ଆନି ଏର୍ନୋ : ସାହିତ୍ୟ ରେ ନୋବେଲ, ୨୦୨୨

ଜ୍ୟୋତି ନନ୍ଦ 149 Views
5 Min Read

ଚଳିତ ବର୍ଷ ଅର୍ଥାତ୍ ୨୦୨୨ ପାଇଁ ସାହିତ୍ୟ ରେ ନୋବେଲ ପୁରସ୍କାର ର ପ୍ରାପକ ହେଉଛନ୍ତି ଫରାସୀ ଲେଖିକା ଆନି ଏର୍ନୋ।

ଏବେ ଦେଖିଲି ଲେଖିକାଙ୍କର ନାଆଁ ର ପ୍ରକୃତ ଉଚ୍ଚାରଣ ହେବ ଆନି ଏର୍ନୋ, ଆନି ଏର୍ନାକ୍ସ ନୁହଁ। ତେଣୁ ସଂଶୋଧନ କରିଦେଉଛି।

ଯଦିଓ ଏଇ ବର୍ଷ ବିଶ୍ୱର ଏହି ସର୍ବଶ୍ରେଷ୍ଠ ସାହିତ୍ୟ ପୁରସ୍କାର ପାଇଁ ସଲମାନ ରସଦି ଙ୍କ ନାଆଁ କୁ ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା ତାହା ସତ ହୋଇ ନାହିଁ । ଠିକ୍ ସେହିଭଳି ଏଇ କିଛି ବର୍ଷ ଧରି ଯେଉଁ ପ୍ରମୁଖ ସାହିତ୍ୟିକମାନଙ୍କର ନାଆଁ ନୋବେଲ ପୁରସ୍କାର ର ସଂଭାବ୍ୟ ତାଲିକାରେ ରହିବା ଭଳି ଅନୁଗାମୀ ମହଲରେ ପ୍ରାକ୍-ଉତ୍ସାହ ରହିଥାଏ ତାହା ମଧ୍ୟ ଏଥର ବିଫଳ ହୋଇଛି।

ପାଠକ ଏବଂ ଅନୁଗାମୀ ମାନଙ୍କର ନୋବେଲ ପୁରସ୍କାର ର ସଂଭାବ୍ୟ ତାଲିକାରେ ଏଇ କିଛି ବର୍ଷ ଧରି ହାରୁକି ମୁରାକାମି, ମାର୍ଗାରେଟ୍ ଆର୍ଟଉଡ୍, ଜୟେସ କାରୋଲ୍ ଓଟସ୍,ଏନଗୁଗି ୱା ଥିଆଙ୍ଗୋ ରହି ଆସୁଛନ୍ତି ।

ଆନି ଏର୍ନୋ ଫ୍ରାନ୍ସ ର ନର୍ମାଣ୍ଡି ସହରରେ ୧୯୪୦ ରେ ଜନ୍ମ ଗ୍ରହଣ କରିଛନ୍ତି ।

ଆନି ଏର୍ନୋ ଙ୍କ ସଂପର୍କରେ କୁହାଯାଏ ଯେ ସେ ହେଉଛନ୍ତି ଫରାସୀ ଭାଷାରେ ସବୁଠାରୁ ଅଧିକ ବ୍ୟବସାୟିକ ସଫଳତା ପାଇଥିବା ଜଣେ ଜନପ୍ରିୟ କଥାକାର । ତାଙ୍କର ରଚିତ ପୁସ୍ତକମାନ ଦୀର୍ଘକାଳ ଧରି ଫ୍ରାନ୍ସର ବେଷ୍ଟସେଲର୍ ତାଲିକାରେ ରହି ଆସିଅଛି । ତାଙ୍କର ବହି ମାନ ଲକ୍ଷାଧିକ ସଂଖ୍ୟାରେ ବିକ୍ରୀ ହୁଏ ଆଉ ଏହା ପଛରେ ଆଉ ଗୋଟିଏ ପ୍ରମୁଖ କାରଣ ରହିଅଛି ଯେ ତାଙ୍କର ରଚିତ ଉପନ୍ୟାସ ମାନ ଅଧିକାଂଶ ପ୍ରାୟତଃ ଫରାସୀ ସାହିତ୍ୟର ଛାତ୍ର ମାନଙ୍କର ପାଠ୍ୟପୁସ୍ତକ । ତାଙ୍କର ବହିମାନଙ୍କୁ ସମସାମୟିକ “କ୍ଲାସିକ୍” ର ମାନ୍ୟତା ଆକାରରେ ସେଠିକାର ଶ୍ରେଣୀ ଗୃହରେ ଅଧ୍ୟୟନ କରାଯାଇଥାଏ ।

