[box type=”shadow” align=”” class=”” width=””]‘କାଳି ଚରଣ ପଟ୍ଟନାୟକ’ ଆଧୁନିକ ଓଡ଼ିଆ ନାଟକର ସ୍ରଷ୍ଟା, ତାଙ୍କୁ ଓଡ଼ିଆ ନାଟକର ‘ଭରତ ମୁନୀ’ ବୋଲି କୁହାଯାଏ । ଏକାଧାରରେ ଜଣେ ସଙ୍ଗୀତଜ୍ଞ, ନାଟ୍ୟକାର ଅଟନ୍ତି ସେ । ତାଙ୍କର ପ୍ରଗାଢ଼ ନିଷ୍ଠା ଏବଂ ପ୍ରଚେଷ୍ଠାରେ ଓଡ଼ିଶୀ ନୃତ୍ୟ ୧୯୫୮ ମସିହାରେ ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ପ୍ରପ୍ତ ହୋଇପାରିଥିଲା । ଏହି ମହାନ କଳାକାର ତଥା ସଂସ୍କୃତି ପ୍ରେମୀ ମଣିଷ ଓଡ଼ିଶାର ଯୁବପିଢ଼ୀ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି । କେବଳ ନାଟ୍ୟକାର କିମ୍ବା କଳାକାର ହୋଇ ନୁହେଁ ଏକାଧାରରେ ସାମାଜିକ ପରିବର୍ତ୍ତନର ସ୍ୱପ୍ନ ଦେଖୁଥିବା କଳାକାରମାନେ ହିଁ ସବୁବେଳେ ନିଆରା ବ୍ୟକ୍ତିତ୍ୱ ହୋଇଥାନ୍ତି । ସେହିଭଳି କଳାକାରମାନଙ୍କୁ ‘ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରିବାପାଇଁ ଆମେ ଯଥା ସମ୍ଭବ ପ୍ରୟାସ କରିଆସିଛୁ । ଉପଦେୟତା ଦୃଷ୍ଟିରୁ ସମାଜରେ ୨୦୧୪ ମସିହାରେ ପ୍ରକାଶିତ ଏହି ଲେଖାଟିକୁ ଆମେ ପୁନଃ ପ୍ରକାଶ କରିଛୁ । -ସମ୍ପାଦକ[/box]
କାଳୀଚରଣଙ୍କକର ଜନ୍ମ ଓଡ଼ିଆ ସଂସ୍କୃତିର ଏକ ବିପର୍ଯ୍ୟସ୍ତ ସମୟରେ ବିଂଶ ଶତାବ୍ଦୀ ଆରମ୍ଭର ଅବ୍ୟବହିତ ପୂର୍ବରୁ । ୧୮୭୬ ମସିହାରେ ବ୍ରିଟିଶ ସରକାର ଏକ ନାଟ୍ୟ ନିୟନ୍ତ୍ରଣ ବିଲ୍ ଆଣି ନାଟକ ପରିବେଷଣକୁ ସମଗ୍ର ଭାରତରୁ ଦୂରେଇ ଦେବାର ଅପଚେଷ୍ଟା କରିଥିଲେ । ସେମାନଙ୍କର ଭୟଥିଲା ନାଟକ ଜରିଆରେ ଲୋକମାନଙ୍କ ଭିତରେ ଜାତୀୟ ଚେତନାର ଉଦ୍ରେକ କରାଯାଇ ସ୍ୱଦେଶୀ ଆନ୍ଦୋଳନ ଓ ପରାଧିନତା ବିପକ୍ଷରେ ଜନସମର୍ଥନ ସୃଷ୍ଟି କରାଯାଇଛି ବୋଲି । ଏଣୁ ପ୍ରଥମେ ଏକ ଅଧ୍ୟାଦେଶ ଓ ପରେ ବିଧିବଦ୍ଧ ଭାବରେ ଏକ ବିଲ୍ ଆଣି ସରକାର ନାଟକ ପ୍ରଦର୍ଶନ ଉପରେ ଅଙ୍କୁଶ ଲଗାଇ ଦେଇଥିଲେ । ଏ ସବୁ ସତ୍ତେ୍ୱ ମାହାଙ୍ଗାଠାରେ ରାଧାକାନ୍ତ ମଞ୍ଚ ଗଢ଼ି ନାଟ୍ୟକାର ଜଗନ୍ମୋହନ ଲାଲା ନାଟକ ପରିବେଷଣ ଆରମ୍ଭ କରିଥିଲେ । ତାଙ୍କ ପଦାଙ୍କ ଅନୂସରଣ କରି ଆଗଇ ଗଲେ କାଳୀଚରଣ ଓ ‘ନାଟ୍ୟଭାରତୀ’ ଅଶ୍ୱିନୀକୁମାର । ବହୁ ପ୍ରତିକୂଳ ଅବସ୍ଥା ଭିତରେ ଦେଇ ଏହି ଦୁଇ ନାଟ୍ୟକାରଙ୍କ ତ୍ୟାଗ, ତପସ୍ୟା ଓ ସଂଘର୍ଷକୁ ଅଙ୍ଗୀକାର କରି ନଜକୁ ପ୍ରତିଷ୍ଠିତ କରିବାରେ ତଥା ଓଡ଼ିଆ ନାଟକକୁ ପାଦେ ପାଦେ ଆଗଇ ନେବାକୁ ସମର୍ଥ ହେଲେ ।
କାଳୀଚରଣଙ୍କ ନାଟ୍ୟପ୍ରେମ ବାଳକ ବୟସରୁ ପ୍ରତିଭାତ ହୋଇଥିଲା । ପ୍ରଥମ ନାଟକ ପରିବେଷଣ ହେଲା- ଖଡ଼ିଆଳ ରାଜକୁମାର ବୀର ବିକ୍ରମ ଦେବଙ୍କ ‘ଉକ୍ରଳ ଦୁର୍ଦଶା’ । ବାଙ୍କି ଚର୍ଚ୍ଚିକା ସ୍କୁଲରେ ପାଠପଢ଼ା ସାଙ୍ଗକୁ ମଝିରେ ମଝିରେ ଗୀତା ଚର୍ଚ୍ଚା ଓ ନାଟ୍ୟାଭିନୟ କରି ସେ ଶିକ୍ଷକ ଓ ଛାତ୍ରମାନଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ବଡ଼ମ୍ବା ରାଜା ବିଶ୍ୱମ୍ବର ମଙ୍ଗରାଜ ଥିଲେ ତାଙ୍କର ପ୍ରଥମ ଉତ୍ସାହଦାତା । ବାପା ଦୁର୍ଗାଚରଣ ବଡ଼ମ୍ବା ରାଜାଙ୍କ ପାଖେ ଚାକିରୀ କରୁଥିବାବେଳେ ଶିଶୁ କାଳୀଚରଣ ଜେଜେ ଯୋଗୀ ପଟ୍ଟନାୟକଙ୍କଠାରୁ ସଙ୍ଗୀତ ଶିକ୍ଷା କରି ରାଜାଙ୍କ ଅନୁରୋଧରେ ସଙ୍ଗୀତ ପରିବେଷଣ କରି ପୁରସ୍କୃତ ମଧ୍ୟ ହେଉଥିଲେ । ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରି ସେ ରେଭେନ୍ସା କଲେଜରେ ଅଧ୍ୟୟନ କଲେ । ୧୯୧୮ରେ ଆଇ.ଏ ପାସ କରି ପରେ ବି.ଏ ରେ ନାମ ଲେଖାଇଲେ, କିନ୍ତୁ ୧୯୧୯ରେ ଅଚାନକ ପିତୃବିୟୋଗ ପରେ ପାଠପଢ଼ାରେ ଡ଼ୋର ବନ୍ଧା ହେଲା ।
