Home / ସମୀକ୍ଷା / ସଂଗୀତ ସମୀକ୍ଷା / ପଶ୍ଚିମ ଓଡ଼ିଶାର ଲୋକଗୀତ : ପ୍ରେମ ଓ ସାମାଜିକ ବାସ୍ତବତା

ପଶ୍ଚିମ ଓଡ଼ିଶାର ଲୋକଗୀତ : ପ୍ରେମ ଓ ସାମାଜିକ ବାସ୍ତବତା

ଲୋକସାହିତ୍ୟରେ ଲୋକଜୀବନର ଚିତ୍ର ଚହଟୁଥାଏ । ଗୋଟିଏ ଅଞ୍ଚଳର ସଂସ୍କୃତି, ଐତିହ୍ୟ, ପରମ୍ପରାଦିକୁ ଚିହ୍ନିବାକୁ ହେଲେ ସେହି ଅଞ୍ଚଳର ଲୋକସହିତ୍ୟ ଅଧ୍ୟୟନର ପ୍ରାସଙ୍ଗିକତା ରହିଛି । ଲୋକର ସମସ୍ୟା ଓ ଆବଶ୍ୟକତା ସମାଜ ସହିତ ସମ୍ବନ୍ଧିତ । ଏଗୁଡ଼ିକର ବର୍ଣ୍ଣନା ରହିଛି ଲୋକସାହିତ୍ୟରେ । ଲୋକସାହିତ୍ୟର ଯେତେସବୁ ବିଭାଗ ରହିଛି ତନ୍ମଧ୍ୟରେ ଲୋକଗୀତ ହେଉଛି ଏକ କୋମଳ ଅଥଚ ବଳିଷ୍ଠ ବିଭାଗ । ଲୋକଗୀତ ହେଉଛି ଲୋକସାହିତ୍ୟର ପାଣ-ତତ୍ତ୍ୱ । ଲୋକଗୀତର ରହିଛି ଅଲଗା ଏକ ସଂସାର । କୌଣସି ପ୍ରତିଷ୍ଠିତ କବିର କପୋଳକଳ୍ପିତ ବୌଦ୍ଧିକ ଉଦ୍‌ବୋଧନ ନୁହେଁ ଲୋକଗୀତ; ବରଂ ଏହା ସ୍ୱାଭାବିକ ହୃଦୟର ଉଦ୍‌ଗାର… ଅକ୍ଷର ଚିହ୍ନି ନ ଥିବା ମଣିଷର ଭାବନା । ଲୋକମୁଖରେ ଏହା ପ୍ରଚଳିତ । ବିଶ୍ୱର ସର୍ବତ୍ର ଏହା ସହଜ ଲଭ୍ୟ ।

ଲୋକଗୀତର ଆଲୋଚନା କଲାବେଳେ ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କ ବକ୍ତବ୍ୟ ମନକୁ ଆସେ । ସେ କହିଛନ୍ତି- ଗୀତ ମାନବ ମନର କଳ୍ପନାର ଅଭିବ୍ୟକ୍ତି । ଦୃଶ୍ୟ ଓ ଅଦୃଶ୍ୟର ରୂପକ ଓ ଉପମାରେ, ଜୀବନ ବିଚ୍ୟୁତିର ଶ୍ଳେଷରେ, ସାମୂହିକ ଜୀବନର ଶୃଙ୍ଖଳାରେ ଗୀତ ମଣିଷ ଜୀବନର ପରିଚୟ । ଜୀବନର ଆଦ୍ୟ ଶୈଶବରୁ ଜରାଗ୍ରସ୍ତ ଜୀବନ ଓ ତା’ପରେ ମୃତ୍ୟୁ ଉପରାନ୍ତ ଜୀବନ ଯାଏ ଗୀତ ଅମୃତ । ଜୀବନର ସବୁକାଳରେ ଗୀତ ମହତ୍ତ୍ୱପୂର୍ଣ୍ଣ । ଗୀତ ହିଁ ଜୀବନ, ଗୀତ ହିଁ ନିୟମ, ଗୀତ ହିଁ ଆନନ୍ଦ, ଗୀତ ହିଁ ଅଶୁ, ଗୀତ ମୃତ୍ୟୁରୁ ଅମୃତ । ଗୀତ ମାନସିକ ଭାବନାର ସୌଷମିକ ବୃତ୍ତି । ପ୍ରକୃତିର ଦୃଶ୍ୟରାଜିରୁ ମଣିଷର ଆଚାର ବ୍ୟବହାର; ବହିର୍ମନ ଓ ଅନ୍ତର୍ମନର ପ୍ରତୀକାତ୍ମକ ପରିପ୍ରକାଶ ଗୀତରେ ।

ପଶ୍ଚିମ ଓଡ଼ିଶାର ଲୋକଗୀତକୁ ଅନୁଧ୍ୟାନ କଲେ ଜଣାଯାଏ, ଏହା ଦ୍ୱିବିଧ- ନୃତ୍ୟାଶ୍ରୟୀ ଓ ଅନୃତ୍ୟାଶ୍ରୟୀ । ଏହା ବି ଶ୍ରମଭିଭିକ, କ୍ରୀଡ଼ାଭିତ୍ତିକ ଓ ଅବସର ବିନୋଦନ ଭିତ୍ତିକ । ବିଭିନ୍ନ ପରିବେଶ ଓ ସାମାଜିକ କାର୍ଯ୍ୟାନୁଷ୍ଠାନକୁ ଭିତ୍ତିକରି ପଶ୍ଚିମ ଓଡ଼ିଶାର ଲୋକଗୀତକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇପାରେ । ଯଥା : ରସରକେଲି, ଜାଇଫୁଲ, ମାଏଲାଜଡ଼, ହୁମୋ ବଉଲି, ବାଙ୍ଗରୀ, ଛିଲୋଲାଇ, ସଜନୀ, ଚପ୍ କରାଟି, ନିଆଳୀମଲୀ, ଧୂକେଲି, ଭମରା, ଲହକି, ଲେଲେ ଲହରୀ, ଡାଲଖାଇ, କରମା, ବରିଆ, ଘୁମୁରା, ଢାପ, ହଲିଆ, ଶଗଡ଼ିଆ, ଧାନମଡ଼େନ, ପଲାରୁଆ, କାନ୍ଦେନ, ଛୁଆଭୁରତା ଇତ୍ୟାଦି । ଏହି ଗୀତରେ ରହିଛି ବ୍ୟକ୍ତିଗତ ସୁଖ, ଦୁଃଖ, ହସ, କାନ୍ଦ, ଆଶା, ନିରାଶା, ସପ୍ନ, ଜୀବନ, ଯନ୍ତ୍ରଣାଦିର କଥା; ରହିଛି ବି ସମାଜର ସ୍ଥିତି, ଦୃଷ୍ଟିଭଙ୍ଗୀ, କଟକଣା ଇତ୍ୟାଦି । ଉଭୟ ନାରୀ-ପୁରୁଷ ଏହାର ସ୍ରଷ୍ଟା ହେଲେ ସୁଦ୍ଧା ପଶ୍ଚିମ ଓଡ଼ିଶାର ଲୋକଗୀତର ସୁଜନରେ ନାରୀ ସ୍ରଷ୍ଟାର ଆଧିକ୍ୟ ଥିବା ସହଜରେ ଅନୁଭବ୍ୟ ।

ପଶ୍ଚିମ ଓଡ଼ିଶାର ଲୋକଗୀତରେ ଯେଉଁ ଦୁଇଟି ଚିତ୍ର ଅତ୍ୟନ୍ତ ଉଜ୍ଜଳ ଓ ସ୍ପର୍ଶକାତର, ତାହା ହେଉଛି ପ୍ରେମ ଓ ସାମାଜିକ ବାସ୍ତବତା । ପ୍ରେମ ମଣିଷ ଜୀବନର ମହାର୍ଘ ସମ୍ପତ୍ତି । ଛାତି ତଳେ ପ୍ରେମର ଫୁଲ ଫୁଟିଲେ ଛାତି ଭିତରଟା କେମିତି ମହମହ ଆଲୁଅରେ ଭରିଯାଏ । ଆଖିରେ ଇନ୍ଦ୍ରଧନୁ, ମୁହଁରେ ଫଗୁଣ, ପାଦରେ ଲାଜୁକୀ ନଈ, ସାରାଦେହରେ ଗୋଟାପଣେ ମାଖିଯାଏ ଖୁସିଖୁସି ଚଇତି । ମନ ଲୋଡ଼େ ମନର ମଣିଷ । ଲାଗେ, ସତେ ଯେମିତି ସାରା ସଂସାରରେ ପ୍ରେମ ହିଁ ବଡ଼ କଥା, ପ୍ରୀତି ହିଁ ସାର ।

ମହାଜନର ସେଜି ଖାର

ସଁସାର ମଧ୍ୟରେ ପୀରତି ସାରରେ

ଧନ, ଘର ହୋଇଗଲା ଦୂରରେ, ଗଲାର ।

ପ୍ରେମ ମଣିଷକୁ ମତୁଆଲା କରେ । ପ୍ରେମ ମଣିଷକୁ ଭାବୁକ ସଜାଇ ଦିଏ । ପ୍ରେମ ମଣିଷ ଭିତରେ ଦରଦ ଖଞ୍ଜି ଦିଏ । ପ୍ରେମିକା କ୍ଷେତ୍ରରେ ପ୍ରେମିକ ସତେ ଅବା ତା’ର ଗଳାର ହାର । ପ୍ରେମିକ ସକାଶେ ସେ ଗଳା କାଟି ରୁଧିର ଦେବାକୁ ସୁଦ୍ଧା ପ୍ରସ୍ତୁତ । ତାକୁ ଦୂରେଇ ନ ଦେବାକୁ ସେ ପ୍ରେମିକ ପାଖରେ ନେହୁରା ହୁଏ ।

ଆହା ମୋ ଗଲାର ହାର

ଗଲା କାଟି ତୋକେ ଦେମି ରୁଧିର

ମୋକେ ନକରିବୁ ପରିରେ, ଗଲାର ।

ପ୍ରେମରେ ପଡ଼ିଲେ ମଣିଷକୁ ଲାଗେ ଏ ଦୁନିଆ ସୁନ୍ଦର । ଏଇ ଆକାଶ, ମେଘ, ବିଜୁଳି, ଜହ୍ନ, ତାରା, ସୂର୍ଯ୍ୟ, ମାଟି, ଗଛ, ଲତା, ଝରଣା, ନଈ, ଡଙ୍ଗର, ଘାସ, ଫଳ, ଫୁଲ, ପଶୁ, ପକ୍ଷୀ ସମସ୍ତେ ସୁନ୍ଦର । ସମସ୍ତଙ୍କ ଭିତରେ ରହିଛି ଆଖି, ରହିଛି ହୃଦୟ, ଜୀବନ । ଏମାନେ ସମସ୍ତେ ଜାଣନ୍ତି ବୋଧେ ପ୍ରେମ କ’ଣ ଓ କିପରି ତା’ର ଅନୁଭବ । ପ୍ରେମ କେବଳ ଜଣକ ପ୍ରତି ଅନ୍ୟ ଜଣଙ୍କର ଅନନ୍ୟ ଆକର୍ଷଣ ନୁହେଁ । ପ୍ରେମ ବି କେବଳ ନୁହେଁ ନାରୀ-ପୁରୁଷର ମିଳନ । ନୁହେଁ ବି କେବଳ ଜଣକର ଅଙ୍ଗୀକାର । ପ୍ରେମ ତ ଏସବୁ ଠାରୁ ଆହୁରି ବଡ଼ । ଏହାର ପରିଧି ପରିବ୍ୟାପ୍ତ । ଏହାର ସାନ୍ଦ୍ରତା ଖୁବ୍ ଗଭୀର । ପ୍ରେମକୁ ଦେଖାଇ ହୁଏନା । ପ୍ରେମକୁ ବଖାଣି ହୁଏନା । ପ୍ରେମକୁ କେବଳ ଅନୁଭବ କରିହୁଏ । ପ୍ରେମର ସ୍ୱାଦ ଅନୁଭବୀ ହିଁ ଜାଣେ । ନିମ୍ନର କେତୋଟି ପଦରେ ବର୍ଣ୍ଣନାକୁ ଦେଖାଯାଉ

