ସଂସ୍କୃତି ସଂରକ୍ଷକ ସ୍ରଷ୍ଟା କାଳୀଚରଣ

Chief Editor
Chief Editor 263 Views
7 Min Read

[box type=”shadow” align=”” class=”” width=””]‘କାଳି ଚରଣ ପଟ୍ଟନାୟକ’ ଆଧୁନିକ ଓଡ଼ିଆ ନାଟକର ସ୍ରଷ୍ଟା, ତାଙ୍କୁ ଓଡ଼ିଆ ନାଟକର ‘ଭରତ ମୁନୀ’ ବୋଲି କୁହାଯାଏ । ଏକାଧାରରେ ଜଣେ ସଙ୍ଗୀତଜ୍ଞ, ନାଟ୍ୟକାର ଅଟନ୍ତି ସେ । ତାଙ୍କର ପ୍ରଗାଢ଼ ନିଷ୍ଠା ଏବଂ ପ୍ରଚେଷ୍ଠାରେ ଓଡ଼ିଶୀ ନୃତ୍ୟ ୧୯୫୮ ମସିହାରେ ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ପ୍ରପ୍ତ ହୋଇପାରିଥିଲା । ଏହି ମହାନ କଳାକାର ତଥା ସଂସ୍କୃତି ପ୍ରେମୀ ମଣିଷ ଓଡ଼ିଶାର ଯୁବପିଢ଼ୀ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି । କେବଳ ନାଟ୍ୟକାର କିମ୍ବା କଳାକାର ହୋଇ ନୁହେଁ ଏକାଧାରରେ ସାମାଜିକ ପରିବର୍ତ୍ତନର ସ୍ୱପ୍ନ ଦେଖୁଥିବା କଳାକାରମାନେ ହିଁ ସବୁବେଳେ ନିଆରା ବ୍ୟକ୍ତିତ୍ୱ ହୋଇଥାନ୍ତି । ସେହିଭଳି କଳାକାରମାନଙ୍କୁ ‘ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରିବାପାଇଁ ଆମେ ଯଥା ସମ୍ଭବ ପ୍ରୟାସ କରିଆସିଛୁ । ଉପଦେୟତା ଦୃଷ୍ଟିରୁ ସମାଜରେ ୨୦୧୪ ମସିହାରେ ପ୍ରକାଶିତ ଏହି ଲେଖାଟିକୁ ଆମେ ପୁନଃ ପ୍ରକାଶ କରିଛୁ ।                                         -ସମ୍ପାଦକ[/box]

କାଳୀଚରଣଙ୍କକର ଜନ୍ମ ଓଡ଼ିଆ ସଂସ୍କୃତିର ଏକ ବିପର୍ଯ୍ୟସ୍ତ ସମୟରେ ବିଂଶ ଶତାବ୍ଦୀ ଆରମ୍ଭର ଅବ୍ୟବହିତ ପୂର୍ବରୁ । ୧୮୭୬ ମସିହାରେ ବ୍ରିଟିଶ ସରକାର ଏକ ନାଟ୍ୟ ନିୟନ୍ତ୍ରଣ ବିଲ୍ ଆଣି ନାଟକ ପରିବେଷଣକୁ ସମଗ୍ର ଭାରତରୁ ଦୂରେଇ ଦେବାର ଅପଚେଷ୍ଟା କରିଥିଲେ । ସେମାନଙ୍କର ଭୟଥିଲା ନାଟକ ଜରିଆରେ ଲୋକମାନଙ୍କ ଭିତରେ ଜାତୀୟ ଚେତନାର ଉଦ୍ରେକ କରାଯାଇ ସ୍ୱଦେଶୀ ଆନ୍ଦୋଳନ ଓ ପରାଧିନତା ବିପକ୍ଷରେ ଜନସମର୍ଥନ ସୃଷ୍ଟି କରାଯାଇଛି ବୋଲି । ଏଣୁ ପ୍ରଥମେ ଏକ ଅଧ୍ୟାଦେଶ ଓ ପରେ ବିଧିବଦ୍ଧ ଭାବରେ ଏକ ବିଲ୍ ଆଣି ସରକାର ନାଟକ ପ୍ରଦର୍ଶନ ଉପରେ ଅଙ୍କୁଶ ଲଗାଇ ଦେଇଥିଲେ । ଏ ସବୁ ସତ୍ତେ୍ୱ ମାହାଙ୍ଗାଠାରେ ରାଧାକାନ୍ତ ମଞ୍ଚ ଗଢ଼ି ନାଟ୍ୟକାର ଜଗନ୍ମୋହନ ଲାଲା ନାଟକ ପରିବେଷଣ ଆରମ୍ଭ କରିଥିଲେ । ତାଙ୍କ ପଦାଙ୍କ ଅନୂସରଣ କରି ଆଗଇ ଗଲେ କାଳୀଚରଣ ଓ ‘ନାଟ୍ୟଭାରତୀ’ ଅଶ୍ୱିନୀକୁମାର । ବହୁ ପ୍ରତିକୂଳ ଅବସ୍ଥା ଭିତରେ ଦେଇ ଏହି ଦୁଇ ନାଟ୍ୟକାରଙ୍କ ତ୍ୟାଗ, ତପସ୍ୟା ଓ ସଂଘର୍ଷକୁ ଅଙ୍ଗୀକାର କରି ନଜକୁ ପ୍ରତିଷ୍ଠିତ କରିବାରେ ତଥା ଓଡ଼ିଆ ନାଟକକୁ ପାଦେ ପାଦେ ଆଗଇ ନେବାକୁ ସମର୍ଥ ହେଲେ ।

କାଳୀଚରଣଙ୍କ ନାଟ୍ୟପ୍ରେମ ବାଳକ ବୟସରୁ ପ୍ରତିଭାତ ହୋଇଥିଲା । ପ୍ରଥମ ନାଟକ ପରିବେଷଣ ହେଲା- ଖଡ଼ିଆଳ ରାଜକୁମାର ବୀର ବିକ୍ରମ ଦେବଙ୍କ ‘ଉକ୍ରଳ ଦୁର୍ଦଶା’ । ବାଙ୍କି ଚର୍ଚ୍ଚିକା ସ୍କୁଲରେ ପାଠପଢ଼ା ସାଙ୍ଗକୁ ମଝିରେ ମଝିରେ ଗୀତା ଚର୍ଚ୍ଚା ଓ ନାଟ୍ୟାଭିନୟ କରି ସେ ଶିକ୍ଷକ ଓ ଛାତ୍ରମାନଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ବଡ଼ମ୍ବା ରାଜା ବିଶ୍ୱମ୍ବର ମଙ୍ଗରାଜ ଥିଲେ ତାଙ୍କର ପ୍ରଥମ ଉତ୍ସାହଦାତା । ବାପା ଦୁର୍ଗାଚରଣ ବଡ଼ମ୍ବା ରାଜାଙ୍କ ପାଖେ ଚାକିରୀ କରୁଥିବାବେଳେ ଶିଶୁ କାଳୀଚରଣ ଜେଜେ ଯୋଗୀ ପଟ୍ଟନାୟକଙ୍କଠାରୁ ସଙ୍ଗୀତ ଶିକ୍ଷା କରି ରାଜାଙ୍କ ଅନୁରୋଧରେ ସଙ୍ଗୀତ ପରିବେଷଣ କରି ପୁରସ୍କୃତ ମଧ୍ୟ ହେଉଥିଲେ । ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରି ସେ ରେଭେନ୍ସା କଲେଜରେ ଅଧ୍ୟୟନ କଲେ । ୧୯୧୮ରେ ଆଇ.ଏ ପାସ କରି ପରେ ବି.ଏ ରେ ନାମ ଲେଖାଇଲେ, କିନ୍ତୁ ୧୯୧୯ରେ ଅଚାନକ ପିତୃବିୟୋଗ ପରେ ପାଠପଢ଼ାରେ ଡ଼ୋର ବନ୍ଧା ହେଲା ।

