Home / ଅନ୍ୟାନ୍ୟ / ନାରୀ / ନଟି ବିନୋଦିନୀଙ୍କର ଜୀବନ କଥା (୩)

ନଟି ବିନୋଦିନୀଙ୍କର ଜୀବନ କଥା (୩)

କଲିକତାର ରଙ୍ଗମଞ୍ଚର ଭଙ୍ଗାଗଢ଼ା କଥା ଆଗରୁ ଉଲ୍ଲେଖ କରାଯାଇଛି । ଏଇ ପରିସ୍ଥିତିର ପରିଣାମରୁ ହିଁ ଗିରିଶଚନ୍ଦ୍ର ୧୮୮୩ମସିହାରେ ନ୍ୟାସନାଲ ଥିଏଟର ଛାଡ଼ି ଚାଲିଯାଆନ୍ତି ବିନୋଦିନୀଙ୍କ ସହ ଅନ୍ୟ କିଛି କଳାକାରଙ୍କୁ ନେଇ । ଆଉ ଗୋଟିଏ ନୂଆ ଥିଏଟରର ପ୍ରୟୋଜନ ଅନୁଭୂତ ହେଲା ଇତିହାସ ନିର୍ଦ୍ଦେଶିତ ପଥରେ । ରାଜସ୍ଥାନର ଜଣେ ଧନୀ ଯୁବକ ଗୁମୁର୍ଖ ରାୟ ଆଗେଇ ଆସିଲେ ଦାୟିତ୍ୱ ନେବାକୁ । ଏହା ପୂର୍ବରୁ ନ୍ୟାସନାଲରେ ସେ ବିନୋଦିନୀଙ୍କର ଅଭିନୟ ଦେଖି ବିମୁଗ୍ଧ ହୋଇଯାଇଥିଲେ । ଗିରିଶଚନ୍ଦ୍ର, ଅମୃତଲାଲ ଏମାନଙ୍କୁ ସେ ପ୍ରସ୍ତାବ ଦେଲେ ବିନୋଦିନୀ ତାଙ୍କର ଆଶ୍ରିତ ହେଲେ ସେ ନୂଆ ଥିଏଟର ନିର୍ମାଣର ସମ୍ପୂର୍ଣ୍ଣ  ଖର୍ଚ୍ଚ ଦେବେ । ଏକକାଳୀନ ପଚାଶ ହଜାର ଟଙ୍କା ଦେଇ ସେ ସବୁଦିନ ପାଇଁ ବିନୋଦିନୀଙ୍କୁ କିଣିବାକୁ ଚାହିଁଥିଲେ, କିନ୍ତୁ ବିନୋଦିନୀ ତାହା ପ୍ରତ୍ୟାଖ୍ୟାନ କରନ୍ତି । ବିନୋଦିନୀ ଲେଖିଛନ୍ତି: ‘ମୁଁ ଥିଏଟର ଭଲପାଉଥିଲି, ସେଇ ନିମିତ୍ତ ଘୃଣିତା ବାର୍ନାରୀ ହେବାର ଅର୍ଥ ଲକ୍ଷ ଟଙ୍କା ପ୍ରଲୋଭନ ସେହିକ୍ଷଣି ତ୍ୟାଗ କରିଥିଲି ।’ ବିନୋଦିନୀ ଏହା ସ୍ପଷ୍ଟ କରିଦେଇଥିଲେ ଯେ ‘ଥିଏଟର ଘର ପ୍ରସ୍ତୁତ ନକଲେ ମୁଁ କୌଣସି ମତେ ତାଙ୍କର ବାଧ୍ୟତା ମାନିବିନି ।’

