ପ୍ରେମ, ଉଦାରତା ଓ ସଙ୍ଗୀତ

ଚିନ୍ତିତ ଲାଗେ ଯେତେବେଳେ ସଙ୍ଗୀତର ସାଧକମାନେ ସଂକୀର୍ଣ୍ଣ ଭାବନାରୁ ନିଜକୁ ମୁକ୍ତ କରିପାରନ୍ତି ନାହିଁ

Swayamprava Parhi (Chief Editor)
7 Min Read

କବିଗୁରୁ ରବିନ୍ଦ୍ରନାଥ ବିଶ୍ଵାସ କରୁଥିଲେ ଯେ, ସଙ୍ଗୀତ କେବଳ ଏକ କଳା ନୁହେଁ ବରଂ ମଣିଷର ଅସ୍ତିତ୍ଵର ଏକ ମୌଳିକ ଦିଗ, ଯାହା ଭାଷା, ସଂସ୍କୃତି ଏବଂ ସୀମାକୁ ଅତିକ୍ରମ କରିବାରେ ସକ୍ଷମ। କବିଗୁରୁ ସଙ୍ଗୀତକୁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ଦେଖୁଥିଲେ, ସମଗ୍ର ମାନବତାକୁ ଏକାଠି କରିବାପାଇଁ ଓ ଅନ୍ୟମାନଙ୍କ ସହିତ ଏକତାର ଅନୁଭବ ପାଇଁ । ସେ ବିଶ୍ଵାସ କରୁଥିଲେ ଯେ, ସଙ୍ଗୀତର ଅନ୍ତର୍ନିହିତ ସାର୍ବଜନୀନତା, ଏହାକୁ ବିଭିନ୍ନ ପୃଷ୍ଠଭୂମିର ଲୋକମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା, ବୁଝାମଣା ତିଆରି କରିବା, ସହାନୁଭୂତି ଏବଂ ସୌହାର୍ଦ୍ଦ୍ୟକୁ ପରିବ୍ୟାପ୍ତ କରିବାରେ ସହଯୋଗ କରିବ । ଏହିଭଳି ଦୃଷ୍ଟିଭଙ୍ଗୀ ନେଇ ଆମେ ସଙ୍ଗୀତ ସାଧନା, ପରିବେଷଣ କିମ୍ବା ପ୍ରଚାର କରନ୍ତି କି?

ଆମ ଓଡ଼ିଶାର ସାଂସ୍କୃତିକ ପ୍ରେକ୍ଷାପଟ୍ଟକୁ ଟିକେ ନିରିଖେଇ ଦେଖିଲେ ଜଗନ୍ନାଥ ଚେତନାକୁ ସର୍ବଶ୍ରେଷ୍ଠ ସ୍ଥାନରେ ଅବସ୍ଥାପିତ କରାଯାଇଛି ବୋଲି ହୃଦୟଙ୍ଗମ କରିହୁଏ । ଜଗନ୍ନାଥ ସଂସ୍କୃତି, ଏକ ଧର୍ମୀୟ ଚେତନା ବା ରାଜନୈତିକ ଶବ୍ଦ ନୁହଁ। ଜଗନ୍ନାଥ ସଂସ୍କୃତି ସଙ୍ଗୀତମୟ ଓ ସବୁବେଳେ ଶ୍ରଦ୍ଧା, ସୌହାର୍ଦ୍ଧ୍ୟ ଓ ଭାବର ପ୍ରତୀକ।  ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଭିତରେ ସମଗ୍ର ଜଗତବାସୀଙ୍କୁ ପ୍ରେମ ଓ ନିଜର କରିବା ଭାବନା ଶହ ଶହ ବର୍ଷ ଧରି ରହିଛି । କ୍ରୋଧ, ପ୍ରତିଶୋଧ, ପ୍ରତିହିଂସା ବା ଘୃଣାର ଏଠି କୌଣସି ସ୍ଥାନ ନାହିଁ। ଶ୍ରୀ ମନ୍ଦିରରେ ଲାଗୁଥିବା ୬୦ ପଉଟି ଭୋଗକୁ ମଧ୍ୟ ସବୁ ଭକ୍ତ ଓ ଅଣ ଭକ୍ତ ଖୁସିରେ ଖାଇ ପାରୁଛନ୍ତି, ସବୁ ଦିନ ସବୁ ସମୟରେ। ଯେଉଁ କଟକଣା ପଣ୍ଡାମାନେ ଦଳିତ ମାନଙ୍କ ପାଇଁ ରଖିଥିଲେ, ତାହା ବି ଏ ଭିତରେ ଆପେ ଆପେ ଉଠିଗଲାଣି ।

ଜଗନ୍ନାଥ ସଂସ୍କୃତି ସହିତ ଯୋଡିହୋଇଛି ଶ୍ରଦ୍ଧାପୁର୍ଣ୍ଣ ସଙ୍ଗୀତର ଏକ ଧାରା, ଯାହା ଗୋଟିଏ ମଣିଷକୁ ଅନ୍ୟ ଏକ ମଣିଷ ସହ ବାନ୍ଧି ରଖେ, ଭାବ ଓ ଅତ୍ମୀୟତାକୁ ବ୍ୟାପକ କରିଦିଏ। ଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାରେ ସଙ୍ଗୀତର ଏହି ଧାରା, ଯାହାକୁ ଆମେ ଓଡ଼ିଶୀ ସଙ୍ଗୀତ ବୋଲି କହୁଛୁ, ଅନେକ ବର୍ଷ ଧରି ସମଗ୍ର ଓଡ଼ିଶାରେ ଗଢ଼ି ଉଠିଛି ଓ ଯାହାର ଇତିହାସ ସମ୍ପର୍କରେ ଏଯାଏ ଅଧ୍ୟୟନ ଜାରି ରହିଛି। ଓଡ଼ିଶୀ ସଙ୍ଗୀତ ଓଡ଼ିଶାର ସାଧାରଣ ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର  ସ୍ଥାନ ଅଧିକାର କରିଛି। ସଙ୍ଗୀତର ସଂସ୍କୃତି ଓ ପରମ୍ପରା ସହିତ ଗଭୀର ସମ୍ପର୍କ ରହିଛି ଏବଂ ଏହା ଶହ ଶହ ବର୍ଷ ଧରି ଓଡ଼ିଶାବାସୀଙ୍କ ପାଇଁ ସାନ୍ତ୍ଵନା, ଆନନ୍ଦ ଓ ପ୍ରେରଣାର ଉତ୍ସ ହୋଇ ରହିଆସିଛି। ଏପରିକି ଦୈନନ୍ଦିନ ଜୀବନରେ ଓଡ଼ିଶୀ ସଙ୍ଗୀତ ଓଡ଼ିଶାର ସମୃଦ୍ଧ ଐତିହ୍ୟ ସହ ଯୋଡ଼ି ହେବା ସହ ଲୋକଙ୍କ ମଧ୍ୟରେ ସାମୂହିକ ପରିଚୟ ଓ ଗୌରବର ଭାବନାକୁ ବିକଶିତ କରିବାର ଏକ ମାଧ୍ୟମ ଭାବେ କାର୍ଯ୍ୟ କରିଆସିଛି।

କିନ୍ତୁ ଚିନ୍ତିତ ଲାଗେ ଯେତେବେଳେ ସଙ୍ଗୀତର ସାଧକମାନେ ସଂକୀର୍ଣ୍ଣ ଭାବନାରୁ ନିଜକୁ ମୁକ୍ତ କରିପାରନ୍ତି ନାହିଁ। ସେତେବେଳେ କେବଳ ସଙ୍ଗୀତ ନୁହଁ ଭାଇଚାରା ଓ ଆତ୍ମୀୟତା ସଙ୍କଟ ଭିତରକୁ ଚାଲିଆସେ।

