ଓଡ଼ିଶାରେ ନାଟକର ସ୍ଥିତି

ଦେବବ୍ରତ ପଟ୍ଟନାୟକ
ଦେବବ୍ରତ ପଟ୍ଟନାୟକ 193 Views
21 Min Read

ସାକ୍ଷାତକାର : ନବିନ କୁମାର ପରିଡ଼ା

[box type=”shadow” align=”” class=”” width=””] ନାଟ୍ୟଗୁରୁ ଶ୍ରୀଯୁକ୍ତ ନବୀନ କୁମାର ପରିଡ଼ାଙ୍କର ଜନ୍ମ ବାଲେଶ୍ଵର ଜିଲ୍ଲାର ସୁବର୍ଣ୍ଣରେଖା କୂଳର ଜମାଳପୁର ଗାଁରେ । ପ୍ରଥମେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ପରେ ନାଟକ ବିଭାଗର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କଲେ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ହୋଇ ଅବସର ଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ନାଟ୍ୟକାର, ଅଭିନେତା ଏବଂ ନିର୍ଦ୍ଦେଶକ ଭାବରେ ପରିଚିତ । ଶ୍ରୀ ପରିଡ଼ା ନିଜ ରଚିତ ନାଟକ “ନାଟୁଆ” ପାଇଁ ୨୦୧୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ଗୁରୁ ନବୀନ କୁମାର ପରିଡ଼ାଙ୍କର ଜଣେ ସୁନାମଧନ୍ୟ ଛାତ୍ର ଯୁବ ନିର୍ଦ୍ଦେଶକ ଦେବବ୍ରତ ପଟ୍ଟନାୟକ ନିଜ ଗୁରୁଙ୍କ ସହ ସାକ୍ଷାତକାର କରି ନାଟକ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ପାଠକ ମାନଙ୍କୁ ଓ ନାଟକରେ ଆଗ୍ରହ ରଖୁଥିବା ବ୍ୟକ୍ତି ମାନଙ୍କୁ ଜଣେଇବାପାଇଁ ଏଠାରେ ପ୍ରୟାସ କରିଛନ୍ତି । – ସମ୍ପାଦକ[/box]

୧) ବର୍ତ୍ତମାନ ଓଡ଼ିଶାରେ ନାଟକର ସ୍ଥିତି କ’ଣ ଅଛି?

ଉ: ବର୍ତ୍ତମାନ ନାଟକର ସ୍ଥିତି କହିଲେ ସ୍କ୍ରିପ୍ଟ ଠୁ ଆରମ୍ଭ କରି ଆକ୍ଟିଂ, ଡ଼ିରେକ୍ସନ, ଡ଼ିଜାଇନ ସବୁକୁ ଯଦି ଦେଖିବା, ସବୁଥିରେ ଉନ୍ନତି ହୋଇଛି କିନ୍ତୁ ମୋତେ ଲାଗୁନି ଯେ ସେତେ ବି ଉନ୍ନତି ହେଇଛି ବୋଲି । କାରଣ ନାଟକରେ ବର୍ତ୍ତମାନ ମୌଳିକ ସ୍କ୍ରିପ୍ଟ ବହୁତ କମ୍ । ଯେଉଁ ଗୁଡ଼ାକ ମୌଳିକ ସ୍କ୍ରିପ୍ଟ ଅଛି ସେଗୁଡ଼ା ସବୁ ଘଟଣା ପ୍ରଧାନ । କ୍ୟାରେକ୍ଟାରାଇଜେସନ୍ କମ୍ ଥାଏ । କିନ୍ତୁ ଘଟଣା ପ୍ରଧାନ ନାଟକ ଗୁଡ଼ିକ ଆମେ ଜାଣୁ ଯେ ମେଲୋଡ଼୍ରାମା କୁ ଚାଲିଯିବାର ସମ୍ଭାବନା ଥାଏ । ହଁ ମେଲୋଡ଼୍ରାମାଟିକ୍ ଫର୍ମାଟ୍ ରେ ବହୁତ ନାଟକ ହଉଛି । କିନ୍ତୁ ଅନ୍ୟ ଫର୍ମାଟ୍ ଧରାଯାଉ ରିଅଲିଷ୍ଟିକ ଫର୍ମାଟ ହେଉ ବା ଷ୍ଟାଇଲିଷ୍ଟିକ୍ ଫର୍ମାଟ୍ ହଉ ବା ଫିଜିକାଲାଇଜେସନ୍ ଫର୍ମାଟ୍ ହେଉ ବା ମ୍ୟୁଜିକାଲ ଫର୍ମାଟ୍ ହେଉ ଏ ସବୁ ଫର୍ମାଟ୍ ରେ ବେଶି ନାଟକ ହେଉନାହିଁ । ଦ୍ୱିତୀୟ କଥା ଅଭିନୟ ବା ଷ୍ଟାଣ୍ଡାଡ଼୍ ଅଫ ଆକ୍ଟିଂ ସେଇଟା ହାଇ ହେଉନି । ସେଇଟାକୁ ହାଇ କରିବାର ପ୍ରୟୋଜନ ଅଛି । ତୃତୀୟ କଥା ଡ଼ିରେକ୍ସନ୍‌ରେ ଆମେ କ୍ୱାଲିଟେଟିଭ୍ ପ୍ରଡ଼କ୍ସନ୍ ଦେଖିବାକୁ ପାଉନେ । ତାର କାରଣ ହୁଏତ ପଇସା ହୋଇପାରେ ବା ହୋଇପାରେ କଣ୍ଟ୍ରିବ୍ୟୁସନ୍ ଅଫ ଦ ଆର୍ଟିଷ୍ଟ । କେହି ସମୟ ଦେବାକୁ ପ୍ରସ୍ତୁତ ନୁହନ୍ତି । ଖାଲି ଗୋଟିଏ କଥା ଆମେ ସବୁବେଳେ କହୁ ଆମେ ୩ ମାସ ରିହରସେଲ କଲୁ ୬ ମାସ ରିହରସେଲ୍ କଲୁ । ମାସ ଗଣିଲେ ଘଣ୍ଟା ଗଣିଲେ ହବନି । କେତେ ଗଭୀର ଭାବରେ ସମୟ ଦେଉଛନ୍ତି ସେଇଟାକୁ ଦେଖିବାକୁ ପଡ଼ିବ । ଯେମିତି ଆମ ଧର୍ମର ଗୋଟେ କଥା ଅଛି ମୁଁ ୧୦୮ ଥର ଜପ କଲି । ହଜାରେ ଥର ଜପ କଲି, ଲକ୍ଷେ ଥର ଜପ କଲି । ଆରେ ଜପଟା ସଂଖ୍ୟାରେ ହୁଏନି । ଜପଟା ଆତ୍ମାରେ ହୁଏ, ପ୍ରାଣରେ ହୁଏ, ଜପଟା ମନରେ ହୁଏ, ଜପଟା ଧ୍ୟାନରେ ହୁଏ, ଜପ ସମର୍ପଣରେ ହୁଏ । ସେମିତି ସଂଖ୍ୟାରେ ଖାଲି ମାସ ଦିନ ଗଣି ଦେଲେ ହେବନି କେତେ ଇଣ୍ଟେନସିଭ କେୟାର ନିଆଯାଇ ପାରୁଛି ଆକ୍ଟିଂ ପ୍ରତି , ଡ଼ିରେକ୍ସନ୍ ପ୍ରତି ବା ନାଟକ ତିଆରି କରିବାରେ । ପ୍ରୋସେସ୍‌ ଟା କେତେ ଇଣ୍ଟେନ୍ସିଭ ହଉଛି ସେଇଟା ଇମ୍ପୋଟାଣ୍ଟ୍ । ଆଉ ସେତିକି ଇଣ୍ଟେନସିଟିରେ କାମ ବର୍ତ୍ତମାନ ଦେଖିବାକୁ ମିଳୁନାହିଁ । ତେଣୁ ମୁଁ ଭାବୁଛି ନାଟକର ସବୁ କ୍ଷେତ୍ରରେ ଯଥେଷ୍ଟ ଲଗନ ସହିତ ବା ସମର୍ପଣର ସହ କାମ କରିବାର ଅଛି । ନାଟକ କରିବା ପାଇଁ ନାଟକ ନ କରି, ନାଟକକୁ ଏନଜୟ କଲାଭଳି, ଭଲ ପାଇଲା ଭଳି, ପ୍ରେମ କଲାଭଳି, ସମର୍ପିତ ହେଲା ଭଳି ନାଟକ ଦେଖିବାକୁ ମିଳୁନି, କାଁ ଭାଁ ଦେଖାଯାଉଛି ।

