ମୋ ସ୍ମୃତିର ଖଲିକୋଟ କଳା ବିଦ୍ୟାଳୟ

ଚାରିଟି ବସନ୍ତର ପ୍ରେମ ଓ ପ୍ରଣୟ, ପ୍ରତାରଣାର ସ୍ମୃତି ଏବେବି ଅଭୁଲା ମୋ ପାଇଁ

13 Min Read

ଲେଖକ ଅଶୋକ କୁମାର ମହାନ୍ତି ଖଲିକୋଟ କଳା ବିଦ୍ୟାଳୟର ଛାତ୍ର ଥିବା ବେଳେ ସଂଗ୍ରହ କରିଥିବା ଅନେକ ଅନୁଭୂତିକୁ ଏଠାରେ ଉପସ୍ଥାପନ କରିଛନ୍ତି । ଲେଖାଟିରୁ ସ୍ପଷ୍ଟ ହେଉଛି କଳା, ସଙ୍ଗୀତ କ୍ଷେତ୍ରରେ ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ମନାନ୍ତର ଓ ମତାନ୍ତରର ପ୍ରଭାବ ଶିକ୍ଷାର୍ଥୀମାନଙ୍କୁ କେତେ ପ୍ରଭାବିତ କରିଥାଏ । ଲେଖକ କିନ୍ତୁ ଯେଉଁ ନିସ୍ପତ୍ତି ନେଇ ନିଜ ଅଞ୍ଚଳରେ କଳାର ବିକାଶ ପାଇଁ ଉତ୍ସର୍ଗୀକୃତ ହେଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ । ଆଜିକାଲି ମଧ୍ୟ କଳା ସଙ୍ଗୀତର ଶିକ୍ଷାର୍ଥୀମାନେ ଏହିଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି ଏବଂ ଅନେକ ସମୟରେ ନିଜର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ମଧ୍ୟ ହେଉଛନ୍ତି । କଳା ସଙ୍ଗୀତ ସମସ୍ତ ପ୍ରକାରର ସଙ୍କୀର୍ଣ୍ଣତାର ଉଦ୍ଧ୍ୱର୍ରେ ଏକଥାଟି ଶିକ୍ଷକ ଓ ଶିକ୍ଷାର୍ଥୀ ଅନୁଭବ କରି ଏକ ବୃହତ୍ତର ଉଦ୍ଦେଶ୍ୟରେ ନିଜକୁ ପ୍ରସ୍ତୁତ କରିବାର ସମୟ ଆସିଛି । – ସମ୍ପାଦକ

ଖଲ୍ଲିକୋଟ!

ଏକ ରାଜା ରାଜୁଡ଼ା ଅମଳର ଭଗ୍ନ କୀର୍ତ୍ତିରାଜିର ବିନୋଦସାରୀୟ ଗ୍ରାଫିକ୍ ଛବିଟିଏ  । ରାଜବାଟି, ଗୋଟିଏ ସମୟର ଅୟସ ଓ ନିର୍ଯ୍ୟାତନାର କାହାଣୀକୁ ନିଜ ଛାତି ଭିତରେ ଚାପିଧରି ଆଖିର ଲୁହ ଢ଼ାଳୁଥିବା ବିଧବା ତୈଳଚିତ୍ର, ଯେଉଁ ରାଜବାଟୀରୁ ନିଃଶବ୍ଦ ରାତିରେ ଶୁଭୁଥାଏ ଚାପା ଚାପା କ୍ରନ୍ଦନର ଧ୍ୱନି ରବି ସାରଙ୍କର ୱାସ୍ ପେଣ୍ଟିଂ ପରି ବେଳେ ବେଳେ ଜ୍ୟୋସ୍ନା ବିଧୌତ ରଜନୀରେ ରାଜବାଟିରେ ଘୁରିବୁଲୁଥିବାର ଦେଖାଯାଏ ଶୁଭ୍ର ବସ୍ତ୍ର ପରିହିତା ଏକ ସୁନ୍ଦରୀ ରମଣୀ । ଏତେବେଳେ ରାଜ୍ୟ ଜୟ କରି ଫେରୁଥିବା ବିପ୍ରସାର୍ଙ୍କର ଘୋଡ଼ା ଭଳି ଘୋଡ଼ାମାନଙ୍କ ପଦ ଶବ୍ଦ ରାତିର ନିସ୍ତବ୍ଧତାକୁ ଭଙ୍ଗ କରୁଥାଏ  । ଖୋଲ ସାହିର କେଉଁ ମା’ ତା ଛୁଆକୁ ଜାବୁଡ଼ି ଧରି ତା ମୁହଁରେ ହାତ ରଖି କହେ, ବାୟା ଆସୁଛି ତୁନି ପଡ଼  । ଏ ଥିଲା ଆମ ସମୟର ନିତିଦିନିଆ କଥା  । ସେ ରାଜବାଟୀ ଆଜି ବି କେତେ ସ୍ମୃତିକୁ ବହନ କରି ସେମିତି ଠିଆ ହୋଇ ରହିଛି । ସେ ପୁଣି ଆଜି ପାଲଟି ଯାଇଛି ‘ଖଲ୍ଲିକୋଟ କଳା ମହାବିଦ୍ୟାଳୟ’ ଯିଏ ଦୀର୍ଘ ପଚାଶ ବର୍ଷ ଧରି ଶିଳ୍ପୀମାନଙ୍କୁ ଗଢ଼ିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।

ଗୋଟିଏ ସମୟରେ ଭାରି ଆପଣାର ମନେ ହେଉଥିବା କଳା ବିଦ୍ୟାଳୟ ଆଜି ଜୀବନର ସ୍ମୃତିର ପୃଷ୍ଠା ମଧ୍ୟରୁ ମହମହ ହୋଇ ମହକି ଥାଏ  । ତା’ର ଦରବାର ହଲ୍, ତା’ର ଘୋଡ଼ାଶାଳ, ତା’ର ରାଣୀହଂସପୁର ଆଜି କେତେ ଦେଖା ଅଦେଖା, ଶୁଣା ଅଶୁଣା କଥାର ଛାପଟିଏ  । ଯାହା ଆଜି ପର୍ଯ୍ୟନ୍ତ ମନ ଭିତରେ ପ୍ରଶ୍ନବାଚୀ ହୋଇ ରହିଯାଇଛି  । ବୁଝି ହୁଏନି କାହିଁକି ସେ ଦିନ ରାତ୍ରିରେ ଭୟଙ୍କର ଲାଗୁଥିବା ପ୍ରଥମ ବାର୍ଷିକ ଛାତ୍ରାବାସର ପରିସର ଭିତରେ ଫମ୍ପା କଳସୀଟିଏ ଗଡ଼ି ଗଡ଼ି ଏକରରୁ ସେକର ଯାଉଥିଲା ଓ ଆସୁଥିବାର ଦୃଶ୍ୟ କାହିଁକି ଆମ ଭିତରେ ଶିହରଣ ସୃଷ୍ଟି କରୁଥିଲା  । କେଉଁ ଅବଗୁଣ୍ଠିତ ନାରୀଟିଏ ଧଳା ଶାଢ଼ୀପିନ୍ଧି ତ୍ରିତଳ ପ୍ରାସାଦ ଉପରୁ ଓହ୍ଲାଇ ସବୁଦିନେ ଦ୍ୱିତଳ ପ୍ରାସାଦରେ ଥିବା ଲେଡିଜ୍ ହଷ୍ଟେଲ ଭିତରକୁ ପଶି ଯାଉଥିଲା, କ’ଣ ତାର ସେ ରହସ୍ୟ ? ଆଜି ବି ମୋ ମନ ଭିତରେ ପ୍ରଶ୍ନବାଚୀଟିଏ ହୋଇ ରହିଯାଇଛି ।

ବିନୋଦ ସାରଙ୍କର ଉଦାରତା ଓ ରବି ସାରଙ୍କ ଆତ୍ମୀୟତା ଏକଦା ମୋତେ ଆକର୍ଷିତ କରିଥିଲା ଖଲ୍ଲିକୋଟରେ ରହିଯିବା ପାଇଁ  । ଚାରିଟି ବସନ୍ତର ପ୍ରେମ ଓ ପ୍ରଣୟ, ପ୍ରତାରଣାର ସ୍ମୃତି ଏବେବି ଅଭୁଲା ମୋ ପାଇଁ । ଅନେକ ଅହଂକାର ଓ ଚକ୍ରାନ୍ତର ଶିକାର ହୋଇଥିଲେ ମଧ୍ୟ ସେ ଖଲ୍ଲିକୋଟ ମୋତେ ଜୀଇଁବାର ରାହା ଦେଖାଇଛି । ଦୁଇବର୍ଷ ହଷ୍ଟେଲ ଜୀବନ, ପରେ ମାମୁଁଙ୍କ ବ୍ୟବସାୟରେ ସହଯୋଗ କରି କାଶୀ ଗଉଡ଼ଙ୍କ ଘରେ ଭଡ଼ା ରହଣି, ସଂଧ୍ୟାରେ ନିର୍ମଳ ଝର ତ ରାତିରେ ଜଗନ୍ନାଥ ମନ୍ଦିରର ସ୍ମୃତି ଆଜି ମନେ ପକାଇଲେ ସେମାନେ ସବୁ ଜୀବନ୍ତ ହୋଇ ଆଖି ସାମ୍ନାରେ ଉଭା ହୁଅନ୍ତି ।

