Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ଲୋକବାଦ୍ୟ ଧୁମକେଲ ଓ ଡାଲଖାଇ ଓଷା

ଲୋକବାଦ୍ୟ ଧୁମକେଲ ଓ ଡାଲଖାଇ ଓଷା

ଧୁନକେଲ୍ ବାଦନ

ଧର୍ମପ୍ରାଣ ଭାରତରେ ଶକ୍ତି ଉପାସନାର କ୍ଷେତ୍ର ଅତ୍ୟନ୍ତ ପ୍ରଶସ୍ତ । କେଉଁ ଆଦିମକାଳରୁ ଏଠାକାର ସିଦ୍ଧ ସାଧକ-ସାଧିକାମାନେ ଆପଣାର ଭାକ୍ତିକତାର ନିଦର୍ଶନ ସ୍ୱରୂପ ଶକ୍ତିପୂଜାର ଏକ ସୁଦୃଢ଼ ପରମ୍ପରା ସୃଷ୍ଟି କରିଆସିଛନ୍ତି । ଏହିକ୍ରମରେ ଲୋକମାନଙ୍କ ମନରେ ଗଭୀର ବିଶ୍ୱାସ ଜାତ କରିବା ସକାଶେ ସେହି ଶକ୍ତିମୟୀଙ୍କ ଅପାର କରୁଣା ଲାଭ ସୂଚକ ତଥା ପ୍ରକାରାନ୍ତରେ ଭୀତିପ୍ରଦ ଘଟଣାବହୁଳ କାହାଣୀମାନ ପୂଜକ, ଭକ୍ତ ବା ସାଧକମାନଙ୍କ ମୁଖରୁ ଶୁଣାଯାଇଥାଏ । ଡାଲ୍ଖାଇ, ସମ୍ଲେଇ, କମ୍ଗେଇ, ସୁର୍ସୁରି, ଘସିଏନ୍, ସୁନାଦେଇ ଆଦି କୋଶଳାଳର ପ୍ରମୁଖ ଦେବୀଙ୍କୁ ନେଇ କଥିତ କିମ୍ବଦନ୍ତୀମାନ ଏବେମଧ୍ୟ ଜନଶ୍ରୁତିରେ ଉଜ୍ଜୀବିତ । ତେଣୁ ଭକ୍ତି ଜଡ଼ିତ ଏକ ଧର୍ମୀୟ ବାତାବରଣର ପୋଷକତା କରୁଥିବା କାହାଣୀକୁ ଗୀତ ଆକାରରେ ସୁଲଭ ଲୋକବାଦ୍ୟ ଧୁନ୍କେଲ୍ ସହଯୋଗରେ ଗାନ କରିବାର ଧାରା ଦିନେ  ବେଶ୍ ଚଳଚଞ୍ଚଳ ଥିଲା ଆମ ଅଞ୍ଚଳରେ । ଶୃଙ୍ଗାର ରସାଶ୍ରିତ ଗୀତ, ନୃତ୍ୟ ଓ ବାଦ୍ୟର ତ୍ରିବେଣୀ ସଙ୍ଗମ ମଧ୍ୟରେ ପରିବେଷିତ ଡାଲ୍ଖାଇ ଅତୀତରେ ବହୁ ବ୍ୟାପକ ଭାବରେ ପ୍ରସାରିତ ହୋଇଥିବା ଅଥଚ ଏବେ ଭାକ୍ତିକ ନିଷ୍ଠା ଓ ଏକାଗ୍ରତା ସତ୍ତେ୍ୱ ବିଲୁପ୍ତ ଅବସ୍ଥାକୁ ଚାଲି ଆସିଥିବା ଆଦିବାସୀ ଲୋକସଂସ୍କୃତିର ପ୍ରମୁଖ ଓଷା । ସଂକ୍ଷେପରେ କହିବାକୁ ଗଲେ ଡାଲ୍ଖାଇ ଓ ଧୁନ୍କେଲ୍ ଉଭୟକୁ ନେଇ ଉଭୟଙ୍କ ସୃଷ୍ଟି ଓ ସ୍ଥିତି । ଗୋଟିକ ବ୍ୟତିରେକେ ଅନ୍ୟର ଅସ୍ତିତ୍ୱ ଅମୂଳକ । ଏହି ପରିପ୍ରେକ୍ଷୀରେ ବିଚାରକଲେ କାହାଣୀ ପ୍ରଧାନ ବୃହତ୍ଆକାର ବିଶିଷ୍ଟ ଲୋକଗୀତକୁ ଲୋକଗାଥା ଆଖ୍ୟା ଦିଆଯାଉଥିବା ନ୍ୟାୟରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶକ୍ତିରୂପା ଡାଲ୍ଖାଇ (ଅର୍ଥାତ୍ ଦୁର୍ଗାପୂଜା)ବେଳେ ଧୁନ୍କେଲ୍ ବାଦ୍ୟ ସହ ଗାଉନି ଅଥବା ଧୁନ୍କେଲିଆର ମୁଖ ନିଃସୃତ ଅଲିଖିତ ଗାନ ଡାଲ୍ଖାଇ ଓଷାର ଧାର୍ମିକ, କଳାତ୍ମକ ତଥା ସାହିତ୍ୟିକ ମୂଲ୍ୟ ଆଦି ବିବିଧ ମହତ୍ତ୍ୱ ରହିଥିବା କଥା ସୂଚେଇ ଥାଏ । ସୁତରାଂ ସମ୍ୟକ୍ ଅବବୋଧ ପାଇଁ ଉକ୍ତ ଓଷା ସହିତ ବାଦ୍ୟ ଓ ଗୀତର ନିବିଡ଼ ସମ୍ପର୍କକୁ ପର୍ଯ୍ୟାଲୋଚନା କରାଯାଇପାରେ ।

