ଗଧ ବିଷୟକ ଗୋଟିଏ ଗପ

ଜ୍ୟୋତି ନନ୍ଦ 284 Views
9 Min Read
ଏକଦମ ମାମୁଲି ଗୋଟିଏ ଗଧ। ଯେମିତି ଦେଖିବାକୁ କୁତ୍ସିତ,ସେମିତି ଉଦାସ । ଅଧାବୁଜା ଆଖିରେ ତଳକୁ ମୁହଁପୋତି ସେ ଛିଡାହୋଇ ରହିଥାଏ । କେଉଁଠି ସେ ସେମିତି ସବୁବେଳେ ଛିଡାହୋଇ ରହିଥାଏ ବୋଲି ପଚାରିଲେ ଦେଖିବାକୁ ମିଳିବ ସର୍କସ ଭିତରକୁ ଯିବାପାଇଁ ଯେଉଁ ତମ୍ବୁ ଖଣ୍ଡିକ ଅଛି ତାହାର ଦୁଆର ମୁହଁରେ ଠିକ୍ ଥାଏ ସେ । ତମ୍ବୁଟା ପଡିଛି ସହର ର ପାଖାପାଖି, ଏହାଛଡା ତ ଆଉ କେଉଁଠି ସେମିତି ବିଶାଳ ସବୁଜ ରଂଗ ର ଘାସ ପଡିଆ ନାହିଁ ।
ବର୍ଷରେ ଥରଟିଏ ସହରବାସୀ ସର୍କସ ଦେଖିବାର ସୁଯୋଗ ପାଆନ୍ତି । ଦଳବାନ୍ଧି କିମ୍ବା ଧାଡି ବାନ୍ଧି ଚାଲିଛନ୍ତି ସଭିଏଁ । ଭୀଡ ଗହଳ ହେବାକୁ ଲାଗିଲାଣି । ସଭିଙ୍କର ଲକ୍ଷ୍ୟ ଗୋଟିଏ,ସର୍କସ ର ତମ୍ବୁ । ତାହାର ଅଭ୍ୟନ୍ତର।
ଯେଉଁ ସବୁ ଲମ୍ବା ହାତମାନ ରହିଛି ସିଏ ଏଇଲେ ଛୋଟ ଛୋଟ ହାତମାନଙ୍କୁ ସାଥିରେ ଧରି ଚାଲିଛି,ଛୋଟ ହାତରେ ରହିଛି ଆଇସକ୍ରୀମ୍ ,ଆଖିରେ ମୁହଁରେ ଅଛି ବିସ୍ମୟ । ଛୋଟ ହୋଇଛନ୍ତି ବୋଲି ଭୀଡ ଯୋଗୁ ସେମାନେ କିଛି ହିଁ ଦେଖି ପାରୁ ନାହାଁନ୍ତି। ସାମନାରେ ସର୍କସର ହରରଂଗୀ ମାଲବାହୀ ଗାଡି ର ପାଖାପାଖି ହାତୀମାନେ ଖୋଲାମେଲା ଭାବରେ ଚାଲବୁଲ କରୁଛନ୍ତି । ପିଲାଏ କିନ୍ତୁ ସେମାନଙ୍କୁ ଦେଖିପାରୁନାହାଁନ୍ତି । କେବଳ ବଡମାନେ ଯେତେବେଳେ ସେମାନଙ୍କୁ ଟିକିଏ ଟେକି ଉଚ୍ଚା କରି ଦେଉଛନ୍ତି ସେତେବେଳେ ଯାଇ ସେମାନେ ଏଇ ସବୁ ହାତୀଙ୍କୁ ଦେଖି ପାରୁଛନ୍ତି। ଆଉ ଠିକ୍ ସେତେବେଳେ ଯାଇ ଏଇ ଗଧଟିକୁ ପରିଷ୍କାର ଦେଖାଯାଏ, ଯେମିତି ଗେଟ୍ ର ମୁହଁକୁ ଘଷି ହୋଇ ନିର୍ଲିପ୍ତ ଭାବରେ ଠିଆ ହୋଇ ରହିଛି ସେ ।
ତମ୍ବୁଟି ବେଶ୍ ବଡ । ଗତ କେତେ ସପ୍ତାହ ହେଲା ସହରର ଗଳି ଉପଗଳିର ମଇଳା କାନ୍ଥରେ ଅଠାଦେଇ ଲଗାହୋଇଥିବା ଚକଚକ ବିଜ୍ଞାପନ ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ଆଉ ସେହି ସବୁ ବିଜ୍ଞାପନରେ କୁହାହୋଇଛି,ଏଇ ତମ୍ବୁ କୁଆଡେ ପୃଥିବୀର ସବୁଠୁ ବଡ,ଏହା ଭିତରେ ପାଖାପାଖି ଚାରିହଜାର ଲୋକ ରହିପାରିବେ । ଖୁଣ୍ଟିର ସଙ୍ଗେ ଖଣ୍ଡିଏ ଜୀର୍ଣ୍ଣ ଦଉଡିରେ ବନ୍ଧା ଏଇ ଗଧ ଦରଜା ଦେଇ ଯିବାର ବାଟରେ ଏମିତି ଗୋଟିଏ ଜାଗାରେ ଘଷିହୋଇ ଛିଡା ହୋଇଛି ଯେ,ଟିକେଟ କାଟିବା ପରେ ଏହାର ପାଖ ଦେଇ ନଗଲେ କୌଣସି ଦର୍ଶକ ପକ୍ଷରେ ତରବର ହୋଇ ଆଲୋକୋଜ୍ଜଳ ରିଂ କୁ ପଛରେ ପକାଇ ଗ୍ୟାଲେରୀରେ ଆସନ ଗ୍ରହଣ କରିବା ପ୍ରାୟତଃ ଅସମ୍ଭବ ।
ପ୍ରତି ଶନିବାର ଦିନ ତିନିଟା ଶୋ । ଅର୍ଥାତ୍ ବାରହଜାର ମଣିଷ ସେଦିନ ଅତିକ୍ରମ କରିଥାନ୍ତି ଏଇ ଗର୍ଦ୍ଦଭଚନ୍ଦ୍ରକୁ। ଏଇ ବାର ହଜାର ଦର୍ଶକ ଭିତରୁ ଖୁବ୍ କମ୍ ରେ ତିନିହଜାର ଦର୍ଶକ ପାଖ ଦେଇ ଗଲାବେଳେ ସେଇ ଗଧଟିକୁ ଅତି ହାଲକା ଭାବରେ ଥରଟିଏ ଚାପୁଡା ମାରିଥାନ୍ତି ଆଉ ସେମିତି ନକଲେ ବି ହାଲକା ଭାବରେ ତାହାକୁ ଥରଟିଏ ଛୁଇଁଦେଇ ଯାଇଥାନ୍ତି । ତେଣୁ ଦେଖିବାକୁ ଗଲେ ସାରାଟି ଦିନ ସେଦିନ ପାଖାପାଖି ନଅ ହଜାର ହାତ ଗଧର ପିଠିରେ କେଉଁଠି ନା କେଉଁଠି ତବଲା ବଜାଇ ଥାଏ । ପୁରା ସପ୍ତାହରେ ସବୁ ମିଶି ମୋଟରେ ସେ କେତେଥର ଏମିତି ଚାପୁଡାଫାପୁଡା ଖାଏ ତାହା ଗଣି କହିବା ସହଜ ନୁହଁ ।
ପିଠି ରେ ଚାପୁଡା ମାରିବାର ନାନାରକମର ଭେଦ ରହିଛି । କେହି କେହି ନିଜର ବାହାଦୁରି ଦେଖାଇବା ପାଇଁ ମାରେ । ବାକିମାନଙ୍କର ଚାପୁଡାମାରିବାରେ ସମଝଦାରିର ଢଙ୍ଗ ଥାଏ। କାହାର କାହାର ଚାପୁଡାମାରିବା ଭିତରେ ରହିଥାଏ ଆତ୍ମସନ୍ତୁଷ୍ଟିର ଭାବ । ସେଥିରୁ କେଉଁଟି ପୁଣି ସେମାନଙ୍କର ଗର୍ଦ୍ଧବ-ପ୍ରୀତି ର ପରିଚାୟକ । ନିଜର ପୁଅଝିଅଙ୍କୁ ଦେଖେଇ ଦେଖେଇ ବାପାମାନେ କେତେବେଳେ ବା ତାରିଫ ପାଇବା ପାଇଁ ଗଧର ପିଠିରେ ଜୋର୍ ରେ ଚାପଡା କଷିଦେଇ ଥାଆନ୍ତି ।