ସେଠି ଦେଖାଯାଏ ଖଲ୍ଲିକୋଟ ଷ୍ଟେସନ୍ ପାଖ ହୋଟେଲ କାନ୍ଥ ଉପରେ ଚଢ଼ି ଧୁ ଧୁ ଖରାରେ ସାଇନ୍ ବୋର୍ଡ଼ ଲେଖିବା, ଜଗନ୍ନାଥ ମନ୍ଦିରରେ ରାତିରେ ରହି ଜଗନ୍ନାଥଙ୍କୁ ରଙ୍ଗ କରିବା, ସ୍କେଚ୍ କରିବାକୁ ଯାଇ ପାହୁଚ ବନ୍ଧରେ ମାଛ ଧରିବା, ପ୍ରତି ସପ୍ତାହରେ ଅତି କମରେ ଚିଲିକା କୂଳକୁ ଥରୁଟିଏ ଯାଇ ଖଇଙ୍ଗା ମାଛ ଓ କଙ୍କଡ଼ା ଆଣି ଅବସରରେ ଚିଲିକାକୁ ମନ ଭରି ଉପଭୋଗ କରିବା ଓ ସର୍ବୋପରି ପ୍ରତି ଶନିବାର ରେଳରେ ବାଲୁଗାଁ ମାଗଣାରେ ଯାଇ ସିନେମା ଦେଖି ଫେରିବାର ଅନନ୍ୟ ଅନୁଭୂତି ଆଜିବି ଅପାସୋରା ହୋଇ ରହିଛି  ।

ମୁଁ ଜାଣେ ସେ ଦିନ ଆଉ ଫେରି ଆସିବନି  । ଫେରି ଆସିବ ନାହିଁ ସେ ଉଜାଣି ସମୟ, ଯେଉଁ ସମୟରେ ଆମମାନଙ୍କର ପାସ୍ କରିବାର ସମ୍ବାଦ, ସମ୍ବାଦପତ୍ରରେ ପ୍ରକାଶ ପାଉଥିଲା, ମାତ୍ର ପଇଁଚାଳିଶି ଟଙ୍କା ଷ୍ଟାଇପେଣ୍ଡରେ ମାସଯାକ ଚଳି ୫ ଟଙ୍କା ବଳକା ରହୁଥିଲା ଯାହା ଲକ୍ଷ୍ମୀ କୁମୁଟି ଦୋକାନରୁ ରଙ୍ଗ କିଣା ହୋଇ ସାଇତା ହୋଇ ରହୁଥିଲା ପରବର୍ତ୍ତୀ ଦିନମାନଙ୍କ ପାଇଁ  । ଫେରି ଆସିବନି ସେଦିନ, ଯେଉଁ ଦିନମାନଙ୍କରେ ଆମେ ପାହାଡ଼ ଉପରକୁ ଚଢ଼ି କିଳା ଦେବାପାଇଁ ‘କିଳେଇସୁଣୀ’ ଦେବୀଙ୍କୁ ପ୍ରତିଷ୍ଠା କରିଥିଲୁ  । ଯାହା ଦିବ୍ୟସିଂ ମଳ୍ଲ, ଶିରୀଶ ଚାନ୍ଦ, ମଧୁ ଜେନା, ଗୋକୁଳ ରଥ, ରାଜବଲ୍ଲଭ ସାହୁ, ଭୋଳାନାଥ ଷଡ଼ଙ୍ଗୀ ଓ ମୋ ଭଳି ଦୁଷ୍ଟ ପିଲାମାନେ ପଥରରେ ସିନ୍ଦୂର ବୋଳି ପତାକା ଟାଙ୍ଗି କାର୍ଯ୍ୟଟିକୁ ସମ୍ପାଦନ କରି ନିଶଦ୍ଦରେ ଫେରି ଆସୁଥିଲୁ  ।

ଫେରି ଆସିବନି ସେ ଦିନ ଯେଉଁ ଦିନମାନଙ୍କରେ ପ୍ରଥମ ବାର୍ଷିକ ହଷ୍ଟେଲ ଝରକାରେ କଣା କରି ସେ ପଟରେ ସ୍ନାନରତା କିଶୋରୀର ଶୁଭ୍ର ଶଂଖ ଦେହକୁ ଦେଖିବା ପ୍ରତିଯୋଗିତାର ମୁହୂର୍ତ୍ତ, ସ୍ମୃତି କାନ୍ଭାସରେ ଅଶୋକ ନାୟକ, କମଳ ସିଂ ଓ ବଳଦେବ ମହାରଥୀର ପ୍ରୀତି ପତ୍ରାଳାପ, ବିପିନ୍ ପଟ୍ଟନାୟକ ଓ ଗଣେଶ୍ୱର ବାରିକଙ୍କ ଜନୈକ ଅଧ୍ୟାପକଙ୍କ କନ୍ୟାକୁ ନେଇ ଫଟୋ ଉତ୍ତୋଳନ, ଅଧ୍ୟକ୍ଷ ଅଜିତ୍ କେଶରୀ ରାୟଙ୍କ ଘରେ ହେଉଥିବା ପାଠଚକ୍ରରେ ଯୋଗ ଦେବାପାଇଁ ପ୍ରତିଯୋଗିତା, ଝଡ଼ା ଆନ୍ଦୋଳନ ବେଳେ ନିଆଁଖୁଣ୍ଟାରେ ପ୍ରକାଶ ପାଉଥିବା ‘ଡାମରାକାଉ’ ସିରିଜ ଭଳି କଲେଜ କାନ୍ଥରେ କବିତା ଲେଖା ଓ ଭୁବନେଶ୍ୱରକୁ ଆର୍ଟ କଲେଜ ଉଠାଇ ନେବାପାଇଁ ଷ୍ଟ୍ରାଇକ୍ କରିବା ଭଳି ଘଟଣାମାନ ଆମ ସମୟରେ ସ୍ମୃତି ଛାଇ ହୋଇ ରହିଯାଇଥିବ ନିଶ୍ଚୟ ।