ରେଭେନ୍ସା କଲେଜରେ ପଢ଼ୁଥିବା ବେଳେ ସେ ଗୋବିନ୍ଦ ସୁରଦେଓଙ୍କ ସମ୍ପର୍କରେ ଆସନ୍ତି । ଗୋବିନ୍ଦ ସୁରଦେଓ ସେତେବେଳେ ନାଟ୍ୟ ଦଳଟିଏ ଗଢ଼ି ନାଟ୍ୟ ପରିବେଷଣ କରୁଥାଆନ୍ତି । ଏଣୁ କାଳୀଚରଣ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜସ୍ୱ ରାସ ପାର୍ଟି  ‘ସାକ୍ଷୀଗୋପାଳ ନାଟ୍ୟ ସଂଘ’ ଗଢ଼ିଲେ ୧୯୨୯ରେ । ଏହି ଦଳ ଦ୍ୱାରା ୧୪ଟି ରାସ ନାଟକ ପରିବେଷିତ ହୋଇଥିଲା ୧୦ ବର୍ଷ ମଧ୍ୟରେ । କ୍ରମେ ଦର୍ଶକଙ୍କର ରାସ ସରାଗ କମି ଆସିବାରୁ ଏହି ରାସ ଦଳ ଭାଙ୍ଗିଗଲା । ଜନ୍ମନେଲା ଓଡ଼ିଆ ଥିଏଟର୍ସ ୧୯୩୯ରେ । ସାମାଜିକ ନାଟକ ରଚନା ଓ ପରିବେଷଣର ନୂତନ ପର୍ବ ଆରମ୍ଭ ହେଲା । ରଚିତ ହେଲା ପ୍ରତିଶୋଧ, ଆହୂତି, ଜୀବିତ ତର୍ପଣ ଆଦି ନାଟକ ଓ ଏକାଙ୍କିକା ରଚନା । କବିଚନ୍ଦ୍ର ନିଜର ଚାକିରି ଜୀବନରେ ବାରିପଦା ରହଣି ସମୟରେ ଲେଖିଥିଲେ ମୃଗୟା, ଶକୁନ୍ତଳା ଓ ହରିଶ୍ଚନ୍ଦ୍ର । ଏସବୁ ସେଠାରେ ମଞ୍ଚସ୍ଥ ହୋଇଥିଲା । ମୃଗୟା ନାଟକଟି ଅମିତ୍ରାକ୍ଷର ଛନ୍ଦରେ ରଚିତ ହୋଇ ୧୯୨୫ରେ ପରିବେଷିତ ହେଲା । ଅମିତ୍ରାକ୍ଷର ଛନ୍ଦରେ ତାଙ୍କର ଆଉ ଏକ ନାଟକ ଥିଲା ‘ଲକ୍ଷ୍ମୀ’ ।