ଧୁନକେଲ୍ ର ଗଠନ ଓ ବାଦନ କୌଶଳ

ଧୁନକେଲ୍ : ଗୋଟିଏ ଅର୍ଥରେ ଧନୁରେ କେଳି କରିବା ଏବଂ ଅନ୍ୟ ଅର୍ଥରେ ଧୁନ୍ ଅର୍ଥାତ୍ ଧ୍ୱନି ଖେଳ ରୂପରେ ମାନ୍ୟତା ପ୍ରାପ୍ତ । ଏହା ମାଟି ହାଣ୍ଡି, କୁଲା, ଧନୁ ଓ ଉଭୟ ପାଶ୍ୱର୍ରେ ଘୁଙ୍ଗୁର ପେନ୍ଥାଏ ଲେଖାଏଁ ଥିବା ପ୍ରାୟ ହାତେ ଲମ୍ବ ବିଶିଷ୍ଟ ଲୁହା ଦଣ୍ଡକୁ ନେଇ ଗମ୍ଭୀର ନାଦ କରୁଥିବା ଏକ ବାଦ୍ୟ ବିଶେଷ । ଗ୍ରାମ୍ୟ କୃଷିଜୀବୀର ମୌଳିକ ସମ୍ବଳ ସବୁକୁ ନେଇ ଗଠିତ ତଥା ଲୋକମାନଙ୍କ ହାତପହଞ୍ଚ ଇଲାକାରେ ସହଜରେ ଉପଲବ୍ଧ ଉପକରଣର ସମାହାର ମାତ୍ର । ତେବେ ଏହାର ଗୋଟିଏ ଅଙ୍ଗ ଅନ୍ୟ ଅଙ୍ଗଠାରୁ ସମ୍ପୂର୍ଣ୍ଣ ପୃଥକ୍ ଥିବାରୁ ସବୁକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ବାଦ୍ୟରୂପ ଦିଆଯାଇଥାଏ । ପ୍ରଥମେ ଏକ ଅହିରା ଉପରେ ହାଣ୍ଡିକୁ ଉପରମୁହାଁ କରି ପାଶ୍ୱର୍ଆଡ଼କୁ ସାମାନ୍ୟ ତୀର୍ଯ୍ୟକ୍ କରି ରଖାଯାଇଥାଏ । ହାଣ୍ଡି ଭିତରେ ଗୋଟିଏ କଂସାଗିନାରେ କିଛି ଅରୁଆଚାଉଳ ଦେଇ ଥୁଆଯାଏ । ହାଣ୍ଡି ମୁହଁରେ କୁଲାକୁ ଉବୁଡ଼େଇ ଦେଇ, ତା’ର ମଧ୍ୟ ଭାଗରେ ଧନୁର ଗୋଟିଏ ପଟ ଚାପ ଦେଇ ଅନ୍ୟପଟ ତଳେ ଚାପ ଦିଆଯାଏ । କିନ୍ତୁ ଦେଖିବା କଥା ଯେ ଧନୁର ଗୁଣ କୁଲା ଉପରେ ଯେମିତି ଅଳ୍ପ ସ୍ପର୍ଶ କରୁଥାଏ । ତା’ପରେ ଧୁନ୍କେଲିଆ କାଷ୍ଠାସନ(ପିଁଢ଼ା)ରେ ବସି ଧନୁ ଉପରେ ଅଳ୍ପ ଚାପ ଦେଇ ଆଣ୍ଠେଇ ପଡ଼ିଥାଏ ଏବଂ ଡାହାଣ ହାତରେ ଲୁହା ଦଣ୍ଡକୁ ଧନୁର ବାଉଁଶ ଉପରେ ପୂର୍ବରୁ ଦନ୍ତୁରିତ କରାଯାଇଥିବା ଦାଢ଼ଗୁଡ଼ିକରେ ରଗଡ଼ିଥାଏ । ଏହି ସମୟରେ ବାମ ହାତରେ ଧନୁର ଗୁଣକୁ ଧରି ଟାଣି ଛାଡ଼ିବା କାର୍ଯ୍ୟ ବାରମ୍ବାର କଲେ, ସମସ୍ତ ସାମଗ୍ରୀର ପାରସ୍ପରିକ ସ୍ପର୍ଶରେ ଗୁରୁ ଗମ୍ଭୀର ଅଥଚ ଶ୍ରୁତିମଧୁର ନାଦ ସୃଷ୍ଟି ହୋଇଥାଏ ।

ଆକୃତି, ପ୍ରକୃତି ଓ ପରିବେଷଣ ପରିସର

ଅବଶ୍ୟ ଧୁନ୍କେଲ୍ ବାଦ୍ୟ କେବଳ ଯେ ଆମ ଅଞ୍ଚଳରେ ପ୍ରଚଳିତ ତାହା ନୁହେଁ । ଏହା ଭିନ୍ନ ନାମ, ଭିନ୍ନ ଅବସର, ଭିନ୍ନ ଉପାସ୍ୟ ଦେବୀଙ୍କ ଉପାସନା ତଥା ସାମାନ୍ୟ ଭିନ୍ନ ଆକୃତିର ବାଦ୍ୟ ସାମଗ୍ରୀ ଓ ପରିବେଷଣ କୌଶଳକୁ ନେଇ ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ପ୍ରଚଳିତ ଥିବା ଜଣାଯାଏ । ଛତିଶଗଡ଼ ରାଜ୍ୟର ବସ୍ତର ଅଞ୍ଚଳରେ ଧନ୍କୁଲ୍, ପୂର୍ବ-ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଢଣକୋଇଲା, ବୌଦ୍ଧ ଅଞ୍ଚଳରେ ଧୁନ୍କେଲି ଏବଂ ସମଗ୍ର ପଶ୍ଚିମ ଓଡ଼ିଶାରେ ଧୁନ୍କେଲ୍ ନାମରେ ପରିଚିତ ଏହି ବାଦ୍ୟ ସ୍ୱତନ୍ତ୍ର ତିଥିମାନଙ୍କରେ ବ୍ୟବହୃତ ହୋଇଥାଏ । ବସ୍ତର୍ ଅଞ୍ଚଳରେ ଧନଦାତ୍ରୀ ଦେବୀ ମହାଲକ୍ଷ୍ମୀଙ୍କ ଉପାସନା ସକାଶେ ଗଣେଶ ଚତୁର୍ଥୀର ପୂର୍ବଦିନ ‘ତିଜା’ ଅର୍ଥାତ୍ ତୃତୀୟାରେ ଏବଂ ପୂର୍ବ-ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପୀଠ ମଙ୍ଗଳାଙ୍କ ପୂଜା ବେଳେ ଏହାର ବ୍ୟବହାର କରାଯାଇଥାଏ । ସେହିପରି ଏହି ବିଚିତ୍ରବାଦ୍ୟରେ ଆକୃତି ଓ ଉପକରଣଗତ ପାର୍ଥକ୍ୟ ଯଥେଷ୍ଟ ଦୃଷ୍ଟିଗୋଚର ହୋଇଥାଏ । ଯେମିତିକି ଆମ ଅଞ୍ଚଳର ବାଦ୍ୟରେ ବ୍ୟବହୃତ ଧନୁର ଉପର ପଟେ ଦନ୍ତୁରିତ (ଦାଢ଼ଯୁକ୍ତ) କରାଯାଇଥିବା ସ୍ଥଳେ ବସ୍ତର ଅଞ୍ଚଳରେ ଧନୁର ପାଶ୍ୱର୍ ବା ଧାର ଆଡ଼କୁ ଦନ୍ତୁରିତ କରାଯାଇଥାଏ । ସେହିପରି ଆମ ଧୁନ୍କେଲ୍ ହାଣ୍ଡିର ମୁହଁ ଓସାରିଆ ହୋଇଥିବା ସ୍ଥଳେ ବସ୍ତର ଅଞ୍ଚଳର ହାଣ୍ଡି ଆମ ଅଞ୍ଚଳର ‘ଟାଡ଼୍’ ପରି ସାମାନ୍ୟ ଗୋଜା ବା ସଂକୀର୍ଣ୍ଣ ହୋଇଥାଏ ତଥା ହାରାହାରି ଦୁଇ ଫୁଟ୍ ବିଶିଷ୍ଟ ଉଚ୍ଚ ହୋଇଥାଏ । ଏପରିକି ଏହାର ଘର୍ଷଣ ଦଣ୍ଡ ମଧ୍ୟରେ ବହୁ ପାର୍ଥକ୍ୟ ରହିଥିବା ଦେଖାଯାଏ । ବସ୍ତର ଅଞ୍ଚଳରେ ଆମ ଧୁନ୍କେଲ୍ ଦଣ୍ଡ ପରି ଲୁହାରେ ତିଆରି ନ ହୋଇ ଅଥବା ଘୁଙ୍ଗୁର ସଂଯୋଜିତ ନ ହୋଇ ପ୍ରାୟ ହାତେ ଲମ୍ବ ବିଶିଷ୍ଟ ଫାଳେ ମୋଟା ଓସାରିଆ ବାଉଁଶପାତିଆକୁ ଅଧାରୁ ଫାଳ ଫାଳ ଖଡ଼ିକା ପରି କରାଯାଇଥାଏ, ଯାହାକି ରଗଡ଼ିବା ବେଳେ ଖଡଖଡ଼ ଶବ୍ଦ କରିଥାଏ । ତେବେ ବସ୍ତର ଅଞ୍ଚଳରେ ଉଭୟ ନାରୀ ଓ ପୁରୁଷମାନେ ଏହା ବଜାଇଥା’ନ୍ତିା ଅବଶ୍ୟ ଆଗେ ଆମ ଅଞ୍ଚଳରେ ମଧ୍ୟ ଉଭୟେ ବଜାଉଥିଲେ, କିନ୍ତୁ ଏବେ କେବଳ ପୁରୁଷମାନେ ବଜାଉଥିବା ଲକ୍ଷ୍ୟ କରାଯାଏ ।