୨) ଗ୍ରାମଞ୍ଚଳରେ ଲୋକମାନେ ନାଟକ ସହିତ ଯୋଡ଼ି ହେଇଛନ୍ତି କି?

ଉ: ଗ୍ରାମାଞ୍ଚଳର କିଏ ଯୋଡ଼ି ହେଲା କାହିଁ । ଆମର ତ ଯେତିକି ନାଟକ ହଉଛି କେତେ ଗୁଡ଼ିଏ ସହରରେ ହଉଛି । ଓଡ଼ିଶାର ୩୦ ଜିଲ୍ଲାରେ ବି ସବୁ ଯାଗାରେ ସମାନ ଭାବରେ ନାଟକ ହଉନାହିଁ । ନାଟକ ବର୍ତ୍ତମାନ ସାଧାରଣତଃ ଦେଖିବାକୁ ଗଲେ ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, ବରହମପୁର, ସମ୍ବଲପୁର, ବଲାଙ୍ଗିର ଭବାନି ପାଟଣା କି ଦେବଗଡ଼ ଏମିତି କେତେଟା ଜାଗାରେ ହେଉଛି । କିନ୍ତୁ ତାହା ମଧ୍ୟ ବର୍ଷକୁ ଥରେ ଅଧେ । ବର୍ଷର ପ୍ରତି ମାସରେ, ପ୍ରତି ସପ୍ତାହରେ ଦେଖିବାକୁ ଗଲେ ଭୁବନେଶ୍ୱରରେ ହେଉଛି, ତା ପରେ ରାଉରକେଲା ତା ପରେ ବାଲେଶ୍ୱର, ସମ୍ବଲପୁର ଏବଂ ବରମ୍‌ପୁର , ନ ହେଲେ ବର୍ଷର ସେଇ ନଭେମ୍ବର, ଡିସେମ୍ବର କି ଜାନୁୟାରୀ, ଫେବୃୟାରୀ ଏଇ ୨/୩ ମାସ ଭିତରେ ବର୍ଷର ଗୋଟାଏ ଉତ୍ସବ ହୁଏ ସେଇ ୨/୪ ମାସ ଭିତରେ ନାଟକ ସରିଯାଏ । ତେଣୁ ନାଟକର ସେଇ ଯେଉଁ ପ୍ରବାହ ସେଇଟା ଦେଖାଯାଉନି । ଗାଁରେ ଆଉ କେତେ ନାଟକ ହେଉଛି ?

ଯଦି ଗାଁରେ ନାଟକ ହେଉଛି ସେଇଟା ଯାତ୍ରା ପ୍ରଭାବିତ ନାଟକ, ଯାତ୍ରା ବହିକୁ କାଷ୍ଟିଂ କରି ଗାଁର ଯୁବକମାନେ ବା ଯୁବଗୋଷ୍ଠୀ ଏମିତି ନାଟକ ବର୍ଷକୁ ଥରେ କରୁଛନ୍ତି । କିନ୍ତୁ ଯେମିତି ଆମକୁ କୁହାଯାଉଥିଲା ଗୋଟେ ସମୟରେ ଗୋଟାଏ ସ୍ଲୋଗାନ ଭଳି ଯେ ଗାଁକୁ ଚାଲ। ଡାକ୍ତର ମାନଙ୍କୁ କୁହାଯାଉଥିଲା ଯେ ତୁମେ ଗାଁକୁ ଚାଲ ତାହାଲେ ଗାଁର ସ୍ୱାସ୍ଥ୍ୟ ସେବା ଠିକ୍ ହେବ । ସେମିତି ଆମକୁ ମଧ୍ୟ ଭାବିବାକୁ ପଡ଼ିବ ଥିଏଟର ଲୋକମାନଙ୍କୁ ଯେ ଗାଁକୁ ଚାଲ । ଅବଶ୍ୟ ଗାଁର ସେ ଭିତ୍ତିଭୂମି ନାହିଁ କିନ୍ତୁ କେମିତି ବି ହଉ ଗାଁରେ ଯାଇ ସମର୍ପିତ ନାଟକ କରିବାର ଅଛି । ବା ଯଦି ନାଟକ ବି ନ କରି ହଉଛି ସେଇ ଭିତ୍ତିଭୂମିରେ ଧରନ୍ତୁ ବାଲେଶ୍ୱରକୁ ସେଣ୍ଟର କରିକି ବାଲେଶ୍ୱର ହେଉ କି ଜିଲ୍ଲାର ବିଭିନ୍ନ ସ୍ଥାନରୁ ପିଲାମନଙ୍କୁ ଆଣିକି ନାଟକର ୱାର୍କସପ, ଆକ୍ଟିଂ, ଡ଼ିରେକ୍ସନ୍‌, ସ୍କ୍ରିପ୍ଟ ରାଇଟିଂ, ଷ୍ଟେଜ୍‌କ୍ରାଫ୍ଟର ସବୁ କମ୍ବାଇଣ୍ଡ ୱର୍କସପ୍ କରିବାର ଅଛି ଏବଂ ଏଇ ଗୁଡ଼ାକ କଲେ ଲୋକମାନଙ୍କୁ ଆକର୍ଷିତ କରିହେବ । ୱାର୍କସପ୍‌ଟା ଖାଲି ୱାର୍କସପ୍ ପାଇଁ ନୁହଁ ୱାର୍କସପ୍‌ଟା କରିବାକୁ ପଡ଼ିବ କଳାକାର ତିଆରି ହେବାର ଗୁଣକୁ ଆଖି ଆଗରେ ରଖିକି। ଖାଲି ପଇସା ପାଇଲେ ଗୋଟେ ୱାର୍କସପ୍‌ କରି ଦେଲେ ଧର୍ମକୁ ଆଖିଠାର ମାରିଲା ଭଲିଆ ୱାର୍କସପ୍ ସେ ୱାର୍କସପ୍‌ର କିଛି ମାନେ ନାହିଁ  ।  କେମିତି କ’ଣ ହେଇପାରିବ ତା ଉପରେ ଚିନ୍ତା କରିବା ଦରକାର ତା ଉପରେ କାମ କରିବା ଦରକାର । ଆଉ ଭୁବନେଶ୍ୱରରେ ବସିକି ମୁଁ ବର୍ଷରେ ୧୦ଟା ନାଟକ କଲେ କିଛି ଫାଇଦା ତାର ଗ୍ରାମାଞ୍ଚଳ ଲୋକଙ୍କ ଉପରେ ପଡ଼ିବ ନାହିଁ।