ଆହୁତି (୧୯୩୫), ପ୍ରତିଶୋଧ (୧୯୩୮), ଗାର୍ଲସ୍କୁଲ (୧୯୪୨), ଜୀବିତ ତର୍ପଣ (୧୯୩୩), ୧୯୪୩ରେ ‘ଜୟଦେବ’ ଆଦି ନାଟକ ବିଭିନ୍ନ ସ୍ଥାନରେ ପରିବେଷିତ ହେବା ପରେ କଟକ ବାଙ୍କା ବଜାରଠାରେ ଓଡ଼ିଶା ଥିଏଟର୍ସର ମଞ୍ଚ ଠିଆ ହେଲା । ସେଠାରେ ପ୍ରଦର୍ଶିତ ହେଲା ‘ବନମାଳୀ’, ‘ବେକାର’ ‘ଅତିବଡ଼ୀ ଜଗନ୍ନାଥ ଦାସ”, ‘ଅଭିଯାନ’, ‘ଚକ୍ରୀ’ ,’ଭାତ’, ‘ମାନଭଞ୍ଜନ’, ‘ମାନିନୀ’, ଓ ‘ପରିବର୍ତ୍ତନ’ । କେବଳ ଅଭିନେତ୍ରୀମାନଙ୍କୁ ନେଇ ‘ଅତିବଡ଼ୀ ଜଗନ୍ନାଥ ଦାସ’ ଅଭିନୀତ ହୋଇଥିଲା ୧୯୪୫ରେ । କିନ୍ତୁ ଏହା ପରେ ପରେ ଓଡ଼ିଶା ଥିଏଟର୍ସର କଳାକାରମାନେ ଅଧିକ ବେତନ ପାଇଁ ଜିଦ୍ କରି ଦଳ ଛାଡ଼ିଲେ । ଗଢ଼ିଲେ ଅନ୍ନପୂର୍ଣ୍ଣ ରଙ୍ଗମଞ୍ଚ-ଲିଙ୍ଗରାଜ ନନ୍ଦଙ୍କ ସାଙ୍ଗଠନିକତା ନେଇ । ଓଡ଼ିଶା ଥିଏଟର୍ସ ୧୯୪୯ ମସିହା ପୂର୍ବରୁ ନିଃଶେଷ ହୋଇ ସାରିଥିଲା । ‘ପ୍ରତିଶୋଧ’ଠାରୁ ‘ପରିବର୍ତ୍ତନ’ ପର୍ଯ୍ୟନ୍ତ ଯେତେ ଗୁଡ଼ିଏ ନାଟକ ଓଡ଼ିଶା ଥିଏଟର୍ସରେ କବିଚନ୍ଦ୍ରଙ୍କ ରଚନାରେ ପରିବେଶିତ ହୋଇଛି- କୌଣସିଟି ପରମ୍ପରାଠାରୁ ଦୂରେଇ ଯାଇ ନାହିଁ । ଚରିତ୍ର ବା ଘଟଣାକୁ କେନ୍ଦ୍ରକରି ସମକାଳୀନ ଜୀବନ ହିଁ ଏସବୁରେ ସ୍ଥାନ ପାଇଛି । ସଙ୍ଗୀତର ଚମକ୍ରାରିତା ଏଥିରେ ସନ୍ନିବେସିତ । ଏଣୁ ସେ ସମସ୍ତ ନାଟକ ଯୁଗରୁଚିର ଅନୂକୂଳ ହୋଇ ଆଦୃତ ହୋଇଛି । ସାହିତ୍ୟ ଓ ସଂସ୍କୃତି ପ୍ରତି ଅସମ୍ମାନକୁ ସେ ସହଜରେ ଗ୍ରହଣ କରି ପାରିନଥିଲେ । ଏଣୁ ୧୯୩୬ରେ ‘ଗୀତଗୋବିନ୍ଦ’ ଗୀତିନାଟ୍ୟ ରଚନା କରିଥିଲେ । ଏହା ବହୁ ଜନପ୍ରିୟ ହୋଇଥିଲା

୧୯୪୩ରେ ‘ଜୟଦେବ’ ରଚନା କରି ନିଜର ଓଡ଼ିଆତ୍ୱ ପ୍ରତିପାଦନ କରିଥିଲେ । ପରବର୍ତ୍ତୀ ସମୟରେ ଗୀତଗୋବିନ୍ଦ କାବ୍ୟର ‘ସମସ୍ୱରୀ ଓ ସମଛନ୍ଦୀ’ ଓଡିଆ ଅନୁବାଦ ତାଙ୍କର ଜୟଦେବ ପ୍ରେମର ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