ଆନି ଏର୍ନୋ ଙ୍କୁ ସମକାଳ ର ଫରାସୀ ସାହିତ୍ୟ ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ୱର ବୋଲି ବିଚାର କରାଯାଇଥାଏ । କୋଡିଏରୁ ଅଧିକ ପୁସ୍ତକ ର ରଚୟିତା ଆନି ଏର୍ନୋ ଅନେକ ଆନ୍ତର୍ଜାତିକ ପୁରସ୍କାର ରେ ସମ୍ମାନୀତ। ତାଙ୍କର ଉପନ୍ୟାସ “ଦି ଇୟର୍ସ(୨୦୧୭)” ମ୍ୟାନବୁକର ପୁରସ୍କାର ୨୦୧୯ ପାଇଁ ସର୍ଟଲିଷ୍ଟ ରେ ରହିଥିଲା ।

ବୃତ୍ତିରେ ଆନି ଏର୍ନୋ ଜଣେ ସାହିତ୍ୟ ର ପ୍ରଫେସର ଥିଲେ। ସେ ୧୯୭୭ ଠାରୁ ୧୯୮୪ ଯାଏଁ ସେଣ୍ଟର ନେସନାଲ ଦେ ଏନସେଇନମେଣ୍ଟ ପର୍ କରେସପଣ୍ଡେନ୍ସ ରେ କାର୍ଯ୍ୟରତ ରହିଥିଲେ ।

ତାଙ୍କର ବହି ମାନଙ୍କ ଭିତରେ ଅଧିକ ଚର୍ଚ୍ଚିତ ବହି ଗୁଡିକ ହେଲା,ସେମ୍,ଏ ମ୍ୟାନସ୍ ପ୍ଲେସ୍,ହାପନିଙ୍ଗ୍,ଦି ପଜେସନ୍ ,ସିମ୍ପଲ୍ ପାସନ,ଏ ଗାର୍ଲସ୍ ଷ୍ଟୋରୀ ଆଦି ପ୍ରଧାନ ।

ସାହିତ୍ୟ ରେ ନୋବେଲ ପୁରସ୍କାର ବିଷୟ ଘୋଷଣା କରିବାବେଳେ ସ୍ୱିଡିସ୍ ଏକାଡେମୀ ପ୍ରାପକ ଆନି ଏର୍ନୋ ଙ୍କ ବିଷୟରେ ବହୁତ ସୁନ୍ଦର କଥାଟିଏ କହିଛନ୍ତି । ସେ ନୋବେଲ୍ ପୁରସ୍କାର ର ପ୍ରାପକ କାରଣ ” ସାହସ ଏବଂ ଅତ୍ୟନ୍ତ ନିପୁଣ ନିଦାନଗତ ଦକ୍ଷତାର ସହ ସେ ନିଜର ମୂଳାନୁଗ ଆଧାର,ବିଚ୍ଛିନ୍ନତାବୋଧ ଏବଂ ସାମୁହିକ ପ୍ରତିବନ୍ଧକ କୁ ନିଜର ବ୍ୟକ୍ତିଗତ ସ୍ମୃତିରୁ ଉନ୍ମୋଚନ କରିଥାନ୍ତି “।

ଏହି ଆଧିକାରିକ ମନ୍ତବ୍ୟରୁ ଆଉ ଥରେ ଉଦ୍ଧାର କରୁଛି ସେଇ କେତୋଟି ଶବ୍ଦ ଯଥା ସାହସ,ନିଦାନଗତ ତୀକ୍ଷ୍ମତା,ପ୍ରତିବନ୍ଧକ ଏବଂ ବ୍ୟକ୍ତିଗତ ସ୍ମୃତି । ଏଇ କେତୋଟି ଶବ୍ଦ ଆଜିର ଏଇ ସମ୍ମାନସ୍ପଦ ଲେଖିକାକୁ ବୁଝିବା ପାଇଁ ଯଥେଷ୍ଟ ହେବ ବୋଲି ଉପସ୍ଥିତ ଲେଖକ ବିଚାର କରେ । କାରଣ ଏଠାରେ ଏଇ ସ୍ୱୀକାରୋକ୍ତିଟି ଉଲ୍ଲେଖଯୋଗ୍ୟ । ଉପସ୍ଥିତ ଲେଖକ ପାରିସ୍ ଯାଇନାହିଁ (ଯିବାର ବି ନାହିଁ),ଫରାସୀ ସାହିତ୍ୟ ର ସମକାଳୀନତା ଉପରେ ସଂପୂର୍ଣ୍ଣ ଅଜ୍ଞ ଏବଂ ସତ କହିଲେ ସେ ପ୍ରଥମ ଥର ତାହାର ଜୀବନରେ ଆନି ଏର୍ନୋ ବୋଲି ଜଣେ ଲେଖକର ନାଆଁ ଏଇ ଟିକିଏ ଆଗରୁ ଜାଣିବାକୁ ପାଇଛି ଯିଏ ନୋବେଲ ପୁରସ୍କାର ରେ ଅଭିଷିକ୍ତ ହେଲେ । ମାତ୍ର ଉପରେ ଉଲ୍ଲେଖ କରାଯାଇଥିବା ଶବ୍ଦ କେତୋଟି ମିଳିଯିବା କାରଣରୁ ଏହି ଲେଖିକାଙ୍କ ପ୍ରତି ଆଗ୍ରହ ବଢୁଛି । ଆଉ ଆଗ୍ରହ ବି ରହୁଛି ଏଇଥିପାଇଁ ଯେ,ପ୍ରଚୁର ବ୍ୟବସାୟିକ ସଫଳତା ଏବଂ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଭିତରେ ରହୁଥିବା ପୁସ୍ତକ ସମକାଳ ର ” କ୍ଲାସିକ୍” ର ମାନଦଣ୍ଡ ରେ ବିଚାର୍ଯ୍ୟ ହୋଇ ପୃଥିବୀର ସର୍ବଶ୍ରେଷ୍ଠ ପୁରସ୍କାର ବି ପାଇପାରେ।
ଯେତିକି ସୂଚନା ଉପଲବ୍ଧ ତାହା ଅନୁସାରେ ଆନି ଏର୍ନୋ ଙ୍କ ସବୁ ବହିର ପ୍ରଥମ ସଂସ୍କରଣ ରେ ପ୍ରାୟ ଦେଢ ଲକ୍ଷରୁ ଦୁଇ ଲକ୍ଷ କପି ନିଃଶେଷ ହୋଇଯାଇଥାଏ ।

ଜନପ୍ରିୟ ଲେଖକ ର ଜନପ୍ରିୟତା ର ଆଧାର କୁ ବୁଝିବା ପାଇଁ ଉପସ୍ଥିତ ଲେଖକର ସବୁବେଳେ ବିଶେଷ କୌତୁହଳ ରହିଅଛି ।

