Home / କଳା ସଙ୍ଗୀତ / ଲୋକଗୀତ

ଲୋକଗୀତ

Share Samadhwani

ଲୋକଗୀତ ଅନ୍ୟ ଭାବରେ ମୌଖିକ ଗୀତ ରୂପେ ପରିଚିତ । ଆକ୍ଷରିକ ଅର୍ଥରେ ଏହା ସମ୍ପୂର୍ଣ୍ଣ ଓ ଚିରନ୍ତନ ରୂପରେ କେବଳ ମୌଖିକ ନୁହେଁ, କିନ୍ତୁ ଏହା ନିଶ୍ଚିତ ଭାବରେ ମୌଖିକ ପରମ୍ପରାରୁ ଆସିଥାଏ । ଏହା ମାନବ ସଂସ୍କୃତିର ଏକ ଅବାନ୍ତର, ବେଜୋଡ୍ ଓ ବିକୃତ ପରିପ୍ରକାଶ ନୁହେଁ କି କ୍ରମପରିବର୍ତ୍ତନଶୀଳ ଆଧୁନିକ ସଭ୍ୟତାରେ ବିଲୀନ ହୋଇଯିବାକୁଥିବା ଦୂର ଅତୀତର ଲୋକମାନସ ଓ ସଂସ୍କୃତିର ବଳକା ଜୀବାଶ୍ମମାତ୍ର ନୁହେଁ, ଅଧିକନ୍ତୁ ଏହା ଚିରନ୍ତନ ସୃଜନଶୀଳ ମାନସିକତା ଓ ପ୍ରକ୍ରିୟାର ଏକ ଅଂଶ ଯାହା ସବୁବେଳେ ସକଳ ସଭ୍ୟତାରେ ବିଦ୍ୟମାନ ରହିଥାଏ । ୧। ଲୋକଗୀତ ଲୋକସାହିତ୍ୟର ସବୁଠୁ ଜୀବନ୍ତ ବିଭାବ । ଲୋକଗୀତ ସଂରଚନା, ପ୍ରବାହ ଓ ପରିବେଷଣ ଆଦି କେତେକ ମୁଖ୍ୟ ପ୍ରକୃତି ବା ଉପାଦାନ ଉପରେ ନିର୍ଭରଶୀଳ ।

ସଂରଚନା ଓ ପ୍ରବାହ : ଲୋକଧାରା ଅଧ୍ୟୟନ ଅତୀତରେ ଅନେକ ଦ୍ୱନ୍ଦ୍ୱ ଓ ପରସ୍ପର ବିରୋଧୀ ମତଦେଇ ଗତିକରିଛି । ଏହା ଏକକ ବ୍ୟକ୍ତିପ୍ରତିଭାର ସୃଷ୍ଟି ବା ଗୋଷ୍ଠୀଗତ ପ୍ରୟାସର ଫଳ, ଏହା ସ୍ୱତଃସ୍ଫୂର୍ତ୍ତ ଭାବରେ ସୃଷ୍ଟି ହୋଇଥାଏ ନା ଏଥିରେ ବ୍ୟକ୍ତିପ୍ରତିଭାର ସଚେତନ ପ୍ରୟାସ ବି ରହିଥାଏ, ଏହା କେବଳ ଦୂର ଅତୀତରେ ସୃଷ୍ଟି ହୋଇଥିଲା ଅଥବା ଏହାର ସଂରଚନା ଏକ ଚିରନ୍ତନ ପ୍ରବହମାନ ପ୍ରକ୍ରିୟା, ଏହିସବୁ ପରସ୍ପର ବିରୋଧୀ ଧାରଣା ନେଇ ବହୁକାଳ ଧରି ଲୋକଧାରାବିଦମାନଙ୍କ ମଧ୍ୟରେ ଯୁକ୍ତିପ୍ରଯୁକ୍ତିର ଖେଳ ଚାଲିଥିଲା । ଫଳତଃ ଅଧିକରୁ ଅଧିକ ଗବେଷକ ଏ କ୍ଷେତ୍ରରେ ମନୋନିବେଶ କରି ଏସବୁ ସମ୍ବନ୍ଧୀୟ କେତେକ ସାଧାରଣ ସୂତ୍ର ନିରୁପଣ କରିଥିଲେ । ଗବେଷକମାନେ ଲୋକସାହିତ୍ୟର ତିନୋଟି ମୂଳ ପ୍ରବୃତ୍ତିର ଆବିଷ୍କାର କଲେ । ସେଗୁଡ଼ିକ ହେଲା ସଂରଚନା(Composition), ପରିବେଷଣ (Performance) ଓ ପ୍ରବାହ (Transmission) । ଏ ତିନୋଟିଯାକ ପ୍ରବୃତ୍ତି ପରସ୍ପର ସାପେକ୍ଷ ଓ ପରିପୂରକ ।

ଲୋକଗୀତର ସଂରଚନା ବିଷୟରେ କେତୋଟି ସୂତ୍ର ବା ନିୟମ ଆବିଷ୍କୃତ ହେଲା । ସେଗୁଡ଼ିକ ହେଲେ ସ୍ମୃତିଚାରଣ, ପରିବେଷଣ ସମୟରେ ଆଶୁ ସଂରଚନା, ସୂତ୍ରୀକରଣ, ବ୍ୟକ୍ତି ପ୍ରତିଭାର ସଚେତନ ପ୍ରୟାସ ଇତ୍ୟାଦି।