କବିଚନ୍ଦ୍ରଙ୍କର ‘ଭାତ’ ନାଟକ ତାଙ୍କୁ ନାଟ୍ୟ ଜଗତରେ ଏକ ଉଜ୍ଜ୍ୱଳ ମାନ୍ୟତା ଆଣିଦେଇଥିଲା । ବହୁ ବାଦବିସମ୍ବାଦ ମଧ୍ୟରେ ସରକାରୀ ଅନୁମୋଦନ ପାଇବା ପରେ ହିଁ ଏହା ପ୍ରଦର୍ଶିତ ହେବା ସମ୍ଭବପର ହୋଇଥିଲା । ନାଟ୍ୟଜଗତରେ ବର୍ଷବର୍ଷ ଧରି ଲାଗି ରହିଥିବା ଏହି ବିରୋଧାଭାଷ ହିଁ ଓଡ଼ିଆ ନାଟ୍ୟ ଆନ୍ଦୋଳନକୁ ବଳିଷ୍ଠ କରିପାରିଥିଲା । ସମସ୍ତ ଘାତପ୍ରତିଘାତକୁ ସାମନା କରି କବିଚନ୍ଦ୍ର ନାଟ୍ୟ ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି, ଏହା ନିଶ୍ଚିତ ।

ଖୋର୍ଦ୍ଧା ହାଇସ୍କୁଲରେ ପଢ଼ିବାବେଳୁ କବିତା ରଚନା ଆରମ୍ଭ କରିଥିଲେ କାଳୀଚରଣ । କ୍ଷୁଦ୍ର କବିତା ‘ଉଦୁଉଦୁମା’ ତାଙ୍କର ପ୍ରଥମ ପ୍ରକାଶିତ କବିତା । ପରେପରେ କୋମଳ ଲଳିତ ଶବ୍ଦାବଳୀ ଚୟନ କରି ଅଜସ୍ର କବିତା ରଚନା କରିଥିଲେ । ପୁଣି ସେଥିରେ ପାରମ୍ପରିକ ରାଗରାଗିଣୀ ସଂଯୋଗ କଲେ । ଏସବୁ ‘କବିଚନ୍ଦ୍ର ଗୀତାବଳୀ’ ନାମରେ ପ୍ରକାଶିତ । ଏତଦ୍ ବ୍ୟତୀତ ଓଡ଼ିଶୀ ଲଘୁସଙ୍ଗୀତ, ଭଜନ ଜଣାଣ ଓ ପଲ୍ଲୀଗୀତ ନାମରେ ଚାରିଟି ପୁସ୍ତକ ପ୍ରକାଶିତ । କବିଙ୍କର ସଙ୍ଗୀତରେ ଭାବ, ଭାଷା ଓ ସ୍ୱରର ତ୍ରିବେଣୀ ସଙ୍ଗମ ଘଟିଅଛି । ଏତଦ୍ବ୍ୟତୀତ ସେ ‘ସାକ୍ଷୀଗୋପାଳ’, ‘ମାନିନୀ’, ‘ଗୀତଗୋବିନ୍ଦ’, ‘ପଞ୍ଚପୁଷ୍ପ’, ‘ମାଣିକୀ’, ‘ଦେହୀ ପଦ ପଲ୍ଲବ ମୁଦାରମ୍’ ଓ  ‘ଚନ୍ଦ୍ରିକା’ ପ୍ରଭୃତି ସାତଟି ନୃତ୍ୟନାଟିକା ମଧ୍ୟ ରଚନା କରିଛନ୍ତି । ଏସବୁରେ କବିତା, ସଙ୍ଗୀତ ସହ ନୃତ୍ୟାଭିନୟ ସଂଯୋଜିତ ।

