୨୦୨୬ ମସିହା ଜାନୁଆରୀ ୮ ତାରିଖ ଦିନଟି ମୋ ପାଇଁ ଥିଲା ବହୁତ ଆନନ୍ଦ ଓ ଉତ୍ସାହର ଦିନ । ବରଗଡ଼ ଜିଲ୍ଲା, ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଠ ପଞ୍ଚାୟତର ଖରାମାଳ ଗାଁରେ ସେଦିନ ପରମ୍ପରା ମେଳା ବସିଥିଲା । ଆମେ ପାଇକମାଳ ବ୍ଲକର ଗାଁ ଇତିହାସ ଟିମ ତରଫରୁ ଛାତ୍ରୀମାନେ ଖରାମାଳ ଯାଇଥିଲୁ ପରମ୍ପରା ମେଳାରେ ଭାଗ ନେବାପାଇଁ । ସେଠାରେ ଚାଲିଥିବା ମେଳାରେ ଆମେ ଗାଁ ଇତିହାସ ଷ୍ଟଲ ବସେଇଥିଲୁ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲୁ ।
ମୁଁ ୨୦୨୩ ମସିହାରେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢିଲା ବେଳଠାରୁ ‘ଗାଁ ଇତିହାସ ଲିପିବଦ୍ଧ କରିବା କାର୍ଯ୍ୟକ୍ରମ’ ସହିତ ଯୋଡି ହୋଇ ଆମ ଗାଁର ଇତିହାସ ଲେଖୁଛି । ମୋ ସହିତ ଆମ ଯମୁନା କନ୍ଧୁଣୀ ବିଦ୍ୟାଳୟର ଅନେକ ଛାତ୍ରୀ ସେଦିନ ଖରାମାଳ ପରମ୍ପରା ମେଳାରେ ଭାଗ ନେଇଥିଲେ । ପାଇକମାଳ ବ୍ଲକର ଅନ୍ୟ ସ୍କୁଲ କଲେଜର ଛାତ୍ରଛାତ୍ରୀ ମଧ୍ୟ ଏହି ମେଳାକୁ ଆସିଥିଲେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେଦିନ ଖରାମାଳ ଗାଁର ପରମ୍ପରା ଉତ୍ସବରେ ମୁଁ ଯେଉଁ ଅନୁଭୂତି ସଂଗ୍ରହ କରିଥିଲି ତାହା ବହୁତ ସୁନ୍ଦର ଥିଲା । ମୋର ସେହିସବୁ ଅନୁଭୂତିକୁ ଏହି ଲେଖା ମାଧ୍ୟମରେ ମୁଁ ଏଠାରେ ପ୍ରକାଶ କରିବାକୁ ଚାହୁଁଛି । ମୁଁ କିଛି ଫଟୋ ଓ ଭିଡିଓ ସେହି ସମୟ ଭିତରେ ସଂଗ୍ରହ କରିଛି, ସେସବୁକୁ ମଧ୍ୟ ମୁଁ ଆପଣମାନଙ୍କୁ ଦେଖାଇବାକୁ ଚାହୁଁଛି ।



ଖରାମାଳ ଗାଁକୁ ପଶିବା ସମୟରେ ଗାଁର ଯେଉଁ ପରିବେଶଟି ଥିଲା, ତାହା ଖୁବ୍ ସୁନ୍ଦର ଲାଗୁଥିଲା । ଗାଁର ଯେଉଁ ଭାବରେ ସାଜସଜ୍ଜା କରାଯାଇଥିଲା ତାହା ଅତି ସୁନ୍ଦର । ଗାଁକୁ ଯେତେବେଳେ ପହଞ୍ଚିଲୁ ସେଠାରେ ପ୍ରଥମେ ହୋଇଥିବା ଗେଟଟି ବାଉଁଶର ସବୁ ଜିନିଷ ପତ୍ର ଲଗାଇ ତିଆରି