‘ଉଷା’ ପ୍ରଥମ ଓଡ଼ିଆ ଟେଲିଫିଲ୍ମ

ଆମେ ‘ଉଷା’ ଦେଖିବା ଆଗାମୀ ଜୁନ୍ 29 ତାରିଖ 2023ରେ, ଜୟଦେବ ଭବନରେ ।

ସୂର୍ଯ୍ୟ ଦେଓ 551 Views
4 Min Read

ଆମେ ‘ଉଷା’ ଦେଖିବା ଆଗାମୀ ଜୁନ୍ 29 ତାରିଖ 2023ରେ, ଜୟଦେବ ଭବନରେ । ‘ଉଷା’ ପ୍ରଥମ ଓଡ଼ିଆ ଟେଲିଫିଲ୍ମ । ନିତାଇ ପାଲିତ୍ ନିର୍ଦ୍ଦେଶନା ଦେଇଛନ୍ତି । ଗୀତ ଓ ସଙ୍ଗୀତ ଅକ୍ଷୟ ମହାନ୍ତିଙ୍କର । ସେ ‘ଉଷା’ରେ ଅଭିନୟ ବି କରିଛନ୍ତି ଗଜଲ୍ ଗାୟକ ଭୂମିକାରେ । ଗୀତ ଦୃଶ୍ୟରେ । ‘ଉଷା’ ସ୍କ୍ରିନିଂ ଓ ପୁନଃ ଉଦ୍ଧାର ପାଇଁ ଯେଉଁ ସତୀର୍ଥମାନଙ୍କ ସମର୍ଥନ ଓ ସହଯୋଗ ରହିଛି, ସେମାନଙ୍କ ତାଲିକା ବେଶ୍ ଦୀର୍ଘ । ଏହି ଅବସରରେ ସେମାନଙ୍କୁ ଗଭୀର କୃତଜ୍ଞତା ଅର୍ପଣ କରୁଛି । ବିଶେଷ ଭାବରେ ‘ଅକ୍ଷୟ ମହାନ୍ତିି ଟ୍ରଷ୍ଟ’ ପ୍ରତି । ଆଉ ଥରେ କହି ରଖୁଛି ‘ଟେଲିଭିଜନ୍ ନେଟ୍‌ୱାର୍କ ପାଇଁ ଚଳଚ୍ଚିତ୍ର’ ବା ‘ଟେଲିଫିଲ୍ମ’ ନିର୍ମାଣ ପ୍ରବାହରେ ‘ଉଷା’ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ।
ଷାଠିଏ ଦଶକ ଆରମ୍ଭରେ ବିଶ୍ୱରେ ‘ଟେଲିଭିଜନ୍ ନେଟ୍‌ୱାର୍କ ପାଇଁ ଚଳଚ୍ଚିତ୍ର’ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ତୁଳନାରେ କମ୍ ବଜେଟ୍ ଏବଂ ବ୍ୟାବସାୟିକ ନିର୍ମାଣ ଶୈଳୀ ଅପେକ୍ଷା ବିଷୟବସ୍ତୁ ପ୍ରତି ଅଧିକ ଗୁରୁତ୍ୱ ଆରୋପ ଥିଲା ‘ଟେଳିଭିଜନ୍ ପାଇଁ ଚଳଚ୍ଚିତ୍ର’ ବା ‘ଟେଲିଫିଲ୍ମ’ର ମୂଳ ସୂତ୍ର । ୟୁଏସ୍ ଏ ନେଟୱାର୍କ, ଲାଇଫ୍ ଟାଇମ୍ ଓ ଏଚ୍‌ବିଓ ପରି ଅନେକ ଆମେରିକାନ୍ ଟିଭି ନେଟୱାର୍କ ‘ଟେଲିଫିଲ୍ମ’ ନିର୍ମାଣ ଧାରାକୁ ତୀବ୍ରତର କରିଥିଲେ । ‘ଟେଲିଫିଲ୍ମ’ ଅର୍ଥ କେବଳ ଛୋଟ ପରଦାର ଦର୍ଶକଙ୍କ ପାଇଁ ନିର୍ମିତ ଚଳଚ୍ଚିତ୍ର । ପ୍ରେକ୍ଷାଳୟ ନୁହେଁ, ଛୋଟ ପରଦାରେ ପ୍ରସାରଣ ଏହାର ଉଦ୍ଦେଶ୍ୟ ।