ନିିଜେ ଜଣେ ସଙ୍ଗୀତଜ୍ଞ ହୋଇଥିବାରୁ ତାଙ୍କର ରଚିତ କବିତା ସବୁ ଗୀତିମୟ ହୋଇପାରିଥିଲା । ତାଙ୍କୁ ପୁରୀ ଗଜପତି ରାମଚନ୍ଦ୍ର ଦେବଙ୍କ ଦ୍ୱାରା ସମ୍ମାନଜନକ ‘କବିଚନ୍ଦ୍ର’ ଉପାଧି ମିଳିଥିଲା ୧୯୨୭ରେ । ଏଥିଲା ତାଙ୍କ ନାଟ୍ୟକାର ଜୀବନ ପୂର୍ବର କଥା । ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ପ୍ରତିଷ୍ଠା ପାଇଁ କର୍ଣ୍ଣଟକୀଠାରୁ ଏହା ଯେ ସ୍ୱତନ୍ତ୍ର, ଏକଥା ପ୍ରମାଣ କରିବାକୁ କାଳୀଚରଣ ମାର୍ଚ୍ଚ ୩୧, ୧୯୫୮ରେ ମାଡାସଠାରେ ହୋଇଥିବା ସଙ୍ଗିତ ସମ୍ମିଳନୀରେ ଦୁଇଟି ତଥ୍ୟପୂର୍ଣ୍ଣ ପ୍ରବନ୍ଧ ପାଠକରିଥିଲେ, ଛନ୍ଦ, ସ୍ୱର ଓ ରାଗ ନିଜେ ପରିବେଷଣ ମଧ୍ୟ କରିଥିଲେ । ସେହିପରି ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ପ୍ରତିପାଦନ କରି ଏପ୍ରିଲ ୫ ତାରିଖ୧୯୫୮ରେ ଏକ ସନ୍ଦର୍ଭ ପାଠ ମଧ୍ୟ କରିଥିଲେ । ସେହିବର୍ଷ ଏପ୍ରେଲ ୭ରେ ସଂସ୍କୃତି ମନ୍ତ୍ରଣାଳୟ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲା । ଏଣୁ ଓଡ଼ିଶୀ ସଙ୍ଗୀତ ନୃତ୍ୟକୁ ଭାରତୀୟ ସାଂସ୍କୃତିକ ଦରବାରରେ ସମୁଚିତ ସ୍ଥାନ ଦେବାକୁ କବିଚନ୍ଦ୍ରଙ୍କର ଉଦ୍ୟମ ପ୍ରଶଂସନୀୟ । ୧୯୪୪ରେ ଉତ୍କଳ ସାହିତ୍ୟ ସମାଜ ତାଙ୍କୁ ‘ନାଟ୍ୟାଚାର୍ଯ୍ୟ’ ଉପାଧିରେ ସମ୍ମାନିତ କରିଥିଲା । ୧୯୭୪ରେ ସେ ‘ପଦ୍ମଶ୍ରୀ’ ସମ୍ମାନ ପ୍ରାପ୍ତ ହୋଇଥିଲେ । ୧୯୬୯ରେ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡ଼େମୀର ସମ୍ମାନଜନକ ଆଜୀବନ ଫେଲୋର ଗୌରବ ପାଇଥିଲେ ।୧୯୭୫ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡି.ଲିଟ୍‌. ଉପାଧିରେ ଭୁଷିତ କରିଥିଲେ । ୧୯୭୭ରେ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ଆତ୍ମଜୀବନୀ ପୁସ୍ତକ-’କୁମ୍ଭାର ଚକ’ ପାଇଁ ସମ୍ମାନିତ ହୋଇଥିଲେ । ଆଧୁନିକତା ବା ନବୀନତାର ଦ୍ୱାହି ଦେଇ ସେ କେବେହେଲେ ଅପସଂସ୍କୃତିକୁ ଆବାହନ କରି ନାହାନ୍ତି । ପାରମ୍ପରିକତାର ଭିତ୍ତିଭୂମିରେ ସେ ଗଢ଼ିଯାଇଛନ୍ତି ଓଡ଼ିଶୀ ସୌଧ ।

(ଡ. ଶୈଳେଶ୍ୱର ନନ୍ଦ)

ସୌଜନ୍ୟ: ସମାଜ ୩୧ ଡ଼ିସେମ୍ବର ୨୦୧୪

 

photo credit- https://bit.ly/3iGStV2

Share This Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is a vocal Artist, cultural journalist and folk cultural researcher. She is based out of Bhubaneswar and edits her cultural magazine, Samadhwani. The magazine is available both in print and digital formats. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She edited a book comprising the writings of village biographies of school students written during Covid-19. The name of the book is “Chota Ama Gaan Ti”. She has extensively documented issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker. She produced her documentary “Ganda Baja” in 2022. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha particularly of Puri and Cuttack district, both in written and video formats.