ଲୋକଗାୟକ/ଗାୟିକା (ଅନେକ ସମୟରେ ନିଜେ ଲୋକକବି ହିଁ ଗାୟକ/ଗାୟିକାର ଭୂମିକା ନିର୍ବାହ କରିଥାଏ) ଶ୍ରୋତା ନିକଟରେ ସାଧାରଣତଃ ଆପଣା ସ୍ମୃତିଭଣ୍ଡାରରେ ସାଇତିଥିବା ଗୀତସବୁକୁ ହିଁ ପରିବେଷଣ କରିଥାଏ । ଲୋକଗାୟକ ବା ଗାୟିକାର ମସ୍ତିଷ୍କ ବାସ୍ତବରେ ସ୍ୱରଚିତ ଅଥବା ସମାଜରେ ପ୍ରଚଳିତ ଲୋକଗୀତମାନଙ୍କ ଏକ ଭଣ୍ଡାର । ୱାଲେ(୧୯୫୧), ପେରୀ ଓ ଲର୍ଡ (୧୯୬୮), ଆନ୍ଦ୍ରେଜେୱସ୍କି ଓ ଲେୱିସ (୧୯୬୪)।୨। ଇତ୍ୟାଦି ଲୋକଧାରାବିଦ୍ ସ୍ମୃତିଚାରଣକୁ ସଂରଚନାର ମୁଖ୍ୟ କାରକ ଭାବରେ ବିଶ୍ୱାସ କରୁଥିବାବେଳେ ଫ୍ରିଡମେନ୍ (୧୯୬୧) ଏହାକୁ ଲୋକସାହିତ୍ୟର ମୂଳ ବାହକ ରୂପରେ ବିବେଚନା କରନ୍ତି ।3। ଏଠାରେ ପେରୀ ଓ ଲର୍ଡଙ୍କ ଯୁକ୍ତି ହେଉଛି ଯେ ପରିବେଷକ ଲୋକଗୀତ ବା ଗାଥାର ପ୍ରତିଟି ଶବ୍ଦ ଓ ଖଣ୍ଡବାକ୍ୟଗୁଡ଼ିକୁ ମନେରଖିଥାଏ । ଉଦାହରଣ ସ୍ୱରୂପ ସେମାନେ ଯୁଗୋସ୍ଲୋଭିଆର ବୀରଗାଥାଗୁଡ଼ିକ ତଥା ଭାରତୀୟ ଋକ୍ ବେଦର କଥା କହନ୍ତି, ଯାହା ଶହଶହ ବର୍ଷ ଧରି ଲୋକ ସଂସ୍କୃତିରେ ଅବିକଳ ରୂପରେ ବଞ୍ଚିରହିଆସିଛି । କିନ୍ତୁ ଅନେକ କ୍ଷେତ୍ରରେ ଅବିକଳ ସ୍ମୃତିଚାରଣ ଅସମ୍ଭବ ମନେହୁଏ । କାରଣ ସମୟ, ସ୍ଥାନ ଓ ସଂସ୍କୃତିର ପରିବର୍ତ୍ତନ ଓ ବିବିଧତା, ଦୀର୍ଘକାଳ ଧରି ସ୍ମୃତିଚାରଣରେ ମାନବୀୟ ଅସାମର୍ଥ୍ୟ, ପ୍ରକୃତି ଓ ପରିବେଶର ପ୍ରଭାବ ଆଦି କାରଣଗୁଡ଼ିକ ଅନେକ ସମୟରେ ମୂଳ ଲୋକଗୀତ ବା ଗାଥାରେ ବ୍ୟତିକ୍ରମ ଆଣିଥାଏ । ପୁଣି ଆପଣାର ସ୍ୱକୀୟ ସୃଜନଶୀଳ ପ୍ରତିଭାର ପରିପ୍ରକାଶର ଇଚ୍ଛା ପ୍ରତିଟି ମଣିଷର ସହଜାତ ଗୁଣ ହୋଇଥିବାରୁ ପରିବେଷଣ ସମୟରେ ପରିବେଷକ ଆଶୁ ସଂରଚନା ମାଧ୍ୟମରେ ମୂଳଗୀତ ବା ଗାଥାରେ କେତେକ ନୂଆ ପଦ ଯୋଡ଼ି ବ୍ୟତିକ୍ରମ ଆଣିବା ନିହାତି ସ୍ୱାଭାବିକ ।