ହୋଇଥିଲା, ଯେପରିକି; କୁଳା, ପଲ୍ଲା, ଚାଙ୍ଗରହା ଓ ଅନେକ ଗୁଡିଏ ଜିନିଷ ପତ୍ର ସେଠି ସାଜସଜ୍ଜା ହୋଇଥିଲା । ସେଠାରେ ଗୋଟିଏ ଶଗଡ ଗାଡିକୁ ରଙ୍ଗ ଦେଇ ବହୁତ ସୁନ୍ଦର ଭାବରେ ସଜାଇଥିଲେ । କେତେଦିନ ପରେ ମୁଁ ଶଗଡ଼ ଗାଡ଼ିର ଅନୁଭବ ନେଇ ପାରିଲି । ସେଥିରେ ମୁଁ ବସିଥିଲି । ମେଳାରେ ବସିଥିବା ସବୁ ଷ୍ଟଲ୍ କୁଡ଼ିଆ ଭଳି ପ୍ରସ୍ତୁତ ହୋଇଥିଲା । ତାହା ବାଉଁଶ ଓ ପୁଆଳ(ନଡ଼ା)ରେ ତିଆରି ହୋଇଥିଲା । ତାହା ଭିତରେ ଆମେ ରହିଲୁ । ଖରାମାଳ ଗାଁକୁ ଗଲା ପରେ ଲାଗିଲା, ଯେମିତି କି ସ୍ଵର୍ଗକୁ ଆସିଗଲି।

ଆମେ ଖରାମାଳ ଗାଁ ଭିତରେ ପହଞ୍ଚିଲା ପରେ, ସେଠି ଆମକୁ ସମଧ୍ଵନି ନାମରେ ଗୋଟେ ଷ୍ଟଲ ପାଇଁ ଜାଗା ଦିଆଯାଇଥିଲା । ଆମ ଗାଁ ଇତିହାସର ବିଭିନ୍ନ ଜିନିଷପତ୍ର ପ୍ରଦର୍ଶନ କରିବାପାଇଁ ଓ ଗାଁ ବିଷୟରେ ସମସ୍ତଙ୍କୁ ଜଣେଇବା ପାଇଁ ଆମେ ଷ୍ଟଲ ସଜେଇ ଥିଲୁ । ଛାତ୍ରୀମାନେ ନିଜ ହାତରେ ତିଆରି କରିଥିବା ପୋଷ୍ଟର ସେଠାରେ ଲଗେଇଲୁ । ଆମେ ଗାଁର ଯେତେସବୁ ପୁରୁଣା ଜିନିଷ ଯେମିତିକି; କସାଡ଼ି, ଦାଆ, ରେଡ଼ିଓ, ମାଟିର ଠେକିରେ ବିଭିନ୍ନ ପ୍ରକାରର ମଞ୍ଜି, ମାଣ୍ଡିଆ, ମୁଗ, ବିଭିନ୍ନ ଗାଁର ମାଟି, ମାଣ, କୁଲା, ପୁରୁଣା ଟେପ, କ୍ୟାସେଟ, ପୁରୁଣା ପଇସା, ସଗଡ଼ ଗାଡ଼ିର ଏକ ଛୋଟ ନମୁନା ଓ ଏହା ସହିତ ଆମ ସ୍କୁଲ ଛାତ୍ରୀମାନେ ତିଆରି କରିଥିବା ଗାଁର ହଜି ଯାଉଥିବା ବିଭିନ୍ନ ଜିନିଷକୁ ନେଇ ହାତ ଲେଖା ପୋଷ୍ଟର ଗୁଡ଼ିକ ପ୍ରଦର୍ଶନ କରିଥିଲୁ । ସମସ୍ତ ଅତିଥି ଓ ଲୋକମାନେ ଆମ ଷ୍ଟଲକୁ ଆସି ଆମ ପୁରୁଣା ଜିନିଷ ଦେଖି ଖୁସି ହେଉଥିଲେ । ତାଙ୍କ ଖୁସି ଦେଖି ମୋତେ ବହୁତ ଖୁସି ଲାଗିଲା । ସେଠାରେ ନୃସିଂନାଥ ଆୟୁର୍ବେଦ କଲେଜରୁ ଔଷଧର ଏକ ଷ୍ଟଲ ଥିଲା, ଗନ୍ଧମାର୍ଦ୍ଦନ ପର୍ବତରୁ ଆସିଥିବା କନ୍ଦମୂଳ, ମାଣ୍ଡିଆ, କୁଦୋ, ଗୁଞ୍ଜିରେ ତିଆରି ହୋଇଥିବା ଖାଇବା ସବୁର ଆଉ ଏକ ଷ୍ଟଲ ଥିଲା, ବିଭିନ୍ନ ବିହନ, ମଞ୍ଜିର