Home / ସାହିତ୍ୟ ସଂସ୍କୃତି / ଇତିହାସ / ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଆଶା ସମ୍ବାଦପତ୍ରରେ ଅଭିମତ

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଆଶା ସମ୍ବାଦପତ୍ରରେ ଅଭିମତ

Share Samadhwani

 

।। ୪ ।।
ଦେଶମିଶ୍ରଣ ୧୯୨୪ ମସିହାରୁ ପୁନର୍ବାର ମୌଳିକ ପ୍ରଶ୍ନ ରୂପେ ମୁଣ୍ଡ ଟେକିଲା ଏବଂ କଂଗ୍ରେସର ଗଠନାତ୍ମକ କାର୍ଯ୍ୟକ୍ରମର ପ୍ରସାର ସହିତ ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକ ମିଶ୍ରଣ ଦାବି ଶକ୍ତ ହୋଇଉଠିଲା । ୧୯୨୪ମାର୍ଚ୍ଚ ୧୫ତାରିଖରେ ଆଶା ସାପ୍ତାହିକ ସମ୍ବାଦ ପତ୍ରରେ ଦାମୋଦର ସାହୁ ଏକ କବିତାରେ ଲେଖିଥିଲେ;

ଜାଗହେ ଉତ୍କଳବାସୀ ଜଡ଼ତା ତେଜି
ଆଳସ୍ୟେ ବିଳାସେ କେତେ ରହିଛୁ ମଜ୍ଜି ।
ଲକ୍ଷ୍ୟ ଲକ୍ଷ୍ୟ ଭାଇ ଆଜି ଭିକାରୀ ବେଶେ
ଦାଣ୍ଡେ ଦାଣ୍ଡେ ବୁଲୁଛନ୍ତି ଦେଶେ ବିଦେଶେ ।
ଦୁଃଖିନୀ ଉତ୍କଳ ଦଶା ଗାଇବାକୁ ନାହିଁ ଭାଷା
ଭାବିଦେଲେ ଶୋକ ସିନ୍ଧୁ ଉଠେ ଗରଜି ।

ସମଗ୍ର ଗଞ୍ଜାମରେ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ପ୍ରବଳ ଆନ୍ଦୋଳନ ମୁଣ୍ଡଟେକିଲା । ୧୯୨୪ରେ ସି.ଏଲ୍. ଫିଲିପ୍(ଓଡ଼ିଶା ଗଡ଼ଜାତ ରାଜ୍ୟର ପଲିଟିକାଲ୍ ଏଜେଣ୍ଟ ଏବଂ କମିଶନର) ଏ.ସି.ଡଫ୍. (ବେଲାରୀର କଲେକ୍ଟର)ଙ୍କୁ ନେଇ ଏକ କମିଟି ମାନ୍ଦ୍ରାଜ ପ୍ରେସିଡେନ୍ସୀରେ ଥିବା ଓଡ଼ିଆ ଅଞ୍ଚଳଗୁଡ଼ିକର ଗଞ୍ଜାମ ସହିତ ସଂଯୁକ୍ତ କରିବା ପାଇଁ ଗଠିତ ହୋଇଥିଲା ।

ଫିଲିପ୍ – ଡଫ୍ କମିଟି ୧୯୨୪ମସିହା ଶେଷମଧ୍ୟରେ ବିଶାଖାପାଟଣା, ପାରଳାଖେମୁଣ୍ଡି, ମଣ୍ଡାସା, ଇଚ୍ଛାପୁର, ବ୍ରହ୍ମପୁର, ଆସ୍କା, ଧରାକୋଟ, ସୁରଡ଼ା, ରସୁଲକୋଣ୍ଡା ଏବଂ ଖଲ୍ଲିକୋଟ ପ୍ରଭୃତି ସ୍ଥାନ ପରିଭ୍ରମଣ କରି ଜନମତ ସଂଗ୍ରହ କରିଥିଲେ । ଏହି ପ୍ରସଙ୍ଗରେ ଗଞ୍ଜାମର ଲିଙ୍ଗରାଜ ପାଣିଗ୍ରାହୀ ୧୯୨୪ ମସିହା ଅକ୍ଟୋବର ୨୭ରେ ଆଶା ସମ୍ବାଦପତ୍ରରେ ଲେଖିଥିଲେ – ‘ଜାତିର ଜୀବନରେ ଗୋଟିଏ ଗୋଟିଏ ସମୟ ଉପସ୍ଥିତ ହୁଏ, ଯେଉଁ ସମୟର ସଦ୍ ବ୍ୟବହାର କରିପାରିଲେ ଜାତୀୟ କଲ୍ୟାଣ ଏବଂ ଯାହାର ଅପବ୍ୟବହାରରେ ଜାତୀୟ ଆତ୍ମହତ୍ୟା ସଂସାଧିତ ହୁଏ; ଓଡ଼ିଶାର ଜାତୀୟ ଜୀବନରେ ଏହିପରି ଗୋଟିଏ ସମୟ ଉପସ୍ଥିତ ହୋଇଅଛି’ ।