ବିଶ୍ୱସ୍ତରରେ ‘ଛୋଟ ପରଦା’ ପାଇଁ ନିର୍ମାଣ ହୋଇଥିବା ପ୍ରଥମ ଟେଲିଫିଲ୍ମ ଥିଲା 1964ରେ ନିର୍ମିତ ‘ଦି କିଲର୍ସ’ । 1946ରେ ମୁକ୍ତିପ୍ରାପ୍ତ ଆର୍‌ନେଷ୍ଟ ହୋମିଙ୍ଗୱେଙ୍କ କ୍ଷୁଦ୍ରଗଳ୍ପ ଆଧାରିତ ତଥା ରବର୍ଟ ସିଓଦମ୍ୟାକ୍‌ଙ୍କ ନିର୍ଦ୍ଦେଶିତ ଫିଚର୍ ଫିଲ୍ମ ‘ଦି କିଲର୍ସ’ର ଟେଲିଫିଲ୍ମ ରୂପାନ୍ତରଣ ଡନ୍ ସିଗଲ୍‌ଙ୍କ ଦ୍ୱାରା ହୋଇଥିଲା । ତେବେ ‘ଦି କିଲର୍ସ’ରେ ଅଧିକ ହିଂସାତ୍ମକ ଦୃଶ୍ୟ ଥିବାରୁ ଟେଲିଭିଜନ୍ ଦର୍ଶକଙ୍କ ଉପରେ ନକାରତ୍ମକ ପ୍ରଭାବ ଆଶଙ୍କା କରି ଏହାର ଟେଲିଭିଜନ୍ ପ୍ରସାରଣ କରାଯାଇ ନଥିଲା ।
ପରେ ‘ଦି କିଲର୍ସ’ ଆମେରିକାର ବିଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲେ ମଧ୍ୟ ଟେଲିଭିଜନ୍ ଫର୍ମାଟ ହେତୁ ଦର୍ଶକୀୟ ଆଦୃତି ପାଇ ନଥିଲା । ସେହି 1964 ମସିହାରେ ଡେଭିଡ୍ ଲେୟଲ୍‌୍ ରିଚ୍‌ଙ୍କ ନିର୍ଦ୍ଦେଶିତ ‘ସି ହାଓ ଦେ ରନ୍‌’ ଆମେରିକାର ‘ନ୍ୟାସନାଲ୍ ବୋର୍ଡକାଷ୍ଟିଙ୍ଗ କମ୍ପାନି’ ଦ୍ୱାରା ପ୍ରସାରିତ ହୋଇଥିଲା ଏବଂ ଏହାକୁ ବିଶ୍ୱର ପ୍ରଥମ ଟେଲିଫିଲ୍ମର ମାନ୍ୟତା ଦିଆଯାଏ । ‘ଦି କିଲର୍ସ’ ଓ ‘ସି ହାଓ ଦେ ରନ୍‌’ ଉଭୟ ଟେଲିଫିଲ୍ମର ପ୍ରଯୋଜକ ଥିଲେ ୟୁନିଭର୍‌ସିଆଲ୍ ଷ୍ଟୁଡିଓ ।
ଭାରତରେ ଦୂରଦର୍ଶନ ପ୍ରସାରଣ ଆରମ୍ଭ ହୋଇଥିଲା 19 ସେପ୍‌ଟେମ୍ବର 1956ରେ । ଦୂରଦର୍ଶନର ରଜତ ଜୟନ୍ତୀ ବର୍ଷ ହିଁ ପ୍ରଥମ ଭାରତୀୟ ଟେଲିଫିଲ୍ମ ପ୍ରସାରିତ ହୋଇଥିଲା । ପ୍ରଥମ ଭାରତୀୟ ଟେଲିଫିଲ୍ମ ‘ସଦ୍‌ଗତି’ ମୁନ୍‌ସୀ ପ୍ରେମଚାନ୍ଦଙ୍କ କ୍ଷୁଦ୍ରଗଳ୍ପ ଆଧାରରେ ନିର୍ମିତ ହୋଇଥିଲା ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ସତ୍ୟଜିତ ରାୟ । ଦୂରଦର୍ଶନ ପ୍ରଯୋଜିତ 52 ମିନିଟ ଅବଧିର ଏହି ହିନ୍ଦୀ ଟେଲିଫିଲ୍ମରେ ଓମ୍ ପୁରୀ, ସ୍ମିତା ପାଟିଲ ଓ ମୋହନ ଆଗୋଶେ ପ୍ରମୁଖ ଅଭିନୟ କରିଥିଲେ ।
