ପ୍ରହ୍ଲାଦ ନାଟକ

ନାଟକଟି ମହାଦେବ ଦାସଙ୍କ ବିଷ୍ଣୁକେଶରୀ ପୂରାଣ ଏବଂ ପିତାମ୍ବର ଦାସଙ୍କ ନୃସିଂହ ପୂରାଣର ଉଦ୍ଦୃତ କାହାଣୀକୁ ଆଧାର କରି ପ୍ରସ୍ତୁତ ।

ଅଜିତ କୁମାର ମୁନୀ
ଅଜିତ କୁମାର ମୁନୀ 641 Views
37 Min Read

ଉପକ୍ରମ :

ସର୍ବଭାରତୀୟ ଲୋକନାଟକ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏକ ପ୍ରମୁଖ ଓଡ଼ିଆ ଲୋକ ନାଟକ ହେଲା ପ୍ରହ୍ଲାଦ ନାଟକ । ପ୍ରହ୍ଲାଦ ନାଟକ ବ୍ୟତିରେକ ବହୁ ଲୋକନାଟକ ଏବଂ ପାରମ୍ପରିକ ଲୋକନାଟକ ଏହି ଓଡ଼ିଶା ମାଟିର ସାଂସ୍କୃତିକ ମୂଲ୍ୟବୋଧକୁ ସର୍ବବ୍ୟାପି କରିବାରେ ପ୍ରମୂଖ ଭୂମିକା ଧାରଣ କରିଛନ୍ତି । ସେମାନଙ୍କ ମଧ୍ୟରେ କୋରାପୁଟର ଦେଶିଆ ନାଟ, ଗଜପତିର ଭୂତକେଳୀ, ଗଂଜାମର ଭାରତଲୀଳା, କୃଷ୍ଣଲୀଳ, ଦାସକାଠିଆ, ପୁରୀର ରାମଲୀଳା ଉପକୂଳବର୍ତ୍ତୀ ଓଡ଼ିଶାର ଘୋଡ଼ାନାଟ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଦଣ୍ଡନାଟ, ଅବିଭକ୍ତ କଟକ ଜିଲ୍ଲାର ଯାତ୍ରା, ବରଗଡ଼ର ଧନୁଯାତ୍ରା ଆଦି ପ୍ରମୁଖ ଅଟନ୍ତି । ଏସବୁ ସତ୍ତ୍ୱେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପ୍ରାବଲ୍ୟତା, ବଳିଷ୍ଠ ଅଭିନୟର ପ୍ରୟୋଗ ଏବଂ ଦକ୍ଷିଣ ଭାରତୀୟ ବେଶଭୂଷାର ବ୍ୟବହାର ସହିତ ନୃସିଂହ ପୂରାଣର ବିଷୟବସ୍ତୁ ପ୍ରହ୍ଲାଦ ନାଟକକୁ ସମ୍ପୂର୍ଣ୍ଣ ଭାବରେ ସ୍ୱତନ୍ତ୍ର କରି ଗଢ଼ିଛି । ଆଧୁନିକ ଯୁଗର ପ୍ରାରମ୍ଭିକ ପର୍ଯ୍ୟାୟରେ ପୀତାମ୍ବର ଦାସଙ୍କ ନୃସିଂହ ପୂରାଣ ଏବଂ ମହାଦେବ ଦାସଙ୍କ ବିଷ୍ଣୁକେଶରୀ ପୂରାଣର ବିଷୟବସ୍ତୁ ଆଧାରରେ ତତ୍କାଳୀନ ଜଳନ୍ତର (ଅଧୁନା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ) ରାଜଦରବାରୁ ରାଜା ରାମକୃଷ୍ଣ ଛୋଟରାୟଙ୍କ ଲେଖନୀ ମୂନରୁ ଉନ୍ମେଷ ଲାଭ କରିଥିଲା । ସେହି ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏହା ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ଆଲୋକବର୍ତ୍ତିକା ଭଳି ସାହିତ୍ୟିକ ମୂଲ୍ୟବୋଧର ଉଜ୍ଜଳ କିରଣ ଆମ ଓଡ଼ିଆମାନଙ୍କୁ ପ୍ରଦାନ କରିଆସୁଛି ଯଦିଓ ଏହାର ଜନ୍ମ ତେଲୁଗୁ କଥିତ ଆନ୍ଧ୍ରପ୍ରଦେଶର ଜଳନ୍ତରରେ କିନ୍ତୁ ଏହାର ଉଚ୍ଚମାନର ସାହିତ୍ୟ ଏବଂ ପରିବେଷଣ ନିମେନ୍ତ ଏହା ଓଡ଼ିଆମାନଙ୍କ ସର୍ବଜନାଦୃତ ପ୍ରମୂଖ ଲୋକନାଟକ ପାଲଟି ଯାଇଛି ।

ଜନ୍ମ ଓ ବିକାଶ :

ପ୍ରହ୍ଲାଦ ନାଟକ ବିଶେଷ କରି ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଶେଷଭାଗରେ ଏବଂ ଆଧୁନିକ ଯୁଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର ଏବଂ ମୌଳିକ ଲୋକନାଟକ ଭାବରେ ଜନ୍ମ ନେଇଥିଲା । ଏହି ଲୋକନାଟକକୁ ବହୁ ନାଟ୍ୟକାର ସେମାନଙ୍କ ନିଜସ୍ୱ ଦୃଷ୍ଟିକୋଣରୁ ରଚନା କରିଛନ୍ତି ଏବଂ ସେମାନେ ହେଲେ ଯଥା :- ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟ, ତରଳାର ରାଜା ରାମଚନ୍ଦ୍ର ଶୁରଦେଓ, ସୁରଙ୍ଗିର ରାଜା କିଶୋର ଚନ୍ଦ୍ର ଜଗଦେବ, ଧରାକୋଟର ରାଜା ମଦନ ମୋହନ ସିଂଦେଓ ଏବଂ ଗଂଜାମ ଜିଲ୍ଲାର ବାଲିପଦର ନିକଟସ୍ଥ ସଦାଶିବପୁର ଶାସନର କଳା ଶିକ୍ଷକ ବିଶ୍ୱବିହାରୀ ଖାଡ଼ଙ୍ଗା । ପୂର୍ବବର୍ଣ୍ଣିତ ସମସ୍ତ ନାଟ୍ୟକାରମାନଙ୍କୁ ଏହାର ନାଟ୍ୟକାର ଭାବରେ ଗ୍ରହଣ କରାଗଲେ ମଧ୍ୟ ଲୋକନାଟକ ଜଗତର ପ୍ର୍ରହ୍ଲାଦ ନାଟକରେ ଏହାର ପ୍ରଥମ, ପ୍ରମୂଖ ତଥା ଶ୍ରେଷ୍ଠ ନାଟ୍ୟକାର ଭାବରେ ସମସ୍ତ ସମ୍ମାନ ରାଜା ରାମକୃଷ୍ଣ ଛୋଟରାୟଙ୍କୁ ପ୍ରଦାନ କରାଯାଏ ।

ରାଜା ରାମକୃଷ୍ଣ ଛୋଟରାୟ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଅବସ୍ଥିତ ଜଳନ୍ତରର ରାଜା ଥିଲେ । ଯାହା ୧୯୩୯ ମସିହା ପର୍ଯ୍ୟନ୍ତ ମାଡ଼୍ରାସ ପ୍ରେସିଡ଼େନ୍ସି ଅଧିନରେ ଏକ ସାମନ୍ତ ଶାସିତ ରାଜ୍ୟ ଭାବରେ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା ରାଜାଙ୍କ ଅନିଚ୍ଛା ସତ୍ତ୍ୱେ ଏହା ଆନ୍ଧ୍ରପ୍ରଦେଶରେ ମିଶିଗଲା । ଏହି ସ୍ଥାନର ଆଉ ଏକ ସ୍ୱତନ୍ତ୍ର ପରିଚୟ ହେଲା ଏହା ଜଳନ୍ତର ରାଜଦରବାରରେ ଗଂଜାମର ବିଶିଷ୍ଟ ସାରସ୍ୱତ ସାଧକ ତଥା ପଣ୍ଡିତ ବଳଦେବ ରଥ, ରାଜଦରବାରର ମନ୍ତ୍ରୀ ଭାବରେ କାର୍ଯ୍ୟ କରି ସେ ଗଡ଼ଜାତ ବା ସାମନ୍ତ ରାଜ୍ୟର ବହୁବିଧ ଉନ୍ନତି କରି ଜଣେ ପ୍ରଜାବତ୍ସଳ ପ୍ରଶାସକ ଭାବରେ ନିଜକୁ ପ୍ରମାଣିତ କରିବା ସହ ରାଜା ରାମଚନ୍ଦ୍ର ଛୋଟରାୟଙ୍କ ରାଜାନୁଗ୍ରହ ଲାଭ କରିଥିଲେ, ତତ୍‌ସହିତ ତାଙ୍କର ଅସମ୍ପୂର୍ଣ୍ଣ ଆଳଙ୍କାରିକ କାବ୍ୟ ଚନ୍ଦ୍ରକଳା ରଚନା କରି ନିଜର ସାହିତ୍ୟ ପ୍ରତିଭାକୁ ପ୍ରମାଣିତ କରିବା ସହ ରାଜା ରାମଚନ୍ଦ୍ରଙ୍କ ନିକଟରୁ ସେ କବିସୂର୍ଯ୍ୟ ଉପାଧି ମଧ୍ୟ ପାଇଥିଲେ । ସେହି ରାଜବଂଶର ଅନ୍ୟତମ ସୁଯୋଗ୍ୟ ଦାୟାଦ ରାଜା ରାମକୃଷ୍ଣ ଛୋଟରାୟ ପ୍ରଥମେ ସଂଗୀତ ପ୍ରହ୍ଲାଦ ନାଟକ ରଚନା କରିଥିଲେ । ପରବର୍ତ୍ତୀ କାଳରେ ଏହି ନାଟକର ପାଣ୍ଡୁଲିପି ତାଙ୍କ ନିକଟରୁ ହଜିଯାଇଥିଲା ଏବଂ ୧୯୩୮ ମସିହାରେ ଏହା ମାଡ଼୍ରାସ୍ ଓରିଏଣ୍ଟାଲ୍ ମନୁ ଲାଇବ୍ରେରି ଦ୍ୱାରା ପୁନଃ ଆବିଷ୍କୃତ ହୋଇଥିଲା ।

ନାଟ୍ୟକାର ଡଃ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ମତରେ ଏହି ସଙ୍ଗୀତ ପ୍ରହ୍ଲାଦ ନାଟକର ବାସ୍ତବ ନାଟ୍ୟକାର ହେଲେ ଗୌରହରି ପରିଛା । ସେ ପ୍ରଥମେ ଏହି ନାଟକ ରଚନା କରିଥିଲେ ଏବଂ ତତ୍କାଳୀନ ସମୟରେ ପ୍ରଚଳିତ ସାହିତ୍ୟ ପରମ୍ପରାକୁ ଅନୁସରଣ କରି ଏହାକୁ ରାଜା ରାମକୃଷ୍ଣ ଛୋଟରାୟଙ୍କ ନାମରେ ରଚିତ କରିବା ସହ ତାଙ୍କ କରକମଳରେ ଉତ୍ସର୍ଗ କରିଥିଲେ ଏବଂ ପ୍ରତିଫଳ ସ୍ୱରୂପ ସେ ରାଜାଙ୍କ ନିକଟରୁ ବହୁ ପୁରସ୍କାର ପାଇବା ସହ ରାଜକୀୟ ସମ୍ମାନର ଅଧିକାରୀ ହୋଇପାରିଥିଲେ । ଶୁଣାଯାଏ ଯେ, ସେ ରାଜା ରାମକୃଷ୍ଣଙ୍କ ଅତି ନିକଟତର ଥିଲେ ଏବଂ ରାଜଦରବାରର ମଧ୍ୟ ଜଣେ ପ୍ରମୂଖ ସଦସ୍ୟ ଥିଲେ । ଆମ ସାହିତ୍ୟ ଜଗତର ଗବେଷଜ୍ଞ ତଥା ସମୀକ୍ଷକମାନେ ଏହାର ରଚନା ସମୟକୁ ଊନବିଂଶ ଶତକର ମଧ୍ୟ ଭାଗ ବୋଲି ନିର୍ଦ୍ଧାରିତ କରିଛନ୍ତି ।

ଓଡ଼ିଶା ଡିଷ୍ଟ୍ରିକ୍ଟ ଗେଜେଟିୟର୍‌ରେ ବର୍ଣ୍ଣିତ ତଥ୍ୟ ଅନୁସାରେ ପ୍ରହ୍ଲାଦ ନାଟକରେ ପ୍ରାୟତଃ ସଂଗୀତ ବା ଗୀତ ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲେ ସୁଦ୍ଧା ଏହାର ବାସ୍ତବ ରଚୟିତା ହେଉଛନ୍ତି ତରଳାର ରାଜା ବୀରବର ସାମନ୍ତ ।

ଲୋକନାଟକ ଗବେଷକ ଡଃ ବାୟାମନୁ ଚର୍ଚ୍ଚିଙ୍କ ରଚିତ ପୁସ୍ତକ “ଗଂଜାମର ଲୋକନାଟ୍ୟ ପରମ୍ପରା”ର ବର୍ଣ୍ଣନାନୁସାରେ ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ରଚିତ ସଙ୍ଗୀତ ପ୍ରହ୍ଲାଦ ନାଟକର ଅନୁସରଣରେ ତରଳା ରାଜା ବୀରବର ସାମନ୍ତ ଭିନ୍ନ ଏକ ପ୍ରହ୍ଲାଦ ନାଟକ ରଚନା କରିଥିଲେ ଏବଂ ସେଥିରେ ସେ ରାଜା ରାମକୃଷ୍ଣ ଛୋଟରାୟଙ୍କ ବିରଚିତ ସଙ୍ଗୀତ ପ୍ରହ୍ଲାଦ ନାଟକର କିଛି ଗୁରୁତ୍ୱପୂର୍ଣ୍ଣ ଗୀତକୁ ତାଙ୍କ ରଚନାରେ ବ୍ୟବହାର କରିଥିଲେ ।

