ଭୀମଭୋଇଙ୍କ ଜୀବନୀ : ନୂଆ ଆଲୋକ
କୌଣସି ଏକ ଉପନ୍ୟାସ ପାଇଁ ସଂଗୃହୀତ ଉପାଦାନ ଯେତେବେଳେ ଅନ୍ୟ ଏକ ପୁସ୍ତକରେ ପରିଣତ ହୋଇଯାଏ ତାହା ଅଧିକ ଶାଣିତ ଓ ଉପାଦେୟ ହେବା ସ୍ବାଭାବିକ। ନିକଟରେ ଭୀମଭୋଇଙ୍କ ଜୀବନକୁ ନେଇ ବିଭୂତି ପଣ୍ଡାଙ୍କ ଉପନ୍ୟାସ ‘ ଭୂମାନ୍ଵେଷୀ ‘ ପ୍ରକାଶ ପାଇଥିଲା। ଆଲୋଚ୍ୟ ପୁସ୍ତକ ‘ ଭୀମଭୋଇ: ଭୂମି ଓ ବିଭା ‘ ସେହି ଉପନ୍ୟାସର ବିସ୍ତାରିତ କଳେବର – ଉପନ୍ୟାସର ଭାଷାରେ ଯେତେ ନୁହେଁ, ପ୍ରବନ୍ଧର ଭାଷାରେ।
ଡ ପଣ୍ଡା ଏକଥା ପ୍ରସ୍ତାବନାରେ ବି ଲେଖିଛନ୍ତି : ଭୂମାନ୍ଵେଷୀ ଉପନ୍ୟାସ ପାଇଁ କଥାନକ ନିର୍ମାଣ କଲା ଅବସରରେ କବି ଭୀମଭୋଇଙ୍କ ଜୀବନ ଓ ରଚନାବଳୀ ସମ୍ପର୍କରେ ଅନେକ ଆଲୋଚନା ପୁସ୍ତକ ତଥା ଭିନ୍ନ ଭିନ୍ନ ପତ୍ରିକାରେ ପ୍ରକାଶିତ ଆଲେଖ ଓ ଅପ୍ରକାଶିତ ଅବସ୍ଥାରେ ଥିବା କିଛି ନିବନ୍ଧ ପାଠ କରିଥିଲି।ସେହି ଆଲୋଚନାକୁ ନେଇ ଏକତ୍ର ସେ ସବୁର ସାରବତ୍ତା ଭୂମାନ୍ୱେଷୀ ଉପନ୍ୟାସର ପୃଷ୍ଠବନ୍ଧରେ ଉପସ୍ଥାପିତ କରିବାର ଇଚ୍ଛା ଜାଗ୍ରତ ହୋଇଥଲା। କବି ଭୀମଭୋଇଙ୍କ ସମ୍ପର୍କରେ ଲେଖୁ ଲେଖୁ ତାହାର କଳେବର ବୃଦ୍ଧି ଘଟିବାରୁ ତାହା ଏକ ସ୍ଵତନ୍ତ୍ର ପୁସ୍ତକ ଭାବରେ ପ୍ରକାଶିତ କରିବା ପାଇଁ ଅନେକ ବନ୍ଧୁ ପରାମର୍ଶ ପ୍ରଦାନ କଲେ।’
ତିନି ଶହ ପୃଷ୍ଠାର ଏହି ପୁସ୍ତକରେ ଅଛି ଭୀମଭୋଇ (1850-1895)ଙ୍କ ଜୀବନ କାହାଣୀ, ଐତିହାସିକ ପ୍ରମାଣ ଭିତ୍ତିରେ କାଳ ନିରୂପଣ, ଗତ ଶହେ ବର୍ଷ ମଧ୍ୟରେ ଏ ସମ୍ବନ୍ଧୀୟ ଗବେଷଣାର କ୍ରମବର୍ଦ୍ଧିଷ୍ଣୁ ପରିସର , ଆଲୋଚନାର ବିଭିନ୍ନ ଧାରା, ନୂତନ ତଥ୍ୟର ଉପସ୍ଥାପନ ଇତ୍ୟାଦି। ସାଧାରଣ ଭାବରେ ବୁଝିବାକୁ ହେଲେ,ଯଦି ପଣ୍ଡାଙ୍କ ମୂଳ ଉପନ୍ୟାସଟି କାୟା ହେଲା ଏଇଟି