ନୀରଦ ମହାପାତ୍ର, ମାୟାମିରିଗ ଓ ସମାନ୍ତରାଳ ସିନେମା

ଭାସ୍କର ପରିଚ୍ଛା 336 Views
6 Min Read

ଚାରିବର୍ଷ ତଳେ ଭାରତୀୟ ସମାନ୍ତରାଳ ସିନେମାର ଅନ୍ୟତମ ପ୍ରବୀଣ ବ୍ୟକ୍ତି ମନୀ  କାଉଲଙ୍କର ନିଧନ ହୋଇଯାଇଥିଲା । ସେ କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ମୃତ୍ୟୁବେଳକୁ ବୟସ ହୋଇଥିଲା ମାତ୍ର ୬୬ବର୍ଷ । ନିକଟରେ ନୀରଦ ମହାପାତ୍ର ଚାଲିଗଲେ । ନୀରଦ ମଧ୍ୟ ସେଇ ଦୁରାରୋଗରେ ପୀଡ଼ିତ ଥିଲେ ଓ ସେ ମଧ୍ୟ ପ୍ରାୟ ଏକା ବୟସରେ ଦେହତ୍ୟାଗ କଲେ । ଏଇ ଦୁଇ ବିଚକ୍ଷଣ ଚିତ୍ର ନିର୍ମାତାଙ୍କ ଅକାଳ ବିୟୋଗ ସତ୍ତେ୍ୱ ସମାନ୍ତରାଳ ସିନେମାର ଗ୍ରାହକଙ୍କ ମନରେ ସେମାନେ ଆଜି ବି ଚିର ବନ୍ଦନୀୟ ହୋଇ ରହିଛନ୍ତି ।

କାଉଲଙ୍କ ଭଳି ନୀରଦ ମଧ୍ୟ ପୁନେର ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ରୁ ବାହାରିଥିଲେ । ୧୯୭୦ ରେ କାଉଲଙ୍କ ‘ଉସ୍କି ରୋଟି’ ଚର୍ଚ୍ଚାକୁ ଆସିଲା । ଏହା ଥିଲା ତାଙ୍କର ପ୍ରଥମ ଚିତ୍ର । ଏହି ଚିତ୍ରପାଇଁ କାଉଲଙ୍କୁ ଘୋର ସମାଲୋଚନାର ଶିକାର ହେବାକୁ ପଡ଼ିଲା । କାରଣ ଏଥିରେ ପାରମ୍ପରିକ ଗୀତ ନାଚର ଦୃଶ୍ୟ ନଥିଲା ଓ ମୁଖ୍ୟଧାରାର ଚିତ୍ର ନିର୍ମାଣରୁ ସେ ବିଚ୍ୟୁତ ହୋଇଥିଲେ । ଏହି ଚିତ୍ର ମାଧ୍ୟମରେ କାଉଲ ସାଧାରଣ ସିନେମାର ବୌଦ୍ଧିକ ଅନୁପସ୍ଥିତିକୁ ତାତ୍ସଲ୍ୟ କରିଥିଲେ । ହୁଏତ ନୀରଦଙ୍କୁ ସେହିଭଳି ସମାଲୋଚନାର ଶିକାର ହେବାକୁ ପଡ଼ିନଥିଲା । କାରଣ ୧୯୮୪ରେ ମାୟାମିରିଗ ତିଆରି ହେବା ବେଳେ ଏମିତି ବି ଓଡ଼ିଆ ସିନେମା ଶୈଶବ ଅବସ୍ଥାରେ ଥିଲା ।

ମାୟାମିରିଗ ଯଦି ଗୋଟିଏ ପରେ ଗୋଟିଏ ପ୍ରଶସ୍ତି ପାଇଲା ଓ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କଲା, ତାର ନିର୍ମାଣର ଇତିହାସ ମଧ୍ୟ ଘଟଣାବହୁଳ ଥିଲା । ନିଜେ ନୀରଦ କହୁଥିଲେ ଯେ ମାୟାମିରିଗ ଲିଖିତ କାହାଣୀର ଏକ ପରିବର୍ଦ୍ଧିତ, ପରିମାର୍ଜିତ ଓ ପରୀକ୍ଷିତ ରୂପ । ଚିତ୍ରଟି ପୁରୀରେ ସୁଟିଂ ହୋଇଥିଲା । ଅଳ୍ପ କେଇଜଣ ସୌଖୀନ କଳାକାର ଓ ବୈଷୟିକ ସହାୟକଙ୍କୁ ନେଇ ନୀରଦ ମାୟାମିରିଗ ତିଆରି କରିଥିଲେ । ଏହି ଚିତ୍ରର ସବୁଠାରୁ ବଡ଼ ଆକର୍ଷଣ ଥିଲା ସେଇ ପୁରୁଣାକାଳିଆ ଘର, ଚିତ୍ରର ମୌଳିକ ଆବେଦନକୁ ଏଇ ସେଟ୍ଟି ବହୁତ ବଢ଼ାଇ ଦେଇଥିବା ବିଷୟ ନୀରଦ କହୁଥିଲେ ।