ଏକ ଷ୍ଟଲ ଥିଲା ଓ ହାତରେ ତିଆରି ହୋଇଥିବା ଭ୍ୟାନିଟି ବ୍ୟାଗ ଓ ପର୍ସ ଗୁଡିକର ଏକ ଷ୍ଟଲ୍ ଲାଗିଥିଲା । ମୁଁ ସବୁ ଷ୍ଟଲ୍ ବୁଲି ବୁଲି ଦେଖିଲି ବହୁତ ଭଲ ଲାଗିଲା । ମୁଁ ସେଠି ହାତ ତିଆରି ଜିନିଷ ବିଷୟରେ ଶିଖିବାକୁ ପାଇଲି । ଆମପାଖ ଷ୍ଟଲ୍ ଆମ ପିଲାମାନଙ୍କୁ ମଣ୍ଡା ପିଠା ଖାଇବା ପାଇଁ ଆଣି ଦେଇଥିଲେ । ସେଥିପାଇଁ ଆହୁରି ଖୁସି ଲାଗିଲା।


ତା’ପରେ ଆମ ବିଦ୍ୟାଳୟର ଛାତ୍ରୀମାନେ ଗୀତ ଗାଇଥିଲେ ଓ ଗାଁ ଇତିହାସ ଗୀତ ଉପରେ ନୃତ୍ୟ ପରିବେଷଣ କରିଥିଲେ । ତା’ପରେ ଆମମାନଙ୍କୁ ଜଳଖିଆ ଦିଆଯାଇଥିଲା । ଆମମାନଙ୍କ ପାଇଁ ଦ୍ୱିପ୍ରହରର ଖାଇବା ମଧ୍ୟ ମେଳାରେ ତିଆରି ହୋଇଥିଲା । ଆମେ ସମସ୍ତେ ଖାଇ ପିଇ ସାରି ବିଭିନ୍ନ ଷ୍ଟଲ ବୁଲିକି ଦେଖିଲୁ ଓ ଶେଷରେ ନାଚଗୀତରେ ଯୋଗଦାନ ଦେଲୁ । ପ୍ରଥମେ ଭାଷଣ ଓ କବିତା ପ୍ରତିଯୋଗିତା ହୋଇଥିଲା । ଆମ ବିଦ୍ୟାଳୟରୁ ୯ ଜଣ ଛାତ୍ରୀ ପୁରସ୍କୃତ ହେଲେ । ତା’ପରେ ସମସ୍ତଙ୍କ ଆଗରେ ମୁଁ ମୋର ଗାଁ ଇତିହାସ କହିଲି । ସମସ୍ତେ ଆମ ଗାଁ ଇତିହାସ ଶୁଣି ବହୁତ ଖୁସି ହେଉଥିଲେ ।
ମୋତେ ସେଠିକାର ସାରମାନେ କହିଲେ ସେହି ପ୍ରୋଗ୍ରାମକୁ ଷ୍ଟେଜରେ ଉପସ୍ଥାପନା କରିବାକୁ । ମୁଁ ଉପସ୍ଥାପନା କଲି । ଗାଁ ଇତିହାସ ଟିମ ତରଫରୁ ଟେମରୀ ସ୍କୁଲର ୪ ଜଣ ଛାତ୍ରୀ ସେଠାରେ ଟେମରୀ ଗାଁ ଇତିହାସ ଉପରେ ପାଲା ପରିବେଷଣ କରିଥିଲେ । ମୋତେ ଏହି ପାଲା ବହୁତ ଭଲ ଲାଗିଲା। ଟେମରୀ ଗାଁକୁ ନେଇ ସେମାନେ ଗୀତ ମଧ୍ୟ ଗାଇଥିଲେ । ସମୟ ଅଭାବରୁ ସେମାନଙ୍କୁ ବହୁତ କମ୍ ସମୟ ଦିଆଯାଇଥିଲା । କମ୍ ସମୟରେ ମଧ୍ୟ ସେମାନେ ବହୁତ ସୁନ୍ଦର ପାଲା ପରିବେଷଣ କରିଥିଲେ । ତାଙ୍କ ସହ ଆମେ ସବୁ ବହୁତ ନାଚିଥିଲୁ ।

ସେଦିନ ଆମ ଷ୍ଟଲକୁ ବହୁତ ଲୋକ ଦେଖିବାକୁ ଆସିଥିଲେ ଓ ବହୁତ ପ୍ରଶ୍ନ କରିଥିଲେ । ଲୋକମାନେ ପଚାରିଥିଲେ ଯେ, ତମେ ଏଇ ପୁରୁଣା ଜିନିଷ ପାତ୍ର କାହିଁକି ଆଣିଛ ? ଆମେ କହିଲୁ ଯେ, ଆମେ ଗାଁ ଇତିହାସ ଲେଖୁଛୁ । ଏଇସବୁ ଜିନିଷକୁ ସମସ୍ତଙ୍କ ମନରେ ବଞ୍ଚାଇବାକୁ ଚାହୁଁଛୁ । ଲୋକମାନେ ଶୁଣି କହିଲେ କି, ତମେ ଗାଁ ଇତିହାସ ଲେଖୁଛ ବହୁତ ଭଲ କଥା । ଆମ ନୂଆ ପିଢି ମଧ୍ୟ ସବୁକଥା ଜାଣିପାରିବେ । ସେତେବେଳେ ଆମକୁ ବହୁତ ଖୁସି ଲାଗିଥିଲା । ଆମ ଷ୍ଟଲକୁ ଆମ ଅଞ୍ଚଳର M.L.A. ଶ୍ରୀମତୀ ବର୍ଷା ସିଂ ବରିହା ମ୍ୟାଡମ ମଧ୍ୟ ଆସିଥିଲେ । ସେ ଆମ ଷ୍ଟଲକୁ ଆସି ସବୁ ଦେଖିଲେ, କିଛି କିଛି ପ୍ରଶ୍ନ କଲେ । ଏମିତି କି ଆମ M.L.A. ମ୍ୟାଡମ ମଧ୍ୟ ଆମ୍ଭ ମାନକୁ କିଛି ପ୍ରଶ୍ନ କରିଥିଲେ ଓ ଉତ୍ସାହିତ କରିଥିଲେ । ସେ ସବୁ ଷ୍ଟଲ ବୁଲିଲେ କିନ୍ତୁ ଆମ ଅଧିକ ସମୟ ରହିଲେ । କସାଡ଼ି ବାବଦରେ ସେ କିଛି ପ୍ରଶ୍ନ ଆମକୁ ପଚାରିଲେ । ସେ କହିଲେ ଯେ, ତମେ କେବେ ଏହି ଖେଳ ଖେଳିଛ କି ? ଆମେ ନାଇ ବୋଲି କହିଲୁ । ସେ କହିଲେ କି ତମେ ଖେଳିଲେ ଓ ଶିଖିଲେ ସିନା ଆମ ନୂଆପିଢ଼ି ଏହି ଖେଳ ବିଷୟରେ ଜାଣିବେ । ତା’ପରେ ସେ ଆମ ସହିତ ବହୁତ ଗୁଡିଏ ଫଟୋ ଉଠାଇଲେ । ବହୁତ ଭଲ ଲାଗିଲା । ସବୁ ଲୋକମାନେ ଆସି ନୂଆ ନୂଆ ଶିକ୍ଷା ଦେଉଥିଲେ ।


ସେଦିନ ଆମମାନଙ୍କୁ ସେହି ଗାଁ ଲୋକମାନେ ବହୁତ ଭଲ ପାଇବା ଦେଇଥିଲେ । ସେମାନେ ଗାଁରେ ପୂଜାପାଠ କରିଥିଲେ ଓ ମେଳାରେ ଡାଲଖାଇ ନାଚ ବି କରିଥିଲେ । ମୋତେ ବହୁତ ଭଲ ଲାଗୁଥିଲା । ଆମେ ଖରାମାଳ ଗାଁର ମା’ ମାନଙ୍କୁ ଗାଁ’ର ଇତିହାସ ବିଷୟରେ ପଚାରିଥିଲୁ । ଗାଁ’ର ଅତୀତ ଓ ପରମ୍ପରା, ଗାଁରେ କ’ଣ ପର୍ବ ପାଳନ କରାଯାଏ ଜାଣିବାକୁ ପାଇଥିଲୁ । ଖରାମାଳ ଗାଁ’ର ମା’ମାନଙ୍କ ସହିତ କଥାବାର୍ତ୍ତା ହୋଇ ଖୁସି ଲାଗିଲା । ସେଠାକୁ ଆମ ଗାଁର ବୈଦ୍ୟ ମଧ୍ୟ ଆସିଥିଲେ । ସେ ମଧ୍ୟ କିଛି କିଛି କଥା କହିଲେ । ତା’ପରେ ଆମେ ସେହି ଗାଁରୁ ସନ୍ଧ୍ୟା ୫ଟାରେ ଫେରିଲୁ। ଆମ୍ଭମାନଙ୍କ ସହ ଟେମରୀ ସ୍କୁଲର ୪ ଜଣ ଛାତ୍ରୀ ମଧ୍ୟ ଫେରିଥିଲେ । ସେମାନଙ୍କ ସହିତ ବହୁତ ମଜାମସ୍ତି କରି ଆମେ ଫେରିଲୁ ।