ତାର ଛାୟା। ଅର୍ଥାତ୍ ଦୁଇଟି ଯାକ ଗ୍ରନ୍ଥ ପରସ୍ପର ସମ୍ପର୍କିତ। ଉପନ୍ୟାସଟି ଶେଷ ହେଉ ହେଉ ଆଉ ଗୋଟିଏ ଆଲୋଚନା ଗ୍ରନ୍ଥ ପ୍ରସ୍ତୁତ କରିବା ଡ ପଣ୍ଡାଙ୍କ ଗଭୀର ଅଧ୍ୟୟନ, ଗବେଷଣା ପ୍ରତି ଥିବା ଉତ୍ସାହ ତଥା ପ୍ରତିବଦ୍ଧତାର ପରିଚୟ ଦିଏ।
ବିଭୂତି ପଣ୍ଡା ଓଡ଼ିଆ ଭାଷା ଓ ସାହିତ୍ୟର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ। ଅଧ୍ୟାପକ ଭାବରେ ଜୀବନ ଆରମ୍ଭ କରିଥିବା ଡକ୍ଟର ପଣ୍ଡାଙ୍କ ରଚନା ସୁଦୂର ପ୍ରସାରୀ। ଶତାବ୍ଦୀ ପୁରୁଷ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ର ଗଳ୍ପ ଉପରେ ପି ଏଚଡି ପାଇଥିଲେ ସେ।ଐତିହାସିକ ଓ ଚରିତ ଉପନ୍ୟାସ ଲେଖିବାରେ ସେ ସିଦ୍ଧହସ୍ତ। ସମସାମୟିକ ସାମାଜିକ ବ୍ୟବସ୍ଥାର ନୀରବ ଦ୍ରଷ୍ଟା ନସାଜି ଜଣେ ଦାୟିତ୍ବବାନ ଲେଖକର କର୍ତ୍ତବ୍ୟବୋଧକୁ ସଠିକ୍ ଭାବରେ ସେ ପରିପାଳନ କରିଆସିଛନ୍ତି ତାଙ୍କ କୃତି ମାଧ୍ୟମରେ।
ପୁସ୍ତକଟିକୁ ସେ ମୋଟ ଦଶଟି ବିଭାଗରେ ବିଭକ୍ତ କରିଛନ୍ତି: ଆଦ୍ୟ କଥନ, ଉନ୍ନବିଂଶ ଶତାବ୍ଦୀର ପତ୍ର ପତ୍ରିକା ଓ ସରକାରୀ ନଥିପତ୍ରରେ ମହିମା ଧର୍ମ ଓ ଭୀମଭୋଇ, ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଭୀମ ଭୋଇଙ୍କ ଉପରେ ଆଲୋଚନା କଣ ଥିଲା, ଦ୍ଵିତୀୟରୁ ଷଷ୍ଠ ଦଶକରେ ଭୀମ ଭୋଇ ଆଲୋଚନା କିଭଳି ଅଗ୍ରସର ହୋଇଥିଲା, ସତୁରୀ ପରବର୍ତ୍ତୀ କାଳଖଣ୍ଡରେ ଭୀମ ଭୋଇଙ୍କ ଚର୍ଚ୍ଚା କେଉଁ ରୂପ ନେଇଥିଲା, ଆଲୋଚନା ଧାରାରେ ଭୀମଭୋଇ, ଅନ୍ୱେଷଣର ଧାରା, ଐତିହାସିକ-ସାହିତ୍ୟିକ -ସାମାଜିକ -ସାଂସ୍କୃତିକ ପୃଷ୍ଠଭୂମିରେ ମହିମା ଧର୍ମର ପ୍ରତିଷ୍ଠାତା, ଓଡ଼ିଆ ସାହିତ୍ୟର ଆଧୁନିକ କାଳ ଓ ଭୀମଭୋଇ ।କବିଙ୍କ ସ୍ମୃତିପୀଠକୁ ନେଇ ମଧ୍ୟ ପୁସ୍ତକରେ ଆଲୋଚନା କରାଯାଇଛି ଓ ଶେଷ ଭାଗରେ ଏକ ପରିଶିଷ୍ଟ ବି ରହିଛି।
