ଚଳିତ ବର୍ଷ ୨୦୨୫ ଏପ୍ରିଲ, ୧ ତାରିଖ, ଓଡିଆ ଭାଷା ଦିବସରେ ସମଧ୍ଵନି “ଆମ ଗାଁ ଆମ ଜୀବନ” ପ୍ରତିଯୋଗୀତା ଘୋଷଣା କରିଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ବି କେବଳ ୨୫ ଜଣ ଛାତ୍ରୀ ଓ ୨ଜଣ ଛାତ୍ର ନିଜ ଗାଁ ସମ୍ପର୍କରେ ଗବେଷଣା କରି ଏକ ତଥ୍ୟ ସମ୍ବଳିତ ନିବନ୍ଧ ପଇଠ କରିଥିଲେ । ଅଗଷ୍ଟ ୧୫ ତାରିଖରେ ଏହି ୨୭ ଜଣ ଛାତ୍ରଛାତ୍ରୀଙ୍କୁ ସମଧ୍ଵନି ତରଫରୁ ଛାତ୍ର ଇତିହାସକାର ଭାବରେ ଘୋଷଣା କରାଯାଇଛି ଓ ସେମାନଙ୍କ ସ୍କୁଲକୁ ଯାଇ ସାର୍ଟିଫିକେଟ ପ୍ରଦାନ କରାଯିବା ପ୍ରକ୍ରିୟା ଜାରି ରହିଛି ।


ଏହି କ୍ରମରେ ଡିସେମ୍ବର ୧୧ ତାରିଖରେ ସମଧ୍ଵନି ଟିମ କଟକ ଜିଲ୍ଲା, ନିଆଳି ବ୍ଲକ ଅନ୍ତର୍ଗତ ବିଳାଶୁଣିଠାରେ ଥିବା ଶ୍ରୀ ଗୋପଳଜ୍ୟୁ ହାଇସ୍କୁଲରେ ପହଞ୍ଚିଥିଲା । ସ୍କୁଲର ଜଣେ ଛାତ୍ରୀ ରିୟା ଅଞ୍ଜୁମ ତାଙ୍କ ଗାଁ ଅଢଙ୍ଗା ବସ୍ତି ସମ୍ପର୍କରେ ଗବେଷଣା କରିଥିଲେ ଓ ନିଜ ଗାଁ ଉପରେ ଏକ ଗବେଷଣା ନିବନ୍ଧ ପ୍ରସ୍ତୁତ କରିଥିଲେ । ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍କୁଲ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଓ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚାରୁଲତା ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମଧ୍ଵନିକୁ ଏସ.ଜି ହାଇସ୍କୁଲ ସହିତ ପରିଚିତ କରାଇବା ଓ ଏହି କାମକୁ ଆଗକୁ ନେବା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ସାହିତ୍ୟିକ ଓ ବିଳାଶୁଣିର ଜଣେ ସମ୍ମାନନୀୟ ବ୍ୟକ୍ତି ଶ୍ରୀଯୁକ୍ତ କାର୍ତ୍ତିକ ଷଡଙ୍ଗୀ ମହୋଦୟ ସଭାରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ରିୟା ଅଞ୍ଜୁମ ନିଜ ଗାଁ ସମ୍ପର୍କରେ ଗବେଷଣା କରିବାପାଇଁ ଆରମ୍ଭ କରିଥିବା ଉଦ୍ୟମକୁ ସମଧ୍ଵନିର ବରିଷ୍ଠ ସଦସ୍ୟମାନେ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଏହିଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସ୍କୁଲର ଅନ୍ୟ ଛାତ୍ରଛାତ୍ରୀମାନେ ଭାଗ ନେଇ ନିଜ ନିଜ ଗାଁ’ର ଇତିହାସକୁ ଲିପିବଦ୍ଧ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ । ସମଧ୍ବନିର ସଦସ୍ୟ ମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ଦେଶୀ ଚାଷୀ ତଥା ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀଯୁକ୍ତ ନଟବର ଷଡଙ୍ଗୀ, ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର ସ୍ଵାଧିନାନନ୍ଦ ପଟ୍ଟନାୟକ, ପ୍ରଫେସର ବୀରେନ୍ଦ୍ର ନାୟକ, ଡକ୍ଟର ସୁମିତ୍ରା ପଟେଲ, ଯୁବ ଦେଶୀ ଚାଷୀ ଶ୍ରୀ ଯୁବରାଜ ସ୍ଵାଇଁ, ସମଧ୍ଵନିର ସମ୍ପାଦକ ସ୍ଵୟଂପ୍ରଭା ପାଢୀ, ଭିଡିଓଗ୍ରାଫର ଲକ୍ଷ୍ମୀଧର ମୁର୍ମୁ ।
“ଆମ ଗାଁ ଆମ ଜୀବନ”/ ଗାଁ ଇତିହାସ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ସହଯୋଗ କରିଥିବା ଶ୍ରୀଯୁକ୍ତ କାର୍ତ୍ତିକ ଷଡଙ୍ଗୀ, ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚାରୁଲତା ବେହେରା ଓ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସମଧ୍ବନି ତରଫରୁ ଅଶେଷ ଧାନବାଦ ଅର୍ପଣ କରିବା ସହିତ କୃତଜ୍ଞତା ଅର୍ପଣ କରାଯାଇଥିଲା।
ଭବିଷ୍ୟତରେ ଆମ ଗାଁ ଆମ ଜୀବନ / ଗାଁ ଇତିହାସ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଯୋଡି ହେବେ ଓ ନିଜ ଗାଁର ଅତୀତ ବିଷୟରେ, ଗାଁ’ରୁ ହଜି ହଜି ଯାଉଥିବା ସାଂସ୍କୃତିକ ବିଭବ, ଖାଦ୍ୟ, ଚାଷବାସ ଓ ଅନେକ କଳା, ସଙ୍ଗୀତକୁ ଲିପିବଦ୍ଧ କରିବା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଆଗଭର ହେବେ ବୋଲି ସମଧ୍ଵନି ତରଫରୁ ଆଶାବ୍ୟକ୍ତ କରାଯାଇଛି ।