୧)        ମଲିଫୁଲ ଶୁଭାଶୁଭା

ପୀରତି କରିମା ଯୁବାକେ ଯୁବାରେ

ଧନ, ଚାଲିଗଲେ ଦିଶେ ଶୁଭା, ସଜନୀରେ ।

୨)        ସଡ଼କେ ବସିଲା କାଉ

ତୋର ଲାଗି ମୋର ଜୀବନ ଯାଉ ହୋ

ବାବୁ, ତୋର ମୋର ପୀରତି ରହୁରେ ଚାଲ୍ ଯିମା

ଲୋକେ ଦେଖିଲେ ଜବାବ ଦେମାରେ, ଚାଲ୍ ଯିମା

୩)        କାଟିଗଲି ତାଲସଜ

ରୂପା ଫୁଲେ ରାଜା ନାଇଁ ଗରଜରେ ।

ଧନ, ପୀରତି କରିମା ଆଜରେ, ନାଗର

ଅଧା ରାତିନେ ଜଲେ ଜାଗର, ରେ ନାଗର ।

ଲୋକଗୀତରେ ରଚୟିତାର ଭାବନା ସ୍ପଷ୍ଟ । ଭାବନାକୁ ନେଇ ସେ ଗୀତ ଗାଉନାହିଁ ତ, ଲାଗେ ସତେ ଅବା ଫୁଲ ଗୁନ୍ଥୁଛି । ଆଉ ସେହି ଫୁଲରୁ ବାସ ଝରୁଛି । ସେହି ବାସକୁ ଉଡ଼େଇ ନେଉଛି ପବନ । ସେ ସ୍ୱପ୍ନର କଥା ହେଉ କି ମିଳନର କଥା, ବିରହ କି ବ୍ୟଥାର କଥା ହେଉ, କି ଗୁମାନର କଥା; ସବୁଠି ଥାଏ ହୃଦୟ ଚିପୁଡ଼ା ଭାଷା, ସବୁଠି ଥାଏ ମନ ଜରଜର ମହୁଲି ପ୍ରାଣର ମହୁଲି ନିଶା । ଏ ନିଶା ନେବା ଲୋକକୁ ଯେତେ ଘାରେ ଦେବା ଲୋକକୁ ଆହୁରି ବେଶି ଘାରେ ।

କେଉଁ ଧାଙ୍ଗିଡ଼ୀ ପ୍ରତି ଆକର୍ଷିତ ହେଲେ ଧଙ୍ଗଡ଼ା ଭାବି ବସେ ଅନେକ କଥା । ଧାଙ୍ଗିଡ଼ୀକୁ ନେଇ ସ୍ୱପ୍ନ ଦେଖେ । ତା’କୁ ନିଜ ହାତରେ ସଜାଇ ଆହୁରି ସୁନ୍ଦରୀ କରି ଦେବାକୁ ଚାହେଁ । ଫୁଲ ପରି କୋମଳ, ଫୁଲ ପରି ସୁନ୍ଦର, ମଧୁର ଲାଗୁଥିବା ଧାଙ୍ଗିଡ଼ୀର ଆକର୍ଷଣୀୟ ଗଭାକୁ ମାନିଲା ପରି ଫୁଲ ଗୁନ୍ଥି ଦେବାକୁ ଚାହେଁ ଧଙ୍ଗଡ଼ା ।

ଫୁଲ ଫୁଟେ କେରାକେରା

ଫୁଲ ଗୁଛି ଦେମି ଚଉଦ ସେରା

ଖୁସାକେ ମାନିଲା ପରା ।

ଧଙ୍ଗଡ଼ାର ଶ୍ରଦ୍ଧାକୁ ଅସ୍ୱୀକାର କରେ ନାହିଁ ଧାଙ୍ଗିଡ଼ୀ । ତା’ମନର କଥାକୁ ବୁଝେ । ତେବେ ସେ ନାଚାର । ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହେବା ମଣିଷର ପ୍ରବୃତ୍ତି । ଏହା ସେ ଜାଣେ । ଭାଗ୍ୟରେ ଥିଲେ ହିଁ ଲୋଡୁଥିବା ଚିଜର ପ୍ରାପ୍ତି ଘଟେ । ତେଣୁ ସେ ଗାଏ –

ମଲିଫୁଲ ର୍ପକ ଧୋବ

ଦେଖିଲା ମାତରେ କରୁଛ ଲୋଭ ।

ଜାଇଫୁଲରେ, ଯୋଗ ଥିଲେ ସିନା ଭୋଗ ।

ଏ ମନଟ ଖୁବ ଚଞ୍ଚଳ । ଯେତେ ଚେଷ୍ଟା କଲେ ବି ବାନ୍ଧି ରଖିହୁଏ ନାହିଁ । ଯୌବନର ଆଗମନରେ ମନ-ପକ୍ଷୀ ଗୁମୁରି ଉଠେ । ସମୟଟା ଖୁବ୍ ପିଛିଳ ଲାଗେ । ଯୌବନର ଦାଉ ପାଖରେ ଲାଜ-ସରମ ନତମସ୍ତକ ହୁଏ, ବାପା-ଭାଇର ଆକଟ କେତେ ଫିକା ଲାଗେ । ଟାଣ ମନ ହୁଗୁଳି ଯାଏ । ପ୍ରିୟ ମଣିଷକୁ ଦେଖିବା ପାଇଁ, ତା’ ମୁହଁରୁ କଥା ପଦେ ଶୁଣିବା ପାଇଁ ଅଥୟ ଲାଗେ ।

ସଡ଼କର ଲାଲି ମାଟି

ବୁଆଭାଇର କଥା କିଏ ଶୁନୁଛିରେ

ଧନ, ଯଉବନ ଯାହା କରୁଛିରେ, ଗଲାର… ।

ଅତୀତରେ ମନ୍ତ୍ରତନ୍ତ୍ର ଉପରେ ଲୋକର ଅଖଣ୍ଡ ବିଶ୍ୱାସ ଥିଲା । କାହାକୁ ନିଜ ପ୍ରତି ଆକୃଷ୍ଟ କରିବା ପାଇଁ ମୋହିନୀ ମନ୍ତ୍ର ବା ମୋହିନୀ ଔଷଧ ଉପରେ ଭରସା କରାଯାଉଥିଲା । କେଉଁ ସୁନ୍ଦରୀ ଧାଙ୍ଗଡୀକୁ ଦେଖ୍ ଧାଙ୍ଗଡ଼ାର ମନ ବିକଳ ହୁଏ । କିନ୍ତୁ ଧାଙ୍ଗଡୀ ତା’ ପ୍ରତି ଢଳିବାର କୌଣସି ଲକ୍ଷଣ ଦେଖା ନ ଦେବାରୁ ଧାଙ୍ଗଡ଼ା ମୋହିନୀ ପ୍ରୟୋଗ କରିବା କଥା ଚିନ୍ତା କରେ ।

