Home / ସାହିତ୍ୟ / ଗଳ୍ପ / ଧର୍ମ ସମ୍ପର୍କରେ ଆମଠୁଁ ଭଲ ପିଲାଙ୍କ ବୁଦ୍ଧି

ଧର୍ମ ସମ୍ପର୍କରେ ଆମଠୁଁ ଭଲ ପିଲାଙ୍କ ବୁଦ୍ଧି

ପୁଅ – ମା! ଆଜି ଆୟା କାହିଁକି ସୁନ୍ଦର ଲୁଗାପଟା ପିନ୍ଧିଛ? ଆଉ ମୋତେ କାହିଁକି ସେ ସେଇ ନୂଆ କମିଜ୍ଟା ପିନ୍ଧଉଛ?

ମା- ଆଜି ପରା ପର୍ବ ଦିନ, ଆଉ ଆମେ ସମସ୍ତେ ଚର୍ଚ୍ଚକୁ ଯାଉଛେ ।

ପୁଅ – କି ପର୍ବ?

ମା – ଆରୋହଣ ଦିବସ ।

ପୁଅ – ଆରୋହଣ ଦିବସ ବୋଇଲେ କ’ଣ?

ମା-ଏଇ ଦିନ ଯିଶୁଖ୍ରୀଷ୍ଟ ସ୍ୱର୍ଗାରୋହଣ କରିଥିଲେ ।

ପୁଅ – ଏଇ ସ୍ୱର୍ଗାରୋହଣର ମାନେ କ’ଣ?

ମା – ତା’ର ମାନେ ସେ ସ୍ୱର୍ଗକୁ ଉଡ଼ି ଯାଇଥିଲେ ।

ପୁଅ-କେମିତି ଉଡ଼ିଲେ? ତାଙ୍କର ପକ୍ଷୀ ସାହାଯ୍ୟରେ?

ମା-ଆରେ ବାବା, ତାଙ୍କର ପଖୀଫଖୀ କିଛି ନଥିଲା । ସେମିତି ସେ ସିଧାସଳଖ ସ୍ୱର୍ଗକୁ ଉଡ଼ିଗଲେ । ସେ ଭଗବାନ । ତାଙ୍କ ଦ୍ୱାରା ସବୁକିଛି ସମ୍ଭବ ।

ପୁଅ- କିନ୍ତୁ ସେ କେଉଁଠିକୁ ଉଡ଼ିଲେ? ବାପା ତ କହୁଥିଲେ ଆକାଶରେ ଆଦୌ ସେମିତି କିଛି ନାହିଁ । ଏୟା ସେୟା ରହିଛି ବୋଲି ଆମେ କେବଳ ଭାବୁଛେ । ସେଠି ଉପରେ ତ ତାରା ଛଡ଼ା ଆଉ କିଛି ନାହିଁ । ତାରାପଛକୁ ତାରା, ତା ପଛକୁ ପୁଣି ତାରା, ତା ପଛକୁ … ତା ପଛକୁ… ତାରା ହିଁ ତାରା, ତାର ଅନ୍ତ ନାହିଁ ବୋଲି ସେ କହୁଥିଲେ । ଆଉ ସେ ଉଡ଼ିଲେ କେଉଁଠିକୁ?

ମା – (ମୁରୁକି ହସି) ଏବେ ତୁ ତ ସବୁକଥା ବୁଝିପାରିବୁନି । ତୋତେ ବିଶ୍ୱାସ କରିବାକୁ ପଡ଼ିବ ।

ପୁଅ – କ’ଣ ମୋତେ ବିଶ୍ୱାସ କରିବାକୁ ହେବ?

ମା – ବଡ଼ ଲୋକମାନେ ତୋତେ ଯାହା କହିବେ ତାହା ବିଶ୍ୱାସ କରିବାକୁ ହେବ ।

ପୁଅ – କିନ୍ତୁ ମୁଁ ଯେତେବେଳେ ତମକୁ କହିଲି ଯେ ଲୁଣ ପକାଇ ଦେଇଥିବା ହେତୁ ଜଣେ ଲୋକ ମରିବାକୁ ଯାଉଛି, ତମେ ତ ମୋତେ ବାଜେ କଥାରେ ବିଶ୍ୱାସ ନ କରିବାକୁ କହିଲ ।

ମା – ଠିକ୍, ବାଜେ କଥାରେ ବିଶ୍ୱାସ କରିବୁନି ।

ପୁଅ-ହେଲେ କେଉଁଟା ବାଜେକଥା, ଆଉ କେଉଁଟା ବାଜେ କଥାନୁହେଁ ମୁଁ ଜାଣିବି କେମିତି?

ମା – ପ୍ରକୃତ ଧର୍ମ ଯାହା କହୁଛି, ତାକୁ ତତେ ବିଶ୍ୱାସ କରିବାକୁ ହେବ, ବାଜେ କଥାକୁ ନୁହେଁ ।

ପୁଅ – ତା’ହେଲେ ପ୍ରକୃତ ଧର୍ମ କେଉଁଟା?

ମା- ଆମ ଧର୍ମହେଉଛି ପ୍ରକୃତ ଧର୍ମ । (ମନ ଭିତରେ) ଡର ମାଡ଼ୁଛି । ମୁଁ ନିଜେ ବାଜେକଥା କହୁନି ତ? (କହିଲେ) ଯା, ଚର୍ଚ୍ଚକୁ ଯିବାପାଇଁ ଆମେ ପ୍ରସ୍ତୁତ ହୋଇ ସାରିଲୁଣି ବୋଲି ବାପାଙ୍କୁ କହିବୁ, ଆଉ ତୋ କୋଟ୍ଟା ନେଇ ଆସିବୁ ।

ପୁଅ-ଚର୍ଚ୍ଚପରେ ଆମକୁ ଚକଲେଟ୍ ମିଳିବ ତ?

(ଉପସ୍ଥାପକଙ୍କ ମନ୍ତବ୍ୟ-ପ୍ରବାଦ ରହିଛି ଯେ ‘ମୁର୍ଖର ପ୍ରଶ୍ନବାଣ ପାଖେ ମହାଜ୍ଞାନୀ ହାର ମାନିବେ ।’ (‘A fool can ask more questions than a thousand wise men can answer.’)  ଲିଓ ଟଲଷ୍ଟୟ ଆଉ ଗୋଟିଏ ଗପରେ ଲେଖିଛନ୍ତି ଏହି ପ୍ରବାଦଟିରେ ‘ମୁର୍ଖ’ ସ୍ଥାନରେ ‘ପିଲା’ ହିଁ ଯଥାର୍ଥ ହେବ: ‘ପିଲାର ପ୍ରଶ୍ନବାଣ ପାଖେ ମହାଜ୍ଞାନୀ ହାର ମାନିବେ ।’ ପିଲାଟିଏ ପ୍ରଥମେ ମଣିଷହୋଇ ଜନ୍ମ ହୋଇଥାଏ । ଜାଣିବା ପାଇଁ ମଣିଷ ଜାତିର ସ୍ୱଭାବଗତ ପ୍ରବୃତ୍ତି ଯୋଗୁଁ ପିଲାଟିଏ ବି ‘କଅଣ’, ‘କାହିଁକି’, ‘କିପରି’ ଭଳି ପଦମାନ ଲଗେଇ ନିଜକୁ ଓ ଅନ୍ୟମାନଙ୍କୁ ଅଗଣିତ ପ୍ରଶ୍ନ ପଚାରେ । ସଂସାରକୁ ଜାଣିବାପାଇଁ ଚେଷ୍ଟାକରେ । କେତେକ ପ୍ରଶ୍ନରେ ଉତ୍ତର ସେ ନିଜେ ପାଇଥାଏ ଓ ଆମେମାନେ କେତେକ ପ୍ରଶ୍ନର ଉତ୍ତର ଦେବାପାଇଁ ଚେଷ୍ଟା କରୁ ।

