓ ଉତ୍ତରୀ । ଆଣ୍ଟାରୁ ଝୁଲୁଥିବା ହଳଦିଆ ଗାମୁଛା ଉପରେ କଳାରଙ୍ଗର ଟୋପା ଛିଟ ପଡ଼ିଛି, ଯାହା ଚିତାବାଘ ଛାଲ ସଦୃଶ ମନେ ହେଉଛି । ସୁବର୍ଣ୍ଣରଙ୍ଗର ଗୋଟେ ଛୋଟିଆ କିନ୍ତୁ ମୋତି ମାଣିକ୍ୟରେ ଖଞ୍ଜା ସୁନ୍ଦର ଏକ ବେଦୀ ଉପରେ ପଞ୍ଚମୁଖୀ ଶିବ ନୃତ୍ୟରତ । ବେଦୀର ଡାହାଣପଟ ତଳକୁ ତନ୍ମୟ ଚିତ୍ତରେ ବସିଛନ୍ତି ନନ୍ଦି ଏବଂ ପାଖକୁ ଚତୁର୍ଭୁଜ ବିଷ୍ଣୁ ଦଣ୍ଡାୟମାନ ହେଇ ଶିବ ତାଣ୍ଡବକୁ ତାଳ ପକାଇ ଗିନି ବଜାଉଛନ୍ତି । ବିଷ୍ଣୁଙ୍କ ଦେହର ବର୍ଣ୍ଣ ଗାଢ଼ ନୀଳ । ହଳଦି ବର୍ଣ୍ଣର ଧୋତି ଓ ଉତ୍ତରୀୟ ସାଙ୍ଗକୁ ସଫେଦା ରଙ୍ଗର ଅଣ୍ଟାଭିଡ଼ା ପିନ୍ଧିଛନ୍ତି ସେ । ବେଦୀର ବାମ ପଟକୁ ବସିଛନ୍ତି ଭୃଙ୍ଗୀ ଓ ପାଖକୁ ଚତୁରାନନ ବ୍ରହ୍ମା ଧଳାରଙ୍ଗର କପଡ଼ା ଗୁଡ଼ିଆ ହେଇଥିବା ଗୋଟେ ମର୍ଦ୍ଦଳ ବଜାଇ ଉଲ୍ଲାସରେ ନାଚୁଛନ୍ତି । ମନେହେଉଛି, ସତେଯେମିତି ବ୍ରହ୍ମା ନାଚି ନାଚି ନାଚରେ ଉଦ୍ଦଣ୍ଡ ହୋଇଉଠୁଛନ୍ତି, ଗୋଟେ ସଂଗ୍ୟାହୀନ ଅବସ୍ଥାକୁ ଉପନୀତ ହେଇପଡ଼ୁଛନ୍ତି । ବ୍ରହ୍ମାଙ୍କ ହଳଦିଆ ବର୍ଣ୍ଣର ଦେହରେ ଧଳା ରଙ୍ଗର ଧୋତି ଉତ୍ତରୀୟ ପିନ୍ଧାଇଛନ୍ତି । ନନ୍ଦିଙ୍କ ଆଗଗୋଡ଼ ଦୁଇଟି ବେଦୀର କୋଣନାସିକାକୁ ବାଜୁଛି । ସେ ଲାଞ୍ଜ ଟେକି ପୁଛରେ ନିଜ ଦେହକୁ ଝାଡ଼ୁଅଛି । ଭୃଙ୍ଗୀ ଋଷି ନିର୍ଲିପ୍ତ ଚିତ୍ତରେ ସିଦ୍ଧାସନରେ ବସିଛନ୍ତି । ଡାହାଣ ହାତରେ ଜପାମାଳି ଧରିଛନ୍ତି । ବାମହାତଟିକୁ ଡାହାଣ ଗୋଡ଼ର ପାଦ ଉପରେ ଥୋଇଛନ୍ତି । ବସ୍ତ୍ର ନାମରେ କେବଳ ଧଳା କୌପନୀ ଖଣ୍ଡେ ପିନ୍ଧିଛନ୍ତି । ଗଣିଲା ଭଳି  ଚାରିଟି ଜଟା ଚାରିଦିଗକୁ ବିଛୁରି ପଡ଼ିଛି । ଦେହର ରଙ୍ଗ ହଳଦିଆ ।

ପାଖାପାଖି ଆଠଶବର୍ଷ ପ୍ରାଚୀନ ଶ୍ରୀକ୍ଷେତ୍ର ସାହିଯାତ ପରମ୍ପରାର ସିଧାସଳଖ ପ୍ରଭାବ ଏହି ପଟଚିତ୍ର ଉପରେ ସ୍ପଷ୍ଟ ପରିଲକ୍ଷିତ ହୁଏ । ମହାଦେବଙ୍କ ମୁଖମଣ୍ଡଳ ପୁରୀ ଅଂଚଳର ପାରମ୍ଫରିକ ମୁଖା ସଦୃଶ ମନେହୁଏ । ସାହିଯାତରେ ବ୍ୟବହୃତ ମେଢ଼ର ଚିତ୍ରିତ ହସ୍ତ ଭଳି ମନେହେଇଛି ମହାଦେବଙ୍କ ଦଶଭୁଜ – ମୂର୍ତ୍ତିମନ୍ତ, ସ୍ଥିର ଓ ସ୍ଥିତିଶୀଳ । ଓଜନଦାର ମେଢ଼ ବେଶଭୂଷାର ଭାର ସନ୍ତୁଳନ ରକ୍ଷା କରି ଠାଟ୍ ପଟୁଆରରେ ମହାଦେବ ଢଳି ଢଳି ନାଚିଲା ଭଳି ମନେହେଉଛନ୍ତି । ଜାଗାଘର ଯୁବକଙ୍କ ବଳିଷ୍ଠ ପୂରିଲା ଅଙ୍ଗସୌଷ୍ଠବ ସହ ଶିବଙ୍କ ଶରୀରତତ୍ତ୍ୱର ତୁଳନାତ୍ମକ ଅନୁଶୀଳନ କରାଯାଇପାରେ । ଶିବଙ୍କ ଉନ୍ମୁକ୍ତ ବକ୍ଷଃସ୍ଥଳ ଓ ବଳିଷ୍ଠ ଜାନୁଦ୍ୱୟକୁ ଅନୁଧ୍ୟାନକଲେ ଏକଥା ଯେକେହି ସହଜରେ ବୁଝିପାରିବେ । ବିଭିନ୍ନ ଯୁଗର ନଟରାଜ ମୂର୍ତ୍ତୀଗୁଡ଼ିକୁ ନିରୀକ୍ଷଣକଲେ ପାଣୁ ମହାରଣାଙ୍କ ଶିବ ତାଣ୍ଡବରେ ରହିଥିବା ବୈଶିଷ୍ଟ୍ୟମୂଳକ ପାର୍ଥକ୍ୟ ପ୍ରାଂଜଳରୂପେ ବାରି ହୋଇପଡ଼େ । ଶୁଦ୍ଧ ପୁରୀ ଢାଂଚାର ପ୍ରଭାବ ଅତି ସ୍ପଷ୍ଟ ଭାବେ ଅନୁଭୂତ ହୁଏ ।

ସୁବର୍ଣ୍ଣରଙ୍ଗର ପିଢ଼ ଦେଉଳଟି ଅତି ସୁନ୍ଦର ଭାବେ ଗଢିଛନ୍ତି ପାଣୁ ମହାରଣା । ଚିତ୍ରକାର ବିଭୁ ମହାରଣାଙ୍କ ମତରେ ପିଢ଼କୁ ଚିତ୍ରକାରଙ୍କ ଭାଷାରେ ବେଢ଼ା କୁହାଯାଏ । ହୀରା,ମୋତି, ମାଣିକ୍ୟରେ ଖଞ୍ଜା ସୁବର୍ଣ୍ଣ ପିଢ଼ଦେଉଳଟିରେ ପାଞ୍ଚଟି ପିଢ଼ ରହିଛି । ପଞ୍ଚମୁଖୀ ଶିବଙ୍କ ମସ୍ତକ ଉପରକୁ ଗଣିଲାପରି ସମାନେ ପଞ୍ଚପିଢ଼ ଦେଉଳ । ଦେଉଳର ମନଲୋଭା ନିଖୁଣ କାରୁକାର୍ଯ୍ୟ ଚିତ୍ରର ଶୋଭା ବର୍ଦ୍ଧନ କରୁଛି । ମହାଦେବଙ୍କ ମନତୋଷିଲା ଭଳି ପିଢ଼ାମାନଙ୍କରେ ନାଗେରା ବା ନାଗା ଫୁଲର ଛିଟ ସାଙ୍ଗକୁ ପିଢ଼ ସନ୍ଧିରେ ଗଙ୍ଗଶିଉଳି ଫୁଲର ଧଡ଼ି ପକାଇ ମହାରଣେ କି ସୁନ୍ଦର ଅଳଙ୍କୃତ କରିଛନ୍ତି । ଦେଉଳ ଉପରୁ ହଂସ ସାହାଣ ଯାଏଁ ତ୍ରିକୋଣୀୟ ଯାଗାଟିକୁ କଣଭୁଜ ବୋଲି କୁହାଯାଏ । ଗାଢ଼ ପଚା (ସାଗୁଆ)  ରଙ୍ଗର ଜମୀନ୍ ଉପରେ ଦିପଟର କଣଭୁଜରେ ବିପରୀତ ମୁଖୀ ଦୁଇଟି ଓଲଟ ଶାର୍ଦ୍ଦୂଳ ଦେଉଳ ପିଢ଼ା ଉପରେ ଚଢ଼ି ଠିଆ ହେଇଛନ୍ତି । ଅହର୍ନିଶ ଗର୍ଜ୍ଜୁଥିବା ଦୁଇ ଶକ୍ତିଶାଳୀ ଓଲଟ ଶାର୍ଦ୍ଦୂଳଙ୍କ ମୁଣ୍ଡର ମୁକୁଟ ହଂସ ସାହାଣ ଉପରକୁ ସାମାନ୍ୟରୂପେ ଚଢ଼ି ଯାଇଛି । ଶାର୍ଦ୍ଦୂଳ ଚାରିପାଖକୁ ହଳଦିଆ ରଙ୍ଗର ଡ଼ାଳି ଆଙ୍କିଛନ୍ତି । ଲକ୍ଷ୍ୟ କରିବାର କଥା ଯେ, ନନ୍ଦି ହେଉ କି ବୃଷଭ ସାହାଣର ଧାଡ଼ି ଧାଡ଼ି ବୃଷଭମାନେ ହୁଅନ୍ତୁ କାହାର ବି ଲିଙ୍ଗ ଅଙ୍କା ନଯାଇ ଥିବା ସ୍ଥଳେ ଶାର୍ଦ୍ଦୂଳ ଦ୍ୱୟଙ୍କର କିନ୍ତୁ ଲିଙ୍ଗ ଅଙ୍କା ଯାଇଅଛି ।

ସାମ୍ନାରୁ ପିଢ଼ ଦେଉଳକୁ ଲକ୍ଷ୍ୟକଲେ ବାମପାର୍ଶ୍ଵକୁ ପାଞ୍ଚ ଥାକ ପିଢ଼ ଥିବା ସ୍ଥଳେ ଡାହାଣ ପାର୍ଶ୍ଵକୁ ଛଅ ଥାକ ପିଢ଼ ରହିଛି । ତାହାର କାରଣ ହେଲା ଦେଉଳ ଖମ୍ବର ଉଚ୍ଚତାରେ ଅନ୍ତର ରହିଛି । ମୋର ମନେ ହୁଏ ପଞ୍ଚମୁଖକୁ ଖଞ୍ଜିଲା ଭଳି ଶିଳ୍ପୀ ମହାରଣେ ପଞ୍ଚପିଢ଼ର ଦେଉଳଟିଏ ପରିକଳ୍ପନା କରିଥିବେ ବନଉ ବନଉ କିନ୍ତୁ ଡାହାଣପଟରେ ଛଅ ପିଢ଼ା ବନିଯାଇଛି । ଏଠି କିନ୍ତୁ ଲକ୍ଷ୍ୟ କରିବାର କଥା ଯେ, ସେ ତାଙ୍କ ଶୈଳ୍ପିକ ଚାତୁରୀର ପ୍ରୟୋଗ କରି ଛୋଟ ବଡ଼କୁ ସମାନ କରି ସଜାଡ଼ି ଦେଇଛନ୍ତି । ଯାହା ନଗଣିଲା ଯାଏଁ ସାଧାରଣ ଆଖିରେ ଅବଗତ ହେଉନାହିଁ ।  ଏହା ଦୃଶ୍ୟକୁ ଦୃଶ୍ୟାତୀତ ସ୍ତରରେ ପହଞ୍ଚାଇ ଦେବାର ଅସାଧ୍ୟ ଶୈଳ୍ପିକ ସାଧନାର ନିଦର୍ଶନ । ଦର୍ଶକଙ୍କର ଚକ୍ଷୁବନ୍ଧନ କରିଦେବା ଭଳି କଥା । ଏକଥା ଯେ କେବଳ ବୁଦ୍ଧି ଓ ଚାତୁରୀରେ ସମ୍ଭବ ତାହା ବି ନୁହଁ ଭାବ ଓ ମାଧୁର୍ଯ୍ୟ ନ ରହିଲେ ସବୁକିଛି ବିଗିଡ଼ି ଯିବ । ଚିତ୍ରରେ ଦୋଷ ମାର୍ଜନା କରିବାର ଅନେକ ମାର୍ଗ ରହିଥିବା ସ୍ଥଳେ ଏଠି ମହାରଣା ଭାବ ସ୍ତରରେ ଦୋଷ ମାର୍ଜନା କରିଛନ୍ତି । ଚିତ୍ରରେ ଭୁଲ ହେଇଯିବା ଆଦୌ ଗୋଟେ ଭୁଲ କଥା ନୁହେଁ ବରଂ ସେଇ ଭୁଲଭଟକା ଭିତରେ ହିଁ ଲୁଚିରହିଥାଏ ଶିଳ୍ପୀର ମୌଳିକ ଗୁଣ । ସେ ଯେ ଅନ୍ୟ ଶିଳ୍ପୀମାନଙ୍କ ପାଖରୁ ଭିନ୍ନ ଓ ସ୍ୱତନ୍ତ୍ର ତାହା ନିର୍ଦ୍ୱନ୍ଦ୍ୱରେ ବାରି ହେଇ ପଡ଼ିଥାଏ । ଦେଉଳ ପିଢ଼ ତଳକୁ ଦିପଟର ଖମ୍ବ ଉପରକୁ ତିନି ଟିକିଆ ଖିଲାଣ । ଖିଲାଣ ଉପରେ କି ସୁନ୍ଦର ନିଖୁଣ ଝଲର ଧଡ଼ି ଲେଖାଯାଇଛି । ଖିଲାଣ ତଳକୁ ଗାଢ଼ ପଚାରଙ୍ଗର ଚାନ୍ଦୁଆ ଉପରେ ଜାଲି ଛିଟ ପଡ଼ିଛି । ଖିଲାଣର ଠିକ ମଝାମଝିକୁ ଦେଉଳ ଘଣ୍ଟିଟିଏ ଝୁଲୁଛି । ଚାନ୍ଦୁଆ ମଝିରୁ ଓ ଖିଲାଣ କୋଣରୁ ଶଙ୍ଖପୋତାରେ ଅଙ୍କା ତିନିଟିକିଆ ଝରାମାନ ଝୁଲୁଅଛି । ଚାନ୍ଦୁଆର ଧଡ଼ିଟି ପଟଚିତ୍ର ଗହଣା ଭଳି ନାଲି-ହଳଦିଆ ଓ ଶଙ୍ଖ ରଙ୍ଗର ହେଇଛି । ଧଡ଼ିର କୁଞ୍ଚି ମୋଟକଳାରେ ହେଇଛି । ଗାଢ଼ପଚା ରଙ୍ଗର ଦେହ ଓ ଧଡ଼ି ମଝିକୁ ଗୋଟେ ନାଲି ଗାର । ନାଲିଗାରକୁ ଲାଗିକରି ରଙ୍ଗଲେଖା ହେଇଛି, ପ୍ରଥମେ ଗୁଣାଗାର । ଗୁଣାଗାରରୁ ସିଧା ସିଧା ଗାର କୁଟାଯାଇଛି । ଗୋଲକୁଟା ସାଧାରଣତଃ ମୁଖ୍ୟ ଗହଣାମାନଙ୍କରେ ବ୍ୟବହାର ହେଇଥାଏ ଏଠି କିନ୍ତୁ ମହାରଣେ କି ବେଢ଼ା, କି ଖିଲାଣ, କି ଖୁମ୍ବ, କି ଖୁଣ୍ଚି ସର୍ବତ୍ର ଗୋଲକୁଟାରେ ଭରିଦେଇଯାଇଛନ୍ତି । ସେ ପୁଣି ତର ତର ନ ହୋଇ ଥୟରେ ଗଣିଲା ଭଳି, ଜପିଲା ଭଳି  ସରଳ ସୁଢ଼ଳଭାବେ ଗୋଲକୁଟା କୁଟିଛନ୍ତି ଯେ ସତେଯେମିତି ଜପା ରୁଦ୍ରାକ୍ଷ ମାଳି ଭଳି ଜ୍ଞାତ ହେଉଛି ।

ପଟଚିତ୍ରରେ ସାଧାରଣତଃ ଦୁଇଟିରୁ ତିନିଟି ଧଡ଼ି ଅଙ୍କା ଯାଉଥିବା ସ୍ଥଳେ ମହାରଣେ ଚାରି ଚାରିଟି ଧଡ଼ି ଆଙ୍କିଛନ୍ତି । ଏଥିରୁ ମନେହେଉଛି ମୂଳ ପଟଚିତ୍ରଟି ଆକାରରେ ବଡ଼ ହୋଇଥିବ । ପଟିର ବାହାରପଟକୁ କେବଳ ଗୋଟେ ବଡ଼ ଚଉଡ଼ା ଧଡ଼ି ବାକି ତିନୋଟି ଅପେକ୍ଷାକୃତ ସରୁଆ ପତଳା ଧଡ଼ି । କାମର ବୈଶିଷ୍ଠ୍ୟତା ଉପରେ ନିର୍ଭର କରେ ଧଡ଼ିର ସଂଖ୍ୟା । ଚାଲୁ କାମମାନଙ୍କରେ ଦୁଇଟିରୁ ଅଧିକ ଧଡ଼ି ଅଙ୍କାଯାଏନା । ଧଡ଼ି ଅଙ୍କାରେ ମଧ୍ୟ ମହାରଣାଙ୍କ ଗୂଢ଼ଚିନ୍ତନ ପ୍ରତିଫଳିତ ହେଉଛି । ଚିତ୍ରର ମୂଳ ଅବଧାରଣାକୁ ଖାପ ଖୁଆଇଲା ଭଳି ଧଡ଼ିଗୁଡ଼ିକୁ କିସୁନ୍ଦର ସେ ଆଙ୍କିଛନ୍ତି! ଶିବଙ୍କ ପ୍ରିୟ ବାହନ ନନ୍ଦିଙ୍କ ପ୍ରଭାବରେ ବାହାରପଟର ଚୌଡ଼ା ଧଡ଼ିଟିରେ ସତେଯେପରି ନନ୍ଦିଙ୍କ ଅସରନ୍ତି ପଟୁଆର ଚାଲିଛି । ମହାରଣେ ଲିଙ୍ଗ ଆଙ୍କି ନଥିବାରୁ ଧାଡ଼ି ଧାଡ଼ି ବୃଷଭ କି ଗାଈ ନିର୍ଣ୍ଣୟ କରିବାରେ କ୍ଷଣିକ ପାଇଁ ଦର୍ଶକ ମନରେ ସଂଶୟ ଉପୁଜିବା ସ୍ୱାଭାବିକ କଥା କିନ୍ତୁ, ପିଠିର ଚୂଳକୁ ଲକ୍ଷ୍ୟକଲେ ସ୍ପଷ୍ଟରୂପେ ବୃଷଭ ମନେହେଉଛି । ଓଡ଼ିଆ ହିନ୍ଦୁ ପରମ୍ପରାରେ ସମସ୍ତ ଜୀବନ୍ତ ବୃଷଭଙ୍କୁ ନନ୍ଦି ସ୍ୱରୂପ ମାନାଯାଏ । ଆମ ଓଡ଼ିଶାରେ ଜୀବନ୍ତ ବୃଷଭ ଯେତେ, ବୃଷଭ ମୂର୍ତ୍ତୀ ସେତେ । ମହାରଣେ ବୃଷଭ ଧଡ଼ି ସ୍ଥଳେ ବୃଷଭ ସାହାଣ ବୋଲି କହୁଥିଲେ । ସେଭଳି ଭିତରପଟର ସରୁ ଧଡ଼ିଟିକୁ ହଂସ ଧଡ଼ି ପରିବର୍ତ୍ତେ ହଂସ ସାହାଣ କହୁଥିଲେ । ଚିତ୍ରର ବାହାର ପ୍ରାନ୍ତରୁ ଭିତର ଆଡ଼କୁ କ୍ରମରେ ଧଡ଼ିଗୁଡ଼ିକର ନାମ ହେଲା ବୃଷଭ ସାହାଣ, ନାଗଫାଶ ଧଡ଼ି, ମାଛି ଧଡ଼ି ଏବଂ ସର୍ବାଭିତରକୁ ହଂସ ସାହାଣ । ତେଣୁ ବାସ୍ତବପକ୍ଷେ, ମହାରଣେ ଯୋଡ଼େ ସାହାଣ ମଝିରେ ଯୋଡ଼େ ଧଡ଼ି ଆଙ୍କିଛନ୍ତି ।

ପୁରୀ ଧାରାରେ ପଟଚିତ୍ରର ପଟଭୂମି ବା backgroundକୁ ଚିତ୍ରକାରଙ୍କ ଭାଷାରେ ଜମୀନ୍ କୁହାଯାଇଥାଏ । ସବାଶେଷକୁ ପଟଚିତ୍ରରେ ଶଙ୍ଗପୋତା କାମ କରାଯାଏ । ଜମୀନକୁ ଖାଲି ନ ଛାଡ଼ି ସେଥିରେ ସାଧାରଣତଃ ପଞ୍ଚପାଖୁଡ଼ି ଫୁଲର ଶଙ୍ଖପୋତା ଅଙ୍କାଯାଇଥାଏ । ବେଳେବେଳେ ପଞ୍ଚପାଖୁଡ଼ି ଫୁଲ ଜାଗାରେ ପୁଞ୍ଜି କିମ୍ବା ଟୋପା ଲେଖାଯାଏ । ପଞ୍ଚପାଖୁଡ଼ି ଫୁଲ ସାଧାରଣତଃ ଚିତ୍ରର କେବଳ ଶୋଭାମଣ୍ଡନ କଲାଭଳି ବୋଧ ହେଉଥିଲେ ସୁଦ୍ଧା ଏହାର ଅର୍ଥ ବଡ଼ ଗମ୍ଭୀର । ପଞ୍ଚପାଖୁଡ଼ି ଫୁଲର ଉପର ଭାଗର ଉଦ୍ଧ୍ଵମୁଖୀ ପାଞ୍ଚଟି ପାଖୁଡ଼ା ଯାହା ଶଙ୍ଖପୋତାରେ ଅଙ୍କାଯାଏ ତାହା ଚିତ୍ରକାରର ପଞ୍ଚେନ୍ଦ୍ରୀୟ ସାଧନାକୁ ଦର୍ଶାଏ  ଏବଂ ତଳଭାଗର ଗାଢ଼ ପଚା(ସବୁଜ) କିମ୍ବା ଘନନୀଳ କିମ୍ବା କଳା ରଙ୍ଗରେ ଅଙ୍କା ଗାଢ଼ ରଙ୍ଗର ଡେମ୍ଫି ସ୍ୱୟଂ ଚିତ୍ରକାରକୁ ଦର୍ଶାଏ । ପାଂଚଟା ଟୋପାରୁ ପାଂଚଟା ଗାର ଯୋଉ ବିନ୍ଦୁଠି ଲୀନ ହୁଏ ଠିକ ସେଇଠୁ  ଗୋଟେ ଟୋପା ଦେହରେ ଯୋଡ଼େ ଡେଣା ବିଶିଷ୍ଟ ଡେମ୍ଫିଟିଏ ରୂପ ନିଏ ।  ମୂକସାକ୍ଷୀ ସଦୃଶ ଚିତ୍ରକାର ଡେମ୍ଫିର ଦୁଇଟା ବାହା କରିଛି । ଡେମ୍ଫି ଦେହ ହେଲେ ପଞ୍ଚପାଖୁଡ଼ି ଦେହାତୀତ । ଚିତ୍ରକାର କାମ କଲାବେଳେ କାଲା, ଜଡ଼ା, ଖନା ଭଳି ନ ହେଲେ ଚିତ୍ରକର୍ମ ଠିକରେ ହେବନି । ଚିତ୍ର ସାରିବା ଉପରାନ୍ତେ ଚିତ୍ରକାର ଭାବିଲା ମୁଁ ଆଉ କଣ କଲି, ସବୁ ତ ସେଇ ଭଗବାନ କଲେ, ମୁଁ ଯେ କେବଳ ପାଂଚ ମନ ପଚିଶି ପ୍ରକୃତିକୁ ଦମନ କରି କେବଳ ଯାହା ଚିତ୍ର ସେବା କଲି । ପାଂଚ ମନ ଲଗେଇ ପଚିଶି ପ୍ରକାର ରଙ୍ଗ ସୃଷ୍ଟିକରି ଚିତ୍ରକାର ଶେଷରେ ଭଗବାନଙ୍କଠାରେ ସମର୍ପି ଦେଉଛି ନିଜର ଶୈଳ୍ପିକ ପରାକାଷ୍ଠା । ଅନ୍ୟ ଅର୍ଥରେ ଭଗବାନଙ୍କ କୃପା ନ ରହିଲେ ପରାକାଷ୍ଠା ପ୍ରାପ୍ତ ହୁଏନି । ସେଇ କାରଣରୁ ବୋଧେ ଚିତ୍ରକାର ଚିତ୍ରରେ ନିଜ ନାମ କି ହସ୍ତାକ୍ଷର ଉଲ୍ଲେଖ କରି ନଥାଏ । ହସ୍ତାକ୍ଷର ଜାଗାରେ ନିଜ ସନ୍ତକସ୍ୱରୂପ ଚିତ୍ରକାର ପଞ୍ଚପାଖୁଡ଼ି ଫୁଲ, ପୁଂଜି, ଟୋପାଆଦିକୁ ରାତ୍ରୀଆକାଶର ତାରାଭଳି ଚିତ୍ରର ପୃଷ୍ଠଭୂମିରେ ଫୁଟାଇଦିଏ । ଏତଦ୍ଦ୍ୱାରା ଚିତ୍ରକାର ନିଜକୁ ଏକ ବ୍ୟକ୍ତିସତ୍ତାଭାବେ ନିରୂପଣ ନକରି ଚିତ୍ରକାର ଧର୍ମର ପ୍ରତିନିଧିତ୍ତ୍ୱ କରିଥାଏ । ପରବର୍ତ୍ତୀ କାଳରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଏ ଦିଗରେ ସାମାନ୍ୟ ପରିବର୍ତ୍ତନ ଘଟିଲା । ୧୯୫୦ ଦଶକରେ ହଲିନା ଜେଲୀଙ୍କ ପ୍ରରୋଚନାରେ ହୁଏତ କିଛି ଚିତ୍ରକାର ଚିତ୍ରରେ ନିଜ ନାମ ଲେଖିବା ଆରମ୍ଭକଲେ । ସେଇ ଚିତ୍ରକାରମାନଙ୍କ ମଧ୍ୟରୁ ଜଣେ ହେଲେ ପାଣୁ ମହାରଣା । ଏଠାରେ ଆଲୋଚିତ ପଟଚତ୍ରରେ ସେ ନିଜ ନାମକୁ ଲେଖିଛନ୍ତି । ମହାଦେବଙ୍କ ଡାହାଣପଟ ଅଣ୍ଟାରୁ ଖସିଆସିଥିବା ହଳଦିଆ ଗାମୁଛା କାନି ପାଖରୁ ଡାହାଣ ଗୋଡ଼ବଳା ମଝି ଜାଗାରେ ସେ ଲେଖିଛନ୍ତି “ଶ୍ରୀପାଣୁମାହାରଣା” ।

ପାଣୁ ମହାରଣାଙ୍କ ଜନ୍ମ ଓ ମୃତ୍ୟୁ ତାରିଖ ତ ଦୂରେଥାଉ, କୋଉ ମସିହା ତାହା ମଧ୍ୟ ସଠିକରୂପେ କାହାରିକୁ ଜଣା ନାହିଁ । ପାଣୁ ମହାରଣାଙ୍କ ବୋହୂ ହୀରା ମହାରଣାଙ୍କ ଅନୁସାରେ ୧୮୯୫ ମସିହାରେ ପାଣୁ ମାହାରଣା ଜନ୍ମଗ୍ରହଣ କରିଥିବେ । ବର୍ଷାଦିନରେ ଜନ୍ମ ହେଇଥିଲେ ବୋଲି ତାଙ୍କ ନାମ ପାଣୁ ପଡ଼ିଥିଲା । ସମୁଦାୟ ପଂଶଠି ବର୍ଷ ବଂଚିଥିଲେ । ଦାଣ୍ଡସାହି ଓ ଆଖପାଖ ଅଞ୍ଚଳରେ ପାଣୁ ମହାରଣାଙ୍କ ଘର ବଡ଼ମହାରଣା ଘର ଭାବେ ପରିଚିତ ଥିଲା । ମହାରଣାଙ୍କ ଘରଟି ଥିଲା ଚାଳ ଛପରର ମାଟିଘର ସାଙ୍ଗକୁ ସାହାଣ ପଥରର ଚଟାଣ । ସେ ନିତି ସେହି ସାହାଣ ପଥରର ଚଟାଣରେ ବସି ଏରୁଣ୍ଡିବନ୍ଧ ଉପରକୁ ଗୋଡ଼ ଲମ୍ବେଇ କୋଳ ଉପରେ କାଠପଟାଟି ଉପରେ ପଟିରଖି ଚିତ୍ର ଆଙ୍କୁଥିଲେ । ସେ ଅଧିକାଂଶ ବଡ଼ ବଡ଼ ପଟିରେ ଚିତ୍ର ଆଙ୍କୁଥିଲେ । ସାତ ଫୁଟରେ ଛଅଫୁଟ ସାଇଜର ପଟି ।  ଚିତ୍ର କଲାବେଳେ କାନରେ ସଦାବେଳେ ସେ ଖଣ୍ଡେ ଖଡ଼ିକା ଖୁଂଚିଥାନ୍ତି । ସେକାଳରେ ସ୍କେଲ ହାରିକା ଏତେ ସୁବିଧାରେ ଉପଲବ୍ଧ ହେଇପାରୁ ନଥିଲା ତେଣୁ ଖଡ଼ିକା ଦେହରେ ମାପ ଚୁପ କରୁଥିଲେ ।