ଆହାରେ ଉକିଆ ବତୀ ।

ଉକିଆ ବତୀକେ ମହନୀ ଦେତି

ଉଦୁଲିଆ ଧରିନେତି ।

ମନ ଠାରୁ ମୋହିନୀ ବଡ଼ କଥା ନୁହେଁ । ଏ ମନ ଯାହା ଠାରେ ଥରେ ଲାଖିଯାଏ, ତହିଁରୁ ସହଜରେ ମୁକୁଳି ପାରେ ନାହିଁ । ମନ ଏକ ଅଭୁତ ଚିଜ, ଯାହା ପାଖରେ ଲାଖିଯାଇଥାଏ, ସେ ଆଖିକୁ ଖୁବ୍ ସୁନ୍ଦର ଲାଗେ । ତା’ର ସବୁ କଥାଭାଷା ମିଠାମିଠା ଲାଗେ । ମନଟା ଦେଇଦେଲା ପରେ କଣ ଆଉ ରହିଲା କି? ମନ ପ୍ରତି ମନର ଆକର୍ଷଣ, ମନ ସହିତ ମନର ମିଳନ ସବୁଠାରୁ ବଳି ସୁଖଦ ଖୁବ୍ ମିଠା ।

ନୂଆ ମହାଜନର ଚିନି

ମନକେ ମହନୀ ନାଇଁପାରେ ଜିନିରେ

ଧନ, ମନଟା ସିନା ମହନୀ ।

ମନର ମଣିଷକୁ ପାଇଲା ପରେ କେଡ଼େ ତୃପ୍ତି ଆସେ । ସମ୍ପର୍କଟା ଯୋଡ଼ି ହୋଇଗଲା ପରେ କେତେ ଉଶ୍ୱାସ ଲାଗେ । ଏଇ ସମ୍ପର୍କ ଗୋଟିଏ ମୁହୂର୍ତ୍ତ କି କେଇଟା ଦିନ କି କେଇଟା ବର୍ଷର ନୁହେଁ । ଦେହରେ ପ୍ରାଣ ଥିବା ପର୍ଯ୍ୟନ୍ତ ସମ୍ପର୍କଟି ଏମିତି ବଳବତ୍ତର ରହିବ । ପ୍ରିୟ ମଣିଷକୁ ସେ କଥା ଦିଏ-

ଗଛକୁ ପତର କେତେ

ଜାନ୍‌ଥିବା ଯାକର୍ ନାଇଁ ଛାଡ଼ି ତୋତେ ରେ,

ଧନ, ମରିଯିବା ପରିଯନ୍ତେରେ, ଗଲାର ।

ଦୁଇଟି ପ୍ରାଣର ମିଳନରେ ପ୍ରଣୟୀ ଯୁଗଳର ହୃଦୟରେ ଭରିଯାଏ ଅପୂର୍ବ ଆନନ୍ଦ । ଏହି ମିଳନକୁ ବିଧି ନିର୍ଦ୍ଦିଷ୍ଟ ବୋଲି ସରଳ ମନରେ ବିଚାର କରାଯାଏ । ଗୀତରେ ଅଛି –

ମେଘ କରେ ଘଡ଼ିଘଡ଼ି

ତୁଇ ମୁଇଁ ଧନ ସାଙ୍ଗର ଯୋଡ଼ି

ଦଇବ ଦେଇଛେ ଭିଡ଼ି ।

ପ୍ରେମର ଅନୁଭବ ମିଳନ ଅପେକ୍ଷା ବିରହରେ ଆହୁରି ପ୍ରଖର ହୁଏ । ପ୍ରେମର ସ୍ପନ୍ଦନ ବିରହୀ ପ୍ରାଣରେ ଅହେତୁକ ବ୍ୟଥାର ରାଗିଣୀ ତୋଳେ । ବିତିଯାଇଥିବା ମଧୁର ମୁହୂର୍ତ୍ତକୁ ପ୍ରଣୟୀ ଝୁରିହୁଏ । ମନର ଆକାଶରେ ସ୍ମୃତି ଏକ ଜହ୍ନ ହୋଇ ଦେଖାଦିଏ । ତନୁ-ମନକୁ ଭିଜାଇଦିଏ ମିଠା-ଦରଜର ଜ୍ୟୋସ୍ନାରେ । ଏହାର ବର୍ଣ୍ଣନା ନିମ୍ନଲିଖିତ ପଦଗୁଡ଼ିକରେ ରହିଛି ।

୧)        ଉଦିଲା ପୂନେଇ ଜନ ।

ତତେ ଦ୍ୱେବାକୁ ଲାଗୁଛେ ମନରେ

ଧନ, ତୁ ହେଲୁ ସାତ ସପନ ।

୨)        ଶାସ୍ ପରଜି ଗଲି ଝାଏଁ କରି

ସରଷୁ ମୁଟେକ୍ ଧରିକରି

ଘଡ଼ି ଘଡ଼ିକେ ସୋର ପଡୁଛେ

ଗମ୍‌ରି ଭିତରେ ରହିକରି ।

୩)        ତାଲପତ୍ର ଖରଖର ବଉଲୀରେ

ତାଳପତ୍ର ଖରଖର

ଯୁବା ବୟସରେ ବିଦେଶେ ଘର

ଧରିଅଛେ ପାଲିଜର ।

୪)        ଭାଜି ଶାଗ ଟିପି ଶୁକେ

ତମ୍‌କେ ନିଲଜିଆ ଦିହି ନାଇ ଦୁକେ ।

ମରିଗଲି ଦୁକେ ସୁକେ ।

୫)        କଲିଆ କଲିଆ ମାଛି

କଲିଆ ଲାଗି ମୋର ଜୀବନ ଯାଉଛି ।

କଲିଆ ଦେଲା ମୁରୁଛି ।

୬)        ଦୁଆରେ ଆଁକିଲି କଲା

ସେ କଲା ମୋର ଦିହେ ଲଗାଇ ଦେଲା

ଅଚିନ୍ତାରେ ରହିଗଲା ।

୭)        ବାଡ଼ିରେ ପଡ଼ିଲା ତାଲ

ଆଗ କରିଥିଲୁ ଗଲାର ହାର

ଏବେ କଲୁ ସାତ ପର ।

 

