ପ୍ର- ଆପଣ କାହିଁକି କଳାପ୍ରତି ଆକୃଷ୍ଟ ହେଲେ? ଏଥିପାଇଁ କାହାଠାରୁ ଅଧିକ ପ୍ରେରଣା ପାଇଥିଲେ?
ଉ – ଆଧ୍ୟାତ୍ମ ପରିବେଶ ଭିତରେ ଆମ ପରିବାର ଗଢ଼ା । ଘରେ କେଉଁ ପୂର୍ବପୁରୁଷରୁ ଶ୍ରୀ ରାଧାକୃଷ୍ଣ ଯୁଗଳ ମୂରତି ଉପାସନା ହୋଇ ଆସୁଛି । ପ୍ରତ୍ୟହ ସନ୍ଧ୍ୟା ଆରତିରେ ଘଣ୍ଟ, ଶଙ୍ଖ, ମୃଦଙ୍ଗ ବାଜେ । ବାପା ମଧ୍ୟ ଟିକିଏ ମୃଦଙ୍ଗ ବଜାଉଥିଲେ । ପ୍ରଥମ ପ୍ରେରଣା ମୋ ସ୍ୱର୍ଗତ ପିତା,ମାତା ସ୍ୱର୍ଗତ ବିଶ୍ୱମ୍ଭର ମିଶ୍ର ଓ ସୁଶିଳା ଦେବୀଙ୍କ ଠାରୁ ପାଇଛି । ଆମ ପଡ଼ାର ନାଁ ରାଧାରାଣୀ ପଡ଼ା ପୁନଃ ଆମ ଘର ସଂଲଗ୍ନ ଘରରେ ନିତ୍ୟ ରାଧାରାଣୀ କିର୍ତ୍ତନ ପାର୍ଟି ଦ୍ୱାରା ଗୌଡ଼ିୟ ପରମ୍ପରା ହେଉଥିଲା । ଘର ସମ୍ମୁଖରେ ମୋର କାକା ପୂର୍ବତନ ମନ୍ତ୍ରୀ ଡଃ ରାମ ପ୍ରସାଦ ମିଶ୍ରଙ୍କ ଘରେ ମୋର ଦୁଇ ବଡ଼ଭଉଣୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରୁଥିଲେ । ସେହିସବୁ ଜନ୍ମରୁ କାନରେ ପଡ଼ି ପଡ଼ି ସ୍ୱତଃ ସଙ୍ଗୀତ ପ୍ରତି ଆକୃଷ୍ଟ ହେଲି । ପରେ କୋଶଳ କଳାମଣ୍ଡଳରେ ସ୍ୱର୍ଗତ ଗୁରୁ ଶ୍ରୀ ଚିତ୍ତରଞ୍ଜନ ସାହାଣୀଙ୍କ ଆଶ୍ରୟରେ ଶାସ୍ତ୍ରୀୟ ତବଲା ବାଦନ ଶିକ୍ଷା କଲି । ସେତେବେଳେ ମୋର ସୌଭାଗ୍ୟ ସ୍ୱର୍ଗତ କ୍ଷେତ୍ରମୋହନ କର ଶ୍ରୀ ଧିରେନ୍ଦ୍ର ନାଥ ଦତ୍ତ, ଶ୍ରୀ ନନ୍ଦନିଧି ଧଳ, ଶ୍ରୀ ନାରାୟଣ ଦାସ ସ୍ୱର୍ଗତ ନଟବର ମହାରଣା ପ୍ରମୁଖ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ ସଙ୍ଗୀତଜ୍ଞ ଗୁରୁମାନଙ୍କ ମାର୍ଗଦର୍ଶନ ମିଳିଲା ।
ପ୍ର – କେତେ ବୟସରୁ କଳାଶିକ୍ଷାରେ ବ୍ରତି ହେଲେ?