ଧୁନ୍କେଲ୍ ବାଦନର ସମୟ

ଆମ ଅଞ୍ଚଳରେ ମୁଖ୍ୟତଃ ଦଶହରା ମହାଷ୍ଟମୀ ଅର୍ଥାତ୍ ଡାଲ୍ଖାଇ ଓଷା ଦିନ ପୂର୍ବାହ୍ନରୁ ଓଷା କୋଠିମାନଙ୍କରେ ଏହାର ବାଦନ ପାଇଁ ଶୁଭ ଅନୁକୂଳ କରାଯାଇଥାଏ । ତେବେ ସେ ଦିନ ରାତିରେ ଯେତେବେଳେ ଘଣ୍ଟ ବାଦ୍ୟ ସହ ଗଣ୍ଡାବଜା ବାଜୁଥାଏ, ଦର୍ଶକମାନଙ୍କ ମୁଖରୁ ହର୍ଷୋତ୍ଫୁଲ୍ଲିତ କଣ୍ଠରେ ହରିବୋଲ-ହୁଳହୁଳି ଶବ୍ଦ ଶୁଭୁଥାଏ, ଧୁନ୍କେଲିଆ ମାଳଶ୍ରୀ ଗାଉଥାଏ ଓ ଧୁନ୍କେଲ୍ ବଜାଉଥାଏ ଏବଂ କାଳିସି ନାଚୁଥାଏ – ଏ ସବୁର ସମ୍ମିଶ୍ରଣରେ ଯେଉଁ ଏକ ଶିହରିତ ପରିବେଶ ସୃଷ୍ଟି ହୋଇଥାଏ, ସେଥିରୁ ଯୁଗପତ୍ ଭୟ ଓ ଭକ୍ତି ମିଶ୍ରିତ ଭାବ ମନରେ ଜାତ ହୋଇଥାଏ । ଏହା ବ୍ୟତୀତ କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ‘କଲାସି’ ଯାତ୍ରା ବେଳେ ମଧ୍ୟ ଦେବୀ ଆବାହନ ପାଇଁ ଧୁନ୍କେଲ ବଜାଯାଇଥାଏ । ପୁଣି ଚୈତ୍ର ମାସରେ ଅନୁଷ୍ଠିତ ମଙ୍ଗଳା ଓଷା ଏବଂ ପୂର୍ଣ୍ଣମୀରେ ମଧ୍ୟ ମନ୍ଦିର ବା କୋଠି ଶାଳମାନଙ୍କରେ ଏହାର ବ୍ୟବହାର ହୋଇଥାଏ । କେତେକ ଅଞ୍ଚଳରେ ଶିବଭକ୍ତ ନାଗବା• ଦଳରେ ବରୁଆ (କାଳିସି) ଦେହରେ ଦୈବୀ ଶକ୍ତି ପ୍ରବେଶ କରାଇବା ସକାଶେ ତଥା କେତେକ ସ୍ଥାନରେ ଗୁଣି – ଗାରୁଡ଼ି ବେଳେ ମଧ୍ୟ ଏହାର ଆବଶ୍ୟକ ସ୍ଥଳେ ଆଶ୍ରୟ ନିଆ ଯାଉଥିବା ଜଣାଯାଏ ।

ଧୁନକେଲ୍ ଓ ଡାଲ୍ଖାଇ ଓଷା ଗୀତର ବିଭିନ୍ନ ପର୍ଯ୍ୟାୟ

ଡାଲଖାଇ ଓଷା ବେଳେ ଯେଉଁ ଗୀତ ସବୁ ଗାନ କରାଯାଏ ତାହା ବିଭିନ୍ନ ପର୍ଯ୍ୟାୟ ଦେଇ ଆସିଥାଏ । ସେଗୁଡ଼ିକ ମଧ୍ୟରୁ କିଛି ଓଷେଇତୀମାନେ ଓଷା କାଳୀନ ପରମ୍ପରା କ୍ରମରେ ଗାଇଥା’ନ୍ତି, କିଛି ଧୁନ୍କେଲିଆ ବା ଧୁନ୍କେଲିଏନ୍ ଓଷା କଥା ହିସାବରେ ଧୁନକେଲ ବାଦ୍ୟ ସହାୟତାରେ ଗାଇଥା’ନ୍ତି ତ କିଛି ଓଷା ପରେ ରାତିସାରା ଡାଲଖାଇ ନାଚରେ ଗାଇଥାନ୍ତି ।