ଓଡ଼ିଶାରେ ମଧ୍ୟବିତ୍ତ ଶ୍ରେଣୀର ହା-ହତାଶାକୁ ନେଇ ନୀରଦ ମାୟାମିରିଗ ନିର୍ମାଣ କରିଥିଲେ । ବିଶେଷ କରି ଏକାନ୍ନବର୍ତ୍ତୀ ପରିବାରର କ୍ରମାଗତ ଅବକ୍ଷୟକୁ ସେ ଅତି ଚମକ୍ରାର ଭାବରେ ଏଥିରେ ଫୁଟାଇଥିଲେ । ଆଜିର ଦିନରେ ହୁଏତ ଏକକ ପରିବାର ଏକ ସାମାଜିକ ନିୟମରେ ପରିଣତ ହୋଇଯାଇଛି, କିନ୍ତୁ ମାୟାମିରିଗ ଯୌଥ ପରିବାରର ଆସନ୍ନ ସଙ୍କଟ ସମ୍ପର୍କରେ ଆମକୁ ଢେର ଆଗରୁ ଏ ସମ୍ପର୍କରେ ସୂଚିତ କରିପାରିଥିଲା ।

ଯେଉଁମାନେ ମାୟାମିରିଗକୁ  ନିରିଖେଇ ଦେଖିଛନ୍ତି, ଚିତ୍ରର ଶେଷ ଆଡ଼କୁ କେତୋଟି ଦୃଶ୍ୟ ସେମାନଙ୍କ ମନରେ ଲିପିବଦ୍ଧ ହୋଇ ରହିଥିବ ନିଶ୍ଚିତ । ଯେମିତି ଚିତ୍ରଟି ସରି ସରି ଆସୁଛି, ପରିବାରଟି ନଷ୍ଟ ହୋଇଚାଲିଛି । ରାତିର ନିଃଶବ୍ଦ ପ୍ରହରରେ, ଘରର ଖଂଜା ଭିତରେ ଓ ପୁଅ-ବୋହୂଙ୍କ କୋଠରୀରେ କେବଳ ଅତୀତର ସେଇ ସ୍ମୃତି ହିଁ ଉଙ୍କି ମାରୁଛି- କେମିତି ସେମାନେ ଏକାଠି ଥିଲେ, ପରସ୍ପରର ଭଲ ମନ୍ଦ ବୁଝୁଥିଲେ । କିନ୍ତୁ ଏକଥା ମଧ୍ୟ ସେମାନେ ଉପଲବ୍ଧ କରୁଥିଲେ ଯେ  ଆଉ ଏକାଠି ରହିବା ସମ୍ଭବ ନୁହେଁ । ଭିନ୍ନେ ହେବା ଅବଶ୍ୟମ୍ଭାବୀ । ତାହା ହିଁ ସମୟ ଚାହୁଁଛି ।

ମଝିଆ ପୁଅ ଟୁଟୁ ( ଯିଏ କି ଜଣେ ଆଇଏଏସ୍ ଅଫିସର ଓ ତିନି ପୁଅ ଝିଅଙ୍କ ଭିତରେ ସବୁଠାରୁ ପ୍ରତିଭାବାନ୍) ସ୍ତ୍ରୀ ଆଣିଥିବା ଯୌତୁକକୁ ନେଇ ଘରୁ ବାହାରି ଯାଉଥିବା ଦୃଶ୍ୟଠାରୁ ଆରମ୍ଭ କରି  ଅସୁସ୍ଥତାର କାରଣ ଦର୍ଶାଇ ବଡ଼ବୋହୂ (ପ୍ରଭା)ଙ୍କ ସଂଜବତୀ ଜଳାଇବାର ଅନାଗ୍ରହ ଓ ଶେଷରେ ମା ଘରର ସବୁ ଦାୟିତ୍ୱ ନେବା; ଏସବୁ ଚିତ୍ରର ଗୋଟିଏ ଗୋଟିଏ ମହନୀୟ, ସ୍ମରଣୀୟ ଓ ଆବେଗମୟ ଦିଗ । ପରିଶେେରେ ରାଜକିଶୋର ବାବୁ ତାହାଙ୍କ  ଦୁଇବର୍ଷର ନାତିକୁ ପଚାରୁଛନ୍ତି- ତୁ ବି ଆମକୁ ଛାଡ଼ି ଚାଲିଯିବୁ । ଅତି ମର୍ମନ୍ତୁଦ ସେଇ କୋହଭରା ପ୍ରଶ୍ନ!