ଉ- ପ୍ରାୟଃ ମୋର ବୟସ ଶୁଣିବା ଅନୁସାରେ ୩ରୁ ୫ବର୍ଷ ଭିତରେ ହୋଇଥିବି ।
ପ୍ର- ଆପଣ ପ୍ରଥମ ମଞ୍ଚ ପରିବେଷଣ ବେଳେ କିପରି ଅନୁଭବ କରିଥିଲେ?
ଉ – ୧୯୬୫ସାଲରେ ଗୋଟିଏ ଜିଲ୍ଲାସ୍ତରୀୟ ତବଲା ପ୍ରତିଯୋଗିତା ହେଉଥାଏ। ହଲ୍ ରେ ଲୋକ ପୂର୍ଣ୍ଣ। ମୋ ପାଳି ଆସିଲା ବେଳେ ଭୟରେ ଛାତି ଦୋହଲି ଯାଉଥାଏ । ଝାଳନାଳ ହୋଇ ପ୍ରଥମ ତବଲା ଲହରା ବାଦନ କଲି ଏବଂ ଭାବିଥିଲି କିଛି ହେବାର ନାହିଁ, କିନ୍ତୁ ଫଳ ଘୋଷଣା ହେଲା ଯେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଛି । କରତାଳିରେ ହଲ୍ ଗର୍ଜିଉଠିଲା । ଭିତରେ ଭିତରେ ମାତାପିତା ଗୁରୁଙ୍କୁ ପ୍ରଣାମ କରି କୁଣ୍ଡେମୋଟ ହୋଇଗଲି ଏବଂ ବିଶ୍ୱାସ ଜନ୍ମିଲା ଯେ ମୁଁ ଠିକ୍ ମାର୍ଗରେ ଶିକ୍ଷାଗ୍ରହଣ କରୁଛି । ତେଣିକି ଦିନକ ଆଠଘଣ୍ଟା ଅଭ୍ୟାସ ଭାରତର ବିଭିନ୍ନ ଗୁରୁମାନଙ୍କ ଆଶ୍ରୟରେ ମାର୍ଗଦର୍ଶନ ଲାଭକଲି, ଆଗେଇ ଗଲି । ତା ପରେ କଣ୍ଠସଙ୍ଗୀତ ନୃତ୍ୟର ବ୍ୟାକରଣ ଅନୁଧ୍ୟାନ ପ୍ରାୟତଃ ଅର୍ଣ୍ଣପୂର୍ଣ୍ଣା ବଲାଙ୍ଗୀର ଆସୁଥାଏ ତହିଁରେ ସ୍ୱର୍ଗତ ପଦ୍ମ ବିଭୂଷଣ ଗୁରୁଜୀ କେଳୁଚରଣ ମହାପାତ୍ରଙ୍କ ପାଇଁ ଓଡ଼ିଶୀ ନୃତ୍ୟ ଆଦୃତ ହେଉଥାଏ ତାହା ପ୍ରତି ଟାଣିହୋଇ ସେ ଦିଗରେ ଗୁରୁ ମହାପାତ୍ର ଓ ଗୁରୁ ନଟବର ମହାରଣାଙ୍କ ଆଶିଷ ପ୍ରାପ୍ତି ହେଲା ନିର୍ଭୟରେ ଆଗକୁ ଯିବାପାଇଁ ।
ଗୋଟିଏ ଦିନ ଏପରି ଏକ ସଭାରେ ଏ ଅଞ୍ଚଳର ଲୋକକଳାକୁ କିଛି ପୂର୍ବାଞ୍ଚଳ ବିଦ୍ୱାନ ଏହା ଏକ କୁସଂସ୍କାର ଭିତ୍ତିହୀନ ଅନାର୍ଯ୍ୟ ସଂସ୍କୃତି ବୋଲି ଗାଳିକରିବାରୁ ଶାସ୍ତ୍ରୀୟ ପରିବର୍ତ୍ତେ ଲୋକକଳା ଭିତରେ ମୁଣ୍ଡ ପୁରେଇ ଏଯାବତ୍ ଖୋଜୁଛି… କିଛି ପାଇଛି… ।
ପ୍ର- ଦିନୁଦିନ ଲୋକକଳା, ଲୋକବାଦ୍ୟ ଅପସରିଯାଇଛି । କ’ଣ କରାଯାଇପାରିଲେ ପୁଣି ଏହା ଲୋକଙ୍କ ଭିତରେ ଆଦ୍ରୁତ ହେବ?