Samadhwani Support us

ଓଡ଼ିଶାରେ ସରକାରଙ୍କର ଅନେକ ଉଦ୍ୟମ ରହିଛି ସଙ୍ଗୀତ କ୍ଷେତ୍ରକୁ ବ୍ୟାପକ କରିବା ପାଇଁ। ଅନେକ ଅନୁଷ୍ଠାନ ବି ଗଢ଼ିଉଠିଛି । କିନ୍ତୁ ସାଧାରଣ ଲୋକଙ୍କ ଭିତରେ ସଙ୍ଗୀତ ଯେଉଁ ସ୍ଥାନରେ ଥିଲା ତାହା ବ୍ୟାପକ ଭାବରେ କମି କମି ଯାଉଛି । ଏଭଳି ପରିସ୍ଥିତି ପାଇଁ ଅନେକ ଗୁଡ଼ିଏ କାରଣ ଦାୟୀ ରହିଥାଇପାରେ, କିନ୍ତୁ ଅନ୍ୟ ସର୍ବଭାରତୀୟ ସଙ୍ଗୀତ ପ୍ରତି ଅସହିଷ୍ଣୁ ହେଲେ ଆମେ ଆମର ସଂଗୀତ ଜଗତକୁ ବ୍ୟାପକ କରିପାରିବା- ଏଭଳି ଧାରଣା ରହିବା ଅତ୍ୟନ୍ତ ସଂକୀର୍ଣ୍ଣ ଚିନ୍ତା ଓ ଚେତନାର ପରିଚୟ ଦିଏ । କିଛିଦିନ ତଳେ କିଛି ଯୁବ କଳାକାରଙ୍କ ସହ ଆଲୋଚନା ସମୟରେ ଓଡ଼ିଶାରେ ସଙ୍ଗୀତର ସ୍ଥିତି ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ଓଡ଼ିଶାର ସଙ୍ଗୀତର ସ୍ଥିତିକୁ ନେଇ, କଳା ଓ କଳାର ସାଧକ ମାନଙ୍କ ପ୍ରତି ଯେତିକି ଧ୍ୟାନ ଦିଆଯିବାର କଥା ଦିଆଯାଉ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ଯଦିଓ ସରକାରୀ ସ୍ତରରେ ଯଥେଷ୍ଟ ପ୍ରୋତ୍ସାହନ ଦିଆଯାଉଛି କିନ୍ତୁ ସେହିସବୁ ପ୍ରୋତ୍ସାନ କେବଳ କିଛି କଳାକାରଙ୍କୁ ବିଶେଷ ସହଯୋଗ କରୁଛି । ସାଧାରଣ କଳାକାର, ବିଶେଷକରି ହିନ୍ଦୁସ୍ଥାନୀ ସଙ୍ଗୀତ ଜଗତର ସାଧନାରତ ଯୁବ କଳାକାରମାନେ ଓଡ଼ିଶାରେ ସଠିକ ସ୍ଥାନ ପାଇପାରୁ ନାହାନ୍ତି । ଏହି ବିଷୟ କହିବା ବେଳେ ମୁଁ ନିଜ ଗୁରୁ ଧନେଶ୍ଵର ଦାସଙ୍କ ଉଦାହରଣ ଦେଇଥିଲି । କହିବାର ଉଦ୍ଦେଶ୍ୟ ଥିଲା ଯେ, ଗୁରୁ ଧନେଶ୍ଵର ଦାସ କଲିକତାରୁ ଓଡିଶା ଯଦି ଆସି ନଥାନ୍ତେ ତାଙ୍କର ସଙ୍ଗୀତ ଜୀବନ ବ୍ୟାପକ ହୋଇପାରିଥାନ୍ତା। ସେହିପରି ଜଣେ ପ୍ରତିଭାଦିପ୍ତ ଅନନ୍ୟ କଳାକାରଙ୍କୁ ଆମ ଓଡ଼ିଶାର କଳା ଜଗତ ଶେଷ ପର୍ଯ୍ୟନ୍ତ ସେହି ସ୍ଥାନ ଦେଇପାରିଲା ନାହିଁ ଯାହାର ସିଏ ପ୍ରକୃତ ହକଦାର ଥିଲେ। ସାଧନାରତ ଏହିପରି ଗୁରୁ ଓ ପଣ୍ଡିତ ମାନଙ୍କପ୍ରତି ଆମର ଏତେ ହତାଦର କାହିଁକି ?