ଖୁବ୍ ଉତ୍ସାହରେ ଗୋଟିଏ ଛୋଟ ପିଲା ତାହାର ମାଆକୁ ପ୍ରାୟତଃ ଟାଣି ଟାଣି ନେଇ ଯାଉଥିଲା। ଥରଟିଏ ଅଟକି ଯାଇ ଡରରେ ସେ ତାହାର ଛୋଟ ହାତକୁ ଟିକିଏ ବଢେଇ ଦେଇ ଗଧର କାନ୍ଧରେ ନିଜର ହାତକୁ ଟିକିଏ ବୁଲାଇ ନେଇଥିଲା । ଗର୍ବିତ ବାପାମାନେ ପିଲାମାନଙ୍କୁ ଯେତେବେଳେ ଉପରକୁ ଟିକିଏ ଟେକି ଧରନ୍ତି,ସେମାନେ ନିଜର ମୋଟା ଅଥଚ ଛୋଟ ଆଙ୍ଗୁଳିଗୁଡିକ ଗଧର ପିଠି ରେ ଘଷିଥାନ୍ତି ,ତାହାର ମଥାକୁ ଟିକିଏ ଆଉଁଷି ଦିଅନ୍ତି ଅଥବା ତାହାର କାନକୁ ଟାଣିଥାନ୍ତି ।
ଯେଉଁ ସବୁ ପିଲାମାନେ ଏକେଲା ଆସିଛନ୍ତି ସେମାନଙ୍କୁ ବାପାମାଆଙ୍କର “ନା,ଏମିତି କରନା,ନା” ବୋଲି ଶୁଣିବାକୁ ପଡେନାହିଁ । ମୁହୂର୍ତ୍ତକ ଭିତରେ ସାହସ ସଞ୍ଚୟ କରି ସେମାନେ ନିର୍ବିକାର ଭାବରେ ଗଧର ଗୋଡ ଉପରେ ଭାରା ଦେଇ ଠିଆ ହୋଇପଡନ୍ତି ଅଥବା ତାହାର ନାକ ସହ ନିଜ ନାକକୁ ଘଷିଥାନ୍ତି । ଆଉ ଚାରି ପଟକୁ ଘୁରି ସେମାନେ ଭାରି ସତର୍କ ଭାବରେ ଦେଖୁଥାନ୍ତି,ତାଙ୍କର ଏମିତି କିଛି କାମକୁ ଆଉ କିଏ ଦେଖିପକାଇନି ତ !
ଆଉ ଏଇସବୁ ମଝିରେ କିଛି ବେଶ୍ ଦୟାଳୁ ଭଦ୍ରଲୋକ ଚେଷ୍ଟା କରନ୍ତି ଯେମିତି ସେହି ଗଧର ପାଟିକୁ ମେଲା କରି ତା’ ଭିତରକୁ କେମିତି ଚିନାବାଦାମ ବା ଲଲିପପ୍ ଆଦି ଭର୍ତ୍ତି କରାଯାଇପାରିବ ! ସେ ଯାହାହେଉ ଏଇଭଳି କାମ ସବୁ ଭାରି କଷ୍ଟକର,କାରଣ ସେତେବେଳେ ନିଜର ପାଟିର ଦାନ୍ତକୁ ଦାନ୍ତ ଖୁବ୍ ଜୋର୍ ରେ ଜାବୁଡି ଧରି ରଖିଥାଏ ସେ । ଆଉ କେହି ଜଣେ ତାହାର ପାଟିରେ ହାତ ଦେଉଛି ବୋଲି ବୁଝିପାରିଲେ ଗର୍ଦ୍ଧଭ ଚନ୍ଦ୍ର ତାହାର ମୁଣ୍ଡକୁ ବାରଂବାର ହଲାଉଥାଏ ।
ଦଶ ମିନିଟ ଅନ୍ତରରେ ପୁଣି କେହି ଜଣେ ଗର୍ଦ୍ଧଭ ବିଶେଷଜ୍ଞ ର ଆବିର୍ଭାବ ହେଉଥାଏ ।
“ଆରେ ବାବା,ଏଇଲେ ଗଧ ଦେଖୁଛି !” ଏଇଭଳି ଚିହ୍ନା ଆଉ ମୁଲାୟମ ଗଳାରେ କଥାଟି ଯିଏ କହୁଛି ଯେଉଁମାନେ ପିଠି ଥାପୁଡାଉଥିଲେ ସେମାନେ ହୁଏତ ନିଜ ହାତକୁ ହଟାଇ ଆଣି ସଂଭ୍ରମ ର ସହ ସେହି ବକ୍ତାର ମୁହଁକୁ ଘଡିଏ ଚାହୁଁଛନ୍ତି ।
ତାହାପରେ ଗଧ-ବିଶେଷଜ୍ଞ ମହାଶୟ ଜନ୍ତୁଟିର ବେକକୁ ଜାବୁଡିଧରି ତାହାକୁ ଏପରି ସବୁ ନାଆଁରେ ଡାକିବାକୁ ଆରମ୍ଭ କରନ୍ତି ଯେ ସଭିଏଁ ମନେ କରିଥାନ୍ତି,”ହଁ ଆଉ ଯାହା କୁହ, ସାର୍ ଭାରି ନଲେଜେବଲ୍ !”
