କଳା ଯାହାର ନିଶା, ଶିକ୍ଷା ଯାହାର ପେଷା : ଅଶୋକ କୁମାର ମହାନ୍ତି

Swayamprava Parhi (Chief Editor)
9 Min Read

ଉପସ୍ଥାପନା : ମାଧବ ଚନ୍ଦ୍ର ପରିଡ଼ା

ବହୁ ବର୍ଣ୍ଣରେ ବର୍ଣ୍ଣିଳ ଯାହାଙ୍କର ଜୀବନ ଧାରା ସେ ପୁଣି ସେହି ରଂଗ ମାନଙ୍କ ସହ ଖେଳ ଖେଳି ସେ ହେଲେ ଚିତ୍ରଶିଳ୍ପୀ । ଗୁଣୁଗୁଣୁ ହୋଇ ପିଲାଟି ଦିନରୁ ବେଞ୍ଚ ଡ଼େସ୍କରେ ବାଜା ବଜାଉଥିବା ପିଲାଟି କିଛି ଦିନ ପାଇଁ ପାଲଟି ଗଲା କଣ୍ଠଶିଳ୍ପୀ ପରେ ପରେ ସେହି ନିଶାରେ ନିଜେ ଲେଖିଲା ଗୀତିକବିତା ଆଉ ତାପରେ ପାଲଟି ଗଲା କବି । ଗଳ୍ପ ଶୁଣିବା ମା’ଙ୍କ ପାଖରୁ ଥିଲା ପିଲା ଦିନର ନିଶା । ରାତିରେ ମା’ ଗପ କହୁନଥିଲେ ନିଦ ଆସୁନଥିଲା । ଗପ ଶୁଣୁ ଶୁଣୁ ସେ ଶୋଇ ଯାଉଥିଲେ । ସେ ଚିନ୍ତା କରୁଥିଲେ ନିଯେ ବଡ଼ ହେଲେ ଅନେକ କାହାଣୀ ସୃଷ୍ଟି କରିବେ । ସେଇ ନିଶା ତାଙ୍କୁ କରିଦେଲା ଗାଳ୍ପିକ । ଖବର କାଗଜରୁ ସ୍ତମ୍ଭ ପଢିବା ବେଳେ ସେ ଅଞ୍ଚଳର ସମ୍ବାଦକୁ ଛୋଟ ଛୋଟ କାଗଜରେ ପ୍ରକାଶ ପାଇବା ପରେ, ସେ ସେଭଳି ଖବରକାଗଜର ଦାୟୀତ୍ୱ ନେଇ ସେ ଅଞ୍ଚଳ କଥା ଆଣି ସଂପାଦିତ କରି ପ୍ରକାଶ ପାଇଁ ପଠାଉଥିଲେ କାର୍ଯ୍ୟାଳୟକୁ । ପରେ ପରେ ବଡ଼ ବଡ଼ କାଗଜ ମାନଙ୍କରେ ଫିଚର ଲେଖିବାକୁ ଆରମ୍ଭ କଲେ । ଏହା ସେ ସଉକରେ କରୁଥିଲେ ତାଙ୍କ ଅଂଚଳର ସାହିତ୍ୟିକ କଳାକାର ମାନଙ୍କ ସଂପର୍କରେ ଲେଖି ସେ ପ୍ରଚୁର ଆନନ୍ଦ ପାଉଥିଲେ । ଶିକ୍ଷକତା ତାଙ୍କର ପେଷା ଥିଲାବେଳେ କଳା ହେଲା ତାଙ୍କର ନିଶା । ସେ ତାଙ୍କ ଗାଁର ସ୍ଥାନୀୟ କଳାକାରଙ୍କ ସହଯୋଗରେ ତିଆରି କଲେ “ନବୀନ ଅର୍କେଷ୍ଟ୍ରା” ତାକୁ ନେଇ ପାଳିଆ ଠାରୁ ଭଦ୍ରକ ମଧ୍ୟରେ କାର୍ଯ୍ୟକ୍ରମ କରାଉଥିଲେ । ତାଙ୍କ ଗାଁ ଠାରୁ ଆଖପାଖ ଗାଁରେ ନାଟକରେ ଅଭିନୟ କରିବା ପାଖରୁ ବହୁ ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ସେ ‘ଅନ୍ଧାର ବନ୍ଦିଘର’, ‘ବରଣୀକନ୍ୟା’, ‘ରାମଦାସ ତୁମେ ହାରିଗଲ’, ‘ଅରୁଣ ସୂର୍ଯ୍ୟର ରଂଗ ‘ପ୍ରଭୂତି ବହୁ ନାଟକରେ ସେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ତିହିଡ଼ିରେ ଚାକିରୀ କରୁଥିବା ବେଳେ ସେଠାରେ ସେ ପ୍ରଥମ କରି ସାମ୍ବାଦିକ ସଂଗଠନ କରି ତତ୍କାଳିନ ସୂଚନା ଲୋକ ସଂପର୍କ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଦ୍ୱାରା ଉଦ୍‌ଘାଟନ କରାଇଥିଲେ । ଯେଉଁଥିରେ ୰ ଚିନ୍ତାମଣି ସାହୁ, ନିର୍ମଳ ସେନାପତି, ସଞ୍ଜିବ ବଳ, ବିଭୂତି ଗ୍ରହାଚାର୍ଯ୍ୟ, କଳ୍ପତରୁ ସେଠୀ, ଅଭୟ ପତି ପ୍ରମୁଖ ସାମ୍ବାଦିକ ସାମିଲ ଥିଲେ । ବାଲେଶ୍ୱରରୁ ପ୍ରକାଶିତ ସମ୍ବାଦପତ୍ର “ବଳଙ୍ଗବାର୍ତ୍ତା” କୁ ସେଠାରେ ସଂପାଦନା କରି ପଠାଉଥିଲେ । ସେଥିରେ ସେ ମହେନ୍ଦ୍ର ଧଳ, ଦେବୀ ରଥଙ୍କର ଆତ୍ମଜୀବନୀ ପ୍ରକାଶ କରି ସେ ଯାତ୍ରା ସମୀକ୍ଷକ ପାଲଟି ଗଲେ । ପରବର୍ତ୍ତି ପର୍ଯ୍ୟାୟରେ ସେ ପ୍ରଜାତନ୍ତ୍ର, ଅନୁପମ ଭାରତ, ସମୟ, ସମ୍ବାଦ, ପ୍ରଗତିବାଦୀ, କାଳାନ୍ତର, ଧ୍ୱନିପ୍ରତିଧ୍ୱନି, ବିଜୟା, ରୂପରଂଗ, ଚିତ୍ରତରଂଗ ପ୍ରଭୂତି ବହୁ ପତ୍ର ପତ୍ରିକାରେ ନାଟଚାର୍ଯ୍ୟ ରଘୁନାଥ ପଣ୍ଡା, ଦିନବଂଧୁ ମାଟିଆ, କେଶବ କବି କୃଷ୍ଣ ପ୍ରସାଦ ବେହେରା, ବନମାଳି ତ୍ରପାଠୀ, ମୋଗଲ ତାମସା ନିର୍ଦ୍ଦେଶକ ଉପେନ୍ଦ୍ର ପ୍ରସାଦ ନାୟକ, ଅର୍ଣ୍ଣପୂର୍ଣ୍ଣା ରଂଗମଞ୍ଚ ଶିଳ୍ପୀ ରୂପଲତା ମହାନ୍ତି, ନାଟ୍ୟକାର ନିର୍ଦ୍ଦେଶକ ସୁଧାକର ନନ୍ଦ, ବୈଦନାଥ ଆରଣ, ଅଭିନେତା ନିର୍ଦ୍ଦେଶକ ନରେନ୍ଦ୍ର ପରିଡା, ନିର୍ମଳ ରାଉତ, ଅଧ୍ୟାପକ ସୁଦର୍ଶନ ବାରିକ, ନୃତ୍ୟଗୁରୁ ପର୍ଶୁରାମ ସେଠୀ, ନୃତ୍ୟଶିଳ୍ପୀ ଅମ୍ରିତା ମହାନ୍ତି, ଖଳନାୟକ ଦୈତାରୀ ପଣ୍ଡା, ନାଟ୍ୟକାର କାଳନ୍ଦୀ ଚରଣ ଦାସ, ନାଟ୍ୟକାର ଅଭିନେତା ନିର୍ଦ୍ଦେଶକ ଶ୍ୟାମସୁନ୍ଦର ମହାପାତ୍ର, ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି, ଅଭିନେତା ପଦ୍ମକାନ୍ତ ଧଳ, ନିର୍ଦ୍ଦେଶକ ପ୍ରଫୁଲ୍ଲ ମହାନ୍ତି, ସଂଗୀତ ଶିଳ୍ପୀ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି, ନୃତ୍ୟଶିଳ୍ପୀ, ସଂଗୀତ, ନାଟ୍ୟକାର, ନିର୍ଦ୍ଦେଶକ, ବିଜୟ ଦାସଙ୍କ ସଂପର୍କରେ ଲେଖି ପ୍ରକାଶ କରିବା ସହ ବହୁ ଚିତ୍ରଶିଳ୍ପୀଙ୍କ ଜୀବନୀ ପ୍ରକାଶ କରାଇଛନ୍ତି । ବିଶେଷ କରି ନାଟ୍ୟକାର ଅଭିନେତା ଓ ନିର୍ଦ୍ଦେଶକ ଉମାକାନ୍ତ ବେହେରାଙ୍କ ଉପରେ ବିଭିନ୍ନ ସମ୍ବାଦପତ୍ର, ପତ୍ରପତ୍ରିକାରେ ପ୍ରକାଶ କରାଇ ତାଙ୍କୁ ବିଭିନ୍ନ ପୁରସ୍କାର ରେ ପୁରସ୍କୃତ କରିବା ସହ ବିଶେଷ ଭାବରେ ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ଓ ସାହିତ୍ୟ ଏକାଡ଼େମୀ ଦ୍ୱାର ପୁରସ୍କୃତ କରାଇବାରେ ସଫଳ ହୋଇଥିଲେ । ବିଶିଷ୍ଟ ନେତା, ଅଭିନେତା, ନିର୍ଦ୍ଦେଶକ ସୁଧାକର ନନ୍ଦଙ୍କୁ ମଧ୍ୟ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ଦିଗରେ ତାଙ୍କର ଉଦ୍ୟମକୁ ଶ୍ରୀ ନନ୍ଦ ସ୍ୱୀକାର କରନ୍ତି । ସେହିପରି ସଂଗୀତ ଶିଳ୍ପୀ ଅଶୋକ ପଣ୍ଡା, କାଶ୍ମୀରି ପଣ୍ଡାଙ୍କ ବିଷୟରେ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ଲେଖି ପରିଚିତ କରାଇଥିଲେ । ଏହାଛଡା ବିଶେଷ ବିଷୟରେ ଫିଚର ଲେଖିବା ସହ ଅଭିନେତା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ସଂଗୀତ ଶିଳ୍ପୀ, ଅଭିନେତା, ନିର୍ଦ୍ଦେଶକ ପଦ୍ମକାନ୍ତ ଧଳ ଙ୍କୁ ପ୍ରଭାବିତ କରି ସଂଗୀତ କ୍ୟାସେଟ୍ ଓ ସିଡି ପ୍ରସ୍ତୁତ କରାଇଛନ୍ତି । ଅଭିନେତା ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡାଙ୍କ ବିଷୟରେ ବିଭିନ୍ନ ପତ୍ରପତ୍ରିକାରେ ଲେଖିବା ସହ ‘ଚିତ୍ର ଦର୍ପଣ’ ପତ୍ରିକା ପ୍ରକାଶନ ଦିଗରେ ଉତ୍ସାହିତ କରିଛନ୍ତି । ମହାପ୍ରସାଦ, ମୋ ମହାବାହୁର ବାଲିଦେଉଳ କ୍ୟାସେଟରେ ତାଙ୍କ ଗୀତି କବିତା ସ୍ଥାନ ପାଇଛି । ସେ ଭଦ୍ରକର ପ୍ରଖ୍ୟାତ ସଂକେତ ସାଂସ୍କୃତିକ ସଂଗଠନର ଦୀର୍ଘ ବର୍ଷ ଧରି ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ଉକ୍ତ ସଂସ୍ଥା ମାଧ୍ୟମରେ ସମସ୍ତ ଜିଲ୍ଲା ମହୋତ୍ସବ ମାନଙ୍କରେ ମୋଗଲ ତାମସା ପରିବେଷଣ କରିବା ସହ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରଣ ମଧ୍ୟ କରାଯାଇଛି । ସେ ‘ମୋଗଲ ତାମସା’ରେ ଭଦ୍ରକ ଜମିଦାର ଭାବେ ଓ ‘ସଂଗ୍ରାମଭୂମି ଇରମ’ ନାଟକରେ ବାସୁଦେବପୁର ଜମିଦାର ଭାବେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ଜଣେ ସଫଳ ପରିଚାଳନା କମିଟି ସଦସ୍ୟ ଭାବେ ଭଦ୍ରକ ସାଂସ୍କୃତିକ ପରିଷଦ, ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସଂଗଠନ, ଭଦ୍ରକ କଳା ମହାବିଦ୍ୟାଳୟ ପ୍ରଭୂତି ସଂଗଠନ ସହ ଜଡ଼ିତ । ଏତଦ୍‌ବ୍ୟତୀତ ଫକୀର ମୋହନ ସାହିତ୍ୟ ପରିଷଦ, ଚନ୍ଦ୍ରଭାଗା ଅନୁଷ୍ଠାନ, ଉତ୍କଳ ସାହିତ୍ୟ ସମାଜ, କଟକ, ଦୀନକୃଷ୍ଣ ସ୍ମୃତି ସଂସଦ, ଜଳେଶ୍ୱର, ଓଡିଆ ଲେଖକ ଲେଖିକା ପରିଷଦ, ପିତାମ୍ବର ସ୍ୱାଇଁ ସ୍ମୃତି ସଂସଦ ପ୍ରଭୂତି ସଂଗଠନର ଆଜୀବନ ସଦସ୍ୟ ଥାଇ ବିଭିନ୍ନ ସମୟରେ ସଂପାଦକ, ସଭାପତି ପଦବୀ ଅଳଂକୃତ କରିଛନ୍ତି । ନାଟକ, ସଂଗଠନ କୁ ବାଦ୍ ଦେଲେ ବିଭିନ୍ନ ସମସ୍ୟାମୂଳକ ଫିଚର ମାନ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥାଏ ।

Support Samadhwani

ଏ ସବୁକୁ ଛାଡ଼ି ଦେଲେ ତାଙ୍କର ବଡ଼ ପରିଚୟ ହେଲା ସେ ଜଣେ ଚିତ୍ରଶିଳ୍ପୀ ଚିତ୍ର ପ୍ରତି ଆବାଲ୍ୟରୁ ଥିବା ତାଙ୍କ ଅନୁରାଗ ଆଜି ତାଙ୍କୁ ରାଜ୍ୟସ୍ତରରେ ନୁହଁ ଜାତୀୟ ସ୍ତରରେ ଜଣେ ସଫଳ ଚିତ୍ରଶିଳ୍ପୀ ଭାବେ ପରିଚିତ ଆଣି ଦେଇଛି । ସେ ଖଲ୍ଲିକୋଟ ଠାରେ ଥିବା ଚିତ୍ରକଳା ବିଦ୍ୟାଳୟରୁ ୧୯୭୫ରେ ଡ଼ିପ୍ଲୋମା ଲାଭ କରିଥିଲେ । ଲଳିତକଳା ଏକାଡ଼େମୀ ଓ ସଂସ୍କୃତିକ ବିଭାଗ ମିଳିତ ଅନୁମୋଦନ କ୍ରମେ ଦିଲ୍ଲୀ ଲଳିତ କଳା ଷ୍ଟୁଡ଼ିଓରେ ଗ୍ରାଫିକ୍ ଆର୍ଟରେ ବିଶେଷ ଯୋଗ୍ୟତା ଲାଭ କରିଥିଲେ । ଏକାଡ଼େମୀ ପକ୍ଷରୁ ଭୁବନେଶ୍ୱର ଲଳିତ କଳା ମଣ୍ଡପରେ ତାଙ୍କର ଏକକଚିତ୍ର ପ୍ରଦର୍ଶନୀ ଭୂୟସୀ ପ୍ରଶଂସା ଲାଭ କରିଥିଲା । ପରେ ପରେ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଦର୍ଶନୀ ମାନ କରାଇ ସେ ସମୟରେ କଳାପ୍ରତି ଜନସାଧାରଣଙ୍କ ମନରେ ଅନୁରାଗ ସୃଷ୍ଟି କରିଥିଲେ । ସେ ଦିଲ୍ଲୀ, ବମ୍ବେ, କଲିକତା, ମାଡ୍ରାସ ପ୍ରଭୃତି ସ୍ଥାନମାନଙ୍କରେ ସେ ସମୟରେ ପ୍ରଦର୍ଶନୀ ମାନ ଅନୁଷ୍ଠିତ କରାଇ ପ୍ରଶଂସିତ ହୋଇଥିଲେ । ଏଥିପାଇଁ ସେ ଲଳିତ କଳା ଏକାଡ଼େମୀ ପାଖରୁ ଆରମ୍ଭ କରି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି । ତାଙ୍କ ଦ୍ୱାରା ପିଲାମାନଙ୍କ ପାଇଁ ଚିତ୍ରକଳା