ଓଡ଼ିଆ ଟେଲିଫିଲ୍ମର ପ୍ରସାରଣ ଧାରା ‘ଉଷା’ରୁ ଆରମ୍ଭ । 1986 ମସିହାରେ ବୀଣା ଦେବୀ କଟକ ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶିକା ଥିବା ବେଳେ କେନ୍ଦ୍ର ପକ୍ଷରୁ ଟେଲିଫିଲ୍ମ ନିର୍ମାଣ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଗୌରପ୍ରସାଦ ଘୋଷଙ୍କୁ କଟକ କେନ୍ଦ୍ର ପକ୍ଷରୁ ହିନ୍ଦୀ ଟେଲିଫିଲ୍ମ ‘ସୋପାନ’ ଓ ନିତାଇ ପାଲିତ୍‌ଙ୍କୁ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’ର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ତତ୍କାଳୀନ ପ୍ରସାରଣ ବ୍ୟବସ୍ଥା ଓ ବିଧି ଅନୁଯାୟୀ ‘ଉଷା’ର ଅବଧି ନବେ ମିନିଟ ରଖାଯାଇଥିଲା । ହିନ୍ଦୀ ଟେଲିଫିଲ୍ମ ‘ସୋପାନ’ ଓ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’ ଉଭୟ 35 ଏମ୍‌ଏମ୍ ଚଳଚ୍ଚିତ୍ର ପ୍ରିଣ୍ଟରେ ସୁଟ୍ ହୋଇଥିଲା । ଉଲ୍ଲେଖଯୋଗ୍ୟଯେ ପ୍ରଥମ ଭାରତୀୟ ଟେଲିଫିଲ୍ମ ‘ସଦ୍‌ଗତି’ ମଧ୍ୟ 35 ଏମ୍‌ଏମ୍ ଚଳଚ୍ଚିତ୍ର ପ୍ରିଣ୍ଟରେ ସୁଟ୍ ହୋଇଥିଲା । 1987ରେ ‘ଉଷା’ ପ୍ରସାରଣ ପରେ ସେହି ବର୍ଷ ଦୂରଦର୍ଶନ ପକ୍ଷରୁ ଆଉ ପାଞ୍ଚଟି ଟେଲିଫିଲ୍ମ ଯୋଜନା ହୋଇଥିଲା । ସେସବୁ ଥିଲା ପ୍ରଶାନ୍ତ ନନ୍ଦଙ୍କ ‘ଧୀର ପାଣି ପଥର କାଟେ’, ମହମ୍ମଦ ମହସିନ୍‌ଙ୍କ ‘ଶତ୍ରୁ ସଂହାର’, ସୁଧାଂଶୁ ଶେଖର ରଥଙ୍କ ତତ୍ତ୍ୱାବଧାନରେ ପ୍ରଣବ ଦାସଙ୍କ ‘ତଦନ୍ତ’, ଧୀର ବିଶ୍ୱାଳଙ୍କ ‘କବିତା’ ଓ ସାଧୁ ମେହେରଙ୍କ ‘ଫଟା କପାଳ’ । ତେବେ ‘ଉଷା’ ଓ ‘ସୋପାନ’ ପରେ 1990ରେ ପ୍ରଣବ ଦାସଙ୍କ ‘ଛବିର ମଣିଷ’ ଓ 1991ରେ ସଂପଦ ମହାପାତ୍ରଙ୍କ ‘ତମସା ତୀରେ’ 16 ଏମ୍‌ଏମ୍ ଇଷ୍ଟମ୍ୟାନରେ ସୁଟ୍ ହୋଇଥିଲା।

Share This Article
Exit mobile version