“ଚିତାକୁଟା” ପଛର କାହାଣୀ: ଲେଣ୍ଡ୍ରି ଗାଁର ସ୍ମୃତିରୁ  

The Story Behind the Tattoo

ସ୍ୱୟଂପ୍ରଭା ପାଢ଼ୀ
120 Views
7 Min Read

ଓଡ଼ିଶାରେ ଝିଅ-ବୋହୂମାନେ ଚିତା କୁଟାଇବାର ପରମ୍ପରା ରହିଛି । ବିଶେଷକରି ଆଦିବାସୀ ମହିଳାଙ୍କ ମୁହଁରେ ଓ ହାତ ଗୋଡ଼ରେ ଚିତା କୁଟାଇବା ଏକ ପୁରୁଣା ପରମ୍ପରା। କେଉଁଠି ଏହା ସେମାନଙ୍କ ସମାଜର ପରିଚୟ, କେଉଁଠି ସେମାନଙ୍କ ବୟସର ଚିହ୍ନ ତ କେଉଁଠି ଚିତା ସୌନ୍ଦର୍ଯ୍ୟ ବା ଏକ ପ୍ରକାର ଅଳଙ୍କାର ଭାବରେ ଗ୍ରହଣ କରାଯାଇଥାଏ । କନ୍ଧମାଳର କନ୍ଧ ମହିଳାଙ୍କ ମୁହଁରେ ଏହି ଚିହ୍ନ ଆଜି ବି ଦେଖିବାକୁ ମିଳେ। କିନ୍ତୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଲେଣ୍ଡ୍ରି ଗାଁରେ ଏହି ଚିତାର ଆଉ ଏକ କାହାଣୀ ଲୋକ ମୁଖରୁ ଶୁଣିବାକୁ ମିଳିଥିଲା, ଯେତେବେଳେ ଗାଁର ଜଣେ ଛାତ୍ରୀ ନିଜ ଗାଁର ଅତୀତ ବିଷୟରେ ଲିପିବଦ୍ଧ କରୁଥିଲେ ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ସାଡ଼ିଙ୍ଗିଆ ପଞ୍ଚାୟତର ଗୋଟିଏ ଗାଁ ହେଉଛି ଲେଣ୍ଡ୍ରି ଗାଁ। ଲେଣ୍ଡ୍ରି ଗାଁର ଇତିହାସ ବହୁତ ପୁରୁଣା । ଏହି ଗାଁର ଛାତ୍ରୀ ନଳିନୀ କହଁର ନିଜ ଗାଁର ଇତିହାସ ଓ ଖାଦ୍ୟ ସଂସ୍କୃତି ଗବେଷଣା କରିବା ସମୟରେ ଗାଁର ଅତୀତ ସମ୍ପର୍କରେ ଅନେକ କାହାଣୀ ଲିପିବଦ୍ଧ କରିଥିଲେ । ସେ ବର୍ତ୍ତମାନ ଯୁକ୍ତ ଦୁଇର ଛାତ୍ରୀ । ଏଠାରେ ଉପସ୍ଥାପିତ କଥା ଓ କାହାଣୀ ଛାତ୍ରୀ ନଳିନୀ କହଁରଙ୍କ ଗବେଷଣା ତଥ୍ୟରୁ ନିଆଯାଇଛି । ଗାଁ ଲୋକଙ୍କ ସହ ହୋଇଥିବା ଆଲୋଚନାରେ ଫିରିଙ୍ଗିଆ ବ୍ଲକର ବ୍ଲକ୍ ରିସୋର୍ସ ପର୍ସନ୍ (ବିଆରପି) ବୁଲି ମହାରଣା ମଧ୍ୟ ଉପସ୍ଥିତ ଥିଲେ ।