ଆମେ ସମସ୍ତେ ଜାଣିଛୁ ଯେ ସାଧାରଣତଃ ବେଲ, ଅଁଳା, ଦହନା  ଆଦି ଡାଳପତ୍ର ଦ୍ୱାରା ପ୍ରମୁଖତା ଦିଆଯାଇ ଓଷା କୋଠୀରେ ପୂଜା କରାଯାଏ ବୋଲି ଏ ଓଷାକୁ ଡାଲଖାଇ ଓଷା କୁହାଯାଇଥାଏ । ଏପରିକି ଉକ୍ତ ଓଷାର ଏକ ଅଭିନ୍ନ ଅଙ୍ଗ ଭାବରେ ଲେବିଡ଼ି ପିଠା ପୋଡ଼ାଇବା, ଲିଆ (ଖଇ) ଜୁଗାରକୁ ଥୋଇବା ଆଦି ପ୍ରତ୍ୟେକ କାର୍ଯ୍ୟରେ ପ୍ରାକୃତିକ ଡାଳ ଓ ପତ୍ରର ବ୍ୟବହାର ହୋଇଥାଏ । ଏହିକ୍ରମରେ ଆମ ନିତ୍ୟ ପ୍ରାତ୍ୟହିକ ଜୀବନରେ ବ୍ୟବହୃତ ହେଉଥିବା ଶାଳ, ମହୁଲ, ପଳାଶ, ଖଇସ ଆଦି ପତ୍ର ତୋଳିବା ପାଇଁ ମାଁ ଭଉଣୀମାନେ ବଣକୁ ଯାଇଥାନ୍ତି । ଏହି ପତ୍ର ତୋଳିବାବେଳେ ସେମାନେ ଗାଇଥାନ୍ତି ‘ପତର୍ ତୁଲା ଗିତ୍’ –

‘ଏ… ଦହଦହ କଲା ଦହନା ଡାଲ୍

ମହକିବା ସୁଲ୍ହ କୁଠିର୍ ସାଲ୍

ଦହଁପି ଜଲ୍ବା ବାର୍ ବଏଠା

ଲହଁପି ଆଏବେ ଦେ ଦେବ୍ତାରେ

ଜମେନ୍ ଗୁରେଁ ଜୁଗାର୍ ପାଗି ଦିଅ ଲିଆରେ …

ଭାଏ ଜିଉଁତିଆ ।’

ଠିକ୍ ସେହିଭଳି ଓଷେଇତୀମାନଙ୍କ ମଧ୍ୟରୁ ଦୁଇଜଣ କୁଆଁରୀ କନ୍ୟା ଈଶ୍ୱର-ପାର୍ବତୀ ବେଶରେ ଘର ଘର ଯାଇ ସାତ ଘରୁ ସାତରକମର ଶସ୍ୟ ମାଗିବାବେଳେ ମଧ୍ୟ ପୂର୍ବ ପ୍ରଚଳିତ ପାରମ୍ପରିକ ରୀତି ଅନୁସାରୀ ଗୀତ ଗାଇଥା’ନ୍ତି  । ଯଥା

‘ଦିଅ ମାଏ ଆନି ବିହନ୍ ପାଚେର୍ କର୍ମୁ ଜମିନ୍ ଚାସ

ଦିଅ ମାଏ ଆନି ବିହନ୍ ପାଚେର୍

ଧାନ୍ ମୁଗ୍ ବିର୍ହି କୁଲୁଥ୍ ମଡ଼ିଆ ଖାଉଥିମା ବାରମାସ

ଦିଅ ମାଏ ଆନି ବିହନ୍ ପାଚେର୍ ।’

ଏପରିକି କୋଠୀ ଶାଳରେ ସାତ ଜଣ କୁଆଁରୀ  ସାତଟି ବାଲିଭର୍ତ୍ତି ଚାଙ୍ଗୁଡ଼ିରେ ସର୍ଗି (ଶାଳ) ଗଛର କାଠି ପୋତି ଚାସ କରିବାବେଳେ ଲୋକଗାୟକ କଣ୍ଠରୁ ଶୁଭେ –

‘ବଏଲାରେ…. ସରାବନ ମାସରେଁ ଜେ ଝରି କାଏଁ ବରସା

ବିହିଡ଼ିଲେଁ ଧାନ ଜେ ହଇବା ସରସା

ହେଲୁଆ ନାଇଁ ହେବୁ ଭାଇରେ ହଲିଆ

ହଲିଆରେ ବତର ନାଇଁ ନସାରେ’

ଏହି ଗୀତରେ ଅନୁକୂଳ ଚାଷ ପାଇଁ ଚାଷୀ କୁଳକୁ ସଚେତନ କରିବା ପ୍ରୟାସ ନିହିତ ଥିବା ଏକ ଲକ୍ଷଣୀୟ ବୈଶିଷ୍ଟ୍ୟ, ଯାହାକି ଆମ ବ୍ୟବହାରିକ ଜୀବନରେ ଖନା ବଚନ ଭାବେ ବେଶ୍ ଶିକ୍ଷଣୀୟ ।

ସେହିଭଳି ଅନ୍ୟଏକ ପରମ୍ପରା ଭାବରେ ଭାଇ ଭଉଣୀଙ୍କ ଅଭେଦ ସମ୍ପର୍କର ସେତୁ ହେଉଛି ‘ଦୁବ୍ଛିଆ’ । ଏହା ଲୋକକବି ମୁହଁରେ ସାମାଜିକ ବାର୍ତ୍ତା ବହନ କରି ପ୍ରସରିଥାଏ ସମଗ୍ର ଭୂଖଣ୍ଡକୁ ଓ ଭଉଣୀ ମୁହଁରେ ପ୍ରକାଶ ପାଏ ସରଳ ପ୍ରାଣର ତରଳ ଭାବ ସଙ୍ଗୀତ ରୂପରେ । ତେଣୁ ‘ଦୁବ୍ ଉତ୍ରା’ ସମୟରେ ତା’ ମୁଖରୁ ଆପେ ଆପେ ଝରିପଡ଼େ-

‘ଚିପ୍ଟି ଅଲୁଆ •ଉଲ ଦୁବ ଦଦା ଗୋ

ମନାସୁଛେଁ ମୋର୍ ଭାଏର୍ ସୁଭ ଦଦାଗୋ

ପିଠିର୍ ବହେନ୍ ଗଁଠିର୍ ସୁନା

ବହେନର୍ ନାଇଁ ଭାଙ୍ଗ୍ବୁ ଲୁଭ ଦଦାଗୋ ।’