ରେଭେନ୍ସା କଲେଜରେ ପଢ଼ୁଥିବା ବେଳେ ସେ ଗୋବିନ୍ଦ ସୁରଦେଓଙ୍କ ସମ୍ପର୍କରେ ଆସନ୍ତି । ଗୋବିନ୍ଦ ସୁରଦେଓ ସେତେବେଳେ ନାଟ୍ୟ ଦଳଟିଏ ଗଢ଼ି ନାଟ୍ୟ ପରିବେଷଣ କରୁଥାଆନ୍ତି । ଏଣୁ କାଳୀଚରଣ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜସ୍ୱ ରାସ ପାର୍ଟି ‘ସାକ୍ଷୀଗୋପାଳ ନାଟ୍ୟ ସଂଘ’ ଗଢ଼ିଲେ ୧୯୨୯ରେ । ଏହି ଦଳ ଦ୍ୱାରା ୧୪ଟି ରାସ ନାଟକ ପରିବେଷିତ ହୋଇଥିଲା ୧୦ ବର୍ଷ ମଧ୍ୟରେ । କ୍ରମେ ଦର୍ଶକଙ୍କର ରାସ ସରାଗ କମି ଆସିବାରୁ ଏହି ରାସ ଦଳ ଭାଙ୍ଗିଗଲା । ଜନ୍ମନେଲା ଓଡ଼ିଆ ଥିଏଟର୍ସ ୧୯୩୯ରେ । ସାମାଜିକ ନାଟକ ରଚନା ଓ ପରିବେଷଣର ନୂତନ ପର୍ବ ଆରମ୍ଭ ହେଲା । ରଚିତ ହେଲା ପ୍ରତିଶୋଧ, ଆହୂତି, ଜୀବିତ ତର୍ପଣ ଆଦି ନାଟକ ଓ ଏକାଙ୍କିକା ରଚନା । କବିଚନ୍ଦ୍ର ନିଜର ଚାକିରି ଜୀବନରେ ବାରିପଦା ରହଣି ସମୟରେ ଲେଖିଥିଲେ ମୃଗୟା, ଶକୁନ୍ତଳା ଓ ହରିଶ୍ଚନ୍ଦ୍ର । ଏସବୁ ସେଠାରେ ମଞ୍ଚସ୍ଥ ହୋଇଥିଲା । ମୃଗୟା ନାଟକଟି ଅମିତ୍ରାକ୍ଷର ଛନ୍ଦରେ ରଚିତ ହୋଇ ୧୯୨୫ରେ ପରିବେଷିତ ହେଲା । ଅମିତ୍ରାକ୍ଷର ଛନ୍ଦରେ ତାଙ୍କର ଆଉ ଏକ ନାଟକ ଥିଲା ‘ଲକ୍ଷ୍ମୀ’ ।
ଆହୁତି (୧୯୩୫), ପ୍ରତିଶୋଧ (୧୯୩୮), ଗାର୍ଲସ୍କୁଲ (୧୯୪୨), ଜୀବିତ ତର୍ପଣ (୧୯୩୩), ୧୯୪୩ରେ ‘ଜୟଦେବ’ ଆଦି ନାଟକ ବିଭିନ୍ନ ସ୍ଥାନରେ ପରିବେଷିତ ହେବା ପରେ କଟକ ବାଙ୍କା ବଜାରଠାରେ ଓଡ଼ିଶା ଥିଏଟର୍ସର ମଞ୍ଚ ଠିଆ ହେଲା । ସେଠାରେ ପ୍ରଦର୍ଶିତ ହେଲା ‘ବନମାଳୀ’, ‘ବେକାର’ ‘ଅତିବଡ଼ୀ ଜଗନ୍ନାଥ ଦାସ”, ‘ଅଭିଯାନ’, ‘ଚକ୍ରୀ’ ,’ଭାତ’, ‘ମାନଭଞ୍ଜନ’, ‘ମାନିନୀ’, ଓ ‘ପରିବର୍ତ୍ତନ’ । କେବଳ ଅଭିନେତ୍ରୀମାନଙ୍କୁ ନେଇ ‘ଅତିବଡ଼ୀ ଜଗନ୍ନାଥ ଦାସ’ ଅଭିନୀତ ହୋଇଥିଲା ୧୯୪୫ରେ । କିନ୍ତୁ ଏହା ପରେ ପରେ ଓଡ଼ିଶା ଥିଏଟର୍ସର କଳାକାରମାନେ ଅଧିକ ବେତନ ପାଇଁ ଜିଦ୍ କରି ଦଳ ଛାଡ଼ିଲେ । ଗଢ଼ିଲେ ଅନ୍ନପୂର୍ଣ୍ଣ ରଙ୍ଗମଞ୍ଚ-ଲିଙ୍ଗରାଜ ନନ୍ଦଙ୍କ ସାଙ୍ଗଠନିକତା ନେଇ । ଓଡ଼ିଶା ଥିଏଟର୍ସ ୧୯୪୯ ମସିହା ପୂର୍ବରୁ ନିଃଶେଷ ହୋଇ ସାରିଥିଲା । ‘ପ୍ରତିଶୋଧ’ଠାରୁ ‘ପରିବର୍ତ୍ତନ’ ପର୍ଯ୍ୟନ୍ତ ଯେତେ ଗୁଡ଼ିଏ ନାଟକ ଓଡ଼ିଶା ଥିଏଟର୍ସରେ କବିଚନ୍ଦ୍ରଙ୍କ ରଚନାରେ ପରିବେଶିତ ହୋଇଛି- କୌଣସିଟି ପରମ୍ପରାଠାରୁ ଦୂରେଇ ଯାଇ ନାହିଁ । ଚରିତ୍ର ବା ଘଟଣାକୁ କେନ୍ଦ୍ରକରି ସମକାଳୀନ ଜୀବନ ହିଁ ଏସବୁରେ ସ୍ଥାନ ପାଇଛି । ସଙ୍ଗୀତର ଚମକ୍ରାରିତା ଏଥିରେ ସନ୍ନିବେସିତ । ଏଣୁ ସେ ସମସ୍ତ ନାଟକ ଯୁଗରୁଚିର ଅନୂକୂଳ ହୋଇ ଆଦୃତ ହୋଇଛି । ସାହିତ୍ୟ ଓ ସଂସ୍କୃତି ପ୍ରତି ଅସମ୍ମାନକୁ ସେ ସହଜରେ ଗ୍ରହଣ କରି ପାରିନଥିଲେ । ଏଣୁ ୧୯୩୬ରେ ‘ଗୀତଗୋବିନ୍ଦ’ ଗୀତିନାଟ୍ୟ ରଚନା କରିଥିଲେ । ଏହା ବହୁ ଜନପ୍ରିୟ ହୋଇଥିଲା
୧୯୪୩ରେ ‘ଜୟଦେବ’ ରଚନା କରି ନିଜର ଓଡ଼ିଆତ୍ୱ ପ୍ରତିପାଦନ କରିଥିଲେ । ପରବର୍ତ୍ତୀ ସମୟରେ ଗୀତଗୋବିନ୍ଦ କାବ୍ୟର ‘ସମସ୍ୱରୀ ଓ ସମଛନ୍ଦୀ’ ଓଡିଆ ଅନୁବାଦ ତାଙ୍କର ଜୟଦେବ ପ୍ରେମର ଉଜ୍ଜ୍ୱଳ ଦୃଷ୍ଟାନ୍ତ ।
କବିଚନ୍ଦ୍ରଙ୍କର ‘ଭାତ’ ନାଟକ ତାଙ୍କୁ ନାଟ୍ୟ ଜଗତରେ ଏକ ଉଜ୍ଜ୍ୱଳ ମାନ୍ୟତା ଆଣିଦେଇଥିଲା । ବହୁ ବାଦବିସମ୍ବାଦ ମଧ୍ୟରେ ସରକାରୀ ଅନୁମୋଦନ ପାଇବା ପରେ ହିଁ ଏହା ପ୍ରଦର୍ଶିତ ହେବା ସମ୍ଭବପର ହୋଇଥିଲା । ନାଟ୍ୟଜଗତରେ ବର୍ଷବର୍ଷ ଧରି ଲାଗି ରହିଥିବା ଏହି