ପଶ୍ଚିମ ଓଡ଼ିଶାର ଲୋକଗୀତରେ ପରକୀୟା ପ୍ରେମର ବର୍ଣ୍ଣନା ଅପ୍ରଚୁର ନହେଁ । ଦିଅର-ଭାଉଜର ଥଟ୍ଟା ମଜା ତଥା ଶାରୀରିକ ସମ୍ପର୍କ ଥିବା କଥା ଏଥିରୁ ସହଜରେ ଜଣାପଡ଼ିଥାଏ । ଭାଉଜ ପ୍ରତି ଦିଅରର ଆଗ୍ରହ ଖୁବ୍ ଥିବାବେଳେ ଦିଅର ପ୍ରତି ଭାଉଜ ବି ବହୁ ମାତ୍ରାରେ ଆକର୍ଷିତ ହେଉଥିବା ବିଷୟର ବର୍ଣ୍ଣନା ଗୀତରେ ରହିଛି । ଏହି ଅଞ୍ଚଳରେ ପ୍ରଚଳିତ ଲୋକୋକ୍ତି ‘ଘଏଁତା ମଲେ ଅଛେ ଦିଅର’ ଭାଉଜ-ଦିଅରର ସମ୍ପର୍କକୁ ଆହୁରି ସ୍ପଷ୍ଟକରେ । ଦୃଷ୍ଟାନ୍ତ ସ୍ୱରୂପ

୧)        ଗାଈ ଗୁହାଲରେ ଯେ ଦିଅର ମାଗେ ରତି

ନ ମାଗ ନ ମାଗ ଦିଅର

ହୋଇଛି ରଜବତୀ ହୋ

ଆଜି ରଜବତୀ ଯେ କାଲିରେ ପୁଷ୍ପବତୀ

ପରଦିନ ଧୋବ ଦେଖ ଶୁକଲ

ଶୁକଲ, ପୁହାଇଦେବି ରାତି ହୋ…

୨)        ଅନ୍ଧାର ଘରକୁରେ ମୁଇଁ ଧାନ ଘାଟିଗଲି

ଦିଅର ଶୁଭଛନ୍ତି ବୋଲି ଜାନି ନ ପାରିଲି

ଧରିଦେଲେ ଡେନା କିରେ ହିଟିଗଲା ଗୁନା

ସେ ଗୁନାକେ ଧରିକରି ଦିଅର, ଗାଲେ ଦେଲେ ଚୁମା

ରସ ଯା ଚାଲିଯା ରେ…

୩)        ଛାନିକେ ଛାନି ଅନ୍ତର, ବଉଲୀରେ

ଛାନିକେ ଛାନି ଅନ୍ତର

ଛାନି ଛାଉଥଲେ ସାନ ଦିଅର

ହସିଦେଲେ କରକର, ବଉଲୀରେ

ହସିଦେଲେ କରକର…

ପରକୀୟା ପ୍ରେମରେ ପଡ଼ିଲେ ଜୀବନ ଶୃଙ୍ଖଳା ହରାଇ ବସେ । ଏହି ପ୍ରେମ କ୍ଷଣିକ ଉତ୍ତେଜନାକୁ ପ୍ରଶମିତ କରେ ସିନା ପଛରେ କଷ୍ଟଦିଏ, ଦିନ ଦିନକୁ କଥା ରହିଯାଏ । ବିବାହିତ ନାରୀ-ପୁରୁଷର ଘର ଉଚ୍ଛନ୍ନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ଗୀତରେ ଅଛି

ପରକୀୟା ପ୍ରୀତି-ଅତର…

ପାନ ପତର

ମଲିଫୁଲେ ବଡ଼ା ବାସରେ

ବନ୍‌ମଲୀ ‘ସଙ୍ଗେ ପୀରତି କଲେ

ଘରମଲୀ ଗଲା ନାଶରେ…

ପଶ୍ଚିମ ଓଡ଼ିଶାର ଲୋକଗୀତରେ ସାମାଜିକ ବାସ୍ତବତାର ଚିତ୍ର ସୁସ୍ପଷ୍ଟ । ମଣିଷ ସମାଜରେ ଜନ୍ମ ନିଏ । ସମାଜରେ ହସିଖେଳି ବଢ଼େ । ଦିନେ ସମାଜରୁ ବିଦାୟ ନିଏ । ନିଜର ସ୍ୱାର୍ଥ ଓ ସୁବିଧା ପାଇଁ ମଣିଷ ସମାଜ ସୃଷ୍ଟିକରେ । ସମାଜ ସୃଷ୍ଟିକରେ ନିୟମ । ନିଜେ ଗଢ଼ିଥିବା ସମାଜ ପାଖରେ ବନ୍ଧା ପଡ଼ିଯାଏ ମଣିଷ । ଜୀବନର ପ୍ରତିକ୍ଷଣରେ ସେ ସମାଜକୁ ଦେଖେ । ସେ ସମାଜକୁ ଡରେ । ସମାଜକୁ ସେ ମାନେ । ମଣିଷକୁ ଶୃଙ୍ଖଳିତ କରିବାର କାମ ସମାଜର । ମଣିଷକୁ ସହାୟତା ଦେବାର ଦାୟିତ୍ୱ ସମାଜର । ତେବେ ସମାଜ ସୃଷ୍ଟି କରିଥିବା ସମସ୍ତ ନିୟମ ସହଜ କି ସୁବିଧାଜନକ ନୁହେଁ । ତେଣୁ ବେଳେବେଳେ ମଣିଷ ଏହାର ପ୍ରତିବାଦ କରେ । ଏହାକୁ ଅସ୍ୱୀକାର କରେ । ଏଠାରେ ପଶ୍ଚିମ ଓଡ଼ିଶାର ଲୋକଗୀତ କିଭଳି ସାମାଜିକ ବାସ୍ତବତାର ଚିତ୍ରରେ ଋଦ୍ଧିମନ୍ତ, ତା’ର କିଛିଟା ଝଲକ ଦେଖାଯାଉ ।