ଗ୍ରାମାଞ୍ଚଳର ଲୋକମାନେ ନାଟକ ସହିତ ନିଶ୍ଚୟ ଯୋଡ଼ି ହେବା ଦରକାର । ଆମର ଗୋଟାଏ ଏନସିଆରଟି ନୀୟମ କରିଥିଲା ଯେ ପ୍ରତି ସ୍କୁଲରେ ନାଟକକୁ ନେଇ ପାଠ ପଢ଼ା ହେବ । ଗୋଟାଏ ୫୦ ମାର୍କର ସିଲାବସ ରହିବ । କିନ୍ତୁ ସେଇଟା ତ ବର୍ତ୍ତମାନ ସୁଧା କାର୍ଯ୍ୟକାରୀ ହେଇପାରିଲାନି । ବର୍ତ୍ତମାନ ଅବଶ୍ୟ ଗାଁରେ ଯୋଉଁ ବିଭିନ୍ନ ସ୍କୁଲରେ ଆର୍ଟ ଟିଚର ଅଛନ୍ତି ସେମାନେ ସବୁକଥା ନାଚ, ଗୀତ, ନାଟକ ସବୁକଥା ବୁଝୁଛନ୍ତି । ଯେଉଁଠି ନାଟକର ପିଲାମାନେ ରହୁଛନ୍ତି କଳା ଶିକ୍ଷକ ହିସାବରେ ସେମାନେ ବି ଯଦି ଟିକେ ଗୁରୁତ୍ୱର ସହିତ ଏ କଥାଟିକୁ ବିଚାର କରନ୍ତେ ତାଙ୍କ ପିଲାମାନଙ୍କୁ ନେଇକି, ତା ହେଲେ ନାଟକର କିଛି ଭଲ କାମ ହୁଅନ୍ତା । କିନ୍ତୁ ସେମାନେ ତ ଚାକିରୀ ଧର୍ମୀ ହୋଇଗଲେଣି । ମୁଁ ବହୁତ ପିଲାଙ୍କ ସହିତ କାମ କରୁଛି କଥା ହଉଛି ଏବଂ ତାଙ୍କୁ କହୁଛି, ଆରେ ବର୍ଷକୁ ୨ଟା ଡ଼୍ରାମା କର କିନ୍ତୁ ସେମାନେ ବି ଏଥିରେ ଇଣ୍ଟେରେଷ୍ଟ ଦେଖଉ ନାହାନ୍ତି । ବିଭିନ୍ନ ବାହାନା କରୁଛନ୍ତି । ସେମାନେ ବି ଯଦି ନାଟକ ପାଇଁ କିଛି କଣ୍ଟ୍ରିବ୍ୟୁଟ କରନ୍ତେ ତାହାଲେ ଗାଁମାନଙ୍କର ନାଟକରେ କିଛି ଉନ୍ନତି ହୁଅନ୍ତା ।

ପ୍ରଶ୍ନ : ବର୍ତ୍ତମାନ ନାଟକ ଲେଖୁଥିବା ନାଟ୍ୟକାରମାନେ ସାଧାରଣତଃ କେଉଁଭଳି ବିଷୟବସ୍ତୁ ପ୍ରତି ଗୁରୁତ୍ୱ ଦେଉଛନ୍ତି?

ଉତ୍ତର : ଯେଉଁମାନେ ପ୍ରତିଷ୍ଠିତ ନାଟ୍ୟକାର ତାଙ୍କ କଥା ମୁଁ କହିବିନି ଏବେ ଯେଉଁ ନାଟ୍ୟକାର ମାନଙ୍କର ନାଟକ ଭୁବନେଶ୍ୱରରେ ହଉଛି, ସେ ନାଟକ ସାମାଜିକ ଦୃଷ୍ଟିକୋଣରୁ ସାମାଜିକ ଭିତ୍ତିଭୂମିକୁ ଆଖି ଆଗରେ ରଖିକି କୌଣସି ଗୋଟାଏ ସମସ୍ୟାକୁ ନେଇକି ନାଟକ ହଉଛି । କିନ୍ତୁ ସବୁବେଳେ ସେଇ ଯେଉଁ ଦୃଷ୍ଟି କୋଣ, ସେଇ ଦୃଷ୍ଟିକୋଣଟା ଗୋଟାଏ ପ୍ରକାରର ବୋଲି ମୋତେ ବେଳେ ବେଳେ ଲାଗେ । ସମାଜରେ ଅସଂଖ୍ୟ ସମସ୍ୟା ଅଛି ଏବଂ ସବୁ ସମସ୍ୟାକୁ ନେଇ କି ଆମେ ଯଦି ନାଟକ କରିବା ତାହାଲେ ସମସ୍ୟା ଟା ସେଠି ବଡ଼ ହବା ନା ନାଟକ ସେଠି ବଡ଼ ହବ । ଆମେ ସବୁବେଳେ କହୁ ଯେ ନାଟକ ଶିକ୍ଷା ପାଇଁ, ନାଟକ ମନୋରଞ୍ଜନ ପାଇଁ, ନାଟକ ସୂଚନାଧର୍ମୀ ବା ନାଟକ ସଚେତନତା ପାଇଁ ସବୁ ଠିକ୍ ଅଛି କିନ୍ତୁ ତା ଭିତରେ ବି ଗୋଟେ ବିଭିନ୍ନତା ରହିବା ଦରକାର । ଷ୍ଟାଇଲର ଭେରାଇଟି, ପ୍ରଡ଼କ୍ସନ୍‌ର ଭେରାଇଟ, ଆକ୍ଟିଂ ଭେରାଇଟି, ଡ଼ିଜାଇନ୍‌ର ଭେରାଇଟ । କିନ୍ତୁ ଆମେ ଯଦି ସେଇ ସାମାଜିକ ଧର୍ମୀ ନାଟକ କହିକି ବା ପରୀକ୍ଷାଧର୍ମୀ ନାଟକ କହିକି ଗୋଟିଏ ପ୍ରକାର ନାଟକ କରି ଚାଲିଥିବା ତା ହେଲେ ଦର୍ଶକର ଦୃଷ୍ଟିଭଙ୍ଗି ମଧ୍ୟ ଗୋଟାଏ ପ୍ରକାର ହୋଇଯିବ । କିନ୍ତୁ ଯେହେତୁ ଏହା ଏକ କଳାର ଭିତ୍ତିଭୂମି ତେଣୁ କଳାକୁ ମଧ୍ୟ ପ୍ରାଧାନ୍ୟ ଦେବା ଦରକାର । ମୋର କହିବା କଥା ମନୋରଞ୍ଜନ ସହିତ କଳା ଏବଂ ସୂଚନା ଏ ଦୁଇଟା ଭିତରେ ଠିକ୍ ସମ୍ପର୍କ ରହିବା କଥା ଯେମିତି ଫୁଲମାଳର ସୁତା ଭଳି । ଫୁଲ ବା ରଙ୍ଗୀନ ଫୁଲ ଭଳି ଡ଼ିଜାଇନ୍ ରହିବା ଦରକାର । କିନ୍ତୁ ତାର କଳାତ୍ମକ ଦିଗଟା ଦର୍ଶକଙ୍କର ବ୍ରେନ୍ ପାଇଁ ଖାଦ୍ୟ ବା ଚିନ୍ତାଧାରାକୁ ଉନ୍ନତ କରିବା ପାଇଁ ବା ଚିନ୍ତା ଧାରାରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ ଯେଉଁଠି କି ଦର୍ଶକ ଆସି ଖାଲି ମନୋରଞ୍ଜନ କରିବ ନାହିଁ । ବରଂ ତା ଭିତରେ ଭିନ୍ନ ଦୃଷ୍ଟି, ଭିନ୍ନ ଜାଗରଣ ଏବଂ ଭିନ୍ନ ଚେତନା ସୃଷ୍ଟି ହେବ ସେମିତି ନାଟକ ହେବା ଦରକାର । ତେଣୁ ମୋ ମତରେ ନାଟ୍ୟକାରମାନେ ସବୁ ପ୍ରକାର ନାଟକ ଲେଖିବା ଦରକାର, ନିର୍ଦ୍ଦେଶକ ମାନେ ସବୁ ପ୍ରକାର ନାଟକକୁ ଗ୍ରହଣ କରିବା ଦରକାର ଏବଂ ଅଭିନେତା ମାନେ ମଧ୍ୟ ସେମିତି ସବୁ ଅଭିନୟ ପାଇଁ ପ୍ରସ୍ତୁତ ହେବା ଦରକାର ଫିଜିକାଲି, ମେଣ୍ଟାଲି ଏବଂ ଭୋକାଲି ।