ପରିବେଷଣ ସମୟରେ ଆଶୁ ସଂରଚନା :          ବହୁ ସମୟରେ ଦେଖାଯାଏ ଯେ ଲୋକକବି ବା ଗାୟକ ଗୀତ ପରିବେଷଣ କରୁଥିବା ସମୟରେ (ଏପରିକି ପାରମ୍ପରିକ ଗୀତରେ ମଧ୍ୟ) କେତୋଟି ପଦ ନିଜ ମନରୁ ଯୋଡ଼ିଦିଏ । ଏହି ଯୋଡ଼ିବା ପ୍ରବୃତ୍ତି ପ୍ରତିଟି ବ୍ୟକ୍ତିପ୍ରତିଭା ନିକଟରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଦେଖାଯାଏ । ପରିବେଷକ ଆପଣାର ପରିବେଷ ତଥା ଦର୍ଶକୀୟ ଅଂଶଗ୍ରହଣରୁ ପ୍ରେରଣା ଲାଭ କରି ଉତ୍ସାହିତ ହୋଇଥାଏ । ପୁଣି ଯଦି ସେ ଭିନ୍ନ ସଂସ୍କୃତି ଓ ସମାଜର ଲୋକଙ୍କ ମଧ୍ୟରେ ପରିବେଷଣ କରୁଥାଏ, ତେବେ ତାର ଅବବୋଧରେ ସେଯାଏଁ ଆସିଥିବା ସେହି ଭିନ୍ନ ସଂସ୍କୃତି ବା ସମାଜର କେତେକ ଜିନିଷ ଯୋଡ଼ିବାକୁ ପ୍ରୟାସ କରିଥାଏ । ଏହା ବ୍ୟତୀତ ଆକସ୍ମିକ ଭାବରେ ତାକୁ ପ୍ରଭାବିତ କରୁଥିବା କେତେକ ଜିନିଷ, ଦୃଶ୍ୟ, ପ୍ରକୃତି ଇତ୍ୟାଦିକୁ ନେଇ ସେ କେତୋଟି ନୂତନ ଶବ୍ଦ, ବାକ୍ୟ, ଖଣ୍ଡବାକ୍ୟ ଅଥବା ପଦର ସର୍ଜନା କରିଥାଏ ଏବଂ ଏଥିରେ ସେ ପରିବେଷଣ କରୁଥିବା ଛନ୍ଦ, ଲୟ ଓ ତାଳକୁ ଅବିକଳ ଅକ୍ଷୁର୍ଣ ରଖିଥାଏ ।

ଏହି ପ୍ରକ୍ରିୟାରେ ଅବିକଳ ସ୍ମୃତିଚାରଣ ତତ୍ତ୍ୱର ବ୍ୟତିକ୍ରମ ଦେଖାଦେଇଥାଏ । ଅବିକଳ ସ୍ମୃତିଚାରଣ ତତ୍ତ୍ୱରେ ବିପୁଳ ବିଶ୍ୱାସ ରଖୁଥିବା ଲୋକଧାରାବିଦ୍ ପେରୀ ଓ ଲର୍ଡ ମଧ୍ୟ ଲୋକଗୀତର ଏହି ଅନିବାର୍ଯ୍ୟ ପ୍ରକୃତିକୁ ଅସ୍ୱୀକାର କରିପାରନ୍ତି ନାହିଁ । ପେରୀଙ୍କ ମତ ଅନୁସାରେ କେବଳ ପରିବେଷକର ପରିବର୍ତ୍ତନ ଦ୍ୱାରା ମୂଳ ଗୀତରେ ପରିବର୍ତ୍ତନ ଆସିନଥାଏ, ଅଧିକନ୍ତୁ ସେହି ଜଣେ ପରିବେଷକ ଭିନ୍ନ ଭିନ୍ନ ସଂସ୍କୃତି ଓ ଭୌଗୋଳିକ ପରିବେଶରେ ମୂଳଗୀତରେ ପରିବର୍ତ୍ତନ ଘଟାଇଥାଏ ।୪। ଲର୍ଡ ତାଙ୍କର ମୂଳତତ୍ତ୍ୱ  ଅବିକଳ ସ୍ମୃତିଚାରଣର ବ୍ୟତିକ୍ରମକୁ ସ୍ୱୀକାର କରି ଲୋକଗୀତ ବା ସାହିତ୍ୟରେ ଘଟୁଥିବା ଏ ପ୍ରକାର ପରିବର୍ତ୍ତନକୁ ଗ୍ରହଣ କରନ୍ତି ।୫।

ବ୍ୟକ୍ତିପ୍ରତିଭାର ପ୍ରଖ୍ୟାପନ ପ୍ରତିଟି ମଣିଷର ସହଜାତ ଗୁଣ । ତେଣୁ ପରିବେଷଣ ସମୟରେ ପ୍ରତିଟି ପରିବେଷକ ଆପଣାର ଅନୁଭବ, ବୁଦ୍ଧିମତା, ଅବବୋଧ ଓ ପ୍ରତିଭାର ପ୍ରଦର୍ଶନ ପାଇଁ ତତ୍ପର ହୋଇଉଠେ । ଏହି ପ୍ରକ୍ରିୟାରେ ସେ ସେହି ସମାନ ଗୀତରେ ନୂତନ ଶବ୍ଦ, ଖଣ୍ଡବାକ୍ୟ, ବାକ୍ୟ ବା ପଦ ଯୋଡ଼ିଦେଇଥାଏ । ଏ ପ୍ରକାର ଆଶୁ ସଂରଚନା ପ୍ରତିଯୋଗୀତାମୂଳକ ପରିବେଷଣରେ ସର୍ବାଧିକ ଦେଖାଯାଇଥାଏ । ବାଦିପାଲା, ସଜନୀ, ଫୁଲ ବଉଳବେଣୀ, ହୁମୋ-ବଉଲି ଓ ଦୋଳିଗୀତମାନଙ୍କରେ ପ୍ରତିଦ୍ୱନ୍ଦୀର ପ୍ରତିସ୍ପର୍ଦ୍ଧାରେ ଏପରି ଅନେକ ନୂଆପଦ ସୃଷ୍ଟି ହୋଇଥାଏ । ଦର୍ଶକୀୟ ହସ୍ତକ୍ଷେପ ଓ ଅଂଶଗ୍ରହଣ ଯୋଗୁଁ ଅନେକ ନୂଆପଦ ସୃଷ୍ଟିର ପ୍ରବୃତ୍ତି ଲୀଳା ନାଟକ ଓ ଦଣ୍ଡନାଟ ପ୍ରଭୃତିରେ ବହୁଳ ଦେଖାଯାଇଥାଏ ।