କିନ୍ତୁ ଡାଲ୍ଖାଇ ଓଷାରେ ‘ବାର୍ ବଏଠା’ ବସାଇବା  ବେଳେ ଧୁନ୍କେଲିଆ ଧୁନ୍କେଲ୍ ବାଦ୍ୟ ବଜାଇ ଏକ ଦୀର୍ଘ ଗୀତ ଗାଇଥାଏ । କିନ୍ତୁ ତା’ର ଆରମ୍ଭ କେଉଁଠାରୁ ହୋଇଥାଏ, ସେ କଥାକୁ ନେଇ ଭିନ୍ନ ଭିନ୍ନ ମତ ଶୁଣାଯାଇଥାଏ । କେହି କେହି ପ୍ରାରମ୍ଭରୁ ଗୁରୁ ବନ୍ଦନା ପରେ ରାମ ବନ୍ଦନା ଗୀତ ଗାନ କରାଯାଇଥାଏ ବୋଲି କହୁଥିବା ବେଳେ, ଅନେକେ ଅଗ୍ରପୂଜ୍ୟ ଗଣେଶଙ୍କ ବନ୍ଦନା ଏହାର ଆଦ୍ୟପଦ ବୋଲି ଯୁକ୍ତି ବାଢ଼ିଥା’ନ୍ତି । ରାମ ବନ୍ଦନାରେ ଅଛି –

‘ରାମ ରାମ ସ୍ରି ହରି ରାମ ଜେ  ରାମ ରାମ ସ୍ରି ହରି ରାମ

ଗଡ଼ୁଲ ବାହାନ ଜେ ରାମ କନ୍ସଲ୍ୟାର୍ ନନ୍ଦନ

କାଣ୍ଡ କୁଦଣ୍ଡ ଧନୁର୍ ଧର ହୋ

ଉସାସିଲ ଧରତିର୍ ଭାର

ପରୁହାଁ କୁମର୍ ଜେ ତମେ ସିତା ଦେବିର୍ ବର

ରାମର୍ ପଦ ନାଇଁ କର ହେଲା ଜେ

କୁସ୍ଟଁର୍ ପଦ ନାଇଁ କର ହେଲା

(ମୋର୍) ଗଙ୍ଗେଁ ଭାସୁ ଭେଲା ସାରଲା(ମୋର୍)                               ଗଙ୍ଗେଁ ଭାସୁ ଭେଲା ।’

ସେ ଯାହା ହେଉନା କାହିଁକି ଦେବଦେବୀ ବନ୍ଦନା ହିଁ ଧୁନ୍କେଲ୍ ଗୀତର ପ୍ରଥମ ପର୍ଯ୍ୟାୟ । ଷୋହଳ କୋଠିରେ ଥିବା ରାମ, ଗଣେଷ, ଶିବ – ପାର୍ବତୀ, ହନୁମାନ, ନାରଦ, କାର୍ତ୍ତିକ, ଦୁର୍ଗା, ଲକ୍ଷ୍ମୀ, ବଂଜାରୀ (ବଣଦେବୀ), ଦଶମତୀ, କାଳୀ, ବିନ୍ମୁଡ଼ି (ଛିନ୍ନମସ୍ତା), ରାମଚଣ୍ଡୀ, ଶୁକମୁନି (ପ୍ରତୀକ ମିଟୁ) ଦଶ ମୁଣ୍ଡିଆ ରାବଣ ଓ କଇଁଛ ତଥା ବିଭିନ୍ନ ଗ୍ରାମ ଦେବତୀ ଆଦିଙ୍କ ସ୍ତୁତି ଓ ଶାରଦୀୟ ପ୍ରକୃତି ବର୍ଣ୍ଣନା ସହିତ ଲୋକା•ର, ନୀତି କଥା ଆଦି ଶିକ୍ଷଣୀୟ ବିଷୟ ଧୁନ୍କେଲ୍ ଗୀତରେ ସ୍ଥାନ ପାଇଥାଏ । ଆବାହନ କରିବା କ୍ରମରେ ଗଣେଶ ବନ୍ଦନାରେ କୁହାଯାଇଛି-

‘ଗନପତି ଗଜବଦନ ହୋ

ଚୁଁଟି ମୁସା ତମର ବାହାନ

ଚଉଦ ଭୁବନ ଜେ ପର୍ଭୁ କରୁଛ ଭର୍ମନ ।

ହରର୍ବେଟା ଧଦୋଲୋ ପେଟା ହୋ

ପଦ କହେବ ଗୁଟା ଗୁଟା

ଆସ ରୁଠା ମୁଟା ଜେ ତମେ ନାଚିବ ଧୁର୍କୁଟା ।’

ସେହିଭଳି ଦଶମତୀ ଦେବୀଙ୍କ ବନ୍ଦନାରେ ଅଛି –

‘ଦସମତି ତୁଇଁ ରଇବୁଢ଼ି ଗୋ

ଖାଉ ଜିବ କର ମୁଣ୍ଡ ମୁଡ଼ି

ଲହ ଲହ ଟୁଁଡ଼ି ଗୋ ମା

ତୁଇଁ ଚଁଡ଼ି କାଏଁ ଚାମଡ଼ି ।

ମାତା ବସନ୍ତ ରୁପ ଧାରି

ଗୋ ହଏଜା କଲେରା ମହାମାରି

ଗୁଁଡ଼ି କାଏଁ ସେନ୍ଦିରି ଗୋ ମା

ତୁଇଁ ଖସୁ ତ ଖୁଜୁରି ।

ଏପରିକି ସୁମଧୁର କଣ୍ଠ ପାଇଁ କୋଇଲିର ସହଯୋଗ ଆଶାରେ ଧୁନ୍କେଲିଆ ଗାଇଥାଏ –

କୁଇଲି କୁଇଲି ବତିସ ରାଗ ଜେ

କୁଇଲି କୁଇଲି ବତିସ ରାଗ

ରାଗ ଦେବୁ ଭାଗ(ମୋର୍) କୁଇଲି ଜେ

ଗଲା ଦେବୁ ଭାଗ ।।

ବଡ଼ ବିଚିତ୍ର କଥା ଯେ ଏହି ବନ୍ଦନା ପର୍ଯ୍ୟାୟରେ ଧୁନକେଲ୍ର ସମସ୍ତ ଉପକରଣକୁ ମଧ୍ୟ ଉଚ୍ଚାସନ ଦେଇ ପ୍ରାର୍ଥନା କରିବାକୁ ଧୁନ୍କେଲିଆ ଭୁଲି ନଥାଏ । ସୁତରାଂ ସେ ଧୁନ୍କେଲରେ ବ୍ୟବହୃତ ଧନୁକୁ ଶିବଧନୁ, ଘର୍ଷଣ ଦଣ୍ଡକୁ ବ୍ରହ୍ମାଙ୍କ ଖଣ୍ଡା, ହାଣ୍ଡିକୁ ରତ୍ନ କୁମ୍ଭାରର ହାଣ୍ଡି, କୁଲାକୁ ମାହାର କୁଲା, ଅହିରାକୁ ଲକ୍ଷ୍ମୀ ଅହିରା ଓ ହାଣ୍ଡି ମଧ୍ୟସ୍ଥ କଂସାଗିନାକୁ ବୀଣା ଆଖ୍ୟା ଦେଇ ସମ୍ଭୋଧନ କରି ଆବାହନ କରେ ।