ସମାଜରେ ଜାତିପ୍ରଥା ଗୋଟିଏ ମସ୍ତବଡ଼ କଥା । ମଣିଷ ଯେଉଁ ଜାତିରେ ଜନ୍ମ ନେଇଛି, ସେହି ଜାତିରେ ହିଁ ସେ ମଲାଯାଏ ରହିବ-ଏହା ସମାଜ ନିର୍ଦ୍ଦିଷ୍ଟ । ସେ ବି ବିବାହ କରିବ ନିଜ ଜାତିରେ । ଭିନ୍ନ ଜାତିରେ ପ୍ରେମ କରୁଥିବା ମଣିଷ ପ୍ରତି ରହିଛି ସମାଜର କୂର ଅନୁଶାସନର ଅଙ୍ଗୁଳି । ଫଳତଃ ପ୍ରେମିକ ପ୍ରାଣ ବିଳପି ଉଠେ –

୧)        ଜନକୁ ହେଲା ଗର୍‌ହନ

ତୁଇ ମୁଇଁ ଅଟୁ ଏକା ବରନ

ଜାତି ହେଲା ଭିନ ଭିନ ।

୨)        ଲେମୁ ଧରିଲା କଷି

କୁଲରେ ବସାଇ ଚୁମନ ଦେତିରେ

ଧନ, ନହେଲ ଆମର ଜାତିରେ, ଗଲାର… ।

ଘରକୁ ଛ’ଖଣ ପାଟି

ହସାଇ ଖେଳାଇ ଧରାଇ ଦେତିରେ

ଧନ, ପାନିଗଡୁ, ଦାଁତ କାଠିରେ, ଗଲାର… ।

ଭିନ୍ନ ଜାତିରେ ଜଣେ ବିଭାହେଲେ ତା’ର ଜାତି ଚାଲିଯାଏ । ତା’କୁ ଲୋକେ ଛି’ ଛା’ କରନ୍ତି । ଏଭଳି କାଣ୍ଡ ଘଟାଇଥିବା ପ୍ରେମୀଯୁଗଳ ପାଇଁ ସମାଜ ଦଣ୍ଡର ବ୍ୟବସ୍ଥା ବି କରିଥାଏ । ତେବେ ଅସଲ ପ୍ରେମ ଏ ସବୁକୁ ଭ୍ରୂକ୍ଷେପ କରେନା ଲେଶ ମାତ୍ର ଖାତିର କରେନା ସମାଜର ବନ୍ଧନକୁ କି ତା’ର ନାଲି ଆଖିକୁ । ଜାତି ଚାଲିଯିବାର ଭୟରେ ସେ ଆତଙ୍କିତ ନୁହେଁ । ସେ ଚାହେଁ ପ୍ରେମ ଓ ପ୍ରେମର ପ୍ରତିଷ୍ଠା । ପ୍ରେମବିହୀନ ଜୀବନକୁ ସେ ଜୀବନ ବୋଲି ମାନେନା । ଶତ ଲାଞ୍ଛନା, ଶତ ତାଡ଼ନାକୁ ପ୍ରେମ ଜରଜର ହସରେ । ଉଡ଼ାଇ ଦିଏ । ସେ ଗାଏ –

୧)        ବାରୀର କଁଟା ମାଲତୀ

ଯାଉ ଜାତିକୁଲ ରହୁ ପୀରତିରେ

ଧନ, କୁଞ୍ଜବନେ ହେମା ଜାତିରେ, ନାଗର… ।

୨)        ନଡ଼ିଆ ଖାଇଲି ରତେ

ଯାଉ, ଜାତିକୁଲ ନିଅ ସଙ୍ଗତେ ହୋ

ବାବୁ, ମୁରୁଛି ନପାରେ ତୋତେ, ନାଗର ହୋ… ।

ଫୁଲ ଫୁଟିଗଲା ମଲୀ

ଜାତିକୁଲ କଥା ମୁରୁଛି ଦେଲି

ଦିନ କଟାଇମି ବୋଲି ।

ପଶ୍ଚିମ ଓଡ଼ିଶାର ଲୋକଗୀତରେ ଯୌନ ଶୋଷଣର ଚିତ୍ର ବିମ୍ବିତ ହୋଇଛି । ସରଳ-ନିରୀହ-ନିଷ୍କପଟ ଗାଉଁଲି ଝିଅବୋହୂଙ୍କୁ ତଥାତଥିତ ସଭ୍ୟ ଶିକ୍ଷିତ ମଣିଷ ଏବଂ ଉଚ୍ଚ ବର୍ଗର ଲୋକ ଯୌନ ଶୋଷଣ କରନ୍ତି । ସେମାନଙ୍କ ଦାରିଦ୍ର୍ୟର ସୁଯୋଗ ନେଇ ଅର୍ଥର ପ୍ରଲୋଭନ ଦେଖାନ୍ତି । ବେଳେବେଳେ ଭଲପାଇବାର ଅଭିନୟ କରି ନିଜ କାମବାସନାକୁ ଚରିତାର୍ଥ କରି ବାସି ଫୁଲ ପରି ଫିଙ୍ଗି ଦିଅନ୍ତି । ଯୋର୍ ଜବରଦସ୍ତି ଉପଭୋଗ କରିଥିବାର କଥା ବି ଗୀତରେ ରହିଥିବା ଜଣାଯାଏ । ଏହି ସଂକ୍ରାନ୍ତୀୟ କେତେ ପଦ ଗୀତ ନିମ୍ନରେ ଉଲ୍ଲେଖ କରାଯାଉଛି ।

