୨୦୨୫ ମସିହା, ସେପ୍ଟେମ୍ବର ମାସ। ଆମ “ଗାଁ ଇତିହାସ ଟିମ୍” ବରଗଡ଼ ଜିଲ୍ଲା, ପାଇକମାଳ ବ୍ଲକ ସ୍ଥିତ ଟେମରୀ ହାଇସ୍କୁଲରେ ଗାଁ ଇତିହାସ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଯାଇଥାଉ। ସ୍କୁଲର ପ୍ରଧାନ ଶିକ୍ଷକ ଦୋଳମଣି ଭୋଇ ଆମ ଆସିବାକୁ ନେଇ ଖୁବ୍ ଉତ୍ସାହିତ ଥିଲେ। ସେ ଗାଁ ସରପଞ୍ଚ ଶ୍ରୀ ଦିଲ୍ଲୀପ କୁମାର ବେହେରାଙ୍କୁ ଏହି ଅବସରରେ ସ୍କୁଲକୁ ଡାକିଥାନ୍ତି। ସମସ୍ତଙ୍କର ବହୁତ ଆଗ୍ରହ ଗାଁ ଇତିହାସ ବିଷୟରେ ଶୁଣିବେ। ପ୍ରଧାନ ଶିକ୍ଷକ କିନ୍ତୁ ଗାଁ ଇତିହାସ କାର୍ଯ୍ୟକ୍ରମ ବିଷୟରେ ବହୁ ପୂର୍ବରୁ ୨୦୨୩ ମସିହାରୁ ଜାଣିଥିଲେ। ଆମକୁ ଦେଖି ସେ ବହୁତ ଖୁସି ହୋଇଗଲେ। କହିଲେ, “ଆପଣମାନେ ଆସିବା ପୂର୍ବରୁ ଆମେ ଆପଣଙ୍କ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବହୁତ ଥର କହିଛୁ। ସେମାନେ ବି ଅପେକ୍ଷା କରିଛନ୍ତି ଆପଣଙ୍କ ଟିମ୍ କେବେ ଆମ ସ୍କୁଲକୁ ଆସିବେ।”
ଦୋଳମଣି ସାରଙ୍କ ଉତ୍ସାହ ଦେଖି ଆମ ମନରେ ବି ଟିକେ ଆଶା ସୃଷ୍ଟି ହୋଇଥିଲା। ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ନିଶ୍ଚୟ ଖୁବ୍ ସୁନ୍ଦର ଗାଁ ଇତିହାସ ଓ ଖାଦ୍ୟ ସଂସ୍କୃତି ଲିପିବଦ୍ଧ କରିବା କାର୍ଯ୍ୟକ୍ରମ ଆଗେଇବ ବୋଲି ମନେହେଲା। ସ୍କୁଲ ପିଲାଙ୍କ ସହିତ ବହୁତ ସମୟ ଧରି ଆଲୋଚନା ଚାଲିଲା। ଗାଁ ଇତିହାସ ଗୀତ ଉପରେ ତିଆରି ହୋଇଥିବା ଭିଡିଓ ଏବଂ ପାଇକମାଳର କିଛି ଗାଁ ଉପରେ ଛାତ୍ରଛାତ୍ରୀମାନେ ତିଆରି କରିଥିବା ବୃତ୍ତଚିତ୍ର ସେମାନଙ୍କୁ ଆମେ ଦେଖାଇଥିଲୁ। ସବୁ ସରିବା ପରେ ଛାତ୍ରଛାତ୍ରୀମାନେ ନିଜ ନାମ ପଞ୍ଜୀକରଣ କରିବା ଆରମ୍ଭ କଲେ।
