Home / ସାହିତ୍ୟ ସଂସ୍କୃତି / ସାହିତ୍ୟ / ଅଟକାଇ ହେଉ ନାହିଁ କିଛି

ଅଟକାଇ ହେଉ ନାହିଁ କିଛି

Share Samadhwani

ଅଟକାଇ ହେଉ ନାହିଁ କିଛି-

ନା ଜାପାନୀ ଜ୍ୱର,

ନା ନିରୀହ ଲୋକଟି ଉପରେ କ୍ଷମତାର ନିର୍ମମ ପ୍ରହାର ।

 

ଅଟକାଇ ହେଉ ନାହିଁ କିଛି-

ନା ବାୟୁମଣ୍ଡଳରେ ପ୍ରଦୁଷଣ,

ନା ପ୍ରଶ୍ନ କଲେ ଧମକ ଶ୍ରବଣ

ଅବା ନାରୀର ଧର୍ଷଣ ;

ନା ଅଟକାଇ ହେଲା

ଦ୍ରୈାପଦୀର ବସ୍ତ୍ର ହରଣ ।

 

 

ନା  ଅଟକାଇ ହେଉଛି

ପୁତ୍ରହରା ମାର ବୁକୁରୁ ଫାଟି ପଡୁଥିବା କୋହ ଓ କ୍ରନ୍ଦନ,

ନା  ଅଟକାଇ ହେଉଛି

ଚଉଡା ବୁକୁରୁ ଅହରହ ମିଥ୍ୟା ପ୍ରତିଶୃତିର ଧୂମ୍ର ଉଦ୍ଗିରଣ ।

 

ନା ଅଟକାଇ ହେଉଛି

ବିଧାୟକଙ୍କ ଟେବୁଲ ଚଢିବା ଓ ମାଇକ ଭାଂଗିବା

ନା ଅଟକାଇ ହେଉଛି

ଯୁବକର ଅଣ୍ଡା ଫପାଡିବା ।

 

କିଛି ଅଟକାଇ ହେଉ ନାହିଁ

ମେଷଙ୍କ ଚାଲିବା

ଆଗରେ ବିରାଟ ଗର୍ତ୍ତର

ସୂଚନାକୁ ଉପେକ୍ଷା କରିବା ।

ଅଟକାଇ ହେଉ ନାହିଁ

ମିଥ୍ୟା ପ୍ରତିଶୃତିରେ ଲୋକ ଭଳିଯିବା

ଅବା  ଯୁବକ ଗୋଡାଣିଆ ହେବା ।

 

ଏତେ ଯୁକ୍ତି କରି

ସକ୍ରେଟିସ କ’ଣ ଅଟକାଇ ପାରିଲେ ମୃତ୍ୟୁକୁ,

ନା  ବିଦୁର ଅଟକାଇ ପାରିଲେ

ମହାଭାରତ ଯୁଦ୍ଧକୁ,

ନା ଅଟକାଇ ପାରିଲେ କୃଷ୍ଣ

ଧ୍ୱଂସ ମୁଖରୁ

ଯଦୁବଂଶକୁ ,

ନା ବିଶ୍ୱବ୍ୟାପୀ ପ୍ରତିବାଦ ସତ୍ତେ୍ୱ

ଅଟକାଇ ହେଲା ଇରାକ ଯୁଦ୍ଧକୁ ?

 

ଅଟକାଇ ହୋଇ ନାହିଁ କିଛି,

ଅଟକାଇ ହେଉ ନାହିଁ କିଛି ।

ତଥାପି ସମାଜ ଚାଲିଛି

ନିଶ୍ୱାସ ମାରିବା ପାଇଁ କୋଣଟିଏ ତଥାପି ମିଳୁଛି ।

(ରଚନା: ୧୧ ନଭେମ୍ବର ୨୦୧୬)

ଶବ୍ଦ ପେଡିରୁ ଧାଡି-୨

ଦାୟୀ ନୁହେଁ କେହି

ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା,

ବଜ୍ର ପଡିଥିଲା, ଯେ

ବାରଟି ନିରୀହ ଲୋକ ଟଳି ପଡିଲେ, ଓ

ସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ?

କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି,

ମିଥ୍ୟା ଥିଲା ଗୁଳି,

ମିଥ୍ୟା ଥିଲା କଟା ପାପୁଲି ?

ଯାହା ଜାଣିବାକୁ ଏଗାର ବର୍ଷ ଅପେକ୍ଷା କରିବାକୁ ହେଲା?