ବିରୋଧାଭାଷ ହିଁ ଓଡ଼ିଆ ନାଟ୍ୟ ଆନ୍ଦୋଳନକୁ ବଳିଷ୍ଠ କରିପାରିଥିଲା । ସମସ୍ତ ଘାତପ୍ରତିଘାତକୁ ସାମନା କରି କବିଚନ୍ଦ୍ର ନାଟ୍ୟ ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି, ଏହା ନିଶ୍ଚିତ ।
ଖୋର୍ଦ୍ଧା ହାଇସ୍କୁଲରେ ପଢ଼ିବାବେଳୁ କବିତା ରଚନା ଆରମ୍ଭ କରିଥିଲେ କାଳୀଚରଣ । କ୍ଷୁଦ୍ର କବିତା ‘ଉଦୁଉଦୁମା’ ତାଙ୍କର ପ୍ରଥମ ପ୍ରକାଶିତ କବିତା । ପରେପରେ କୋମଳ ଲଳିତ ଶବ୍ଦାବଳୀ ଚୟନ କରି ଅଜସ୍ର କବିତା ରଚନା କରିଥିଲେ । ପୁଣି ସେଥିରେ ପାରମ୍ପରିକ ରାଗରାଗିଣୀ ସଂଯୋଗ କଲେ । ଏସବୁ ‘କବିଚନ୍ଦ୍ର ଗୀତାବଳୀ’ ନାମରେ ପ୍ରକାଶିତ । ଏତଦ୍ ବ୍ୟତୀତ ଓଡ଼ିଶୀ ଲଘୁସଙ୍ଗୀତ, ଭଜନ ଜଣାଣ ଓ ପଲ୍ଲୀଗୀତ ନାମରେ ଚାରିଟି ପୁସ୍ତକ ପ୍ରକାଶିତ । କବିଙ୍କର ସଙ୍ଗୀତରେ ଭାବ, ଭାଷା ଓ ସ୍ୱରର ତ୍ରିବେଣୀ ସଙ୍ଗମ ଘଟିଅଛି । ଏତଦ୍ବ୍ୟତୀତ ସେ ‘ସାକ୍ଷୀଗୋପାଳ’, ‘ମାନିନୀ’, ‘ଗୀତଗୋବିନ୍ଦ’, ‘ପଞ୍ଚପୁଷ୍ପ’, ‘ମାଣିକୀ’, ‘ଦେହୀ ପଦ ପଲ୍ଲବ ମୁଦାରମ୍’ ଓ ‘ଚନ୍ଦ୍ରିକା’ ପ୍ରଭୃତି ସାତଟି ନୃତ୍ୟନାଟିକା ମଧ୍ୟ ରଚନା କରିଛନ୍ତି । ଏସବୁରେ କବିତା, ସଙ୍ଗୀତ ସହ ନୃତ୍ୟାଭିନୟ ସଂଯୋଜିତ ।
ନିିଜେ ଜଣେ ସଙ୍ଗୀତଜ୍ଞ ହୋଇଥିବାରୁ ତାଙ୍କର ରଚିତ କବିତା ସବୁ ଗୀତିମୟ ହୋଇପାରିଥିଲା । ତାଙ୍କୁ ପୁରୀ ଗଜପତି ରାମଚନ୍ଦ୍ର ଦେବଙ୍କ ଦ୍ୱାରା ସମ୍ମାନଜନକ ‘କବିଚନ୍ଦ୍ର’ ଉପାଧି ମିଳିଥିଲା ୧୯୨୭ରେ । ଏଥିଲା ତାଙ୍କ ନାଟ୍ୟକାର ଜୀବନ ପୂର୍ବର କଥା । ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ପ୍ରତିଷ୍ଠା ପାଇଁ କର୍ଣ୍ଣଟକୀଠାରୁ ଏହା ଯେ ସ୍ୱତନ୍ତ୍ର, ଏକଥା ପ୍ରମାଣ କରିବାକୁ କାଳୀଚରଣ ମାର୍ଚ୍ଚ ୩୧, ୧୯୫୮ରେ ମାଡାସଠାରେ ହୋଇଥିବା ସଙ୍ଗିତ ସମ୍ମିଳନୀରେ ଦୁଇଟି ତଥ୍ୟପୂର୍ଣ୍ଣ ପ୍ରବନ୍ଧ ପାଠକରିଥିଲେ, ଛନ୍ଦ, ସ୍ୱର ଓ ରାଗ ନିଜେ ପରିବେଷଣ ମଧ୍ୟ କରିଥିଲେ । ସେହିପରି ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ପ୍ରତିପାଦନ କରି ଏପ୍ରିଲ ୫ ତାରିଖ୧୯୫୮ରେ ଏକ ସନ୍ଦର୍ଭ ପାଠ ମଧ୍ୟ କରିଥିଲେ । ସେହିବର୍ଷ ଏପ୍ରେଲ ୭ରେ ସଂସ୍କୃତି ମନ୍ତ୍ରଣାଳୟ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲା । ଏଣୁ ଓଡ଼ିଶୀ ସଙ୍ଗୀତ ନୃତ୍ୟକୁ ଭାରତୀୟ ସାଂସ୍କୃତିକ ଦରବାରରେ ସମୁଚିତ ସ୍ଥାନ ଦେବାକୁ କବିଚନ୍ଦ୍ରଙ୍କର ଉଦ୍ୟମ ପ୍ରଶଂସନୀୟ । ୧୯୪୪ରେ ଉତ୍କଳ ସାହିତ୍ୟ ସମାଜ ତାଙ୍କୁ ‘ନାଟ୍ୟାଚାର୍ଯ୍ୟ’ ଉପାଧିରେ ସମ୍ମାନିତ କରିଥିଲା । ୧୯୭୪ରେ ସେ ‘ପଦ୍ମଶ୍ରୀ’ ସମ୍ମାନ ପ୍ରାପ୍ତ ହୋଇଥିଲେ । ୧୯୬୯ରେ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡ଼େମୀର ସମ୍ମାନଜନକ ଆଜୀବନ ଫେଲୋର ଗୌରବ ପାଇଥିଲେ ।୧୯୭୫ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡି.ଲିଟ୍. ଉପାଧିରେ ଭୁଷିତ କରିଥିଲେ । ୧୯୭୭ରେ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ଆତ୍ମଜୀବନୀ ପୁସ୍ତକ-’କୁମ୍ଭାର ଚକ’ ପାଇଁ ସମ୍ମାନିତ ହୋଇଥିଲେ । ଆଧୁନିକତା ବା ନବୀନତାର ଦ୍ୱାହି ଦେଇ ସେ କେବେହେଲେ ଅପସଂସ୍କୃତିକୁ ଆବାହନ କରି ନାହାନ୍ତି । ପାରମ୍ପରିକତାର ଭିତ୍ତିଭୂମିରେ ସେ ଗଢ଼ିଯାଇଛନ୍ତି ଓଡ଼ିଶୀ ସୌଧ ।
(ଡ. ଶୈଳେଶ୍ୱର ନନ୍ଦ)
ସୌଜନ୍ୟ: ସମାଜ ୩୧ ଡ଼ିସେମ୍ବର ୨୦୧୪
photo credit- https://bit.ly/3iGStV2