୨୦୦୩ ମସିହାରେ ଯେତେବେଳେ ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର ଦ୍ଵାରା ଗ୍ରାମ୍ୟ ଗଣିତ ମେଧା ଅନ୍ଵେଷଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜ ନିଜ ଗାଁ’ର ଜୀବନୀ ଲେଖିଥିଲେ ସେମାନେ ନିଜେ ବି ଜାଣିନଥିଲେ ଯେ, ସମଗ୍ର ବିଶ୍ଵ ପାଇଁ ତାଙ୍କର ଏହି ୧୫, ୨୦ ଦିନର ଗାଁ’ର ବୟସ୍କ ମାନଙ୍କ ନିକଟରୁ ତଥ୍ୟ ସଂଗ୍ରହ କରିବାର ଉଦ୍ୟମ ଏକ ଇତିହାସ ପାଲଟି ଯିବ । ମୋତେ ଏହିସବୁ ପରୀକ୍ଷାର୍ଥୀମାନଙ୍କର ଗାଁ’ର ଜୀବନୀ ଉପରେ ଲେଖା ଯାଇଥିବା ୮୩ଟି ଖାତା ପଢିବାପାଇଁ ୨୦୦୫ ମସିହାରେ ଜନ ବିଜ୍ଞାନ କର୍ମୀ ତଥା ବିଶିଷ୍ଟ ସାମ୍ବାଦିକ ସୁଧୀର ପଟ୍ଟନାୟକ ଦେଇଥିଲେ । ମୁଁ ଭାବିଥିଲି ଛାତ୍ରଛାତ୍ରୀମାନେ ଗାଁ’ର ଅତୀତର ପରିବେଶ, ଏବର ହାଲଚାଲ, ଗାଁ’ର ପର୍ବପର୍ବାଣି, ଖାଦ୍ୟ, ଅଳଙ୍କାର ବିଷୟରେ ମା ଜେଜେ ମା ଓ ଜେଜେ ବାପାଙ୍କ ନିକଟରୁ ତଥ୍ୟ ସଂଗ୍ରହ କରି ଲିପିବଦ୍ଧ କରିଥିବେ । ଯେତେବେଳେ ଖାତା ଗୁଡିକ ପଢିବା ଆରମ୍ଭ କଲି ମୋର ବିଶ୍ଵାସ ହେଲାନି ଯେ, ଏଭଳି କଥା ସବୁ ଗାଁ’ରୁ ପିଲାମାନେ ସଂଗ୍ରହ କରି ପାରିବେ । ପିଲାଙ୍କ ଭିତରେ ଯେ ଅସୀମ ଚିନ୍ତା, ଗାଁ ପାଇଁ ଶ୍ରଦ୍ଧା ଭରି ରହିଥାଏ ସେତେବେଳେ ଅନୁଭବ କରିଥିଲି । ଗୋଟିଏ ଲେଖାର ଉଦାହରଣ ଦେବି କେମିତି ସେମାନଙ୍କ ମୋତେ ଅତି ଗଭୀର ଭାବରେ ସ୍ପର୍ଶ କରିଥିଲା ଯାହାର ଉଦାହରଣ ମୁଁ ଏଠାରେ ସ୍ୱଳ୍ପରେ ଦେବାକୁ ଚାହିଁବି ।
ସୋହନା ପରବିନ୍, ଖାତିଗୁଡ଼ା, ନବରଙ୍ଗପୁରର ଷଷ୍ଠ ଶ୍ରେଣୀର ଛାତ୍ରୀ:
ସେ ଲେଖିଛନ୍ତି ଯେ, “ଆମ ଗ୍ରାମରେ ଗ୍ରାମଦେବୀ ରୂପେ ମା’ ମଙ୍ଗଳା ଠାକୁରାଣୀ ବିରାଜମାନ । ଆଖପାଖ ଅଞ୍ଚଳରେ ଆମ ଗାଁର ଦେବୀଙ୍କର ଖ୍ୟାତି ରହିଥିବାରୁ ଏହି ଖ୍ୟାତି ଶବ୍ଦରୁ ଆମ ଗ୍ରାମର ନାମ ଖାତିଗୁଡ଼ା ହୋଇଅଛି । ଆମ ଗ୍ରାମଟି ଆବହମାନ କାଳରୁ ସୃଷ୍ଟି । ଏହା ପ୍ରତିଷ୍ଠା କେବେହେଲା ଏହା କହିବା ଅସମ୍ଭବ । ଆମ ଗ୍ରାମର ଅସ୍ଵୀକାଂଶ ଲୋକ ଆଦିବାସୀ ଅଟନ୍ତି । ଆମ ଗ୍ରାମର ଦକ୍ଷିଣ ପାର୍ଶ୍ଵରେ ଇନ୍ଦ୍ରାବତୀ ନଦୀ ବହିଯାଇଛି । ନଦୀ ଉପରେ ଗଢ଼ିଉଠିଛି ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନା । ଏହି ନଦୀବନ୍ଧ ଯୋଜନାଟି ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତମ ଯୋଜନା । ଆମ ଗ୍ରାମରେ ପ୍ରାୟ ୨୦୦୦ ଲୋକ ବାସ କରନ୍ତି । ପ୍ରକଳ୍ପର ସଦର ମହକୁମା ହେବା ଫଳରେ ଏହି ଗ୍ରାମର ଲୋକସଂଖ୍ୟା ବଢ଼ିଛନ୍ତି । ଆମ ଗ୍ରାମକୁ ଲାଗି ପ୍ରୋଜେକ୍ଟ କଲୋନୀ ଅବସ୍ଥିତ । ଏହି କଲୋନୀରେ ଚାକିରିଆମାନେ ରହନ୍ତି। ପ୍ରୋଜେକ୍ଟ କଲୋନୀର ଲୋକମାନେ ସାଧାରଣତଃ ପକ୍କାଘରେ ରହନ୍ତି । ସେମାନେ ଉଚ୍ଚଶିକ୍ଷିତ ଓ ଚାକିରିଆ । ସେମାନଙ୍କର ସାମାଜିକ ମାନଦଣ୍ଡ ବହୁତ ଉନ୍ନତ । କିନ୍ତୁ ଖାତି ଗୁଡ଼ା ଗ୍ରାମରେ ଲୋକମାନେ ଚାଳଘରେ ଓ ପତ୍ରକୁଡ଼ିଆରେ ବାସକରନ୍ତି । ସେମାନଙ୍କର ଅବସ୍ଥା ଜରାଜୀର୍ଣ ଅଟେ । ତାଙ୍କର ଅବସ୍ଥା ଦୀପତଳେ ଅନ୍ଧାର ସଦୃଶ । ପ୍ରୋଜେକ୍ଟ ହେବା ଦ୍ଵାରା ରାସ୍ତାଘାଟ ଉନ୍ନତି ହୋଇଛି । ବଜାର ଗଢ଼ିଉଠିଛି । ଗାଡ଼ି ମୋଟର ଚାଲିଛି କିନ୍ତୁ ଖାତିଗୁଡ଼ା ଆଦିବାସୀଙ୍କର ଅବସ୍ଥାର କୌଣସି ପରିବର୍ତ୍ତନ ଘଟିନାହିଁ । ଆମ ଗ୍ରାମରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଆଦିବାସୀମାନେ ଭାଇଭାଇ ହୋଇ ଚଳନ୍ତି । ନିଜକୁ ଭାରତୀୟ ଭାବି ଭାରତ ଦେଶର ଉନ୍ନତି ପାଇଁ କାମ କରନ୍ତି । ଆମ ଗ୍ରାମରେ ଯେଉଁ ମାନେ ଅସୁବିଧାରେ ଥାଆନ୍ତି, ଆଜିକାଲି ଉନ୍ନତ ଶିକ୍ଷିତ ଲୋକମାନେ ସେମାନଙ୍କୁ ପୋକମାଛି ଭଳି ଦେଖନ୍ତି । ବର୍ତ୍ତମାନ କେହି ଗାନ୍ଧୀ, ଗୋପବନ୍ଧୁ ନାହାଁନ୍ତି ସେମାନଙ୍କୁ ସେବା ଶୁଶ୍ରୂସା କରିବାକୁ । ଏହି କ୍ଷୀପ୍ର ଗତିରେ ଚାଲୁଥବା ଦୁନିଆରେ ସମସ୍ତେ କେବଳ ନିଜ କଥା ହିଁ ଭାବନ୍ତି” । ୨୦୦୩ ମସିହାରେ ଷଷ୍ଠଶ୍ରେଣୀର ଜଣେ ଛାତ୍ରୀ ନିଜ ଗାଁ’ର ବୟସ୍କ ଲୋକଙ୍କ ନିକଟରୁ ସଂଗ୍ରହ କରିଥିବା ତଥ୍ୟକୁ ଏମିତି ଉପସ୍ଥାପନ କରିଥିଲେ । ପଢିବା ପରେ ମୋ ଭିତରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ମୁଁ ସେତେବେଳେ ବାଣୀ ବିହାରରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର, ଆଇନରେ ସ୍ନାତକ ସାରି ଇଗନୁରୁ ସମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର ଶେଷ କରିଥାଏ । ମୋର ଏତେସବୁ ପାଠ ଷଷ୍ଠ ଶ୍ରେଣୀର ପିଲାଟିର ବୁଝାମଣା ଆଗରେ ଫିକା ମନେହେଲା । ମୋର ଅନୁଭବ ହେଲା କେଉଁଠି ନା କେଉଁଠି ଆମେ ପିଲାଙ୍କ ଭିତରେ ଜାଣିବାର ଇଚ୍ଛାକୁ ଯେମିତି ବ୍ୟାପକ କରିବା କଥା ସେଥିପାଇଁ ପରିବେଶ ଦେଇ ପାରୁନାହୁଁ । ବିଶେଷକରି ଗାଁ ଭିତରେ ପାଠ ପଢୁଥିବା ସମୟରେ ଛୋଟ ଛୋଟ ପିଲାମାନଙ୍କର ଗାଁକୁ ନେଇ ଯେଉଁ ଶ୍ରଦ୍ଧା ଓ ଭଲପାଇବା ଥାଏ ସେତିକି ବେଳେ ଯଦି ସେମାନେ ନିଜ ଗାଁ ସମ୍ପର୍କରେ ଅଧିକ ଜାଣିବା ପାଇଁ ପ୍ରଶ୍ନ କରିବେ ହୁଏତ ଏହା ତାଙ୍କର ଚିନ୍ତା ଓ ଚେତନାକୁ ସଂପୂର୍ଣ୍ଣ ବଦଳେଇ ଦେବ ।
ସେଦିନ ପ୍ରଫେସର ସ୍ବାଧିନାନନ୍ଦ ପଟ୍ଟନାୟକ ସାରଙ୍କ ହାର୍ଟ ଅପରେସନ ସମୟରେ ତାଙ୍କର ଜଣେ ଛାତ୍ରଙ୍କ ସହିତ ଭେଟ ହେଲା । ସେ ଭୁବନେଶ୍ବରର ଏକ ଇଙ୍ଗିନୀୟଋଂ କଲେଜରେ ସହଯୋଗୀ ପ୍ରଫେସର ଅଛନ୍ତି । କଥାବାର୍ତ୍ତା ଭିତରେ ମୁଁ ଯେତେବେଳେ କହିଲି ଯେ ମୁଁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଏଇ ଗାଁ’ର ଜୀବନୀ ଲେଖାଇବା ଉଦ୍ୟମ କରୁଛି, ସେ କହିଲେ ମାମ ଆପଣ କୋଭିଡ଼ ସମୟରେ ଖାତିଗୁଡାର ଭିଡିଓ କରିଥିଲେ କି ? ମୁଁ ପଚାରିଲି ଆପଣ କେମିତି ଜାଣିଲେ ? ସେ ଉତ୍ତର କଲେ ଯେ, ଆମେ ୨୦୦୩ ମସିହାରେ ୮୦ରୁ ଅଧିକ ଜଣ ପିଲା ଆମ ଗାଁ’ର ଜୀବନୀ ଲେଖିଥିଲୁ । ଆମ ସହିତ ସୋହନା ପରବିନ ବି ଲେଖିଥିଲେ । ମୋର ଉତ୍ସାହ ବହୁତ ବଢିଗଲା । ମୁଁ ପଚାରିଲି ଆପଣ ସେତେବେଳେ କ’ଣ ଲେଖିଥିଲେ ଆଜିଯାଏ ମନେଅଛି ? ସେ କହିଲେ କ’ଣ କହୁଛନ୍ତି, ଆମ ଗାଁ’ର ଜୀବନୀ ଲେଖିବା ଆମମାନଙ୍କ ପାଇଁ ଏତେ ଉତ୍ସାହର ବିଷୟ ଥିଲା ଯେ, ଆଜିଯାଏ କେବେ ସେ କଥା ଭୁଲିନାହୁଁ କି ଭୁଲିବୁ ନାହିଁ । ଆମକୁ ସେହି କାମ ବହୁତ ପ୍ରେରଣା ଦେଇଥିଲା । ସେତେବେଳେ ମୁଁ ଅନୁଭବ କରିଥିଲି କାହିଁକି ପାଇକମାଳରେ ଗାଁ ଇତିହାସ କାମ କଲାବେଳେ ପିଲାମାନେ ବିଶେଷକରି ଝିଅମାନେ ଶହ ଶହ ସଂଖ୍ୟାରେ ଏହି କାମରେ ଆଗ୍ରହ ଦେଖାଉଛନ୍ତି । ଏହି ଝିଅମାନେ ଗାଁ ଗାଁରେ ଏବେ ଇତିହାସ ଲେଖା କାମରେ ଲାଗି ଯାଇଛନ୍ତି । ନିଜ ଗାଁକୁ ନେଇ ଏଭଳି ଶ୍ରଦ୍ଧା ହୁଏତ ଆମ ସହର ପାଖ ଗାଁରେ ନଥାଇପାରେ ବୋଲି ମୋର ଧାରଣା ଥିଲା କିନ୍ତୁ ଏବର୍ଷ ଏପ୍ରିଲ ପହିଲା ଦିନ ସମଧ୍ଵନି ଓଡିଆ ଭାଷା ଦିବସରେ ଗାଁ’ର ଜୀବନୀ ଲେଖିବା ପାଇଁ ଯେଉଁ ପ୍ରତିଯୋଗୀତା ଘୋଷଣା କରିଥିଲା ସେଥିରେ ଖୋର୍ଦ୍ଧା ଅଞ୍ଚଳର ସହର ପାଖରେ ଥିବା ଗାଁ’ର ଝିଅମାନେ ଖୁବ ଆଗ୍ରହରେ ଭାଗ ନେଇ ନିଜ ନିଜ ଗାଁ’ର ଜୀବନୀକୁ ଲିପିବଦ୍ଧ କରିଥିଲେ ।


ଏ ବର୍ଷ 2025 ମସିହା ନଭେମ୍ବର ୧୧ ତାରିଖ ବିଶ୍ଵ ମାଣ୍ଡିଆ ଦିବସରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ସମ୍ମେଳନର ସପ୍ତମ ଅଧିବେଶନରେ କୃଷି ଐତିହ୍ୟ ଓ କୃଷି ଜୈବ ବିବିଧତାର ସଂରକ୍ଷଣରେ ମହିଳା କୃଷକମାନଙ୍କ ଭୂମିକା ବିଷୟରେ FAO (Food and Agriculture Organization) ଦ୍ଵାରା ଏକ ସେଶନ୍ ହୋଇଥିଲା, ଯେଉଁଥିରେ ମୋତେ “ଓଡ଼ିଶାର କୃଷି ଐତିହ୍ୟ ଲିପିବଦ୍ଧ କାର୍ଯ୍ୟରେ ଯୁବକ ଓ ଯୁବତୀମାନଙ୍କ ଯୋଗଦାନ ” ସମ୍ପର୍କରେ ଆଲୋଚନା କରିବାପାଇଁ ବକ୍ତା ଭାବରେ ନିମନ୍ତ୍ରଣ କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀମାନେ ନିଜ ନିଜ ଗାଁ ସମ୍ପର୍କରେ ଓ ଚାଷ ବାସ ସମ୍ପର୍କରେ ଯେଉଁସବୁ ତଥ୍ୟ ସଂଗ୍ରହ କରିଛନ୍ତି ଓ କେଉଁଭଳି ଉତ୍ସାହ ଦେଖେଇଛନ୍ତି, ସେ ବିଷୟରେ ଆଲୋଚନା କରିବାର ଥିଲା ।
ମୁଁ ମୋ ବକ୍ତବ୍ୟ କେମିତି ଉପସ୍ଥାପନ କରିବି ଚିନ୍ତାରେ ପଡିଯାଇଥିଲି । ଘଣ୍ଟାଏ ପନ୍ଦର ମିନିଟ ସମଗ୍ର ସେଶନର ସମୟ । ସେଥିରେ ମୋତେ ୫ ମିନିଟ ମିଳିଛି । ମୁଁ ୨୦ ବର୍ଷ ଧରି ଯେଉଁ କାମ ସହିତ ଯୋଡି ହୋଇଛି ଓ ୨୦୨୦ କୋଭିଡ଼ ସମୟରୁ ଏବେ ପର୍ଯ୍ୟନ୍ତ ଯେଉଁ ବିଷୟରେ ମୁଁ ଅନବରତ ଶହ ଶହ ଛାତ୍ରଛାତ୍ରୀଙ୍କ ସହିତ କାମ କରୁଛି, ୫ ମିନିଟ ଭିତରେ ତାକୁ ସବୁ କେମିତି କହିବି ଚିନ୍ତାରେ ପଡିