ଜୟନ୍ତ ମହାପାତ୍ରଙ୍କ ଦୁଇଟି କବିତା

ଜ୍ୟୋତି ନନ୍ଦ
ଜ୍ୟୋତି ନନ୍ଦ366 Views
6 Min Read
ଜୟନ୍ତ ସାର୍ ଙ୍କର ଏଇ କବିତା ଦୁଇଟି ବିଶିଷ୍ଟ ଇଂରେଜୀ କବି ମୀନା ଆଲେକଜାଣ୍ଡରଙ୍କ ସଂପାଦିତ ପୁସ୍ତକ “ନେମ୍ ମି ଏ ୱାର୍ଡ : ଇଣ୍ଡିଆନ ରାଇଟର୍ସ ରିଫ୍ଲେକ୍ଟ ଅନ୍ ରାଇଟିଙ୍ଗ୍, ୟେଲ୍ ୟୁନିଭର୍ସିଟି ପ୍ରେସ୍, ୨୦୧୮ ” ରୁ ଗୃହିତ ଏବଂ ଅନୁସୃଜିତ।
ଶ୍ରୀଯୁକ୍ତା ମୀନା ଆଲେକଜାଣ୍ଡର ଏଇ ସଂକଳନରେ ଜୟନ୍ତ ସାର୍ ଙ୍କ ଉପରେ ଯେଉଁ ଉପକ୍ରମ ଉଲ୍ଲେଖ କରିଛନ୍ତି ତାହାକୁ ଆମର ପଢିବା ଉଚିତ ହେବ। ସେ ଲେଖିଛନ୍ତି : “ଜୟନ୍ତ ମହାପାତ୍ରଙ୍କ ଲେଖାରେ ଆତ୍ମାପୁରୁଷ ଭୂଇଁ ସହିତ ସଂଲଗ୍ନ ହୋଇ ରହିଥାଏ ; ପଥର, ପାହାଡ, ଗଛବୃଚ୍ଛ ଆଉ ଆକାଶ ସହିତ । ଭୟଙ୍କର ବନ୍ୟା,ଝଡ ଯାହା ଓଡିଶାର ଉପକୂଳକୁ ଭୟଙ୍କର ଅସ୍ଥିରତା ପ୍ରଦାନ କରୁଥାଏ ତାହା ତାଙ୍କର ଲେଖାରେ ନିରନ୍ତର ଉପସ୍ଥିତ। ତାଙ୍କର ଲେଖାର ବିଶେଷତ୍ୱ ହେଉଛି ବାକ୍ୟର ଏକ ସଂଭ୍ରମ ଲାଳିତ୍ୟବୋଧ ଯାହା ଅଧିକାଂଶ ସମୟରେ ଏକ ସ୍ମରଣାଞ୍ଜଳୀରେ ପରିଣତ ହୋଇଯାଇଥାଏ । ମହାପାତ୍ର ବିଶେଷ ଭାବରେ କାମନାର ଭଂଗୁରତା,ଇତିହାସର ବେଦନାବୋଧ,ଜୀବନର ବାସ୍ତବିକତାରେ ଦାରିଦ୍ର୍ୟ ତଥା ଅନ୍ୟାନ୍ୟ ସଂକଟ କୁ ନେଇ ଚିନ୍ତାମଗ୍ନ ରହିଥାଆନ୍ତି। “

ଜେଜେ

ଜେଜେ
ଖଣ୍ଡିଏ ମଳିଛିଆ ଖାତା ଓଡିଆରେ ତୁନିତୁନି କଥା କହେ,
ସେଥିରେ ଥାଏ ଭୁଲିହୋଇଯାଇଥିବା ଗୋଟିଏ ତୃଣଭୂମୀ
ବଧିର କାନ୍ଦଣା ଅଛି ମୋତେ ବାଧ୍ୟକରେ ଯାହା ଶୁଣିବାକୁ ସେଇ ସ୍ୱର ।
ଏବେ ମୁଁ ଝୁଣ୍ଟୁଥାଏ ତମେ ଯେବେ କଳାପୃଷ୍ଠାରେ ଉଠିବସ ନିଦରୁ।
ବାଦଲରେ ଅସହଜ ଘୁରାଫେରା ନଥାଏ
ଅନ୍ଧାରୁଆ ହୋଇ ଆସୁଥାଏ ତମର ଦିନର ଧବଳ ଆକାଶ,ସେଇ ନୀରବତା
ଧୂଳି ହୋଇ ଅପଲକ ଚାହିଁ ରହିଥାଏ ଦୀର୍ଘ ଅପରାହ୍ନର ସୂର୍ଯ୍ୟକୁ,ଶାସନ କରୁଥାଏ
ଫଟା ଫଟା ନିବୀଜ ଭୂଇଁକୁ ଯାହା,ଗିଳି ପକାଉ ଥାଏ ତମର ଯେତେକ ଦେହହସ।