” ଆରେ ୟାର୍, ଶେଷକାଳରେ ତ ଏଇଠି ଆସି ଜୁଟିଗଲ ଯେ ? ବେଶ୍ ହୋଇଛି, ଭାରି ଦମଦାର କାମ ଆଉ ଆଜିକାଲି କରିବାକୁ ଇଚ୍ଛା ହେଉନି ନା ?” ତାହାପରେ କଣ୍ଠସ୍ୱର ବଦଳାଇ ଯେଉଁମାନେ ଶୁଣୁଥିଲେ ସେମାନଙ୍କୁ ବୁଝାଏ,” ଆପଣ ହୁଏତ ଜାଣନ୍ତି,ପଶ୍ଚିମ ଦେଶମାନଙ୍କରେ ଏମାନଙ୍କ ଦ୍ୱାରା ଯେତିକି ମାଲ ବୁହାଯାଏ ତାହାର ଓଜନ ଏଇ ଜନ୍ତୁଗୁଡିକଙ୍କର ଓଜନଠାରୁ ଯଥେଷ୍ଟ ବେଶି । ଭାରବାହୀ କହିଲେ ଆମେ ଯାହା ବୁଝିବା ସେମିତି ଏମାନେ ହେଉଛନ୍ତି ଆଦର୍ଶ ପଶୁ ।”
ଏହିଭଳି କଥାବାର୍ତ୍ତା ଶୁଣି ଲୋକମାନେ ବେଶ୍ ସମଝଦାର୍ ଭଳି ନିଜର ମଥା ଟୁଙ୍ଗାରୁଥାନ୍ତି । ଯିବା ଆଗରୁ ଶେଷ ଥର ଭଳି ସହାନୁଭୂତିର ସହ ତାହାର ପିଠି ରେ ଚାପୁଡାଏ
ଦେଇଯାଆନ୍ତି ।
ମେଳାରେ ସମବେତ ଲୋକବାକଙ୍କର ଭଲପାଇବାର ସ୍ପର୍ଶକୁ ଏହିଭଳି ନିର୍ବିକାର ଭାବରେ ସହ୍ୟ କରୁଥିବାର ଦେଖିଲେ ମନେ ହେବ ଯେ ସେ ତାହାର ଜୀବନଭର ଏଇ ଭଳି ଚାପୁଡା ଖାଇବାରେ ଅଭ୍ୟସ୍ତ ।
ଆଉ ଯଦି କେତେବେଳେ ମନ ଭିତରେ ବିଦ୍ରୋହ ମଥା ଉପରକୁ କରେ ସେତେବେଳେ ସେ ତାହାକୁ ନିଜ ଭିତରେ ଚାପିଧରି ରଖେ । ଅସହାୟ ନିର୍ଲିପ୍ତ ଭଳି ଠିଆହୋଇ ରହିଥାଏ । ଗଧର ଗୋଟିଏ ପଟ ଶ୍ଳଥ ହୋଇ ଝୁଲିପଡିଛି । ଅନେକ ହାତ ସ୍ପର୍ଶ ତାହାର କେଶରାଜିକୁ ଅବିନ୍ୟସ୍ତ କରିଦେଇଛି,କିନ୍ତୁ ଯେଉଁ ସ୍ୱପ୍ନରେ ସେ ମସଗୁଲ୍ ସେହି ସ୍ୱପ୍ନ ର ରଚନାରେ ତାହା କୌଣସି ବିଘ୍ନ ଘଟାଇ ପାରିନି ।
