Home / ସାହିତ୍ୟ / କବିତା / ମୁଁ ଖୋଜୁଛି ବାଳକ ବିକର୍ଣ୍ଣ

ମୁଁ ଖୋଜୁଛି ବାଳକ ବିକର୍ଣ୍ଣ

ମୁଁ ଖୋଜୁନାହିଁ

ସେ ବାଳକକୁ,

ଯିଏ ସମ୍ରାଟଙ୍କ ପରିଧାନ ମୁଗ୍ଧ

ପାରିଷଦଙ୍କୁ ଅବାକ୍ କରି କହିଥିଲା

‘ସମ୍ରାଟ, ତୁମେ ତ ଉଲଗ୍ନ’।

ମୁଁ ଖୋଜୁନାହିଁ ଆଦୌ

ସେ ବାଳକକୁ,

କାରଣ ନଗ୍ନ ହୋଇ ନଗରେ ଭ୍ରମଣ

ଆଜି ନୁହଁଇ ଲଜ୍ଜାର କାରଣ।

ମୁଁ ଖୋଜୁଛି

ଧୃତରାଷ୍ଟ୍ର ପୁତ୍ର

 କୌରବ ଭ୍ରାତା

ବାଳକ ବିକର୍ଣ୍ଣକୁ,

ଯିଏ ଏକମାତ୍ର ଠିଆ ହୋଇ

କରିଥିଲା ସ୍ବର ଉତ୍ତୋଳନ

କହିଥିଲା ବନ୍ଦ କର , ବନ୍ଦ କର

ଦ୍ରୌପଦୀର ବସ୍ତ୍ରହରଣ

ଯିଏ ଦେଇ ଥିଲା

ଯୁଧିଷ୍ଠିର ଧର୍ମ ଜ୍ଞାନକୁ ଆହ୍ଵାନ

‘ନିଜକୁ ହରାଇ ଦେଇ

କିପରି ଲଗାଇଲ ଦ୍ରୌପଦୀକୁ ବାଜି

ହେ ତୁମେ ରାଜନ? ‘

କହିଥିଲା ଜିଣି ନାହଁ

ଦ୍ରୌପଦୀକୁ ତୁମେ,

ସେ ନୁହେଁ ତୁମର ସମ୍ପତ୍ତି

ଶୁଣ ମୋ ଅଗ୍ରଜ

ହେ ଦୁଃଶାସନ।

ଆଉ ବନ୍ଦ କର, ବନ୍ଦ କର ନାରୀ ଅପମାନ।

ସେତେବେଳେ ବସିଥିଲେ ମୁଣ୍ଡ ପୋତି

ଅନ୍ୟ ସଭାସଦ ଗଣ

ଭୀଷ୍ମ, କୃପ ଆଉ ଦ୍ରୋଣ।

କ୍ରୋଧରେ ଥରୁ ଥିଲା

ବାଳକ ବିକର୍ଣ୍ଣ।

ମୁଁ ଖୋଜୁଛି ସେହି ବାଳକ ବୀକର୍ଣ୍ଣ ।

(ବୀକର୍ଣ୍ଣ ଯେତେ ବେଳେ ପ୍ରତିବାଦ କରୁଥିଲେ ସେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣକୁ ଉପଭୋଗ କରୁଥିବା କର୍ଣ୍ଣ ବୀକର୍ଣ୍ଣଙ୍କୁ କହୁଥିଲେ ” ହେ,ଧୃତରାଷ୍ଟ୍ର ପୁତ୍ର , ତୁମେ ହିଁ କେବଳ ତୁମର ପିଲା ବୟସ ଯୋଗୁଁ ଏପରି ରାଗ ରେ ଫାଟି ପଡ଼ୁଛ।ଯଦିଓ ତୁମେ କେବଳ ଏକ ବାଳକ, ତୁମେ କଥା କହୁଛ ବୟସ୍କ ଲୋକ ଭଳି।” ଏହା କହିବା ପୂର୍ବରୁ ସେ ବୀକର୍ଣ୍ଣଙ୍କୁ ଦେଖାଇଥିଲେ ପାଟି ନ ଫିଟାଇ ସଭାରେ ବସିଥିବା ପ୍ରବୃଦ୍ଧମାନଙ୍କୁ ଓ କହୁଥିଲେ ଏହି ନୀରବତାରୁ ଜଣାଯାଏ ଯେ ଦ୍ରୌପଦୀଙ୍କୁ ନ୍ୟାୟ ସଂଗତ ଉପାୟରେ ଜିଣା ଯାଇଛି ବୋଲି ସେମାନେ ବିଚାର କରନ୍ତି ।)

ବୀରେନ୍ଦ୍ର ନାୟକ

 ୩୧/୭/୨୦୨୧

About ପ୍ରଫେସର ବୀରେନ୍ଦ୍ର ନାୟକ

ପ୍ରଫେସର ବୀରେନ୍ଦ୍ର ନାୟକ
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

Featured Video Play Icon

କୁରୁସଭା ସରିନାହିଁ

Leave a Reply

Your email address will not be published. Required fields are marked *