ହେଲେ ତା’ର ସମସ୍ତ-କ’ଣ? କାହିଁକି? କିପରି? – ପ୍ରଶ୍ନର ଉତ୍ତର ଦେବା ଆମ ପକ୍ଷରେ ସମ୍ଭବ ହୋଇନଥାଏ । କେତେକ ପ୍ରଶ୍ନର ଉତ୍ତର ତକ୍ଷଣି ଦିଆଯାଇପାରେ, ଆଉ କେତେକର ପରେ ଦିଆଯାଇପାରେ, ତେବେ ଆଉ କେତେକ ପ୍ରଶ୍ନର ଉତ୍ତର କେବେ ବି ଦିଆଯାଇ ନପାରେ । କେବେ ବି ଦିଆଯାଇ ପାରିବନି କହିବା ଅର୍ଥ ହେଲା ଉତ୍ତରଟି ନିର୍ଦ୍ଦିଷ୍ଟରୂପେ ସତ ନା ମିଛ -ତାହା ବିଚାର କରିବା ଦୃଷ୍ଟିରୁ ଦିଆଯାଇ ପାରିବ ନାହିଁ । ସଂସାରଟା କାହିଁକି ରହିଛି? ସଂସାରଟା ରହିଛି ତ ରହିଛି, କିନ୍ତୁ କାହିଁକି ରହିଛି ଏହାର ଉତ୍ତର ସତ୍ୟାସତ୍ୟ ବିଚାରକରିବା ଦୃଷ୍ଟିରୁ ଦିଆଯାଇପାରିବ ନାହିଁ ।

ବିଭିନ୍ନ ଧର୍ମ ଏହି ପ୍ରଶ୍ନର ଉତ୍ତର ବିଭିନ୍ନଭାବରେ ଦେବାକୁ ଚେଷ୍ଟା କରିଛନ୍ତି, ସଂସାରପ୍ରତି ବିଭିନ୍ନ ମୂଲ୍ୟ ଆରୋପଣ କରିବାପାଇଁ ଚେଷ୍ଟା କରିଛନ୍ତି । ସ୍ଥିର ଚିତ୍ତରେ ଉତ୍ତରଗୁଡ଼ିକର ବିଚାରକଲେ ସେଗୁଡ଼ିକ ପରସ୍ପରବିରୋଧୀ ମନେ ହୁଏ । ସେଗୁଡ଼ିକ ସବୁ ସତ ବୋଲି ପ୍ରମାଣକରିବା କଷ୍ଟସାଧ୍ୟ । ଯେଉଁଠି ଧର୍ମ ନିର୍ଦ୍ଦିଷ୍ଟ ଭାବେ କୌଣସି କଥା କହୁଛି, ତେବେ ସେ ତା’ର ସତ୍ୟାସତ୍ୟ ଜାଣିବା ସହଜସାଧ୍ୟ ହେଇଯାଉଛି ।

ଖ୍ରୀଷ୍ଟିଆନ ପଣ୍ଡିତମାନେ ଗଣନା କରି ତିନି ଚାରିହଜାର ବର୍ଷପୂର୍ବେ ଏକ ନିର୍ଦ୍ଦିଷ୍ଟ ଈଶ୍ୱର ସଂସାରକୁ ସୃଷ୍ଟି କରିଥିଲେ ବୋଲି କହିଲେ । ପରେ ଇତିହାସ ଓ ପ୍ରତ୍ନତତ୍ତ୍ୱ ବିଶାରଦମାନେ ମିଶରର ନୀଳ, ମେସୋପୋଟାମିଆର ଟାଇଗ୍ରୀସ୍ ଓ ଇଉଫ୍ରେଟିସ୍ ଏବଂ ଭାରତର ସିନ୍ଧୁ ନଦୀମାନଙ୍କର ଉପତ୍ୟକାରେ ପ୍ରାଚୀନ ସଭ୍ୟତାମାନଙ୍କର ତଥ୍ୟସବୁ ପାଇଲେ । ସେସବୁ ଈଶ୍ୱର ସଂସାରକୁ ସୃଷ୍ଟିକରିବା ସମ୍ପର୍କରେ ଖ୍ରୀଷ୍ଟିଆନ ପଣ୍ଡିତମାନେ ଗଣନା କରି କହିଥିବା ଦିନଠାରୁ ଆହୁରି ପୂର୍ବକାଳର ବୋଲି ପ୍ରମାଣିତ ହୋଇଥିଲା । ଫଳରେ ଖ୍ରୀଷ୍ଟିଆନ୍ ପଣ୍ଡିତମାନଙ୍କ କଥା ଭୁଲ୍ ପ୍ରମାଣିତ ହୋଇଥିଲା । ପୁଣି ବିବର୍ତ୍ତନବାଦ ତ କହୁଛି ଆଜିର ମଣିଷ ଲକ୍ଷ ଲକ୍ଷ ବର୍ଷର ବିବର୍ତ୍ତନର ଫଳ । ତେଣୁ ସତ୍ୟାସତ୍ୟର ସାମ୍ନାକରିବା ବଡ଼କଷ୍ଟ । ବିଶ୍ୱାସ କରିଦେଲେ କଥା ସରିଲା ।