ଏବେ ଲୋକଗୀତ ସଂରଚନାର ଦୁଇଟି ପ୍ରକ୍ରିୟା ଆମ ସମ୍ମୁଖକୁ ଆସେ । କ) ଅବିକଳ ସ୍ମୃତିଚାରଣ ଖ) ପରିବେଷଣ ସମୟରେ ଆଶୁ ସଂରଚନା, ଯହିଁରେ ନିତ୍ୟ ନୂତନ ପଦମାନଙ୍କର ସୃଷ୍ଟି ହୋଇଥାଏ । ବିଶ୍ୱ ଲୋକଧାରାରେ ଆମେ ଦେଖିବାକୁ ପାଉଁ ଯେ ୟୁରୋ-ଆମେରିକୀୟ ଗାଥାସବୁରେ ପରିବର୍ତ୍ତନର ପ୍ରବୃତ୍ତି ଥିବାବେଳେ ଅନେକ ଆଫ୍ରିକୀୟ ଓ ସୋମାଲିୟ ଗାଥା ତଥା ଭାରତୀୟ ଋକ୍ ବେଦ ଅବିକଳ ସ୍ମୃତିଚାରଣ ଦ୍ୱାରା ଗତିଶୀଳ ହୋଇଛନ୍ତି । ୬। ଆନ୍ଦ୍ରେଜେୱସ୍କି ଓ ଲେୱିସଙ୍କ ଅନୁସାରେ ଅନମନୀୟତା, ସଙ୍କୋଚନ-ପ୍ରସାରଣହୀନତା ତଥା ଅଳ୍ପ ସମୟ ବ୍ୟବଧାନରେ ବାରମ୍ବାର ପରିବେଷଣ ଫଳରେ ଆଫ୍ରିକୀୟ ଓ ସୋମାଲିୟ ଗାଥାସବୁ ଆପଣାର ଅବିକଳ ରୂପରେ ଅକ୍ଷୁର୍ଣ ରହିଥାନ୍ତି ।୭l ସେହିପରି ଋକବେଦ ପରମ୍ପରାରେ ଅଭିଚାର ବା କର୍ମକାଣ୍ଡ ସଂଯୁକ୍ତ ହୋଇ ଆପଣାର ଅବିକଳ ରୂପ ବଞ୍ଚାଇ ରଖିପାରିଛି ।

 ସୂତ୍ରାନୁସରଣ ଓ ମୌଖିକ ସୂତ୍ର ତତ୍ତ୍ୱ : ଲୋକଗୀତ ସଂରଚନା ପ୍ରକ୍ରିୟାର ଅନ୍ୟ ଏକ ତତ୍ତ୍ୱ ମିଲମେନ୍ ପେରୀ (୧୯୩୦) ଓ ତାଙ୍କ ଶିଷ୍ୟ ଆଲବର୍ଟ ଲର୍ଡ (୧୯୬୮) ଦିଅନ୍ତି l ଏହି ତତ୍ତ୍ୱ ମୌଖିକ ସୂତ୍ର ତତ୍ତ୍ୱ ବା ଓରାଲ୍ ଫରମୁଲାଇକ୍ ଥିଓରୀ ନାମରେ ପରିଚିତ l ଏହି ତତ୍ତ୍ୱ ଅନୁସାରେ ଦୀର୍ଘ ବର୍ଣନାତ୍ମକ ଗୀତ ସଂରଚନା ସମୟରେ ଲୋକକବି କେତେକ ସୂତ୍ରର ଅନୁସରଣ କରିଥାଏ l ହୋମରଙ୍କ ମହାକାବ୍ୟ ଇଲିୟାଡ୍ ଓ ଓଡ଼େଶୀ ଅଧ୍ୟୟନ ପୂର୍ବକ ପେରୀ ଲକ୍ଷ୍ୟକରନ୍ତି ଯେ ପୋମେରୀୟ ଗୁଣବାଚକ ଶବ୍ଦ ବା ବିଶେଷଣସବୁ କେତେକ ସୂତ୍ରୀୟ ଖଣ୍ଡବାକ୍ୟ ତଥା ପୁନରାବୃତ୍ତ ଶବ୍ଦ ସହ ବାରମ୍ବାର ସଂଯୋଜିତ ହୋଇଛନ୍ତି l ଏହି ସୂତ୍ରୀୟ ଖଣ୍ଡବାକ୍ୟ ଓ ପୁନରାବୃତ୍ତ ଶବ୍ଦପୁଞ୍ଜ ମୂଳଛନ୍ଦ ସହ ଅବିକଳ ମିଶି ନୂତନ ବାକ୍ୟ ବା ପଦ ସଂରଚନାର ଶକ୍ତି ବହନ କରିଛନ୍ତି l ଫଳତଃ ଅତି ସହଜରେ କବି ଏସବୁକୁ ନେଇ ଏକ ପୂର୍ବପ୍ରସ୍ତୁତ ବାକଧାରାରେ ନୂତନ ବାକ୍ୟ ବା ପଦ ସଂରଚନା କରିଛନ୍ତି l ଏହା ସହିତ ସମଛନ୍ଦର ଅନ୍ୟ ସଂଭାବ୍ୟ ସଂଯୋଜନା ସବୁକୁ ଯୋଡ଼ି କବି ଏହି ପଦ ବା ବାକ୍ୟରାଜିକୁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରିଛନ୍ତି l ଏହିପରି ବାବରେ ଦୀର୍ଘ ବର୍ଣନାତ୍ମକ ଲୋକଗୀତ ସର୍ଜନା ବେଳେ ମଧ୍ୟ ଲୋକକବି ପୂର୍ବରୁ ଶୁଣିଥିବା ଅଥବା ନିଜୋ ଗଢ଼ିଥିବା ଖଣ୍ଡବାକ୍ୟମାନଙ୍କୁ ମୂଳଛନ୍ଦ ଓ ଭାବଧାରାରେ ଯୋଡ଼ି ନୂତନ ବାକ୍ୟ ବା ପଦ ସଂରଚନା କରିଥାଏ l୮l ଏପରି ସୂତ୍ରର ପ୍ରୟୋଗ ଅଥବା ପୂର୍ବସୃଷ୍ଟ ଖଣ୍ଡବାକ୍ୟ ବା ଶବ୍ଦପୁଞ୍ଜକୁ ଯୋଡ଼ିବା ପ୍ରକ୍ରିୟା ଯୁଗୋସ୍ଲୋଭୀୟ ଗାଥା ତଥା ଲୋକକାବ୍ୟମାନଙ୍କରେ ବହୁଳ ବାବରେ ଦେଖାଦେଇଥାଏ l ଲର୍ଡଙ୍କ ଅନୁସାରେ ଏପରି ଖଣ୍ଡବାକ୍ୟ ଓ ଶବ୍ଦପୁଞ୍ଜ ଚୟନରେ କବି ପ୍ରଚୁର ସ୍ୱାଧୀନତା ଉପଭୋଗ କରିଥାଏ l ବାସ୍ତବରେ କବି ଏସବୁକୁ ସମାଜର ସାଧାରଣ ବ୍ୟାବହାରିକ ଶବ୍ଦପୁଞ୍ଜ, ଲୋକୋକ୍ତି ଇତ୍ୟାଦିରୁ ଚୟନ କରିଥାଏ lଅଥବା ଆପଣାର ଅନୁଭୂତି ଓ ଅନୁଭବରୁ ବ୍ୟକ୍ତିପ୍ରତିଭାର ବିନିଯୋଗରେ ନିର୍ମାଣ କରିଥାଏ l ପରିବେଷଣ ସମୟରେ ଆଶୁ ସଂରଚନାକୁ ଏହି ପୃଷ୍ଠଭୂମିରୁ ବଳ ମିଳିଥାଏ l