ଯେମିତିକି –

‘ବାଜ ବାଜ ଝୁମୁକା ବାଡ଼ି ରେ

ବାଜ ବାଜ ମୋର୍ ରତ୍ନହାଁଡ଼ି

ବାଜ ବାଜ ମୋର୍ ଶିବ ଧନୁ ରେ

ଘୁମୁ ଘୁମୁରି ଅନୁଖନୁ

ସରଗ ଖେପିବୁ ରେ ବାଜନା

ପାତାଲ ଚାପିବୁ ।

ବନ୍ଦୁଅଛେଁ ମୁଇଁ କୁଠିସାଲ ଗୋ

ବନ୍ଦୁଅଛେଁ ଦଶ ଦିଗ୍ ପାଲ

ବନ୍ଦୁଅଛେଁ ଧରତି ମାତା ଜେ

ତେତିସ୍ କୁଟି ଦେବି ଦେବତା

ଝୁମୁରି ଆସିବ ଜେ ତମେ

ଝଁପେଇ ପଡ଼ିବ ।

ତେବେ ଏହା ମୌଖିକ ସାହିତ୍ୟ ହୋଇଥିବାରୁ ଭିନ୍ନ ଭିନ୍ନ ଲୋକ କଳାକାରମାନଙ୍କ ମୁହଁରେ ଭିନ୍ନ ଭିନ୍ନ ଭାବରେ ପରିବର୍ତ୍ତିତ ହୋଇଯାଇଥାଏ ତଥା ଗୀତର ଆକାର କ୍ଷୁଦ୍ର ହେବ ନା ଦୀର୍ଘ ହେବ, ତାହା ଧୁନ୍କେଲିଆ ଉପରେ ନିର୍ଭର କରିଥାଏ । ସୁତରାଂ ଧୁନ୍କେଲିଆର ମନ ଗଢ଼ା ପଦ ଏଥିରେ ବେଶି ଥିବା ସ୍ୱାଭାବିକ ହୋଇପଡ଼େ । ଏପରିକି ଏହି ଧାରାକୁ ସେ ତାର ସ୍ୱକୀୟତା ବୋଲି ଧରିନେଇଥାଏ ଏବଂ ଭଣତିରେ ନିଜ ନାମ ମଧ୍ୟ ଉଲ୍ଲେଖ କରିବାକୁ ଭୁଲି ନଥାଏ । ଏହି ପୂଜା କରିବା ପାଇଁ ବାପ-ମା, ଭାଇ-ଭଉଣୀ ସମ୍ବୋଧନ ପୂର୍ବକ ଧୁନ୍କେଲିଆ ସମସ୍ତଙ୍କୁ ନମ୍ର ନିବେଦନ କରିଥାଏ । ସୁତରାଂ ଚତୁରତାର ସହିତ ଗାଇବା ବେଳେ ଭକ୍ତିମତୀ ଶ୍ରୋତାମାନଙ୍କର ଧାର୍ମିକ ବିଶ୍ୱାସକୁ ଦୃଢ଼ କରିବା ପାଇଁ ସହଯୋଗ ଭିତ୍ତିରେ ସେମାନଙ୍କ ସମର୍ଥନ ସୂଚକ ହରିବୋଲ, ହୁଳହୁଳି ଧ୍ୱନି ଦେବାକୁ ବି କହିଥାଏ । ଫଳସ୍ୱରୂପ ତା’ କଥାକୁ ସମସ୍ତେ ଆଗ୍ରହର ସହିତ ମାନି ମଧ୍ୟ ନେଇଥା’ନ୍ତି । ଆଗେ ପ୍ରତ୍ୟେକ ଧୁନ୍କେଲିଆଙ୍କ ଜଣେ ଜଣେ ପାଳିଆ ବି ରହୁଥିଲେ । ଏବେ ଆଉ ସମସ୍ତଙ୍କ ପକ୍ଷରେ ସେଭଳି ଜୁଟୁନାହିଁ । ତେବେ ଧୁନ୍କେଲିଆର ଗାନ ଶୈଳୀ, ମୁଖଭଙ୍ଗୀ ଏବଂ ଧୁନ୍କେଲ୍ ବାଦନକାଳୀନ ଉତ୍ସାହର ମହାମିଳନରେ ଓଷା କୋଠିରେ ଧର୍ମାନୁକୂଳ ଏକ ଚମକ୍ରାର ପରିବେଶ ସୃଷ୍ଟିରେ ସହାୟକ ହୋଇଥିବା ଦେଖାଯାଏା

ଧୁନ୍କେଲ୍ ଗୀତ୍ ମଧ୍ୟରେ ଏକ ବଳିଷ୍ଠ କାହାଣୀ ବିଦ୍ୟମାନ । ସୃଷ୍ଟିତତ୍ତ୍ୱ ଓ ମଣିଷଜନ୍ମର ଇତିବୃତ୍ତ ବୟାନ ହିଁ ଏହାର ପ୍ରଥମପର୍ଯ୍ୟାୟ । ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଥିଲା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ । ନା ଥିଲେ ଚନ୍ଦ୍ର ଅବା ସୂର୍ଯ୍ୟ, ନା ଥିଲେ ତାରା ଅବା ନକ୍ଷତ୍ର ପୁଞ୍ଜ । ସାରା ସଂସାର ଥିଲା ଜଳମୟ । ସ୍ୱୟଂ ପ୍ରଭୁ ନିରାକାର ବ୍ରହ୍ମ ସେହି ମହାଶୂନ୍ୟରେ ଆସନ ପକାଇ ଦୋଦୁଲ୍ୟମାନ ଅବସ୍ଥାରେ ବିରାଜମାନ କରି ସୃଷ୍ଟିର ପରିକଳ୍ପନା କରିଥିଲେ । ପ୍ରଥମେ ଆଦିମାତାଙ୍କୁ ଜାତ କରି ତାଙ୍କ ଗର୍ଭରୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଜନ୍ମଦେଲେ । ତା’ପରେ ଜନ୍ମନେଲା ମଧୁ କୈଟଭ ଦୈତ୍ୟ । ତେବେ ତା’ର ଦୌରାତ୍ମ୍ୟ ସହି ନ ପାରି ବ୍ରହ୍ମା ମୋହିନୀ ରୂପରେ ତା’ ସହିତ ଯୁଦ୍ଧ ରଚନା କଲେ ।

ସୃଷ୍ଟି ସର୍ଜନାକୁ ନେଇ ଉକ୍ତ ପୌରାଣିକ ଗାଥାଟି ଅତି ସୁନ୍ଦର ଶବ୍ଦ ସଂଯୋଜନା ମାଧ୍ୟମରେ ସଜେଇଛନ୍ତି ଲୋକକବି । ଯେମିତି କି –