ବହୁ ଯତ୍ନ ଓ ଯାତନା ସହ୍ୟ କଲାପରେ ଆଜି ଭାରତ ସରକାର ମାନନୀୟ ସି.ଏଲ୍.ଫିଲିପ୍ ଏବଂ ଏ.ସି.ଡଫ୍ ମହୋଦୟଙ୍କୁ ମନୋନୀତ କରି ପଠାଉଛନ୍ତି । ଏମାନେ ଆସି ଦେଖିବେ, ବୁଝିବେ, ଶୁଣିବେ, ସତରେ କି ମିଛରେ ଗଞ୍ଜାମ ଓ ଜୟପୁରର ଓଡ଼ିଆଙ୍କ ପ୍ରାଣ ସହିତରେ ଏକ ହେବାକୁ ଚାହୁଁଅଛି । ଯେଉଁ ଜାତୀୟ ଜୀବନର ଉଦ୍ବୋଧନ ପାଇଁ ଆମ୍ଭେମାନେ ଅତୀତରେ କଠୋର ସାଧନ କରିଆସିଅଛୁ, ସେହି ଜାତୀୟ ପ୍ରେମବହ୍ନି ଏହି ସମୟରେ ଆପଣଙ୍କ ହୃଦୟରେ ଧକ ଧକ କରି ଜଳିଉଠୁ । ଆପଣ ଏଥିପାଇଁ ସାକ୍ଷ୍ୟ ଦିଅନ୍ତୁ, ପ୍ରସ୍ତୁତ ହୁଅନ୍ତୁ ।

ଅର୍ଥଦାନ କରି ଅପରକୁ ସାହାଯ୍ୟ କରନ୍ତୁ । ଭାରତ ସରକାରଙ୍କୁ ବୁଝାନ୍ତୁ ଯେ ଏହି ଦେଶ ମିଶ୍ରଣ ପାଇଁ ଓଡ଼ିଆ ଆଜକୁ ପଞ୍ଚବିଂଶ ବର୍ଷାଧିକ କାଳ ଘୋର ଯାତନା ସହ୍ୟ କରିଆସିଅଛି । କେଉଁ ଓଡ଼ିଆ ନଚାହେଁ ଯେ ଓଡ଼ିଆର ଜାତୀୟ ଜୀବନ ପୁଷ୍ଟ ହେଉ । ପୁଣି ଓଡ଼ିଆର ଗୌରବମୟ ସାହିତ୍ୟ, ଶିଳ୍ପ, ସୌନ୍ଦର୍ଯ୍ୟର ଯୁଗ ଫେରିଆସୁ? ଏହିପରି ନାନାପ୍ରକାର ଆଲୋଡ଼ନପୂର୍ଣ୍ଣ ଆଲୋଚନା ଆଶା ସମ୍ବାଦପତ୍ରରେ ପ୍ରକାଶ କରି ଓଡ଼ିଆ ନେତା ଓ ସଙ୍ଗଠକମାନେ ଓଡ଼ିଆ ଦେଶମିଶ୍ରଣକୁ ବାସ୍ତବ ରୂପ ଦେବାକୁ ଆଗେଇଗଲେ ।

