ସେ ହୁଏତ ସମ୍ବଲପୁରୀ ନାଚର କିମ୍ବଦନ୍ତୀ ନାୟିକା,ହେଲେ ବାସ୍ତବ ଜୀବନରେ କଳା ପ୍ରତି ଉଦାସୀନ ଆମ ସମୟ ଓ ସମାଜର ସେ ଏକ ପ୍ରଭାବଶାଳୀ ପ୍ରତୀକ । ଜୀବନ ବିତିଗଲା ଏମିତି ଏକ ନାଚର ସେବାରେ, ଯାହାର ପେଶାଦାର ଭବିଷ୍ୟତ ନାହିଁ କି ନଥିଲା । ଲୋକନୃତ୍ୟର କଳାକାରଙ୍କ ଲାଗି ସେଇଟା ବଡ଼ ବିଡ଼ମ୍ବନା । ଲୋକ କଳାକାରକୁ ସାରା ଜୀବନର ସାଧନା ପରେ ବି ସ୍ୱୀକୃତି ସହଜରେ ମିଳେ ନାହିଁ । ଜୀବନ ଓ ନୃତ୍ୟର ଛନ୍ଦ ଏତେ ଅଲଗା ଯେ ମଂଚରୁ ତଳକୁ ଓହ୍ଲାଇଲେ ପୃଥିବୀ ଲାଗେ ଗୋଟେ ଭାତ ନଥିବା ମେଲା ହାଣ୍ଡି ପରି ।
ରହିବାଲାଗି ଘର ନଥାଏ, ଖାଇବା ଲାଗି ଗରସେ ପଖାଳ ନ ଥାଏ, ଅଥଚ ମନ ତଳର ସେ କଳାକାରଟି ମରେ ନାହିଁ । ଢୋଲରେ ପାର୍ ବାଜିଲେ ପାଦ ଉଚ୍ଛନ ହୁଏ, ଅଭାବର ଜୀବନ ସହ କଳାକାରର ଭାବ ପୁଣି ଯୋଡ଼ି ହୋଇଯାଏ । ସବୁ ଅଭାବ ସତ୍ତ୍ୱେ ପାଦ ଅଥୟ ହୁଏ ମଂଚରେ, ଏପରିକି ମଲା ପରେ ବି ସେ ପାଦରେ ଲାଖି ରହିଥାଏ ଗୋଟେ ଲାଳିତ୍ୟ । ଗୁରୁବାରୀ ମିର୍ଦ୍ଧା ପ୍ରାଣହୀନ ହୋଇ ପଡ଼ିରହିଥିବା ବେଳେ ସେ ମୁହଁରେ କେଉଁଠି ନା କେଉଁଠି ସେ ଛନ୍ଦ ଓ ଲାଳିତ୍ୟ ଅଛି, ଯାହାର ମୃତ୍ୟୁ ନାହିଁ!!