୧୯୫୦ ଦଶକର ପ୍ରାରମ୍ଭିକ ବର୍ଷରେ ଦାଣ୍ଡସାହିର ଚିତ୍ରକାର କେଳୁ ମହାରଣାଙ୍କ ପୁଅ ପାଣୁ ମହାରଣା ଦୟନୀୟ ଅବସ୍ଥାରେ ପୁରୀର ପଥୁରିଆ ସାହିଠାରେ ପଟଚିତ୍ର ବିକ୍ରି କରୁଥିବା ବେଳେ ଦୈବାତକ୍ରମେ ହଲିନା ଜେଲୀଙ୍କ ଦୃଷ୍ଟିଗୋଚର ହେଲେ । ସଂଜୋଗବଶତଃ ଦୁହିଁକ ମଧ୍ୟରେ ସେଦିନର ସେଇ ସାକ୍ଷାତ ହିଁ ଥିଲା ପଟଚିତ୍ର ପରମ୍ପରାରେ ଏକ ନୂଆ ମୋଡ଼ ଏବଂ ପୁନରୁଦ୍ଧାରର ସୂତ୍ରପାତ । ହଲିନା ଜେଲି ସାକ୍ଷାତ ଦେବୀ ସଦୃଶ ଉଭା ହେଇ ପାଣୁ ମହାରଣାଙ୍କ ସହଯୋଗରେ ଭେଳା ବୁଡ଼ିଯାଉଥିବା ପଟଚିତ୍ର ପରମ୍ପରାର ଉଦ୍ଧାର କରିଥିଲେ । ୧୯୮୨ ମସିହାରେ ପ୍ରକାଶିତ “ପୁରୀ ପେଣ୍ଟିଂସ୍” ବହିର ସପ୍ତମ ଚ୍ୟାପଟର “Decline and Revival” ରେ ଲେଖକ ଡ. ଜେ.ପି ଦାସ ପୁରୀ ପଟଚିତ୍ର ପୁନରୁଦ୍ଧାର ଘଟଣାଟି ଖୁବ ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି ।

୧୯୬୧ ମସିହାରେ ପ୍ରକାଶିତ C. Ross Smithଙ୍କ “A Time in India” ନାମକ ଏକ ପୁସ୍ତକରେ ଲେଖକ ତାଙ୍କ ଓଡ଼ିଶା ରହଣି କାଳର ଭ୍ରମଣ ବୃତ୍ତାନ୍ତର ସ୍ମୃତିଚାରଣ କରିଛନ୍ତି । ଜାନୁଆରୀ-ଫେବୃଆରୀ ମାସରେ ପ୍ରାୟ ତିନି ସପ୍ତାହ ହଲିନା ଜେଲୀଙ୍କ ଅତିଥିଭାବେ ପୁରୀର ବ୍ୟାପଟିଷ୍ଟ୍ ମିଶନ୍ ହାଉସଠାରେ ଅବସ୍ଥାନ କରନ୍ତି । ହଲିନା ଜେଲୀ ସେତେବେଳକୁ ପୁରୀରେ ଦୁଇ ବର୍ଷର ପୁରୁଣା ବାସିନ୍ଦା । ପ୍ରତ୍ୟେକ ସପ୍ତାହର ନିର୍ଦ୍ଦିଷ୍ଟ ଗୋଟେ ବାରରେ ଚିତ୍ରକାରମାନେ ନିଜ ନିଜର ସଦ୍ୟ ପଟଚିତ୍ର ଏବଂ ଅନ୍ୟାନ୍ୟ କାମ ନେଇ ହଲିନା ଜେଲୀଙ୍କ ଘରେ ପହଂଚନ୍ତି । ହଲିନା ସେମାନଙ୍କ କାମର ପର୍ଯ୍ୟବେକ୍ଷଣ କରୁଥିଲେ । ସପ୍ତାହର ସୋମବାର କିମ୍ବା ମଙ୍ଗଳବାର ଭିତରୁ କେଉଁ ଗୋଟେ ବାର ଲେଖକ ରୋସ୍ ସ୍ମିଥ ସଠିକ ମନେ ପକାଇପାରୁନାହାନ୍ତି । ସେ କୌଣସି ଚିତ୍ରକାରଙ୍କ ନାମ ଉଲ୍ଲେଖ କରିନାହାନ୍ତି ସତ କିନ୍ତୁ, ସେଇ ଚିତ୍ରକାର ଗୋଷ୍ଟୀଙ୍କ ମଧ୍ୟରେ ସେ ପାଣୁ ମହାରଣାଙ୍କୁ ଓ ତାଙ୍କ ପଟଚିତ୍ରଗୁଡ଼ିକୁ ଦେଖିଥିବେ ।