ଭୀମ ଭୋଇଙ୍କ ଜନ୍ମର କିଛି ବର୍ଷ ଭିତରେ ଯେତେବେଳେ ମହିମା ଧର୍ମର ପ୍ରସାର ହେଲା ସେତେବେଳକୁ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା ଯାହା କି ଏକ ସାମାଜିକ- ଅର୍ଥନୈତିକ ବିଘଟନର କାରଣ ହୋଇଥିଲା। ଘଟଣାକ୍ରମେ,1867 ଜୁନ୍ ପହିଲା ସଂଖ୍ୟା ‘ଉତ୍କଳ ଦୀପିକାରେ’ ଏକ ସମ୍ବାଦ ପ୍ରକାଶ ପାଇଥିଲା।ସେହି ସମ୍ବାଦରେ କୁହାଯାଇଥିଲା ଯେ ଓଡ଼ିଶାର ମଧ୍ୟସ୍ଥଳ ଗଡଜାତଗୁଡିକରେ ମହିମା ଗୋସାଇଁ ନାମକ ଜଣେ ସନ୍ନ୍ୟାସୀଙ୍କ ଦ୍ବାରା ଏକ ନୂତନ ଧର୍ମର ପ୍ରଚାର- ପ୍ରସାର ଆରଂଭ ହୋଇଛି।ଏହି ଧର୍ମର ନୀତି ନିୟମ ହେଉଛି ପିତୁଳା ବା ମୂର୍ତ୍ତିପୂଜାର ବିରୋଧ କରିବା। ଶୂନ୍ୟ ପୁରୁଷ ଅଲେଖଙ୍କୁ ଆରାଧନା ଓ ଛୋଟବଡ଼ ଭେଦଭାବ ବିରୁଦ୍ଧରେ ଏହି ଧର୍ମ ତୀବ୍ର ସ୍ୱର ଉତ୍ତୋଳନ କରିଥିବା କଥା ପ୍ରଥମ ଥର ପାଇଁ ଉତ୍କଳ ଦୀପିକା ଉଲ୍ଳେଖ କରିଥିଲା। ମହିମା ଧର୍ମ ସମ୍ବନ୍ଧରେ ଏହା ହେଉଛି ପ୍ରଥମ ପ୍ରକାଶିତ ଖବର।
ଆଗ୍ରହର ବିଷୟ ଏହି ଯେ ସେହି ସମୟରେ ମିଶନାରୀଙ୍କ ଦ୍ବାରା ଓଡ଼ିଶାରେ ଖ୍ରୀଷ୍ଟିଆନ ଧର୍ମର ପ୍ରସାର ବି ଆରଂଭ ହୋଇଯାଇଥିଲା। ଉଭୟ ମହିମା ଧର୍ମ ଓ ଖ୍ରୀଷ୍ଟିଆନ ଧର୍ମ ଭିତରେ ନୀତି ନିୟମର ସାମଞ୍ଜସ୍ୟ ଥିବା ହେତୁ ମିଶନାରୀମାନେ ମହିମା ଧର୍ମର ଅନୁଗତ ମାନଙ୍କ ସାହାଯ୍ୟ ନେବାକୁ ମଧ୍ୟ ଆରଂଭ କରିଥିଲେ ।କିନ୍ତୁ ଏହା ବେଶୀ ବାଟ ଯାଇ ପାରିନଥିଲା। କେବଳ ସେତିକି ନୁହେଁ, ସେତେବେଳ କେହି କେହି ମହିମା ଧର୍ମକୁ ବ୍ରାହ୍ମଧର୍ମର ପାଖାପାଖି ବୋଲି ମଧ୍ୟ ବିବେଚନା କରୁଥିଲେ।