ଯେହେତୁ ନୀରଦ ନିଜେ ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସିଥିଲେ, ସେ ଭଲଭାବରେ ଜାଣିଥିଲେ ଯେ ଏହି ପରିବାରର ଆଶା ନିରାଶା, ଦୁଃଖ-ସୁଖ, ସ୍ୱପ୍ନ-ଆକାଂକ୍ଷା, ଦାୟିତ୍ୱବୋଧ- ଅନୁଶୀଳନ ଓ ସ୍ୱାର୍ଥାନ୍ୱେଷିତା । ଗୋଟିଏ ପରିବାର ଭିତରେ ବହୁ ସଦସ୍ୟ ଥିବାବେଳେ ଯେଉଁ ସ୍ୱାଧୀନତା (ମାନସିକ ଓ ଆର୍ଥିକ) ଲୋଡ଼ା ହୁଏ ଏବଂ ନ ମିଳିଲେ କିପରି ପରିବାରଟି ଭାଙ୍ଗିଯାଏ, ‘ମାୟାମିରିଗ’ ତା’ର ନିଚ୍ଛକ ପ୍ରତିଛବି ।

ମାୟାମିରିଗକୁ ଦେଶରୁ ଓ ଦେଶ ବାହାରୁ ତ ବହୁ ପୁରସ୍କାର ମିଳିଥିଲା । ଏହା ଢେର ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ଥିଲା ମଧ୍ୟ । କୌତୁହଳର ବିଷୟ ଏହି ଯେ ନୀରଦ ଆଉ ଗୋଟିଏ ମାୟା ମିରିଗ ତିଆରି କରିପାରିନଥିଲେ । ହୁଏତ ସେ ଚିନ୍ତା କରିଥିଲେ ଯେଉଁ ସବୁ ସମ୍ମିଶ୍ରଣରେ ଚିତ୍ରଟି ନିର୍ମିତ ହୋଇପାରେ; ସେହି ପରିବେଶ, ପ୍ଲଟ୍ ଓ ପରୀକ୍ଷା ଆଉଥରେ କରିବା / ମିଳିବା କଷ୍ଟ । ତେବେ, ନୀରଦ ବେଶ୍ କିଛି ଚମକ୍ରାର ବୃତ୍ତଚିତ୍ର ବି ତିଆରି କରିଛନ୍ତି ।

ନୀରଦ ମହାପାତ୍ର ମୂଳତଃ ଥିଲେ ଜଣେ ଫିଲ୍ମ ତତ୍ତ୍ୱବିତ୍ । ସିନେମାର ବହୁ ଦିଗକୁ ସେ ପଢ଼ିଛନ୍ତି, ପରଖିଛନ୍ତି ଓ ନିଜର ଛାତ୍ରମାନଙ୍କ ନିକଟରେ ପରିବେଷଣ କରିଛନ୍ତି । ଭାରତୀୟ ସମାନ୍ତରାଳ ସିନେମାର ଯେଉଁ କେତେଜଣ ରଥୀ-ମହାରଥୀଙ୍କ ନାମ ସର୍ବଦା ଉଚ୍ଚାରିତ ହୁଏ,  (ଗିରିଶ କାସରଭଲି, ଜାହ୍ନୁ ବରୁଆ, ସୟିଦ ମିର୍ଜା, କେତନ ମେହେଟ୍ଟା, ମନମୋହନ ମହାପାତ୍ର, ବିଧୁବିନୋଦ ଚୋପ୍ରା), ସେମାନେ ସମସ୍ତେ ଥିଲେ ନୀରଦଙ୍କ ସମସାମୟିକ ।