ଫିଲିପ୍ – ଡଫ୍ କମିଶନଙ୍କ ରିପୋର୍ଟରେ ଗଞ୍ଜାମ, ବିଶାଖାପାଟଣା ଓଡ଼ିଆମାନେ ଓଡ଼ିଶା ସଙ୍ଗେ ମିଶି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଇବାଲାଗି ଇଚ୍ଛା ବ୍ୟକ୍ତ କରିଥିଲେ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଆଭାଷୀ ଦେଶମିଶ୍ରଣ ପାଇଁ ବ୍ୟାପକ ଆନ୍ଦୋଳନ ହୋଇଥିଲା ।

ବଡ଼ଲାଟ ସଭାରେ ଏହି ଆନ୍ଦୋଳନ ୧୯୨୭ରେ ବ୍ୟାପକ ରୂପ ନେଇଥିଲା । ୧୯୨୭ ମସିହା ଫେବୃୟାରୀ ୮ତାରିଖରେ ବଡ଼ଲାଟ ସଭାରେ ପଣ୍ଡିତ ନୀଳକଣ୍ଠ ଦାସ ଓଡ଼ିଆ ଦେଶ ମିଶ୍ରଣ ବିଷୟରେ ପ୍ରସ୍ତାବ ଆଣିଥିଲେ । ସମଗ୍ର ଓଡ଼ିଆଭାଷୀ ଅଞ୍ଚଳକୁ ଏକ ପ୍ରାଦେଶିକ ଶାସନାଧୀନରେ ରଖିବାର ବ୍ୟବସ୍ଥା କାର୍ଯ୍ୟରେ ପରିଣତ କରିବା କିମ୍ବା ପ୍ରକାଶ କରିବା ନିମନ୍ତେ ସରକାର ଶୀଘ୍ର କାର୍ଯ୍ୟକାରୀ ହେବା ପାଇଁ ପଣ୍ଡିତ ନୀଳକଣ୍ଠ ଦାସ ପ୍ରସ୍ତାବ ଆଣିଥିଲେ ।

୧୯୨୮ରେ ସାଇମନ୍ କମିଶନ ଭାରତକୁ ଆସିବା ବେଳେ ସର୍ବତ୍ର ବର୍ଜନ କରାଯାଇଥିଲା । ମାତ୍ର ଓଡ଼ିଆଙ୍କ ପକ୍ଷରୁ କେତେଜଣ ସ୍ମାରକପତ୍ର ଓ ସାକ୍ଷ୍ୟ ଦେଇଥିଲେ । ଏ ଘଟଣାକୁ ଲକ୍ଷ୍ୟ କରି ସ୍ୱର୍ଗତ ମୋତିଲାଲ ନେହେରୁ ଓଡ଼ିଆଙ୍କ ପ୍ରତି ତାଚ୍ଛଲ୍ୟ ପ୍ରକାଶ କରିଥିବାରୁ ୧୯୨୮ର ସର୍ବଦଳ ସମ୍ମିଳନୀରୁ ଓଡ଼ିଆମାନେ ଓହରିଯାଇ କଲିକତା ଓଡ଼ିଆଙ୍କୁ ଧରି ଏକ ବିରାଟ ଶୋଭାଯାତ୍ରା କରିଥିଲେ ।

ସୁଭାଷଚନ୍ଦ୍ର ବୋଷ ଓ ଜବାହରଲାଲ ନେହେରୁ ଓଡ଼ିଆଙ୍କୁ ବୁଝାଇ ବୋଧ କରିଥିଲେ ଓ ଆୟନିଅଣ୍ଟ ନହେଲେ ଓଡ଼ିଶା ପ୍ରଦେଶ ହେଉ ବୋଲି ଏକ ପ୍ରସ୍ତାବ ଏହି ସମ୍ମିଳନୀରେ ପାସ୍ ହୋଇଥିଲା । ସେତେବେଳେ ଓଡ଼ିଶାରେ ଓଡ଼ିଶାର ଆର୍ଥିକ ସାମର୍ଥ୍ୟ ସମ୍ପର୍କରେ ପ୍ରବଳ ବିତର୍କ ଚାଲିଲା ।

ଡେଲାଙ୍ଗର ରମାରଞ୍ଜନ ମହାନ୍ତି ‘ଓଡ଼ିଶା କ’ଣ ପ୍ରକୃତରେ ଗରିବ ଦେଶ?’ ନାମକ ଆଲୋଚନାରେ ଆଶା ସମ୍ବାଦପତ୍ରର ୨୨ଜୁଲାଇ ୧୯୨୯ର ସଂଖ୍ୟାରେ ସୁଚିନ୍ତିତ ମତ ପ୍ରକାଶ କରି ଓଡ଼ିଆ ଜାଗରଣ ପାଇଁ ନିବେଦନ କରିଥିଲେ । ସେ ଉପସଂହାରରେ ଲେଖିଥିଲେ – ‘ଏ ଦେଶରେ ଧନର ଅଭାବ ନାହିଁ, ଅଭାବ ମନର ।’

ସାଇମନ୍ ରିପୋର୍ଟରେ ଓଡ଼ିଆ ଦେଶ ମିଶ୍ରଣ ପ୍ରସଙ୍ଗ ଏବଂ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ଓଡ଼ିଶାର ସାମର୍ଥ୍ୟ ପ୍ରସଙ୍ଗ ଦେଖି ୧୯୩୦ ବେଳକୁ ଓଡ଼ିଆମାନଙ୍କର ସୁପ୍ତ ଆଶା ଜାଗ୍ରତ ହୋଇଉଠିଲା । କଟକରେ ଲକ୍ଷ୍ମୀଧର ମହାନ୍ତି ଏବଂ ଭୁବନାନନ୍ଦ ଦାସ ପ୍ରମୁଖ ବ୍ୟକ୍ତିମାନେ ଗୋଟିଏ ସଂଘ ସ୍ଥାପନ କରିଥିଲେ ଏହି ଏକତ୍ରୀକରଣର ସଫଳ ରୂପ ପାଇଁ । ଗଞ୍ଜାମରେ ସେହିପରି ଏକ ଦୃଢ଼ ଅନୁଷ୍ଠାନ ସ୍ଥାପନ ହେବା ଆବଶ୍ୟକ ବୋଲି ଆଶା ସମ୍ବାଦପତ୍ରରେ ୧୯୩୦ରେ ମତପ୍ରକାଶ ପାଇଥିଲା ।

ଉତ୍କଳ ସମ୍ମିଳନୀ ମଞ୍ଚରୁ ଓଡ଼ିଆଦେଶ ମିଶ୍ରଣ ପ୍ରସଙ୍ଗ ବ୍ୟାପକ ଭାବେ ପ୍ରସାରିତ ହେଲାପରେ ୧୯୩୦ ବେଳକୁ ଓଡ଼ିଶା ସ୍ୱତନ୍ତ୍ରପ୍ରଦେଶ ହେବା ଆବଶ୍ୟକ ବୋଲି ମତ ଦିଆଗଲା । ୧୯୩୧ରେ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ର କରି ଓଡ଼ିଶା ଗଠନ ପାଇଁ ଏକ କମିଟି ସରକାରଙ୍କ ତରଫରୁ ଗଢ଼ାଯାଇଥିଲା । ଏହାକୁ ବାଉଣ୍ଡାରୀ କମିଶନ୍ ବୋଲି କୁହାଯାଏ ।

ଏହି ଓଡେନେଲ ସୀମା କମିଟି ୧୯୩୨ ମସିହାରେ ବିଭିନ୍ନ ଓଡ଼ିଆଭାଷୀ ଅଞ୍ଚଳମାନଙ୍କରୁ ସ୍ମାରକପତ୍ର, ପ୍ରାଚୀନ ଐତିହାସିକ ପ୍ରମାଣପତ୍ର, ଆର୍ଥିକ ଅବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନାମାନ ସଂଗ୍ରହ କରିଥିଲେ । ସେହି କମିଟି ନିକଟରେ ପ୍ରକୃତ ଓଡ଼ିଆ ମୁଲକ କେଉଁ କେଉଁ ପ୍ରଦେଶରେ ଅବସ୍ଥିତ ଏବଂ ସେସବୁର ମିଶ୍ରଣ ଓଡ଼ିଶା ସହିତ ହେବା ଆବଶ୍ୟକ କି ନାହିଁ ସେହି ପ୍ରସଙ୍ଗର ପରିଚିତି ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଭା ସମିତି କରାଯାଇଥିଲା ।