ନୂଆ ଧର୍ମର ଆବିର୍ଭାବ ସମୟରେ ସାଧାରଣତଃ ଯାହା ହୁଏ,ମହିମା ଧର୍ମାବଲମ୍ବୀଙ୍କ ଭିତରେ ଦୁଇ ଗୋଷ୍ଠୀ (କୁମ୍ଭିପଟିଆ ଓ କନାପଟଧାରୀ) ମୁହାଁମୁହିଁ ହେବା, ଜଣେ ଶ୍ରଦ୍ଧାଳୁ ଏଥିରେ ମୃତ୍ୟୁବରଣ କରିବା ଏବଂ କୋର୍ଟ କଚେରୀ ପର୍ଯ୍ୟନ୍ତ ମାମଲା ଯିବା ଏହିଭଳି ନା ନା ବ୍ୟତିକ୍ରମ ସତ୍ତ୍ବେ ଏହା ନିଃସଂଦେହ ଯେ ମହିମା ଧର୍ମ ଦ୍ବାରା ଓଡ଼ିଶାରେ ଏକ ‘ସୁସଂଯତ ଜାତିହୀନ ସମାଜ ଗଠନର’ ମୂଳଦୁଆ ପଡ଼ିଥିଲା। ଏସମସ୍ତ ବିଷୟ ପୁସ୍ତକର ବିଭିନ୍ନ ଅଧ୍ୟାୟରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଛନ୍ତି ଲେଖକ।
ପୁସ୍ତକର ଉଲ୍ଲେଖନୀୟ ଦିଗଟି ହେଉଛି ଭୀମ ଭୋଇଙ୍କ ଜୀବନ ଓ ସାହିତ୍ୟର ପରିବ୍ୟାପ୍ତ ବ୍ୟାଖ୍ୟା। କିମ୍ବଦନ୍ତୀ, ଉପଲବ୍ଧ ତଥ୍ଯ, ଦଲିଲ- ଦସ୍ତାବିଜ୍ ଓ ପ୍ରକାଶିତ ପୁସ୍ତକକୁ ଭିତ୍ତି କରି ଡ ପଣ୍ଡା ଯେଉଁ ନିଷ୍କର୍ଷରେ ପହଂଚିଛନ୍ତି ତାହା ହେଲା ଯେ ଓଡ଼ିଶାରେ ଏକ ସାମାଜିକ ଆନ୍ଦୋଳନ ପାଇଁ ମହିମା ଧର୍ମ ଯେଉଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲା ତାହା ଥିଲା ଅନନ୍ୟ ସାଧାରଣ ଏବଂ ଭୀମଭୋଇ ଯେଉଁ ତତ୍ତ୍ୱଟି (ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ) ଛାଡ଼ି ଯାଇଛନ୍ତି ତାହା ଭାରତୀୟ ଧର୍ମ-ଦର୍ଶନ ଓ ସ୍ଥୂଳ ଭାବରେ ମାନବ ଜାତିକୁ ଏକ ବଡ଼ ଅବଦାନ।
ଡ ଆର୍ତ୍ତ ବଲ୍ଲଭ ମହାନ୍ତି, ଏସିଆଟିକ ସୋସାଇଟି, ସୋନପୁର ରାଜା,ବିଜୟ ଚନ୍ଦ୍ର ମଜୁମଦାର, ନଗେନ୍ଦ୍ର ନାଥ ବସୁ, ରେବା ରାୟ, କଳିଙ୍ଗ ହିଷ୍ଟରିକଲ ରିସର୍ଚ୍ଚ ସୋସାଇଟି, ସର୍ବେଶ୍ଵର ଦାଶ, ମାୟାଧର ମାନସିଂହ,ଚିତ୍ତରଞ୍ଜନ ଦାସ, ଚିନ୍ତାମଣି ବେହେରା, ନବୀନ କୁମାର ସାହୁ, ଦେବେନ୍ଦ୍ର କୁମାର ଦାଶ, ଭାଗିରଥୀ ନେପାକ, ଉଦ୍ଧବ ଚରଣ ନାୟକ, ରାଜକିଶୋର ମିଶ୍ର କାଳୀଦାସ ମିଶ୍ର ତଥା ବିଦେଶୀ ଗବେଷକଙ୍କ ମଧ୍ୟରେ ଜୋହନସ ବେଲ୍ଟ, ବେଟିନା ବୁମର ପ୍ରଭୃତିଙ୍କୁ ଓ ସେମାନଙ୍କର ଅବଦାନକୁ ଆଲୋଚନାର ପରିସର ଭିତରକୁ ଆଣିଛନ୍ତି ଲେଖକ।ଆଲୋଚ୍ୟ ଗ୍ରନ୍ଥରେ ଭୀମ ଭୋଇଙ୍କ ସାହିତ୍ୟ ସହିତ ସମକାଳୀନ କବି ଓ ସାହିତ୍ୟିକ ଯଥା ରାଧାନାଥ ରାୟ, ଫକୀର ମୋହନ ସେନାପତିଙ୍କ ସାହିତ୍ୟର ଏକ ତୁଳନାତ୍ମକ ଅଧ୍ୟୟନ ବି କରାଯାଇଛି। କଟକର ଯେଉଁ ଦୁଇଟି ପ୍ରେସ୍ ଭୀମଭୋଇଙ୍କ ସାହିତ୍ୟର ପ୍ରସାରରେ ସହାୟକ ହୋଇଥିଲେ (ଛାତ୍ରସାଥି ପ୍ରେସ ଓ ଧର୍ମଗ୍ରନ୍ଥ ଷ୍ଟୋର) ତାହାର ଉଲ୍ଳେଖ ବି କରାଯାଇଛି।
ଉପସଂହାରରେ ଡ ପଣ୍ଡା ଯାହା ଲେଖିଛନ୍ତି ତାହା ପ୍ରଣିଧାନଯୋଗ୍ୟ: ‘ଅନାମରୁ ନାମ, ଶୁନ୍ୟରୁ ସ୍ଥିତି, ଅଲେଖରୁ ଲେଖର ସନ୍ଧାନରେ ତଥା ମଣିଷର ଜୟଗାନ ସହ ବ୍ୟକ୍ତି ଅପେକ୍ଷା ସମୂହର ସ୍ଥିତିଟି ଆଗେଇ ଚାଲୁ। ଭିନ୍ନ ଭିନ୍ନ ଜାତିରେ ଧର୍ମରେ ବିଭକ୍ତ ହେବା ଅପେକ୍ଷା ସମସ୍ତେ ମଣିଷ – ଏହି ଭାବନା ଆମଠାରେ ଜାଗ୍ରତ ହେଉ।’
ଭୀମଭୋଇଙ୍କ ଜୀବନ ଓ ସାହିତ୍ୟର ଏକ ତାତ୍ତ୍ୱିକ ଅନ୍ଵେଷଣ ଏହି ପୁସ୍ତକ। ଓଡ଼ିଶାର ସମୃଦ୍ଧ ଆଦିବାସୀ ସଭ୍ୟତା ଓ ସଂସ୍କୃତିର ପୃଷ୍ଠଭୂମିରେ ‘ ସ୍ତୁତି ଚିନ୍ତାମଣିର ‘ କବିଙ୍କ ଜୀବନ ଏକ ମହତ୍ତ୍ଵପୂର୍ଣ ସାମାଜିକ ବ୍ୟବସ୍ଥାର ପ୍ରତିନିଧିତ୍ଵ କରୁଥିବା ବେଳେ ବିଭୂତି ପଣ୍ଡାଙ୍କ ଏହି ଗବେଷଣାତ୍ମକ ପୁସ୍ତକ ସେଇ ଦିଗରେ ଏକ ମୂଲ୍ୟବାନ ପ୍ରଚେଷ୍ଟା। ଭବିଷ୍ୟତରେ ଭୀମଭୋଇ ସାହିତ୍ୟର ଅଧିକ ଗବେଷଣା ଓ ଅନୁସନ୍ଧାନ ପାଇଁ ପୁସ୍ତକଟି ଅତ୍ୟନ୍ତ ସହାୟକ ହେବ।
ଭୀମଭୋଇ : ଭୂମି ଓ ବିଭା
ବିଭୂତି ପଣ୍ଡା
ପଶ୍ଚିମା ପବଲିକେଶନ୍ସ
ଭୁବନେଶ୍ଵର