ଆମେ ଶ୍ରେଣୀଗୃହ ଛାଡ଼ି ଫେରିବା ବେଳେ ରେଣୁକା ହାତୀ, ଜଣେ ଛାତ୍ରୀ କିଛି କହିବାକୁ ଛିଡ଼ା ହେଲେ। ସେ କହିଲେ, “ମାଡାମ! ଆମେ ନବମ ଓ ଦଶମ ଶ୍ରେଣୀର ତିନି ଚାରିଜଣ ଝିଅ ମିଶି ଗାଁ ଇତିହାସ ଉପରେ ପାଲା ପରିବେଷଣ କରିବା ପାଇଁ ଚାହୁଁ। ଆପଣ ଆମକୁ ଟିକେ ଏଥିପାଇଁ ସାହାଯ୍ୟ କରିବେ।” ମୋତେ ଟିକେ ଆଶ୍ଚର୍ଯ୍ୟ ଲାଗିଲା। ମୁଁ ଜାଣିବା ପାଇଁ ଚାହିଁଲି ଯେ, କାହିଁକି ତମେମାନେ ଗାଁ ଇତିହାସ ଲେଖିବା ପୂର୍ବରୁ ପାଲା କରିବା ବିଷୟରେ ଭାବିଲ? ପ୍ରଧାନ ଶିକ୍ଷକ ଦୋଳମଣି ସାର ସଙ୍ଗେ ସଙ୍ଗେ କହିଲେ, “ଗାଁ ଇତିହାସ ବିଷୟ ଆମ ଛାତ୍ରଛାତ୍ରୀମାନଙ୍କୁ ବହୁତ ଭଲ ଲାଗିଛି। ସେଥିପାଇଁ ସେମାନେ ଏହି ପାଲା କରିବା ପାଇଁ ଚିନ୍ତା କରିଛନ୍ତି। ଯେଉଁ ଛାତ୍ରୀମାନେ ଆପଣଙ୍କୁ ଆଗ୍ରହର ସହିତ ପାଲା କରିବାକୁ କହୁଛନ୍ତି ସେମାନେ କେବଳ ପାଲା ନୁହେଁ ବିଭିନ୍ନ କଳାରେ ପାରଙ୍ଗମ। ଅଷ୍ଟମ ଶ୍ରେଣୀରୁ ଆମ ସ୍କୁଲ ଛାତ୍ରୀ ରେଣୁକା ହାତୀ ପାଲା ଗାଇବା ପାଇଁ ବିଭିନ୍ନ ମଞ୍ଚକୁ ଯାଉଛନ୍ତି। ସେ ଆଖପାଖ ଅଞ୍ଚଳରେ ପ୍ରାୟ ସବୁ ଗାଁ’ରେ ପାଲା କରି ବହୁତ ପ୍ରସିଦ୍ଧି ପାଇଛନ୍ତି। କେବଳ ରେଣୁକା କାହିଁକି ବିଭିନ୍ନ କଳାର କଳାକାର ଆମ ସ୍କୁଲରେ ଅଛନ୍ତି। ସେମାନଙ୍କୁ ଆପଣ ଟିକେ ସୁଯୋଗ ଦିଅନ୍ତୁ ଦେଖିବେ ସେମାନେ କିଛି ନୂଆ କରି ଆପଣଙ୍କୁ ଦେଖାଇବେ।” ତା’ପରେ ଆମେ ରେଣୁକାଙ୍କ ସହିତ କିଛି ସମୟ ଆଲୋଚନା କଲୁ। ସେଦିନ ରେଣୁକାଙ୍କୁ ଜ୍ଵର ହୋଇଥାଏ। ସେ ଆମ ସହିତ ଅଳ୍ପ ଆଲୋଚନା କରି ଘରକୁ ଚାଲିଗଲେ।
ସେପ୍ଟେମ୍ବର ମାସ ଶେଷ ବେଳକୁ ଦୋଳମଣି ସାର ମୋତେ ଗାଁ ଇତିହାସ ଗୀତର ଲିଙ୍କ୍ ଫୋନ୍ରେ ମାଗିଥିଲେ। ଏହାପରେ ଆମେ ଅକ୍ଟୋବର ମାସରେ ଟେମରୀ ହାଇସ୍କୁଲକୁ ଯିବାବେଳକୁ ରେଣୁକା ଗାଁ ଇତିହାସ ପାଲା ଲେଖିବା କାମରେ ବ୍ୟସ୍ତ ଅଛନ୍ତି। ସେ ତାଙ୍କ ପାଲା ଗୁରୁ – ପ୍ରହ୍ଲାଦ ହଂସଙ୍କ ସହଯୋଗରେ ଗାଁ ଇତିହାସ ସମ୍ପର୍କରେ ପାଲା ଲେଖୁଛନ୍ତି। ମୁଁ ଦୋଳମଣି ସାରଙ୍କ ନିକଟରୁ ଜାଣିବାକୁ ପାଇଲି ଯେ, ସେମାନେ ଚିରାଚରିତ ପାଲା ନକରି ଏହାକୁ ଏକ ଲୋକନାଟକ ଶୈଳୀରେ ପାଲା ମଞ୍ଚରେ ପରିବେଷଣ କରିବାକୁ ଚିନ୍ତା କରିଛନ୍ତି।