ତମ ପାଇଁ ଏହା ପୃଥିବୀର ସବୁଠୁ ଜଟିଳ ପ୍ରଶ୍ନ।
ମୃତ,ଶୁଖିଲା ଗଛମାନେ ଠିଆ ହୋଇଥାନ୍ତି ଭିଡା ହୋଇ ଯାଉଥିବା ନଈକୂଳରେ,
ତମର ଦୁର୍ବଳ ଦେହକୁ ପାର କରି ନିଦକୁ ଘୋଷାରି ଘୋଷାରି ନେଇ ।
ତମେ ହୁଏତ ଭାବୁଥିଲ ଶିଆଳମାନେ ଏପରି ଯାଆନ୍ତି,ଯିବାପାଇଁ ହେଲେ।
ତମେ କ’ଣ ଶୁଣି ପାରୁଥିଲ କଅଁଳି ତେନ୍ତୁଳି ପତ୍ରର
ସୁରୁସୁରୁ ଶବ୍ଦ
ପେଟର କକର୍ଥନା ଶୀତରେ ରାତିହେଲେ ? ତମେ କ’ଣ ଦେଖିପାରୁଥିଲ
ନିଜର ମରଣ ? ନିଜ କାନ୍ଦଣାର ଟୋପାଟୋପା ଲୁହ,
ଭାଙ୍ଗିରୁଜି ଦେଇ ପାରୁଥିଲ କି ଯାହାକୁ ତମେ କଠିନ ଅଭିଲା ଏକ ଅଟ୍ଟହାସରେ?
ତମର ବୟସ କେତେ ? ଦେହରେ ବିନ୍ଧିଛି ଶର,ତମେ ପଳାତକ ପାଲଟି ଦୌଡି ଯାଅ,
ସେଇ ଅସଲ ଶିକାର ଟି କୁଦ ଦେଇ କିନ୍ତୁ ଲୁଚିବସେ ହାଡରେ ତମର ।
ପଛରେ ଛାଡି ଆସିଛ ଘରଦ୍ୱାର,ସବୁ ଯାହା ପୋତା ଥିଲା,
ଅମୂଲ୍ୟ ସେ ଢେଲା ଖଣ୍ଡ ଯାହା ଐଶ୍ୱରିକ ମହିମାରେ ଶୋଭାବନ ।
ତମର ଭଙ୍ଗା ଦେହରେ ତଥାପି ରହିଥିଲା ଯେଉଁ ଅକ୍ଷତ ଦୋଳନ,
ବାହାରି ଆସିଲା କି ସତେ ? ବିଶ୍ୱାସର ମାନେ ତେବେ କ’ଣ ?
କ’ଣ ସେ ହିନ୍ଦୁର ପୃଥ୍ୱୀ ଏତିକି ପୁରୁଣା ଆଉ ସତ୍ୟ ଯାହାକୁ ତମକୁ ଧାରଣ କରିବାକୁ ହେବ?
ଅସହଜ ତମେ ସ୍ୱପ୍ନରେ ହିଁ ପ୍ରବେଶ କରିଥିଲ ନିଜ ଉର୍ଣ୍ଣନାଭି କୋଷାର କେନ୍ଦ୍ରକୁ ।
ଅଲଗା ଏ ଜୀବନ ଯାହା ତମକୁ ବଞ୍ଚିବାକୁ ଦିଏ,ଯେତେବେଳେ ହୁଏତ
ଯାହା ତମେ ଛାଡି ଆସିଅଛ ଅସ୍ପଷ୍ଟ ହେବାର ଦୁଃଖରେ କାନ୍ଦୁଥାଏ ତମ ହୃଦୟର ଅଭ୍ୟନ୍ତରେ।
ଏବେ ଏ ରାତିରେ ନିଦ ,ବର୍ଷା ନିରନ୍ତର ଖତେଇ ହୁଏ
ମୋ ପୁଅ ଆଉ ମୁଁ କଥାହେଉ ଦୁର୍ଭିକ୍ଷ ଯାହା ଏକ ନାମହୀନ ପଥର ର ବୋଝ।
ଆମ ଭିତରେ ବର୍ଷ ବର୍ଷର ଚେତନା ଅତିକ୍ରାନ୍ତ। ସେ ଏବେ ତରୁଣ ।
ମୋ ସାମ୍ନାରେ ଝଲମଲ ର ଭଉଁରୀ ତାହାକୁ ଅଶକତ କରେ।
ସେ କ’ଣ ଭାବୁଛି ଅତୀତ ଏକ କ୍ଷତ ଯାହାକୁ ଆମେ ଏତେଦିନ ବଞ୍ଚିଅଛୁ,ଆମ ନିଜ ଭଳି ?