ବୁଦ୍ଧିମାନ ଗୁମୁର୍ଖ ରାୟ ଆଉ ଡେରି କଲେନି । ବିଡ଼ନ ଷ୍ଟ୍ରିଟରେ ଜମି ଲିଜ୍ ନେଇ ଥିଏଟର ନିର୍ମାଣ ପାଇଁ ଅକାତରେ ଅର୍ଥବ୍ୟୟ କରିବାରେ ଲାଗିପଡ଼ିଲେ । ଦିନରାତି ଏକ କରି ନିର୍ମାଣକାର୍ଯ୍ୟ ଶେଷ କରିବା ଲକ୍ଷରେ ତତ୍ପରତାରେ ବିନୋଦିନୀ ନିଜେ ‘ଝୁଡ଼ିରେ ମାଟି ବୋହି ନିଜ କାନ୍ଧରେ, ବ୍ୟାକ୍ ସିଟର ସ୍ଥାନ ପୂର୍ଣ୍ଣ କରିଛନ୍ତି । ଠିକ୍ ହେଲା ତାଙ୍କ ଅବଦାନକୁ ସ୍ୱୀକୃତି ଦେବା ପାଇଁ ବିନୋଦିନୀଙ୍କର ନାଁ ଯୁକ୍ତ ହେବ ଅର୍ଥାତ ଏଇ ଥିଏଟରର ନାଁ ହେବ ‘ବି-ଥିଏଟର’ । କିନ୍ତୁ ହେଲାନି । ରେଜିଷ୍ଟ୍ରି ହବାପରେ ଦେଖାଗଲା ନୂଆ ଥିଏଟରର ନାଁ ହେଇଛି ‘ଷ୍ଟାର’ । ବିନୋଦିନୀଙ୍କ ପକ୍ଷେ ଏଇ ବିଶ୍ୱାସଘାତକତାର ଅଭିଜ୍ଞ୍ୟତା ମାରାତ୍ମକ ହେଲା । ତାଙ୍କ ବିରୋଧୀମାନେ ନୂଆ ଥିଏଟରରେ ଯେମିତି ସେ ବେତନଭୋଗୀ ଅଭିନେତ୍ରୀ ହିସାବରେ ବି ନରହି ପାରିବେ ସେଇ ଚେଷ୍ଟା ବି କରିଛନ୍ତି । ଗିରିଶଚନ୍ଦ୍ର ସେତେବେଳେ ମ୍ୟାନେଜର । ସେ ଅବଶ୍ୟ ବିନୋଦିନୀଙ୍କୁ ଛାଡ଼ିନାହାନ୍ତି । ମାଲିକ ଥିଲେ ଗୁର୍ମୁଖ ରାୟ ।

ପ୍ରସଙ୍ଗତ, ଷ୍ଟାରର ପ୍ରଥମ ନାଟକ ଗିରିଶଚନ୍ଦ୍ରଙ୍କର ‘ଦକ୍ଷଯଜ୍ଞ’ ଅଭିନୀତ ହୁଏ ୧୮୮୩, ୨୧ ଜୁଲାଇ – ଦକ୍ଷ ଭୂମିକାରେ ନାଟ୍ୟକାର ନିଜେ, ନଟୀ ବିନୋଦିନୀ ।

ଷ୍ଟାର୍ ଚାଲିବାର କିଛିମାସ ଭିତରେ ଗୁର୍ମୁଖ ନାନା କାରଣରୁ ଥିଏଟରର ସ୍ୱତ୍ୱ ତ୍ୟାଗ କରନ୍ତି । ତାଙ୍କ ସର୍ତ୍ତ ଥିଲା, ବିନୋଦିନୀଙ୍କୁ ହିଁ ସେ ସ୍ୱତ୍ୱ ହସ୍ତାନ୍ତର କରିବେ, ଅନ୍ତତଃ ଅଧା ତାଙ୍କର ହେବ, ତା ନ’ହେଲେ ସେ ସ୍ୱତ୍ୱ ହସ୍ତାନ୍ତର କରିବେନି ।

ମ୍ୟାନେଜର ଗିରିଶଚନ୍ଦ୍ର ଆଗେଇ ଆସିଲେ । ବିନୋଦିନୀ ଜଣେ ସ୍ୱତ୍ୱାଧିକାରୀ ହେବେ, ସେଥିରେ ତାଙ୍କର ଆପତ୍ତି ଥିଲା । ସେ ବିନୋଦିନୀଙ୍କ ମାଁ’ଙ୍କୁ ବୁଝେଇଲେ ‘ତମେମାନେ ସ୍ତ୍ରୀ ଲୋକ ଏତେ ଝିଞ୍ଜଟ ସମ୍ଭାଳି ପାରିବନି । ତମ ଝିଅକୁ ଛାଡ଼ିଦେଇ ମୁଁ କେବେ ଅନ୍ୟ କୋଉଠି କାମ କରିବିନି ।… ଆମେ କାମ କରିବୁ, ବୋଝ ନବା ଦରକାର ନାହିଁ ।’

ଗିରିଶଚନ୍ଦ୍ରଙ୍କୁ ବିନୋଦିନୀଙ୍କର ମା’ ଅତ୍ୟନ୍ତ ଭକ୍ତି କରୁଥିଲେ, ସେ ଆଉ ବିନୋଦିନୀଙ୍କୁ ଥିଏଟରର ସ୍ୱତ୍ୱାଧିକାରୀ ହେବାକୁ ଦେଲେ ନାହିଁ ।

୧୮୮୪ ମସିହା ଆରମ୍ଭରେ ମାଲିକ ବଦଳିଗଲେ, ଗୁର୍ମୁଖ ରାୟ ବାଟକାଟି ନେଲେ । ବିନୋଦିନୀ କେବଳ ଅଭିନେତ୍ରୀ, ମ୍ୟାନେଜର ହେଲେ ଗିରିଶଚନ୍ଦ୍ର । ‘ଆମେ ସମସ୍ତେ ଏକ ହେଲୁ’, ‘ନଲ-ଦମୟନ୍ତୀ’, ‘ଧ୍ରୁବଚରିତ୍ର, ଶ୍ରୀବତ୍ସ-ଚିନ୍ତା, ପ୍ରହଲ୍ଲାଦ-ଚରିତ୍ର, ଚୈତନ୍ୟ-ଲୀଳା ଭଳି ସଫଳ ନାଟ୍ୟ ପ୍ରଯୋଜନା ନେଇ ଷ୍ଟାରର ସେତେବେଳେ ସୂବର୍ଣ୍ଣଯୁଗ । ଚୈତନ୍ୟଲୀଳାରେ ଅଭିନୟ ବେଳେ ଏକାଧିକବାର ରାମକୃଷ୍ଣ ଦେବଙ୍କ ସଙ୍ଗେ ବିନୋଦିନୀଙ୍କର ସାକ୍ଷାତ ହୁଏ । ତାଙ୍କର ଆଶୀର୍ବାଦ- ‘ମା ତମର ଚୈତନ୍ୟ ହେଉ’ – ସେତେବେଳେ ପ୍ରେକ୍ଷାପଟର ସାମାଜିକ ମଣିଷ ହିସାବରେ ତାଙ୍କୁ ଏଇ ସ୍ୱୀକୃତିଦାନ ଏକ ଐତିହାସିକ ଘଟଣା । ବିନୋଦିନୀଙ୍କ ଉପରେ ଏଇ ଘଟଣାର ପ୍ରଭାବର ଗୁୁରୁତ୍ୱ ଅସ୍ୱୀକାର କରିହେବନି ।

୧୮୮୭- ଜାନୁଆରୀ ୧, ଶେଷଥର ପାଇଁ ମଞ୍ଚ ଉପରକୁ ଗଲେ ବିନୋଦିନୀ, ପ୍ରଥମେ ନଳ-ଦମୟନ୍ତୀ ଓ ପରେ ‘ବେଲ୍ଲିକବାଜାର’ ନାଟକରେ । ରଙ୍ଗମଞ୍ଚରୁ ତାଙ୍କର ବିଦାୟ ସମ୍ପକର୍ପରେ ବିନୋଦିନୀ କହିଛନ୍ତି : ‘ମତେ ଅନେକ ଭାବେ ପ୍ରଲୋଭିତ କରି କାର୍ଯ୍ୟ ଉଦ୍ଧାର କରିବା ପାଇଁ ମୋ ସହିତ ଯାହା ଛଳନା (ସଂଶ୍ଳିଷ୍ଟ ବ୍ୟକ୍ତିମାନେ) କରିଛନ୍ତି ସେଇଟା ମୋତେ ବହୁତ କଷ୍ଟ ଦେଇଛି । ଥିଏଟରକୁ ଭଲପାଏ ସେଥିପାଇଁ ଏ କାମ କରୁଥିଲି । କିନ୍ତୁ ଛଳନାର ଆଘାତ ଭୁଲିପାରୁନି । ସେଥିପାଇଁ ଅବସର ବୁଝି ଅବସର ନେଲି ।