ନିଜର ଲେଖା ସଂପର୍କରେ ଏକଦା ଆନି ଏର୍ନୋ କହିଛନ୍ତି,” ମୁଁ ସବୁବେଳେ ସେହି ଭଳି ବହି ମାନଙ୍କୁ ଲେଖିବାକୁ ଚାହେଁ ଯାହା ବିଷୟରେ ମୁଁ ପରେ ଆଉ କିଛି ମାତ୍ର କହିପାରିବି ନାହିଁ ଆଉ ପଛରେ ମୋତେ ଅନ୍ୟ ମାନେ କେଉଁ ଭଳି ଦେଖୁଛନ୍ତି ସେହି କଥାକୁ ବି ସହ୍ୟ କରି ପାରିବି ନାହିଁ “।

ସାହିତ୍ୟ ରେ ନୋବେଲ ପୁରସ୍କାର ୨୦୨୨ ଘୋଷଣା ର ସମ୍ବାଦ ଦେଖିବା ପରେ ଉପସ୍ଥିତ ଲେଖକର ମନ ଖରାପ ହୋଇଯାଇଥିଲା। କାରଣ ତାହାର ନିଜ ପ୍ରସ୍ତୁତ ତାଲିକାରେ ରହିଥିବା ବୟାନବେ ବର୍ଷୀୟ ସିରିଆର କବି ଆଦୋନିସ୍ ନାହାଁନ୍ତି,ନାଇଜେରିଆର “ୱିଜାର୍ଡ ଅଫ୍ ଦି କ୍ରୋ” ର ପ୍ରତିବାଦୀ ଲେଖକ ଏନଗୁଗି ୱା ଥିଆଙ୍ଗୋ ନାହାଁନ୍ତି ଆଉ “କାଫକା ଅନ୍ ଦି ସୋର୍” ର ତଥା ସର୍ବଜନପ୍ରିୟ ଲେଖକ ହାରୁକି ମୁରାକାମି ବି ନାହାଁନ୍ତି ।

ନୋବେଲ୍ ପୁରସ୍କାର ଘୋଷଣା ହେଲେ ଯଦି ପୁରସ୍କାର ପ୍ରାପକ ର ବହିଟି ଆଗରୁ ନିଜ ପାଖରେ ଥାଏ ତାହାହେଲେ ଶ୍ରଦ୍ଧେୟ ବନ୍ଧୁ ତଥା ଇଣ୍ଡିଆନ ଇଙ୍ଗ୍ଲିଶ୍ ଲିଟରେଚର୍ ର ବିଶିଷ୍ଟ କବି ଡଃ ରବୀନ୍ଦ୍ର କେ.ସ୍ୱାଇଁ ଅତ୍ୟନ୍ତ ଖୁସିର ସହ ପ୍ରାୟତଃ କହିଥାନ୍ତି,ସାର୍,ଏଥର ଅମୁକଙ୍କ ବହି ଆଉ କିଣିବାକୁ ପଡିବ ନାହିଁ । ପାଖରେ ଅଛି।

ରବି ବାବୁ,ଆନି ଏର୍ନୋ ଙ୍କ ନାଆଁ ଏଇତ ପ୍ରଥମ ଥର ଶୁଣାଗଲା । ପାଖରେ ବହି ଆଉ ଆସିବ କେଉଁଠୁ ? କିଣାଯିବ ।

ବ୍ୟକ୍ତିଗତ ସ୍ମୃତିର ପରିପ୍ରେକ୍ଷୀ ଜଣକର ଲଜ୍ଜା ନିବାରଣ ଭଳି ଅସହଜ କାମ ଲେଖିବା ଦ୍ୱାରା ସମାହିତ ହୋଇଥାଏ ବୋଲି ଯେଉଁ ଜନପ୍ରିୟ ଲେଖିକା ଜଣକ କହିଛନ୍ତି ତାଙ୍କ ପ୍ରତି ଆଗ୍ରହ ନିଶ୍ଚୟ ବଳୁଛି ।

ତାଙ୍କ ବହି ତେଣୁ କିଣାଯିବ ।

Share This Article
Exit mobile version