୧୯୩୧-୩୨ର ଓଡେନେଲ ସୀମା କମିଟିରେ ଆସାମର ଫୁକାନ୍ ଓ ବମ୍ବେର ମେହେଟ୍ଟା ସଦସ୍ୟ ଥିଲେ ମଧ୍ୟ ଓଡ଼ିଶାରୁ କେହି ଏହାର ସଦସ୍ୟ ନଥିଲେ । ଫଳରେ କମିଟି ନିରପେକ୍ଷ ବିଚାର ଆଗତ କରିପାରିଲେ ନାହିଁ । ସେତେବେଳେ ସମଗ୍ର ଓଡ଼ିଆଭାଷୀ ମୁଲକମାନଙ୍କରେ ବିଭିନ୍ନ ଓଡ଼ିଆ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ପ୍ରବଳ ଦାବୀ କରାଯାଇଥିଲା । ଏହି ଓଡେନେଲ କମିଟି ରିପୋର୍ଟରେ ପାରଳା ଓ ଜୟପୁର ଓଡ଼ିଶା ସହିତ ମିଶ୍ରଣ ନହେବାର ଦେଖି ପ୍ରବଳ ପ୍ରତିବାଦ ପ୍ରକାଶ ପାଇଥିଲା ।

ମେଦିନପୁର ଅଞ୍ଚଳକୁ ଓଡ଼ିଶା ସହିତ ମିଶ୍ରଣ ପାଇଁ ନୟାବସାଣଠାରେ ପ୍ରବଳ ଆନ୍ଦୋଳନ ମୁଣ୍ଡ ଟେକିଲା । ନୟାବସାଣରେ ଓଡ଼ିଶା ଦେଶ ମିଶ୍ରଣ ପାଇଁ ଗୋଟିଏ ଯୁବକସଂଘ ଗଠିତ ହୋଇଥିଲା । ଯୁବକ ସଂଘର କର୍ମୀମାନେ ନୟାବସାଣ, କାଳିଆ ବେଢ଼ା, ଖେଲାଡ଼ ପ୍ରଗଣାରେ କାର୍ଯ୍ୟ କରିଥିଲେ । ମାତ୍ର ବୀରେନ୍ଦ୍ର ସାସମଲ ଏହି ମିଶ୍ରଣ ବିରୁଦ୍ଧରେ ସେଠାରେ କାର୍ଯ୍ୟ କରୁଥିଲେ।
୧୯୩୧-୩୨ର ଧଳଭୂମିର ଆଦିବାସୀମାନେ ଓଡ଼ିଶା ସହିତ ମିଶିବାକୁ ପ୍ରବଳ ଆକାଂକ୍ଷା ପ୍ରକାଶ କରିଥିଲେ । ଜୁଲରା ମାଝି, ଗଣେଷ ମାଝି, କାଳିଚରଣ ରାମଦାସ ମାଝି, ଗଣେଷ ମୁରୁମ୍, ଗୌରହରି ସାହତ, ଭିଖାରୀ ମଣ୍ଡଳ ଓ ଚୈତନ୍ୟ ମାଝି ପ୍ରଭୃତି ଧଳଭୂମି ଓଡ଼ିଶା ସହିତ ମିଶିବା ଆବଶ୍ୟକ ବୋଲି ବିଭିନ୍ନ ସଭାରେ ସ୍ୱର ଉଠାଇଥିଲେ ।

ଧଳଭୂମି ରାଜା ପ୍ରତାପଚନ୍ଦ୍ର ଦେଓ ଏହି ମିଶ୍ରଣର ସମ୍ପୂର୍ଣ୍ଣ ସମର୍ଥକ ଥିଲେ । ସେତେବେଳେ ଗୋଦାବରୀଶ ମହାପାତ୍ର, ଯଦୁମଣି ମଙ୍ଗରାଜ ପ୍ରଭୃତି ତୁଙ୍ଗ ଓଡ଼ିଆ ନେତାମାନେ ମେଦିନପୁର ଓ ସିଂହଭୂମି ଅଞ୍ଚଳରେ ବୁଲି ଓଡ଼ିଆ ଆନ୍ଦୋଳନକୁ ବ୍ୟାପକ କରାଇଥିଲେ ।