ପୁସ୍ତକ ଅଙ୍କରୁ ଆଙ୍କିଶିଖ, ସହଜ ଡ୍ରଇଂ ଶିକ୍ଷା, ପ୍ରବନ୍ଧ ପୁସ୍ତକ ଶିଶୁ ସାହିତ୍ୟ ଓ ଶିଶୁ ଚିତ୍ରକଳା ପ୍ରଭୃତି ବହୁ କଳା ସମ୍ପର୍କୀୟ ପୁସ୍ତକ ପ୍ରକାଶ ପାଇବା ସହ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଓ ଆକାଶବାଣୀ କଟକ ଦ୍ୱାରା ପ୍ରସାରିତ ହୋଇଛି । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ସେ ସମ୍ବର୍ଦ୍ଧିତ ହେବା ସହ ତାଙ୍କୁ ‘କଳାରତ୍ନ’, ‘ଗୁରୁକଳାନିଧି ଉତ୍ତର ଜ୍ୟୋତି ସମ୍ମାନ’, ‘କଳାନିଧି’, ‘ଶିଳ୍ପୀ ଜ୍ୟୋତି’ ପ୍ରଭୃତି ଉପାଧି ମାନଙ୍କରେ ଭୂଷିତ କରାଯାଇଛି । ବିଶେଷ କରି କଳାୟତ ସୁନ୍ଦରଗଡ ପକ୍ଷରୁ ତାଙ୍କୁ ମୁରଲୀଧର ଟାଲି ସ୍ମୃତି ପୁରସ୍କାର ଓ ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ଶିଳ୍ପୀ ଉଦୟ ଜେନା ସ୍ମୃତି ପୁରସ୍କାର ସହ ବାଲେଶ୍ୱର ପୁସ୍ତକ ମେଳା ପୁରସ୍କାର ଓ ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ସେ ଲଳିତ କଳା ଏକାଡ଼େମୀ ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଚିତ୍ରପ୍ରଦର୍ଶନୀରେ ଯୋଗ ଦେଇ ସଫଳ କଳାକୃତି ନିର୍ମାଣ କରିବା ସହ ବାଲେଶ୍ୱରରେ ଚନ୍ଦ୍ରଭାଗା ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଚିତ୍ରପ୍ରଦର୍ଶନୀ ରେ ମଧ୍ୟ ସଫଳ ଚିତ୍ରଶିଳ୍ପୀ ଭାବେ ଦର୍ଶକ ମାନଙ୍କ ପ୍ରଶଂସାଭାଜନ ହୋଇଛନ୍ତି । ଲଳିତ କଳା ଏକାଡ଼େମୀ, ଭଦ୍ରକ ଚାରୁକଳା ମହାବିଦ୍ୟାଳୟ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଭବାନୀ ପାଟଣା, କଟକ, ଭୁବନେଶ୍ୱର ଠାରେ ବହୁ କର୍ମଶାଳା ଓ ଆଲୋଚନାଚକ୍ରରେ ଯୋଗ ଦେଇ କୃତିତ୍ୱ ହାସଲ କରିଛନ୍ତି । ତାଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ଚାରୁ ଓ କାରୁକଳା ବିଦ୍ୟାଳୟ ବାରିପଦା, କଳାୟତନ ସୁନ୍ଦରଗଡ, ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପ୍ରଭୃତି ଅନୁଷ୍ଠାନ ମାନ ଚାରୁ କଳା କ୍ଷେତ୍ରରେ ବିଭିନ୍ନ ଅଗ୍ରଗତି ଲାଭ କରି ଆସୁଛନ୍ତି ।