ନଳିନୀ କହଁରଙ୍କ ଗାଁର ଲୋକମାନେ ସେମାନଙ୍କ ପିଲାଦିନର କଥା ମନେପକେଇ କହିଥିଲେ । ସେମାନେ ଶୁଣିଥିଲେ, ସେତେବେଳେ ଗାଁରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତାଘାଟ ନଥିଲା । ସବୁଆଡ଼େ ଜଙ୍ଗଲ ହେଇକି ଥିଲା । ବାଘ ଭାଲୁ ଚଳପ୍ରଚଳ ହେଉଥିଲେ। ସନ୍ଧ୍ୟା ହେଲେ ଚୁଲି ଜଳା ଆଲୁଅରେ ଭାତ ଖାଇ ଲୋକେ ଶୋଇପଡ଼ୁଥିଲେ । ବେଳେବେଳେ ଲୋକମାନେ କନ୍ଦା ଖାଇ ରହୁଥିଲେ। ଧନୁଶର ଧରି ଶିକାର କରି ଆଣି ମାଂସକୁ ପୋଡ଼ିକି ଖାଉଥିଲେ। ଆଗରୁ ପୋଢ଼ ବଳି ମଧ୍ୟ ଲୋକମାନେ ଦେଉଥିଲେ, ତାକୁ କେତୁ ପୂଜା କୁହାଯାଉଥିଲା। ଆଗ କାଳରେ ପୁରୁଷ ଲୋକମାନେ କୌପୀନ ମାରି ପିନ୍ଧୁଥିଲେ, ସ୍ତ୍ରୀ ଲୋକମାନେ ଗୋଟିଏ ଗାମୁଛା ପିନ୍ଧୁଥିଲେ। ଆଉ ବେକରେ ଲମ୍ବା ଲମ୍ବା ମାଳି ପିନ୍ଧି ରହୁଥିଲେ। କାନରେ ରୂପାର କସେଣି ପିନ୍ଧୁଥିଲେ। ବେକରେ ଗଗଲା, ଗୋଡ଼ରେ ଗାଗଲି ପିନ୍ଧୁଥିଲେ । ଅଣ୍ଟାରେ ରୂପାର ଟଙ୍କା ପାତିଆ କରି ପିନ୍ଧୁଥିଲେ। ଆହୁରି ଆଗରୁ ଗଛର ପତ୍ରକୁ ବାନ୍ଧି ପିନ୍ଧୁଥିଲେ ବୋଲି ମଧ୍ୟ କୁହାଯାଏ । ଜଙ୍ଗଲର କନ୍ଦା, ଫଳମୂଳ ଖାଇ ସେତେବେଳେ ସେମାନେ ବଞ୍ଚୁଥିଲେ ।

ଗାଁ ଲୋକଙ୍କ କହିବା ଅନୁସାରେ, ପୂର୍ବରୁ ଇଂରେଜ ସରକାରଙ୍କ ଲୋକମାନେ ଆସି ସାଡ଼ିଙ୍ଗିଆଠାରେ କ୍ୟାମ୍ପ କରି ରହୁଥିଲେ । ସେମାନେ ଲୋକଙ୍କୁ ଡରାଇ ଧମକେଇ ରଖୁଥିଲେ । ଗାଁର ଝିଅ-ବୋହୂମାନଙ୍କ ଉପରେ ସେମାନଙ୍କର ନଜର ଥିଲା । ଗାଁର ଝିଅ-ବୋହୂମାନେ ସେମାନଙ୍କ ଡରରେ ମଶାଣିରେ ଯାଇ ଲୁଚୁଥିଲେ । ସେମାନେ ମଶାଣିକୁ ମଧ୍ୟ ଯାଇ ଝିଅ-ବୋହୂମାନଙ୍କୁ ଆଣୁଥିଲେ, ଓ ବହୁତ ହଇରାଣ କରୁଥିଲେ ।