ତାହା କ’ଣ ବଜ୍ରାଘାତ ଥିଲା?

କଣ ବା କରିପାରିଥାନ୍ତେ ସେମାନେ ବା

ତାଙ୍କ ପାଇଁ କହୁଥିବା ମୁଷ୍ଟିମେୟ କିଛି ?

ଟଳି ପଡିଥିବା ମଣିଷଙ୍କୁ

ଯଦି ଆମେ ଦାୟୀ କରିଥାନ୍ତେ ଓ ପଚାରିଥାନ୍ତେ,

“କାହିଁକି ସ୍ଫିତ କରି ଛାତି

ଲଢୁଥିଲ ଭିଟା ମାଟି ପାଇଁ ?

ଲଢୁଥିଲ, ପ୍ରାଣ ଦେଲ

ତା ପରେ ଆଉ କଣ?

ହେଲ ନାହିଁ କି ତୁମେ ଦାୟୀ ତୁମ ମୃତ୍ୟୁ ପାଇଁ ?”

ସାହସ ହୋଇ ନି ଆମର, ଏତିକି କହିବା ପାଇଁ

ବାଡି ଭାଂଗି ନାହିଁ , ସାପ ମରି ନାହିଁ

ଏଗାର ବର୍ଷ ବିତିଛି ଏହି ସତ୍ୟ ଜାଣିବା ପାଇଁ!

ମୋତେ ହତିଆର କର ନାହିଁ

ଯେଉଁ ଲେଖା ତୁମକୁ ନ ସୁହାଇଲା

ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା,

ଦେଶକୁ ପଚାରୁଛି କିଏ ଯେ

ଲେଖକର ଲେଖାରେ

କେତେ ଦ୍ରୋହ ଥିଲା?

ଦେଶ ତେଣୁ କ୍ଷୁବ୍ଧ-

ସେ କରୁଛି ପ୍ରଶ୍ନ – ,

“ତୁମେ ସତେ ମତେ

କେତେ ଦୁର୍ବଳ ନ ଭାବୁଛ ଯେ,

କାହାର ଲେଖାରେ ମୁଁ

ଖଣ୍ଡ ବିଖଣ୍ଡିତ ହେବି ଓ

ସତ୍ତା ହରାଇବି?”

 

 

“ମୋ ଉପରେ ତୁମର ବିଶ୍ୱାସ କୁ ପ୍ରଶ୍ନ କରୁଛି,

ସେମାନଙ୍କର ଲେଖାକୁ ନୁହେଁ,

ଯାହାଙ୍କୁ ଦେଶଦ୍ରୋହୀ କହି ମାମଲା ଠୁକୁଁଛ

ଓ ମୋତେ ପ୍ରକାରାନ୍ତେ ଦୁର୍ବଳ କହୁଛ ।

“ଅନୁରୋଧ, ମୋତେ ଅପମାନିତ କର ନାହିଁ ।

ପୁଣି କହୁଛି

ମୁଁ ଏତେ ଭଂଗୁର ନୁହେଁ ଯେ

କାହାରି ଲେଖାରେ ଖଣ୍ଡ ବିଖଣ୍ଡିତ ହେବି

ଓ ସତ୍ତା ହରାଇବି ।

ଅନୁରୋଧ, କ୍ଷମତା ଦଖଲ ପାଇଁ

ମୋତେ ହତିଆର କର ନାହିଁ ।

ଯଦି ମୋତେ ମା କହୁଛ

ତାହାହେଲେ ଆନନ୍ଦିତ ହୁଅ ଦେଖି

ମୁଁ କିପରି ମୋ କୋଳରେ ନିର୍ବିକାର ସଭିଙ୍କୁ ଧରିଛି ”


Share Samadhwani
Support Samadhwani

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

କଥା ସାହିତ୍ୟର କୁହୁକ ପୁରୁଷ ଗାବ୍ରିଏଲ୍ ଗାର୍ସିଆ ମାକ୍ୱେର୍ଜ୍‌

Share Samadhwaniଆପଣ ଲେଖାଲେଖି ଆରମ୍ଭ କଲେ କେମିତି- ପ୍ରଶ୍ନଟିର ଉତ୍ତର କ’ଣ ଏତେ ସହଜ ହୋଇପାରେ? ମାକ୍ୱେର୍ଜ୍ କିନ୍ତୁ ଖୁବ୍ …