ସାହିତ୍ୟ କ୍ଷେତ୍ରରେ ଶିଶୁ ସାହିତ୍ୟ ଠାରୁ ଆରମ୍ଭ କରି ବୈଦ୍ଧିକ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ସେ ଲେଖନୀ ଚାଳନା କରି ବର୍ତ୍ତମାନ ଜଣେ ସଫଳ କବିର ପ୍ରତିଷ୍ଠା ପାଇଛନ୍ତି । ତାଙ୍କ ଦ୍ୱାରା ଲିଖିତ ଗଳ୍ପ, କବିତା, ପ୍ରବନ୍ଧ, ଶିଶୁ ସାହିତ୍ୟ ପ୍ରଭୃତି ଓଡ଼ିଶାର ପ୍ରାୟ ସମସ୍ତ ପତ୍ରପତ୍ରିକାରେ ପ୍ରକାଶିତ । ତାଙ୍କ ଦ୍ୱାରା ସାକ୍ଷରତା କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ପୁସ୍ତକ “ପାଠ ବତାଏ ବାଟ”, ଆମ ଭଦ୍ରକ, ଜନମ ମାଟିର କଥା ଇତ୍ୟାଦି ବିଭିନ୍ନ ପ୍ରକାଶକଙ୍କ ଦ୍ୱାରା ପ୍ରକାଶ ପାଇଛି । ସେ ସାକ୍ଷରତା କମିଟି ଭଦ୍ରକ ଜିଲ୍ଲାର କୋର କମିଟି ସଦସ୍ୟ ଥାଇ ରାଜ୍ୟ ଜନ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ପକ୍ଷରୁ ଜନ ସାହିତ୍ୟ ପୁରସ୍କାର ହାସଲ କରିଥିଲେ । ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ଗୁଡ଼ିକ ହେଲା – ଗଳ୍ପ ପୁସ୍ତକ ବେକାର, ଜୀବନର କାହାଣୀ, କବିତା ପୁସ୍ତକ ପ୍ରିୟତମା, ପ୍ରୀତିର ପୃଥିବୀ, ପ୍ରିୟତମା ପାଇଁ ରୁବାୟତ, ମନ୍ତ୍ରୀଙ୍କ ପାଖ ଲୋକ (ବ୍ୟଙ୍ଗ), ଶିଶୁ ସାହିତ୍ୟରେ ଫୁଲ କୁମାରୀ, ପଶୁପକ୍ଷୀ କବିତା, ପଶୁପକ୍ଷୀଙ୍କ ଗଳ୍ପ, ଦୁନିଆଁଟା ଏକ ପାଠଶାଳା, ପ୍ରଭୃତି ପ୍‌ୁସ୍ତକମାନ ବିଭିନ୍ନ ପ୍ରକାଶକ ମାନଙ୍କ ଦ୍ୱାରା ପ୍ରକାଶିତ । ସେ ଶିଶୁ ସାହିତ୍ୟ ଠାରୁ ବୈଦ୍ଧିକ ସାହିତ୍ୟ ରଚନା କ୍ଷେତ୍ରରେ ଶତାଧିକ ପୁରସ୍କାର, ସମ୍ବର୍ଦ୍ଧନା ପାଇଛନ୍ତି । ବିଭିନ୍ନ ସ୍ମରଣିକା ଓ ପତ୍ରପତ୍ରିକା ସଂପାଦନା କ୍ଷେତ୍ରରେ ଜଡିତ । ଆଦର୍ଶ ଶିକ୍ଷକ ଭାବେ ଭୁବନେଶ୍ୱର ରୁ ଶ୍ରେଷ୍ଠ କଳା ଶିକ୍ଷକ ପୁରସ୍କାର ଓ ସାରଦା ବିହାର ଟ୍ରଷ୍ଟ ପକ୍ଷରୁ ଆଦର୍ଶ ଶିକ୍ଷକ ପୁରସ୍କାର ପାଇଛନ୍ତି । ସେ ବର୍ତ୍ତମାନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭଦ୍ରକ ରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।

 

Support Samadhwani
Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.