ଓଡ଼ିଆ ଜାତି ପକ୍ଷରେ ଓଡ଼ିଆ ଦେଶମିଶ୍ରଣ ଏକ ଜୀବନମରଣ ସମସ୍ୟା ରୂପେ ୧୯୩୦ ଦଶକରେ ମୁଣ୍ଡ ଟେକିଥିଲା ବୋଲି ଆଶା ସମ୍ବାଦପତ୍ରରେ କୁହାଯାଇଥିଲା । ସେଥିପାଇଁ ୧୯୩୧ ଡିସେମ୍ବର ୧୨ ରେ ଆଶା ସମ୍ବାଦପତ୍ରରେ ମାୟାଧର ମାନସିଂହ ‘ଉତ୍ତିଷ୍ଠ ଉତ୍କଳ’ ଶୀର୍ଷକ କବିତାରେ ଲେଖିଥିଲେ –
‘ଉଠରେ ସୁପ୍ତ ଜାତି
ନିଦ୍ରା ବିଭୋର ଦେଖି ପ୍ରତିବେଶୀ
ନେବେ ତୋ ଅଙ୍ଗ କାଟି
ଉତ୍ତରରେ ଅଛି ଚତୁର ବଙ୍ଗ
ଦକ୍ଷିଣେ ରହିଛି ଟାକି ତେଲଙ୍ଗ
ଗୂଧ୍ର ସମାନ କାଟିବେ ଅଙ୍ଗ
ନେବେ ଆନନ୍ଦେ ବାଣ୍ଟି
ଜୀବନ ରକ୍ଷା ଚାହୁଁ ଯଦି ଆଜି
ରକ୍ଷା କର ତୋ ମାଟି
ସବୁତ ଯାଇଛି ମାଟିତଳେ ମିଶି
ରାଜ୍ୟ ଓ ଇତିହାସ
ଅଛି ଖାଲି ଆଜି ଦରିଦ୍ର ବୋଲି ଜଗତରପରିହାସ
………

ଇତିହାସ କହେ ପରା
ଗଙ୍ଗାକୂଳରୁ ଗୋଦାବରୀ ଯାଏ
ଥିଲା ଉତ୍କଳ ଧରା?
ପିତା-ପିତାମହ ରକ୍ତାର୍ଜିତ
ଜୟ ଗଜପତି – ଜୟ ଗର୍ଜିତ
ଓଡ଼ିଆ ପାଇକ ବାହୁ – ସଜ୍ଜିତ
ପୂର୍ଣ୍ଣ ଶସ୍ୟ-ସୁଫଳା
ଆରେ ହତଭାଗା ଜାତି କାହିଁ ଆଜି
ସେ ଯେ ଉତ୍କଳ ଧରା?
କାପୁରୁଷ ପରି ଦେଖିଲୁ ନେବାର
ଏକେ ଏକେ ପ୍ରତିବାସୀ
ପୈତୃକ ଭୂମି ଦୁର୍ବଳ ଦେଖି
ପଶିଲେ ଭିନ୍ନଭାଷୀ
ତତେ ନ ପଚାରି ରାଜ୍ୟ ତୋ ତେଣୁ
ହୋଇଛି ଭଙ୍ଗା ଗଢ଼ା
ଆଜି କାପୁରୁଷ ଭାଙ୍ଗିବୁ ନିଦ
ସୁଯୋଗ ଆସିଛି ପରା?’

ଓଡ଼ିଶା ରାଜ୍ୟ ଗଠନ ଓ ଓଡ଼ିଆଭାଷୀ ଅଞ୍ଚଳ ଏକତ୍ରୀକରଣ ବିରୁଦ୍ଧରେ ବଙ୍ଗଳା, ବିହାର ଓ ଓଡ଼ିଶାରେ ସ୍ୱର ଉଠିଥିଲା । ବ୍ରହ୍ମପୁରର ଆନ୍ଧ୍ର ଭାଷାଭି ବର୍ଦ୍ଧିନୀ ସମାଜ ଗୃହରେ ଆନ୍ଧ୍ରମାନେ ଓଡ଼ିଶାପ୍ରଦେଶ ସଙ୍ଗଠନ ବିରୁଦ୍ଧରେ ୧୯୩୨ମସିହାରେ ଏକ ସଭାରେ ସ୍ୱର ଉଠାଇଥିଲେ ।

