Home / ଅନ୍ୟାନ୍ୟ / ନାରୀ / ମହିଳାମାନଙ୍କର ମନ୍ଦିର ପ୍ରବେଶ

ମହିଳାମାନଙ୍କର ମନ୍ଦିର ପ୍ରବେଶ

ଏହି ପ୍ରସଙ୍ଗଟିକୁ ଉପସ୍ଥପନା କଲାବେଳେ ପ୍ରମୁଖ ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ବିଦାୟକାଳୀନ ରାୟ ମଧ୍ୟରେ ଥିବା ଶବରୀମାଳା ମନ୍ଦିରରେ ୧୦ରୁ ୫୦ବର୍ଷ ମହିଳାଙ୍କର ପ୍ରବେଶ ବିଷୟଟିକୁ ନିଆଯାଉ । ଆମେ ଏହି ରାୟକୁ ଏକ ପ୍ରଗତିଶୀଳ ରାୟ ବୋଲି ଦାବୀ କରାଯାଉଥିବା କଥାଟିକୁ ଅଗ୍ରାହ୍ୟ କରୁନାହୁଁ, କିନ୍ତୁ ଆମର ଚିନ୍ତା ହେଉଛି ଏଭଳି ଏକ ରାୟକୁ କାର୍ଯ୍ୟକାରୀ କରାଇବ କିଏ ଓ କେମିତି? ଗୋଟିଏ ଧର୍ମାନ୍ଧ ସମୁଦାୟକୁ ଆପଣ ରାୟ ମାଧ୍ୟମରେ ଶିକ୍ଷିତ ଓ ସଚେତନ କରାଇପାରିବେ କି? ଏହି ଧର୍ମାନ୍ଧମାନେ କେବଳ ଧର୍ମାନ୍ଧ ନୁହନ୍ତି, ସେମାନଙ୍କ ପୃଷ୍ଠଭୂମିରେ ରହିଛି ଶହ ଶହ ବର୍ଷର ବ୍ରାହ୍ମଣବାଦୀ ଓ ଋଢ଼ିବାଦୀ ତଥା ପିତୃତାନ୍ତ୍ରିକ ସଂସ୍କୃତି ଯେଉଁଠି ନାରୀମାନେ ନିଜକୁ ସମର୍ପିତ କରିବାପାଇଁ ବାଧ୍ୟ ହୋଇଥାନ୍ତି ।

ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ବିରୁଦ୍ଧରେ କେରଳର ହଜାର ହଜାର ହିନ୍ଦୁ ନାରୀ, ଆୟାପାନ୍ ମନ୍ଦିରରେ ରଜବତୀ ବୟସର ନାରୀମାନଙ୍କ ମନ୍ଦିର ପ୍ରବେଶକୁ ବିରୋଧ କରି ସାମ୍ନାକୁ ଆସିଥିଲେ ବା ସେମାନଙ୍କୁ ଅଣାଯାଇଥିଲା । କେରଳର ନିଷ୍କ୍ରିୟ ତଥା ଅର୍ଦ୍ଧଜାଗ୍ରତ ଅବସ୍ଥାରେ ଥିବା ବ୍ରାହ୍ମଣ ଏବଂ ଉଚ୍ଚଜାତିର ଲୋକଙ୍କୁ ମହିଳାମାନଙ୍କ ମନ୍ଦିର ପ୍ରବେଶ ପ୍ରସଙ୍ଗକୁ ନେଇ ଏକାଠି କରାଇବାର ପ୍ରୟାସଟିଏ ମଧ୍ୟ ଆରମ୍ଭ ହେଲା । କେରଳରେ ବାମପନ୍ଥୀମାନଙ୍କୁ ଛାଡ଼ିଦେଲେ ପ୍ରାୟ ଅନ୍ୟ ସବୁ ରାଜନୈତିକ ଦଳମାନେ ଅଦାଲତୀ ରାୟ ବିରୁଦ୍ଧରେ ଅଛନ୍ତି ଅବା ନୀରବ ରହିଛନ୍ତି ।

କେରଳର ପ୍ରଳୟଙ୍କରୀ ବନ୍ୟା ପରେ ଭୟଙ୍କର ଭାବେ ଉଦାସୀନ ଥିବା ଭାଜପାର ଅଧ୍ୟକ୍ଷ ଅମିତ ଶାହା ଏବେ ନିଜ ପ୍ରାଥମିକତା ତାଲିକାରେ କେରଳକୁ ପ୍ରଥମେ ରଖିଛନ୍ତି । କିଛି ମହିଳାମାନଙ୍କ ମନ୍ଦିର ପ୍ରବେଶ ଉଦ୍ୟମ ଏବଂ ସେମାନଙ୍କୁ ତଥାକଥିତ ଭକ୍ତମାନଙ୍କର ପ୍ରବଳ ବିରୋଧ ଯଥେଷ୍ଟ ପ୍ରମାଣ ଦେଇସାରିଛି ଯେ ମନ୍ଦିରପ୍ରବେଶ କେରଳ ସରକାରଙ୍କ ପାଇଁ ସହଜ ନୁହେଁ । କେରଳର ବାମପନ୍ଥୀ ସରକାରଙ୍କୁ ଏକଘରିକିଆ କରିବାପାଇଁ ଭାଜପା ଏବଂ ସଂଘ ପରିବାର ତରଫରୁ ଅନବରତ ଉଦ୍ୟମ ଚାଲିଥିବାର ସୂଚନା ଆମକୁ ମିଳୁଛି।

କେରଳର ସରକାର ଏବଂ ବାମପନ୍ଥୀ ସଙ୍ଗଠନମାନେ ମଧ୍ୟ ଏହାର ଦୃଢ଼ ମୁକାବିଲା କରିବାପାଇଁ ନିଜ ସଙ୍ଗଠନର କର୍ମୀମାନଙ୍କୁ ସକ୍ରିୟ ଏବଂ ସଜାଗ ରଖିଛନ୍ତି । କେରଳର ବ୍ରାହ୍ମଣବାଦୀ ପରମ୍ପରାର ସୁରକ୍ଷା କବଚ ସାଜିଥିବା ଉଚ୍ଚନ୍ୟାୟାଳୟ ମଧ୍ୟ ବାମପନ୍ଥୀ ସରକାରଙ୍କ ବିରୋଧରେ ଅଛନ୍ତି, ଯଦିଓ କେରଳର ସରକାର କେବଳ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରିବାପାଇଁ ପ୍ରୟାସ କରିଛନ୍ତି । ଅକ୍ଟୋବର ୨୬, ୨୦୧୮ର ଏକ ଟିପ୍ପଣୀରେ ନ୍ୟାୟମୂର୍ତ୍ତି ପି.ଆର୍. ରାମଚନ୍ଦ୍ରନ ମେନନ୍ ଓ ଦେବେନ୍ ରାମଚନ୍ଦ୍ରନ୍ଙ୍କ ଖଣ୍ଡପୀଠ ସରକାରଙ୍କୁ ଭର୍ତ୍ସନା କରି କହିଥିଲେ ଯେ ସେମାନେ ଯେଉଁ ମହିଳାଙ୍କ ମନ୍ଦିର ପ୍ରବେଶକୁ ବିରୋଧ କରି ପ୍ରତିରୋଧ କରୁଥିବା ଲୋକମାନଙ୍କୁ ଗିରଫ କରୁଛନ୍ତି ତାହାର ପରିଣାମ ଭୋଗିବାକୁ ପଡ଼ିବ (News-18)। ସରକାର ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଗିରଫ କରିବା କାମଟି ଛାଡ଼ନ୍ତୁ ବୋଲି ତାଗିତ୍ କରିଥିଲେ । ୧୯୯୧ରେ କେରଳର ଉଚ୍ଚ ନ୍ୟାୟାଳୟଙ୍କ ଏକ ରାୟ ଯୋଗୁଁ ହିଁ ଶବରୀମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ଉପରେ ନ୍ୟାୟିକ କଟକଣା ଜାରି କରାଯାଇଥିଲା ।

ମହାରାଷ୍ଟ୍ରର ଶନି ସିଙ୍ଗନାପୁର ମନ୍ଦିରରେ ମହିଳାମାନଙ୍କ ପ୍ରବେଶକୁ ନେଇ ତୃପ୍ତି ଦେଶାଇଙ୍କ ନେତୃତ୍ୱରେ ଗଠିତ ‘ଭୂମାତା ବ୍ରିଗେଡ଼୍’ ତରଫରୁ ଡିସେମ୍ବର ୨୬, ୨୦୧୫ରୁ ଜୋରଦାର ଆନ୍ଦୋଳନ ଚାଲିଥିଲା । ଏପ୍ରିଲ ୧,୨୦୧୬ରେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଏକ ନିର୍ଣ୍ଣାୟକ ରାୟ ସେମାନଙ୍କ ସପକ୍ଷରେ ଦେବା ପରେ ମନ୍ଦିର ପ୍ରବେଶ ଦ୍ୱାର ଉନ୍ମୁକ୍ତ ହେଲା ।

ତେବେ ଏହି ଘଟଣାର ବିଶେଷତ୍ୱ ହେଉଛି ଯେ ଅଦାଲତ ରାୟକୁ ମନ୍ଦିର କର୍ତ୍ତୃପକ୍ଷ ସ୍ୱୀକାର କରି ୭ ଦିନ ଭିତରେ ରାୟକୁ  ଲାଗୁ କରିବାପାଇଁ ନିଷ୍ପତ୍ତି ନେଇଥିଲେ । ଶବରୀମାଳା ଆୟାପାନ୍ ମନ୍ଦିର  କର୍ତ୍ତୃପକ୍ଷ ରାୟକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇଛନ୍ତି ।

ସବୁଆଡ଼ୁ ଭାରତର ଶେଷ ବାମପନ୍ଥୀ ଦୁର୍ଗ ପ୍ରତି ସମସ୍ୟା ବଢ଼ିଚାଲିଛି । ଗୋଟିଏ ପଟେ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ପାଳନ ପାଇଁ ରାଜ୍ୟ ସରକାର ବାଧ୍ୟ, ଅନ୍ୟପଟେ ରାୟକୁ ବିରୋଧ କରି ହିନ୍ଦୁ ସମୁଦାୟର ଗୋଟିଏ ବର୍ଗ ଏବଂ ଆର୍.ଏସ୍.ଏସ୍. ଭଳି ମୌଳବାଦୀ ହିନ୍ଦୁ ସଙ୍ଗଠନମାନଙ୍କର ତୀବ୍ର ବିରୋଧ; ଯେଉଁଥିରେ ସେମାନଙ୍କର ରାଜନୈତିକ ସଂସ୍ଥା ଭାଜପା ମଧ୍ୟ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ, ବାମପନ୍ଥୀ ସରକାରଙ୍କ ଅଡ଼ୁଆ ବଢ଼ାଇ ଦେଇଛି । କେରଳର କଂଗ୍ରେସ ଦଳ ଭୋଟ ହରେଇବା ଆଶଙ୍କାରେ ଭା.ଜ.ପା ସହ ରହିଆସିଛି । ମୁଖ୍ୟମନ୍ତ୍ରୀ ପିନାରି ବିଜୟନ ଅଭିଯୋଗ କରିଥିଲେ (ନ୍ୟୁଜ୍ ୧୮, ଅକ୍ଟୋବର ୨୩, ୨୦୧୮) ଯେ ମହିଳାଙ୍କ ମନ୍ଦିର ପ୍ରବେଶକୁ ଆକ୍ରମଣାତ୍ମକ ଢାଞ୍ଚାରେ ବିରୋଧ କରିବା କାମଟି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ଷଡ଼ଯନ୍ତ୍ର ଥିଲା ।

ସେହି କଥାଟି ସତ୍ୟ ପ୍ରମାଣିତ ହୋଇଥିଲା ଯେତେବେଳେ କେରଳର କନୁର୍ଠାରେ ଭାଜପାର କାର୍ଯ୍ୟାଳୟ ଉଦ୍ଘାଟନ କରିବା ବେଳେ (ଏନ୍ ଡ଼ି ଟିଭି ଅକ୍ଟୋବର ୨୭, ୨୦୧୮) ଭାଜପାର ଅଧ୍ୟକ୍ଷ ଅମିତ୍ ଶାହା ସ୍ୱୀକାରାତ୍ମକ ଢଙ୍ଗରେ କହିଥିଲେ ଯେ, ସେମାନେ ବିକ୍ଷୋଭକାରୀଙ୍କ ପଛରେ ଅଛନ୍ତି ଏବଂ ବାମପନ୍ଥୀ ସରକାର ଯଦି ବିକ୍ଷୋଭକାରୀଙ୍କ (ସଂଘ ଓ ଭାଜପା) ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖନ୍ତି ତେବେ ସେଠି ରାଷ୍ଟ୍ରପତି ଶାସନ ଜାରିହେବ ।

କେରଳର ଉଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ଏଭଳି ମନ୍ତବ୍ୟ ପାଇଁ ଅମିତ୍ ଶାହାଙ୍କ ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ କରିବା କଥା । କିନ୍ତୁ ତାହା ହେଉନାହିଁ । ସବୁ ଦୃଷ୍ଟିରୁ ଜଣାପଡ଼ୁଛି ଯେ ଦେଶର ବୁଦ୍ଧିଜୀବୀ ମହଲ, ବିଶେଷକରି ବୈଦ୍ୟୁତିକ ବୁଦ୍ଧିଜୀବୀମାନେ ଯେଉଁ ରାୟଟିକୁ ପ୍ରଗତିଶୀଳ କହି ଉତ୍ସବ ମନାଉଥିଲେ, ତାହା କେରଳର ବାମପନ୍ଥୀ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକ ଅସ୍ତ୍ର ହିସାବରେ ବ୍ୟବହାର କରାଯାଉଛି ।

ଗୋଟିଏ ଜାତିବାଦୀ ଓ ପିତୃତାନ୍ତ୍ରିକ ବ୍ୟାଧିରେ ପୀଡ଼ିତ ଧର୍ମାନ୍ଧ ସମୁଦାୟକୁ ଅଦାଲତୀ ରାୟ ମାଧ୍ୟମରେ ପରିବର୍ତ୍ତନ କରିହେବ ନାହିଁ। ଭାରତର ଶିକ୍ଷିତ ରାଜ୍ୟ ତାଲିକାରେ ଶୀର୍ଷରେ ଥିବା ରାଜ୍ୟମାନଙ୍କ ଭିତରେ କେରଳ ଅନ୍ୟତମ ।

ତଥାପି ହେତୁବାଦୀ- ମାନବବାଦୀ-ବୈଜ୍ଞାନିକ ଚିନ୍ତାଧାରାର ବିକାଶ କେରଳରେ ହେଇପାରୁ ନାହିଁ । ବୈଜ୍ଞାନିକ ଚିନ୍ତାଧାରାରେ ବିକାଶ ନ କରାଇ ଏବଂ ନିଜ ସମୁଦାୟ ଭିତରେ ସମାନତାର ପ୍ରସଙ୍ଗ ଉପରେ ବିତର୍କ ନ କରାଇ, ଅଦାଲତୀ ରାୟ ମାଧ୍ୟମରେ ପରିବର୍ତ୍ତନ ଆଣିହେବ ନାହିଁ । ବରଂ ଅଦାଲତ ନିଜର ରାୟର ସୀମାଟିକୁ ଦେଖି ଧାର୍ମିକ ସଂସ୍କାର ଆଣିବା ପାଇଁ ସମ୍ପୃକ୍ତ ଧର୍ମର ଧ୍ୱଜାଧାରୀମାନଙ୍କୁ ନିର୍ଦ୍ଦେଶଟିଏ ଦେଲେ ବି କିଛି କାମରେ ଲାଗିଥାନ୍ତା । ଭାରତୀୟ ପ୍ରଗତିଶୀଳ ବୁଦ୍ଧିଜୀବୀମାନଙ୍କ ଭିତରେ ଅଦାଲତମାନଙ୍କ ପ୍ରତି ମୋହ ବଢ଼ିଛି । ଯଦି ଉଚ୍ଚତମ ନ୍ୟାୟାଳୟ ଭାରତରେ ସମାନତା ପ୍ରତିଷ୍ଠା ହେଉ, ଜାତିଭେଦ ଦୂର ହେଉ ଏବଂ ଆର୍ଥିକ ସାମ୍ରାଜ୍ୟବାଦର ପତିଆରାରୁ ଭାରତକୁ ମୁକ୍ତ କରାଯାଉ ଅବା ଦାରିଦ୍ର‌୍ୟ ହଟାଯାଉ ବୋଲି ରାୟଟିଏ ଦିଅନ୍ତି, ଆମ ଭିତରୁ ଅନେକ ମହୋତ୍ସବର ଆୟୋଜନ କରିବେ ନିଶ୍ଚୟ । ଆମକୁ ମନେ ରଖିବାକୁ ହେବ ଯେ ଅଦାଲତୀ ରାୟରେ କେବେ ବିପ୍ଳବ ବା ବୈପ୍ଳବିକ ପରିବର୍ତ୍ତନ ଆସିଥିବାର ଦୃଷ୍ଟାନ୍ତ ଆମେ ଇତିହାସ ପୃଷ୍ଠାରୁ ପାଉନାହୁଁ । ଆଇନକାନୁନ ପ୍ରଣୟନ କରିଦେଲେ ବି ସେସବୁ ଆପଣାଛାଏଁ କାମ କରିବେ ଏବଂ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେଇଯିବ ଏଭଳି ଦୁଃସ୍ୱପ୍ନ ଦେଖିବା ବି ବନ୍ଦ ହେବା ଦରକାର । ଯେକୌଣସି ଧର୍ମ ଭିତରେ ଯଦି କିଛି ଆଭ୍ୟନ୍ତରୀଣ ଅସୁବିଧା ଅଛି, ତାକୁ ସେ ସମୁଦାୟ ଭିତରେ ଅବହେଳାର ଶିକାର ହେଉଥିବା ଲୋକେ ପ୍ରଥମେ ସଙ୍ଗଠିତ ହୋଇ ବିରୋଧ କରିବା ଦରକାର ।

ରାଷ୍ଟ୍ରର ହସ୍ତକ୍ଷେପ ଫଳପ୍ରଦ ହେବାର ଆଶା କମ୍ । ତାମିଲନାଡ଼ୁରେ କିଛିବର୍ଷ ତଳେ ମୁସଲିମ ମହିଳାମାନଙ୍କର ମସଜିଦ୍ ଭିତରକୁ ପ୍ରବେଶକୁ ନେଇ ଏକ ନାରୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଧର୍ମଯାଜକ ଓ ପୁରୁଷମାନେ ଏଭଳି ଆନ୍ଦୋଳନର ତୀବ୍ର ବିରୋଧ କଲେ । ପରେ ମୁସଲିମ୍ ମହିଳାମାନେ ନିଜେ ମସଜିଦ୍ ନିର୍ମାଣ କରି ଉପାସନା ଆରମ୍ଭ କଲେ । ଆମର ବନ୍ଧୁ  ରାଜ ବରୁୱା   ଝସକ୍ଷରଦ୍ଭଗ୍ଧ ଚକ୍ସକ୍ଟକ୍ଟ୍ରଷରମଚ୍ଚ ନାମରେ ଏହି ମୁସଲିମ ମହିଳା ଆନ୍ଦୋଳନ ଉପରେ ଏକ ବୃତ୍ତଚିତ୍ର ନିର୍ମର୍ାଣ କରିଛନ୍ତି । କେନ୍ଦ୍ରାପଡ଼ାର କେରେଡ଼ାଗଡ଼ରେ ଜଗନ୍ନାଥ ମନ୍ଦିର ଭିତରେ ଦଳିତମାନଙ୍କୁ ପ୍ରବେଶକୁ ନେଇ ମଧ୍ୟ ସଂଘର୍ଷ ଉପୁଜିଥିଲା (ଡିସେମ୍ବର୧୪, ୨୦୦୬ ଆଉଟ୍ଲୁକ୍ ପତ୍ରିକା) ।

ଆମେ ପୀଡ଼ିତମାନଙ୍କୁ ଭେଟିବା ବେଳେ ପଚାରିଥିଲୁ ଯେ ସେମାନେ କ’ଣ ଏ ମନ୍ଦିର ଓ ଏ ଭଗବାନଙ୍କୁ ବାସନ୍ଦ କରିପାରିବେ ନାହିଁ? ଜଣେ ଯୁବକ ଉତ୍ତର ଦେଇଥିଲେ, ନିଶ୍ଚୟ ପାରିବୁ, କିନ୍ତୁ ଆମର ପୁରୋଧାମାନେ କ’ଣ ଏକଥା ମାନିବେ? କନ୍ଧମାଳ ଗସ୍ତବେଳେ (୨୦୦୭ ଓ ୨୦୦୮) ଖ୍ରୀଷ୍ଟିୟାନ ସମ୍ପ୍ରଦାୟରେ ମଧ୍ୟ ଆମେ ଅନେକ ପ୍ରକାର ଚର୍ଚ୍ଚ ଦେଖିବାକୁ ପାଇଥିଲୁ ।