‘ଅସୁର୍କେ ମାଇଲେ ପର୍ଭୁ

ପାସରେଁ କହିଲେ

ମେଦାମେଦି କରଗୋ ବଇଲେ

ପର୍ଭୁ ଜେ ଆଦେସ ଦେଇଲେ

ମେଦାମେଦି କଲେ ଜେ

ବର୍ମାଁହ୍ ମେଦାମେଦି କଲେ ।।

ଥାଲି ବାଗିର୍ ତିଆର୍ କଲେ,

ଖଁଡ଼େକେ ତ ‘ିକିନେଲେ

ସେ ଖଁଡ଼୍କ ତ ବୁଡ଼ିଁଗଲା,

ଆର ଖଁଡ଼୍କ ପକାଇଲେ

ସେ ଖଁଡ଼୍କ ତ ଭାସୁଥିଲା ।

ଚାର୍ହିକନେ ତ ରୁମ ତାହିଁ

ଗୋ ଚାର୍ହିକନେ ତ ରୁମ ତାହିଁ

ବର୍ହ୍ମା ଜେ ତୁପିଲେ ତାହିଁ

ବର୍ହ୍ମା ତୁପିନେଲେ

ଥଲଥଲ କଲାଗୋ ସେଟା

ପୁର୍ଥି ଜେ ହଇଲା ।।

ସର୍ଗ-ମନ୍ଚ-ପାତାଲପୁର

ଗୋ ସର୍ଗ-ମନ୍ଚ-ପାତାଲପୁର

ତିନ୍ହିଁ ପୁର ହେଲାଗୋ ତହିଁ

ତିନ୍ହିଁ ପୁର ହେଲା ।।’

ସେହି ମର୍ତ୍ତ୍ୟ ମଣ୍ଡଳର ବିନ୍ଧ୍ୟ ଦେଶରେ ଜଣେ ରାଜା ଥିଲେ । ତାଙ୍କ ରାଣୀ ନୀଳାଙ୍କ ଏକମାତ୍ର ଝିଅ ରଏଲାବତୀା ରଏଲାବତୀ ମର୍ତ୍ତ୍ୟ ମଣ୍ଡଳରେ ଏହି ବହୁଚର୍ଚ୍ଚିତ ଡାଲ୍ଖାଇ ଓଷା ଉତ୍ସବାନୁଷ୍ଠାନର ମୂଳଦୁଆ ପକେଇଥିଲେ । ପରେ ଦେବୀ ଡାଲ୍ଖାଇଙ୍କ ଆଶୀର୍ବାଦରୁ ମାଁ ନୀଳାଙ୍କ ଗର୍ଭରୁ ରଏଲାବତୀର ଭାଇ ରୂପରେ ଜନ୍ମନେଲା ସିରି ସୁମନ ।

ତେବେ ପାରମ୍ପରିକ ଲୋକ-କଥା ଭଳି ଏଥିରେ ମଧ୍ୟ ଡାଲ୍ଖାଇ ଓଷା କଲେ ଧନ-ଜନ ଆଦି ପରିପୂର୍ଣ୍ଣ ଫଳ ପ୍ରାପ୍ତି ଘଟିବା ସାଙ୍ଗକୁ ସେଥିରେ ବିଘ୍ନ ଘଟାଇଲେ ବା ପୂଜାର ଅବମାନନା କଲେ ସର୍ବହରା-ଦୁର୍ଦ୍ଦଶାଗ୍ରସ୍ତ ହେବା କଥା ସରଳ ଭାବରେ ବୁଝାଇ ଦିଆଯାଇଥାଏ । ତେବେ ରଏଲାବତୀ ଅଥବା ଶୁଭକେଶୀ କାହାଣୀର ଧର୍ମାଶ୍ରୟିତା ହିଁ ଡାଲ୍ଖାଇ ଓଷାର ମୁଖ୍ୟ ଘଟଣା ଅଟେ । ଓଷା ବେଳେ କୁମାରୀମାନେ ଭାଇର ଶୁଭ ମନାସି ଡାଲ୍ଖାଇ ଦେବୀଙ୍କୁ ଉପାସନା କରିବା, ରାଜକୁମାରୀ ରଏଲାବତୀର ଭାଇ ନ ଥିବାରୁ ସେ ବିରସମନା ହେବା, ତା’ର ମନ କଥା ଜାଣି ଦେବୀଙ୍କ ଶୂନ୍ୟବାଣୀ ହେବା, ପୂଜା କଲେ ଭାଇ ପାଇବାର ସ୍ୱପ୍ନାଦେଶ ହେବା, ରାଜପିତାଙ୍କୁ ଅନୁରୋଧ କରି ଡାଲ୍ଖାଇ ଓଷା ସ୍ଥାନକୁ ତ୍ରିପୁରବାସୀ ସମସ୍ତଙ୍କୁ ନିମନ୍ତ୍ରଣ କରିବା, ରଏଲାବତୀ ସହିତ କୁମାରୀମାନେ ନଈକୁ ଯାଇ ଓଷାକାଳୀନ ବିଧି ମୁତାବକ ‘ବାଏଲ୍କଢ଼ା’ କାର୍ଯ୍ୟ ସମ୍ପାଦନ କରିବା, ଗଣ୍ଡାବାଜା ତାଳରେ ସେଠାରେ ଏବଂ କୋଠିଶାଳ ଆଗରେ ଡାଲ୍ଖାଇ ନାଚିବା, ଓଷା ସ୍ଥାନକୁ ଦେବଦେବୀ ଆଦି ସମସ୍ତଙ୍କ ଆଗମନ ଘଟିବା ଏବଂ ଦେବୀଙ୍କ ଆଶୀର୍ବାଦରୁ ରଏଲାବତୀର ମାତୃଗର୍ଭରୁ ପୁତ୍ର ସନ୍ତାନ ଜାତ ହେବା ଆଦି ଘଟଣା ଘଟି ଚାଲିବାରେ ଶ୍ରୋତାମାନେ ଉତ୍କର୍ଣ୍ଣ ହୋଇ ଏହି ସକାମ ଉପାସନାର କାହାଣୀ ଶୁଣିବାରେ ମଜ୍ଜି ଯାଉଥିବା ଦେଖାଯାଏ ।