ଏଥିରେ ପଟ୍ଟାଭି ରାମେୟା,ବରାହଗିରି ଯୋଗେୟା, ପରାଙ୍କୁଶ ଶ୍ରୀରାମମୂର୍ତ୍ତି, ଶ୍ରୀପାଦ ଗୋପାଳକୃଷ୍ଣାମା, ହରିଡ଼ାଖଣ୍ଡି ମଠ ଟ୍ରଷ୍ଟି ରାଓ ସାହେବ ମାଣ୍ଡା ଆପ୍ପାରାଓ ପ୍ରମୁଖ ସମର୍ଥକ ଥିଲେ । ସେମାନେ ଗଞ୍ଜାମକୁ ଆନ୍ଧ୍ରରେ ମିଶାଇବାକୁ ମତ ଦେଇଥିଲେ । (ଆଶା, ୯-୫, ୧୯୩୨) ବ୍ରହ୍ମପୁରର ସୀତାରାମ ବିଳାସ ସିନେମା ଭବନରେ ଗଞ୍ଜାମ ବିଶାଖାପତ୍ତନ ସ୍ପେଶାଲ ଆନ୍ଧ୍ର ସମ୍ମିଳନୀର ମିଳିତ ଅଧିବେଶନ ଜୁଲାଇ ୩, ୧୯୩୨ରେ ହୋଇଥିଲା ।

ଏହି ସଭାରେ ପାରଳା, ବ୍ରହ୍ମପୁର, ଛତ୍ରପୁର, ଚିକିଟି, ବ୍ରହ୍ମପୁର ଓ ବିଶାଖାପାଟଣା ମାଳ ଏହି ସମସ୍ତ ଅଞ୍ଚଳମାନ ଓଡ଼ିଶାରେ ମିଶାଇବା ସପକ୍ଷରେ ସୀମା କମିଟି କରିଥିବା ସୁପାରିଶକୁ ପ୍ରତିବାଦ କରାଯାଇଥିଲା । ଏହା ଜାତି, ଭାଷା, ଭୌଗୋଳିକ ଅବସ୍ଥିତି, ଆର୍ଥିକ ବିଭାବ, ଶାସନ ପରିଚାଳନା ସୁବିଧା ଓ ଜନସାଧାରଣଙ୍କ ଇଚ୍ଛା ଅନିଚ୍ଛା ଇତ୍ୟାଦି ପ୍ରତି ଦୃଷ୍ଟି ନଦେଇ କରାଯାଇଥିବାରୁ ସଭା ପ୍ରତିବାଦ କରିଥିଲା ।

ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ୧୯୩୦ ଦଶକରେ ଦକ୍ଷିଣ ଓଡ଼ିଶାର ଓଡ଼ିଆ ଅଞ୍ଚଳ ଗୁଡ଼ିକ ମିଶ୍ରଣ ଓ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଳିଷ୍ଠ ଉଦ୍ୟମ କରିଥିଲେ ।
ସମଗ୍ର ଓଡ଼ିଆ ଅଧ୍ୟୁଷିତ ଆୟତନ ଭାବୀ ଓଡ଼ିଶା ପ୍ରଦେଶରେ ଅନ୍ତର୍ଭୁକ୍ତ କରାନଗଲେ ଏହି ନୂତନ ଓ ତରୁଣ ପ୍ରଦେଶର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବନାହିଁ ବୋଲି ୧୯୩୩ରେ ଆଶା ସମ୍ବାଦପତ୍ରରେ ଅଭିମତ ପ୍ରକାଶ ପାଇଥିଲା ।

ଯେକୌଣସି ଉତ୍ପନ୍ନ ଓ ବିକାଶ ପାଇଁ ତିନୋଟି ଉପକରଣ ଅପରିହାର୍ଯ୍ୟ – ଜାଗା, ପଇସା ଓ ପରିଶ୍ରମ । ଏହି ତିନୋଟିରୁ ଗୋଟିକର ଅଭାବରେ ବୈଷୟିକ ଉନ୍ନତି ଅସମ୍ଭବ । ସେଥିପାଇଁ ଦେଶମିଶ୍ରଣ ଗୁରୁତ୍ୱପୂର୍ଣ୍ଣ ଥିଲା । ଓଡ଼ିଶା ପ୍ରଦେଶ ଯଥାଯଥ ଭାବେ ସବୁଅଞ୍ଚଳ ନେଇ ଗଠିତ ହେଲେ ।