ଗଂଜାମର ପ୍ରଥମ ଗ୍ରାଜୁଏଟ୍ ଶ୍ୟାମସୁନ୍ଦର ରାଜଗୁରୁ ମଧ୍ୟ ଏକ ପ୍ରହ୍ଲାଦ ନାଟକ ରଚନା କରିଥିଲେ ଯାହା ଗଜପତିର ପାରଳାଖେମୁଣ୍ଡିଠାରେ ଅବସ୍ଥିତ ପଦ୍ମନାଭ ରଙ୍ଗାଳୟଠାରେ ପ୍ରଥମେ ମଞ୍ଚସ୍ଥ ହୋଇଥିଲା । ଏହାର ପ୍ରମାଣ ୧୯୬୧ ମସିହାର ପାରଳାଖେମୁଣ୍ଡିର ଗଜପତି ପ୍ରେସ୍‌ରୁ ପ୍ରକାଶିତ ଶ୍ରୀ ସଙ୍ଗୀତ ପ୍ରହଲ୍ଲାଦ ନାଟକ ପୁସ୍ତକର ମୁଖବନ୍ଧରୁ ଦେଖିବାକୁ ମିଳେ । ପାରଳାଖେମୁଣ୍ଡିର ରାଜା ପଦ୍ମନାଭନାରାୟଣ ଦେବ ଏହି ପୁସ୍ତକରେ ନାଟ୍ୟରଚନା ଓ ମୁଦ୍ରଣ କ୍ଷେତ୍ରରେ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ଅବଦାନ ପାଇଁ ସେ ସହୃଦୟତାର ସହ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେଣୁ ଏହି ସବୁ କାରଣରୁ ଏହା ନିଦ୍ୱର୍ନ୍ଦରେ କୁହାଯାଇପାରେ କି ରାଜା ପଦ୍ମନାଭ ନାରାୟଣ ଦେବ ଏବଂ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ମିଳିତ ପ୍ରଚେଷ୍ଟାରେ ଶ୍ରୀ ସଙ୍ଗୀତ ପ୍ରହ୍ଲାଦ ନାଟକ ପାରଳାଖେମୁଣ୍ଡି ରାଜଦରବାରୁ ସୃଷ୍ଟି ଲାଭ କରିଥିଲା । ପୂର୍ବବର୍ଣ୍ଣିତ ତଥ୍ୟମାନଙ୍କୁ ଆଧାର କରି ଗବେଷକ ଡଃ ଶାନ୍ତନୁ କୁମାର ରଥ ସଙ୍ଗୀତ ପ୍ରହ୍ଲାଦ ନାଟକର ରଚନା କ୍ଷେତ୍ରରେ ରାଜା ରାମକୃଷ୍ଣ ଛୋଟରାୟ, ବୀରବର ସାମନ୍ତ ଏବଂ ଗୌରହରି ପରିଛାଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି ।

ସଙ୍ଗୀତ ପ୍ରହ୍ଲାଦ ନାଟକର ଉତ୍ପତ୍ତି ସମ୍ବନ୍ଧରେ ଓଡ଼ିଶା ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତର ପ୍ରସିଦ୍ଧ ସ୍ରଷ୍ଟା ତଥା ଗୁରୁ ଶ୍ରୀ ତାରିଣୀ ଚରଣ ପାତ୍ର ମତ ପ୍ରଦାନ କରିଛନ୍ତି ଯେ, ପ୍ରହ୍ଲାଦ ନାଟକ ସର୍ବପ୍ରଥମେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଅବସ୍ଥିତ ତରଳା ଗଡ଼ର ତତ୍କାଳୀନ ରାଜା ରାମଚନ୍ଦ୍ର ଶ୍ୱରଦେଓଙ୍କ ପୃଷ୍ଠପୋଷକତାରେ ୧୮୯୯ ଖ୍ରୀଷ୍ଟାବ୍ଦରେ ପରିବେଷିତ ହୋଇଥିଲା । ଏହି ନାଟକଟି ମହାଦେବ ଦାସଙ୍କ ବିଷ୍ଣୁକେଶରୀ ପୂରାଣ ଏବଂ ପିତାମ୍ବର ଦାସଙ୍କ ନୃସିଂହ ପୂରାଣର ଉଦ୍ଦୃତ କାହାଣୀକୁ ଆଧାର କରି ପ୍ରସ୍ତୁତ ।୩୨

ଅନ୍ୟ ଏକ ବର୍ଣ୍ଣନାନୁସାରେ ତରଳାର ବୀରବର ସାମନ୍ତ ସେହି ସମୟର ଏକ ଜଣାଶୁଣା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ଥିଲେ । ଏପରିକି ତାଙ୍କର ସାହିତ୍ୟ ଓ ସଙ୍ଗୀତର ସାଧନା ତଥା ପ୍ରତିଭା ପାଇଁ ସେ ତରଳା ରାଜାଙ୍କ ଠାରୁ କୁଆଡ଼େ ସଙ୍ଗୀତ ଭୂଷଣ ଉପାଧି ପ୍ରାପ୍ତ କରିଥିଲେ । ତେଣୁ ତରଳାର ବୀରବର ସାମନ୍ତ ପ୍ରଥମେ ପ୍ରହ୍ଲାଦ ନାଟକ ରଚନା କରିଥିବା କଥା ଗବେଷକ ଗୌରୀ ଶଙ୍କର ମିଶ୍ର ବର୍ଣ୍ଣନା କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଏହାକୁ ତତ୍କାଳୀନ ପ୍ରଜାବତ୍ସଳ ତଥା ସାହିତ୍ୟ ସଙ୍ଗୀତାନୁରାଗି ରାଜା ରାମକୃଷ୍ଣ ଛୋଟରାୟଙ୍କ କର କମଳରେ ଉତ୍ସର୍ଗ କରିବା ସହ ତାଙ୍କ ନାମରେ ଭଣତି କରିଥିଲେ ।୩୩

ପ୍ରହ୍ଲାଦ ନାଟକର ତଥ୍ୟ ସଂଗ୍ରହ ସମୟରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ସୀମାଞ୍ଚଳ ପାତ୍ର ମତ ପ୍ରଦାନ କରିଛନ୍ତି ସେ ଏହି ସଙ୍ଗୀତ ପ୍ରହ୍ଲାଦ ନାଟକ ପ୍ରଥମେ ରାଜ ପ୍ରାସାଦରେ ପରିବେଷିତ ହୋଇଥିଲା । ଏହାର ପ୍ରଥମ ପରିବେଷଣକୁ ଯେତେବେଳେ ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟ ଦେଖିଲେ ସେତେବେଳେ ସେ ପ୍ରଭାବିତ ହୋଇ ବିଷ୍ଣୁକେଶରୀ ପୂରାଣର ହିରଣ୍ୟକଶିପୁ ଓ ପ୍ରହ୍ଲାଦ ଉପାଖ୍ୟାନକୁ ଆଧାର କରି ତତ୍କାଳୀନ ସମୟରେ ବହୁଳ ପ୍ରଚଳିତ ଓଡ଼ିଶୀ, ହିନ୍ଦୁସ୍ଥାନୀ ତଥା କର୍ଣ୍ଣାଟକୀ ରାଗ ମାନଙ୍କ ପ୍ରୟୋଗରେ ଭିନ୍ନ ଏକ ପ୍ରହ୍ଲାଦ ନାଟକ ରଚନା କରିଥିଲେ ଏହା ମଧ୍ୟ ଶୁଣାଯାଏ ଯେ ରାଜା ରାମକୃଷ୍ଣ ଛୋଟରାୟ ତାଙ୍କର ଭାଇମାନଙ୍କୁ ନେଇ ଏହାର ନାଟ୍ୟମଞ୍ଚସ୍ଥ କରିଥିଲେ ଏବଂ ଏହା ଲଗାତର ଭାବରେ ସାତଦିନ ସାତ ରାତି ପର୍ଯ୍ୟନ୍ତ ପରିବେଷିତ ହୋଇଥିଲା । ଦୁର୍ଭାଗ୍ୟର କଥା ପରିବେଷଣ ଶେଷରେ ତାଙ୍କର ଯେଉଁ ଭାଇ ନୃସିଂହ ଭୂମିକାରେ ଅଭିନୟ କରୁଥିଲେ, ସେ ହିରଣ୍ୟକଶିପୁ ଚରିତ୍ରରେ ଅଭିନୟ କରୁଥିବା ଭାଇଙ୍କୁ ନାଟକର ଯୁଦ୍ଧ ଦୃଶ୍ୟରେ ତାଙ୍କର ଚରିତ୍ରଦ୍ୱାରା ମାତ୍ରାଧିକ ଭାବରେ ପ୍ରଭାବିତ ହୋଇ ମଞ୍ଚ ଉପରେ ହତ୍ୟା କରି ଦେଇଥିଲେ । ଏହିଭଳି ଦୁଃଖଦ ଘଟଣା ପରଠାରୁ ଜଳନ୍ତର ରାଜପ୍ରସାଦରେ ଏହାର ପରିବେଷଣକୁ ରାଜା ନିଷିଦ୍ଧ ଘୋଷଣା କରି ଦେଇଥିଲେ । ଏପରିକି ଏହାର ନାଟ୍ୟକାର ତଥା ନିର୍ଦ୍ଦେଶକ ରାମକୃଷ୍ଣ ଛୋଟରାୟ ନିଜେ ମଧ୍ୟ ଏହି ଘଟଣା ପରଠାରୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏହାର ବହୁ ବର୍ଷ ପରେ ଆନ୍ଧ୍ର ଓଡ଼ିଶା ସୀମାରେ ଅବସ୍ଥିତ ଇଚ୍ଛାପୁରମର କଣ୍ଡରା ପରିବାରର ଜଣେ ସଦସ୍ୟ ଯେତେବେଳେ ଏହି ନାଟକ ସମ୍ବନ୍ଧରେ ସୂଚନା ପାଇଲେ ସେତେବେଳେ ସେ ଜଳନ୍ତର ରାଜଦରବାରକୁ ଯାଇ ଏହି ନାଟକ ପୁନଃ ପରିବେଷଣ ତଥା ପ୍ରଚାର ପ୍ରସାର ପାଇଁ ରାଜା ରାମକୃଷ୍ଣ ଛୋଟରାୟଙ୍କୁ ଅନୁରୋଧ କଲେ । ରାଜା ରାମକୃଷ୍ଣ ତାଙ୍କ ରଚିତ ପାଣ୍ଡୁଲିପିକୁ ପରିବେଷଣ ଲକ୍ଷ୍ୟରେ ତାଙ୍କୁ ହସ୍ତାନ୍ତର କରିବା ସହ ପ୍ରଶିକ୍ଷଣ ନିମନ୍ତେ ପୃଷ୍ଠପୋଷକତା ମଧ୍ୟ ପ୍ରଦାନ କରିଥିଲେ ଫଳ ସ୍ୱରୂପ ଇଚ୍ଛାପୁରର କଣ୍ଡରା ପରିବାରର ଭାଇମାନେ ଏହାକୁ ସଫଳତାର ସହ ପରିବେଷଣ କରି ରାଜାଙ୍କୁ ସନ୍ତୁଷ୍ଟ କରିପାରିଥିଲେ । ପରବର୍ତ୍ତୀ ସମୟରେ ସେମାନେ ଓଡ଼ିଶାର ଗଂଜାମ ଜିଲ୍ଲାର ଛିକିଟି, ବ୍ରହ୍ମପୁର, ନୂଆପଡ଼ା, ପାତ୍ରପୁର ଆଦି ଅଞ୍ଚଳକୁ ବୁଲି ଗାଁ ମାନଙ୍କରେ ନାଟ୍ୟଦଳ ଗଢ଼ି ଏହାର ପ୍ରଚାର ପ୍ରସାର କରି ଏହାକୁ ଏକ ସଫଳ ତଥା ଲୋକପ୍ରିୟ ଲୋକନାଟକରେ ପରିଣତ କରିପାରିଥିଲେ ।

ପରବର୍ତ୍ତୀ ସମୟରେ ଗଂଜାମ ଜିଲ୍ଲାରେ ପ୍ରହ୍ଲାଦ ନାଟକର ଲୋକପ୍ରିୟତାକୁ ଅନୁଭବ କରି ଧରାକୋଟ ରାଜା ଶ୍ରୀ ମଦନ ମୋହନ ସିଂଦେଓ ନିଜର ସାହିତ୍ୟ ଏବଂ କଳାନୁରାଗ ବଳରେ ଏକ ସ୍ୱତନ୍ତ୍ର ପ୍ରହ୍ଲାଦ ନାଟକ ରଚନା କରିଥିଲା । ଏହାର ମସୟ ଊନବିଂଶ ଶତକର ଶେଷ ଭାଗ ବୋଲି ଗ୍ରହଣ କରାଯାଏ । ବର୍ତ୍ତମାନ ସମୟର ଧରାକୋଟ ରାଜା ପରିବାରରେ ଜଣେ ପ୍ରମୂଖ ଉପଦେଷ୍ଟା ତଥା ଶିକ୍ଷାବିତ ଡଃ ବିମଳ ପଟ୍ଟନାୟକଙ୍କ ମତରେ ଧରାକୋଟ ରାଜଦରବାରରୁ ସୃଷ୍ଟି ହୋଇଥିବା ପ୍ରହ୍ଲାଦ ନାଟକର ବାସ୍ତବ ରଚୟିତା ହେଉଛନ୍ତି ରାଜ ପଣ୍ଡିତ କବିଚନ୍ଦ୍ର ହନୁମାନ ରାୟଗୁରୁ, ଯିଏକି ୧୮୬୧ ମସିହାରେ ଗଂଜାମର ପିତଳ ନିକଟବର୍ତ୍ତର୍ୀ ବ୍ରାହ୍ମଣଥାଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ତାଙ୍କ ରଚିତ ପ୍ରହ୍ଲାଦ ନାଟକକୁ ଧରାକୋଟ ରାଜଦରବାରରେ ପରିବେଷଣ କରିଥିଲେ ଏବଂ ଏହାର ପରିବେଷଣ ଦରବାରର ସମବେତ କବି, ପଣ୍ଡିତ, ମନ୍ତ୍ରୀ-ପାରିଷଦ ବର୍ଗ ତଥା ରାଜାଙ୍କୁ ଆପ୍ୟାୟିତ କରିଥିଲା । ଏହାପରେ ତତ୍କଳୀନ ସାହିତ୍ୟ ପରମ୍ପରାକୁ ଅନୁସରଣ କରି କବିଚନ୍ଦ୍ର ହନୁମାନ ରାୟଗୁରୁ ଏହାକୁ ରାଜା ମଦନ ମୋହନଙ୍କ କର କମଳରେ ଉତ୍ସର୍ଗ କରିବା ସହ ତାଙ୍କ ନାମରେ ଭଣତି କରିଥିଲେ । ସେଥି ସକାଶେ ରାଜା ମଧ୍ୟ କବିଙ୍କୁ ଯଥୋଚିତ ରାଜକୀୟ ସମ୍ମାନ ପ୍ରଦାନ କରିଥିଲେ । ଏହି ଘଟଣା ରାୟଗୁରୁ ଗ୍ରନ୍ଥାବଳୀରେ ମଧ୍ୟ ବର୍ଣ୍ଣିତ ।