ପ୍ରଶ୍ନପଚାରି ପିଲାଟିଏ ଜାଣିବାକୁ ଚାହେଁ । ଯେହେତୁ ସେ ଜାଣିବାକୁ ଚାହେଁ, ତା’ର ଜ୍ଞାନର ଅଭିବୃଦ୍ଧି ପାଇଁ ଆମର ଉତ୍ତର ଜ୍ଞାନ ଉପରେ ପ୍ରତିଷ୍ଠିତ ହେବାଉଚିତ, ବିଶ୍ୱାସଉପରେ ନୁହେଁ । କିନ୍ତୁ ଯେହେତୁ ତା’ର ସବୁପ୍ରଶ୍ନର ଉତ୍ତର ଜ୍ଞାନ ଭିତ୍ତିରେ ଦେଇ ପାରିବାନି, ଅନେକ ସ୍ଥଳରେ ଆମେ ତାକୁ ବିଶ୍ୱାସ କରିବାକୁ କହିଥାଉ । ଜାଣିବା ପ୍ରବୃତ୍ତିର ମଣିଷ ଛୁଆକୁ ବିଶ୍ୱାସ ଆଡ଼କୁ ମଙ୍ଗେଇବା ପାଇଁ ନୂଆ ଲୁଗାପଟା, ପିଠାପଣା, କେକ୍, ଚକଲେଟ୍, ଯାନିଯାତ୍ରା ଆଦିର ପ୍ରଲୋଭନ ଥାଏ ।

ଅବିଶ୍ୱାସ କଲେ କାନମୋଡ଼ା, ଗାଳିଗୁଲଜ, ସମାଲୋଚନା ସାମ୍ନାରେ ମୁଣ୍ଡ ନୁଅାଁଇବାକୁ ବି ପଡ଼ିଥାଏ । ବିଶ୍ୱାସଭିତ୍ତିରେ ଶିକ୍ଷା ଦେଇ ଦେଇ ଆମେ ଏକ ମଣିଷ ଛୁଆମାନଙ୍କୁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଆଦି ବିଭିନ୍ନ ଧର୍ମର ଅବା ବ୍ରାହ୍ମଣ, କରଣ ଆଦି ବିଭିନ୍ନ ଜାତିର ମଣିଷ ଭାବରେ ଭାଗଭାଗ କରିଦେଉ । ଏପରି ମଣିଷମାନଙ୍କ ନିକଟରେ ଜ୍ଞାନ ଗୌଣ ହୋଇଯାଏ, ଆଉ ବିଶ୍ୱାସ ବୀରଦର୍ପରେ ମୁଖ୍ୟହୋଇ ଉଭାହୁଏ ।