କିନ୍ତୁ ଏହି ଆଲୋଚନାରେ କେହିଜଣେ କହିଥିଲେ ଯେ, ଯିଏ ଓଡ଼ିଶାରେ ସଂଗୀତ ଗାଇବେ ସେ ଓଡ଼ିଶୀ ଗାଇବେ, ନହେଲେ ସେମାନଙ୍କୁ କାହିଁକି ଗୁରୁତ୍ୱ ମିଳିବ? ତାଙ୍କର ଏହି ସଂକୀର୍ଣ୍ଣ ଚିନ୍ତା ଓ ବାକ୍ୟ ମୋ ମନକୁ ଆନ୍ଦୋଳିତ କଲା । ଏଭଳି ସଙ୍କୀର୍ଣ୍ଣ ଚିନ୍ତା କାହିଁକି ଆମ ଭିତରେ ସୃଷ୍ଟି ହେଲା ବିଷୟଟିକୁ ଟିକେ ଖୋଜିବାରୁ କିଛି ତଥ୍ୟ ଓ କିଛି କାରଣ ଦୃଷ୍ଟିକୁ ଆସିଲା ।  ସେ ଭିତରୁ ଗୋଟିଏ କାରଣ ଜଣାପଡ଼ିଲା ଯେ, ନୂଆକରି ଯେତେବେଳେ ଓଡ଼ିଶାରେ ଆକାଶବାଣୀରେ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସେତେବେଳେ ହିନ୍ଦୁସ୍ଥାନୀ ସଙ୍ଗୀତର କଳାକାରମାନେ ଓଡ଼ିଶୀ ଗାୟକମାନଙ୍କୁ ଖୁବ ଛୋଟ ଦେଖୁଥିଲେ, ଯାହା ଓଡ଼ିଶୀ ସଙ୍ଗୀତର କଳାକାର ମାନଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା । ସେହିଭଳି ଆଚରଣ କେବେବି ଗ୍ରହଣୀୟ ନୁହଁ । ଏବେ ଓଡ଼ିଶୀ କଳାକାରମାନେ ସବୁ ସ୍ଥାନରେ ଆଗରେ । ସେଥିପାଇଁ ଅନ୍ୟ ଧାରାର ସଙ୍ଗୀତ ପାଇଁ ଅଧିକ ସୁଯୋଗ ହୁଏତ ମିଳୁନାହିଁ। ଏଥର ନିଜର ସବୁ ଦ୍ଵନ୍ଦ ଦୂରହୋଇ କଥାଟି ସ୍ପଷ୍ଟ ହୋଇଗଲା। ଦେଶର ରାଜନୈତିକ ପ୍ରେକ୍ଷାପଟକୁ ସମୀକ୍ଷା କଲାବେଳେ ଆମେ ଯେଉଁ ଉଦାରତା ବଦଳରେ ଅସହିଷ୍ଣୁତାର ବାତାବରଣ ସମଗ୍ର ଦେଶରେ ତିଆରି ହୋଇଚାଲିଛି ବୋଲି ଭୟ କରୁଥିଲେ, ମନେ ହେଲା ଆମ ସଙ୍ଗୀତ ଭିତରେ  ଜଗନ୍ନାଥ ଚେତନା ବଦଳରେ ସେହି ପ୍ରତିକ୍ରିୟାଶୀଳ, ଅସହିଷ୍ଣୁ ମାନସିକତା, ଓ ନିଜକୁ ନେଇ ହୀନମନ୍ୟତା ଏବେ ପ୍ରାଧାନ୍ୟ ପାଇଛି ।

ଓଡ଼ିଶାର ସଙ୍ଗୀତ ଓ ସଂସ୍କୃତି ଯେଉଁ ଜଗନ୍ନାଥ ସଂସ୍କୃତିକୁ କେନ୍ଦ୍ରକରି ଗଢ଼ିଉଠିଛି ତାହା ବିଶ୍ଵ ଦୃଷ୍ଟିଭଙ୍ଗୀର ପ୍ରଚାର କରେ । ଆମେ ଓଡ଼ିଶୀକୁ ଗୁରୁତ୍ଵ ଦେବା ଓ ଆଗକୁ ନେବା ଜରୁରୀ, ଯେହେତୁ ଏହା ଆମର ସଙ୍ଗୀତ । କିନ୍ତୁ ସର୍ବ ଭାରତୀୟ ସ୍ତରର ସଙ୍ଗୀତ ପ୍ରତି ଅସହିଷ୍ଣୁ ହେବା କ’ଣ ଆମର ମହାନତାର, ଉଦାରତାର, ଓ ପାଣ୍ଡିତ୍ୟର ପରିଚୟ ଦିଏ ? କୌଣସି ସଙ୍ଗୀତ କେବେ ଏକୁଟିଆ ଚାଲିପାରେ ନାହିଁ, ଏକାଠି ଚାଲିବାକୁ ହୁଏ। ଆମେ ଆମ ପାଖରେ ଥିବା ଅନ୍ୟ ରାଜ୍ୟ ମାନଙ୍କୁ ଉଦାହରଣ ଭାବରେ ନେଇପାରିବା, ଯେଉଁମାନେ ସଙ୍ଗୀତରେ ପାତର ଅନ୍ତର ନକରି ସମସ୍ତଙ୍କୁ ସାଥିରେ ନେଇ ଓ ସମସ୍ତଙ୍କର ସହଯୋଗରେ ଏକ ଅନନ୍ୟ ସ୍ଥାନରେ ପହଞ୍ଚି ପାରିଛନ୍ତି। ଯଦି ଆମେ ଗୋଟିଏ ଜାତିର ଶ୍ରେଷ୍ଠ ପରିଚୟ, ତାର ସଙ୍ଗୀତକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଚାହୁଁଛୁ ଓ ଆମର ପ୍ରକୃତରେ ଏଥିପାଇଁ ଆନ୍ତରିକତା ରହିଛି, ତେବେ ନିଜକୁ ଉଦାର ହେବାକୁ ପଡ଼ିବ, ସମସ୍ତଙ୍କୁ ସମ୍ମାନ ଦେଇ ସାଥିରେ ନେବାକୁ ହେବ । କାରଣ ଏଇଟା କେବଳ କାହାର ନିଜସ୍ୱ ସମ୍ପତ୍ତି ନୁହଁ, ସାମୁହିକ, ସାର୍ବଜନୀନ ସମ୍ପତ୍ତି, ଜଗନ୍ନାଥଙ୍କ ପ୍ରିୟ ସଙ୍ଗୀତ ।