ତତ୍‌ସହିତ ତଥ୍ୟ ସଂଗ୍ରହ ସମୟରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ବିଂଶ ଶତକର ପ୍ରାରମ୍ଭିକ ପର୍ଯ୍ୟାୟରେ ଗଂଜାମ ଜିଲ୍ଲାର ସୁରଙ୍ଗି ରାଜବଂଶର ରାଜା କିଶୋର ଚନ୍ଦ୍ର ଜଗଦ୍ଦେବ ମଧ୍ୟ ଏକ ପ୍ରହ୍ଲାଦ ନାଟକ ରଚନା କରିଥିଲେ । ବର୍ତ୍ତମାନ ମଧ୍ୟ ଏହା ଚିକିଟି ଓ ଛିକିଟି ଅଞ୍ଚଳରେ କେତେକ ସ୍ଥାନ ପରିବେଷଣ କରାଯାଉଛି ।

ବିଶିଷ୍ଟ ତଥା ବିଖ୍ୟାତ ଚିତ୍ରଶିଳ୍ପୀ ତଥା କଳାକାର ବିଶ୍ୱ ବିହାରୀ ଖାଡ଼ଙ୍ଗା ମଧ୍ୟ ଏକ ପ୍ରହ୍ଲାଦ ନାଟକ ରଚନା କରିଥିଲେ । ସେ ୧୯୩୪ ମସିହାରେ ଗଂଜାମ ଜିଲ୍ଲାର ବାଲିପଦର ନିକଟବର୍ତ୍ତୀ ସଦାଶିବପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ମଦନ ମୋହନ ଖାଡ଼ଙ୍ଗା ଏବଂ ମାତା ଥିଲେ ବାୟାଣୀ ଦେବୀ । କିଶୋର ବୟସରୁ ସେ ଗଂଜାମ ଜିଲ୍ଲାର ଶେରଗଡ଼ ନିକଟବର୍ତ୍ତୀ କରଡ଼ାକଣା ଗ୍ରାମର ବିଶିଷ୍ଠ ତଥା ଲୋକପ୍ରିୟ ପ୍ରହ୍ଲାଦ ନାଟକ ଗୁରୁ ଶ୍ରୀ ଲକ୍ଷ୍ମଣ କୁମାର ଶତପଥିଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଏହି ପ୍ରହ୍ଲାଦ ନାଟକ ଜଗତର ଏକ ପ୍ରସିଦ୍ଧ ତଥା ବିଦ୍ୱାନ ଗୁରୁ ଭାବରେ ନିଜକୁ ଗଢ଼ି ତୋଳିପାରିଥିଲେ । ଏହି ନାଟକର ଜଣେ ବିଦ୍ୱାନ୍ ତଥା ପ୍ରତିଭାବନ୍ କଳାକାର ଭାବରେ ସେ ଗାୟନ ଓ ଅଭିନୟ କ୍ଷେତ୍ରରେ ବହୁବିଧ ସଂସ୍କାର ଆଣିଥିଲେ । ବିଶେଷତଃ ଏହି ନାଟକର ସାହିତ୍ୟ ତଥା ପରିବେଷଣଗତ ବ୍ୟାକରଣକୁ ଶୁଦ୍ଧ କରି ସେ ଏହି ନାଟ୍ୟ ପରମ୍ପରାକୁ ଅଧିକ ରସାଣିତ ଓ ମାର୍ଜିତ କରି ଗଢ଼ି ତୋଳିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ଏପରିକି ସେ ଏକ ସ୍ୱତନ୍ତ୍ର ପ୍ରହ୍ଳାଦ ନାଟକ ମଧ୍ୟ ରଚନା କରି ଏହି ନାଟ୍ୟ ପରମ୍ପରାର ଅନ୍ୟ ଜଣେ ନାଟକାର ଭାବରେ ନିଜକୁ ପରିଚିତ କରିପାରିଥିଲେ । ଏ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଉପାଦେୟ ପୁସ୍ତକମାନ ମଧ୍ୟ ରଚନା କରିଥିଲେ । ସେଗୁଡ଼ିକ ହେଲା ଯାଥ –

୧) ସଙ୍ଗୀତ ପ୍ରହ୍ଲାଦ ନାଟକ ଓ ତାର ବ୍ୟାକରଣ

୨) ସଙ୍ଗୀତ ପ୍ରହ୍ଲାଦ ନାଟକ ଓ ତାର ସ୍ୱରଲିପି

୩) ସଙ୍ଗୀତ ପ୍ରହ୍ଲାଦ ନାଟକ ଓ ତାର ସ୍ୱରଲିପି-୨

ବିଶ୍ୱବିହାରୀ ଖାଡ଼ଙ୍ଗା ରଚନା କରିଥିବା ସଙ୍ଗୀତ ପ୍ରହ୍ଲାଦ ନାଟକ ସର୍ବପ୍ରଥମେ ଅକ୍ଟୋବର ମାସ ୨୯ ତାରିଖ ୧୯୯୫ ମସିହାରେ ଗୋପୀନାଥପୁର ଶାସନରେ ମଞ୍ଚସ୍ଥ ହୋଇଥିଲା ।

କେତେକାଂଶରେ ଓଡ଼ିଆ ନାଟକ ତଥା ସାହିତ୍ୟ ଜଗତର ବିଦ୍ୱାନ୍ ତଥା ଗବେଷକମାନେ ଗଣକବି ବୈଷ୍ଣବ ପାଣିଙ୍କୁ ଅନ୍ୟ ଏକ ପ୍ରହ୍ଲାଦ ନାଟକର ରଚୟିତା ବୋଲି ମତ ପ୍ରକାଶ କରୁଛନ୍ତି । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଗଣକବି ବୈଷ୍ଣବ ପାଣି ପ୍ରହ୍ଲାଦ ଚରିତ ନାମରେ ଏକ ଗୀତିନାଟ୍ୟ ରଚନା କରିଥିଲେ । କିନ୍ତୁ ଏହାର ରଚନା ଓ ପରିବେଷଣରେ ଶହ ଶହ ବର୍ଷ ଧରି ବିଭନ୍ନ ନାଟ୍ୟକାର ଯଥା : ରାଜା ରାମକୃଷ୍ଣ ଛୋଟରାୟ, ରାଜା ରାମଚନ୍ଦ୍ର ଶୁରଦେଓ, ରାଜା ପଦ୍ମନାଭ ଦେବ ଗଜପତି, ରାଜା ମଦନ ମୋହନ ସିଂଦେଓ, ରାଜା କିଶୋର ଚନ୍ଦ୍ର ଜଗଦ୍ଦେବ, ଗୁରୁ ବିଶ୍ୱବିହାରୀ ଖାଡ଼ଙ୍ଗାଙ୍କ ଦ୍ୱାରା ରଚିତ ଏବଂ ଏକ ନିର୍ଦ୍ଦିଷ୍ଟ ପରିବେଷଣ ଶୈଳୀ ଆଧାରରେ ପରିବେଷିତ ଧାରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ଏହାକୁ ପ୍ରହ୍ଲାଦ ନାଟକ ଭଳି ଏକ ସ୍ୱତନ୍ତ୍ର ପର୍ଯ୍ୟାୟର ଲୋକନାଟକର ପର୍ଯ୍ୟାୟଭୁକ୍ତ କରିବା ଆଦୌ ଉଚିତ୍ ହେବ ନାହିଁ । ଏହାକୁ ଆମେ ଗୀତିନାଟ୍ୟର ପର୍ଯ୍ୟାୟଭୁକ୍ତ କରିବା ଯୁକ୍ତିଯୁକ୍ତ ହେବ ।

ବିଶ୍ୱବିହାରୀ ଖାଡ଼ଙ୍ଗାଙ୍କ ପରଠାରୁ ଅନ୍ୟ କୌଣସି ନାଟ୍ୟକାର ପ୍ରହ୍ଲାଦ ନାଟକ ରଚନା କରିଥିବା ସୂଚନା ଏଯାବତ୍ ଲୋକଲୋଚନକୁ ଆସି ପାରିନାହିଁ । କିନ୍ତୁ ଏହି ଲୋକନାଟକ ଜଗତର କିଛି ପ୍ରସିଦ୍ଧ କଳାକାର ତଥା ପ୍ରତିଭାବାନ୍ ଗୁରୁ ଏହାର ନାଟ୍ୟ ସାହିତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ନିଜର ସୃଜନଶୀଳତାକୁ ଉପଯୋଗ କରି କିଛି ସଂଳାପ ଏବଂ ସଂଗୀତ ଯୋଗକରି ଏହାର ନାଟକୀୟତାକୁ ଅଧିକ ମନୋରମ କରିବାର ପ୍ରଚେଷ୍ଟା କରିଛନ୍ତି ସେମାନଙ୍କ ମଧ୍ୟରେ ଗୁରୁ ଶ୍ରୀ କୋରାପାତ୍ର, ଗୁରୁ ଶ୍ରୀ ତ୍ରିନାଥ ପ୍ରଧାନ, ଗୁରୁ ଶ୍ରୀ ସିମାଞ୍ଚଳ ପାତ୍ର, ଗୁରୁ ଶ୍ରୀ ଲକ୍ଷ୍ମଣ ଶତପଥି ଆଦି ପ୍ରମୂଖ ଅଟନ୍ତି ।

ପ୍ରହ୍ଲାଦ ନାଟକର ନାମକରଣ :

ବିଶେଷ କରି ଓଡ଼ିଶାର ଗଂଜାମ୍‌, ଗଜପତି ଠାରୁ ଆରମ୍ଭ କରି ଆନ୍ଧ୍ର ପ୍ରଦେଶର ଶ୍ରୀକାକୂଳମ୍ ଜିଲ୍ଲାର ଜଳନ୍ତର ଓ ତରଳା ଅଞ୍ଚଳ ପର୍ଯ୍ୟନ୍ତ ଏହି ଲୋକନାଟକଟି ବିହୁବିଧ ନାମରେ ପରିଚିତ ଥିବା ଜଣାଯାଏ । ସେହି ନାଁ ଗୁଡ଼ିକ ହେଲା ଯଥା –

୧) ପ୍ରହ୍ଲାଦ ନାଟକ, ୨) ରଜା ନାଟ, ୩) ନୃସିଂହ ଅବତାର, ୪) ନୃସିଂହ ଭେଟ । କିନ୍ତୁ ଗଂଜାମ ଜିଲ୍ଲାରେ ଲୋକ ମୁଖରେ ଏହା ଆଜି ପର୍ଯ୍ୟନ୍ତ ପ୍ରହଲ୍ଲାଦ ନାଟକ କିମ୍ବା ରଜା ନାଟ ହିସାବରେ ପରିଚିତ ଅଟେ ।

ପ୍ରହ୍ଲାଦ ନାଟକ :

ଯେହେତୁ ଏହି ନାଟକରେ ପରିବେଷିତ ବିଷୟବସ୍ତୁରେ ପ୍ରହ୍ଲାଦ ଏକ ମୁଖ୍ୟ ଚରିତ୍ର ଅଟେ ଏବଂ ପ୍ରହ୍ଲାଦକୁ ଆଧାର କରି ସମୁଦାୟ ନାଟକଟି ରଚିତ ହୋଇଛି । ଏପରିକି ପ୍ରହ୍ଲାଦକୁ ଏହି ନାଟକର ନାୟକ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବନାହିଁ । ତେଣୁ ନାଟକରେ ପ୍ରହ୍ଲାଦ ଚିରିତ୍ରର ଗୁରୁତ୍ୱକୁ ଆଖି ଆଗରେ ରଖି ଏହାକୁ ପ୍ରହ୍ଲାଦ ନାଟକ ନାମରେ ନାମିତ କରାଯାଇଛି ।

ରଜା ନାଟ :

ବିଷ୍ଣୁକେଶରୀ ପୂରାଣରେ ବର୍ଣ୍ଣିତ ରାଜା ହିରଣ୍ୟକଶିପୁ ଏହି ନାଟକର ମୁଖ୍ୟ ଖଳନାୟକ ଭାବରେ ପ୍ରଦର୍ଶିତ ହୋଇଥାଏ । ଏବଂ କାହାଣୀରେ ସେ ଏକ ମୁଖ୍ୟ ଚରିତ୍ର ଅଟନ୍ତି । ତେଣୁ ରାଜା ହିରଣ୍ୟକଶିପୁଙ୍କ ଗୁରୁତ୍ୱକୁ ଆଖି ଆଗରେ ରଖି ଏହି ଦର୍ଶକମାନେ ରଜା ନାଟକ ବୋଲି କହିଥାନ୍ତି ।

ନୃସିଂହ ଅବତାର :