ଉ- ପୂର୍ବ ପରମ୍ପରା ଅନ୍ତର୍ଗତ ଲୋକକଳା ବା ବାଦ୍ୟ ପ୍ରଣାଳୀ, ନୃତ୍ୟର କାରଣ ଓ ଭାବ,ରସ, ଛଳ ଆଦି ଲିପିର ଇତିହାସ ନଥିବାରୁ ଏହା ଲୋପପାଇବାକୁ ବସିଛି ଯଦିବା କାଁ ଭାଁ କିଛି କିଛି ଲିପି ରହିଛି ତାହା ପୁଣି ପ୍ରକୃତି କୋଳରେ ଗ୍ରାମ ପରମ୍ପରାକୁ ନିଜ ଖିଆଲି ମନରେ ମଞ୍ଚରେ ପରିବେଷଣ କରି ଉପଯୁକ୍ତ ସଫଳତା ପାଇପାରୁ ନାହାଁନ୍ତି । ବ୍ୟବସାୟୀକରଣ ପାଇଁ ଏହା ଉଦ୍ଦିଷ୍ଟ ହୋଇପାରୁନଥିବାରୁ ଏବଂ ସରକାର ତଥା ଆଜିର କର୍ମବ୍ୟସ୍ତ ଶିକ୍ଷିତ ଦର୍ଶକ ମଞ୍ଚ ଚମତକାରିତା, ନାରୀ ଶୋଭା ଗୋଷ୍ଠୀର ନୃତ୍ୟ ବା କଳ୍ପିତ ବାଦ୍ୟ ବୃନ୍ଦଙ୍କୁ ପ୍ରୋତ୍ସାହନ ଦେବା ହେତୁ ଅବକ୍ଷୟ ତ ନୁହେଁ ଲୋକକଳା ଲୁପ୍ତ ହେବାକୁ ବସିଲାଣି । ଏହିସବୁ କଳାର ସେତେବେଳେ ଯାଇ ସଂରକ୍ଷଣ ସମ୍ଭବ ହେବ ଯେତେବେଳେ ସରକାରଙ୍କ ସଂସ୍କୃତି ବିଭାଗ, ଶିକ୍ଷାବିଭାଗ, ପ୍ରତ୍ନତତ୍ତ୍ୱ ବିଭାଗ ଆନ୍ତରିକତାର ସହିତ ଏହାର ସୁରକ୍ଷାପାଇଁ ଉଦ୍ୟମ କରିବେ । ଏହାସହିତ ସଙ୍ଗୀତଜ୍ଞ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଗ୍ରାମାଞ୍ଚଳର ସୃଷ୍ଟି ତତ୍ତ୍ୱ ସହ, ପ୍ରକୃତି ସହ ଏକ ମେଳ ହୋଇ କିଛି ନୀତି ନିର୍ଦ୍ଧାରଣ କରିବେ । ସେତେବେଳେ ଯାଇ ଏହିସବୁ ଅଞ୍ଚଳର ସଂସ୍କୃତି ରକ୍ଷା ହେବ ତାହା ନୁହେଁ ସମଗ୍ର ଓଡ଼ିଶା ସାଂସ୍କୃତିକ କ୍ଷେତ୍ରରେ ବେଶ ବିତ୍ତଶାଳୀ ହୋଇ ଭାରତ କାହିଁକି ବିଶ୍ୱ ଦରବାରରେ ବିଜୟ ଧ୍ୱଜା ଉଡ଼ାଇ ଗର୍ବିତ ହେବ । ରାଜନୈତିକ କୁଟିଳତା ଛାଡ଼ିଲେ ଏବଂ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ମନୋଭାବ ଛାଡ଼ିଲେ ଯାଇ ଏସବୁ ସମ୍ଭବ ।
Photo credit- internet