୨୦୨୫ ମସିହା ଡିସେମ୍ବର ୨୦ ତାରିଖରେ ଟେମରୀ ହାଇସ୍କୁଲ ବାର୍ଷିକ ଉତ୍ସବରେ ଏହି ଛାତ୍ରୀମାନେ ଘଣ୍ଟିକିଆ ପାଲା ପରିବେଷଣ କଲେ। ଓଡ଼ିଶାର ପାରମ୍ପରିକ ପାଲା ସଂସ୍କୃତିକୁ କୁନି କୁନି ସ୍କୁଲ ପିଲାମାନେ ପ୍ରାସଙ୍ଗିକ କରିବା ପାଇଁ ନିଜ ବୁଦ୍ଧି ପ୍ରୟୋଗ କରି ଏଥିରେ ନୂଆ ନୂଆ ଚରିତ୍ର ଯୋଡ଼ି ଏକ ସ୍ଵତନ୍ତ୍ର ଲୋକନାଟକ ସୃଷ୍ଟି କରିବା କ୍ଷେତ୍ରରେ ସେଦିନ ସଫଳ ହେଲେ। ଗାଁ ଇତିହାସ ପାଲାକୁ ଲୋକଙ୍କ ନିକଟରେ ଆଦୃତ କରାଇବା ଓ ଏହାକୁ ପ୍ରାସଙ୍ଗିକ କରିବା ଥିଲା ସେହି ଛାତ୍ରୀମାନଙ୍କର ଉଦ୍ଦେଶ୍ୟ। ବିଭିନ୍ନ ଗ୍ରାମର ଶହଶହ ଗ୍ରାମବାସୀ ଏହାକୁ ଅତି ଆନନ୍ଦରେ ଉପଭୋଗ କଲେ। ନିଶ୍ଚୟ ଏହା ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଥିଲା। କାରଣ ଶହଶହ ଗ୍ରାମବାସୀଙ୍କୁ ଘଣ୍ଟାଏ ଧରି ଗାଁ ଇତିହାସ ବିଷୟରେ ପାଲା ପରିବେଷଣ କରି ବସାଇ ରଖିବା କିଛି କମ୍ କଥା ନୁହେଁ। ପୁଣି ଏହାର ସ୍ରଷ୍ଟା ଅତି କମ୍ ବୟସର ଛାତ୍ରୀମାନେ। ସେଇଟା ପୁଣି ସେମାନଙ୍କର ପ୍ରଥମ ମଞ୍ଚ। କେବଳ ସେତିକି ନୁହେଁ ଏହାକୁ ପ୍ରାସଙ୍ଗିକ କରିବା ପାଇଁ ପାଲାର ଚିରାଚରିତ ପରିବେଷଣକୁ ବଦଳାଇ ସେମାନେ ଏକ ଲୋକନାଟକ ଶୈଳୀରେ ଏହାକୁ ପ୍ରସ୍ତୁତ କରିଥିଲେ। ସେଥିରେ ଭିନ୍ନ ଭିନ୍ନ ଚରିତ୍ର ମଝିରେ ମଝିରେ ମଞ୍ଚରେ ସ୍ଥାନ ପାଉଥିଲେ। ସ୍କୁଲ ଛାତ୍ରୀମାନଙ୍କର ଏହି ଅଦମ୍ୟ ସୃଜନଶୀଳ ପରିପ୍ରକାଶକୁ ଆମେ କେବଳ ପ୍ରଶଂସା କରିଦେଲେ ବା ସାର୍ଟିଫିକେଟ ଦେଇଦେଲେ ଯଥେଷ୍ଟ ହେବ ନାହିଁ। ଆମେ ଜାଣିବା ପାଇଁ ଚେଷ୍ଟା କରିବା, ସ୍କୁଲର ଛାତ୍ରୀମାନେ ପାଲା ଭଳି ଏକ ବିଦଗ୍ଧ କଳାରେ ଆଗ୍ରହ ଦେଖାଇବା ପଛରେ କ’ଣ ସବୁ କାରଣ ରହିଛି?
ମୁଁ ରେଣୁକାଙ୍କ ସହିତ ଫୋନ୍ରେ କଥା ହେବା ବେଳେ ପଚାରିଲି, “ତୁମକୁ ପାଲା କରିବା ପରେ କେମିତି ଲାଗିଲା?” ସେ କହିଲେ, “ମାଡାମ, ବହୁତ ଭଲ ଲାଗିଲା। ମୁଁ ତ ଆଗରୁ ପାଲା କରୁଛି। ମୋତେ ପିଲା ଦିନରୁ ପାଲା ଗାଇବାକୁ ଭଲ ଲାଗୁଛି। କିନ୍ତୁ ଗାଁ ଇତିହାସ ବିଷୟରେ ପାଲା କଲେ ଗାଁ ଲୋକମାନେ ବହୁତ ଭଲ ପାଉଛନ୍ତି। ଗାଁ ଲୋକେ ଗାଁ’ର ଅତୀତର କଥା ଓ ଗାଁ’ର ଇତିହାସ, ସଂସ୍କୃତିକୁ ଶୁଣିବାକୁ ଅଧିକ ଚାହୁଁଛନ୍ତି। ଆମ ଗାଁ ଲୋକ ଓ ପାଖ ଗାଁ ଲୋକ ସମସ୍ତେ ଏହାକୁ ବହୁତ ଭଲ ପାଇଲେ। ସେଥିପାଇଁ ଏହି ଗାଁ ଇତିହାସ ପାଲା କରିବାକୁ ବହୁତ ଇଚ୍ଛା ଅଛି।”
ଟେମରୀ ପାଲାର ବିଶେଷତା: ପାଲା ହେଉଛି ଗୀତ, ବାଦ୍ୟ, ନୃତ୍ୟ ଏବଂ ଅଭିନୟର ବଳିଷ୍ଠ ସମନ୍ୱୟରେ ଓଡ଼ିଶାରେ ପରିବେଷିତ ହୋଇଆସୁଥିବା ଏକ ଲୋକପ୍ରିୟ ବିଦଗ୍ଧ ଲୋକନାଟକ। ଏହି ସଙ୍ଗୀତ ଭିତ୍ତିକ ଲୋକନାଟକର ଇତିହାସ ଶତାବ୍ଦୀ ପ୍ରାଚୀନ। ମୋଗଲ ସମ୍ରାଟ ଆକବରଙ୍କ ଶାସନକାଳରୁ ହିନ୍ଦୁ ଓ ମୁସଲମାନ ମୈତ୍ରୀ ବନ୍ଧନର ସ୍ମାରକୀ ଭାବେ ଏହାର ଆତ୍ମପ୍ରକାଶ ଘଟିଥିଲା। ସତ୍ୟନାରାୟଣ ବା ସତ୍ୟପୀରଙ୍କ ମହିମା ପ୍ରଚାରରୁ ଆରମ୍ଭ ହୋଇଥିବା ଏହି କଳା ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟର ପୁରାଣ, ମହାକାବ୍ୟ ଓ ନାନା ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରି ଏକ ସମୃଦ୍ଧ ସାଂସ୍କୃତିକ ପରମ୍ପରାରେ ପରିଣତ ହୋଇଥିଲା। ରେଣୁକା ଓ ତାଙ୍କ ସାଥୀମାନଙ୍କ “ଗାଁ ଇତିହାସ ପାଲା” ପାରମ୍ପରିକ ପାଲାର ଅନେକ ଉପାଦାନକୁ ସଫଳତାର ସହିତ ପ୍ରୟୋଗ କରିଛି। ପାରମ୍ପରିକ ବାଦ୍ୟ, ଦୋହା, ଛନ୍ଦ, ନୂତନ ବିଷୟବସ୍ତୁ (ଗାଁ ଇତିହାସ), ଲୋକନାଟକ ଶୈଳୀ, ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଦର୍ଶକଙ୍କ ସମର୍ଥନ ସଂପୂର୍ଣ୍ଣ ରହିଥିବାରୁ ଏହା ପାଲା ପରମ୍ପରାକୁ ପ୍ରାସଙ୍ଗିକ ଓ ଜୀବନ୍ତ ରଖିବା କ୍ଷେତ୍ରରେ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି।