ସେଦିନ ସମଧ୍ଵନିକୁ ସାକ୍ଷାତକାର ଦେବା ସମୟରେ ବିଶିଷ୍ଟ ସଙ୍ଗୀତଜ୍ଞ, ଓଡ଼ିଶୀ ସଙ୍ଗୀତର ବିଶିଷ୍ଟ ଗବେଷକ ଡ଼କ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ କହିଥିଲେ ଯେ, ସଙ୍ଗୀତ କ୍ଷେତ୍ରରେ ସଙ୍କୀର୍ଣ୍ଣତାର ସ୍ଥାନ ନାହିଁ । ଆମେ ସମସ୍ତଙ୍କୁ ନିଜର କରିବା ଓ ସମସ୍ତେ କେମିତି ଏକାଠି ଆଗକୁ ଯିବା ସେହି ରାସ୍ତା ବାହାର କରିବା ଜରୁରୀ। ଅନ୍ୟ ରାଜ୍ୟ ତଥା ବିଦେଶରେ ମଧ୍ୟ ଓଡ଼ିଶୀ ସଙ୍ଗୀତକୁ କେମିତି ସମସ୍ତେ ଭଲପାଇବେ ଓ ଶୁଣିବେ ସେଥିପାଇଁ ଆମେ ନିଜକୁ ପ୍ରସ୍ତୁତ କରିବା। ଆମେ ଏତେ ଉଚ୍ଚକୋଟିର ପ୍ରଦର୍ଶନ କରିବା ଯେ, ଯେମିତି ଆମ ସଙ୍ଗୀତ ଶୁଣିବାପାଇଁ ଲୋକମାନେ ଅପେକ୍ଷା କରିବେ। ଭାରତର ଦୁଇଟି ମୁଖ୍ୟ ଧାରାର ସଙ୍ଗୀତ ସାଧନା ଓ ଉପସ୍ଥାପନା କ୍ଷେତ୍ରରେ ଯେଉଁଭଳି ଉଚ୍ଚସ୍ଥାନ ଅଧିକାର କରିଛନ୍ତି, ସେହି ସ୍ଥାନରେ ଆମ ଓଡ଼ିଶୀ ସଙ୍ଗୀତ ପହଞ୍ଚିବାର ଯୋଗ୍ୟତା ଥାଇ ମଧ୍ୟ ଆମେ ଅନେକ ପଛରେ ଅଛୁ । ତେଣୁ ସଂକୀର୍ଣ୍ଣତା ମନୋଭାବ ପୋଷଣ ନକରି ଉପଯୁକ୍ତ ଶିକ୍ଷା, ସାଧନା ବଳରେ ଓ ଉଦାରତାର ସହିତ ସମସ୍ତଙ୍କୁ ଆପଣାର କଲେ ହିଁ ଓଡ଼ିଶୀ ସଙ୍ଗୀତକୁ ଉଚ୍ଚ ସ୍ଥାନରେ ଅବସ୍ଥାପିତ କରିବା ସମ୍ଭବ ହେବ ।

ଆମେ ଯେଉଁ ଉଦାରତାର ସଂସ୍କୃତିକୁ ନେଇ ଓଡ଼ିଆ ଲୋକେ ଗର୍ବ କରିଥିଲେ ଶେଷରେ ଅସହିଷ୍ଣୁତା ଭିତରେ ଏବେ ଅନ୍ଧକାର ଭିତରକୁ ଯିବାପାଇଁ ବସିଛି ।  ପଣ୍ଡିତ, ଗୁରୁ, ଶିକ୍ଷାର୍ଥୀ, ସାଧକ, ଗବେଷକ, ସଙ୍ଗୀତ ପ୍ରେମୀ ଜନଗଣ ଏଭଳି ସମୟରେ ନିଜର ଜ୍ଞାନର ଓ ଗୁଣର ପରିଚୟ ଦେଇ ଓଡ଼ିଶାର ସଙ୍ଗୀତ ଜଗତକୁ ଟିକେ ସଠିକ ମାର୍ଗ ପ୍ରଦର୍ଶନ କରିବେ କି ?

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.