ନୀରବତାରେ ପଛକୁ ଚାହୁଁଛୁ ଏବେ ଯାହା ଆମେ ଜାଣିପାରିନାହୁଁ ।
ଆମର ଉହାଡରେ ଗୋଟିଏ ଭୋର୍ ଅପେକ୍ଷା କରେ,ଯାହାର ଆଭାସ
ତମଠାରୁ ଶତବର୍ଷଠାରୁ ଟିକିଏ ଅଧିକ ଦୂରତ୍ୱ, ଜେଜେ।
ପଶାପାଲିରେ ତମେ ଏକ ଅଦୃଶ୍ୟ ଗୋଟି
ଯାହାର ଚାଲ୍ ଆମର ପିଲାମାନଙ୍କୁ ବଢିବାକୁ ଦିଏ,ନିଜନିଜକୁ ଜାଣିବାକୁ ଦିଏ,
ଆମେ ତାହାକୁ ଆମର ଅତଳକୁ ବୋହିନେଉ ଯେଉଁଠି ଆମର ସ୍ୱର ନୀରବତା ସହ ମିଶିଯାଏ।
ଇଚ୍ଛା ହୁଏ ଆପଣଙ୍କୁ ଅଧିକରୁ ଅଧିକ ଜାଣନ୍ତୁ।
ଇଚ୍ଛା ହୁଏ ଜାଣନ୍ତୁ ଆମେ ଏହା କେଉଁପରି,ମରଣର ବିପକ୍ଷରେ
ଜାଣିନେଇ ହେବ ସମସ୍ତ ସଂଭ୍ରମ
ତାହାକୁ ବିପଜ୍ଜନକ ଭାବରେ ଅର୍ଜନ କରିବାକୁ ହୁଏ,
ତମର ଶେଷ ବାଜି ଅଂଧପୁଟୁଳି ସହ ଭୟଙ୍କର, ଉଚିତ ନୁହଁ ।
ଆମର କାମନା ଖାଲି ଯେମିତି ଉଠିବା ବେଳର ହସ ନଥାଉ
କୌଣସି ସମାଜର ବ୍ୟବସ୍ଥା ଭିତରେ।

ଗୋଟିଏ ପରିତ୍ୟକ୍ତ କବରଗାର

ଗୋଟିଏ ପରିତ୍ୟକ୍ତ କବରଗାର
ବାଲେଶ୍ୱରରେ
ଏହା ଇତିହାସ।
ମୁଁ ଏହାକୁ ଅପଦସ୍ତ କରିବି ନାହିଁ : ପଥର ଆଉ ମାର୍ବଲର ଏ କ୍ଷୟ,
ଖସି ପଡୁଥିବା ଇଟାର କାନ୍ଥ,ନିଃସଙ୍ଗ କ୍ଷୟର ଅଚେତନ।
ଠିକ୍ କେଉଁଭଳି ବ୍ୟବହାର କରିବାକୁ କହୁଛି ମୋତେ ଏଇ ପ୍ରାଚୀନ ମରଣ ?
ଶହେ ଆଉ ପଚାଶ ବର୍ଷ ଆଗେ
ମୁଁ ହୁଏତ ବଞ୍ଚିରହିଥିଲି । ଏବେ ମୋର ରାସ୍ତାରେ କେହି ବାଧକ ନାହାଁନ୍ତି ।
କଣ୍ଟାଝଟା ଆଉ ଘାସ ଏକ ନୀରବତା ଭଳି ମୋତେ ଅନାବନା କରେ ।
କାହାର କ’ଣ ଯାଏ ,ଏଇଠି କିଏ ସେ ପୀଡିତ ଆଉ କିଏ ଜୀବିତ ସେକଥା ଜାଣିଗଲେ ?