ପ୍ରଶ୍ନ : ଓଡ଼ିଶାରେ ଭୁବନେଶ୍ୱର, କଟକ ଏବଂ ପୁରୀରେ ହଉଥିବା ନାଟକର ଦର୍ଶକ କିଏ ଆପଣଙ୍କ ମତରେ?

ଉତ୍ତର : ବର୍ତ୍ତମାନ ଦର୍ଶକ କଥା ଯଦି ପଚରାଯାଏ । ତା ହେଲେ ମୁଁ ତ ଦେଖୁଛି ଭୁବନେଶ୍ୱରରେ ବହୁତ ଦର୍ଶକ ହେଉଛନ୍ତି ରିଟାୟାଡ଼ ପର୍ସନ। ଭଞ୍ଜ କଳାମଣ୍ଡପ ବା ରବିନ୍ଦ୍ର ମଣ୍ଡପରେ ଯଦି ଆପଣମାନେ ଆସି ଦେଖିବେ ୭୦ ରୁ ୭୫ ଅଧିକ ଭାଗଥିବେ ରିଟାୟାଡ଼ ପର୍ସନ ଥିବେ ଉଭୟ ସ୍ତ୍ରୀ ପୁରୁଷ ।

କିନ୍ତୁ ଯୁବ ପିଢ଼ି ବେଶି ଆଗ୍ରହୀ ହେଲା ଭଳି ମୋତେ ଦେଖାଯାଉ ନାହିଁ ଦର୍ଶକ ହିସାବରେ । ତାର କାରଣ କ’ଣ ମୁଁ ଜାଣେ ନାହିଁ । କିନ୍ତୁ ଯେତେବେଳେ ଯୁବ ପିଢ଼ି ନାଟକ ଆଡ଼କୁ ଆସିବେ ଦର୍ଶକ ହିସାବରେ, ତା ହେଲେ ନାଟକର ବିଭିନ୍ନ ଦିଗରେ ଯୁବପିଢ଼ିର ଆସିବା ଦେଖାଯିବ । ବର୍ତ୍ତମାନ ତ ଅଭିନୟ କ୍ଷେତ୍ରରେ ମଧ୍ୟ ଦେଖ ଯେଉଁମାନେ କେବଳ ୱାର୍କସପ୍ କରୁଛନ୍ତି ସେଇମାନେ କେବଳ କିଛି ଯୁବକ ପାଉଛନ୍ତି, ନ ହେଲେ ଅଧିକାଂଶ ଥିଏଟର ଗ୍ରୃପ୍‌ରେ ଯୁବପିଢ଼ି ନାହାନ୍ତି କହିଲେ ଚଳେ । ସାରା ଓଡ଼ିଶାରେ, ଭୁବନେଶ୍ୱରରେ ତ କିଛି ଅଛନ୍ତି କିନ୍ତୁ ଆଉ ଚାରିଆଡ଼େ ଦେଖ, ସେଇଟା କମ୍ ଦେଖାଯାଉଛି । ଯୁବପିଢ଼ି ନାଟକ ପ୍ରତି ଆକୃଷ୍ଟ ହେଉ ନାହାନ୍ତି । ତେଣୁ ଯୁବପିଢ଼ିକୁ କେମିତି ନାଟକ ପ୍ରତି ଆକୃଷ୍ଟ କରାଯାଇ ପାରିବ ଆଗ ଦର୍ଶକ ଭାବେ ତାପରେ ଅଭିନେତା ଭାବେ ତାପରେ ନିର୍ଦ୍ଦେଶକ ବା ଡ଼ିଜାଇନର ଭାବେ । କିନ୍ତୁ ଏହାପାଇଁ ପ୍ରତି ଜିଲ୍ଲାର ପ୍ରତି ଅଞ୍ଚଳରେ ୱାର୍କସପ୍ ନିହାତି ହେବା ଦରକାର । ତା ସହିତ ସାଧାରଣ ଦର୍ଶକ କେମିତି ଯୋଡ଼ି ହେବେ ଏଥିପାଇଁ ନାଟ୍ୟକାର, ନିର୍ଦ୍ଦେଶକ ଚିନ୍ତା କରିବା ଦରକାର । ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ସେଥିପାଇଁ ଦିଟା କଥା – ଯେ ଆମେ ନାଟକ ଦର୍ଶକଙ୍କ ଇଚ୍ଛାକୁ ନେଇ କରିବା ବା ନାଟକର ଇଚ୍ଛାକୁ ନେଇ ଦର୍ଶକ ଆଣିବା, ଏ ଦିଟାଯାକ କଥା ଓତଃପ୍ରୋତଃ ଭାବେ ଜଡ଼ିତ । କେତେ କହୁଛନ୍ତି କାଳେ ଦର୍ଶକ ଆସିବେନାହିଁ ସେଥିପାଇଁ ମନୋରଞ୍ଜନ ଧର୍ମୀ ନାଟକ କରିବାର ଆବଶ୍ୟକତା ନାହିଁ । କିନ୍ତୁ ମୋ ମତରେ ଦର୍ଶକଙ୍କ ମନ ଅପେକ୍ଷା, ତାଙ୍କ ବିବେକ, ତାଙ୍କ ଚେତନାକୁ ନୂତନ ତତ୍ତ୍ୱ ଦେଲା ଭଳି ବା ଖାଦ୍ୟ ଦେଲା ଭଳି ନାଟକ ଯଦି କରାଯାଇପାରିବ ତା ହେଲେ ଦର୍ଶକ ଆସିବେ । କାରଣ ବର୍ତ୍ତମାନର ଦର୍ଶକ ହେଉଛନ୍ତି ଇଣ୍ଟଲେକ୍‌ଚ୍ୟୁଆଲ ଦର୍ଶକ, ବର୍ତ୍ତମାନର ଦର୍ଶକ ହେଉଛନ୍ତି ଟେକ୍ନୋଲୋଜିର ପ୍ରିୟ ଦର୍ଶକ । ତେଣୁ ସେମାନେ ନିଶ୍ଚୟ ଆସିବେ । କିନ୍ତୁ ତାଙ୍କ ଇଣ୍ଟେଲେକ୍ଟକୁ ହିଟ୍ କଲା ଭଳି ବା ଟଚ୍ କଲା ଭଳି କିଛି କାମ ହେବା ଦରକାର । ଆକ୍ଟିଂରେ ନୂତନତ୍ୱ ଆସିବା ଦରକାର । ଡ଼ିଜାଇନ୍ ରେ ନୂତନତ୍ୱ ଆସିବା ଦରକାର ଏବଂ ଡ଼ିରେକସନ୍ ଷ୍ଟାଇଲରେ ନୂତନତ୍ୱ ଆସିବା ଦରକାର । ତା ସହିତ ଷ୍ଟୋରି ମଧ୍ୟ ସେଇଭଳି ଭାବେ ତିଆରି ହେବା ଦରକାର । ଏଇ ସବୁ କଥା ପ୍ରତି ଧ୍ୟାନ ଦେବା ନିହାତି ଦରକାର । ଆଉ ଗୋଟେ କଥା ନାଟକର ରଚନା, ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଯାହାବି ହେଉନା କାହିଁକି, ନାଟକର ଆକ୍ଟିଂ ପାର୍ଟ ବା ଆକ୍ସନ୍ ପାର୍ଟ ଯଦି ଷ୍ଟ୍ରଙ୍ଗ ନାହିଁ ତା ହେଲେ ଦର୍ଶକ ସେ ନାଟକକୁ ଦେଖିବେ ନାହିଁ । ଆକ୍ଟିଂ ପାର୍ଟ ଟା ଯଦି ପାୱାରଫୁଲ ଅଛି ତା ହେଲେ ଦର୍ଶକ ସବୁ କଥାକୁ ଆଡ଼େଇ ମନଦେଇ ନାଟକ ଭିତରେ ହଜିଯିବେ । ଏଇଟା ମୋର ବ୍ୟକ୍ତିଗତ ଅନୁଭୂତି । କାରଣ ମୁଁ ଏବେ ଯାହା ଦର୍ଶକ ହିସାବରେ ଅନୁଭବ କରୁଛି ଯେ ଦର୍ଶକ ସେଇ ନାଟକ ପ୍ରତି ବେଶୀ ଆକୃଷ୍ଟ ହଉଛନ୍ତି ବା ସେଇ ନାଟକକୁ ବେଶୀ ଚର୍ଚ୍ଚାକୁ ଆଣୁଛନ୍ତି । ଯେଉଁ ନାଟକରେ ଆକ୍ଟିଂ ପାର୍ଟକୁ ବେଶୀ ଗୁରୁତ୍ୱ ଦିଆଯାଉଛି ।

ପ୍ରଶ୍ନ : ଯୁବ କଳାକାରମାନେ ନାଟକ ଶିକ୍ଷା ପାଇଁ କ’ଣ ହେବା ଆବଶ୍ୟକ ?

ଉତ୍ତର : ୱାର୍କସପର ଆବଶ୍ୟକତା ରହିଛି । ସେମାନଙ୍କୁ ଆଗ ବୁଝେଇବାକୁ ପଡ଼ିବ । ଗୋଟାଏ କଥା ହେଉଛି ବାଡ଼ି ବାଇଗଣ, ପୋଥି ବାଇଗଣ। ଆମ୍ବ କଥା ଧରନ୍ତୁ, ଆମ୍ବକୁ ଚିତ୍ରରେ କରିଦେବି ଏବଂ କହିବି ଏଇଟା ଆମ୍ବ । ଏଇଟା ଭାରି ମିଠା, ଭାରି ସୁଆଦିଆ, ଫଳର ରାଜା । ଏକଥା କହିଲେ ସେ ଯେତିକି ବୁଝିବ ତାକୁ ଥରେ ଆମ୍ବ ଖୁଆଇ ଦେଲେ ତାର ସ୍ୱାଦ ପାଟିରେ ବାଜିଲା ପରେ ସେ ନିଜେ ହୃଦୟଙ୍ଗ କରିବ, ଆରେ ଏଇଟା ଏତେ ସୁଆଦିଆ ତା ହେଲେ ମୁଁ ଏଇଟାକୁ ଖାଇବି । ଠିକ୍ ସେମିତି ଆମେ ଖାଲି ୱାର୍କସପ୍ କରି ଦେଲେ ହେବନି । ଖାଲି ବତେଇ ଦେଲେ ବି ହବନି ଯେ ଏଇଟା ଏମିତି ଏଇଟା ସେମିତି, ଡ଼ିଜାଇନ୍ ଏମିତି କରାଯାଏ । ଅଭିନୟ ଏମିତି କରାଯାଏ । ତାକୁ ସେ ଅଭିନୟର ସ୍ୱାଦ ଚଖେଇବାକୁ ପଡ଼ିବ । ଡ଼ିରେକ୍ସନ୍‌ର ସ୍ୱାଦ ଦେବାକୁ ପଡ଼ିବ । ପ୍ରାକ୍ଟିକାଲ ଓରିଏଣ୍ଟେଡ଼୍ କରିବାକୁ ପଡ଼ିବ । ଯାହା ଫଳରେ ସେମାନେ ସେଥିପ୍ରତି ପାଗଳ ଭଳି ଆକର୍ଷିତ ହେବେ ।

ପ୍ରଶ୍ନ : ପାଠ ପଢ଼ୁଆ ନାଟକ ପିଲାମାନେ ସେମାନେ ନାଟକ ସହିତ ବେଶୀ ଯୋଡ଼ିହୋଇ ରହୁ ନାହାନ୍ତି କାହିଁକି?