ପାଣୁ ମହାରଣାଙ୍କ ଚିତ୍ରରେ ତାଙ୍କର ବ୍ୟକ୍ତିଗତ ଛଟା ବଳିଷ୍ଠ ରୂପେ ଅନୁଭୂତ ହେଇଥାଏ । ଗୋଟେ ନିରଳସ ସମର୍ପଣ ଭାବର ପ୍ରତିଫଳନ ଯୋଗୁଁ ତାଙ୍କ କାମ ଅତି ସ୍ୱତନ୍ତ୍ର ଓ ସମୃଦ୍ଧ ମନେ ହୋଇଥାଏ l ସେଭଳି ପଟଚିତ୍ର ଆଜି ଦୁର୍ଲ୍ଲଭ । ତାଳପତ୍ର ଖୋଦେଇ କାମ ମଧ୍ୟ କରୁଥିଲେ । ତାଳପତ୍ର ପୋଥିର ପ୍ରାଚୀନ ଫର୍ମାଟଠାରୁ ଭିନ୍ନ ତଳକୁ ତଳ ସୂତାରେ ଯୋଡ଼ି ବଡ଼ ଫର୍ମାଟର ତାଳପତ୍ର ଖୋଦେଇ କାମ କରୁଥିଲେ । ମାଟି ପଲମ ଉପରେ ପଟଚିତ୍ର କରୁଥିଲେ । ଇଟାମାଟି, ନୟାଗଡ଼, ଖଣ୍ଡପଡ଼ା ଆଦି ଅଞ୍ଚଳକୁ ରାଇଜ କରି ଯାଉଥିଲେ । ତାଙ୍କ ଅଜା ପୁରୀ ପାଣିଗାତ ସାହି(ବାସେଳୀ ସାହି)ର ବିରାଟ କାରିଗର ଥିଲେ । ତାଙ୍କରିଠାରୁ ଚିତ୍ର ଶିଖିବା ପାଇଁ ପାଣୁ ମହାରଣା ପୁରୀ ଯାଉଥିଲେ । ଚମ୍ପୂ, ଛାନ୍ଦ, ଚୌପଦୀଆଦି ଓଡ଼ିଶୀ ଗୀତ ଖୁବ ଉଚ୍ଚସ୍ୱରରେ ସେ ଗାଉଥିଲେ । ବ୍ରାହ୍ମଣ, କରଣଙ୍କ ଘରେ ବସନ୍ତି, ବେଦଶାସ୍ତ୍ର ଆଲୋଚନା କରନ୍ତି । ସ‌ଂଧ୍ୟାବେଳେ ପୁରାଣ ଶାସ୍ତ୍ରଆଦି ପାଠ କରୁଥିଲେ । ପିଢ଼ି ପିଢ଼ିର ତାଳପତ୍ର ପୋଥି ରଖିଥିଲେ । ସଉକରେ ମଲିମାଳ ପିନ୍ଧି ପାଚିଲା ଗାମୁଛା ପକାଇ ଗୋବରା ଚଢ଼େଇ କାନ୍ଧରେ ବସେଇ ଗାଁ ଭିତରେ ବୁଲନ୍ତି । ନିଜେ ଭାଙ୍ଗ ବାଟିକରି ପିଅନ୍ତି ବାଟରେ ଚୁଡ଼ାକଦମ୍ବା ଖାଆନ୍ତି । ଦେଖିବାରେ ଉଚ୍ଚସାର ଓ ଖୁବ ଖୋଲା ମିଜାଜର ମଣିଷ ଥିଲେ ସେ । ସାଂଝୁଖେଳ, ବାଡ଼ିଖେଳ ଓ ଗଂଜପା ଖେଳ ଜାଣିଥିଲେ ସେ ।

ତାଙ୍କ ଜୀବନୀକୁ ନେଇ ବିଶେଷ ତଥ୍ୟ ଆଜି ଆମ ପାଖରେ ଉପଲବ୍ଧ ନାହିଁ । ବେଳ ଥାଉ ଥାଉ ଏଭଳି ଜଣେ ବିରାଟ ଚିତ୍ରକାରଙ୍କ ଜୀବନୀ ଓ ତାଙ୍କ ବହୁମୂଲ୍ୟ କୃତିକୁ ଆମେ ସଠିକରୂପେ ଉଦ୍ଧାର କରିପାରିନାହୁଁ । ତାହା ଏକ ଅନୁତାପର ବିଷୟ । ପୁରୀ ଧାରାର ପଟଚିତ୍ର ପରମ୍ପରା ପୁନରୁଦ୍ଧାର କାଳର ଏଇ ପ୍ରମୁଖ ଚିତ୍ରକାର ପାଣୁ ମହାରଣାଙ୍କୁ ଏବେ ପୁନରୁଦ୍ଧାର କରିବାର ବେଳ ଆସି ପହଂଚିଛି ।

 

 

Share This Article