ଦିବ୍ୟସିଂ ମଲ୍ଲ ଆମ ସମୟରେ ହିରୋ ଥିଲା । ମୁକ୍ତ ରଂଗମଞ୍ଚରେ ଆମେ ‘ବରଣୀ କନ୍ୟା’, ‘ନ ପାହୁ ରାତି ନମରୁ ପତି’ ଭଳି ନାଟକ ଓ ଗୀତିନାଟ୍ୟ କରିଥିଲୁ । ସିଏ ଆଜି ଦିବଂଗତ  । ଦିବଂଗତ ଭୋଳାନାଥ ଷଡ଼ଙ୍ଗୀ । ଯାହାଙ୍କୁ ପୁରୀବାବୁ ବୋଲି ସମସ୍ତେ ସମ୍ବୋଧନ କରୁଥିଲେ । ସୁନ୍ଦର ପୁରୀ ଡାଲମା ତିଆରି କରୁଥିଲା ସେ । ବଂଶୀ ମଧ୍ୟ ବଜାଉଥିଲା । ବଂଶୀର ଧ୍ୱନିରେ ବିମୋହିତ ହେଉଥିଲା ଦରବାର ହଲ  । ସେତେବେଳେ ଆମେ ଭାବୁଥିଲୁ ଜାତୀୟ ସ୍ତରରେ ନାମ କମେଇବ ନିଶ୍ଚୟ । ସେୟା ହିଁ ହେଲା  । ପରବର୍ତ୍ତୀ ସମୟରେ ସେ ଜାତୀୟ ଦୂରଦର୍ଶନ ଓ ଆକାଶବାଣୀରେ ବଂଶୀବାଦକଟିଏ ହେଲା ସତ ମାତ୍ର ବେଶୀ ଦିନ ରହିଲା ନାହିଁ  । ଏ ଦୁହେଁ ଆଜି ଅନେକ ମନେ ପଡ଼ନ୍ତି । ସେମାନଙ୍କ ଆତ୍ମା ପାଖରେ ମୋର ଅନେକ ପ୍ରଣତି ।

ପୁରୀବାବୁ ଶତପଥି ସାରଙ୍କ ପ୍ରିୟ ଥିଲା  । ଲୋକନାଥ ଶତପଥୀ ଆମ ସମୟର କମର୍ସିଆଲ ଆର୍ଟ ପଢ଼ାଉଥିଲେ  । ମାଛ ଧରିବା ଓ ଶିକାର କରିବା ତାଙ୍କର  ସଉକ ଥିଲା  । ଗୁଡ଼ାଏ କଥା ଗପନ୍ତି  । ସେ କଥା କହିବା ଆରମ୍ଭ କଲେ କଥାର ଖିଅ ଢ଼ିଙ୍କି ଶାଳରୁ ଢ଼େଙ୍କାନାଳ ଯାଏଁ ଲମ୍ବିଯାଏ  । ବେଳେବେଳେ ସିଧା ବ୍ରସ ଧରି ରଂଗରେ ବୁଡ଼ାଇ ଲାଇଫ୍ ଷ୍ଟଡି ଦେଖାଇ ଆମକୁ ଚମତ୍କୃତ କରିଥାନ୍ତି  । ଭଲ ହାରମୋନିୟମ ଓ ବଂଶୀ ବଜାଉଥିଲେ  । ଆଖପାଖରେ ଡ୍ରାମା ହେଲେ ଆମକୁ ଡାକି ନେଉଥିଲେ । ମୁଁ ସେତେବେଳେ ଭଲ ଗୀତ ବୋଲୁଥିଲି  । ଶତପଥି ସାର୍ ହାରମୋନିୟମ୍ ଧରି ଯେତେବେଳେ ଆରମ୍ଭ କରନ୍ତି “ବନ୍ଧୁଆ ….ରେ ଦେଖିଛୁକି ଗଲାବେଳେ ଏବାଟେ ମୋ ରାଧାକୁ” ଚମତ୍କୃତ ହୋଇଯାଉଥିଲେ ଶ୍ରୋତାମଣ୍ଡଳୀ । ଭଲ ନିର୍ଦ୍ଦେଶକ ଥିଲେ ମଧ୍ୟ  । ସେତେବେଳେ ପ୍ରତାପ ବାବୁ ଭାରି ହାସ୍ୟରସିକ ଥିଲେ, ଯିଏ ମୁତି ମୁତି କରି ଡିଜାଇନ୍ କରୁଥିଲେ ଅଗଣାରେ  । ସେ ପୁଣି ଡୁଏଟ୍ ଦେଉଥିଲେ ନାଟକରେ । ମଞ୍ଚକୁ ଆସିବା ମାତ୍ରେ ହସରେ ଫାଟି ପଡ଼ୁଥିଲେ ଦର୍ଶକ ମଣ୍ଡଳୀ  ।