ଉତ୍ତର : ସେମାନେ ପାଠ ପଢ଼ିଛନ୍ତି କାହିଁକି ସେଇଟା ଆଗ ତାଙ୍କୁ ପଚାରିବା ଦରକାର । ସେମାନେ ପାଠ ପଢ଼ୁ ନାହାନ୍ତି ନାଟକ କରିବା ପାଇଁ। ସେମାନଙ୍କ ଭିତରୁ ଅଧିକାଂଶ, ସମସ୍ତେ ନୁହଁ । ଅଧିକାଂଶ ପାଠ ପଢ଼ୁଛନ୍ତି ସିନେମା ଏବଂ ସିରିଏଲରେ ମୁହଁ ଦେଖେଇବା ପାଇଁ ଟଙ୍କା ରୋଜଗାର ପାଇଁ ଚାକିରୀ କରିବା ପାଇଁ । ସେଇଟା ପାଇଁ ଯିଏ ଆସିବ ସିଏ ନାଟକ ପାଇଁ ଏତେ ସାକ୍ରିଫାଇସ କାହିଁକି କରିବ? ମୁଁ ବହୁତ ପିଲାଙ୍କୁ କହିଛି, କିନ୍ତୁ ସେମାନେ କୁହନ୍ତି ସାର୍ଟିଫିକେଟ୍ ଖଣ୍ଡେ ହେଲେ ହେଲା । ସାର୍ଟିଫିକେଟ୍ ପାଇଁ ଯିଏ ଆସିବ ତାର ନାଟକ କରିବା କ’ଣ ଦରକାର । କିନ୍ତୁ ଯିଏ ନାଟକକୁ ଭଲ ପାଇକି ଆସିବ, ସିଏ ନାଟକ ପ୍ରତି ସମର୍ପିତ ହେବ । ଧରାଯାଉ ଗୋଟାଏ ଉଦାହରଣ, ଜଣେ ଯୁବକ ଆଉ ଜଣେ ଯୁବତି ପ୍ରତି ଆକୃଷ୍ଟ ହେଲେ ସେ ତାର ରୂପ ଦେଖେ ନାହିଁ ତାର ଗୁଣ ଦେଖେ ନାହିଁ । ଆକର୍ଷଣ ଦେଖେ । ଇଏ କେତେ ଆକର୍ଷିତ ହେଉଛି ସେ ଝିଅ କେତିକି ଆକର୍ଷିତ ହେଉଛି ସେଇଟାକୁ ଆଗ ଦେଖେ । ତା ପରେ ସିଏ ରୂପ ଗୁଣ ପଛରେ ଆସେ । ସେମିତି ନାଟକକୁ ପ୍ରେମ କରିବାକୁ ଯଦି ଚାହିଁବ ପୁଅ ହେଉ ବା ଝିଅ ହେଉ ତା ହେଲେ ତା ପ୍ରେମଟା ଅନାବୀଳ ପ୍ରେମ ହେବା ଦରକାର । ମୁଁ ଟଙ୍କା ପାଇଲେ କରିବି, ସିରିଏଲ କରିବା ପାଇଁ କରିବି, ହିରୋ ହେବା ପାଇଁ କରିବି ଏସବୁ ଆଳ କଥା ବା କଣ୍ଡିସନାଲ କଥା । ଅନକଣ୍ଡିସନାଲ ଲଭ ବିନା ସ୍ୱାର୍ଥରେ ନାଟକକୁ ପ୍ରେମ ଯଦି କରିପାରିବ ତା ହେଲେ ନାଟକ କର ।

ଅମୁକ ଅସୁବିଧା ପାଇଁ କରିପାରିଲିନି ଅମୁକ ହେଲା ବୋଲି କରିପାରିନି । ଏମିତି କାରଣ ଦେଖାଇବା କଥା ନୁହେଁ । ଯିଏ ପ୍ରେମ କରିବ ସବୁ ଛାଡ଼ିକି ୟା ପାଖକୁ ଧାଇଁକି ଆସିବ । ମହୁମାଛି ମହୁ ସଂଗ୍ରହ କରିବା ପାଇଁ ସବୁ ଫୁଲକୁ ଯିବ । ସିଏ କହିବ ନି ମୁଁ ଖାଲି ଗୋଲାପ ଫୁଲରୁ ନେବି, ଅମୁକ ଫୁଲରୁ ନେବି, ସବୁ ଫୁଲକୁ ଯିବ । ଠିକ୍ ସେମିତି ଯାହାର ପ୍ରେମ କରିବାର ଅଛି ଯଦି ନାଟକକୁ ସିଏ ପାଗଳ ଭଳି ଆସିବ ସିରିଏଲ ହେଉ, ସିନେମା, ସାମାଜିକ ନାଟକ ହେଉ, ଐତିହାସିକ ନାଟକ ହେଉ, ଯେ କୌଣସି ନାଟକ ହେଉ ବା ୱାର୍କସପ୍ ଓରିଏଣ୍ଟେଡ଼୍ ନାଟକ ହେଉ ଯାହା ବି ହେଉ । ଏଠିତ ପ୍ରଶ୍ନ ଆସିବ ନାଟକ କଲେ ବଞ୍ଚିବା କେମିତି । ଆରେ ପୃଥିବୀରେ ସମସ୍ତେ କ’ଣ ପଇସା ପାଇଁ ବଞ୍ଚିଛନ୍ତି । ସମସ୍ତେ ପଇସା ପାଇଁ ବଞ୍ଚିନାହାନ୍ତି । ବଞ୍ଚିବା ପାଇଁ ପଇସା ଦରକାର । କିନ୍ତୁ ଯଦି ମୋର ପ୍ରେମ ଅଛି ସେଠି ପଇସା ମେଟର ନୁହଁ । ପଇସା ମେଟର କେତେବେଳେ ହୁଏ ଯେତେବେଳ ମୁଁ ସଂସାର କରେ ସେତେବେଳେ ପଇସା କଥା ଆସେ । ସେମିତି ଏଠି ଆଗ ଅନକଣ୍ଡିସନାଲ ପ୍ରେମ କରିବାକୁ ପଡ଼ିବ । ତମକୁ ଦେବାକୁ ପଡ଼ିବ । ତମକୁ କାମ କରିବାକୁ ପଡ଼ିବ । ତା ପରେ ଯେତେବେଳେ ତମେ ଏଷ୍ଟାବ୍ଲିସ ହୋଇଗଲ, ଯେତେବେଳେ ତୁମେ ନିଜକୁ ତିଆରି କରି ଦେଲ ସେତେବେଳେ ସିରିଏଲ କର ସିନେମା କର କିଛି ଆପତ୍ତି ନାହିଁ । ମୁଁ ତ ମୋ ନାଟକର ଛାତ୍ରମାନଙ୍କୁ ବି କହେ ଯୋଉଁମାନେ ଏଷ୍ଟାବ୍ଲିସ୍‌ଡ଼ ଯେ ତମେ ବର୍ଷ ଯାକ ଯେଉଁ କାମ କରୁଛ କର ସିନେମା, ସିରିଏଲ କର ହେଲେ ବର୍ଷର୨ ମାସ ତ ନାଟକ ପାଇଁ କାମ କର । ତା ମାନେ ତୁମେ ନାଟକକୁ ଭଲ ପାଉନ । ନାଟକକୁ ପାହାଚ କରି ତୁମେ ସିନେମା, ସିରିଏଲ ପର୍ଯ୍ୟନ୍ତ ଯାଇଛ । ମୋର କହିବା କଥା ହେଲା ତୁମେ ନାଟକକୁ ଈଶ୍ୱର ପ୍ରସାଦ ଭାବି ତା ପ୍ରତି ସମର୍ପିତ ହୋଇ ତୁମେ ନାଟକ କରିଚାଲ । ବାକି ଯାହା ରିଟର୍ଣ୍ଣ ଆସିବା କଥା ସେଇଟା ରିଟର୍ଣ୍ଣ ଆସିବ, ନିଶ୍ଚୟ ଆସିବ । ତୁମର ଯେତିକି ଦରକାର ସେତିକି ଆସିବ । ତୁମ ପାଇଁ ଯେତିକି ଅଛି ସେତିକି ଆସିବ । ଆଉ ବାଡ଼େଇ ଛାଟେଇ ହୋଇ ଅବାଟରେ ଯାଇ ବିଭିନ୍ନ ପ୍ରକାର ପଲିଟିକ୍ସ କରିବା ଏସବୁ କଥାକୁ ଛାଡ଼ ।