୧)        ଯାଇଥିଲି ପୁଲିଆ ପତେ

ସେଆଡୁ ଦେଖୁଲି ଚପ୍ରାସି ଗୁଟେ

ଭୟ ଲାଗିଗଲା ମୋତେ

୨)        ପାଟି କଟକଟ କଲା

ଘଡ଼ିପିନ୍ଧା ବାବୁ ଖବର ଦେଲା

ଯିବାକୁ ଡର ଲାଗିଲା ।

୩)        ଯାଇଥିଲି ହଁଟା ବାଟେ

ବାଟରେ ଦେଖିଲି କୁଲିହା ପଟେ

ଚାବି ଦେଲା ମୋର ପେଟେ ।

୪)        କରାଟେ ରଖିଲି ଡାବୁ

ତୋକେ ରଖିଥିଲା ମାଷ୍ଟର ବାବୁ

ରସ ଘିଚି ନେଲା ସବୁ ।

ଦାଦନ ସମସ୍ୟା ପଶ୍ଚିମ ଓଡ଼ିଶାର ବଡ଼ ସମସ୍ୟା । ଜମିହୀନ ଲୋକ ପର ଘରେ ମୂଲ ଲାଗେ । ଗାଁରେ ବର୍ଷସାରା କାମ ମିଳିବା ବି ମୁସ୍କିଲ । ପେଟର ଦାଉରେ ସେ ଭିଟାମାଟି ଛାଡ଼େ । ଜିଲ୍ଲା ବାହାର ଓ ରାଜ୍ୟ ବାହରକୁ ସେ ଚାଲିଯାଏ । ଏମିତି ଦାଦନ ଯିବା ଯେ କେତେ କଷ୍ଟର କଥା ସେ ଜାଣେ, ତା’ ପରିବାର ଜାଣେ । ତେବେ ଏଥିରେ ଦିନକୁ ଦିନ ସେ ବାଧ୍ୟରେ ଅଭ୍ୟସ୍ତ ହୋଇପଡ଼େ । ନିମ୍ନରେ କେତୋଟି ପଦକୁ ଦେଖାଯାଉ –

୧)        ବିରି ପତ୍ର ଖରଖସା

ଘରର ଗୁସିଆଁ ବିଦେଶେ ବସା

ହଜିଗଲା ମୁହଁର ହଁସା ।

୨)        ବଉଁଶ ପତର ଲମ

ଶୁଖିଗଲା ବାବୁର ପେଟର ଚମ

ଇଟାଭାଟି ଠାନେ କାମ ।

୩)        ଆହାରେ ମଁଡ଼ିଆ ପିଠା

ଝିକର ଘରିଯିମା ଆମେ ଦୁଇଟା

କାନର ଫଁସିଆ ହିଟା ।

୪)        ତାରେ ନାରେ ତାରେ ନାରେ

ବିଦେଶ ଯିବାକେ ମନ୍ ନାଇଁ ଜୁଡ଼େ

ନାଇଁ ଗଲେ ନାଇଁ ଚଲେ ।

ଠିକାଦାର କିମ୍ବା ଠିକାଦାରର ଲୋକ ଗାଁକୁ ଆସି ନିରୀହ ଲୋକଙ୍କୁ ଦେଖାନ୍ତି ସୁଖ-ସ୍ୱପ୍ନ । ଅଳ୍ପ ପରିଶ୍ରମରେ ବେଶି ପାରିଶ୍ରମିକ ପାଇବାର ଲୋଭ ଦେଖାନ୍ତି । ପଇସା ଉପାର୍ଜନ କରି ନିଜର ଅଭାବ ଅସୁବିଧାକୁ ଦୂର କରିବା ସକାଶେ ଆଗଭର ହେବାକୁ ପ୍ରବର୍ତ୍ତାନ୍ତି । ସରଳ ମଣିଷ ବୁଝିପାରେ ନାହିଁ ରକ୍ତ ଶୋଷକର ଅଭିପ୍ରାୟକୁ । ତାଙ୍କ ହାତରେ ଅକ୍ଳେଶରେ ଧରାଦିଏ । ସେହି ନର ଖାଦକର ପଂଝାରୁ ମୁକୁଳିବା ତା’ ପାଇଁ ମୁସ୍କିଲ ହୋଇପଡ଼େ । ଗୀତରେ ନିଜ ବେଦନାକୁ ରୂପ ଦିଏ –

ଠିକାଦାର ବାବୁ ଆସିଲା

ପଇସା ମୁନାକେ ହଲେଇଦେଲା

ଜାଇଫୁଲରେ, ବନେ ଟଁଟି ମାଡ଼ିଦେଲା ।

ଦାଦନ ନ ଯାଇ ଯେଉଁ ଶ୍ରମଜୀବୀ ଗାଁରେ ରହେ, ତା’କୁ ଗାଁର ମହାଜନ ପାଖରେ ମୂଲିଆ ହେବାକୁ ପଡ଼େ । ଗୋତି ଜୀବନ ଖୁବ୍ ଯନ୍ତ୍ରଣା ଦାୟକ । ଖରା ସହିତ ଖରା, ବର୍ଷା ସହିତ ବର୍ଷା, ଶୀତ ସହିତ ଶୀତ ହୋଇ ତା’କୁ ଖଟିବାକୁ ପଡ଼େ । ଜମିରେ ହଳ କରୁଥିବା ବେଳେ ମୁଣ୍ଡର ତାତି ଓ ପେଟର ତାତି ତା’ ପାଇଁ ଅସହ୍ୟ ହୋଇଉଠେ । ମହାଜନ ଛୁଟି ଦେଇ ନ ଥାଏ । ବେଳ କେତେ ହେଲାଣି ବୋଲି ହଳିଆ ବାରମ୍ବାର ଆକାଶକୁ ଅନାଉଥାଏ । ହଲିଆ ଗୀତରେ ରହିଛି –