‘ଆଜି ମୁଁ ଶଶୁର ଘର ବେଶ ସାଜିଛି’ ପାଇଁ ସେ ସମସ୍ତଙ୍କର ମନେ ରହିଥିବେ ମଧ୍ୟ  । କଲେଜରୁ ଗଲାପରେ ସେ ହଜିଗଲେ କେମିତି । ସ୍ମୃତି ରହିଛି ମନୋରଞ୍ଜନ ପ୍ରଧାନ । ସେ ତାଙ୍କଭଳି ହାସ୍ୟ ରସିକ ଥିଲେ । ଏବେ ସ୍ମୃତିରେ ରହିଛନ୍ତି ବାଣପୁରର ରବି ମହାରଣା । ଯିଏ ସବୁବେଳେ ଭାବପ୍ରବଣ ହୋଇ କହୁଥିଲେ, “ନିଳମାଷ୍ଟ୍ରାଣୀ ଏବେବି ଲୁଗା କାଚେ”  । ସେମିତି ପହଲି ଭାଇ ଆମ ବେଳର ପ୍ରିଫେକ୍ଟ ଥିଲେ  । ଯୁଗଳ ବାବୁ ଝାଡ଼ା ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ଶ୍ରୀନିବାସ ମହାରଣା ଗ୍ରାଫିକ୍ ଆର୍ଟର ଜଣେ ଭଲ ଛାତ୍ର ଥିଲେ  । ଅରବିନ୍ଦ ମାଝି, ସୁବାଷ ପରିଡ଼ା, ଚନ୍ଦ୍ରମଣି ବିଶ୍ୱାଳ ଏମାନେ ଯେଉଁମାନେ ଏବେବି ମନେ ରହିଛନ୍ତି  । ଏମାନେ ସିନିୟର ଥିଲେ ମଧ୍ୟ ଆମମାନଙ୍କ ସହ ଭଲ ଭାବେ ମିଶୁଥିଲେ ।

ରବି ସାର୍, ରବି ନାରାୟଣ ନାୟକ ସାରା ଜୀବନ ଧରି ଚିଲିକା ପାଣିର ଛାଇଟିଏ ହୋଇ ରହିଗଲେ । ରଙ୍ଗ ତୂଳୀ ଥିଲା ତାଙ୍କ ଜୀବନ  । ଏହା ଛଡ଼ା ପୃଥିବୀର କାହା ସହ ପରିଚିତ ହେବାକୁ •ହିଁ ନଥିଲେ, ଯାହା ଫଳରେ ତାଙ୍କ ଠାରୁ ପାଠ ପଢ଼ି ତାଙ୍କ ଛାତ୍ରମାନେ ଅଧ୍ୟକ୍ଷ ଓ ଅଧ୍ୟାପକ ହେଲାବେଳେ ସେ ଇନ୍ଷ୍ଟ୍ରକ୍ଟରରୁ ଅବସର ନେଲେ  । ମୁଁ ତାଙ୍କୁ ପରବର୍ତ୍ତୀ ସମୟରେ ମୋ ଭଦ୍ରକ ଆର୍ଟ କଲେଜରେ ଅଧ୍ୟକ୍ଷ କରାଇଥିଲି  । ସେ ବେଶୀ ଦିନ ରହିଲେ ନାହିଁ  । ସେ ସ୍ୱାଧୀନଚେତା ମଣିଷ  । ତାଙ୍କୁ କୌଣସି ନିୟମ କାନୁନ୍ ଆକଟ ବାନ୍ଧି ରଖିପାରିଲା ନାହିଁ  । ସେ ଯାହା କହନ୍ତି ଯାହା କରନ୍ତି ତାହା ହିଁ ନିୟମ, ଦୁର୍ବାସା ପରି ତାଙ୍କର କ୍ରୋଧ  । ମୋ ପଢ଼ା ସମୟରେ ଅଧା ସମୟ କଟିଛି ତାଙ୍କର ମୋ ଉପରେ ରାଗ କରିବାର  । ଭଲ ଶିଳ୍ପୀ ଯୋଗୁଁ ସେ ଶିଳ୍ପର ହତାଦାର କରିନାହାନ୍ତି  । କେତେଜଣ ମୋ ପ୍ରତି ଈର୍ଷା କରୁଥିବା ବେଳେ ପରୀକ୍ଷାରେ ତାଙ୍କ ବିଷୟରେ ମୋତେ ସର୍ବୋଚ୍ଚ ନମ୍ବର ଦେଇ ସେମାନଙ୍କର ଅପ୍ରିୟ ହୋଇଯାଇଥିଲେ । ରବି ସାର୍ଙ୍କ ଡିଜାଇନ୍, ୱାସ ପେଣ୍ଟିଂ (ଧୌତ ଚିତ୍ର) ଅନନ୍ୟ  । ହୁଏତ ରବି ସାର୍ଙ୍କ ପରେ ଏହା ଓଡ଼ିଶାରୁ ନିଶ୍ଚିହ୍ନ ହୋଇଯିବ ଏଥିରେ ସନ୍ଦେହ ନାହିାଁ