ଲୋକଗୀତ ରଚନାରେ ଏହି ସୂତ୍ର ପ୍ରୟୋଗର ଉଦାହରଣ ସୁପ୍ରତୂଳ, ଯଦିଓ ବେନସନ୍ (୧୯୬୬) ଏହି ତତ୍ତ୍ୱକୁ ପ୍ରତ୍ୟାଖ୍ୟାନ କରନ୍ତି l ସେ ଇଂରାଜୀ ଲୋକଗାଥାର ବେୱୁଲ୍ଫ (Beowulf)ର ଅଧ୍ୟୟନ ପୂର୍ବକ ସେଥିରେ ପେରୀ-ଲର୍ଡଙ୍କ ମୌଖିକ ସୂତ୍ର ତତ୍ତ୍ୱର ଅସାର୍ଥକତା ଲକ୍ଷ୍ୟ କରନ୍ତି l୯l ମାତ୍ର ଏହି ସୂତ୍ର ପ୍ରୟୋଗର ପ୍ରବୃତ୍ତି ଓଡ଼ିଶାର ଡାଲଖାଇ, ରସରକେଲି, ମାଏଲାଜଡ଼ ଇତ୍ୟାଦି ଲୋକଗୀତରେ ମଧ୍ୟ ଦେଖାଦେଇଥାଏ l ଏଠାରେ ମଧ୍ୟ ଲୋକକବି ବା ପରିବେଷକ ଖଣ୍ଡବାକ୍ୟ ଓ ବୈକଳ୍ପିକ ଚରଣର ସଂଯୋଜନା ମାଧ୍ୟମରେ ସମଛନ୍ଦରେ ଗୀତଗୁଡ଼ିକୁ ପ୍ରଲମ୍ବିତ କରିଥାଏ l୧୦l

ମୌଖିକ ସୂତ୍ରର ସାର୍ଥକତା ଆଲୋଚନା ପୂର୍ବକ ଲର୍ଡ ଲୋକଗୀତର ମୌଖିକତା ଓ ସଠିକତାର ବିଶ୍ୱାସକୁ ପ୍ରତ୍ୟାଖ୍ୟାନ କରନ୍ତି । ତାଙ୍କ ମତରେ ଗୋଟିଏ ଲୋକଗୀତ ବା ଗାଥାର ମିଳୁଥିବା ଭିନ୍ନଭିନ୍ନ ରୂପ କେବଳ ମୌଖିକ ସୂତ୍ର ପ୍ରଣାଳୀରେ ହିଁ ସମ୍ଭବ ହୋଇଥାଏ ।

ମୌଖିକ ସୂତ୍ରତତ୍ତ୍ୱ ପୃଥିବୀର ସକଳ ସଂସ୍କୃତିର ସବୁତକ ଲୋକଗୀତ, ଗାଥା ବା କାବ୍ୟ ପାଇଁ ଉଦ୍ଦିଷ୍ଟ ନହେଲେ ମଧ୍ୟ ଏହା ଲୋକଗୀତ ସଂରଚନାର ଏକ ଗୁରୁତ୍ୱପୂର୍ଣ ଓ ଉପାଦେୟ ଦିଗ ଉନ୍ମୋଚନ କରିଥାଏ । ତେଣୁ ଲୋକଗୀତ ଅଧ୍ୟୟନରେ ଏହାକୁ ଏକ ଅତି ଆବଶ୍ୟକ ତତ୍ତ୍ୱ ରୂପରେ ଗ୍ରହଣ କରାଯାଇପାରେ ।

 

ବ୍ୟକ୍ତିପ୍ରତିଭାର ସଚେତନ ପ୍ରୟାସ: ଲୋକଗୀତର ସଂରଚନା ସ୍ୱତଃସ୍ଫୂର୍ତ୍ତତା ଓ ଆଶୁ ସଂରଚନା ବ୍ୟତିରେକ ବ୍ୟକ୍ତିପ୍ରତିଭାର ସଚେତନ ଓ ଲଗାତାର ପ୍ରଚେଷ୍ଟାର ଅପେକ୍ଷା ବି ରଖିଥାଏ । ଲୋକଗୀତ ବା ଗାଥାଟିଏର ସଂରଚନା ପାଇଁ ଲୋକକବି ଦିନଦିନ, ମାସମାସ ଧରି କଠୋର ପରିଶ୍ରମ କରିଥାଏ । ଆମେରିକୀୟ ଲୋକଧାରାବିଦମାନେ ଲୋକଗୀତ ଓ ଗାଥାର ପରିବେଷକମାନଙ୍କୁ ଉଦାସୀନ () ଓ କ୍ରିୟାଶୀଳ () ପରିବେଷକ ରୂପରେ ବିଭକ୍ତ କରନ୍ତି । କ୍ରିୟାଶୀଳ ପରିବେଷକ ବ୍ୟକ୍ତିପ୍ରତିଭା ଓ ଆଶୁ ସଂରଚନା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଉଦାସୀନ ପରିବେଷକ ପୂର୍ବ ସଂରଚିତ ଲୋକଗୀତକୁ ସ୍ମୃତିଚାରଣ ମାଧ୍ୟମରେ ଉପସ୍ଥାପିତ କରିଥାଏ ।୧୧।

ସେହିପରି ଲୋକକବିମାନଙ୍କୁ ସେମାନଙ୍କର ପରିବେଷଣ ପ୍ରକ୍ରିୟା ଅନୁସାରେ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଲୋକକବି ଯିଏ ସ୍ୱକୀୟ ସଂରଚନା ସହ ଶ୍ରୋତା ବା ଦର୍ଶକ ନିକଟରେ ଗୀତ ଓ ଗାଥାମାନଙ୍କୁ ପରିବେଷଣ କରିଥାଏ, ତାକୁ କ୍ରିୟାଶୀଳ ଏବଂ ଯିଏ ବିଭିନ୍ନ ଉତ୍ସବ ପାଇଁ ବା ଉଦ୍ଦେଶ୍ୟ ନେଇ ଲୋକଗୀତ, ଗାଥା ଇତ୍ୟାଦି କେବଳ ରଚନା କରିଥାଏ, ଅଥଚ ନିଜେ ପରିବେଷଣ କରିନଥାଏ ତାକୁ ଉଦାସୀନ ଲୋକକବି କୁହାଯାଇଥାଏ । ୧୨। ଏପରି ଲୋକକବି ସାରା ବିଶ୍ୱର ସକଳ ସଂସ୍କୃତିରେ ଦେଖାଯାନ୍ତି । ଓଡ଼ିଶାରେ ଦଣ୍ଡଗୀତ ଓ ଲୀଳାନାଟକ ରଚୟିତା ଅନେକ ଉଦାସୀନ ଲୋକକବି ରହିଛନ୍ତି । ଏସବୁ କବି ଆପଣାର ଗୀତ ସଂରଚନା ସମୟରେ ଲୋକମାନସ ଅନୁକୂଳରେ ପରମ୍ପରା ଓ ବିଶ୍ୱସ ତଥା ଲୋକ ଜୀବନଧାରା ଉପରେ ଅଧିକ ଦୃଷ୍ଟି ରଖିଥାନ୍ତି ।

ପରମ୍ପରା ଓ ଅଭିଚାର ବାହାରେ ମଧ୍ୟ ଲୋକକବି ଅନେକ ଲୋକପ୍ରିୟ ଗୀତ ରଚନା କରିଥାଏ । ଏସବୁ ଗୀତରେ ପ୍ରକୃତି, ମାନବିକ ମୂଲ୍ୟବୋଧ, ସାମାଜିକ ଅଭିରୁଚି ତଥା ଛନ୍ଦ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ ତଥା ଲୋକମାନସ ଓ ରୁଚି ଅନୁକୂଳରେ ବିଷୟ ଚୟନ କରାଯାଇଥାଏ । ନିମ୍ନରେ ଓଡ଼ିଶାର ଏକ ଲୋକପ୍ରିୟ କ୍ରିୟାଶୀଳ ଲୋକକବି କାଲିଆ (ପଦ୍ମଶ୍ରୀ ହଳଧର ନାଗ)ଙ୍କ ଦ୍ୱାରା ରଚିତ ନଚନିଆଁ ଗୀତର ଏକ ଉଦାହରଣ ଦିଆଗଲା–