ମାୟାମିରିଗ ଅଶୀଦଶକର ‘ନ୍ୟୁ ୱେଭ୍’ ଚଳଚ୍ଚିତ୍ର ବ୍ୟବସାୟିକ ସିନେମାର ମତି-ଗତିକୁ ପ୍ରଶ୍ନ କରିଥିଲା କେବଳ ନୁହେଁ, ଆଧୁନିକ ମଣିଷର ନବଚେତନା ଓ ଚିନ୍ତନକୁ ବି ସାମ୍ନାକୁ ଆଣିଥିଲା । ପୂରା ୩୬୦ ଡିଗ୍ରୀ ଘୂରିବା ଭିତରେ ଏହି ସବୁ ପରୀକ୍ଷାମୂଳକ ସିନେମା ଜରିଆରେ ଚିତ୍ର ନିର୍ଦ୍ଦେଶକ ପ୍ରଶ୍ନ କରୁଥିଲେ ଦର୍ଶକଙ୍କ ଗୀତ-ନାଚ ଓ ଫାଣ୍ଟାସିର ମୋହକୁୁ । ନୂଆ ନୂଆ ଚିନ୍ତା ଓ ଚିତ୍ର ନିର୍ମାଣ ଶୈଳୀରେ ଯେଉଁ ପରୀକ୍ଷଣ ହୋଇଥିଲା, ତାର ଅଭିନବ ପରିପ୍ରକାଶ ଥିଲା ମାୟାମିରିଗ ।  ମାୟାମିରିଗ ଓ ସେହିଭଳି ଚିତ୍ର ବହୁଳଭାବରେ ସତ୍ୟର ସନ୍ଧାନରେ ରହୁଥିଲେ ଗତାନୁଗତିକାକୁ  ପ୍ରଶ୍ନ କରୁଥିଲେ ଓ ନିଶ୍ଚିତ ଭାବରେ ଚଳଚ୍ଚିତ୍ରର ଲୋକପ୍ରିୟ ଶୈଳୀଠାରୁ ଦୂରେଇ ରଖୁଥିଲେ । ଭାରତୀୟ ଚଳଚ୍ଚିତ୍ର ଇତିହାସରେ ‘ନୀରଦ’ ଓ ‘ମାୟାମିରିଗ’ ଏକ ଯୁଗର ପ୍ରତିନିଧିତ୍ୱ କରିବା ଓଡ଼ିଶା ପାଇଁ ଥିଲା ଗର୍ବ ଓ ଗୌରବର ବିଷୟ ।

[box type=”success” align=”” class=”” width=””]ନୀରଦ ମହାପାତ୍ର ମୂଳତଃ ଥିଲେ ଜଣେ ଫିଲ୍ମ ତତ୍ତ୍ୱବିତ୍ । ସିନେମାର ବହୁ ଦିଗକୁ ସେ ପଢ଼ିଛନ୍ତି ଓ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ପରଖିଛନ୍ତି । ଓଡ଼ିଶାରେ ମଧ୍ୟବିତ୍ତ ଶ୍ରେଣୀର ହା-ହତାଶାକୁ ନେଇ ନୀରଦ ନିର୍ମାଣ କରିଥିଲେ ମାୟାମିରିଗ ଚଳଚିତ୍ର । ବିଶେଷ କରି ଏକାନ୍ନବର୍ତ୍ତୀ ପରିବାରର କ୍ରମାଗତ ଅବକ୍ଷୟକୁ ସେ ଅତି ଚମକ୍ରାର ଭାବରେ ଏଥିରେ ଫୁଟାଇଥିଲେ । ମାୟାମିରିଗ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ଯେଉଁଭଳି ସ୍ୱୀକୃତି ଲାଭ କଲା, ତାର ନିର୍ମାଣର ଇତିହାସ ମଧ୍ୟ ସେହିଭଳି ଘଟଣାବହୁଳ ଥିଲା । ଚଳଚିତ୍ରର ମୁଖ୍ୟ ଆକର୍ଷଣ ଥିଲା ପୁରୁଣା କାଳର ଘର, ରୀତିନୀତି ଓ ପରସ୍ପର ଭିତରେ ସମ୍ପର୍କ । ଭାରତୀୟ ଚଳଚ୍ଚିତ୍ର ଇତିହାସରେ ‘ନୀରଦ’ ଓ ‘ମାୟାମିରିଗ’ ଏକ ଯୁଗର ପ୍ରତିନିଧିତ୍ୱ କରିଥିଲେ ବୋଲି ଏହି ସମୀକ୍ଷାଟିରେ ବିଶିଷ୍ଟ ସାମ୍ବାଦିକ ତଥା ସଂସ୍କୃତି ଓ ଚଳଚିତ୍ର ସମୀକ୍ଷକ ଶ୍ରୀ ଭାସ୍କର ପରିଚ୍ଛା ପ୍ରକାଶ କରିଛନ୍ତି । –ସମ୍ପାଦକ[/box]

ସୌଜନ୍ୟ – ସମଦୃଷ୍ଟି

Photo credit- internet

Share This Article
Exit mobile version