Samadhwani Support us

ଗାଁ ଲୋକଙ୍କ ସହ ହୋଇଥିବା ଆଲୋଚନାକୁ ମନେପକେଇ ବୁଲି ମହାରଣା ଲେଖିଛନ୍ତି ଯେ, “ଭାରତ ସ୍ୱାଧୀନ ହେବା ପୂର୍ବରୁ ଇଂରେଜ ସରକାରଙ୍କ ଶାସନ ସେହି ଗାଁରେ ଚାଲିଥିଲା । ସେମାନେ ଗାଁରେ ଆସି ଗାଁ ଶେଷରେ ଥିବା ପାହାଡ଼ ଗୁମ୍ଫାରେ ରହୁଥିଲେ । ସେମାନେ ଗାଁରେ ଯେଉଁ କାମ କରୁଥିଲେ, ସେଥିରେ ଗାଁ ଲୋକଙ୍କୁ ମୂଲିଆ ଭାବରେ କାମ କରାଉଥିଲେ । କେବେ କାମ ପାଇଁ ମଜୁରୀ ଦେଉଥିଲେ ତ କେବେ ଦେଉ ନଥିଲେ । ମଜୁରୀ ଟଙ୍କା ମାଗିଲେ ଲୋକଙ୍କୁ ମାଡ଼ ମାରୁଥିଲେ । ଅନେକ ସମୟରେ ଡରାଇ-ଧମକାଇ କାମ କରାଉଥିଲେ । ଗାଁର ଝିଅ-ବୋହୂମାନଙ୍କୁ ବହୁତ ହଇରାଣ କରୁଥିଲେ । ଗାଁ ଲୋକେ କୁହନ୍ତି ଯେ, ଗୋଟିଏ ଝିଅ କିମ୍ବା ଗୋଟିଏ ବୋହୂକୁ ସେମାନେ ତାଙ୍କ ଗୁମ୍ଫାକୁ ନେଇଯାଉଥିଲେ କିମ୍ବା କାମରେ ଚାରିଦିନ ରଖୁଥିଲେ । ତା’ପରେ ଛାଡ଼ି ଦେଉଥିଲେ । ତାପରେ ଅନ୍ୟ ଏକ ଝିଅ କିମ୍ବା ବୋହୂକୁ ପୁଣି ନେଉଥିଲେ । ଏହିପରି ଲୋକମାନଙ୍କୁ ସବୁବେଳେ ହଇରାଣ-ହରକତ କରୁଥିଲେ । ଥରେ, ଗାଁର ଝିଅ-ବୋହୂମାନେ ଚିନ୍ତା କଲେ, ‘ଆମେ କିପରି ମୁହଁକୁ ଅସୁନ୍ଦର କରିବା?’ ଇଂରେଜମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ସେମାନେ କଥା ହୋଇ ମୁହଁ ସାରା ଚିତା କୁଟାଇବା ଆରମ୍ଭ କଲେ ।”

ଗାଁର ଜଣେ ମଧ୍ୟବୟସ୍କ ବ୍ୟକ୍ତି ଏକ ସାକ୍ଷାତକାରରେ କହିଥିଲେ, “ଏ ଲେଣ୍ଡ୍ରି ଗାଁ ନାମକରଣରେ ବ୍ୟତିକ୍ରମ ହୋଇଛି । ଏଠି ଯେଉଁମାନେ ରହୁଥିଲେ, ସେମାନେ ଗାଁର ନାମ ନେନେରଙ୍ଗା ଦେଇଥିଲେ । ସେ ନେନେରଙ୍ଗା ଗାଁକୁ ଇଂରେଜମାନେ ଆସିଲା ପରେ ସେମାନଙ୍କ ପାଟିରେ ଏହା ଠିକ୍‌ ପସିଲା ନାହିଁ । ଯାହାଦ୍ୱାରା ସେମାନେ ଏହାକୁ ଲେଣ୍ଡ୍ରି ଗାଁ କହିଲେ” ।