ଅଧ୍ୟାପକମାନଙ୍କ ମଧ୍ୟରୁ ମୋର ଖୁବ୍ ବେଶୀ ଆପଣାର ଥିଲେ ଦୁର୍ଗା ସାର୍ ଓ ବିନୋଦ ସାର୍, ଦୁର୍ଗା ଦାସ ଓ ବିନୋଦ ରାଉତରାୟ କେବଳ ସାର ନୁହନ୍ତି ମାଉସୀମାନେ ମଧ୍ୟ (ସାର୍ଙ୍କ ସ୍ତ୍ରୀ) ମୋତେ ସେମାନେ ପୁତ୍ର ପରି ସ୍ନେହ କରୁଥିଲେ  । ବିନୋଦ ସାର୍ ଓ ଦୁର୍ଗା ସାର୍ଙ୍କ ଠାରୁ ସୁନ୍ଦର ଛବି କରିବା ସହ ଲେଖାଲେଖିର ସ୍ୱାଦଟି ଆହରଣ କରିଥିଲି ଯାହା ପରବର୍ତ୍ତୀ ଦିନମାନଙ୍କରେ ମୋତେ ପ୍ରତିଷ୍ଠା ଆଣି ଦେଇଛି  । ଆମ ସମୟର ବଳଦେବ ମହାରଥ ଓ ମୁଁ ନିଶ୍ଚିତ ଭାବେ ଭଲ ଛାତ୍ର ଥିଲୁ  । ମୋ ବିଭାଗରେ ମୁଁ ପ୍ରଥମ ହେଉଥିବା ବେଳେ ତା ବିଭାଗରେ ସେ ପ୍ରଥମ ହେଉଥିଲା  । ମାତ୍ର ଅଜିତ୍ ସାରଙ୍କ ଘରେ ହେଉଥିବା ପାଠଚକ୍ରରେ ଯୋଗ ଦେଉନଥିବାରୁ ପାଠଚକ୍ରର ଆୟୋଜକ ସୁବାଷ ଦାସ ଡିସ୍ଟିଂସନ୍ ପାଇଲା ବୋଲି ପରେ ସମସ୍ତେ ଆଲୋଚନା କଲେ  । ସାର୍ମାନଙ୍କର ମନାନ୍ତରର ଶିକାର ହେଉଥିଲୁ ଆମେମାନେ  ।

ଦୁର୍ଗାସାର୍ ଓ ବିନୋଦ ସାର୍ଙ୍କ ପାଖରେ ରହି ଛବି ତିଆରି, ରଙ୍ଗ କରିବା, କମ୍ପୋଜିସନ୍ କରିବା ସବୁଗୁଡ଼ିକ ଦେଖିଦେଖି ଶିଖି ଯାଇଥିଲୁ, ଯାହା ପରବର୍ତ୍ତୀ ଦିନମାନଙ୍କରେ ମୋ କାମରେ ଆସିଛି । କାଗଜର ଦୁଇ ପାଶ୍ୱର୍ ଭଳି ଗୋଟାଏ ପାଖରେ ରିଏଲିଷ୍ଟିକ୍ ଛବି ଅନ୍ୟ ପାଖରେ ଅଜିତ୍ ସାର୍ଙ୍କ ଆଧୁନିକ ଛବିର ମିଶ୍ରଣ ହୋଇ ପାରିନଥିଲା । ଉଭୟ ଉଭୟଙ୍କୁ ଈର୍ଷା କରୁଥିଲେ । ଆଧୁନିକତାର ହାୱାରେ ସେତେବେଳେ ଉବୁଟୁବୁ ହେଉଥିବା ଅନନ୍ତ ସାର (ଅନନ୍ତ ପଣ୍ଡା) ତାଙ୍କ ପ୍ରିୟ ଛାତ୍ର ଦୀନନାଥ ପାଠୀ, ଅଜିତ୍ ବାବୁଙ୍କ ଗୋଷ୍ଠୀର ଥିଲେ । ଭଲ ଛାତ୍ର ଭାବେ ପାଠୀବାବୁଙ୍କର ସୁନାମ ଥିଲା । ସେଠି ଛାତ୍ର ଥିବା ଚନ୍ଦ୍ରମଣି ବିଶ୍ୱାଳ, ପ୍ରକାଶ ମହାନନ୍ଦିଆ (ଯିଏ ଏବେ ସୁଇଡେନ୍ରେ) ମଧ୍ୟ ଭଲ ଛାତ୍ର ଭାବେ ସୁନାମ ଥିଲା ।