ଦେବୀଙ୍କଠାରୁ ସର୍ବସୁଖ ପ୍ରାପ୍ତି ସମ୍ଭବର ବିଶ୍ୱାସକୁ ପାଥେୟ କରି ଭକ୍ତମାନଙ୍କ ସାଧନାର ପଥକୁ ସୁଗମ କରିବାର ଏକ ମାଧ୍ୟମ ଭାବରେ ଧୁନ୍କେଲ୍ ବାଦ୍ୟର ପ୍ରାଧାନ୍ୟ ରହିଥିବା କଥା ଲୋକ ସ୍ୱୀକୃତି ଲାଭ କରିସାରିଛି । ପୁଣି ଶିବଧନୁ ବାଜିଲା ମାତ୍ରକେ ଦଶହରା ପର୍ବରେ ସମସ୍ତେ ବଶୀଭୂତ ହୋଇଯିବାର ସମ୍ଭାବ୍ୟ ବିଶ୍ୱାସ ମଧ୍ୟ ରହିଛି । ସୁତରାଂ ଦେବଦେବୀ ପୀଠକୁ ଭୟ-ଭକ୍ତି ମିଶ୍ରଣରେ ଗାମ୍ଭୀର୍ଯ୍ୟ ପ୍ରଦାନ କରିବାର ଶକ୍ତିସାଧନ କେନ୍ଦ୍ର ଭାବରେ ଧୁନ୍କେଲ୍ ବାଦନର ପରିସରକୁ ବିବେଚନା ମଧ୍ୟ କରାଯାଇଥାଏ । ତେଣୁ ଦେବ ଓ ମାନବ ସମ୍ପର୍କରେ ନିବିଡ଼ତା ବଜାୟ ରଖିବାରେ ଏ ବାଦ୍ୟର ଦାନ ଅବଶ୍ୟ ସ୍ମରଣୀୟ ହୋଇରହିବ । ତେବେ ଓଷା କୋଠିରେ ଦେବୀ ବନ୍ଦନା କ୍ରମରେ ମାଳଶ୍ରୀ ଗାନ ସାଙ୍ଗକୁ ଧୁନ୍କେଲ୍ର ଗୁରୁଗମ୍ଭୀର ତାନ ଶୁଣି ମଣିଷ ଦେହରେ ଭୟ ସଞ୍ଚାରିତ ହେବା ସାଙ୍ଗକୁ ଅନେକଙ୍କ କ୍ଷେତ୍ରରେ ଦେବୀ ପ୍ରବେଶ କରିବାର ବିଶ୍ୱସନୀୟତା ଯାହା ଥାଉନା କାହିଁକି ସମ୍ବଲପୁରୀ କଳାପ୍ରାଣତାକୁ ଜାଗ୍ରତ କରିବାରେ ମନରେ ଏକ ଉଦଗ୍ର ଉଦ୍ଦୀପନା ଯେ ସୃଷ୍ଟି କରିଥାଏ – ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ପୁନଶ୍ଚ ସୁଲଭ, ସୁନ୍ଦର ଓ ମଜ୍ଭୁତ୍ ଶ୍ରେଣୀର ବାଦ୍ୟ ବିଶେଷତ୍ୱକୁ ନେଇ ବିଚାରକଲେ, ଧୁନ୍କେଲର ପଟାନ୍ତର ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଏତାଦୃଶ ପ୍ରାଚୀନ ବାଦ୍ୟ ଓ ଗୀତର ପୁନରୁଦ୍ଧାର ତଥା ସଂରକ୍ଷଣ କାର୍ଯ୍ୟକୁ ଏ ସମୟର ବଜ୍ର ଆହ୍ୱାନ ଭାବରେ ଧରିନିଆଗଲେ ହିଁ ସ୍ୱକୀୟ ମହିମାରେ ମହୀୟାନ୍ ଧୁନ୍କେଲ୍କୁ ଜାତୀୟ ସ୍ତରର ଲୋକବାଦ୍ୟ ବିଶେଷର ମାନ୍ୟତା ଦିଆଯାଇ ପାରିବ । ସୁତରାଂ ଆମ ସମସ୍ତଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ପ୍ରଯତ୍ନ ଉପରେ ଆଜି ନିର୍ଭରଶୀଳ ଧୁନ୍କେଲ୍ର ସ୍ଥିତି ଓ ବିକାଶଧାରା । କଳାପ୍ରାଣ ସ୍ୱାଭିମାନୀ ମଣିଷ ଭାବରେ ଏଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି ।

ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ଭିନ୍ନ ଦୃିଷ୍ଟିଭଙ୍ଗୀ ଥିବା ଲେଖକ ଉତ୍ପନ୍ନ କୁମାର ଭୋଇ ଧୂମକେଲ୍ ଉପରେ ଏକ ଗବେଷଣାତ୍ମକ ଲେଖା ପ୍ରସ୍ତୁତ କରିଛନ୍ତି । ତାଙ୍କ ମତରେ ଏହି ବାଦ୍ୟ, “ଗ୍ରାମ୍ୟ କୃଷିଜୀବୀର ମୌଳିକ ସମ୍ବଳ ସବୁକୁ ନେଇ ଗଠିତ ତଥା ଲୋକମାନଙ୍କ ହାତପହଞ୍ଚ ଇଲାକାରେ ସହଜରେ ଉପଲବ୍ଧ ଉପକରଣର ସମାହାର ମାତ୍ର । ଏତାଦୃଶ ପ୍ରାଚୀନ ବାଦ୍ୟ ଓ ଗୀତର ପୁନରୁଦ୍ଧାର ତଥା ସଂରକ୍ଷଣ କାର୍ଯ୍ୟକୁ ଏ ସମୟର ବଜ୍ର ଆହ୍ୱାନ ଭାବରେ ଧରିନିଆଗଲେ ହିଁ ସ୍ୱକୀୟ ମହିମାରେ ମହୀୟାନ୍ ଧୁନ୍କେଲ୍କୁ ଜାତୀୟ ସ୍ତରର ଲୋକବାଦ୍ୟ ବିଶେଷର ମାନ୍ୟତା ଦିଆଯାଇ ପାରିବ ।” ଏହି ଲୋକବାଦ୍ୟର ମହାନତାକୁ ପାଠକେ ଅନୁଭବ କରିବା ସହିତ ଲେଖକଙ୍କର ଦୃଷ୍ଟିଭଙ୍ଗୀକୁ ମଧ୍ୟ ବୁଝିବେ ବୋଲି ଆଶା ।                                                                                                                       -ସମ୍ପାଦକ

କବି, ଗାଳ୍ପିକ, ଶିଶୁ ସାହିତ୍ୟିକ, ନାଟ୍ୟକାର ଓ ଲେଖକ

About ଉତ୍ପନ୍ନ କୁମାର ଭୋଇ

Avatar
ସାହିତ୍ୟିକ, ଲେଖକ

Check Also

ନାରୀ ସ୍ୱାଧୀନତା ନିନ୍ଦନୀୟ ନଥିଲା ମହାଭାରତରେ (ଭାଗବତ ପ୍ରସାଦଙ୍କ ଲେଖନୀରୁ)

ବୁଦ୍ଧ, ମହାବୀରଙ୍କଠୁ ଏକପାଦ ଆଗରେ ଥିଲା ମହାଭାରତ କାରଣ ମହାଭାରତ ପିତୃଶାସିତ ସମାଜର ମୂଲ୍ୟବୋଧ ବଦଳରେ ମାତୃକୈନ୍ଦ୍ରିକ ନାରୀପୁରୁଷ ସମାନ …

Leave a Reply

Your email address will not be published. Required fields are marked *