ଗାଁ ଇତିହାସ ପାଲାର ବିଷୟବସ୍ତୁ: ଗାଁ ଇତିହାସ ପାଲାର ବିଷୟବସ୍ତୁକୁ ଯଦି ଆମେ ଅନୁଧ୍ୟାନ କରିବା ସେଥିରେ ଟେମରୀ ଗାଁ’ର ପୂର୍ବର ନାମ, ଟେମରୀ ନାମକରଣ କେବେ ଦିଆଗଲା ଓ ଏହା ପଛରେ କ’ଣ କାହାଣୀ ରହିଛି, ଗାଁ’ର ଅତୀତ, ବର୍ତ୍ତମାନ, ଏଠାରେ ଲୋକ କାହିଁକି ରହିବା ପାଇଁ ଇଚ୍ଛା କଲେ, ଓ ପ୍ରଥମେ କେଉଁମାନେ ବସବାସ କଲେ ବର୍ଣ୍ଣନା କରାଯାଇଛି। ପାଲା ପ୍ରାରମ୍ଭ ହୋଇଛି ଗାଁ’ର ବନ୍ଦନାରୁ। ଯେମିତି:
“ଆଜ୍ଞା ସର୍ବ ପ୍ରଥମେ ଆମ ଗ୍ରାମ ମାଟିକୁ ଟିକିଏ ବନ୍ଦନା କରିବା।
ବନ୍ଦେରେ ଟେମରୀ ଗ୍ରାମ ମାଟି ବନ୍ଦେରେ …
ତାହାର କୋଳରେ ଜନମ ହୋଇ, ପ୍ରଣତି ଜଣାଏ ପାଦରେ ବନ୍ଦେ….
ତାର କୋଳରେ ଜନମି ଥିଲେ …
ସ୍ୱାଧୀନତା ସଂଗ୍ରାମୀ ଦୁଇ …
ମାୟାଧର ପୁରୋହିତ ବୈରାଗୀ ରଣା…
ଧନ୍ୟ ମୋ ଜନମ ଭୂଇଁ ଆମେ ସର୍ବେ ମିଶି ବନ୍ଦନା କରିବା …
ଜନ୍ମ ଭୂଇଁ ପଦପୟରେ ବନ୍ଦେ….
ଆଜ୍ଞା ଲକ୍ଷ୍ୟ ଦେବେ ଟେମେରି ଗ୍ରାମ, ପ୍ରଥମେ ଶୁଖାଟାଲ ବୋଲି ନାମ ଥିଲା ଏବଂ ପ୍ରଥମେ ବରିହା ସମାଜ ଗ୍ରାମକୁ ଗଠନ କରିଥିଲେ। ଶୁଣ ସୁଜ୍ଞଜନ ଦେଇ ହେତୁ ମନ, ଏକ ଅପୂର୍ବ ଚରିତ, …
ସେବ, କୁଲ, ନରେନ୍ଦ୍ର ଯେ ଦେବ, ଆଜ୍ଞା…
ଏ ଚାରି ଜଣ ଚରିତ ଏହି ଚାରି ଜଣ ଶିକାର ଆଶାରେ…
ଜଙ୍ଗଲରେ ବୁଲୁଥିଲେ …
ଶୁଖାଟାଲ ପାଖେ ଜଳ ଥିବା ଦେଖି …
ଆନନ୍ଦ ସେ ହୋଇଗଲେ ପରିବାର ଆଣି ଏଠାରେ ରହିବା …
ମନରେ ସେ ବିଚାରିଲେ … ।