ଅବତାରୀ ପ୍ରଭୁ ଶ୍ରୀ ବିଷ୍ଣୁଙ୍କ ଦଶ ଅବତାର ହେଲା ଯଥା – ୧) ମତ୍ସ, ୨୨) କତ୍ସ୍ୟପ, ୩) ବରାହ, ୪) ନୃସିଂହ, ୫) ବାମନ, ୬) ପର୍ଶୁରାମ, ୭) ରାମ, ୮) ବଳରାମ, ୯) ବୌଦ୍ଧ, ୧୦) କଳ୍‌କୀ । ଏହି ଉପରବର୍ଣ୍ଣିତ ଦଶ ଅବତାର ମଧ୍ୟରୁ ନୃସିଂହ ଅବତାର ଏକ ପ୍ରମୂଖ ଅବତାର ଅଟେ । ଏହି ଲୋକନାଟକର ନୃସିଂହ ଅବତାରଣା ଏକ ପ୍ରମୂଖ ତଥା ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ହୋଇଥିବାରୁ ଏହାକୁ କେତେକ ସ୍ଥାନରେ ଦର୍ଶକମାନେ ନୃସିଂହ ଅବତାର ନାମରେ ନାମିତ କରିଛନ୍ତି ।

ନୃସିଂହ ଭେଟ :

ନାଟକୀୟ ଘଟଣାର ଉପସ୍ଥାପନା ଅନୁସାରେ ନାଟକରେ ପ୍ରହ୍ଲାଦ ପ୍ରତିି ଦୈତ୍ୟ ରାଜା ହିରଣ୍ୟକଶିପୁର ଅତ୍ୟାଚାର ଯେତେବେଳେ ସୀମା ଟପିଯାଏ । ସେତେବେଳେ ଦୁଷ୍ଟକୁ ସଂହାର କରି ଶିଷ୍ଟମାନଙ୍କୁ ପରିପାଳନ କରିବା ଲକ୍ଷ୍ୟରେ ରାଜା ହିରଣ୍ୟକଶିପୁର ରାଜଦରବାରର ଏକ ସ୍ତମ୍ବ ମଧ୍ୟରୁ ଆବିର୍ଭୁତ ହୋଇ ହିରଣ୍ୟକଶିପୁ ସହିତ ଯୁଦ୍ଧକରି ତାଙ୍କୁ ବିଦାରଣ କରି ହତ୍ୟା କରନ୍ତି । ହିରଣ୍ୟକଶିପୁ ସ୍ତମ୍ବରୁ ଆବିର୍ଭୂତ ହୋଇ ରାଜାଙ୍କ ସହ ଯୁଦ୍ଧ କରିବାକୁ ନୃସିଂହ ଭେଟ କୁହାଯାଏ । ଏହି ଘଟଣାର ଅବତାରଣା ଏହି ଲୋକନାଟକର ସବୁଠୁ ଅଧିକ ଚିତ୍ତାକର୍ଷକ ଓ ପ୍ରମୂଖ ଅଟେ । ତେଣୁ ଏ ଦୃଷ୍ଟିରୁ ଦର୍ଶକମାନେ ଏହାକୁ ନୃସିଂହ ଭେଟ କୁହାଯାଏ ।

ପ୍ରହ୍ଲାଦ ନାଟକର ସାହିତ୍ୟିକ ଉତ୍ସ :

ପ୍ରହ୍ଲାଦ ନାଟକ ବିଶେଷ କରି ବିଷ୍ଣୁକେଶରୀ ପୂରାଣ ଏବଂ ନୃସିଂହ ପୂରାଣର ବିଷୟବସ୍ତୁକୁ ଆଧାର କରି ରଚିତ । ପ୍ରାଚୀନ ଯୁଗୀୟ ଓଡ଼ିଆ ପୂରାଣ ସାହିତ୍ୟର ଜଣେ ପ୍ରମୂଖ ପୂରାଣକାର ହେଉଛନ୍ତି ମହାଦେବ ଦାସ । ସେ ଏହି ବିଷ୍ଣୁକେଶରୀ ପୂରାଣ ରଚନା କରିବା ସହ ମାର୍କଣ୍ଡେୟ ପୂରାଣ, କାର୍ତ୍ତିକ ମହାତ୍ମ୍ୟ, ନୀଳାଦ୍ରୀ ମହୋଦୟ ଭଳି ସାହିତ୍ୟ କୃତି ରଚନା କରିବା ସହ ଭକ୍ତକବି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ଦ୍ୱାଦଶ ସ୍କନ୍ଧ ରଚନା କରି ଓଡ଼ିଆ ସାରସ୍ୱତ ଜଗତରେ ଜଣେ ଦୀପ୍ତିମାନ ତାରକା ଭାବରେ ନିଜକୁ ସ୍ଥାନିତ କରିଛନ୍ତି । ଠିକ୍ ସେହିପରି ଓଡ଼ିଆ ପୂରାଣ ସାହିତ୍ୟର ଅନ୍ୟତମ ସାରସ୍ୱତ ପ୍ରତିଭା ଥିଲେ ପୀତାମ୍ବର ଦାସ । ସେ ଏହି ନୃସିଂହ ପୂରାଣର ରଚୟିତା ଅଟନ୍ତି ।

ପ୍ରହ୍ଲାଦ ନାଟକର କାହାଣୀ :

ଏହା ସାଧାରଣତଃ ସତ୍ୟଯୁଗର କଥା । ସେହି ସମୟରେ ତିନିଲୋକର ରାଜା ଥିଲେ ପ୍ରଭୁ ନାରାୟଣ ଏବଂ ରାକ୍ଷସ ଥିଲେ ହିରଣ୍ୟକଶିପୁ । ଏହି ହରିଣ୍ୟକଶିପୁ ଦୈତ୍ୟ ବା ଅସୁରମାନଙ୍କର ରାଜା ଥିଲା । ଦେବ ଔରଷରୁ ଏବଂ ମା’ ଦିତିଙ୍କ ଗର୍ଭରୁ ଜନ୍ମ ଲାଭ କରିଥିବାରୁ ଏମାନଙ୍କୁ ଦୈତ୍ୟ ନାମରେ ନାମିତ କରାଯାଇଥିଲା । ନିଜର ରାକ୍ଷସ ପ୍ରବୃତ୍ତି କାରଣରୁ ଏମାନେ ସଦାସର୍ବଦା ପରସ୍ପର ମଧ୍ୟରେ କଳହ କରୁଥିଲେ । ଏପରିକି ଦେବତାମାନଙ୍କ ସାମାଜିକ ସଂହତି ନଷ୍ଟ ହେବା ସହ ସେମାନଙ୍କୁ ନାନାବିଧ ଅତ୍ୟାଚାର କରୁଥିଲେ । ଏପରିକି ଦେବାତମାନଙ୍କ ସହ ଯୁଦ୍ଧ କରି ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସେମାନଙ୍କୁ ଶାସନ ମଧ୍ୟ କରୁଥିଲେ । ତେଣୁ ସ୍ୱର୍ଗର ସମସ୍ତ ଦେବତା ଦୈତ୍ୟ ରାଜା ହିରଣ୍ୟକଶିପୁର ଅତ୍ୟାଚାର ସହ୍ୟ କରିନପାରି ସର୍ବଶକ୍ତିମାନ୍ ବଷ୍ଣୁ୍‌ଙ୍କୁ ଏହି ସମସ୍ୟାର ସାମାଧନ ଉଦ୍ଦେଶ୍ୟରେ ପ୍ରାର୍ଥନା କଲେ । ଏତେବେଳକୁ ଅତ୍ୟାଚାରି ହିରଣ୍ୟକଶିପୁ ସ୍ୱର୍ଗ, ମର୍ତ୍ତ୍ୟ, ପାତଳ, ତିନିପୁରକୁ ସମ୍ପୂର୍ଣ୍ଣ ଭାବରେ କରାୟତ୍ତ କରି ଶାସନ କରିଚାଲିଛି । ଏପରି ନିଜକୁ ସେ ତ୍ରୈଲୋକେଶ୍ୱର ଭାବରେ ଘୋଷଣା ମଧ୍ୟ କରିବାକୁ ପଛଘୁଞ୍ଚା ଦେଇନାହିଁ । ପ୍ରଜାମାନଙ୍କ ମଧ୍ୟରେ ନିଜକୁ ଦେବତାମାନଙ୍କ ରାଜା ଭାବରେ ଘୋଷଣା କରିସାରିଛି । ତେଣୁ ହିରଣ୍ୟକଶିପୁର ଭୟରେ କୌଣସି ଭକ୍ତ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାକୁ ମଧ୍ୟ ସାହାସ କରିପାରୁନାହାନ୍ତି । ପ୍ରଭୁ ଅନ୍ତର୍ଯ୍ୟାମୀ ବିଷ୍ଣୁଙ୍କ ପ୍ରତିବଦଳରେ ସମସ୍ତେ ହିରଣ୍ୟକଶିପୁଙ୍କୁ ପୂଜା କରୁଛନ୍ତି । ବିଧିର ବିଡ଼ମ୍ବନା ଏହି କି ଯେ, ଦୈତ୍ୟରାଜ ହିରଣ୍ୟକଶ୍ୟପିପୁର ସମସ୍ତ ଦୈବୀଗୁଣ ସମ୍ପନ୍ନ ଏକ ବାଳୁତ ପୁତ୍ରଥିଲା । ତାହାର ନାମ ପ୍ରହ୍ଲାଦ । ବାଲ୍ୟକାଳରୁ କୁମାର ପ୍ରହ୍ଲାଦ ବିଷ୍ଣୁଙ୍କର ଏକ ବଡ଼ ଭକ୍ତ ଥିଲା । ଏପରିକି ଆହାର, ବିହାର, ଶୟନ, ସପନ ତଥା ଜୀବନର ପ୍ରତି ମୁହୂର୍ତ୍ତରେ ସେ ପ୍ରଭୁ ବିଷ୍ଣୁ ବା ଶ୍ରୀହରିଙ୍କୁ ସ୍ମରଣ କରୁଥିଲା । ବାଳୁତ କୁମାର ପ୍ରହ୍ଲାଦର ଏତାଦୃଶ ହରିଭକ୍ତି ଦେଖି ଦୈତ୍ୟରାଜ ହରିଣ୍ୟକଶିପୁ ବିସ୍ମିତ ହେବା ସହ ମନରେ ଶଙ୍କା ପ୍ରକାଶ କଲା, ତେଣୁ ସେ ପ୍ରହ୍ଲାଦକୁ ହରିଭକ୍ତିରୁ ନିବୃତ୍ତ କରିବା ନିମନ୍ତେ ହରି ରୂପ ଦର୍ଶନ, ହରିନାମ ଶ୍ରବଣ ଏବଂ ହରି କଥା ଚିନ୍ତନ ନକରିପାରିଲା ଭଳି ପରିବେଶରେ ରଖି ପାଳନ କରିବାର ବ୍ୟବସ୍ଥା କରାଗଲା । ତତ୍ ସହିତ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ସହ ତାଙ୍କର ଦୁଇ ଶିଷ୍ୟ ଚଣ୍ଡ ଓ ଅମାର୍କଙ୍କ ଅଧିନରେ ପ୍ରହ୍ଲାଦକୁ ରଖି ଶିକ୍ଷା ପ୍ରଦାନ ସହ ହରି ଭଜନ ଓ ସ୍ମରଣରୁ ନିବୃତ୍ତ କରିବାର ରାଜକୀୟ ବନ୍ଦୋବସ୍ତ କରାଗଲା । ତେଣୁ କୁମାର ପ୍ରହ୍ଲାଦ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଗୁରୁକୂଳରେ ରହି ତାର ସମସାମୟିକ ବାଲ୍ୟବନ୍ଧୁମାନଙ୍କ ମେଳରେ ଶିକ୍ଷା ଗ୍ରହଣ ଆରମ୍ଭ କଲା । କିନ୍ତୁ ପ୍ରହ୍ଲାଦ ହରିଭକ୍ତିରୁ ନିବୃତ୍ତ ହେବା ପ୍ରତିବଦଳରେ ଶ୍ରୀହରିକୁ ଆହୁରି ଅଧିକ ଭକ୍ତି କରିବାକୁ ଲାଗିଲା । ଯେପରିକି ତାର ଅନ୍ୟାନ୍ୟ ବାଲ୍ୟବନ୍ଧୁମାନଙ୍କ ମନରେ ହରିଭକ୍ତି ସଞ୍ଚାର କରିବାରେ ସଫଳ ହେଲା । ଏହି କଥା ଯେତେବେଳେ ଗୁରୁ ଶୁକ୍ରାଚାର୍ଯ୍ୟ, ଚଣ୍ଡ ଓ ଅମାର୍କ ଜାଣିଲେ ସେମାନେ ମନେ ମନେ ଭୟ ପ୍ରକାଶ କଲେ ଏବଂ ପ୍ରହ୍ଲାଦକୁ ଏହିଭଳି କାର୍ଯ୍ୟକଳାପରୁ ଦୁରେଇ ରଖିବା ସହ ବିଷ୍ଣୁ ଭକ୍ତି ପ୍ରତିବଦଳରେ ଶିବଭକ୍ତି ଆଡ଼କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କଲେ । ମାତ୍ର ସେମାନଙ୍କ ଚେଷ୍ଟା ଆଦୌ ସଫଳ ହେଲା ନାହିଁ । ଫଳରେ ସେମାନେ ଦୈତ୍ୟରାଜ ହିରଣ୍ୟକଶିପୁଙ୍କ ନିକଟରେ ନିଜକୁ ସ୍ୱଚ୍ଛତଥା ରାଜାନୁରକ୍ତ ବୋଲି ପ୍ରମାଣ କରିବା ନିମନ୍ତେ ରାଜାଙ୍କ ନିକଟରେ ପହଞ୍ôଚ ସୂଚନା ଦେଲେ ଯେ ସେମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ସେମାନେ ପ୍ରହ୍ଲାଦକୁ ହରିଭକ୍ତିରୁ ନିବୃତ୍ତ କରିପାରିଲେ ନାହିଁ । ସେମାନଙ୍କ ଅନୁପସ୍ଥିତିରେ ସେ ହରିଙ୍କୁ ପୂଜନ, ସ୍ମରଣ ଓ ଭଜନ କରିବା ସହ ଅନ୍ୟାନ୍ୟ ବାଲ୍ୟସାଥିମାନଙ୍କୁ ମଧ୍ୟ ସେ ଶ୍ରୀହରିଙ୍କ ଆଡ଼କୁ ଆକର୍ଷିତ କରୁଛି । ଗୁରୁମାନଙ୍କ ନିକଟରୁ ରାଜା ଯେତେବେଳେ ଏହି କଥା ଶୁଣିଲେ ସେତେବେଳେ ସେ ଅତ୍ୟଧିକ କ୍ରୋଧାନ୍ୱିତ ହୋଇ ରାଜକୁମାର ପ୍ରହଲ୍ଲାଦକୁ ରାଜଦରବାର ମଧ୍ୟକୁ ଡକାଇଲେ । ଜଣେ ପିତା ହିସାବରେ ରାଜା ପ୍ରହ୍ଲାଦକୁ ହରିଙ୍କ ଠାରୁ ଦୂରେଇ ରଖିବା ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା ଚଳାଇଲେ ଏପରିକି ପ୍ରହ୍ଲାଦକୁ ବାରମ୍ବାର ସ୍ମରଣ କରାଇଲେ ଯେ ରାଜ୍ୟର ସର୍ବମୟ ପାଳନକର୍ତ୍ତା ରାଜା ଅଟନ୍ତି ଭଗବାନ୍ ବିଷ୍ଣୁ ନୁହନ୍ତି । ତେଣୁ ଭଗବାନ୍ ବିଷ୍ଣୁଙ୍କ ପ୍ରତିବଦଳର ସେ ରାଜାଙ୍କୁ ପୂଜା କରିବା ଆବଶ୍ୟକ । କିନ୍ତୁ ଉକ୍ତ ପ୍ରହ୍ଲାଦ ରାକ୍ଷସ ପିତାଙ୍କ କୌଣସି ବାକ୍ୟ ଗ୍ରହଣ କଲା ନାହିଁ । ଯେପରିକି କୁମାର ପ୍ରହ୍ଲାଦ ପିତା ହିରଣ୍ୟକଶ୍ୟପକୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କଲା ଯେ, ପ୍ରଭୁ ଶ୍ରୀ ହରି ବା ବିଷ୍ଣୁ ହେଉଛନ୍ତି ସର୍ବବ୍ୟାପୀ, ସର୍ବଶକ୍ତିମାନ୍‌, ସମଗ୍ର ବିଶ୍ୱର ପରିପାଳକ, ଏବଂ ଏ ସଂସାରରେ ହରି ହିଁ ଏକ ଚରିତ୍ର ଯିଏକି, ସର୍ବ ସ୍ମରଣୀୟ, ସର୍ବ ପୂଜନୀୟ ଏବଂ ସର୍ବ ବନ୍ଦନୀୟ । ଯେତେ ସମୟ ପର୍ଯ୍ୟନ୍ତ ତୁମ୍ଭ ନିକଟରେ ହରିକୃପା ଥିବ ସେତେ ସମୟ ପର୍ଯ୍ୟନ୍ତ ତୁମ୍ଭେ ଏ ସିଂହାସନ ଧାରଣ କରିଥିବ । ଏହା ଶୁଣି ରାଜା ହିରଣ୍ୟକଶିପୁର କ୍ରୋଧର କୌଣସି ସୀମା ରହିଲା ନାହିଁ । ଏପରିକି କ୍ରୋଧର ନିଆଁରେ ଜଳିଯାଇ ରାଜା ହିରଣ୍ୟକଶିପୁ ହରିଭକ୍ତ ପୁତ୍ର ପ୍ରହ୍ଲାଦକୁ ହତ୍ୟା କରିବା ନିମନ୍ତେ ବହୁବିଧ ଚେଷ୍ଟା କଲେ । ଯଥା- ହାତୀ ଦ୍ୱାରା ମାରିବା, ନିଆଁରେ ପୋଡ଼ିବା, ପର୍ବତ ଶିଖରରୁ ତଳକୁ କଚାଡ଼ିବା, ବିଷଧର ସର୍ପାଘତ ଦ୍ୱାରା ହତ୍ୟା କରିବା ଇତ୍ୟାଦି । ହରିରଖେ ମାରେ କିଏ ନୀତିରେ ପ୍ରତ୍ୟେକ କଠିନ ପରିସ୍ଥିତିରେ ପ୍ରହ୍ଲାଦ ନିଜକୁ ରକ୍ଷା କରିବା ପାଇଁ ଯେତେବେଳେ ଶ୍ରୀହରିଙ୍କ ନାମ ସ୍ମରଣ କରିଛି ସେତେବେଳେ ଶ୍ରୀହରି ସ୍ୱୟଂ ଆସି ତାକୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଛନ୍ତି ।