ନିଜ ଗାଁର ଅତୀତ ବିଷୟରେ ମନେପକେଇ ସେ କହିଥିଲେ ଯେ, ଆମର ଏହି ଅଞ୍ଚଳର ଇତିହାସ ହେଉଛି ପୁରୁଣାକାଳର ଇତିହାସ । ଏହି ଅଞ୍ଚଳରେ ସମସ୍ତେ ଅଶିକ୍ଷିତ ଥିଲେ, କିଛି ଜାଣିନଥିଲେ । ଆମ ଗାଁରେ ଘଞ୍ଚ ଜଙ୍ଗଲ ଥିଲା । ଏଠି ଅନେକ ଜନ୍ତୁ ବି ଥିଲେ, ବାଘ, ଭାଲୁ, ହାତୀ ମଧ୍ୟ ରହୁଥିଲେ । ସେ ସମୟରେ ବଡ଼ ଆଶ୍ୱସ୍ତିରେ ସେମାନେ ରହୁଥିଲେ । ତେଣୁ ଏଠି ଆମର ପୁରୁଣା କାଳରେ ଯାହା ଥିଲା, ଜଙ୍ଗଲରୁ ଯାହା ସୃଷ୍ଟି ହେଉଥିଲା, ସେଗୁଡ଼ାକୁ ଖାଇ ବଞ୍ଚୁଥିଲେ । ଏଠି ପାଣି ବି ନଥିଲା, ପାଣି କମ୍‌ ଥିଲା । … ଏହି ସମୟରେ ଆମର ହିଂସ୍ର ଜନ୍ତୁ ଅଧିକ ଥିଲେ । ଜଙ୍ଗଲ କ୍ଷୟ ହେଲା ପରେ ପରେ ହିଂସ୍ର ଜନ୍ତୁ ବି କମି ଆସିଲେ। ଲୋକେ ପୋଡ଼ୁ ଚାଷ କରି ବଞ୍ଚୁଥିଲେ । ପରେ ପରେ ଇଂରେଜମାନେ ଏ ଅଞ୍ଚଳକୁ ଆସିଲେ । ଇଂରେଜମାନେ ଆସିଲା ପରେ ଆମେ ଭାବୁଥିଲୁ, ଯେ ଆମ ବୁଢ଼ାମାନେ… ପୂର୍ବଜମାନେ ଭାବୁଥିଲେ କିଛି ପରିବର୍ତ୍ତନ ହେବ । କିନ୍ତୁ ତାଙ୍କ ଦ୍ୱାରା ଝିଅ-ବୋହୂ ଶିକାର ହେଲେ । ଅନେକ ସମୟରେ ଇଂରେଜମାନଙ୍କର ଆସିବା ପରେ ଆମର ଝିଅ-ବୋହୂମାନଙ୍କର “ଇଜ୍ଜତ” ନେଉଥିଲେ । ତେଣୁ ନିଜକୁ ବଞ୍ଚାଇବା ପାଇଁ ହୁଏତ କିଛି ପରିବର୍ତ୍ତନ ହୋଇଥିଲା । ଆମମାନଙ୍କୁ ଇଂରେଜମାନେ ପସନ୍ଦ ନ କରିବା ପାଇଁ, ମୁହଁରେ ସେମାନେ (ଝିଅ-ବୋହୂମାନେ) “ଝୁଟି ଚିତା” ମାରୁଥିଲେ । ଏମିତି ଅନେକ ପ୍ରକାର ତାଙ୍କ ଦ୍ୱାରା ଶାସିତ ହେଉଥିଲେ । ଏହା ହେଉଛି ପୁରୁଣା କାଳର ଆମ ଇତିହାସ କଥା ।

ଆଜି ଆମେ ଯେଉଁ ଚିତାକୁ ଅଳଙ୍କାର ବା ପରମ୍ପରା କହୁଛନ୍ତି, ତାହା ପଛରେ କେଉଁଠି କେଉଁଠି ଏମିତି ଭୟର କାହାଣୀ ବି ରହିଥିଲା । ଗାଁ ଲୋକଙ୍କ କହିବା ଅନୁସାରେ ଲେଣ୍ଡ୍ରି ଗାଁର ଝିଅ-ବୋହୂମାନେ ନିଜ ମୁହଁକୁ ଚିତା କାଟି ଅସୁନ୍ଦର କରିଦେଉଥିଲେ । ସୁନ୍ଦରତା ହିଁ ସେମାନଙ୍କ ପାଇଁ ବିପଦ ହୋଇଯାଉଥିଲା। ଲେଣ୍ଡ୍ରି ଗାଁର ଏହି କାହାଣୀରୁ ଅନୁଭବ ହୁଏ ଯେ, ସେହି ଅଞ୍ଚଳର ନାରୀମାନଙ୍କର ଏହା ଥିଲା ଏକ ନୀରବ ପ୍ରତିବାଦ ଓ ପ୍ରତିରୋଧ।