 

ପ୍ରଶ୍ନ : ଓଡ଼ିଶାରେ ସରକାରୀ ସ୍ତରରେ ନାଟକ ଶିକ୍ଷା କ୍ଷେତ୍ରରେ ଆଉ କ’ଣ କରାଗଲେ ନାଟକର ଶିକ୍ଷାର୍ଥୀମାନେ ଆହୁରି ଉନ୍ନତି କରିପାରିବେ ?

ଉତ୍ତର : ସଂଗୀତ ମହାବିଦ୍ୟାଳୟ ତ ଏଠି ଗୋଟାଏ ଅନୁଷ୍ଠାନ ଅଛି । ଆହୁରି କଲଚର ୟୂନିଭରର୍ସିଟି ବି ଅଛି । ଅନୁଷ୍ଠାନର ଅଗ୍ରଗତି ପାଇଁ ସେଠି ଦରକାର ରିପୋର୍ଟାରୀ । ସେଠି ସବୁ ଡ଼ିପାର୍ଟମେଣ୍ଟରେ ପର୍ମାନେଣ୍ଟ ଟିଚର ଦରକାର । ଆଉ ଡ଼ିପାର୍ଟମେଣ୍ଟରେ ପ୍ରାକ୍ଟିକାଲ ଓରିଏଣ୍ଟେଡ଼୍ କାମ ହେବା ଦରକାର । ଅଡ଼ିଟୋରିଅମ୍‌ରେ ରେଗୁଲାର, ମଂଥଲି(Regular, Monthly) ପ୍ରଡ଼କ୍ସନ୍ ହେବା ଦରକାର । ପିଲାକୁ ପ୍ରାକ୍ଟିକାଲ ଓରିଏଣ୍ଟେଡ଼୍ ବେଶି କରେଇବା ଦରକାର । ସେଥିପାଇଁ ସାଧନର ଆବଶ୍ୟକତା ଅଛି । ମୁଁ ଭାବୁନି ଯେ ସରକାର ସେତେ ସାଧନ ଦେଇଛନ୍ତି ବୋଲି ତେଣୁ ସାଧନ ନ ହେଲେ ଖାଲି ଭାବି ଦେଲେ କ’ଣ ହବ । ଗୋଟେ ପ୍ରଡ଼କ୍ସନ୍ କରିବାକୁ ହେଲେ କଷ୍ଟ /ବଜେଟ ଦରକାର ପଡ଼ିବ ସେ ଯାହାବି ହଉ । ଆମେ ଯେତେବେଳେ କଲେଜରେ ନାଟକ କରୁଥିଲୁ ୧୦୦/୨୦୦ଟଙ୍କା କଲେକ୍ସନ୍ କରି ନାଟକ କରୁଥିଲୁ । କିନ୍ତୁ ସେଇ ମନଭାବ ଯେ ସବୁବେଳେ ସମସ୍ତଙ୍କ ପାଖରେ ରହିବ ତାର କିଛି ମାନେ ନାହିଁ । ସବୁବେଳେ ଆମେ ପର ନିର୍ଭରଶୀଳ ହୋଇ ନାଟକ କରିପାରିବା ନାହିଁ । ଆମ ପାଖରେ ଯାହା ସାଧନ ଅଛି । ତାକୁ କେମିତି ବିନିଯୋଗ କରି ନାଟକ କରାଯାଇ ପାରିବ, ଗାଁରେ ହେଉ, ସହରରେ ହେଉ ବା ମଫସଲରେ ହେଉ । କେଉଁଠି ନାଟକ କେମିତି କରାଯାଇପାରିବ ସେଠିକାର ସାଧନକୁ କେମିତି ବ୍ୟବହାର କରାଯାଇପାରିବ ଏବଂ ସତ୍‌ମାର୍ଗରେ କ୍ରିଏଟିଭିଟିକୁ ନେବା ନୂତନତ୍ୱକୁ ନେଇକି ଗୋଟେ ଇନୋଭେଟିଭ ଥଟ୍‌, ଆଇଡ଼ିଆକୁ ନେଇ କି କେମିତି କାମ କରାଯାଇପାରିବ ସେ ବିଷୟରେ ଚିନ୍ତା କରିବା ଦରକାର । ବିଶେଷ କରି ନାଟକ ପଢ଼ିଥିବା ବ୍ୟକ୍ତିମାନେ ବା ପିଲାମାନେ । ଆଉ ସବୁ କଷ୍ଟ ସତ୍ତ୍ୱେ ନାଟକ କରିବାର ପ୍ରୟାସ ଜାରି ରଖିବା ଦରକାର ।

ପ୍ରଶ୍ନ : ଓଡ଼ିଶାରେ ନାଟକର ଭବିଷ୍ୟତକୁ ନେଇ ଆପଣ କ’ଣ ଚିନ୍ତା କରୁଛନ୍ତି ?