ଆଜ୍ଞା ସେବ ବରିହା, କୁଲ ବରିହା, ନରେନ୍ଦ୍ର ବରିହା ଏବଂ ଦେବ ବରିହା ଏ ଚାରିଜଣ ପରିବାର ଆଣି ଶୁଖାଟାଲ କୁର୍ଲୁଭଟା ଠାରେ ଘର କରି ରହିଲେ। ଦୁଇ ବର୍ଷ ବିତିଗଲା ପରେ, ଗୌଡ଼ ମାନେ ଆସିଲେ, କୁରୁ ବନଛୋର ପରିବାର ଧରି ଆସିଥିଲେ, ତାଙ୍କର ଆଠଟା ପୁଅ ଏବଂ ୫ଟି ଝିଅ ଥିଲେ, ନୁନହାଡ଼ ଗ୍ରାମରୁ ଏମାନେ ଆସିଥିଲେ ଏବଂ ବରିହାମାନେ ବଲାଙ୍ଗିର, ଜାମଦରା ଗ୍ରାମରୁ ଆସିଥିଲେ। ଶୁଣ ଶୁଣ ସୁଜ୍ଞଜନ ଦେଇ ହେତୁ ମନ।”
ସ୍ଵାଧୀନତା ଆନ୍ଦୋଳନରେ ଟେମରୀ ଗାଁ’ର ବୀରମାନେ କେମିତି ଭାଗ ନେଇଥିଲେ ତାହାର ବର୍ଣ୍ଣନା ପାଲାରେ ହୋଇଛି। ଗାଁ’ର ଚାରିପାଖରେ ଜଙ୍ଗଲ ଥିଲା ଯାହାକୁ ସୁନ୍ଦର ଭାଷା ଦେଇ କବି ବର୍ଣ୍ଣନା କରିଛନ୍ତି। ପାଲାରେ ଗାଁ’ର ଅତୀତର ଲୋକକଳା ସଂସ୍କୃତି ଉପରେ ମଧ୍ୟ କୁହାଯାଇଛି। ଯେମିତି:
“ଏହିପରି କେତେ ବର୍ଷ ବିତିଣ ଗଲା ଇଂରେଜ ଓଡ଼ିଶା ଆସିଲା। ନାନା ଦୁଃଖ ଦେଇ ଆମଙ୍କୁ ଶାସନ କରିଲେ ଏହା ଦେଖି ମହାତ୍ମା ଗାନ୍ଧୀ ମନେ ବିଚାରିଲେ, ଆଜ୍ଞା ଜବାହରଲାଲ ନେହେରୁ ଏବଂ ବଲ୍ଲଭଭାଇ, ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମୀବାଈ, ଘେଁସ ଜମିଦାର, ଆମର ଗାଁର ବି ଥିଲେ, ମାୟାଧର ସଂଗ୍ରାମୀ ବୈରାଗୀ ରଣା ଏପରି ଅନେକ ଗ୍ରାମକୁ, ସ୍ୱାଧୀନତା ସଂଗ୍ରାମୀ ବାହାର ହୋଇ ଦେଶକୁ ସ୍ୱାଧୀନ ୧୯୪୭ ଆଣିଲେ, ଏବଂ ପଞ୍ଚାୟତ ଗଠନ କଲେ। ପ୍ରଥମେ ଆମ ଗ୍ରାମ ଶୁଖାଟାଲକୁ ପଞ୍ଚାୟତ କରିବା ବୋଲି ପଦ୍ମପୁର ରାଜା ଘୋଷଣା କଲେ। ଟେମରୀ ଗ୍ରାମ ଆଜ୍ଞା ଉତ୍ତର ଦକ୍ଷିଣ ଜଙ୍ଗଲ ରହିଣ ଜାଣ ଦିଶେ ଶୋଭାବନ… ପୂର୍ବେ ହାଇସ୍କୁଲ, ପଶ୍ଚିମେ ଯେ ଡ୍ୟାମ୍ … ଆନନ୍ଦରେ ଗ୍ରାମବାସୀ ଚାଷ କରନ୍ତି ବହନ …. ଆମ ଗାଁ ଜଙ୍ଗଲ କିପରି ଥିଲା ଲେଖିଲେ କବି ……. ଶିଖରୁ ଚଞ୍ଚଳ ଆମ ଜଙ୍ଗଲରେ, ଗଛ କେନ୍ଦୁ କୁସୁମ, ତୁମେର, କରଲା, ରେଲୁଆଁ ସର୍ଗି ସାହାଜ, ମହୁଲ କୁରେଇ ଧାଉଁଡ଼ା, ଶିଶୁ ପିପଲ ବର, ଅନେକ ପଶୁପକ୍ଷୀ – ମୟୂର, କାକ, କୋଇଲି, ଡାହୁକ, ଶାଗୁଣା, ଗିଦିଲି, ରୂପ ଚଟିଆ, କୁକୁଟ ଅନେକ ପ୍ରକାର ଅଛନ୍ତି। ଆଜ୍ଞା ଆମ ଗାଁ’ର ଏକ ଗୀତିନାଟ ଥିଲା…”