ଚିକିଚାକ ଦୁଲୁଦୁଲୁ ଦମାଦମା ଦଲଦଲ

ମଘା ନଏଖତର୍, ଲାଗିଛେ ରେ

ମଘା ନଏଖତର୍

କୁଲାରମୁହେଁ ପାଏନ୍ ବରଷେ ରେ

ବୁଡ଼େ କୁଲଛତର୍

ମିଟିମିଟି ଅଁଧାର ଘୁଟିଅଛେ ସଁସାର

ବାହାକେ ବାହା ନାଇଁ ଦିଶେ

ଗଅଁ ଗଅଁ ସଅଁ ସଅଁ ଘୁଟି ବରଷା ଆସେ

କେଁଟେ କେଁଟେ କେଁଟେ କେଁଟେ ବେଙ୍ଗ୍ ହୁଲାହୁଲି

ଘଁ ଘାଁ କେ ଭରଦର୍

କୁଲାରମୁହେଁ ପାଏନ୍ ବରଷେ ରେ

ବୁଡ଼େ କୁଲଛତର୍

ଝୁପୁଝୁପୁ ଝୁପିଆ ଠିକ ରତରତିଆ

ଝିଁ ଝିଁ ଝିଁକାର୍ ମେଲୁଛେ

ଶୁଉନ୍ ଶାଆନ୍ ମଥୁରା କଟକ୍

ନିଝକ୍ ହେଇଛେ

ଦେଖ ଦେଖ ଛେକ ଛେକ ଚୋର୍ ପଲାଲା

ବୁହି ତମ୍ବା ଖପର

(ଆରେ) କୁଲାରମୁହେଁ ପାଏନ୍ ବରଷେ ରେ

ବୁଡ଼େ କୁଲଛତର୍

ଚଡ଼ଚଡ଼ ଚଡ଼କ ରଡ଼ରଡ଼ ରଡ଼ିକେ

ଡାହୁକ ଡାକେରେ ଡାକେ

ନିସ୍ପଟ ଶୁଇପଡ଼ିଛନ୍ ମଥୁରା ପୁରର ଲୁକେ

ରହ ରହ କାହିଁ ପଲେଇଯାଉଛୁ

ଚୋର କି ବହଙ୍ଗର୍

କୁଲାରମୁହେଁ ପାଏନ୍ ବରଷେ ରେ

ବୁଡ଼େ କୁଲଛତର୍ । (କାଲିଆ- ଘେଁସ୍, ବରଗଡ଼) । ପ୍ରକୃତି ଓ ଛନ୍ଦ ସହିତ ଲୋକରୁଚିର ମିଳନ ହିଁ ଏହି ଗୀତର ମୁଖ୍ୟ ଆବେଦନ ।

 

ପରିବେଷଣ ଓ ପ୍ରବାହ : ସଂରଚନା ପରି ଲୋକଗୀତ ବା ମୌଖିକ ଗୀତର ପ୍ରବାହ ମଧ୍ୟ ଆକ୍ଷରିକ ଅର୍ଥରେ ମୌଖିକ ରୂପରେ ହୋଇନଥାଏ ଏବଂ ଏହା ପରିବେଷଣର ବିବିଧ ପ୍ରକ୍ରିୟା ଦେଇ ଗତିକରିଥାଏ । ପୁଣି ପ୍ରବାହ ସମୟରେ ଲୋକଗୀତ ବିବିଧ ସ୍ଥାନ, କାଳ, ସଭ୍ୟତା, ସଂସ୍କୃତି ଓ ସର୍ବୋପରି ଲୋକ ମଧ୍ୟଦେଇ ଗତି କରୁଥିବାରୁ ସବୁବେଳେ ଆପଣାର ଅବିକଳ ରୂପ ବଜାୟ ରଖିପାରେ ନାହିଁ ।

ଲୋକଗୀତ ଏକ ପରିବେଷକ ବା ପରିବେଷକମାନଙ୍କ ଦ୍ୱାରା ବିଭିନ୍ନ ଉତ୍ସବ ଓ ପରିବେଶରେ ଶ୍ରୋତା ବା ଦର୍ଶକମାନଙ୍କ ନିକଟରେ ପରିବେଷିତ ତଥା ପ୍ରବାହିତ ହୋଇଥାଏ । ପରିବେଷଣ ସମୟରେ ଏବଂ ଏହାର ସଂରଚନା ସମୟରେ ପରିବେଷକ ବିଭିନ୍ନ ଘଟଣା, ଦୃଶ୍ୟ, ଅନୁଭବ, ଅବବୋଧ ଇତ୍ୟାଦିର ସଂସ୍ପର୍ଶରେ ଆସିଥାଏ । ଏସବୁ ସହ ଦର୍ଶକୀୟ ଅଭିରୁଚିର ପ୍ରଭାବ ପରିବେଷକ ଉପରେ ପଡ଼ିଥାଏ, ଯାହା ଫଳରେ ପରିବେଷଣ ସମୟରେ ସେ ପରିସ୍ଥିତି ଅନୁଯାୟୀ ସ୍ୱକୀୟ ପ୍ରତିଭାର ଅନୁକୂଳରେ ଗୀତରେ ଆବଶ୍ୟକୀୟ ଅଦଳବଦଳ କରିଚାଲିଥାଏ ।

କେତେକ ଲୋକଗୀତ ବିଭିନ୍ନ ସ୍ଥାନରେ ପରିବେଷିତ ହୋଇଥାଏ । ଭାରତବର୍ଷରେ ରାଜତାନ୍ତ୍ରିକ ସାମନ୍ତବାଦୀ ଯୁଗରେ ରାଜାମାନେ ନିଜନିଜ ବଂଶ ତଥା ଅଞ୍ଚଳରେ ବୀରଗାଥାଗୁଡ଼ିକ ଗାଇବା ପାଇଁ ଭାଟ ବା ଚାରଣ କବିମାନଙ୍କୁ ନିଯୁକ୍ତି ପ୍ରଦାନ କରୁଥିଲେ । ଏହି ଭାଟ ଓ ଚାରଣ କବିଗଣ ଭାରତବର୍ଷର ବିଭିନ୍ନ ସ୍ଥାନରେ ବୁଲିବୁଲି ସେସବୁ ବୀରଗାଥା ଗାନ କରୁଥିଲେ । ଏମାନେ ହିଁ ମଧ୍ୟଯୁଗରେ ଭାରତବର୍ଷର ବିବିଧ ଆଞ୍ଚଳିକ ସଂସ୍କୃତିର ପ୍ରଧାନ ପରିବାହକ ଓ ସଂଯୋଗସେତୁ ଥିଲେ । ଏହି ବୀରଗାଥାଗୁଡ଼ିକ ଭିନ୍ନ ସମୟ ଓ ଭିନ୍ନ ପୀଢ଼ିକୁ ପ୍ରବାହିତ ହେବା ସମୟରେ ପରିବର୍ତ୍ତିତ ସାମାଜିକ ଅଭିରୁଚି ଓ ଜୀବନଧାରା ଅନୁକୂଳରେ ଅନେକ ପରିବର୍ତ୍ତନ ଦେଇ ଗତିକରିଛି । ତେଣୁ ଜଣେ ପରିବେଷକ ଭିନ୍ନ ଭିନ୍ନ ସମୟରେ ଆପଣାର ଗୀତ ପରିବେଷଣ କଲାବେଳେ ସେଥିରେ କେତେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ ।

ଲୋକଗୀତର ପ୍ରବାହ ଶୁଣୁଥିବା ଲୋକର ଅବବୋଧ ଉପରେ ବି ନିର୍ଭରଶୀଳ । ଅବବୋଧର ଦୁର୍ବଳତା ଓ ବିବିଧତା ଲୋକଗୀତ ଓ ଗାଥାରେ ଅନିବାର୍ଯ୍ୟ ଭାବରେ କେତେକ ପରିବର୍ତ୍ତନ ଆଣିଥାଏ । ଏପରି ପରିବର୍ତ୍ତିତ ଗୀତର ଭିନ୍ନ ଭିନ୍ନ ସମାଜରେ ପୁନଃ ପୁନଃ ପ୍ରବାହ ଗୀତରେ ବହୁ ଭିନ୍ନତା ଆଣି ପରିଶେଷରେ ସମଛନ୍ଦର ଏକ ନୀତନ ଗୀତ ବି ସୃଷ୍ଟି କରିଥାଏ ।

 

ସୂଚନା :

  1. Oral Poetry, R. Finnegan, 1977, p-3
  2. . ibid, p-53
  3. The Language of an Oral Poetry, M. Parry, 1932, P 14-15
  4. Oral Poetry, A. B. Lord,1965,p-591
  5. ibid
  6. Oral Poetry, R. Finnegan, 1977, p-56
  7. Somali Poetry: An Introduction, B. W. Andrezewski & M. Lewis, 1964, p-9
  8. Studies in Epic Technique in Oral Verse Making: Homer and Homeric Style, M. Parry, 1930, p-77
  9. Oral Poetry, R. Finnegan, 1977,p-70
  10. ପଶ୍ଚିମ ଓଡ଼ିଶାର ଲୋକଗୀତର ଛନ୍ଦର ସ୍ୱରୂପ, ସୁଧୀର କୁମାର ସାହୁ, ସମାଲୋଚନା, 1990-91, ପୃ-11-12
  11. Oral Poetry, R. Finnegan, 1977, p-84
  12. Oral Poetry, R. Finnegan, 1977, p-84

 

ଡକ୍ଟର ସୁଧୀର କୁମାର ସାହୁ,

ଓଡ଼ିଆ ବିଭାଗ, ଜାମଶେଦପୁର ମହିଳା ବିଶ୍ୱବିଦ୍ୟାଳୟ,

ବିଷ୍ଟୁପୁର କେମ୍ପସ୍, ଖର୍ଖାଇ ଲିଙ୍କ୍ ରୋଡ, ବିଷ୍ଟୁପୁର,

ଜାମଶେଦପୁର, 831001


Share Samadhwani
Support Samadhwani

About ସୁଧୀର କୁମାର ସାହୁ

ଡକ୍ଟର ସୁଧୀର କୁମାର ସାହୁ (ଅଧ୍ୟକ୍ଷ, ଓଡ଼ିଆ ବିଭାଗ, ଜାମସେଦପୁର ମହିଳା ବିଶ୍ୱବିଦ୍ୟାଳୟ ଜାମସେଦପୁର, ଝାରଖଣ୍ଡ, 831001)

Check Also

ଓଡ଼ିଶାରେ ନାଟକର ସ୍ଥିତି

Share Samadhwaniସାକ୍ଷାତକାର : ନବିନ କୁମାର ପରିଡ଼ା ୧) ବର୍ତ୍ତମାନ ଓଡ଼ିଶାରେ ନାଟକର ସ୍ଥିତି କ’ଣ ଅଛି? ଉ: ବର୍ତ୍ତମାନ …