ଉତ୍ତର : ଭବିଷ୍ୟତ କଥା କିଏ ଜାଣିଛି । କିନ୍ତୁ ଆମର ବର୍ତ୍ତମାନକୁ ନେଇ କି ଆଗେଇବାକୁ ପଡ଼ିବ । ବର୍ତ୍ତମାନ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପଡ଼ିବ । ବିଶେଷ କରି ଅଭିନୟ କ୍ଷେତ୍ରରେ, ଡ଼ିରେକ୍ସନ୍ ଓ ସ୍କ୍ରିପ୍ଟରେ କାରଣ ମୁଁ ଓଲଟା ବାଟ ଦେଇକି ଆସିଲି କାହିଁକି? ଏଇଥିପାଇଁ ଆସିଲି ଯେ ନାଟକ ହେଉଛି ଏକ ଦୃଶ୍ୟ ଶ୍ରାବ୍ୟ କଳା । ଦୃଶ୍ୟଶ୍ରାବ୍ୟକୁ ଷ୍ଟ୍ରଙ୍ଗଲି ହୋଲ୍ଡ କରିବ ଆକ୍ଟର ଏବଂ ତାର ଅଭିନୟ । ଯଦି ଅଭିନୟ ହାଇକ୍ଲାସ ଅଛି ତାହାଲେ ଦର୍ଶକ ହଲି ପାରିବନାହିଁ । ସେ ଷ୍ଟୋରି ଯାହା ଥାଉ ଲାଇଟ୍ ଓ ଡ଼ିଜାଇନ୍ ଯାହାଥାଉ । ଖାଲି ଧଳା ଲାଇଟ୍ ବି ଏନାଫ୍ । ଯଦି ତାହା ନାହିଁ ତା ହେଲେ ଆମକୁ ଗ୍ଲାମର ଦେଖାଇବାକୁ ପଡ଼ିବ । ଆଉ ଗ୍ଲାମର ବେଶିଦିନ ନୁହଁ, ଅର୍ଣ୍ଣାମେଣ୍ଟବେଶି ଦିନ ନୁହଁ । ଜଣେ ସୁନ୍ଦରୀ ନାରୀକୁ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଅଳଙ୍କାର ଯଥେଷ୍ଟ ନୁହେଁ । ତାର ରୂପ ହିଁ ଯଥେଷ୍ଟ । ସିମ୍ପ୍ଲିସିଟି ହିଁ ଯଥେଷ୍ଟ । ସିମ୍ପ୍ଲିସିଟି ହେଉଛି ଅଭିନୟ । ଆଉ ଅଳଙ୍କାର ହେଉଛି ଲାଇଟ୍‌, ସାଉଣ୍ଡ, ମ୍ୟୁଜିକ୍‌, କଷ୍ଟ୍ୟୁମ୍‌, ମେକଅପ୍‌, ଡ଼ିଜାଇନ୍ । ସେ ସବୁ ଡ଼ାଇରେକ୍ଟର ଭଲ ଭାବରେ ଡ଼ିଜାଇନ୍ କରିଦେବ । ଆଉ ଲେଖକ ବଢ଼ିଆକି ଲେଖି ଦେଇପାରିବ କିନ୍ତୁ ପରଫରର୍ମାନ୍ସ ବେଳକୁ ଯଦି ଏକ୍ସନ୍ ଦୁର୍ବଳ ପଡ଼ିଗଲା ପରଫରର୍ମାନ୍ସ ଦର୍ଶକମାନଙ୍କୁ ଛୁଇଁଲା ନାହିଁ ତାହା ହେଲେ ଦର୍ଶକ ନାଟକ ଦେଖିବେ ନାହିଁ, ଉଠି ପଳେଇବେ । ସବୁ ପରିଶ୍ରମ ପାଣିରେ ପଡ଼ିଯିବ । ତେଣୁ ମୁଁ ଓଲଟା ବାଟ ଦେଇ ଆସିଲି । ଯେ ଆକ୍ଟିଂକୁ ପାୱାରଫୁଲ କରିବା ପାଇଁ ପଡ଼ିବ । ପ୍ରଥମତଃ ଆକ୍ଟର ଯଦି ପାୱାରଫୁଲ ହେଲେ ବାକି ସବୁ ଜିନିଷ ନେଗଲେକ୍ଟ ହେଲେ ବି ଚଳିବ । ଦର୍ଶକ ତାକୁ ଗ୍ରହଣ କରିବେ । ମୁଁ ତ ଦଶବର୍ଷ ଅବସର ଭିତରେ ଏଇ କଥାକୁ ଅନୁଭବ କରୁଛି । ତା ମାନେ ନୁହଁ ଯେ ଆମେ ଡ଼ିରେକ୍ସନାଲ ପଏଣ୍ଟ ବା ଅନ୍ୟ ଜିନିଷ ପ୍ରତି ନେଗଲେକ୍ଟ କରିବା । ଆର୍ଥିକ ଅବସ୍ଥାରେ ଆମେ ତାକୁ କମ୍ପର୍ମାଇଜ୍ କରିପାରୁ କିନ୍ତୁ ଆକ୍ଟିଂରେ କମ୍ପର୍ମାଇଜ୍ କଲେ ଚଳିବନି । ଏଇଟା ମୋର ବ୍ୟକ୍ତିଗତ ମତ ।

ପ୍ରଶ୍ନ- ଯୁବ ପିଢ଼ୀଙ୍କୁ ଆପଣ କଣ କହିବେ?

ଉତ୍ତର- ଯୁବ ପିଢ଼ିଙ୍କୁ ଏୟା କହିବି ଯେ ଧୈର୍ଯ୍ୟ ଧରି ପାଠ ପଢ଼ ଓ ନାଟକର କାମ କର । ନାଟକକୁ ଭଲ ପାଅ । ନାଟକ ପ୍ରତି ସମର୍ପିତ ହୁଅ । ନାଟକର ସବୁ ଦିଗକୁ ଜାଣ ଯେମିତିକି ଅଭିନୟ ନିର୍ଦ୍ଦେଶନା, ଲାଇଟ୍‌, ସାଉଣ୍ଡ, ମ୍ୟୁଜିକ୍‌, କଷ୍ଟ୍ୟୁମ୍‌, ମେକଅପ୍‌, ଡ଼ିଜାଇନ ସବୁ କିଛିକୁ ଜାଣିବାକୁ ଚେଷ୍ଟା କର । ସର୍ଟକର୍ଟ ରାସ୍ତାରେ ଯିବାକୁ ଚେଷ୍ଟା କରନି । ଅର୍ଥାତ୍ ରାତାରାତି ଷ୍ଟାର ହୋଇଯିବାକୁ ଚେଷ୍ଟା କରନି । ଅଯଥାରେ ୟାଡ଼ୁ ସିଆଡ଼ୁ କାମରେ ମୁଣ୍ଡ ପୁରେଇ ପଲିଟିକ୍ସ କରି ନିଜର ମୂଲ୍ୟବାନ ସମୟକୁ ନଷ୍ଟ କରନି । ତୁମେ ଯେମିତି କର୍ମ କରିବ ସେମିତି ଫଳ ପାଇବ । ପରିଶ୍ରମ କରିଚାଲ ତୁମ ପ୍ରାପ୍ୟ ତୁମକୁ ନିଶ୍ଚୟ ମିଳିବ । ଆଜି ନ ମିଳିଲେ କାଲି ମିଳିବ କିନ୍ତୁ ନିଶ୍ଚୟ ମିଳିବ ଯଦି ତୁମେ ତୁମ କାମରେ ନିଜକୁ ସମର୍ପିତ କରିଥିବ । ଧୈର୍ଯ୍ୟ ହରା ହୋଇ ଏଥିରେ ଟିକେ କାମ କରିବା ସେଠି ଟିକେ କାମ କରିଦେବା । ମୁଁହ ଦେଖେଇବା ପାଇଁ ସିରିଏଲ, ସିନେମାକୁ ଟିକେ ପଳେଇବା, ତା ଦ୍ୱାରା ତୁମେ କୋଉଁଥିରେ କମ୍ପ୍ଲିଟ୍ କାମ କରିପାରିବ ନାହିଁ ।

Share This Article
ଯୁବ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର ( Young Theater Director, Theater Artist)