ଏବଂ ତଥାପି,ବିସ୍ମୃତିରେ ଅଛନ୍ତି ଯେଉଁ ମୃତଗଣ ତାହାର ସଂଭ୍ରମ,
ମୁଁ ସେମାନଙ୍କ ପାଖକୁ ଯାଏ : ଅଣଚାଳିଶଟି କବର,ସେମାନଙ୍କ ଆଖ୍ୟାନମାଳା
ନଦୀକୂଳର ହାନିକାରକ ଗୋଧୂଳିରେ ଭାସି ବୁଲୁଥାଏ,
ଇତିହାସ ଟିକିଟିକି ମୋର ଏଇ ଅନୁପ୍ରବେଶ ଜୀବନ୍ତ ହୁଏନି।
ନୀରବତାରେ ଆତଙ୍କିତ,ଗୋଟିଏ ଶୁଖିଲା ଗୋଧିସାପ
ଏଇ ନାଟକକୁ ଦେଖେ ମଥାଟେକି ତାହାର କୁଟିଳ ଚାହାଁଣୀରେ ।
ଗୋଟିଏ ବିଛା, ନାହୁଡକୁ ତଳକୁ କରି,
ତାହାର ଭୟାନକ ବାହୁରେ ଜାବୁଡି ଧରିଛି ମାର୍ବଲକୁ, ଏକ ବିଦେଶୀ ନାଆଁର ଉପରେ ।
ଗୋଲାକାର ସମାଧିଲେଖ ରେ ଅଛି :
ଫ୍ଲୋରେନ୍ସ ଆର….,କ୍ୟାପଟେନ୍ ଆର..ଆର୍.. ଙ୍କ ପ୍ରିୟତମା ପତ୍ନୀ,ବୟସ ଉଣେଇଶ,କଲେରାରେ..
ହେଲେନ,ମିଃ ଏବଂ ମିସେସ୍ ..ଙ୍କ ପ୍ରିୟତମା କନ୍ୟା,କଲେରାରେ..,
ବୟସ ସତର ,ଈଶ୍ୱରଙ୍କ ବର୍ଷ ,ଅଠରଶହ…
ଗୋଟିଏ ଅବଲୁପ୍ତ ସାମ୍ରାଜ୍ୟ ସଂପର୍କରେ ମୋର ଯାଏ ଆସେ କ’ଣ ?
ଅଥବା ମୋର ପିତୃପୁରୁଷଙ୍କ ଚିରକାଳର ବିରକ୍ତି ଉପରେ ବିଜୟ ?
ତରୁଣ କାଳରେ ମୃତ୍ୟୁ ଦେଖାଇଦିଏ ନିଜର ତାକତ
ଯାହା ହୃଦୟ ଗୋପନ କରେ,ଘାସମାନେ ଅଧିକ ନୁହଁନ୍ତି।
ମରଣର କାନ୍ଥ କଡେ ଅନ୍ଧାରରେ କିଏ ସେ ଉହୁଁଙ୍କି ଦେଖେ ?
ମୋ ଆଖିର ଫାଟରେ ଗୋଷ୍ଠୀବଦ୍ଧ ଘାସ ?
ଇଏ କ’ଣ ତଥାପି ହଇଜା,ମରଣର ଅସୁଖ ଫିକର,
ମାଟିଗଦା ତଳେ ଶୋଇଥିବା ପୋଟଳିକୁ ମହାମାରୀ କରେ,
ସହଜରେ ,ତ୍ୱରିତରେ,କ୍ଷମତାର ତୀକ୍ଷଣ ଗତି
ଅତୀତ ଆଉ ବର୍ତ୍ତମାନ ଉଭୟ ମଝିରେ,
ତରୁଣର ବୟସ ବଢୁଥାଏ,
ଶେଷ ହାଡଗଦା ଯାଏଁ,ସତ ସବୁ କ୍ଷୟ ହୋଇଯାଉଥିବାର ଥକ୍କାପଣ।
ଏହା ହିଁ ସେଇ ଲୁହା
ପରାସ୍ତ ଦେଶରେ କଳଙ୍କି ଲାଗେ,ରକ୍ତ ଅସହଜ,
ଅପଦାର୍ଥ ବର୍ଷା ଆସି ଛିଡା ହୁଏ ମୋର ପ୍ରିୟ ଝରକା କଡରେ;
ମରଣ ପଛରେ ଛାଡିଆସିଅଛି ଯେଉଁ କ୍ଳାନ୍ତି ଅବିଜିତ ହସ
କାଦୁଅରେ ଅଧାପୋତା ମାସ୍ତୁଲରେ କବର ପାଖରେ;
ବାହାରେ ସେଇଠି ପୃଥିବୀର ଅଟଳ ଆକର୍ଷଣ
ଯେଉଁଠି ଦେବତା କେହିଜଣେ ଅପେକ୍ଷାରତ ହୁଏତ
ଆଗାମୀ ପ୍ରଜନ୍ମ ପାଇଁ ଉତ୍ସବର ଆଡମ୍ବର ଆୟୋଜନ
ଇତିହାସକୁ ଜାଗ୍ରତ ରଖିବାକୁ ହେବ,ଚାପି ରଖିବାକୁ ହେବ ଯିଏ ବଂଚିରହିଛନ୍ତି ସେମାନଙ୍କ
ନିରନ୍ତର କାନ୍ଦ କୁ।
Share This Article