ଏହି ଲେଖାରେ ଆମେ ଛାତ୍ରୀଙ୍କର ନିଜ ଗାଁର କାହାଣୀର ଉପସ୍ଥାପନାଠାରୁ ବୟସ୍କ ଲୋକଙ୍କର ଅତୀତର ସ୍ମୃତି, ବୁଲି ମହାରଣା ଲୋକଙ୍କ ସହ ଆଲୋଚନା ସମୟରେ ପାଇଥିବା ଅନୁଭୂତି ଓ ଜଣେ ଗାଁ ଲୋକଙ୍କର ସାକ୍ଷାତକାର ଭିତରୁ ଗାଁକୁ ବୁଝିବା ପାଇଁ ଚେଷ୍ଟା କରିଛନ୍ତି । ମୌଖିକ ଇତିହାସ ଦୃଷ୍ଟିରୁ ଦେଖିଲେ ଏହା ସମ୍ପୂର୍ଣ୍ଣ ଇତିହାସ ବୋଲି ଆମେ କହିପାରିବା ନାହିଁ । ଗାଁରେ ଆହୁରି ଅନେକ ଲୋକଙ୍କର ଅନୁଭୂତି ଓ ସ୍ମୃତି ଲିପିବଦ୍ଧ ହେବା ବାକି ଅଛି । ମୌଖିକ ଇତିହାସ ଏମିତି ବଞ୍ଚିରହେ । ପିଢ଼ିକୁ ପିଢ଼ି କଥାରେ ବଦଳି ବଦଳି ଚାଲେ । ତେଣୁ ଏହାକୁ ପ୍ରମାଣିତ ଇତିହାସ ଭାବେ ନୁହେଁ, ଗାଁର ନିଜର ସ୍ମୃତି ଭାବେ ଗ୍ରହଣ କରି ଗାଁର ଅନ୍ୟ ବୟସ୍କ ଲୋକ ଓ ମହିଳାମାନଙ୍କ ସ୍ମୃତି ଲିପିବଦ୍ଧ କରିବା ପାଇଁ ଚେଷ୍ଟା କରିବା ଜରୁରୀ । ଏହି କାହାଣୀରେ ଯେତେବେଳେ ଗାଁ ଲୋକେ ନିଜ ଅତୀତ ବିଷୟରେ କହିବା ସମୟରେ ନିଜ ଲୋକଙ୍କୁ “ଅଶିକ୍ଷିତ” ବୋଲି କହୁଛନ୍ତି ସମ୍ଭବତଃ ତାଙ୍କ ପାଇଁ ଅଶିକ୍ଷିତର ଅର୍ଥ ବାହାର ଦୁନିଆ ସହିତ ପରିଚିତ ନହେବା ହୋଇପାରେ । କିନ୍ତୁ ଜଙ୍ଗଲ ଭିତରେ ନିଜ ଜୀବନ ଜୀବିକାକୁ ଗଢ଼ିବା, ପୋଡ଼ୁ ଚାଷ, କନ୍ଦମୂଳ ଆଦି ଖାଦ୍ୟ ସଂଗ୍ରହ କରିବା ଓ ନିଜର ଆତ୍ମରକ୍ଷା କରିବାର ଯେଉଁ ଗଭୀର ଜ୍ଞାନ କୌଶଳ ସେମାନଙ୍କର ଥିଲା, ତାହା ହୁଏତ ଜଣେ ଲେଖାପଢ଼ା ଜାଣିଥିବା ଲୋକ ନିକଟରେ ସବୁବେଳେ ମିଳେ ନାହିଁ। ନିଜ ଗାଁର ଇତିହାସ ଲେଖିବାକୁ ଯାଇ ନଳିନୀ କହଁରଙ୍କ ପରି ଛାତ୍ରୀମାନେ ସେହି ଜ୍ଞାନକୁ ହଜିଯିବା ଆଗରୁ ବଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି । ଏହା ହୁଏତ ଆମ ପାଇଁ ଏକ ଆଶାର କିରଣ ସୃଷ୍ଟି କରିଛି ।

ଲେଖା:

ସ୍ୱୟଂପ୍ରଭା ପାଢ଼ୀ

ବୁଲି ମହାରଣା

Share This Article
Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha