ସ୍ୱପ୍ନ-ଶ୍ମଶାନରେ ସ୍ୱପ୍ନେଶ୍ୱର

15 Min Read

ସ୍ତ୍ରୀ ସମସ୍ତ ବାରଣ ସତ୍ତେ୍ୱ ନିମନ୍ତ୍ରଣ ପତ୍ରଟିରେ ନିଆଁ ଲଗାଇଲେ ସ୍ୱପ୍ନେଶ୍ୱର ।
ସେ ବୁଝିଥିଲେ ଯେ, ମୃତ୍ୟୁ ଖବର ଧରି ଆସିଥିବା ପତ୍ରରେ ହିଁ ନିଆଁ ଲଗାଯାଏ, ବିବାହ ଖବର ଆସିଥିବା ପତ୍ରରେ ନୁହେଁ ।
କିନ୍ତୁ ସ୍ୱପ୍ନେଶ୍ୱର ପାଇଁ ଏ ବି ଏକ ମୃତ୍ୟୁ ଖବର ଥିଲା- ଏକ ଆଦର୍ଶର ।
ସୁଲକ୍ଷଣା ନୀରବ ରହିଥିଲେ ।
ବୋଧେ ପ୍ରଥମଥର ପାଇଁ ସୁଲକ୍ଷଣା ଦେଖୁଥିଲେ-ସଞ୍ଜୀବ ସମ୍ପର୍କିତ ଏକ ସୁଖକର ଘଟଣା ସ୍ୱପ୍ନେଶ୍ୱରଙ୍କ ଭିତରେ କେତେ ବିରକ୍ତି ଓ ଘୃଣା ସୃଷ୍ଟି କରିପାରେ ।
ସ୍ୱପ୍ନେଶ୍ୱର-ସୁଲକ୍ଷଣାଙ୍କର ସନ୍ତାନହୀନ ଜୀବନରେ ସଞ୍ଜୀବର ଆବିର୍ଭାବ ଓ ତା’ ସହିତ ସେମାନଙ୍କ ମନରେ କେତେ ଆଶା ଓ ପରିପୂର୍ଣ୍ଣତାର ଆତ୍ମତୃପ୍ତି ଯେ ଦିନେ ଏଭଳି ଏକ ନିଷ୍ଠୁର ପର୍ଯ୍ୟାୟ ଦେଇ ଗତିକରିବ, ତାହା କିଏ ବା ଆଶଙ୍କା କରିଥିଲା?
ସ୍ୱପ୍ନେଶ୍ୱର ସଞ୍ଜୀବକୁ ପ୍ରଥମଥର ପାଇଁ ଦେଖିନ୍ତି, ଯେତେବେଳେ ସେ ତାଙ୍କ ସ୍କୁଲରେ ଅଷ୍ଟମଶ୍ରେଣୀରେ ଆସି ପ୍ରବେଶ କରେ । ସ୍କୁଲ୍ ହଷ୍ଟେଲର ଦାୟିତ୍ୱରେ ଥା’ନ୍ତି ସ୍ୱପ୍ନେଶ୍ୱର । ହେଡ଼୍ମାଷ୍ଟର୍ ମହୋଦୟ ତାଙ୍କୁ ଡକାଇ କହିଥିଲେ, “ସ୍ୱପ୍ନେଶ୍ୱର ବାବୁ, ସଞ୍ଜୀବ ପିଲାଟି ଭାରି ମେଧାବୀ, କିନ୍ତୁ ଖୁବ୍ ଗରିବ । ହଷ୍ଟେଲରେ ଆପଣ ତା’ର ଟିକେ ଯତ୍ନ ନେବେ ।”
ହଷ୍ଟେଲରେ ରହିବାର ସମସ୍ତ ବ୍ୟବସ୍ଥା କରିଦେଇ ସ୍ୱପ୍ନେଶ୍ୱର ସଞ୍ଜୀବକୁ ତାଙ୍କ ଘରେ ଖାଇବା ପାଇଁ ଡାକିଥିଲେ । ପ୍ରତ୍ୟେକ ନୂତନ ଅନ୍ତେବାସୀଙ୍କୁ ଡାକି ଘରେ ଦିନେ ଦିନେ ଖୋଇବା ସ୍ୱପ୍ନେଶ୍ୱରଙ୍କର ପ୍ରାୟ ଏକ ଅଭ୍ୟାସ ହୋଇଯାଇଥିଲା । ସନ୍ତାନହୀନ ଜୀବନର ରିକ୍ତତା କିଛିଟା ପୂରଣ ହୋଇଯାଉଥିଲା ।
ଖାଇବାବେଳେ ସେ ଦିନ ସ୍ୱପ୍ନେଶ୍ୱର ଜାଣିଲେ ଯେ, ସଞ୍ଜୀବର ବାପା ଗାଁ ମନ୍ଦିରର ପୂଜକ । ଭଉଣୀ ଦୁଇ-ଭାଇ ଏକ । ଦୁଇ ଏକର ମାତ୍ର ଜମି । ମ୍ୟାଟ୍ରିକ୍ଟା ପାସ୍ କରିଗଲେ ଗାଁ ଅପର ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରିବ – ଏତିକି ମାତ୍ର ତା’ର ଅଭିଲାଷ । ତା’ଉପରେ ଭାଇ ଭଉଣୀଙ୍କ ବୋଝ-ସେମାନଙ୍କୁ ଉଠାଇବ ।
ସେଦିନ ରାତିରେ ସୁଲକ୍ଷଣା କହିଥିଲେ, “ଏ ପିଲାଟି ପରା ଖୁବ୍ ମେଧାବୀ-ଏହାର ଦାୟିତ୍ୱ ଆମେ ନେଲେ କିମିତ ହ’ନ୍ତା? ମ୍ୟାଟ୍ରିକ୍ କ’ଣ ଗୋଟିଏ ପଢ଼ାରେ ଲେଖା ।”
ସୁଲକ୍ଷଣାଙ୍କ ମନରେ ପିଲାଟି ପ୍ରତି ଅପତ୍ୟ ସ୍ନେହ ଜାଗିଛି-ଦୁର୍ବଳତା ଜନ୍ମିଛି -ବୁଝିପାରୁଥିଲେ ସ୍ୱପ୍ନେଶ୍ୱର ।
ସେ କହିଥିଲେ, “କିନ୍ତୁ ତା’ ଉପରେ ଯେ, ତା’ ଭାଇଭଉଣୀଙ୍କ ବୋଝ । ଇଏ ଯଦି ପଢ଼ାରେ ମାତିଯାଏ-ସେମାନଙ୍କୁ ପଢ଼ାଇବ କିଏ?”
ସୁଲକ୍ଷଣା କହିଥିଲେ, “କିଛି ଗୋଟାଏ ଉପାୟ ଚିନ୍ତା କର ।” ସ୍ୱରରେ ବ୍ୟାକୁଳତା ବେଶ୍ ବାରି ପାରୁଥିଲେ ସ୍ୱପ୍ନେଶ୍ୱର ।
ତା’ପରେ ସଞ୍ଜୀବକୁ ଆଉ ପଛକୁ ଫେରି ଚାହିଁବାକୁ ହୋଇନାହିଁ । ସ୍ୱପ୍ନେଶ୍ୱରଙ୍କ ପରିବାରର ସେ ଏକ ଅବିଭାଜ୍ୟ ଅଂଶ ହୋଇଗଲା । ତା’ର ଖୁସିରେ ସେମାନଙ୍କର ଖୁସି, ତା’ର ଦୁଃଖରେ ସେମାନଙ୍କର ଦୁଃଖ-ସେମାନଙ୍କ ଦାମ୍ପତ୍ୟ ଜୀବନରେ ସନ୍ତାନହୀନତାଜନିତ ଅଭାବବୋଧ ଯେପରି ସମ୍ପୂର୍ଣ୍ଣ ଉଭେଇ ଯାଇଥିଲା ।
ଶତକଡ଼ା ଅଶୀଭାଗ ରଖି ଯେତେବେଳେ ସଞ୍ଜୀବ ମ୍ୟାଟ୍ରିକ୍ ପାସ୍ କଲା-ସେତେବେଳେ ପ୍ରଧାନ ଶିକ୍ଷକ ମହୋଦୟ ତାଙ୍କୁ କୁଣ୍ଢାଇ ପକାଇ କହିଥିଲେ, “ସ୍ୱପ୍ନେଶ୍ୱର ବାବୁ, ଏ ଆପଣଙ୍କର ନିଷ୍ଠା ଆଉ ଆନ୍ତରିକତାର ଫଳ ।” ସଞ୍ଜୀବର ସଫଳତା ସ୍ୱପ୍ନେଶ୍ୱରଙ୍କ ଘରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିଥିଲା । ସୁଲକ୍ଷଣାଙ୍କ ବରାଦକ୍ରମେ ଏକ ସତ୍ୟନାରାୟଣ ପୂଜାର ଆୟୋଜନ ହୋଇଥିଲା । ସ୍କୁଲର ସବୁ ଶିକ୍ଷକ ତଥା ଗାଁର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରା ହୋଇଥିଲା । ଆଶୀର୍ବାଦାରେ ଘର ସେଦିନ ମୁଖରିତ ହୋଇ ଉଠିଥିଲା । ସୁଲକ୍ଷଣା ବୋଧେ ସବୁଠାରୁ ବେଶୀ ଖୁସି ହେଉଥିଲେ । ଅପତ୍ୟ ସ୍ନେହ, ଅଧିକାର, ଗୌରବ, ସବୁ ଯେପରି ସୁଲକ୍ଷଣାଙ୍କୁ ଅପୂର୍ବ ଗତିଶୀଳ କରିଦେଇଥିଲା ।
ସ୍ୱପ୍ନେଶ୍ୱର ଭାବୁଥିଲେ- ସୁଲକ୍ଷଣା କ’ଣ ବୁଝିପାରୁ ନାହାନ୍ତି ଯେ, ସଞ୍ଜୀବର ଦୂରାଇଯିବାର ସମୟ ଆସିଗଲା ବୋଲି!
ସ୍ୱପ୍ନେଶ୍ୱରଙ୍କ ଆଶଙ୍କା ଠିକ୍ ହେଲା । ରେଭେନ୍ସା କଲେଜ୍ରେ ଆଡ଼ମିଶନ୍ ପାଇଁ ଯେତେବେଳେ ସେ ଓ ସଞ୍ଜୀବ ବାହାରିଲେ – ସୁଲକ୍ଷଣାଙ୍କୁ ବୋଧ କରିବା କାଠିକର ପାଠ ହୋଇଥିଲା । ସଞ୍ଜୀବ ପାଖକୁ ନିୟମିତ ଟଙ୍କା ପଠାଇବା ଓ ସୁଲକ୍ଷଣାଙ୍କ ତାଗିଦ୍ରେ ମାସିକ ପ୍ରାୟ ଦୁଇଥର ଯାଇ ସଞ୍ଜୀବକୁ ହଷ୍ଟେଲରେ ଦେଖିଆସି ତା’ର ଭଲମନ୍ଦ ସୁଲକ୍ଷଣାଙ୍କୁ ଜଣାଇବା- ଏକପ୍ରକାର ଅଭ୍ୟାସରେ ପଡ଼ିଯାଇଥିଲା ସ୍ୱପ୍ନେଶ୍ୱରଙ୍କର । ପ୍ରତ୍ୟେକ ଛୁଟିରେ ଘରକୁ ଆସି ସୁଲକ୍ଷଣାଙ୍କ ସହିତ ଦେଖାକରିବା ତ ସଞ୍ଜୀବ ପାଇଁ ବାଧ୍ୟତାମୂଳକ ଥିଲା ।
ସଞ୍ଜୀବ ଆଇ.ଏ. ପରୀକ୍ଷାରେ ପ୍ରଥମ ଦଶଜଣଙ୍କ ଭିତରେ ରହିଲା । ବି.ଏ. ପରୀକ୍ଷାରେ ରାଜନୀତି ବିଜ୍ଞାନ ଅନର୍ସରେ ପ୍ରଥମ ହେଲା । ବହୁ କୁଣ୍ଠିତ ହୋଇ ଦିଲ୍ଲୀରେ ଏମ.ଏ. ପଢ଼ିବା ପାଇଁ ତା’ର ଇଚ୍ଛାକୁ ସ୍ୱପ୍ନେଶ୍ୱରଙ୍କ ପାଖରେ ବ୍ୟକ୍ତ କରିଥିଲା । ସ୍ୱପ୍ନେଶ୍ୱର ତାଙ୍କର ସ୍ୱଳ୍ପ ଆୟ ଭିତରେ କେତେଦୂର ସଞ୍ଜୀବକୁ ସାହାଯ୍ୟ କରିପାରିବେ, ସେକଥା ମନ ଭିତରେ ତଉଲା ତଉଲି କରୁଥିବା ବେଳେ ସୁଲକ୍ଷଣା ଘୋଷଣା କଲେ – ‘ସଞ୍ଜୀବ ଅଲବତ୍ ଦିଲ୍ଲୀରେ ପଢ଼ିବ ।’
ଦିଲ୍ଲୀରେ ପଢ଼ୁଥିବା ସମୟରେ ଯୌତୁକ ବ୍ୟବସ୍ଥା ସମ୍ପର୍କିତ ଏକ ସର୍ବଭାରତୀୟ ସ୍ତରର ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହେଲା । ଏ ଖବରଟି ପାଇ ସ୍ୱପ୍ନେଶ୍ୱରଙ୍କ ଗୋଡ଼ ତଳକୁ ଲାଗି ନଥିଲା । ସେ ପ୍ରଧାନଶିକ୍ଷକ ମହୋଦୟଙ୍କୁ ପାଖକୁ ଦଉଡ଼ି ଯାଇଥିଲେ ଖବରଟି ପାଇବା ମାତ୍ରେ – “ଦେଖନ୍ତୁ ସାର୍, ସଞ୍ଜୀବର କୃତିତ୍ୱ – ଯୌତୁକ ପ୍ରଥା ବିରୁଦ୍ଧରେ କହି ସଞ୍ଜୀବ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛି ।”
ପ୍ରଧାନଶିକ୍ଷକ କହିଥିଲେ, “ଆଦର୍ଶ ଛାତ୍ରଟିଏ ସୃଷ୍ଟି ହୋଇପାରିଲା, ସ୍ୱପ୍ନେଶ୍ୱର ବାବୁ । ସବୁ ଶ୍ରେୟ ଆପଣଙ୍କୁ ।”
ସଞ୍ଜୀବ ଚିଠିରେ ଲେଖିଥିଲା : ପୂଜାଷ୍ପଦ ସାର୍, ଯୌତୁକ ବ୍ୟବସ୍ଥାର ଯେଉଁ ଭୟଙ୍କର ପରିଣତି, ତାହା ଦିଲ୍ଲୀରେ ନ ରହିଲେ ବୁଝିହେବ ନାହିଁ । ଏଭଳି ଗୋଟାଏ ଦିନ ଯାଉନାହିଁ, ଯେଉଁଦିନ ବଧୂହତ୍ୟାର ଖବର ପ୍ରକାଶ ପାଉନାହିଁ । ଯୌତୁକକୁ କେନ୍ଦ୍ରକରି ସବୁ କଳହ ଉପୁଜୁଛି । ମୁଁ ଏହା ବିରୁଦ୍ଧରେ ଖୁବ୍ ଦୃଢ଼ ଯୁକ୍ତିମାନ ବାଢ଼ିଲି । ଏହି ବ୍ୟବସ୍ଥାକୁ କିପରି ଉଚ୍ଛେଦ କରାଯିବ, ସେ ଦିଗରେ କେତୋଟି ପ୍ରସ୍ତାବ ମଧ୍ୟ ଦେଲି । ଯେଉଁମାନେ ଉଚ୍ଚ ପଦପଦବୀରେ ଚାକିରି ପାଉଛନ୍ତି, ସେମାନେ ଯଦି ଯୌତୁକ ନେଉଛନ୍ତି-ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଉ ବୋଲି ପ୍ରସ୍ତାବ ମଧ୍ୟ ବାଢ଼ିଲି । ଆପଣ ପଢ଼ିଥିବେ ଖବରକାଗଜରେ- ଯେ ବିହାର, ଉତ୍ତର ପ୍ରଦେଶ ଭଳି ରାଜ୍ୟମାନଙ୍କରେ ଆଇ.ଏ.ଏସ୍. ବରଟିଏ ପାଇଁ ୨୦/୨୫ ଲକ୍ଷ ଯୌତୁକ ଦେବା ଅତି ସାଧାରଣ କଥା ।”
ଗର୍ବରେ ସ୍ୱପ୍ନେଶ୍ୱରଙ୍କର ଛାତି ଫୁଲି ଉଠିଥିଲା । ସେ ସେଦିନ ସୁଲକ୍ଷଣାଙ୍କୁ କହିଥିଲେ : ଆଦର୍ଶର କଥାଶୁଣି ମୋତେ ଉପହାସ କରୁଥିବା ଲୋକଙ୍କୁ ଏଇଥର ଥଣ୍ଡା କରିଦେବି । କହିବି ଦେଖ – କହୁଥିଲ ତ ଯାହା ମୁଁ କରୁଛି, ତାହା ଏ ଯୁଗରେ ସମ୍ଭବ ନୁହେଁ । ଦେଖ ସଞ୍ଜୀବକୁ – ଏ ଯୁଗର ପିଲା- ଉଚ୍ଚପଦସ୍ଥ ଅଫିସର ଅଥଚ ଯୌତୁକ ନେଉନାହିଁ ।
ସୁଲକ୍ଷଣା କହିଥିଲେ : “ଭଗବାନଙ୍କୁ ଡାକ, ସଞ୍ଜୀବ ଆଗ ଭଲ ଚାକିରି ପାଉ । ଅନ୍ୟସବୁ ପରକଥା ।”
ସ୍ୱପ୍ନେଶ୍ୱର ହସିଥିଲେ : ଆରେ ସଞ୍ଜୀବ ଭଳି ମୋଧାବୀ ପିଲା- ଯେଉଁ ଚାକିରି ଚାହିଁବ ସେ ପାଇବ । ଚାକିରି ତା ପାଇଁ ସମସ୍ୟା ନୁହେଁ ।
ସେଇୟା ହିଁ ହୋଇଥିଲା । ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲା ସଞ୍ଜୀବ ।
ତତ୍କ୍ଷଣାତ୍ ଅଞ୍ଚଳର ଗୌରବ ହୋଇଗଲା ସଞ୍ଜୀବ । ସବୁଠାରେ ତାଙ୍କୁ ସମ୍ବର୍ଦ୍ଧନା- ସ୍କୁଲରେ, ବ୍ଲକ୍ରେ, ଗାଁ’ର ପାଠଗାରମାନଙ୍କରେ, ସବୁ ବକ୍ତାଙ୍କର ଶେଷରେ ଗୋଟିଏ କଥା, “ସ୍ୱପ୍ନେଶ୍ୱର ବାବୁଙ୍କୁ ଆମର ଅଶେଷ ଧନ୍ୟବାଦ । ଆମେ ତାଙ୍କ ପାଖରେ ଋଣୀ ଯେ, ସେ ସଞ୍ଜୀବ ଭିତରେ ଗୋଟିଏ ଆଦର୍ଶ କୃତବିଦ୍ ଯୁବକଟିଏ ଗଢ଼ିଦେଲେ ।” ସଞ୍ଜୀବ ମଧ୍ୟ ସମ୍ବର୍ଦ୍ଧନାର ଉତ୍ତରରେ ସବୁଠାରେ ଗୋଟିଏ କଥାରେ ତାର ବକ୍ତବ୍ୟ ଶେଷ କରୁଥିଲା – “ସାର (ଅର୍ଥାତ୍ ସ୍ୱପ୍ନେଶ୍ୱର) ଓ ଗୁରୁମା (ସୁଲକ୍ଷଣା)ଙ୍କ ପାଇଁ ହିଁ ସେ ଆଜି ଯାହା କିଛି ।”
ଏହାପରେ ସଞ୍ଜୀବ ଚାଲିଯାଇଥିଲା ଟ୍ରେନିଂକୁ ଓ ସ୍ୱପ୍ନେଶ୍ୱରଙ୍କ ଘରେ ଭିଡ଼ ଆରମ୍ଭ ହୋଇଥିଲା ବିଭାଘର ପ୍ରସ୍ତାବ ନେଇ ଆସୁଥିବା ଆଗନ୍ତୁକମାନଙ୍କର । ଯୌତୁକର ଅଥୟ ପ୍ରତିଶ୍ରୁତି । ସାଧାରଣଭାବେ ଫ୍ରିଜ୍, କଲର ଟି.ଭି, ଭି.ସି.ଆର୍. କୋଡ଼ିଏ ଭରି ସୁନା, ଭୁବନେଶ୍ୱରରେ ଚାରିଗୁଣ୍ଠ ଜାଗା ବ୍ୟତୀତ ଡିଲକ୍ସ ମଡ଼େଲ ମାରୁତି ଗାଡ଼ି ଓ ଦୁଇଲକ୍ଷ ଟଙ୍କାର କ୍ୟାସ୍ ପ୍ରତିଶ୍ରୁତି ଧରି ବହୁ ପ୍ରସ୍ତାବ । କଣ୍ଟ୍ରାକ୍ଟର, ବ୍ୟବସାୟୀ, ମାଇନ୍ ଓନର, ଇଞ୍ଜିନିୟର, ପ୍ରଶାସନିକ ଅଫିସର ସମସ୍ତେ ଯୌତୁକର ପ୍ରଲୋଭନ ଧରି ସ୍ୱପ୍ନେଶ୍ୱରଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ସମସ୍ତଙ୍କୁ ସ୍ୱପ୍ନେଶ୍ୱରଙ୍କର ଗୋଟିଏ ଉତ୍ତର : “ଆଜ୍ଞା ଯୌତୁକ କଥା କୁହନ୍ତୁ ନାହିଁ । ସଞ୍ଜୀବ ଯୌତୁକବିରୋଧୀ । ଆପଣ ଜାଣନ୍ତି ନାହିଁ ବୋଧେ ସେ ଯୌତୁକ ବିରୁଦ୍ଧରେ ବକ୍ତୃତା ଦେଇ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି । କନ୍ୟା ସଞ୍ଜୀବଙ୍କ ପସନ୍ଦ ହେଲେ ହେଲା । ସଞ୍ଜୀବ ଆସୁ ।”
ସୁଲକ୍ଷଣା ବାଢ଼ିଥିଲେ ପ୍ରସ୍ତାବଟିଏ ; “ସଞ୍ଜୀବର ତ ଯୌତୁକ ପ୍ରତି ଦୁର୍ବଳତା ନାହିଁ । ଆମର ହିନ୍ଦୀ ଶିକ୍ଷକ ରାମହରି ବାବୁଙ୍କ ଝିଅ ଗୀତା ପାଇଁ କଥାବାର୍ତ୍ତା କଲେ କିପରି ହୁଅନ୍ତା? ରୂପରେ, ଗୁଣରେ, ଘରକରଣାରେ, କେଉଁଥିରେ ଊଣା ନୁହେଁ – ଆଉ ସଞ୍ଜୀବ ସହ ମଧ୍ୟ ଯୋଡ଼ି ଭଲ ମାନନ୍ତା ।”
ସ୍ୱପ୍ନେଶ୍ୱରଙ୍କ ମନକୁ ଏହି ପ୍ରସ୍ତାବଟି ବେଶ୍ ପାଇଥିଲା । ସେ କହିଥିଲେ “ସଞ୍ଜୀବ ଟ୍ରେନିଂରୁ ଫେରୁ ।”
ସଞ୍ଜୀବ ଟ୍ରେନିଂରୁ ଫେରି ଓଡ଼ିଶାରେ ହିଁ ନିଯୁକ୍ତି ପାଇଥିଲା-ରାଜଧାନୀ ସହରରେ ।
ସୁଲକ୍ଷଣା କହିଥିଲେ : ସଞ୍ଜୀବ, ଏବେ ଘରସଂସାର କରିବାର ସମୟ ଆସିଗଲା, ବିବାହ କର । ପ୍ରସ୍ତାବତ ଆମ ପାଖକୁ ଅନେକ ଆସିଛି । ତୁମ ସହିତ ପରାମର୍ଶ ନ କରି ତ କାହାରିକୁ କିଛି କହିହେଉ ନାହିଁ ।
ସଞ୍ଜୀବ ନୀରବ ରହିଥିଲା କିଛି ସମୟ । ତା’ପରେ କହିଥିଲା :କେହି ଜଣେ ଏ-କ୍ଲାସ୍ କଣ୍ଟ୍ରାକ୍ଟର ନିଜ ଝିଅର ପ୍ରସ୍ତାବ ନେଇ ଏହା ଭିତରେ ବାପାଙ୍କୁ ଦେଖା କରିଥିଲେ । ମନେହୁଏ ବାପା ଏ ପ୍ରସ୍ତାବରେ ରାଜି । ଆପଣଙ୍କୁ ଦେଖା କରିବାପାଇଁ ବାପା ତାଙ୍କୁ ପରାମର୍ଶ ଦେଇଥିଲେ । ସେ କିନ୍ତୁ ଆପଣଙ୍କୁ ଦେଖା କରିନାହାନ୍ତି ବୋଲି ମୁଁ ଶୁଣିଲି ।
କେହି ଯେମିତି ସତର୍କ ଘଣ୍ଟିଟିଏ ବଜାଇଦେଲା । ସ୍ୱପ୍ନେଶ୍ୱର ଭାବିଲେ ସଞ୍ଜୀବର ବିଭାଘରରେ ମୁଣ୍ଡ ଖେଳାଇ ସେ ଓ ସୁଲକ୍ଷଣା ଅନଧିକାର ଚର୍ଚ୍ଚା କରୁନାହାନ୍ତି ତ?
ନିଜକୁ ସଜାଡ଼ି ନେଇଥିଲେ ସ୍ୱପ୍ନେଶ୍ୱର । କହିଲେ : “ତୁମ ବାପାଙ୍କ ମନକୁ ଯଦି ପାଇଛି, ତା’ହେଲେ ସେହିଠାରେ ହିଁ ବିଭାଘର କର । ଅସୁବିଧା କ’ଣ?”
ସୁଲକ୍ଷଣା କିଛି କହି ଆସୁଥିଲେ- ସ୍ୱପ୍ନେଶ୍ୱର ତାଙ୍କୁ ଇଶାରାରେ ବାରଣ କଲେ ।
ସେଦିନ ସଞ୍ଜୀବ ଆଉ କିଛି ନକହି ଫେରି ଯାଇଥିଲା ତା ଚାକିରିକୁ ।
ସ୍ୱପ୍ନେଶ୍ୱର ଜାଣି ନ ଥିଲେ ଯେ, ସଞ୍ଜୀବ ପାଇଁ ଝିଅର ପ୍ରସ୍ତାବ ଧରି ଆସିଥିବା ଏ-କ୍ଲାସ କଣ୍ଟ୍ରାକ୍ଟର ହେଉଛି ଆଶୀର୍ବାଦ ପଣ୍ଡା । ଆଶୀର୍ବାଦ ଥିଲେ ସ୍ୱପ୍ନେଶ୍ୱରଙ୍କର କଲେଜ୍ ଜୀବନରେ ସହପାଠୀ ଓ ହଷ୍ଟେଲରେ ଗୋଟିଏ କୋଠରିରେ ରହୁଥିବା ବନ୍ଧୁ । ଭଲ ଛାତ୍ର ନଥିଲେ ହେଁ – ଅଭିଳାଷ ଥିଲା ତାଙ୍କର ଖୁବ୍ ଉଚ୍ଚ । ବହୁ ଅର୍ଥ ଉପାର୍ଜନ ପାଇଁ ତାଙ୍କର ଆକାଂକ୍ଷା ଥିଲା ପ୍ରବଳ । କଲେଜ ପଢ଼ୁଥିବା ଧନୀ ପିଲାମାନଙ୍କ ସହିତ ତାଙ୍କର ବସାଉଠା ଥିଲା ବେଶୀ । ସ୍ୱପ୍ନେଶ୍ୱର ଥିଲେ ତାଙ୍କ ପାଇଁ ଉପହାସର ବସ୍ତୁଟିଏ । ଆଶୀର୍ବାଦ ସବୁବେଳେ କହୁଥିଲେ, “ବୁଝିଲ ସ୍ୱପ୍ନେଶ୍ୱର-ଆଦର୍ଶକୁ ନେଇ ସମାଜ ଚାଲେନା- ଆଦର୍ଶ ବହିରେ ଶୋଭାପାଏ- ଦୈନନ୍ଦିନ ଜୀବନଯାତ୍ରାରେ ନୁହେଁ- ସମାଜର ଗତି ସହ ତାଳ ଦେଇ ଚାଲ- ସଫଳ ମଣିଷଟିଏ ହେବ- ଆଦର୍ଶକୁ ଧରିଥିଲେ କେବଳ ଦୟାର ପାତ୍ରଟିଏ ହେବ ସିନା ।” ସ୍ୱପ୍ନେଶ୍ୱରଙ୍କ ଉତ୍ତରକୁ ଆଶୀର୍ବାଦ କେବେ ଅପେକ୍ଷା କରିନାହାନ୍ତି । ଟେଷ୍ଟ ପରୀକ୍ଷା ପୂର୍ବରୁ ଆଶୀର୍ବାଦ ଯେପରି ପରୀକ୍ଷାରେ ପଡ଼ିବାକୁ ଥିବା ପ୍ରଶ୍ନପତ୍ରଗୁଡ଼ିକ ଆଣି ତାଙ୍କ ଟେବୁଲ ଉପରେ ଥୋଇଦେଲେ- ସେଦିନ ବୁଝିପାରିଲେ ସ୍ୱପ୍ନେଶ୍ୱର ଯେ, ଆଶୀର୍ବାଦ ପ୍ରକୃତରେ ବହୁ ଆଗକୁ ବାହାରି ଯାଇଛନ୍ତି । କେଉଁ ଏକ ବିଜୟୋଲ୍ଲାସରେ ଉପହାସ କରି ଆଶୀର୍ବାଦ କହିଥିଲେ, “କ’ଣ କହୁଛି ତୁମର ଆଦର୍ଶ? ସ୍ୱପ୍ନେଶ୍ୱର, ତୁମେ ଏ ପ୍ରଶ୍ନପତ୍ର ଆଡ଼କୁ ଅନାଇବ ନାହିଁ, ମୁଁ ଜଣେ । କାରଣ ତୁମେ ନିର୍ବୋଧ । କିନ୍ତୁ ଯିଏ ଏ ପ୍ରଶ୍ନ ପତ୍ରଗୁଡ଼ିକ ମୋତେ ଦେଲା- ତୁମେ ଜାଣିରଖ, ତା’ ଆଦର୍ଶର ମୂଲ୍ୟ ମାତ୍ର ପାଞ୍ଚଶହ ଟଙ୍କା । ଯେତେବେଳେ ତାକୁ ଶହେଟଙ୍କା ଯାଚି ପ୍ରଶ୍ନପତ୍ର ଦେବାପାଇଁ କହିଲି – ସେ ମୋତେ ପ୍ରଶ୍ନପତ୍ରର ଗୋପନୀୟତା ଓ ତା ନିଜର ବିଶ୍ୱାସନୀୟତା ଉପରେ ଭାଷଣ ଦେଇ – ମୁଁ ଏଭଳି ଅନୈତିକ କାର୍ଯ୍ୟ ପାଇଁ ସାହସ କିପରି କଲି ବୋଲି ଭର୍ତ୍ସନା କରିଥିଲା । ସେହି ଲୋକ ଜଣେ ନେତାଙ୍କ ନିର୍ଦ୍ଦେଶରେ ମାତ୍ର ୫୦୦ଟଙ୍କାରେ ତା’ର ସମସ୍ତ ଆଦର୍ଶ ବିକି ଦେଇପାରିଲା । ସବୁ ମଣିଷର ବେକ୍ରେ ମୂଲ୍ୟ ପଟିଟିଏ ଝୁଲୁଛି- ସେହି ଦାମ୍ ଦିଅ-ତୁମେ ଯାହା ଚାହିଁବ, ସେ ତାହା କରିବ- ସଫଳକାମୀ ଲୋକ ସେ ପଟିଟିକୁ ଦେଖିପାରନ୍ତି- ଆଉ ତୁମ ଭଳି ନିର୍ବୋଧଙ୍କୁ ତାହା କେବେ ଦୃଶ୍ୟ ହୁଏ ନାହିଁ ।”
ସ୍ୱପ୍ନେଶ୍ୱର ବୁଝିପାରିଥିଲେ ଯେ, ଜୀବନ ଦର୍ଶନ ଦୁହିଁଙ୍କର ଥିଲା ପରସ୍ପର ବିରୋଧୀ- ତେବେ ଦୁହେଁ ଦୁହିଁଙ୍କୁ ଘୃଣା କରିନଥିଲେ, ପରସ୍ପରକୁ ଦୟା କରୁଥିଲେ କେବଳ ।
ସେହି ଆଶୀର୍ବାଦ ସ୍ୱପ୍ନେଶ୍ୱରଙ୍କ ଦ୍ୱାରସ୍ଥ ହୋଇଥିଲେ-ସ୍ୱପ୍ନେଶ୍ୱରଙ୍କୁ ଅବାକ୍ କରି । ସ୍ୱପ୍ନେଶ୍ୱରଙ୍କ ଦୁଇହାତକୁ ନିଜ ହାତ ଆଞ୍ଜୁଳିରେ ନେଇ କହିଥିଲେ:“ସ୍ୱପ୍ନେଶ୍ୱର ତୁମେ ହିଁ ମୋତେ ରକ୍ଷା କରିପାରିବ, ମୁଁ ବଡ଼ ବିପଦରେ ପଡ଼ିଯାଇଛି । ଆଉ ପନ୍ଦର ଦିନ ପରେ ବିଭାଘରର ଶେଷ ତିଥି । ଅଥଚ ସଞ୍ଜୀବ ପାଖରୁ ଆମେ ସଠିକ୍ ଜବାବ ବର୍ତ୍ତମାନ ସୁଦ୍ଧା ପାଇପାରିଲୁ ନାହିଁ । ଗାଡ଼ି, ଫ୍ରିଜ୍, କଲର୍ ଟେଲିଭିଜନ, ଗହଣା ଭୁବନେଶ୍ୱରରେ ଜାଗା ଆଦି ସବୁ ଦେବା ପାଇଁ ମୁଁ ରାଜି, ତଥାପି…. ।”
ସ୍ୱପ୍ନେଶ୍ୱର କହିଥିଲେ: “ସଞ୍ଜୀବ ତ ଯୌତୁକପ୍ରଥାର ବିରୋଧୀ । ଯୌତୁକର ପ୍ରଲୋଭନ ଦେଇ ତୁମେ ତା’ର ଆତ୍ମସମ୍ମାନକୁ ଆଘାତ ବୋଧେ ଦେଇଛ । ତେଣୁ ତା’ର ନୀରବତା ।”
ଆଶୀର୍ବାଦ କହିଥିଲେ:“ତାହାହେଲେ ସେ ତ ରୋକ୍ଠୋକ୍ ମନା କରିପାରନ୍ତା । ମୋତେ ଝୁଲାଇ ରଖିବାର କ’ଣ ମାନେ ହୁଏ? ଜବାବ ଦେବ ଦେବ ବୋଲି ବିଭାଘର ତିଥି ଶେଷ ହେବାକୁ ବସିଲାଣି-କନ୍ୟାପିତାର ବ୍ୟକୁଳତା ତୁମେ ବୁଝିବାରୁଥିବ । ତୁମେ କିଛି କର ।”
ସ୍ୱପ୍ନେଶ୍ୱର ଆଶ୍ଚର୍ଯ୍ୟ ହେଉଥିଲେ । ବାସ୍ତବିକ ସଞ୍ଜୀବ ରୋକ୍ଠୋକ୍ ମନା କରିଦେଇ ପାରନ୍ତା । ନୀରବ କାହିଁକି? ସେ କହିଥିଲେ : “ଦେଖ ଆଶୀର୍ବାଦ, ସଞ୍ଜୀବର ବିଭାଘର ତା’ର ବ୍ୟକ୍ତିଗତ ବ୍ୟାପାର । ସଞ୍ଜୀବଠାରୁ ମୁଁ ଶୁଣିଛି ଯେ, ତୁମ ଘରେ ବିଭାଘର ହେଉ ବୋଲି ତା’ର ବାପା ଚାହାନ୍ତି । ତୁମେ ସଞ୍ଜୀବକୁ ସିଧାସଳଖ ପଚାରି ସମସ୍ୟାର ସମାଧାନ କରିନିଅ । ମୋର ହସ୍ତକ୍ଷେପ ଠିକ୍ ହେବନାହିଁ ।”
ଆଶୀର୍ବାଦ ବ୍ୟାକୁଳ ହୋଇ ଉଠିଥିଲେ । କହିଲେ, “ତାକୁ ପାଇବି କେଉଁଠି କୁହ । ସେ ତ ଘରେ ନାହିଁ । ଅଫିସ୍ରୁ ପାଞ୍ଚଦିନ ହେଲାଣି ଛୁଟି ନେଇ କେଉଁଆଡ଼େ ଯାଇଛି । ତୁମ ପାଖକୁ ତ ଆସିନାହିଁ । ମୁଁ ବୁଝିପାରୁନି, କ’ଣ କରିବି ।”
“ପ୍ରତ୍ୟେକ ମଣିଷକୁ କିଣାଯାଇ ପାରେ” – ଏ ଦର୍ଶନରେ ବିଶ୍ୱାସ କରୁଥିବା ଆଶୀର୍ବାଦଙ୍କ ମୁଖମଣ୍ଡଳରେ ବ୍ୟାକୁଳତା ଖୁବ୍ ବେଖାପ ମନେ ହେଉଥିଲା ସ୍ୱପ୍ନେଶ୍ୱରଙ୍କୁ । ସେ ଆଶୀର୍ବଦାଙ୍କୁ ସାନ୍ତ୍ୱନା ଦେଇ କହିଥିଲେ :“ବ୍ୟସ୍ତ ହୁଅନି – ମୁଁ ଆମ ବିଦ୍ୟାଳୟର ଶିକ୍ଷକ ଭାଗିରଥୀଙ୍କୁ ତୁମ ସହିତ ପଠାଉଛି । ସଞ୍ଜୀବର କେତେକ ବନ୍ଧୁଙ୍କୁ ସେ ଜାଣନ୍ତି । ସେମାନଙ୍କଠାରୁ ତୁମେ ସଞ୍ଜୀବର ଖବରାଖବର ହୁଏତ ପାଇପାର ।”
ଆଶୀର୍ବାଦ ତାଙ୍କ ଗାଡ଼ିରେ ଭାଗିରଥୀଙ୍କୁ ସାଙ୍ଗରେ ଧରି ଯାଇଥିଲେ । ସ୍ୱପ୍ନେଶ୍ୱରଙ୍କୁ ସବୁ କିପରି ଅଡ଼ୁଆ ଅଡ଼ୁଆ ଲାଗୁଥିଲା । ସେ ନିଜକୁ ବାରମ୍ବାର ପ୍ରଶ୍ନ କରୁଥିଲେ-ସର୍ବଭାରତୀୟ ସ୍ତରରେ ଯୌତୁକ ବିରୋଧରେ ବକ୍ତୃତା ଦେଇ ପ୍ରଥମ ହୋଇଥିବା ପିଲା – କ’ଣ କେବେ ଯୌତୁକ ନେଇ ବିବାହ କରିବାପାଇଁ ରାଜି ହେବ? ସଞ୍ଜୀବ କ’ଣ ଆଶୀର୍ବାଦଙ୍କ ପ୍ରସ୍ତାବରେ ରାଜି ହୋଇଯିବ?”
ଭାଗିରଥୀ ତା’ ପରଦିନ ସକାଳେ ଆସି ସ୍ୱପ୍ନେଶ୍ୱରଙ୍କୁ ଦେଖା କରିଥିଲେ । ସ୍ୱପ୍ନେଶ୍ୱର ଜାଣିଲେ ଯେ, ସଞ୍ଜୀବର ବିଭାଘର ଆଶୀର୍ବାଦର ଝିଅ ସହିତ ହିଁ ହେବ ଶେଷ ତିଥିରେ ଏବଂ ଆଶୀର୍ବାଦ ସଞ୍ଜୀବର ଭଉଣୀ ବିଭାଘର ଓ ଗାଁ’ ଘର ତିଆରି ପାଇଁ ଆଉ ଦୁଇଲକ୍ଷ ଟଙ୍କା ଦେବାକୁ ରାଜିହେଲେ ।
ପରିଷ୍କାର ହୋଇ ଆସୁଥିଲା ଘଟଣାଗୁଡ଼ିକ- କୃତ୍ରିମ ଅଭାବ ସୃଷ୍ଟି କରିପାରିଲେ ଯାଇ ବଜାରରେ ଦର ବଢ଼ିପାରେ । ଦୀର୍ଘଶ୍ୱାସ ଛାଡ଼ିଲେ ସ୍ୱପ୍ନେଶ୍ୱର । ଆଦର୍ଶ ଛାତ୍ରଟିଏ ସୃଷ୍ଟି କରିବାର ଅବ୍ୟକ୍ତ ଅହଂକାର ଖଣ୍ଡବିଖଣ୍ଡିତ ହୋଇଯାଉଥିଲା । ନିରୋଳା ଜାଗାଟିଏ ଖୋଜୁଥିଲେ ସେ -ଯଦି କିଛି ଅଶ୍ରୁ ଝରାଇ ପାରନ୍ତି – ଏତେ ଯନ୍ତ୍ରଣାମୟ ଅନୁଭୂତିକୁ ଧୋଇଦେବା ପାଇଁ ।
ପାଖରେ ବସିଥିବା ସହକର୍ମୀ ବନ୍ଧୁ ଗରାବଡ଼ୁ – ନୀରବତା ଭଙ୍ଗ କରି କହିଥିଲେ, “ବ୍ୟସ୍ତ ହୁଅନି ସ୍ୱପ୍ନେଶ୍ୱର, ସଞ୍ଜୀବ ଆଦର୍ଶରୁ ଖସିପଡ଼ୁ ନାହିଁ । ଏହା ତ ଗୋଟିଏ ସାଧାରଣ ସାଲିସ୍ । ଷ୍ଟାଟସ୍କୁ ଚାହିଁ ସର୍ବନିମ୍ନ ଚାହିଦାଗୁଡ଼ା ବର୍ତ୍ତମାନ ପୂରଣ ହୋଇଗଲେ- ଭବିଷ୍ୟତରେ ସେ ଆଉ ଦୁର୍ନୀତି କରିବାକୁ ମନ ବଳାଇବ ନାହିଁ । ପ୍ରଶାସନରେ ଦୁର୍ନୀତି- ନାଗରିକ ଜୀବନରେ ଦୁର୍ନୀତି ଆଦି ସମାଜରେ ସବୁଠାରୁ ବଡ଼ ସମସ୍ୟା ନୁହେଁ କି? ଯୌତୁକ ତ ସାମାଜିକ ରୀତିଟିଏ ମାତ୍ର ।”
ଗରାବଡ଼ୁ ରହସ୍ୟ କରୁଥିଲେ ।
ସ୍ୱପ୍ନେଶ୍ୱର ମ୍ଳାନ ହସି କହିଥିଲେ : “ସଞ୍ଜୀବ ତ ବୁଦ୍ଧିମାନ ପିଲା । ବୁଦ୍ଧି ବଳରେ ଯୌତୁକବିରୋଧୀ ବକ୍ତୃତା ଦେଇ ଭାରତରେ ପ୍ରଥମ ହୋଇପାରେ-ବୁଦ୍ଧିବଳରେ ସର୍ବଭାରତୀୟ ପରକ୍ଷାରେ ସଫଳ ହୋଇ ସମାଜର ପ୍ରତିପତ୍ତିଶାଳୀଙ୍କ ପାଇଁ ଏକ ଚାହିଦାର ବସ୍ତୁ ହୋଇ ନିଜକୁ ପରିବେଷଣ କରିପାରେ – ସେମାନଙ୍କ ସହ ଲୁଚକାଳି ଖେଳି ନିଜର ଦର ମଧ୍ୟ ବଢ଼ାଇ ଦେଇପାରେ- ପୁନଶ୍ଚ ସେହି ବୁଦ୍ଧି ବଳରେ ଯୌତୁକ ନେବା ଯଥାର୍ଥ ବୋଲି ମଧ୍ୟ ପ୍ରମାଣ କରିଦେଇ ପାରେ ।”
ଗରାବଡ଼ୁ କହିଥିଲେ : “ଭାଇ ବୁଦ୍ଧିମାନ୍ କୁହ ନାହିଁ – ଚତୁର କୁହ । ତାହାହିଁ ସବୁଠାରୁ ସଠିକ୍ ଶବ୍ଦ ।”
ସ୍ୱପ୍ନେଶ୍ୱର ବୁଝିପାରିଥିଲେ ଯେ ସଞ୍ଜୀବ ପାଇଁ ତାଙ୍କର ଆବଶ୍ୟକତା ସରିଯାଇଛି । ତେଣୁ ଆଜି ତାର ନିମନ୍ତ୍ରଣ ପତ୍ର ପାଇ ଆଶ୍ଚର୍ଯ୍ୟ ହେଉ ନଥିଲେ ।
ନିମନ୍ତ୍ରଣ ପତ୍ରଟି ଅଗ୍ନିଶିଖାର ଧାସରେ ମୋଡ଼ି ହୋଇ ଚାଲିଥିଲା – ଅଙ୍ଗାର ହେଇ ଖଣ୍ଡ ଖଣ୍ଡ ଖସି ପଡ଼ୁଥିଲା । ମନେ ହୋଇଥିଲା, ସ୍ୱପ୍ନେଶ୍ୱର ଯେମିତି ଠିଆହୋଇଛନ୍ତି – ଏକ ରକ୍ତାକ୍ତ ସ୍ୱପ୍ନର ଶ୍ମଶାନରେ ।
ସୁଲକ୍ଷଣା ପଣତକାନିରେ ଆଖି ପୋଛୁଥିଲେ । ସ୍ୱପ୍ନେଶ୍ୱର ଭାବୁଥିଲେ ବଜାର ଅର୍ଥନୀତିର ଏହି ‘ଉଦାର’ ସମାଜରେ ତାଙ୍କ ପାଇଁ ମ୍ୟୁଜିୟମ୍ରେ ରହିବାର ସମୟ ଆସିଯାଇଛି ।
(ସୌଜନ୍ୟ ନବଲିପି ; ଫେବୃଆରୀ ୧୯୯୨)

Support Samadhwani

https://www.google.com/search?q=dream&source=lnms&tbm=isch&sa=X&ved=0ahUKEwjOpNDBhqbeAhXLtY8KHYJcCtYQ_AUIDigB&biw=1024&bih=617#imgrc=emMyo7Lh7xsUOM:

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