ଭୁତି ମାନଙ୍କର ବଡ଼ା କଲବଲ ଜୀବନ

କାଲିର ଖରାଠାନ୍ତି ଯେ

ଆଜିର ଖରା ଟାନ

ଦେହେ ଗମଗମ କିରେ ବହିଯାଏ ଝାଲ

ଆରେ ଭୁକେ ତରତର କିରେ ହଲିଆ

ହଲିଆ ଉଲଟି ଦେଖେ ବେଲ

ହୋ କରମ…

ଇ କରମ ନେବା କାଏଁ ଜୀବନରେ…କରମ…

ଅର୍‌…ର..ର..ର.. ତତତ୍‌…ତ..ତତ୍‌… ।

ମହାଜନ ବୁଝେନା ମୂଳିଆର ମନ । ମହାଜନ ନିଜ ସ୍ୱାର୍ଥରେ ମସ୍‌ଗୁଲ । କେମିତି ତା’ର ଜମି ବଢ଼ିବ, ଗାଈଗୋରୁ ଛେଳିମେଣ୍ଢା ବଢ଼଼ିବେ, ଧନଦୌଲତ, ବଢ଼ିବ, ଘର ବଢ଼ିବ ତହିଁକୁ ତା’ର ଚିନ୍ତା । ହଳିଆ ଛିଣ୍ଡିଲେ କି ପଡ଼ିଲେ ସେଥିରେ ତା’ର ପରୱା ନାହିଁ । ସେ ନିର୍ମମ ଭାବରେ ମୂଳିଆକୁ ଖଟାଏ । ପେଟରେ ଆତୁରରେ, ପରିବାରର ଦୁଃଖରେ ନିଜ ଶ୍ରମକୁ ବିକିଥାଏ ମହାଜନ ପାଖରେ । ଝାଳ ତୁଣ୍ଡରେ ମାରି ସେ ମହାଜନର ଜମିରେ ସୁନା ଫଳାଏ । ତା’ର ପରିଶ୍ରମର ମୂଲ୍ୟ ବୁଝେନା ମହାଜନ । ହଳିଆ ଉଚିତ ମୂଲ୍ୟ ପାଇପାରେ ନାହିଁ । ମଜୁରି ପାଇଲା ବେଳେ ଧୂର୍ତ୍ତ ମହାଜନର କପଟତାର ଶିକାର ହୁଏ । ହଳିଆର ବେଦନା ପ୍ରତିଫଳିତ ହୋଇଥିବା ଦୁଇଟି ପଦକୁ ନିମ୍ନରେ ଦୃଷ୍ଟାନ୍ତ ଭାବରେ ଦିଆଗଲା –

୧)        ସାହୁର ଜଞ୍ଜାଳ ହୋ କୁଟୁମ୍ବର ଦୁଃଖ

ସାହୁକୁ ଦେଖିଲେ ସତେ ଲାଗଇ, କାଏଁ ଲାଗଇ

ଆସୁଛି ଯମଦୂତ ହୋ…

୨)        ହୋ.. ମେଘ କରେ ଗରଜନ ଥରିଉଠେ ଛାତି

ଭୁତି ଆନିଗଲା ହଲିଆ ଅଧ ନିଶାରାତି

ଖୋରୋ ଖୋରୋ ମା’ଜନ୍ ବୁଢ଼ା

ମାପିଦେଲା ଭୁତି ହୋ… ପେନ୍ଦିକୁତି…

ଦଳିତ-ଅବହେଳିତ-ନିଷ୍ପେସିତ ମଣିଷ ସବୁ ଯନ୍ତ୍ରଣାକୁ ସହି ନିଏ । ପେଟ ଓ ପିଠି ତା’ର ଏକ ହୋଇଯାଏ । ତେବେ ସୁଦ୍ଧା ଯନ୍ତ୍ରଣା ପାଖରେ ହାର୍ ମାନେନାହିଁ ଜୀବନ । ଦୁଃଖ ଓ ଯନ୍ତ୍ରଣାକୁ ଏହି ନିରୀହ ମଣିଷ ଦୁର୍ଦ୍ଦିନ ବୋଲି ବିଚାର କରେ । ଏହି ଦୁର୍ଦ୍ଦିନ ଦିନେ ନା ଦିନେ ଘୁଞ୍ଚିବ ବୋଲି ସେ ଆଶାବାଦୀ ଥାଏ । ଭଲ ସମୟ ତା’ର ଆସିବ, ନିଜ ଭିଟାମାଟିରେ ନିଜେ ରଜା ହେବ । ତା’ର ଛାତି ଭିତରେ ହସଖୁସିମାନେ ଖେଳି ବୁଲିବେ । ସୁଖ-ପଦ୍ମକୁ ତୋଳିବାକୁ ସେ ଜୀବନ-ଜଳ ଭିତରକୁ ପଶେ; କିନ୍ତୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ତଥାପି ମାଟିର ମଣିଷ ଆଶା ହରାଇ ନାହିଁ । ତା’ର ଭାଷାରେ-ଯେତେ ଦିନ ଯାଏ ନାସା ବହୁଛି, ଆଶା ଥିବ ।

ପ୍ରକୃତିକୁ ପ୍ରାଣଭରି ଭଲପାଉଥିବା ଓ ପ୍ରକୃତି ଭିତରେ ଥାଇ ପ୍ରକୃତିକୁ ଦେଖିଶିଖି ପ୍ରକୃତି ଭଳି ଜୀବନ ଜୀଉଁଥିବା ପ୍ରକୃତିର ସନ୍ତାନ ପକ୍ଷରେ ଦୁଇଟି କଥା ଗୁରୁତ୍ୱପୂର୍ଣ୍ଣ – ପେଟର ଜ୍ୱଳନ ଓ ପ୍ରେମର ଶିହରଣ । ଏହି ନିରୀହ ସରଳ ମଣିଷ ସବୁ ସହିଯାଏ । ତେବେ ତା’ର ଗୀତରେ ଖଞ୍ଜିଦେଇଥାଏ ପ୍ରତିବାଦ । ପଶ୍ଚିମ ଓଡ଼ିଶାର ଲୋକଗୀତରେ ପ୍ରେମ ଓ ସାମାଜିକ ବାସ୍ତବତାର ଚିତ୍ର ଅନନ୍ୟ ।

Photo credit -https://bit.ly/3CDpUjq

About ଡକ୍ଟର ଗୋପୀନାଥ ବାଗ

ଓଡ଼ିଆ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ

Check Also

ପଢ଼ିଆରୀ ପରିବାରର ତାଜିଆ ଶୋଭାଯାତ୍ରା – ଅଶୋକ ପ୍ରଧାନ

ବାଦ ବିବାଦ ବିସମ୍ବାଦ କାହିଁ କାହିଁ ଅସହନୀୟ ହେଉଥିବାବେଳେ ସ୍ନେହ ସୌହାର୍ଦ୍ଦ୍ୟ ସଂପ୍ରୀତି କାହିଁ କାହିଁ ଆଶ୍ୱସନା ଦେଉଥାଏ । …

Leave a Reply

Your email address will not be published. Required fields are marked *