ଇତିହାସରେ ଏମିତି କିଛି ଅନନ୍ୟ ଚରିତ୍ର ଅଛନ୍ତି ଯାହାଙ୍କୁ ସେ ସମୟର ସମାଜ କମ୍ ବୁଝିଛି । ନିଜ ଅଜାଣତରେ ସେମାନେ ନିଜର ପ୍ରତିଭା ମାଧ୍ୟମରେ ସମାଜରେ କିଛି ଧାରା ସୃଷ୍ଟି କରି ଚାଲିଯାଇଥାନ୍ତି । ବଙ୍ଗଳାର ନାଟ୍ୟ ଇତିହାସରେ ଏକଦା ଚହଳ ପକାଇ ଦର୍ଶକମାନଙ୍କର ହୃଦୟ ଜିଣିଥିବା ‘ବିନୋଦିନୀ’ ସେଭଳି ଏକ ଚରିତ୍ର । ତାଙ୍କ  ଅଭିନୟ ଦେଖି ବିମୋହିତ ହେଉଥିବା ଦର୍ଶକମାନେ ହୁଏତ ବହୁତ କମ୍ ଜାଣିଥିବେ ବିନୋଦିନୀଙ୍କର ବ୍ୟକ୍ତିଗତ ଜୀବନର ସଂଘର୍ଷମୟ ଦିଗଗୁଡ଼ିକ । ତାଙ୍କ ଜୀବନ କାହାଣୀର ପ୍ରତିଟି ପାଖୁଡ଼ାରେ ସତେଯେମିତି ଭରିରହିଛି ନିଜକୁ ଅସହାୟ ମନେକରୁଥିବା ନାରୀ ସମାଜ ପାଇଁ ଅଜସ୍ର ଆଶା ଓ ସମ୍ଭାବନା । ଆମେ ତାଙ୍କୁ ଜଣେ ବନ୍ଧୁଙ୍କ ସୌଜନ୍ୟରୁ ଜାଣିବାର ଓ ବୁଝିବାର ସୁଯୋଗଟିଏ ପାଇଲୁ । ସେଇ ବୁଝାମଣାଟି ପାଠକମାନଙ୍କ ଭିତରେ ବାଣ୍ଟିବା ପାଇଁ ଆଉ ଜଣେ ବନ୍ଧୁଙ୍କର ସହଯୋଗ ନେଲୁ । ଉଭୟଙ୍କ ନିକଟରେ ଆମେ କୃତଜ୍ଞ । ନଟୀ ବିନୋଦିନୀ ନାମରେ ପରିଚିତ ଏହି ମହାନ କଳାକାରଙ୍କୁ ଆମେ ଜଣେ ନାରୀ ହିସାବରେ ଉପସ୍ଥାପନ କରିବାପାଇଁ ଚାହୁଁନୁ । ତାଙ୍କର ଜୀବନ କାହାଣୀ ପ୍ରତିଟି ମଣିଷ ପାଇଁ ପ୍ରେରଣା ଯୋଗାଇବ ଏହା ହିଁ ଆମର ଆଶା ।    – ସମ୍ପାଦକ

ମୂଳଲେଖା- ଅମଲକୁମାର ରାୟ

ଭାଷାନ୍ତର- ସମିଧା ବେଦବାଳା

photo credit- https://bit.ly/3kT2tgV

 

About ସମିଧା ବେଦବାଳା

ସମିଧା ବେଦବାଳା
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ)

Check Also

ନଟି ବିନୋଦିନୀଙ୍କର ଜୀବନ କଥା (୨)

ବିନୋଦିନୀଙ୍କର ଜୀବନ କଥାର ଭିତ୍ତି ମୂଳତଃ ତାଙ୍କରି ଆତ୍ମଚରିତ ‘ଆମାର କଥା’ (ମୋ କଥା) ଯାହା ସେ ଲେଖିଛନ୍ତି ତାଙ୍କ …

Leave a Reply

Your email address will not be published. Required fields are marked *