ଏମାନେ ସେହି ସବୁ ଆଧୁନିକ ଗୋଷ୍ଠୀର । ଏମାନେ ବିନୋଦ ସାର୍, ଦୁର୍ଗା ସାର୍ଙ୍କୁ ଭଲ ପାଉନଥିଲେ । ଏଣୁ ବାର୍ଷିକ ପରୀକ୍ଷା ବେଳେ ନିରୀକ୍ଷକ ହୋଇ ଆସିଥିବା ପାଠୀବାବୁ ମୋତେ ସବୁଠାରୁ କମ୍ ନମ୍ବର ଦେଇଥିଲେ । ତଥାପି ମୋ ବିଭାଗରେ ମୁଁ ପ୍ରଥମ ହୋଇଥିଲି । ସେତେବେଳେ ପାଠୀବାବୁ ମୋତେ ଜାଣିନଥିଲେ । ପରେ ଅବଶ୍ୟ ପାଠୀବାବୁଙ୍କ ଠାରୁ ଯେଉଁ ଶ୍ରଦ୍ଧା ଓ ସ୍ନେହ ପାଇଛି ତାହା ଅଭୂଲା ହୋଇ ରହିବ ମୋ ପାଇଁ । ତାଙ୍କର ଦାନ ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ । ଚିଲିକା ପାଣିରେ ଛାଇ ପ୍ରଭୃତି ପୁସ୍ତକ ମୋତେ ଲେଖାର ଖୋରାକ ଯୋଗାଇଥିଲା । ସେଦିନ ଓ ଏବେ ମଧ୍ୟରେ ଅନେକ ତଫାତ୍ ଅନେକ କଥା ଯାହା ଲେଖିବାକୁ ଚାହିଁଲେବି ଲେଖି ହେବନି, ଖାଲି ଛାତି ତଳେ ଗୁମୁରି ଗୁମୁରି ରହିଯିବ ସ୍ମୃତିର ଫରୁଆ ଭିତରେ  । ସେ ସ୍ମୃତିର ଫରୁଆ ଖୋଲିବା ମାତ୍ରେ ଫିଟି ପଡ଼ିବେ ହରେକୃଷ୍ଣ ବେହେରା, ଯାହାଙ୍କୁ ବେହେରା ସାର୍ ବୋଲି ଡାକୁଥିଲୁ । ସେ ମଦ ପିଉଥିଲେ ସୁଖରେ ନୁହେଁ ଦୁଃଖରେ  । ପିଲା ଛୁଆ ଜଞ୍ଜାଳ ମଧ୍ୟରେ ତାହାହିଁ ଥିଲା ତାଙ୍କ ପାଇଁ ଏକମାତ୍ର ସାହାରା  । କିନ୍ତୁ ହୃଦୟବାନ ମଣିଷଟିଏ  ।

କେଉଁ ଛାତ୍ର କହିଦେବ, ସେ ବେହେରା ସାରଙ୍କ ଠାରୁ ସାହାଯ୍ୟ ପାଇନାହିଁ ବୋଲି ? ପାଞ୍ଚ ଟଙ୍କାରେ ହାପ୍ ସିଟ୍ ଫ୍ରେମ, ପଚିଶ ଟଙ୍କାରେ ଇଜିଲ୍ ତିଆରି କରିଦେଇଛନ୍ତି ପିଲାମାନଙ୍କୁ  । ମୋର ମନେ ଅଛି ସାରଙ୍କୁ ରାତି ଅନିଦ୍ରା କରି ମୋ ‘ରୁରାଲ ଭିୟୁ’ ଗ୍ରାଫିକ୍ ଛବିର ଫ୍ରେମ୍ ତିଆରି କରାଇଥିଲି। ଶେଷ ମୁହୂର୍ତ୍ତରେ ଲଳିତକଳା ଏକାଡେମୀର ପ୍ରଦର୍ଶନ ପାଇଁ  । ଏବଂ ତାହାହିଁ ପୁରସ୍କୃତ ହୋଇଥିଲା ମଧ୍ୟ  । ସେତେବେଳେ ଅଭିନନ୍ଦନ ଜଣାଇଥିବା ଅଧ୍ୟାପକ ବିପ୍ରଚରଣ ମହାନ୍ତି କେବଳ ମଡେଲିଂରେ ନୁହେଁ ଜଳ ରଂଗରେ ଛବି କରିବାର ଧୂରିଣ ଥିଲେ  । ଏବେ ସୁଦ୍ଧା ତାଙ୍କ ମଡେଲ ରାଜ୍ୟସାରା । ବଡ଼ ବଡ଼ ମଡେଲ ସୁବାଷ ବୋଷଙ୍କର ହେଉ ବା ବିର୍ଷା ମୁଣ୍ଡା ହେଉ, ଗୋପବନ୍ଧୁ ହେଉ ବା ମଧୁସୂଦନ ହେଉ ସାରା ରାଜ୍ୟରେ ଛାଇ ହୋଇଛି ତାଙ୍କରି ହାତ ତିଆରି ମଡେଲ । ଯାହାଙ୍କୁ ନେଇ ଆମେ ଗର୍ବ କରୁ ତାଙ୍କରି ଛାତ୍ର ମୁଁ  । ନିର୍ବିବାଦରେ ମଣିଷଟିଏ  । ସଦା ହସହସ ମୁହଁ  । ଧିରେ ଧିରେ କଥା କହନ୍ତି  । ତାଙ୍କ ବ୍ୟକ୍ତିତ୍ୱରେ କି ଯାଦୁ ଥାଏ କେଜାଣି ସବୁ ଛାତ୍ରଙ୍କର ତାଙ୍କ ନିକଟରେ ମୁଣ୍ଡ ନୁଆଁଇ ଯାଏ  ।

ଆର୍ଟ ସ୍କୁଲ ଛାଡ଼ିବା ପରେ ଆମପାଇଁ ଆଉ ସେ ପରିବେଶ ନାହିଁ ଛବି ତିଆରି କରିବାର  । ଜୀଇଁବା ପାଇଁ ସଂଘର୍ଷ  । ଉଠାଣୀ ଗଡ଼ାଣି ଡେଇଁ ଏଯାଏଁ ଆସିବା ପଛରେ ସେହି ବିଦ୍ୟାଳୟ ଯାହା ଆଜି ମହାବିଦ୍ୟାଳୟରେ ପରିଣତ ହୋଇଛି ବିନୋଦ ରାଉତରାୟଙ୍କ ଲାଗି  ।  ବିନୋଦ ସାର୍ ଆଜି ନାହାନ୍ତି ମାତ୍ର ତାଙ୍କ କଥା ଆଜି ବହୁତ ମନେପଡ଼ୁଛି  । ସେ ଅନେକ ଅବଶୋଷ ନେଇ ସେପାରିକୁ ଯାଇଥିଲେ  । କାରଣ ତାଙ୍କର ଇଚ୍ଛା ମୁଁ ପୂରଣ କରିପାରିଲି ନାହିଁ  । ଆଜି କହିବାର ମୋର ଦିରୁକ୍ତି ନାହିଁ  । ସେ ଓ ଜଗଦୀଶ କାନୁନ୍ଗୋଙ୍କର ପ୍ରଚେଷ୍ଟାରେ ପ୍ରଥମ ଓଡ଼ିଆ ଛାତ୍ର ଭାବେ ମୁଁ ଦିଲ୍ଲୀ ଲଳିତ କଳା ଷ୍ଟୁଡିଓକୁ ମନୋନୀତ ହୋଇଥିଲି  । ଗ୍ରାଫିକ୍ ଆର୍ଟର ଅଧିକ ଶିକ୍ଷା କରିବାପାଇଁ ।

ଲଳିତ କଳା ଏକାଡେମୀର ପ୍ରଥମ ଥର ପାଇଁ ଏକକ ଚିତ୍ରକଳା ପ୍ରଦର୍ଶନରେ ମୋତେ ହିଁ ମନୋନୀତ କରାଯାଇଥିଲା । କାରଣ ସାର୍ଙ୍କର ଇଚ୍ଛା ଥିଲା ମୁଁ ଖଲ୍ଲିକୋଟ କଲେଜର ଅଧ୍ୟାପକଟିଏ ହୁଏ ବୋଲି । ଅଧ୍ୟାପକ ପାଇଁ ସମସ୍ତ ଯୋଗ୍ୟତା ମୋ ଭିତରେ ଆଣିଦେଇଥିଲେ । ମୋତେ ଯୋଗ୍ୟ କରିଥିଲେ ତାଙ୍କର ଉତ୍ତରାଧିକାରୀ ପାଇଁ । ମାତ୍ର ଅଧ୍ୟାପକମାନଙ୍କର ଛାତ୍ରମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ ସେମାନଙ୍କ ଗୋଷ୍ଠୀ ତିଆରି କରିବା ସପକ୍ଷରେ ମୁଁ ନଥିଲି । ମୋ ଅଞ୍ଚଳର କଳାର ପ୍ରସାର ପାଇଁ କଳା ମହାବିଦ୍ୟାଳୟ ତିଆରି କରିବା ମୋର ଥିଲା ଅଭିଳାଷ । ଖଲ୍ଲିକୋଟର ଚାରିବର୍ଷର ତିକ୍ତ ମଧୁର ଅନୁଭୂତି ନିଜ ନିଜ ମଧ୍ୟରେ ସଂଘର୍ଷ ମୋତେ ସେଠାକୁ ପୁଣି ଥରେ ଫେରିବାକୁ ବାରଣ କରିଥିଲା । ଏକଥା ସାରଙ୍କୁ କେବେ କହିପାରିଲି ନାହିଁ… ।

 

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