ମୋତେ ଏହି ମେଳା ବହୁତ ଭଲ ଲାଗିଲା । ସେଥିପାଇଁ ମୁଁ ଧନ୍ୟବାଦ ଦେବି ଆମ ଗାଁ ଇତିହାସ ଟିମର ସ୍ୱୟଂପ୍ରଭା ମ୍ୟାଡମଙ୍କୁ ଓ ଆମ ଯମୁନା କନ୍ଧୁଣୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସଙ୍ଗୀତା ମ୍ୟାଡମଙ୍କୁ । ସ୍ୱୟଂପ୍ରଭା ମ୍ୟାଡମ କିଛି କାରଣରୁ ଏହି କାର୍ଯ୍ୟକ୍ରମକୁ ଆସିପାରି ନଥିଲେ । ସେ ଦୂରରୁ ଥାଇ ଚେଷ୍ଟା କରିଥିଲେ କେମିତି ଏହି ମେଳାରେ ଆମେ ସମସ୍ତେ ଭାଗ ନେବୁ ଓ ଭଲରେ ସମସ୍ତେ ପ୍ରଦର୍ଶନ କରିପାରିବୁ । ସବୁଠାରୁ ବଡ଼ କଥାଟି ହେଲା ସ୍ୱୟଂପ୍ରଭା ମ୍ୟାଡମ ନ ଆସି ମଧ୍ୟ ଆମ ବିଜ୍ଞାନ ଶିକ୍ଷୟତ୍ରୀ ସଙ୍ଗୀତା ମ୍ୟାଡମଙ୍କ ଦାୟିତ୍ୱରେ ଏତେସବୁ ଛାତ୍ରୀ ଖରାମାଳ ଯାଇଥିଲୁ ଓ ଏହି ମେଳାରେ ଯୋଗ ଦେଲୁ । ସଙ୍ଗୀତା ମ୍ୟାଡମ ଆମର ସୁବିଧା ଅସୁବିଧା କଥା ବୁଝୁଥିଲେ । ସେମିତି ଟେମିରୀ ସ୍କୁଲର ରଞ୍ଜିତ ସାର ତାଙ୍କ ସ୍କୁଲରୁ ୪ ଜଣ ଛାତ୍ରୀ ଯେଉଁମାନେ ପାଲା ପରିବେଷଣ କରିବାର ଥିଲା, ସେମାନଙ୍କୁ ଏହି ମେଳାକୁ ଆଣିଥିଲେ । ସେଥିପାଇଁ ମେଳାରେ ଗାଁ ଇତିହାସର ସବୁ କାମ ଆମେ ସମସ୍ତେ ମିଶିକି କରିପାରିଲୁ । ଅହିଂସା କ୍ଲବର ରାକେଶ ସାର ମଧ୍ୟ ଏଥିପାଇଁ ଆମକୁ ବହୁତ ସାହାଯ୍ୟ କରିଥିଲେ । ସେଥିପାଇଁ ଗାଁ ଇତିହାସ- ପାଇକମାଳ ଟିମ ତରଫରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଏହି କାର୍ଯ୍ୟକ୍ରମର ଆୟୋଜକ ଓ ଆମକୁ ଏଥିରେ ଭାଗ ନେବାକୁ ସୁଯୋଗ ଦେଇଥିବା ସମସ୍ତଙ୍କୁ ବହୁତ ଧନ୍ୟବାଦ ଜଣାଉଛି । ଗାଁ ଇତିହାସ ଟିମ/ Village History କାର୍ଯ୍ୟକ୍ରମ ସହିତ ମୁଁ ସବୁବେଳେ ଜଡିତ ହୋଇ କାମ କରିବାକୁ ଚାହେଁ । ଗାଁ ଇତିହାସ କାର୍ଯ୍ୟକ୍ରମ ଯୋଗୁଁ ଖରାମାଳରେ ଯେମିତି ନୂଆ ନୂଆ କଥା ଜାଣିବାପାଇଁ ପାଇଲି ସେମିତି ଅନେକ ନୂଆ କଥା ଜାଣିବାପାଇଁ ସବୁବେଳେ ମୁଁ ଚେଷ୍ଟା କରିବି ।