ମୂଳକଥା ହେଉଛି ଆମେ ଲୋକମାନଙ୍କୁ ଏକଥା ବୁଝାଇପାରିବା କି ଯେ, ଯେଉଁ ଧର୍ମାନୁଷ୍ଠାନ ଅନେକ ସାମାଜିକ ଅନ୍ୟାୟର ପ୍ରତୀକ ଭଳି ଛିଡ଼ା ହୋଇଛି ତାକୁ ଆମ ପାଇଁ ଏକ ଅଲୋଡ଼ା ସଂସ୍ଥା କରିପାରିବା କି? ଯେଉଁ ଭଗବାନ ଆମ ପ୍ରତି ଚାଲିଥିବା ଯୁଗ ଯୁଗର ଶୋଷଣ, କଷଣ, ନିର୍ଯାତନା, ଲାଞ୍ଛନା ଓ ପ୍ରତାରଣାକୁ ଦେଖି ଆମର ଏ ଅବସ୍ଥା ପାଇଁ ଦାୟୀ ମଣିଷମାନଙ୍କର ଅତି ନିଜର ହେଇଆସିଛନ୍ତି, ସେଭଳି ଭଗବାନ ଏ ଦୁନିଆରେ ବଂଚି ରହିବାର କିଛି ଆବଶ୍ୟକତା ନାହିଁ । ଭଗବାନ ଓ ଧର୍ମାନୁଷ୍ଠାନମାନଙ୍କୁ ବାସନ୍ଦ ନକରିବା ଯାଏଁ ଇତରମାନଙ୍କ ଭାଗ୍ୟ ବଦଳିବାର ସମ୍ଭାବନା ନାହିଁ ।

(ନଭେମ୍ବର ୧-୧୫ ସମଦୃଷ୍ଟି ସମ୍ପାଦକୀୟର କିଛି ଅଂଶ)

 

 

 

https://www.google.co.in/search?q=sabarimala+temple&source=lnms&tbm=isch&sa=X&ved=0ahUKEwjK0OyN1MveAhXEsKQKHZEjCr4Q_AUIDygC&biw=1366&bih=635#imgrc=tJOh8X5UJvdMwM:

About ସୁଧୀର ପଟ୍ଟନାୟକ

ସୁଧୀର ପଟ୍ଟନାୟକ
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ

Check Also

ନଟି ବିନୋଦିନୀଙ୍କର ଜୀବନ କଥା (୧)

‘ମୁଁ ଏ ଜଗତ ପାଇଁ କଳଙ୍କିନୀ, ପତିତା । ମୋର କେହି ଆତ୍ମୀୟ ନାହାନ୍ତି, ସମାଜ ନାହିଁ, ବନ୍ଧୁ ନାହିଁ, …

One comment

  1. Avatar

    ଆମେ ବିଦେଶୀ ହାତରୁ ସ୍ବାଧୀନତା ପ୍ରାପ୍ତିର ସତୁରିରୁ ଉର୍ଦ୍ଧ୍ବ ବର୍ଷ ଗଲେ ମଧ୍ଯ ଭାରତୀୟତା ଆମ ଶିକ୍ଷାରେ ପ୍ରସ୍ଫୁଟିତ ହେଇ ପାରିଲା ନାହିଁ।ଆଢି ଆମ ପିଲାମାନେ ବିଜାତୀୟ ଶିକ୍ଷା ପ୍ରଭାବରେ ଅଶିକ୍ଷାର ଗନ୍ତାଘରଟିଏରେ ପରିଣତ ହେଉଛନ୍ତି।ଧର୍ମ ଓ ସତ୍ଯ କେବଳ ବାଚନିକ ପରିଭାଷାରେ ପରିଣତ ହୋଇଛି।ଶିକ୍ଷା ଓ ଶିକ୍ଷା ଖସଡାରେ ପ୍ରକୃତ ଅନୁଶୀଳନର କୌଣସି ସୁବନ୍ଦୋବସ୍ତ ନାହିଁ।ବାହ୍ଯାଡମ୍ବର ପ୍ରିୟତା ଆମ ସମସ୍ତଙ୍କର ଅସ୍ଥି ମଜ୍ଜାଗତ।ନାରାୟଣଗ୍ଯାନରେ ନରସେବାର ଭାରତୀୟ ଆଦର୍ଶ ଜାଗ୍ରତ ହେବାର ଅନେକ ଭୟ।
    ଆମ ସମସ୍ତଙ୍କର ଚିତନର ଏହା କ’ଣ ଅବିଷୟ କି?

Leave a Reply

Your email address will not be published. Required fields are marked *