ସର୍କସର ଶେଷ ଦିନରେ ବେଶ୍ ସୁସ୍ଥସବଳ ଜଣେ ଲୋକ, ଦେହରେ ତାହାର ଗାଢ ନୀଳରଂଗର ଗୋଟିଏ ସୁଟ୍,ବେଶ୍ ନିଶ୍ଚିନ୍ତ ପଦକ୍ଷେପରେ ମେନ୍ ଗେଟ୍ ର ପାଖକୁ ଆସି ଗଧର ସାମନାରେ ଛିଡାହୋଇ ତାହାକୁ ଟିକିନିଖି କରି ଦେଖୁଥାଏ । ଓଠକୋଣରେ ନିଜର ଜିଭକୁ ଟିକିଏ ବୁଲାଇ ଆଣି “ଆହା !” ବୋଲି କହି ମଥା ହଲାଇ ସେ ଟିକିଏ ପଛେଇ ଯାଏ । ଆଉ ସେଇ ପଛରେ ରହି ସେ ଆହୁରି ଭଲକରି ନିରୀକ୍ଷଣ କରେ । ଅନେକ ସମୟ ଚିନ୍ତିତ ରହି ସେ ସେଇ ଗଧର ଚାରିପଟେ ଘେରାଏ ବୁଲି ଆସିଥାଏ । ଗଧ ବିଷୟରେ ଯାହା କିଛି ସେ ଜାଣିବାକୁ ଚାହୁଁଥିଲା ସେ ସବୁକିଛି ସେ ଯେମିତି ଏହା ଭିତରେ ଜାଣି ସାରିଲାଣି । ସେ ସେଇଠୁ ଚାଲି ଯିବ ବୋଲି ପଛକୁ ଫେରିବା ବେଳେ ଗଧର ପିଠିରେ ଦୁମ୍ କରି ବେଶ୍ ବିଧାଏ ଦିଏ ସେ । ଏଇଟି ହେଉଛି ଆଜିର ଆଠ ହଜାରତମ ଚାପୁଡା !
ଆପାତଦୃଷ୍ଟିରେ ଦେଖିଲେ ମନେ ହେଉଥିଲା ଗଧଟି ଯେମିତି ନିଦରେ ଅଛି । କିନ୍ତୁ ହଠାତ୍ ଏଇ ଲୋକର ହାତର ଶକ୍ତ ଚାପୁଡା ଖାଇବା ପରେ ତାହାର ଭାବଭଂଗୀ ଦେଖି ମନେହେଉଥିଲା,ଏତେ ଦିନ ହେଲା ସେ ଯେମିତି ଏଇ ଭଳି ଗୋଟିଏ ସଂକେତ ର ଅପେକ୍ଷା କରୁଥିଲା। ଗୋଟିଏ ଝଟକାରେ ନିଜର ଗୁରୁଭାର ଏଇ ମଥାକୁ ଉଚ୍ଚ କରି ,ଘୁରି ପଡି,ଗାଉଁ କରି ଠେକୁଆ-ଧରା ଯନ୍ତ୍ର ଭଳି ଦାନ୍ତ ଦେଖାଇ ସେ ସେହି ଲୋକର ହାତକୁ କାମୁଡି ଦିଏ ।
ଗାଢ ଘନନୀଳ କୋଟ୍ ର ହାତରେ କାମୁଡା ଦାଗ ପଡିଥିଲା । ଛିଣ୍ଡାଇ ନେଇଥିବା ନୀଳ ରଂଗର ଟୁକୁଡାଏ ଗଧର ମୁହଁରେ ଲାଗି ରହିଥିଲା । ବେକକୁ ବୁଲାଇନେଇ ପୁଣିଥରେ ଗଧଟି ନିଜର ସ୍ୱପ୍ନରେ ବିଭୋର ହୋଇ ଯାଏ ।
ବେଶ୍ ଅବାକ ହୋଇ ସେ ଲୋକଟି ପଛେଇ ଆସେ ଆଉ ଜଣେ ଲୋକ ଉପରେ ଅଜାଡି ହୋଇ ପଡେ । ଆଖି ହଳକ ଯେମିତି ତାହାର ମାର୍ବଲ ପଥର ,ମୁହଁରେ ବିରାଟ ହାଁ ! ନିଜର ଆର ହାତରେ କାମୁଡା ଖାଇଥିବା ହାତକୁ ଜାବୁଡି ଧରି ସେ ଆଖପାଖର ଲୋକଙ୍କୁ ଚାହେଁ । ଭାବଟି ଏଇଭଳି : ” ଦେଖିଲେ ତ,କି ଅଦ୍ଭୁତ କାଣ୍ଡ !” ତାହାପରେ ଆତଙ୍କଭରା ଗଳାରେ କହି ଉଠିଥିଲା,”କାମୁଡି ଦେଇଛି !” ଯେମିତି ଏଭଳି କଥାକୁ ସେ ନିଜେ ବିଶ୍ୱାସ କରିପାରୁନାହିଁ ସେଇ ଭଳି ସେ ସେହି ଗଧ ଆଡକୁ ଚାହୁଁଥାଏ । କହେ,” ଅବାଧ୍ୟ ବର୍ବର ଜାନୁଆର୍ !”
ଯେଉଁମାନେ ସେଇ ପାଖ ଦେଇ ଯାଉଥିଲେ ସମସ୍ତେ ଠିଆ ହୋଇ ରହନ୍ତି । ସେଇ ଲୋକଟାକୁ ଆଉ ଗଧକୁ ଦେଖୁଥାନ୍ତି । ଗଧର ମୁହଁରେ ତଥାପି ଝୁଲୁଛି ନୀଳ ରଙ୍ଗର ଟୁକୁଡାଏ କପଡା । ସେହି ଭଦ୍ରଲୋକଙ୍କ କଥାରେ ସମ୍ମତି ଜଣାଇ ସଭିଏଁ ମାନିନିଅନ୍ତି ଯେ,ସତରେ ଏଇ ଜନ୍ତୁଟା ନିହାତି ଇତର,ବର୍ବର । ଅଯଥାରେ ଏଇ ସାସ୍ଥ୍ୟବାନ ସୁପୁରୁଷଙ୍କ ହାତକୁ କାମୁଡି ଦେଇଛି । ଭଦ୍ରଲୋକ ଜଣକ ଏମିତି କ’ଣ ବା କରିଛନ୍ତି ! ଖାଲି ଥରଟିଏ ସେ ତାହାର ପିଠିକୁ ସାବାସୀ ଦେଇଛନ୍ତି ଯାହା ! ଏଇ ଭଳି ବେଇମାନ ଆଉ ଜଙ୍ଗଲି ଆଉ କିଏ ଅଛି !
ଏହାପରେ ପାଞ୍ଚମିନିଟ ଆଉ କେହି ତାହାର ପିଠି କୁ ଥାପୁଡାଇ ନାହାଁନ୍ତି । ଦୀର୍ଘ ଅନେକ ବର୍ଷର ଯେଉଁ ଜୀବନ ସେଥିରେ ସେ ଏଇ ପ୍ରଥମ ଓ ଶାନ୍ତିର ସ୍ୱାଦ ପାଏ ।
°°°°°
ଆଲାନ ମାର୍ଶାଲ୍ (୧୯୦୮-୧୯୮୪) ହେଉଛନ୍ତି ଜଣେ ଅଷ୍ଟ୍ରେଲୀୟ ମାନବବାଦୀ କଥାକାର।
ପ୍ରତିବାଦ କାହାଣୀରେ ଏଇ ପ୍ରତୀକୀ କାହାଣୀଟି ଅତ୍ୟନ୍ତ ଚର୍ଚ୍ଚିତ ।
ମୂଳ ଲେଖା – ଆଲାନ ମାର୍ଶାଲ
ଭାଷାନ୍ତର – ଜ୍ୟୋତି ନନ୍ଦ
Photo credit – https://bit.ly/3vEB9Xg
Share This Article
Exit mobile version