ପୃଥିବୀ ସମତଳ ବୋଲି ବିଶ୍ୱାସ କରୁଥିବା ଲୋକେ ପୃଥିବୀ ଗୋଲ ବୋଲି କହିବା ଲୋକଙ୍କୁ କି ଦଣ୍ଡ ନ ଦେଇଛନ୍ତି । ସଂସାରର କେନ୍ଦ୍ରରେ ପୃଥିବୀ ଓ ତା’ର ଚାରିପଟରେ ଚନ୍ଦ୍ର ଭଳି ସୂର୍ଯ୍ୟ ଓ ଅନ୍ୟାନ୍ୟ ଗ୍ରହ ନକ୍ଷତ୍ରଗୁଡ଼ିକ ଘୁରି ବୁଲୁଛନ୍ତି ବୋଲି ଲୋକେ ବିଶ୍ୱାସ କରୁଥିଲେ । ଜ୍ଞାନଦୃଷ୍ଟିରୁ ଆଉ କେତେକ କହିଲେ ସଂସାର କଥା ତେଣିକି ଥାଉ, ଆମ ସୌରଜଗତର କେନ୍ଦ୍ରରେ ବି ପୃଥିବୀନାହିଁ, ରହିଛି ସୂର୍ଯ୍ୟ ଏବଂ ପୃଥିବୀ ସମେତ ଅନ୍ୟ ଗ୍ରହଗୁଡ଼ିକ ସୂର୍ଯ୍ୟ ଚାରିପଟେ ଘୁରୁଛନ୍ତି । ଏହା କହିଥିବା ଯୋଗୁଁ କି ଅତ୍ୟାଚାର ନ ସହିଛନ୍ତି ସେମାନେ । ଏ କ୍ଷେତ୍ରରେ ଶେଷରେ ଜ୍ଞାନର ବିଜୟ ହୋଇଛି ।

ଜ୍ଞାନର ବିସ୍ଫୋରଣ ହେଉଥିଲେ ବି ବିଶ୍ୱାସର ବପୁ ଭାଙ୍ଗିନି । ଆଜି ବି ବଳବତ୍ତର ହୋଇ ରହିଛି । ବିଶ୍ୱାସଯୋଗୁଁ ଆଜି ବି ଅନ୍ୟାୟ ଅତ୍ୟାଚାର ହେଉଛି । ତା’ର କାରଣ ହେଲା ପିଲାଟିବେଳୁ ବିଶ୍ୱାସ ଆମ ଜୀବନର ଭିତ୍ତି ହୋଇଯାଇଛି । ଜାଣିବା ପାଇଁ ମଣିଷର ସ୍ୱଭାବଗତ ପ୍ରବୃତ୍ତି ପିଲାଙ୍କ ପାଖରେ ସ୍ପଷ୍ଟ ରୂପରେ ଦେଖା ଦେଇଥାଏ ଓ ପିଲାଟିବେଳୁ ତାହା ହିଁ ସେମାନଙ୍କର ଜୀବନର ଭିତ୍ତିହେବା ଆବଶ୍ୟକ । ଆମେ ପିଲାଟିର ସବୁପ୍ରଶ୍ନର ଉତ୍ତର ଦେଇ ପାରିବାନି । ଠିକ୍ କଥା । ତେମେ ଆମେ ବିଶ୍ୱାସର ଇନ୍ଦ୍ରଜାଲ ଭିତରକୁ ପିଲାଟିକୁ ଟାଣି ନନେଇ ୱିଲିୟମ୍ ଜୋନସ୍ଙ୍କ ମା’ କହିଲା ଭଳି ତ କହିପାରିବା: ‘ବାବୁରେ ପଢ଼ିଲେ ଜାଣିବୁ ।’

ମୂଳ ଲେଖା ଲିଓ ଟଲଷ୍ଟୟ/ ଭାଷାନ୍ତର – ପ୍ରଫେସର ନୀଳମଣି ସାହୁ

ସମଦୃଷ୍ଟି : ୧-୧୫ ଫେବୃଆରୀ ୨୦୧୩

About ପ୍ରଫେସର ନୀଳମଣି ସାହୁ

Avatar
ଦର୍ଶନ ବିଭାଗର ଅଧ୍ୟାପକ

Check Also

ସୃଜନଶୀଳତାର ଯୁଗୋପଯୋଗୀ ପ୍ରୟୋଗ ଆବଶ୍ୟକ

ପ୍ରତ୍ୟେକ ଯୁଗରେ ମାନବସମାଜ ବିଭିନ୍ନ ସମସ୍ୟା ଦେଇ ଗତି କରିଆସିଛି । ସବୁଯୁଗର ସମସ୍ୟାଗୁଡ଼ିକ ସମାନ ଅଛି ବୋଲି କୁହାଯାଇପାରିବ …

Leave a Reply

Your email address will not be published. Required fields are marked *