ଏହାର ଆର୍ଥିକ ଅବସ୍ଥା ନାନା ପ୍ରକାରେ ସ୍ୱଚ୍ଛଳ କରାଯାଇପାରେ । ସେଥିପାଇଁ ଆଶା ସମ୍ବାଦପତ୍ର(୨୩-୧-୧୯୩୩)ରେ ଲେଖାଥିଲା – ‘ଆମ ଜାଗା ସବୁ ଆମକୁ ଦିଆଯାଉ ।

ତାହାହେଲେ ଆମେ ବାହାପଟ ମାରି ଏବଂ ପରିଶ୍ରମ କରି ମାଟିରୁ ଆମର ସମ୍ପଦ ବାହାର କରି ଦେଶର ଲୋକଙ୍କୁ ସୁଖୀ ଓ ଜୀବନଯାପନ ପାଇଁ ସମର୍ଥ କରିବାକୁ ସକ୍ଷମ ହେବୁ ।
ଓଡ଼ିଶା ପୃଥକ ପ୍ରଦେଶ ହେଲେ ତାହା ଚିରକାଳ ସକାଶେ ଏକ ଗରିବ ଓ ଅବନତ ପ୍ରଦେଶ ହୋଇ ରହିବ ଏବଂ କେନ୍ଦ୍ର ସରକାରଙ୍କଠାରୁ ମୁଷ୍ଟିଭିକ୍ଷା ନପାଇଲେ ତିଷ୍ଠି ପାରିବ ନାହିଁ ବୋଲି ଓଡ଼ିଶା ବାହାରେ ଅଭିମତ ପ୍ରକାଶ ପାଇଲା ।

ମାତ୍ର ସେମାନେ ଓଡ଼ିଆର ଶକ୍ତି ସାମର୍ଥ୍ୟ ଓ ଓଡ଼ିଶାର ଅନ୍ତର୍ନିହିତ ସମ୍ପଦ କଥା କିଛି ଜାଣିନଥିଲେ ବୋଲି ସେତେବେଳର ସମ୍ବାଦପତ୍ର ମାନଙ୍କରେ ପ୍ରକାଶ ପାଇଥିଲା । ସେଥିରେ ବ୍ରିଟିଶ ଶାସନ ପୂର୍ବେ ଓଡ଼ିଶା ତାହାର ପୃଥକ୍ ବ୍ୟକ୍ତିତ୍ୱ ରକ୍ଷା କରିପାରିଥିଲା ଏବଂ ନିଜ ଉନ୍ନତିର ପରାକାଷ୍ଠା ଦେଖାଇଥିଲା, ବ୍ରିଟିଶ ଶାସନରେ ଓଡ଼ିଆ ଦେଶ ଛିନ୍ନ ଭିନ୍ନ ହେବାରୁ ଏବଂ ଓଡ଼ିଆମାନେ ବହୁକାଳ ପର ପନ୍ଦାଡ଼ରେ ପଡ଼ି ପର ମୁଖାପେକ୍ଷୀ ହୋଇ ରହିଥିବାରୁ ଯାହାକିଛି ଦୁଃସ୍ଥିତି ଘଟିଲା ବୋଲି ସୂଚାଇ ଦିଆଯାଇଥିଲା ।

ସୌଜନ୍ୟ – ସମଦୃଷ୍ଟି

https://bit.ly/2UwsJA2


Share Samadhwani
Support Samadhwani

About ପ୍ରଫେସର କୈଳାସ ଚନ୍ଦ୍ର ଦାଶ

ଇତିହାସ ବିଭାଗର ପ୍ରଫେସର, ଗବେଷକ

Check Also

‘ଡ଼େଙ୍ଗିଲି’ ଗାଁ’ର ସାଂସ୍କୃତିକ ଜୀବନୀ

Share Samadhwaniଆଶିଷ କୁମାର ବେହେରା ଆମ ଗାଁ’ର ନାମ ଡ଼େଙ୍ଗିଲି । ମୋହନ ବ୍ଲକ ବିରିକୋଟ ଗ୍ରାମପଂଚାୟତର ଏହା ଏକ …