ଏତେ ପରେ ମଧ୍ୟ ପ୍ରହ୍ଲାଦ ଶ୍ରୀହରିଙ୍କୁ ସ୍ମରଣ କରିବାରେ ପଛଘୁଞ୍ଚା ଦେଇନାହିଁ । ପ୍ରହ୍ଲାଦକୁ ମାରିବାରେ ନିଜର ସମସ୍ତ କଳବଳ ବିଫଳ ହେବା ଦେଖି ଦୈତ୍ୟରାଜ ହିରଣ୍ୟକଶିପୁ କ୍ରୋଧାନ୍ୱିତ ହୋଇ ମନ୍ତ୍ରୀମାନଙ୍କ ମାଧ୍ୟମରେ ପ୍ରହ୍ଲାଦକୁ ରାଜଦରବାରକୁ ଡକାଇଲେ ଏବଂ ସେ ରାଜାଙ୍କ ଦ୍ୱାରା ପ୍ରଦତ୍ତ ଦଣ୍ଡମାନଙ୍କରୁ କିପରି ଭାବରେ ନିଜକୁ ରକ୍ଷା କରୁଥିଲେ ପଚାରିଲେ । ରାଜାଙ୍କ ପ୍ରଶ୍ନ ପୁଣି ରାଜଦରବାରରେ ସମସ୍ତଙ୍କ ସମ୍ମୁଖରେ ସର୍ବବ୍ୟାପୀ, ସର୍ବଶକ୍ତିମାନ, ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀହରିଙ୍କ କୃପାରୁ ସମସ୍ତ ଭୟାନକ ଦଣ୍ଡରୁ ଅତି ସହଜରେ ରକ୍ଷା ପାଉଥିଲେ ବୋଲି ପ୍ରହ୍ଲାଦ କହିଛି । ପ୍ରହ୍ଲାଦଙ୍କର ଏହି ଭକ୍ତି ଦୈତ୍ୟରାଜ ହିରଣ୍ୟକଶିପୁର କ୍ରୋଧକୁ ଦ୍ୱିଗୁଣିତ କରିପକାଏ । ପରିଶେଷରେ ରାଜା ହିରଣ୍ୟକଶିପୁ ପ୍ରହ୍ଲାଦକୁ ହରିଭକ୍ତିରୁ ନିବୃତ୍ତ କରିବାକୁ ପୁନର୍ବାର ଶୁକ୍ରାଚାର୍ଯ୍ୟଙ୍କୁ ଶିକ୍ଷା ପ୍ରଦାନ ନିମନ୍ତେ ନିଯୁକ୍ତି କଲେ । ମାତ୍ର ରାକ୍ଷସଗୁରୁ ଶୁକ୍ରାଚାର୍ଯ୍ୟଙ୍କ କୌଣସି ପ୍ରକାର ଶିକ୍ଷା ପ୍ରହ୍ଲାଦଙ୍କୁ ହରିଭକ୍ତିରୁ ନିବୃତ୍ତ କରିପାରିଲାନି ବରଂ ପ୍ରହ୍ଲାଦ ଗୁରୁକୂଳର ରାଜା ହିରଣ୍ୟକଶିପୁର ଅନୁପସ୍ଥିତିରେ ବିନା ଦ୍ୱିଧାରେ ତାର ବାଲ୍ୟବନ୍ଧୁମାନଙ୍କୁ ହରିଭକ୍ତି ଆଡ଼କୁ ଆକୃଷ୍ଟ କରିବାକୁ ଲାଗିଲା । ଏହି ଘଟଣାମାନ ସବୁ ଯେତେବେଳେ ହିରଣ୍ୟକଶିପୁ ଜାଣିଲେ ସେତେବେଳେ ସେ ପୁଣି ପୂର୍ବଭଳି ପ୍ରହ୍ଲାଦକୁ ରାଜଦରବାର ମଧ୍ୟକୁ ଡାକିଆଣି ଅତି କଦର୍ଯ୍ୟ ଭାବରେ ଗାଳି କରିବା ସହ ତାର ଇଷ୍ଟଦେବ ଶ୍ରୀହରିଙ୍କୁ ମଧ୍ୟ ଭର୍ତ୍ସନା କଲେ । ଏପରିକି ପ୍ରହ୍ଲାଦ ଓ ଶ୍ରୀହରି ଉଭୟଙ୍କୁ ସର୍ବସମ୍ମୁଖରେ ହତ୍ୟା କରିବାର ଧମକ ମଧ୍ୟ ଦେଲେ । ପିତାଙ୍କ ମୁଖରୁ ଶ୍ରୀହରିଙ୍କ ଭର୍ତ୍ସନା ଶୁଣି ସହ୍ୟ କରି ନ ପାରି କୁମାର ପ୍ରହ୍ଲାଦ ତାଙ୍କୁ ସମଗ୍ର ବିଶ୍ୱର ନିୟାମକ, ଅଜୟ, ଅମର, ସର୍ବବ୍ୟାପୀ ଭକ୍ତ ବତ୍ସଳ ଶ୍ରୀହରିଙ୍କୁ ଅଯଥା ଗାଳି କରି ପାପ ଅର୍ଜନ କରିବାରୁ କ୍ଷାନ୍ତ ହେବାକୁ କହିଲେ । ପୁତ୍ରର ଏହିଭଳି ଉପଦେଶ ଶ୍ରବଣ କରି ରାଜା ଭୀଷଣ ଭାବରେ ରାଗିଯାଇ ପ୍ରହ୍ଲାଦକୁ ପଚାରିଛନ୍ତି ଯଦି ତୋର ଶ୍ରୀହରି ସର୍ବଶକ୍ତିମାନ ଏବଂ ସର୍ବବ୍ୟାପୀ ତେବେ ଏହି ରାଜଦରବାରର ସ୍ତମ୍ଭ ମଧ୍ୟରୁ ବାହାରି ଆସି ତୋତେ ମୋ କବଳରୁ ରକ୍ଷା କରିପାରିବେ? ରାଜାଙ୍କ ଏହି ପ୍ରଶ୍ନ ଶୁଣି ପ୍ରହ୍ଲାଦ ବିନମ୍ରତାର ସହ ଉତ୍ତର ଦେଇଛି ଅବଶ୍ୟ “ଶ୍ରୀହରି ଏହି ସ୍ତମ୍ଭରୁ ଆବର୍ଭୂତ ହୋଇ ମୋତେ ରକ୍ଷା କରିପାରିବେ” । ରାକ୍ଷାସ ରାଜ ଏତାଦୃଶ ବଚନ ଶୁଣି ହିରଣ୍ୟକଶିପୁ କୋପାନଳ ହୋଇ ହସ୍ତରେ ଏକ ଗଦାଧରି ଶ୍ରୀହରିଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସ୍ତମ୍ଭକୁ ଯାଇ ଆଘାତ କରିଛି । ଫଳସ୍ୱରୂପ ଦୁଷ୍ଟ ଜନକୁ ସଂହାର କରି ଶିଷ୍ଟ ଜନଙ୍କୁ ଉଦ୍ଧାର କରିବା ଲକ୍ଷ୍ୟରେ ଶ୍ରୀହରି ଭୟଙ୍କର ଗର୍ଜନ ଛାଡ଼ି ସ୍ତମ୍ଭ ମଧ୍ୟରୁ ବାହାରି ଆସି ନରସିଂହ ରୂପରେ ରାଜଦରବାରେ ସର୍ବସମ୍ମୁଖରେ ଆବିର୍ଭୂତ ହୋଇଛନ୍ତି । ତତ୍‌କ୍ଷଣାତ୍ ପ୍ରଭୁ ନରସିଂହ ଏବଂ ରାକ୍ଷସ ହରିଣ୍ୟକଶିପୁ ମଧ୍ୟରେ କଳିଗୋଳର ସୂତ୍ରପାତ ହୋଇଛି ଏବଂ ପରିଶେଷରେ ନରସିଂହଙ୍କ ହାତରେ ହିରଣ୍ୟକଶିପୁର ନିଧନ ହୋଇଛି ।

ରାକ୍ଷସରାଜ ହିରଣ୍ୟକଶିପୁ ନିହତ ହେବା ପୂର୍ବରୁ କୁମାର ପ୍ରହ୍ଲାଦକୁ ରାଜ୍ୟ ରାଜନୀତି ଶିକ୍ଷା ପ୍ରଦାନ କରିଛନ୍ତି । କ୍ରୋଧାନ୍ୱିତ ପ୍ରଭୁ ନରସିଂହଙ୍କୁ ଶାନ୍ତ କରିବା ନିମନ୍ତେ ସମସ୍ତ ଦେବତା ସ୍ୱର୍ଗରୁ ପୁଷ୍ପ ବୃଷ୍ଟି କରିବା ସହ ନରସିଂହଙ୍କ ଉଦ୍ଦେଶ୍ୟରେ ସ୍ତବଗାନ କଲେ । ତତ୍‌ସହିତ ମା ଲକ୍ଷ୍ମୀ ମଧ୍ୟ ନରସିଂହ ରୂପି ବିଷ୍ଣୁଙ୍କ କ୍ରୋଧ ଉପଶମ କରିବା ଲକ୍ଷ୍ୟରେ ନରସିହଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରାର୍ଥନା କରିଛନ୍ତି । ପରିଶେଷର ନୃସିଂହ ଶାନ୍ତ ହୋଇଛନ୍ତି ଏବଂ ପ୍ରହ୍ଲାଦର ହରିଭକ୍ତିରେ ସମସ୍ତେ ପ୍ରୀତ ହୋଇ ତାକୁ ଆର୍ଶିବାଦ ପ୍ରଦାନ କରିବା ସହ ରାଜ୍ୟପଦ ପ୍ରଦାନ କରି ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ପ୍ରହ୍ଲାଦ ନାଟକର ପରିବେଷଣ ଶୈଳୀ :

ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଶେଷ ପର୍ଯ୍ୟାୟରେ ଏବଂ ଆଧୁନିକ ଯୁଗୀୟ ଓଡ଼ିଆ ସାହିତ୍ୟର ପ୍ରଥମ ପର୍ଯ୍ୟାୟରେ ଆମର ପୂରାଣ ସାହିତ୍ୟର ପୃଷ୍ଠ ଭୂମିରେ କିମ୍ବା ତାର ଆଂଶିକ ପ୍ରଭାବରେ ଜନ୍ମଲାଭ କରିଥିବା ଲୋକନାଟକ ଗୁଡ଼ିକରେ ରୀତି ସାହିତ୍ୟ ରଚନା ଶୈଳୀ ଓ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରର ପରିବେଷଣ ଆଧାରିତ ବ୍ୟାକରଣର ପ୍ରୟୋଗ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ପୂର୍ବରଙ୍ଗ, ମଙ୍ଗଳାଚରଣ, ସ୍ତବଗାନ, ନାଟକ ପରିବେଷଣ ତଥା ଭରତବାକ୍ୟ ପ୍ରଧାନ ଅଟେ । ଠିକ୍ ସେହିଭଳି ଭରତମୁନୀଙ୍କ ନାଟ୍ୟଶାସ୍ତ୍ରରେ ବର୍ଣ୍ଣିତ ନାଟକର ପରିବେଷଣ ଗତ ବ୍ୟାକରଣ ବା ନୀତି ନିୟମ ଆଂଶିକ ମାତ୍ରାରେ ଦେଖିବାକୁ ମିଳେ । ମୁଖ୍ୟତଃ ପ୍ରହ୍ଲାଦ ନାଟକର ପରିବେଷଣ ସର୍ବବିଘ୍ନ ବିନାଶକ ଗଣେଶ, ବିଦ୍ୟାଦାତ୍ରୀ ତଥା କଳାର ଦେବୀ ମା’ସରସ୍ୱତୀଙ୍କ ମଙ୍ଗଳାଚରଣ ଆରମ୍ଭ ହୋଇଥାଏ । ସୂୂତ୍ରଧରଙ୍କର ଆବାହନ କ୍ରମେ ପ୍ରଥମେ ଗଜାନନ ଓ ଦ୍ୱିତୀୟରେ ମା’ସରସ୍ୱତୀ ମଞ୍ଚକୁ ଆସି ନାଟକର ନିର୍ବିଘ୍ନ ପରିବେଷଣ ତଥା ସଫଳତା ନିମନ୍ତେ ଆଶିର୍ବାଦ ପ୍ରଦାନ କରିଥାନ୍ତି ଏହାପରେ ପୁଣି ସୂତ୍ରଧର ନାଟକ ସମ୍ବନ୍ଧରେ ଦର୍ଶକମାନଙ୍କ ସମ୍ମୁଖରେ ସୂଚନା ପ୍ରଦାନ କରିଥାନ୍ତି । ତତ୍‌ପରେ ନାଟକର ମୂଳବିଷୟବସ୍ତୁର ପରିବେଷଣ ଆରମ୍ଭ ହୋଇଥାଏ ।

ମଙ୍ଗଳାଚରଣ :

ବନ୍ଦଇ ଶ୍ରୀ ଗଣନାଥଙ୍କ ଚରଣ ସୁଦୟାକୁ ବହହେ ।

ପାର୍ବତୀ ନନ୍ଦନ, ମୁଷିକ ବାହନ,

ଚତୁର୍ଭୁଜ ଏକଦନ୍ତ ଗଜବଦନ

ପାଶକୁଂଶଧର, ପୃଥୁଳ ଶରୀର,

ଶୋଭିତ ଯାହାର କରରେ ଚାମର

ଧୂପଦୀପ ଷଡ଼ ତାମ୍ବୁଳ ନୈବେଦ୍ୟ

ଗନ୍ଧ ପୁଷ୍ପ ଆଦି ଘେନିଣ ବହନ

ଶ୍ରୀ ନୃପକେଶରୀ ରାମକୃଷ୍ଣବୀର ।

ଶଙ୍କରସୂତ ପାଶେ ଉଭା ହୋଇ ସତ୍ୱର ।

 

ତତ୍‌ପରେ ରାଜା ହିରଣ୍ୟକଶିପୁ ଆତ୍ମପରିଚୟ ପ୍ରଦାନ ପୂର୍ବକ ନାଚିନାଚି ଅର୍ଦ୍ଧାଙ୍ଗିନୀ ଲୀଳାବତୀଙ୍କୁ ଧରି ମଞ୍ଚ ପ୍ରବେଶ କରନ୍ତି । ଏହି ସମୟରେ ତାଙ୍କର ଦୂତ ଆସି ସୂଚନା ପ୍ରଦାନ କରେ ଯେ ହିରଣ୍ୟକଶିପୁର ଅନୁଜ ହିରଣ୍ୟାକ୍ଷଙ୍କୁ ଲୀଳାମୟ ପ୍ରଭୁ ଶ୍ରୀବିଷ୍ଣୁ ବରାହ ଅବତାର ଧାରଣ କରି ହତ୍ୟା କରନ୍ତି । ଏହାପୁଣି ହିରଣ୍ୟକଶିପୁ କ୍ରୋଧାନ୍ୱିତ ହୋଇ ନିଜ କନିଷ୍ଠ ଭ୍ରାତାର ହତ୍ୟାକାରୀର ପ୍ରତିଶୋଧ ନେବା ନିମନ୍ତେ ପ୍ରତିଜ୍ଞା କରନ୍ତି । ଫଳରେ ଶତ୍ରୁଙ୍କୁ ବିନାଶ କରିବା ନିମନ୍ତେ ଆବଶ୍ୟକୀୟ ଶକ୍ତି ଓ ସାମର୍ଥ୍ୟ ସହ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଆଶିର୍ବାଦ ପାଇବା ପାଇଁ ଘଞ୍ଚ ଜଙ୍ଗଲ ମଧ୍ୟକୁ ଯାଇ ତପସ୍ୟା କରିଛି । ଏହି ସମୟରେ ଲୀଳାବତୀଙ୍କ ଗର୍ଭରୁ କୁମାର ପ୍ରହଲ୍ଲାଦ ଜନ୍ମ ନିଏ ଏବଂ ଅପରପକ୍ଷରେ ଦୈତ୍ୟରାଜା ହିରଣ୍ୟକଶିପୁର କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ଏକ ଦିବ୍ୟଶକ୍ତି ସମ୍ପନ୍ନ ବର ପ୍ରଦାନ କରିଛନ୍ତି । ଯେଉଁ ବର ବଳରେ ଦୈତ୍ୟରାଜା ହିରଣ୍ୟକଶିପୁକୁ କୌଣସି ଦେବତା, ନର, କିମ୍ବା ରାକ୍ଷସ ହତ୍ୟା କରି ପାରିବେ ନାହିଁ, ତତ୍‌ସହିତ ସେ ଦିନରେ ମରିବନି କିମ୍ବା ରାତ୍ରିରେ ମରିବନି, ଘରେ ମରିବନି କିମ୍ବା ବାହାରେ ମରିବନି ଏବଂ ଅସ୍ତ୍ରରେ ମରିବନି କିମ୍ବା ଶସ୍ତ୍ରରେ ମରିବନି ।

ବ୍ରହ୍ମାଙ୍କ ନିକଟରୁ ବର ପାଇ ହିରଣ୍ୟପଶିପୁ ରାଜ୍ୟ ଶାସନ କରୁଥିବା ସମୟରେ ବାଳୁତ କୁମାର ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରୁଥିବା ଦୃଶ୍ୟ ଦେଖି ଚକିତ ଓ ଭୟଭୀତ ହୋଇଯାନ୍ତି । ପୁତ୍ରକୁ ଶ୍ରୀହରି ବା ଭଗବାନ ବିଷ୍ଣୁଙ୍କ ବିରୋଧରେ ନାନା କଥା କହି ତାଙ୍କୁ ଦେବ ଦେବ ମହାଦେବ ଶିବଙ୍କୁ ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । କିନ୍ତୁ ଭଗବତ୍ ପ୍ରେମୀ ଦିବ୍ୟ ବାଳକ ପ୍ରହ୍ଲାଦ ପିତାଙ୍କ ନିର୍ଦ୍ଦେଶକୁ ତିଳେ ମାତ୍ର ଗ୍ରହଣ ନକରି ତତ୍‌କ୍ଷଣାତ୍ ପିତାଙ୍କୁ ଶ୍ରୀହରୀଙ୍କ ଜୀବନ ଓ ଦର୍ଶନ ଆଦି ସମସ୍ତ ବିଷୟରେ ବର୍ଣ୍ଣନା କରିଛି । ଫଳରେ ହିରଣ୍ୟକଶିପୁ ପୁତ୍ର ପ୍ରହ୍ଲାଦକୁ ହରି ସ୍ମରଣ, ଚିନ୍ତନ ଓ ଭଜନରୁ ନିବୃତ୍ତ କରିବା ସହ ବିଦ୍ୟାଶିକ୍ଷା ନିମନ୍ତେ ଚଣ୍ଡ ଓ ଅମାର୍କ ଆଦି ଗୁରୁଙ୍କୁ ନିଯୁକ୍ତ କରିଛନ୍ତି । ରାଜାଙ୍କ ନିର୍ଦ୍ଦେଶାନୁସାରେ ଗୁରୁ ଶୁକ୍ରାଚାର୍ଯ୍ୟ ଯେତେବେଳେ ବିଦ୍ୟା ଶିକ୍ଷା ପ୍ରଦାନ ଆରମ୍ଭ କରିଛନ୍ତି ସେତେବେଳେ ପ୍ରହ୍ଲାଦ ତାଙ୍କ ନିକଟରୁ ବିଦ୍ୟା ଅଧ୍ୟୟନ କରିବା ନିମନ୍ତେ କୌଣସି ଆଗ୍ରହ ପ୍ରକାଶ କରିନାହିଁ, ଏପରିକି ଶ୍ରୀହରିଙ୍କ ବିରୁଦ୍ଧରେ ଶୁକ୍ରାଚାର୍ଯ୍ୟ କହୁଥିବା କୌଣସି କଥା ଗ୍ରହଣ ଓ ଧାରଣ କରିବା ଦୂରର କଥା ସେ ଶ୍ରବଣ ମଧ୍ୟ କରିନାହିଁ । ପରିଶେଷରେ ଗୁରୁ ଶୁକ୍ରାଚାର୍ଯ୍ୟ ପ୍ରହ୍ଲାଦକୁ ଶିକ୍ଷା ଦାନ କରିବାରେ ବିଫଳ ହୋଇଛନ୍ତି । ରଜାନାଟକର ଏହି ଭାଗଟି ଅତ୍ୟନ୍ତ ହାସ୍ୟୋଦ୍ଦୀପକ ଅଟେ । ଲଘୁବ୍ୟଙ୍ଗ ପରିବେକ୍ଷଣ ମାଧ୍ୟମରେ ଏହି ଦୃଶ୍ୟରେ ପ୍ରହ୍ଲାଦ, ଚଣ୍ଡ ଅମାର୍କ ଓ ଶୁକ୍ରାଚାର୍ଯ୍ୟ ଦର୍ଶକଙ୍କ ଚିତ୍ତବିନୋଦ କରିବା ସହ ବାନ୍ଧି ରଖିବାରେ ସଫଳ ହୋଇଥାନ୍ତି ।

ପରବର୍ତ୍ତୀ ଦୃଶ୍ୟରେ ଗୁରୁ ଶୁକ୍ରାଚାର୍ଯ୍ୟ ଅତ୍ୟନ୍ତ ଦୁଃଖର ସହ ନିଜର ବିଫଳତା କଥା ରାଜାଙ୍କ ସମ୍ମୁଖରେ କହିବା ସହ ପ୍ରହ୍ଲାଦର ଅତିଶୟ ହରିଭକ୍ତି କଥା ରାଜାଙ୍କୁ ସବିଶେଷ ବର୍ଣ୍ଣନା କରିଛନ୍ତି । ଫଳରେ ରାଜା ହିରଣ୍ୟକଶିପୁ ଜଣେ ରାଜା ଏବଂ ପିତା ହିସାବରେ ପୁତ୍ର ପ୍ରହ୍ଲାଦକୁ ପରିବର୍ତ୍ତନ କରିବା ଲକ୍ଷ୍ୟରେ, ସାମ, ଦାନ, ଦଣ୍ଡ, ଭେଦ ନୀତି ପ୍ରୟୋଗ ପୂର୍ବକ ପ୍ରଥମେ ବହୁ ଦୃଷ୍ଟାନ୍ତମୂଳକ କାହାଣୀ ମାଧ୍ୟମରେ ହରିଭକ୍ତିରୁ ନିବୃତ୍ତ କରିବାକୁ ପ୍ରୟାସ କରିଛନ୍ତି । ଏହି ଦୃଶ୍ୟରେ ପିତା ପୁତ୍ରର ସଙ୍ଗୀତଧର୍ମୀ ବାର୍ତ୍ତାଳାପ ଅତ୍ୟନ୍ତ ଚିତ୍ତାକର୍ଷକ ଅଟେ । ଯଥା :-

ଘେନରେ କୁମରମଣି ଦେଇଣ ଚିତ୍ତକୁ

ଏବେ ତୁ ମୋହର ବାଣୀ

ଗୁରୁଙ୍କୁ ମାନିଣ ମନ ସ୍ଥିର କରିଣ

ବିଦ୍ୟାରମ୍ଭ କଲେଣ, ଶିବଙ୍କୁ ଭକ୍ତି ଜାଣ ।

ଭକ୍ତିରେ ଜ୍ଞାନକୁ ଜାତ, ଜ୍ଞାନରୁ ମୁକ୍ତି ପ୍ରାପତ

ଜନ୍ମକୁ କର କୃତାର୍ଥ ପରମ୍ପରାକୁ ଧରି

କାର୍ଯ୍ୟ କର ବିଚାରି, ଭୋଗକରିବୁ ଶିରୀ ।ା

କାଳବେଳକୁ ଜାଣି, ପିତାମାତାଙ୍କ ମାନିଣ

ଦୈତ୍ୟ ପାଳିଣ ଲୋକରେ ବୋଲାଅ

ଛାଡ଼ି ଧ୍ୟାନ ଛାଡ଼ ହରି ସ୍ମରଣ ।

 

କିନ୍ତୁ ପ୍ରହ୍ଲାଦ ପିତା ହିରଣ୍ୟକଶିପୁର କିମ୍ବା ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କୌଣସି ନିର୍ଦ୍ଦେଶକୁ ଆଦୌ ଗ୍ରହଣ କରିନାହିଁ । ତେଣୁ ରାଜା ନିଜର ପୁତ୍ରର ମାନସିକ ପରିବର୍ତ୍ତନକୁ ଆଖି ଆଗରେ ରଖି ନାନାବିଧ ଦଣ୍ଡର ପ୍ରାୟୋଗ କରିଛନ୍ତି । ଯଥା – ହସ୍ତୀ ମାଧ୍ୟମରେ ହତ୍ୟା କରିବା, ତପ୍ତ ଲୌହ ସ୍ତମ୍ଭରେ ବାନ୍ଧିଦେବା, ଏପରିକି ଖଡ୍ଗ ମାଧ୍ୟମରେ ମୁଣ୍ଡକାଟର ନିର୍ଦ୍ଦେଶ ଦେବା କିନ୍ତୁ ପ୍ରହ୍ଲାଦର ସରଳତା, ନିଷ୍କପଟତା ଏବଂ ହରିଭକ୍ତି ତାଙ୍କୁ ସମସ୍ତ ଛୋଟ ଛୋଟ ଦଣ୍ଡମାନଙ୍କରୁ ମୁକୁଳିବାରେ ସହାୟକ ହୋଇଛି । କଥାରେ ଅଛି, “ହରି ରଖେ ମାରେ କିଏ, ମାରେ ହରି ରଖେ କିଏ?” ପ୍ରହ୍ଲାଦ ନାଟକର ଏହି ଭାଗରେ ବା ଦୃଶ୍ୟରେ ବହୁ ନାଟକୀୟ ଘଟଣାର ପରିବେଷଣ ହୋଇଥାଏ ଏବଂ ତାହା ଅତ୍ୟନ୍ତ ଭାବଗର୍ଭକ ଅଟେ ।

ନାନାବିଧି ଦଣ୍ଡ ବିଧାନ ସତ୍ତ୍ୱେ ପ୍ରହ୍ଲାଦ ହିରଣ୍ୟକଶିପୁଙ୍କୁ ଭୟ ନ କରି ପୂର୍ବଭଳି ଶ୍ରୀହରିଙ୍କୁ ଭଜନ କରିବାରେ ଲାଗେ । ଏହି ଘଟଣା ଦେଖି ଦୈତ୍ୟରାଜ ହିରଣ୍ୟକଶିପୁର କ୍ରୋଧ ଦ୍ୱିଗୁଣିତ ହୋଇଯାଏ । ଫଳରେ ରାଜା ଅତିଶୟ କ୍ରୋଧାନ୍ୱିତ ହୋଇ ବହୁ କଠୋର ଦଣ୍ଡ ପ୍ରଦାନ ପୂର୍ବକ ପ୍ରହ୍ଲାଦକୁ ଭୟଭୀତ କରାଇ ହରିଭକ୍ତିରୁ ନିବୃତ୍ତ କରିବାକୁ ମନସ୍ଥ କରନ୍ତି । ଏଥି ନିମନ୍ତେ ସେ ପ୍ରଥମେ ତାଙ୍କ ରାଜ୍ୟରେ ବାସ କରୁଥିବା ସାପୁଆ, ସାପୁଆଣି ଓ ଶବର-ଶବରୁଣିଙ୍କୁ ଡାକି ସର୍ପ ଦଣ୍ଡର ବିଧାନ କରନ୍ତି । କଥାରେ ଅଛି “ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ?” କିନ୍ତୁ ସର୍ବଶକ୍ତିମାନ ସର୍ବବ୍ୟାପି ଶ୍ରୀହରିଙ୍କ କୃପାରୁ ସାପୁଆ ଓ ଶବରମାନେ ଆଣିଥିବା ନିଷଧର ସର୍ପମାନେ ମଧ୍ୟ ପ୍ରହ୍ଲାଦର କୌଣସି କ୍ଷତି କରନ୍ତି ନାହିଁ । ବିଶେଷ କରି ଏହି ଦୃଶ୍ୟର ପରିବେଷଣକୁ ଦର୍ଶକମାନଙ୍କୁ ସମ୍ପୂର୍ଣ୍ଣ ମନୋରଂଜନ ପ୍ରଦାନ କରିଥାଏ । କାରଣ ପୂରାଣ ବିଷୟବସ୍ତୁ ଆଧାରିତ ଲୋକନାଟକରେ ସମ୍ପୂର୍ଣ୍ଣ ଗ୍ରାମୀଣ ତଥା ଦେଶୀ ଜନତାର ଜୀବନ, ଜୀବିକା ତଥା ସଂସ୍କୃତି ଏଠାରେ ପ୍ରତିଫଳିତ ହୋଇଥିବାର ଦେଖିବାକୁ ମିଳେ । ବିଶେଷ କରି ଶବରମାନଙ୍କ ବେଶ, କଥାଭାଷା ଓ ନୃତ୍ୟଗୀତ ଏହି ଦୃଶ୍ୟକୁ ଆକର୍ଷଣୀୟ କରିଥାଏ । ଏହି ଦୃଶ୍ୟରେ ବେକରେ ସାପ ଗୁଡ଼େଇ ହୋଇ ମୁକ୍ତି ପାଇଁ କୁମାର ପ୍ରହ୍ଲାଦର ଶ୍ରୀହରିଙ୍କ ନିକଟରେ ବିକଳ ପ୍ରାର୍ଥନା ଗ୍ରାମୀଣ ଦର୍ଶକମାନଙ୍କ ଆଖିକୁ ଲୁହ ଛଳଛଳ କରିପକାଏ ।

ଏହା ପରେ ରାଜାଙ୍କ ନିର୍ଦ୍ଦେଶକ୍ରମେ ପ୍ରହ୍ଲାଦକୁ ରାଜଦରବାରରେ ରାଜାଙ୍କ ସମ୍ମୁଖରେ ଦଣ୍ଡାୟମାନ କରାଯାଏ । ରାଜା ହିରଣ୍ୟକଶିପୁ ଦରବାରରେ ସୈନିକମାନଙ୍କ ନିକଟରୁ ପୂର୍ବ ଘଟଣାମାନ ସମ୍ବନ୍ଧରେ ସୂଚନା ପାଆନ୍ତି । ସେ ଯେତେବେଳେ ଶୁଣନ୍ତି ଯେ ତାଙ୍କର ବାଳୁତ ପୁତ୍ର ପ୍ରହ୍ଲାଦ ଶ୍ରୀହରି ବା ବିଷ୍ଣୁଙ୍କ କୃପା ବଳରେ ସେ ବିଧାନ କରି ଆସୁଥିବା ସମସ୍ତ ସାମାନ୍ୟ ତଥା କଠୋର ଦଣ୍ଡରୁ ସହଜରେ ମୁକୁଳି ପାରୁଛି । ସେତେବେଳେ ସେ ତାଙ୍କର କ୍ରୋଧକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । କ୍ରୋଧରେ ଜର୍ଜରିତ ହୋଇ ପ୍ରହ୍ଲାଦକୁ ଗାଳି କରନ୍ତି ଏବଂ ପତ୍ନି ଲୀଳାବତୀଙ୍କୁ ପୁତ୍ରକୁ ବୁଝାଇବାକୁ ଲାଗି ନିର୍ଦ୍ଦେଶ କରନ୍ତି । ଯଥା –

ଆରେ ସୁମର କେ ରଖୁରେ ତତେ…

ଆଜି ବିନାଶିବି…

ଆଜି ବିନାଶିବିରେ ତତେ

ସୁମର କେ ରଖୁରେ ତୋତେ ।

କିରେ ନଜାଣୁ କି ମୋହର ବୀରପଣରେ

ଇଷିତରେ ଜିଣିଲି ସ୍ୱର୍ଗେ ସୁରଗଣ

ବାଳୁତ ବୋଲି ମୁହିଁ କ୍ଷମାକୁ କରୁଥାଇ

ବାଳୁତ ବୋଲି ମୁହିଁ ବିଚାରନ୍ତେ ଦିନୁ ଦିନୁ

ଅମାନ୍ୟ ହେଲୁରେ ତୁହିଁ ଦୁଷ୍ଟ ଚିତ୍ତକୁ ଧରି ।

ଏହାଶୁଣି ମାତା ଲୀଳାବତୀ ସ୍ୱାମୀଙ୍କ କୋପଦୃଷ୍ଟିରୁ ରକ୍ଷାକରିବା ନିମନ୍ତେ ପୁତ୍ର ପ୍ରହ୍ଲାଦକୁ ବାରମ୍ବାର ପିତାଙ୍କ ନିର୍ଦ୍ଦେଶ ମୁତାବକ ହରିଭକ୍ତିରୁ ନିବୃତ୍ତ ରହିବାକୁ ଉପଦେଶ ପ୍ରଦାନ କରିଛନ୍ତି । କିନ୍ତୁ ପ୍ରହ୍ଲାଦ କାହା କଥା ଶୁଣିନି ।

ପରିଶେଷରେ ହିରଣ୍ୟକଶିପୁ ସ୍ୱହସ୍ତରେ ହରିଭକ୍ତ ପୁତ୍ର ପ୍ରହ୍ଲାଦକୁ ହତ୍ୟା କରିବା ନିମନ୍ତେ ମନସ୍ଥ କରିଛନ୍ତି । ତେଣୁ ସେ ଦୁତମାନଙ୍କ ମାଧ୍ୟମରେ ପୁନର୍ବାର ପ୍ରହ୍ଲାଦକୁ ରାଜଦରବାରକୁ ଡକାଇଛନ୍ତି ଏବଂ ହତ୍ୟା କରିବା ପୂର୍ବରୁ ଶେଷଥର ପାଇଁ ପ୍ରହ୍ଲାଦକୁ ହରିଙ୍କୁ ପରିତ୍ୟାଗ କରି ଶିବଙ୍କ ଶରଣରେ ଆଶ୍ରୟ ନେବା ପାଇଁ ଉପଦେଶ ଦେଇଛନ୍ତି । କିନ୍ତୁ ରାଜଦରବାରରେ ସର୍ବଜନ ସମ୍ମୁଖରେ ଶ୍ରୀହରିଙ୍କୁ ପରିତ୍ୟାଗ କରି ପାରିବ ନାହିଁ ବୋଲି ନିର୍ଭିକତାର ସହ କହିବା ସହ ବାପାଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଛି । ଫଳରେ ରାଜା ହିରଣ୍ୟକଶିପୁ ପୁତ୍ର ପ୍ରହ୍ଲାଦକୁ ଶ୍ରୀହରିଙ୍କ ଉପସ୍ଥିତି ସମ୍ବନ୍ଧରେ ପ୍ରଶ୍ନ କରନ୍ତି । ପ୍ରତ୍ୟୁତ୍ତରରେ ପ୍ରହ୍ଲାଦ କହେ ଯେ “ହେ ପିତା, ମୋ ପ୍ରଭୁ ସର୍ବବ୍ୟାପି, ସର୍ବ ବିଦ୍ୟମାନ ଏବଂ ସର୍ବଶକ୍ତିମାନ ତୁମ ଦୃଷ୍ଟିସୀମା ଯେତେ ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ, ସେତେ ଦୂର ପର୍ଯ୍ୟନ୍ତ ତୁମେ ମୋ ହରିଙ୍କ ଉପସ୍ଥିତି ଅନୁଭବ କରିପାରିବ ।” ପ୍ରହ୍ଲାଦର ଏତାଦୃଶ ବଚନ ଶୁଣି ତାକୁ ରାଜା ହିରଣ୍ୟକଶିପୁ ତାତ୍ସଲ୍ୟ କରିବା ସହ ରାଜଦରବାରର ସ୍ତମ୍ଭ ମଧ୍ୟରୁ ହରିଙ୍କ ଆବିର୍ଭାବ ହୋଇପାରିବା କଥା ପଚାରନ୍ତି । ରାଜାଙ୍କ ପ୍ରଶ୍ନର ଉତ୍ତରରେ ପ୍ରହ୍ଲାଦ ରାଜଦରବାରର ସ୍ତମ୍ଭ ମଧ୍ୟରୁ ହରି ଆବିର୍ଭାବ ହୋଇପାରିବେ ବୋଲି ନିର୍ଭୟର ସହ କହନ୍ତି । ଯଥା :-

ଆରେ କହୁ କି ଆଶ୍ଚର୍ଯ୍ୟଗିର

କହୁ ତୁ କେଡ଼େ ଦମ୍ଭର

କାହିଁରେ ହରି ଦେଖା ଏହି ସ୍ତମ୍ଭର

କେତେ ଏପରିରେ ମୁହିଁ

କହିଲେ ନ ଶୁଣଇ…

କାହିଁରେ ହରି ଦେଖା ଏହି ସ୍ତମ୍ଭର ।

ରାଜାଙ୍କ କଥାରେ ସମ୍ମତି ପ୍ରକାଶ କରି ପ୍ରହ୍ଲାଦ ଯେତେବେଳେ ଶ୍ରୀହରି ସ୍ତମ୍ଭର ମଧ୍ୟରେ ଥିବା କଥା କହେ ସେତେବେଳେ କ୍ରୋଧିରାଜା ହିରଣ୍ୟକଶିପୁ ସ୍ୱହସ୍ତରେ ଗଦା ମାଧ୍ୟମରେ ସ୍ତମ୍ଭକୁ ଆଘାତ କରନ୍ତେ, ସ୍ତମ୍ଭ ମଧ୍ୟରୁ ବିଷ୍ଣୁ ବା ଶ୍ରୀହରି ନରସିଂହ ବେଶରେ ବାହାରି ଆସନ୍ତି । ରାକ୍ଷସ ରାଜା ହିରଣ୍ୟକଶିପୁ ଚକିତ ଓ ଭୟଭୀତ ହୋଇଯାଆନ୍ତି । ଏପରିକି ପ୍ରହ୍ଲାଦ ହରିଭକ୍ତରେ ସନ୍ତୁଷ୍ଟ ହୋଇ ପୂର୍ବକୃତ ପାପ ପାଇଁ ଦୁଃଖ ପ୍ରକାଶ କରନ୍ତି । କିନ୍ତୁ ନିଜ ଅତୀତର ଭାତୃହତ୍ୟାର ପ୍ରତିଶୋଧ ନେବା ସହ ଦେବତାଙ୍କ ସହ ଯୁଦ୍ଧ କରି ବିଷ୍ଣୁଙ୍କ ହସ୍ତରେ ନିହତ ହୋଇ ସ୍ୱର୍ଗ ପ୍ରାପ୍ତି ହେବା ସହ ନିଜର ଦୈତ୍ୟ ଜନ୍ମରୁ ମୁକ୍ତି ପାଇବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । ତାହା ପୂର୍ବରୁ କୁମାର ପ୍ରହ୍ଲାଦକୁ ରାଜଭାର ପ୍ରଦାନ ପୂର୍ବକ ରାଜନୀତି ଶିକ୍ଷା ପ୍ରଦାନ କରିଛନ୍ତି । ଯଥା –

ଏହି ଦେହେ ସହିଲୁ କେତେ ଯେ କଷଣ

ପ୍ରଭୁ ନାରାୟଣଙ୍କ କୃପାରୁ ଧନରେ ସର୍ବ କଷ୍ଟ ହୋଇଲା ଖଣ୍ଡନ

ପିତା ହୋଇ ଭିଆଇଲି ଏତେ ଦପ୍ତ ନଛାଡ଼ିଲି ମୁହିଁ

ଧିକ ଧିକ ମମଜନ୍ମ ଓ ଦାନବ କୁଳେ ଜନ୍ମ ନେଇ ।

ପୁତ୍ର ହୋଇ ଧନରେ ଆଜି ଦର୍ଶନ କରାଇଲୁ ନାରାୟଣ

ଯାହାଙ୍କ ଦର୍ଶନ କରି ମୋର ଜୀବନ ହେଲା ଧନ୍ୟ ।

୍‍            ୍‍            ୍‍            ୍‍            ୍‍

କୋମଳ ବଚନ କରିରେ ଧନ କହୁଅଛି ଶୁଣ

ଏକ ମନ ଦେଇ ଶୁଣ ମୁଁ କହିବା ବଚନ ।

ଏ ଶ୍ରୀହରିଙ୍କ ସେବା ଛାଡ଼ି ବାବୁରେ ରାଜନୀତି ଶିଖ

ମୋହର ମାନ ମହତ ବାବୁରେ ଦୁଇ କଥା ରଖ ।

ଆଜ ତୁ ଯାହା କଲୁରେ ମୋର ବାଳୁତ କୁମର

ଦେବଙ୍କୁ ଦୁର୍ଲଭ ଧନରେ ମାନବକୁଁ ଅଗୋଚର ।

ଅସୁରକୂଳକୁରେ ଧନ ରହିଲା କୀରତି

ମଲା ଲୋକ ଜିଆଁଇ ବାବୁରେ ରଖାଇଲୁ କିର୍ତ୍ତି ।

ଏବେ ରାଜନୀତି ବାବୁରେ କହିବି ତୋ ଆଗେ

ଏକ ମନ ଦେଇ ଶୁଣ ବାବୁରେ ହୃଦୟର ଭାଗେ ।

ନିତ୍ୟ କୃତ୍ୟ ବାବୁରେ କରିବୁ ପ୍ରଭାତେ

ସ୍ୱଇଷ୍ଟ ଦେବାର୍ଚ୍ଚନ ବାବୁରେ ପୂଜିମୁ ସୂଚିତେ ।

ସୂର୍ଯ୍ୟଙ୍କ ଅର୍ଘ୍ୟ ଦେବୁ ବାବୁରେ ଅନ୍ତରରେ ସମର୍ପି

ଶମ୍ଭୁ ଶିରେ ଜଳ ଦେବୁରେ ପଞ୍ଚାକ୍ଷର ଜପି ।

୍‍            ୍‍            ୍‍            ୍‍            ୍‍

ଆସ୍ଥାନେ ବସି ଧନରେ ବୁଝିବୁ ରାଜନୀତି

ସନ୍ନିଧେ ଥିବେ ତୋର ପାତ୍ର ଏବଂ ମନ୍ତ୍ରୀ ।

ସନ୍ଧ୍ୟା ସମୟରେ ଚାରି କାର୍ଯ୍ୟ କରିବୁ ବର୍ଜନ

ଭୋଜନ, ବିଦ୍ୟା, ଶୟନ, ମୈଥୁନ ।

ମାତା ପିତା ବିଦ୍ୟାଦାତା ଶ୍ରୀଗୁରୁ ବ୍ରାହ୍ମଣ

ଏମାନେ ଦୋଷ କଲେରେ ତାଙ୍କୁ ନ ଦଣ୍ଡିବୁ ଶୁଣ ।

ମାତା ପିତାଙ୍କୁ କେବେ ନ କହିବୁ ତୋର ବାଧକ ବଚନ

ଏମାନେ ଅଟନ୍ତି ଏ ଯୁଗର ଚଳନ୍ତି ନାରାୟଣ ।

ପହିଲି ଦୋଷ କଲେରେ କାଟିବୁ ତା କେଶ

ବନ୍ଧୁ ଲୋକ ଦୋଷ କଲେ ନ ଧରିବୁ ଦୋଷ ।

ଶଳା ଦୋଷ କଲେରେ ତାକୁ ପାଶେ ନ ରଖିବୁ ।

ଝିଅ ଦୋଷ କଲେ ବାବୁରେ ତାର ମୁଖ ନଚାହିଁବୁ ।

ଭାଇ ଦୋଷ କଲେ ବାବୁରେ ତାକୁ ଭିନ୍ନ କରିଦେବୁ

ଭାର୍ଯ୍ୟା ଦୋଷ କଲେ ବାବୁ ଶଯ୍ୟା ଅଲଗା କରିବୁ ।

ପଡ଼ୋଶି ଦୋଷ କଲେରେ ତାଙ୍କୁ ପ୍ରଶଂସା କରିବୁ ।

ପୁତ୍ର ଦୋଷ କଲେ ବାବୁ ଆପଣେ ଦଣ୍ଡିବୁ ।

ଆମ୍ଭେଟି ଅସୁରରେ ସର୍ବଦା ମହାବଳୀ

ଦେବଙ୍କ ସହିତ ଆମ୍ଭର ଧନରେ ସର୍ବଦାଟି କଳି ।

ତାହାଙ୍କୁ କାଦିଚିତ ଧନରେ ତୁ ନଯିବୁ ବିଶ୍ୱାସ

ଦେବତାଙ୍କ ଠାକୁର ମୋ ଧନର ୟାଙ୍କ ନାମ ହୃଷିକେଶ ।

ତାଙ୍କ ଭକ୍ତି ବାବୁରେ ନ କରିବୁ କଦାଚିତେ

ଦୃଢ଼ କରି କହିଲି ଧନରେ ଘେନ ତୋର ଚିତ୍ତେ ।

ସ୍ତିରିମାନଙ୍କୁ କେବେ ନ କହିବୁ ତୋର ଗୁପତ ବିଚାର

କେବେ ନ ଛାଡ଼ିବୁ ଦିନରେ ନିଜ କୁଳର ଆଚାର

ଏବେ ଯାଉଅଛି ଧନରେ ମୁଁ ଯୁଦ୍ଧ କରିବାକୁ

ଅନ୍ତଃପୁରେ ଯାଇ ପ୍ରବୋଧି ମାତାଙ୍କୁ

ଏତେ କଥା ବିଚାରି କରିବୁ ରାଜପଣ

ତୋତେ ରାଜ୍ୟଭାର ଦେଇ ଧନରେ ରହିଲି ନିଷ୍କଣ୍ଟଣ ।

ଏହିଭଳି ଭାବରେ ରାଜନୀତି ଶିକ୍ଷା ପ୍ରଦାନ କରି ପୁତ୍ର ଓ ପ୍ରାଣପ୍ରିୟା ପତ୍ନୀ ଲୀଳାବତୀଙ୍କ ନିକଟରୁ ବିଦାୟ ନେଇ ରାଜା ହିରଣ୍ୟକଶିପୁଙ୍କ ଯୁଦ୍ଧ କରିବା ନିମନ୍ତେ ଅଗ୍ରସର ହୁଅନ୍ତି । ପରିଶେଷରେ ସେ ସମସ୍ତେ ପ୍ରଭୁ ନରସିଂହକୁ ପ୍ରାର୍ଥନା ପୂର୍ବକ ଶାନ୍ତ କରନ୍ତି ଏବଂ ନାଟକର ସମାପ୍ତି ଘଟେ ।

ରାଜା ହିରଣ୍ୟକଶିପୁର ପ୍ରହ୍ଲାଦ ପ୍ରତି ନାନାବିଧ କଠୋର ଦଣ୍ଡପ୍ରଦାନ ଠାରୁ ଆରମ୍ଭ କରି ହିରଣ୍ୟକଶିପୁର ମୃତ୍ୟୁ ପର୍ଯ୍ୟନ୍ତ ଅତ୍ୟନ୍ତ ଦୁଃଖଦ, ଭାବପୂର୍ଣ୍ଣ ତଥା ରୋମାଞ୍ଚ ଅନୁଭୂତ ହୋଇଥାଏ । ଗୋଟିଏ ପଟରେ ରାଜାଙ୍କର ଦଣ୍ଡବିଧାନ, ନିଷ୍ଠୁର ତଥା କର୍କଷ ବଚନ ତଥା ହରିଭକ୍ତ ପୁତ୍ରପ୍ରତି ନିର୍ମମ ଅତ୍ୟାଚାର ଅପର ପକ୍ଷରେ ପ୍ରହ୍ଲାଦକୁ ପିତାଙ୍କ ପ୍ରଦତ୍ତ ଦଣ୍ଡରୁ ମୁକ୍ତି ପାଇବା ନିମନ୍ତେ ଶ୍ରୀହରିଙ୍କୁ ଆକୁଳ ନିବେଦନ ତତ୍ ସହିତ ମାତା ଲୀଳାବତୀଙ୍କ ଶୋକ ଦର୍ଶକ ମାନଙ୍କୁ ସଫଳତାର ସହ ବାନ୍ଧି ରଖିଥାଏ । ପୁନଶ୍ଚ ଶେଷ ଦୃଶ୍ୟର ନୃସିଂହ ଭେଟ ଦର୍ଶକମାନଙ୍କର ସବୁଠାରୁ ପ୍ରତିକ୍ଷିତ ଦୃଶ୍ୟ ଅଟେ । ଏହି ଦୃଶ୍ୟରେ ଦୈତ୍ୟରାଜା ହିରଣ୍ୟକଶିପୁଙ୍କ କ୍ରୋଧ ଜର୍ଜରିତ ଅଭିନୟ, ପୁତ୍ରପ୍ରତି ନିର୍ମମ ଅତ୍ୟାଚାର, ସ୍ତମ୍ଭରୁ ହରିଙ୍କ ଆବିର୍ଭାବ ପୂର୍ବର ପ୍ରହ୍ଲାଦର ଆକୁଳ ପ୍ରାର୍ଥନା ବାସ୍ତବରେ କରୁଣ ଭାବାବେଗ ପରିସ୍ଥିତି ଦର୍ଶକମଣ୍ଡଳୀରେ ସୃଷ୍ଟି କରିଥାଏ । ପୁରା ମଞ୍ଚରେ ଦର୍ଶକମାନେ ଅପଲକ ନୟନରେ ଚାହିଁଥାନ୍ତି ସ୍ତମ୍ଭ ମଧ୍ୟରୁ କେତେବେଳେ ଶ୍ରୀହରି ଆବିର୍ଭୂତ ହେବେ? ହିରଣ୍ୟକଶିପୁକୁ କ’ଣ ସତରେ ମାରିଦେବେ? ସବାଶେଷରେ ନାଟକର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜଣେ ସ୍ୱେଚ୍ଛାଚାରୀ ହରି କଣ୍ଟକ, କ୍ରୋଧି ରଜାର ଅଭିନୟ କରିଆସୁଥିବା ହିରଣ୍ୟକଶିପୁ ଯେତେବେଳେ ନୃସିଂହଙ୍କୁ ଦର୍ଶନ କରି ନିଜ କଲା କର୍ମ ପାଇଁ ଅନୁତାପ କରନ୍ତି, ଜୀବନ ସାରା ନିର୍ଯ୍ୟାତନା ଦେଇ ଆସିଥିବା ପୁତ୍ର ପ୍ରହ୍ଲାଦଙ୍କୁ କୋଳରେ ଧରି ଦୁଃଖରେ ଭାଙ୍ଗି ପଡ଼ନ୍ତି । ଏପରିକି ଲୁହ ଛଳଛଳ ନୟନରେ ପୁତ୍ରକୁ ରାଜ୍ୟ ଶାସନ ଭାର ପ୍ର୍ରଦାନ ସହ ରାଜନୀତି ଶିକ୍ଷା ପ୍ରଦାନ କରନ୍ତି ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ । ଜଣେ ଦର୍ଶକ ସ୍ଥାନରେ ଗାଁ ଦାଣ୍ଡରେ ବସି ନ ଦେଖିଲେ ଏ କଥା ବିଶ୍ୱାସ କରି ହେବନି । ପୂରାଣର ବିଷୟବସ୍ତୁକୁ ନାଟକ ମାଧ୍ୟମରେ ପରିବେଷିତ ହେଲେ ମଧ୍ୟ ନୃସିଂହ ଚରିତ୍ରର ଆବିର୍ଭାବ ପୂର୍ବରୁ ଯଥାରୀତି ଅନୁସରଣ କରି ଏଠାରେ ନୃସିଂହ ପୂଜନ କାର୍ଯ୍ୟ କରାଯାଇଥାଏ ।

…Continued

Share This Article
ନାଟ୍ୟ ଗବେଷକ, କଳାକ ଶିକ୍ଷକ