ଗାଁ’ର ଅନେକ ବିଷୟକୁ ଏହି ଗାଁ ଇତିହାସ ପାଲାରେ ଛାତ୍ରୀମାନେ ଅବତାରଣା କରିଛନ୍ତି। ଏକ ସଂପୂର୍ଣ୍ଣ ଲୋକନାଟକ ସୃଷ୍ଟି କରିବାରେ ସେମାନେ ସଫଳ ହୋଇଛନ୍ତି। କାରଣ ଏହିଭଳି ଏକ ପାଲା କରିବା ବିଷୟରେ ଏହା ପୂର୍ବରୁ କେବେ କେହି ଚିନ୍ତା କରି ନଥିଲେ କି ପାଲାର ଧାରାକୁ ଭାଙ୍ଗି ଗାଁ’କୁ ପ୍ରସଙ୍ଗ କରି ଏକ ନୂଆ ଲୋକନାଟକ ଆଜିଯାଏ କେହି ପ୍ରଦର୍ଶନ କରି ନଥିଲେ। ପାଲା ଯେଉଁ ସମୟରେ ଗାଁ ଭିତରେ ଏକ ସଙ୍କଟର ସମ୍ମୁଖୀନ ହେଉଛି, ସେହି ସମୟରେ ଟେମରୀ ହାଇସ୍କୁଲର ଛାତ୍ରୀମାନେ ଏହାକୁ ପ୍ରାସଙ୍ଗିକ କରି ପରିବେଷଣ କଲେ ଓ ଏକ ନୂଆ ଆଶାର ଆଲୋକ ଦେଖାଇଲେ।
ଭବିଷ୍ୟତ: ରେଣୁକା ଓ ତାଙ୍କ ସାଥୀମାନେ ପ୍ରଥମ ପାଲା ପ୍ରଦର୍ଶନରେ ଟେମରୀ ଗାଁର ନାମକରଣ, ଇତିହାସ, ସ୍ୱାଧୀନତା ସଂଗ୍ରାମୀ ଓ ପ୍ରାକୃତିକ ସମ୍ପଦକୁ ସ୍ଥାନ ଦେଇଛନ୍ତି। କିନ୍ତୁ ଗାଁ ଇତିହାସର ଆହୁରି ଅନେକ ମହତ୍ତ୍ୱପୂର୍ଣ୍ଣ ଦିଗ ରହିଛି ଯାହା ଭବିଷ୍ୟତର ପାଲାରେ ସେମାନେ ସ୍ଥାନ ଦେଇପାରିବେ। ଗାଁର ସାମାଜିକ ଗଠନ, ବିଭିନ୍ନ ଜାତି ଓ ଧର୍ମର ଲୋକଙ୍କ ସହାବସ୍ଥାନ, ଗାଁର ପାହାଡ଼, ଜଙ୍ଗଲ, ନଦୀ, ନାଳ, ପୋଖରୀ, ଝରଣା ଓ କୂଅର କାହାଣୀ ପାଲାକୁ ଜୀବନ୍ତ କରିବ। ଅତୀତରେ ପାଣିର ପ୍ରାଚୁର୍ଯ୍ୟ ଓ ବର୍ତ୍ତମାନର ପରିବେଶ ବଦଳିବା ସମସ୍ୟା, ପାହାଡ଼-ଡଙ୍ଗର ଓ ଜଙ୍ଗଲରେ ଆସିଥିବା ପରିବର୍ତ୍ତନ, ପୂର୍ବର ବହୁମୁଖୀ ଚାଷ ଓ ବର୍ତ୍ତମାନର ଏକମୁଖୀ ଚାଷର ତୁଳନା, ପୁଷ୍ଟିଶସ୍ୟ; ମାଣ୍ଡିଆ, କୁଦୋ, କାଙ୍ଗୁ, ସୁଆଁର ହ୍ରାସର କାରଣ, ଜୈବିକ ଚାଷ, ହଳ, ଲଙ୍ଗଳ, ଖତ ହଜି ଯାଇ କମ୍ପାନୀ ଚାଷ ଆସିବା, ଚାଷୀ ଆତ୍ମହତ୍ୟା, ଯୁବପିଢ଼ିର ଗାଁ ଛାଡ଼ି ଦାଦନ ଚାଲିଯିବାର ସମସ୍ୟା, ଏସବୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟରେ ଗାଁ ଲୋକମାନେ କ’ଣ କହୁଛନ୍ତି ତଥ୍ୟ ସଂଗ୍ରହ କରି ଛାତ୍ରୀମାନେ ଏହାକୁ ପାଲା ଭିତରେ ପରିବେଷଣ କରିବେ।
ଅତୀତରେ ଖାଦ୍ୟ ସଂରକ୍ଷଣ ପଦ୍ଧତି, ଓଳିଆ, ମାଟିପାତ୍ରର ବ୍ୟବହାର, ବର୍ତ୍ତମାନର ପରିବର୍ତ୍ତିତ ଖାଦ୍ୟାଭ୍ୟାସ ଫଳରେ ନୂଆ ରୋଗର ସୃଷ୍ଟି ଭଳି ବିଷୟ ପାଲାକୁ ଆହୁରି ପ୍ରାସଙ୍ଗିକ କରିପାରେ। ଗାଁ’ରେ ବିବାହ ଓ ଉତ୍ସବର ପରିବେଶ, ପର୍ବପର୍ବାଣିର ପରିବର୍ତ୍ତନ, ପୋଷାକ ଓ ବସ୍ତ୍ରର ପରିବର୍ତ୍ତନ, ଲୋକ ସମ୍ପର୍କର ବଦଳିଥିବା ସ୍ୱରୂପ, ଏସବୁ ସାମାଜିକ ଇତିହାସର ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବି ଭବିଷ୍ୟତରେ ଯୋଡ଼ି ହେବ। ଏହି ସମସ୍ତ ବିଷୟକୁ ପାଲାରେ ଅନ୍ତର୍ଭୁକ୍ତ କରି ରେଣୁକା ଓ ତାଙ୍କ ସାଥୀମାନେ କେବଳ ଅତୀତକୁ ଲିପିବଦ୍ଧ କରିବେ ନାହିଁ, ବରଂ ଗାଁ’ର ଭବିଷ୍ୟତକୁ ସୁରକ୍ଷିତ କରିବା କାମରେ ଅଂଶଗ୍ରହଣ କରିବେ।
ଶେଷକଥା: ଟେମରୀ ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ନୂତନ ଲୋକନାଟକ ଧାରା ନିଶ୍ଚିତ ଭାବେ ପାଇକମାଳ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ। ସେମାନେ ମଧ୍ୟ ନିଜ ଅଞ୍ଚଳର ଲୋକ ସାଂସ୍କୃତିକ ମାଧ୍ୟମ ଓ ଲୋକକଳାକୁ ବ୍ୟବହାର କରି ନିଜ ଗାଁ’ର ଇତିହାସ ଓ ସଂସ୍କୃତିକୁ ସଂରକ୍ଷଣ କରିବା ପାଇଁ ଆଗେଇ ଆସିବେ। ଯୁବପିଢ଼ିର ଏହିଭଳି ପ୍ରୟାସଗୁଡ଼ିକ ଗାଁ ଇତିହାସ କାର୍ଯ୍ୟକ୍ରମକୁ ପ୍ରାଣବନ୍ତ କରିବା ସହିତ ଓଡ଼ିଶାରେ ସାଂସ୍କୃତିକ ଜାଗରଣ ପାଇଁ ଭିତ୍ତିଭୂମି ତିଆରି ହେବ।