ତେବେ କିଏ ଏହି ଗୁରୁବାରୀ ମିର୍ଦ୍ଧା? କ’ଣ ତାଙ୍କର ପରିଚୟ? ତାଙ୍କ ଜୀବନ କାହାଣୀ ଗୋଟେ ଅଧାଲେଖା ଉପନ୍ୟାସ ପରି । ଓଡ଼ିଶାରେ ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଆମର ସାଂସ୍କୃତିକ ଇତିହାସ ଗଢ଼ିବାରେ ଧର୍ମପଦର ଭୂମିକା ତୁଲାଇଛନ୍ତି ଓ ସମୟର ସ୍ରୋତରେ ବିଲୀନ ହୋଇ ଯାଇଛନ୍ତି । ସମୟ ଓ ସମାଜ ତାଙ୍କୁ ସ୍ୱୀକୃତି ଦେଇନାହିଁ କି ସମ୍ମାନର ସହ ବଂଚିବାର ସୁଯୋଗ ଦେଇନାହିଁ । ଗୁରୁବାରୀ ମିର୍ଦ୍ଧା ସେମିତି ଏକ ଶିଳ୍ପୀ, ଯିଏ ନିଜ ସମୟର ଇତିହାସ ତିଆରି କରି ସମର ସ୍ରୋତରେ ନିଃଶେଷ ହୋଇଯାଇଛନ୍ତି । ତାଙ୍କୁ ଚିହ୍ନିବା ଓ ତାଙ୍କୁ ସମ୍ମାନର ସହ ଭଲ ପାଇବା ପ୍ରତ୍ୟେକ ଓଡ଼ିଆର ନୈତିକ ଦାୟିତ୍ୱ ହେବା ଉଚିତ ।
ସମ୍ବଲପୁରୀ ନାଚ ଓ ଗୁରୁବାରୀ:
ସମ୍ବଲପୁରୀ ନାଚର ନିର୍ଦ୍ଦିଷ୍ଟ କୌଣସି ସ୍ୱରୂପ ନାହିଁ । ପଶ୍ଚିମ ଓଡ଼ିଶାର ଲୋକ ପରମ୍ପରାରେ ବହୁ ପ୍ରକାରର ଗୀତ ଓ ନୃତ୍ୟ ରହିଛି । ଡାଲଖାଇ, ରସରକେଲୀ, ମାଏଲାଜଡ଼, ଜାଇଫୁଲ, ସଜନୀ ଗୀତ, ହୁମୋ ବଉଲୀ, ଦୁଲା ବିହା….ଏମିତି କେତେପ୍ରକାର ଓ କେତେ ପ୍ରଜାତି । ଜନଜୀବନର ଛନ୍ଦକୁ ବିଭିନ୍ନ ପର୍ବପର୍ବାଣୀ, ଉତ୍ସବ ଅନୁଷ୍ଠାନ ଓ ଧାର୍ମିକ ଆଚରଣର ପୃଷ୍ଠଭୂମିରେ ଲୋକ କଳାକାର ମାନେ ମହିମାମଣ୍ଡିତ କରନ୍ତି । ପଶ୍ଚିମ ଓଡ଼ିଶାର ପ୍ରାୟ ଲୋକଗୀତ ଓ ନୃତ୍ୟ ଏହି ସବୁ ତିହାର (ପାର୍ବଣ) ଓ ଉସନାଖୀ (ଉତ୍ସବ ଆନନ୍ଦ)ରୁ ସୃଷ୍ଟି ହୋଇଛି । ଗୁରୁବାରୀ ମିର୍ଦ୍ଧା ଏହି ପରମ୍ପରାର ଦାୟାଦ । ସେ ଗାଁର ଝିଅ, ଗାଁରେ ଡାଲଖାଇ କୁଠିରୁ ସେ ଶିଖିଛନ୍ତି ନାଚ । କୋଉ ଗୁରୁ କି ଗୁରୁକୁଳ ତାଙ୍କ ଲାଗି ନଥିଲା । ଭାଇ ଜିଉନ୍ତିଆ ଓଷା (ଆଶ୍ୱିନ ଶୁକ୍ଳ ଅଷ୍ଟମୀରେ ପାଳିତ ହୁଏ) ସହିତ ଡାଲଖାଇ ଓଷା ବି ପାଳିତ ହୁଏ । ଗୁରୁବାରୀ ଏଇଠୁ ଶିଖିଥିଲେ ତାଙ୍କର ନାଚ ।
ଗୁରୁବାରୀଙ୍କୁ ଓଡ଼ିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ୱତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦରବାରରେ ପହଂଚାଇବାର ବିରଳ ସଫଳତା ।
୧୯୬୯ରେ ମସିହା ଜାନୁଆରୀ ୨୬ରେ ସମ୍ବଲପୁରୀ-ଡାଲଖାଇ ନୃତ୍ୟ ପରିବେଷଣ କରିବାକୁ ଗୁରୁବାରୀ ଦିଲ୍ଲୀ ଯାଇଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ଓ ମନ୍ତ୍ରୀ ମୁରାରୀ ପ୍ରସାଦ ମିଶ୍ରଙ୍କ ଉଦ୍ୟମ କ୍ରମେ ଏକ ସମ୍ବଲପୁରୀ ଲୋକନୃତ୍ୟ ଦଳ ଦିଲ୍ଲୀ ଜନରାଜ୍ୟ ଦିବସରେ ନୃତ୍ୟ ପରିବେଷଣ କରିବାକୁ ଯାଇଥିଲେ । ଏହି ଦଳର ମୁଖିଆ ନର୍ତ୍ତକୀ ଥିଲେ ଗୁରୁବାରୀ । ସମ୍ବଲପୁରୀ ପରଦା ଶାଢ଼ୀ, ମୁଣ୍ଡରେ ଢାଲିଆ ଖୁସା, ଦେହରେ କତରିଆ, ବନ୍ଦରିଆ, ଝଲକା, ତାଡ଼, ବାହ୍ୟ ସୂତା, ପାଦରେ ପଏଁରି ଓ ତରୁଣୀ ଅଙ୍ଗରେ ଡାଲଖାଇ ନାଚର ଉନ୍ମାଦନା । ଗୁରୁବାରୀଙ୍କ ନୃତ୍ୟର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତନ୍ମୟ କରିଥିଲା । ଗୁରୁବାରୀଙ୍କ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ । ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ୱୀକୃତି ମିଳିବାର ପ୍ରଥମ ପାହାଚ ।
୧୯୬୮ରେ ଗୁରୁବାରୀଙ୍କ ବୟସ ଥିଲା ୧୬ । ତା’ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ନାଚିଛନ୍ତି ଓ ଗାଇଛନ୍ତି । ଯେତେବେଳେ ରକ୍ଷଣଶୀଳ ସମାଜରେ ମଂଚକୁ ଯିବା ଏକ କଳଙ୍କ, ସେତେବେଳେ ସାହସର ସହିତ ଗୁରୁବାରୀ ନିଜ ନାଚକୁ ସାଧନା ଭାବେ ଗ୍ରହଣ କରିଛନ୍ତି । ଏହି ସମାନ ସମୟରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଉଛି ଓ ଅନେକ ନାରୀ ଶିଳ୍ପୀ ଏହାକୁ ନିଜର ଜୀବନ-ଜୀବିକା ଭାବରେ ଗ୍ରହଣ କରୁଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି । ସମ୍ବଲପୁରୀ ନାଚର ସେ ସୌଭାଗ୍ୟ ଆସୁନାହିଁ । ଆଜିଯାଏଁ ସମ୍ବଲପୁରୀ ନାଚ କେବଳ କିଶୋରୀ ବୟସର ଉଲ୍ଲାସ ଭିତରେ ସୀମିତ ରହିଛି । ବୟସ ଗଡ଼ିଚାଲେ, ସମ୍ବଲପୁରୀ ନାଚିବାର ସୁଯୋଗ ଇ ନାହିଁ । ସେଇ ବିଡ଼ମ୍ବନା ଗୁରୁବାରୀଙ୍କ ଜୀବନରେ ବି ଆସିଛି ।
ଘର ସଂସାର ଓ ଅଭାବୀ ଜୀବନର ଦହନ ତାଙ୍କୁ ମଂଚରୁ ଦୂରେଇ ନେଲା ସିନା, ନାଚ ତାଙ୍କୁ ଛାଡ଼ିଲା ନାହିଁ । ଯେତେବେଳେ ବି ଯେଉଁଠି ସୁଯୋଗ ମିଳିଛି ସେ ନାଚ ଶିଖେଇଛନ୍ତି ଓ ନିଜେ ନାଚିଛନ୍ତି । ସମ୍ବଲପୁରୀର ଚାଖି ଚାହାନୀ, ଅଂଗରେ ଝରଣାର ରାଗ ଓ ମୁହଁ ମଲକା ଅଭିନୟ ଗୁରୁବାରୀଙ୍କ ନୃତ୍ୟରେ ଉତ୍କର୍ଷ ହାସଲ କରିଥିଲା । ସେ ଥିଲେ ସାକ୍ଷାତ ଡାଲଖାଇ । (ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଙ୍କ ଲଚକ୍ର କୌଣସି ତୁଳନା ନାହିଁ ।
ଜୀବନ ସଂଘର୍ଷରେ ତାଙ୍କ ଲାଗି ରହିବା ଲାଗି ଘର ଖଣ୍ଡେ ବି ନଥିଲା କି ବଂଚିବା ଲାଗି ବିଶେଷ ସାଧନ ନଥିଲା । ମୁଢ଼ି ଭାଜି ସେ ଜୀବିକା ନିର୍ବାହ କରୁଥିଲେ । ବଡ଼ କଷ୍ଟରେ ପରିଣତ ବୟସରେ ତାଙ୍କୁ ରହିବାଲାଗି ଇନ୍ଦିରା ଆବାସ ଖଣ୍ଡେ ମିଳିଥିଲା, ତାହା ପୁଣି ବହୁତ କୁହାବୋଲା ପରେ । ସରକାରୀ ଅବହେଳା ଏଥିଲାଗି ହୁଏତ ଦାୟୀ, କିନ୍ତୁ ଗୋଟେ ସଭ୍ୟସମାଜ ଭାବରେ ଆମେ ବି ଆମ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛୁ । ଶସ୍ତା ଗୀତ ନାଚ ପ୍ରତି ଆମର ଆକର୍ଷଣ ଏତେ ବେଶୀ ଯେ ମାଟିର କଳାକାର ପାଇଁ ଆମପାଖରେ ଦେବାକୁ କିଛି ନାହିଁ । ଜୀବନର ଅନ୍ତିମ ଭାଗରେ ତାଙ୍କ ସାଧନା ଲାଗି କିଛି କିଛି ସମ୍ମାନ ଓ ସ୍ୱୀକୃତି ତାଙ୍କୁ ମିଳିଥିଲା । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଆହୁରି କିଛି ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନେକ ସମୟରେ ସରକାରୀ ସାଂସ୍କୃତିକ ଉତ୍ସବରେ କିଏ କେଉଁଠି ହୁଏତ ଶାଲ୍ ଖଣ୍ଡେ କି ମାନପତ୍ରଟେ ଦେଇଛି । ତେବେ ଏକ ସମ୍ମାନଜନକ ଜୀବନ ଲାଗି ତାହା କ’ଣ ଯଥେଷ୍ଟ?
୨୦ ଅକ୍ଟୋବର ଦିନ ଏହି କିମ୍ବଦନ୍ତୀ ନାୟିକାଙ୍କ ଜୀବନ ଦୀପ ଲିଭିଗଲା । ବରଗଡ଼ ଜିଲ୍ଲା ବିଜେପୁର ପାଖ ଏମ୍. ଗଣ୍ଡପଲି ଗାଁରେ ୭୦ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ । ଗୁରୁବାରୀଙ୍କ ବିଷୟରେ ଆଜି ଯାହା ଲେଖା ହେଲେ ବି ଆମକୁ ଗୋଟିଏ କଥା ମାନିବାକୁ ପଡ଼ିବ ଯେ ଗୋଟିଏ ସମାଜ ଭାବରେ ଆମର ସୃଜନଶୀଳ ପ୍ରତିଭାମାନଙ୍କୁ ଆମେ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦାର ଜୀବନଟିଏ ଦେଇପାରି ନାହୁଁ ।
Photo credit-https://bit.ly/3A17f2S
https://bit.ly/3vMBrfA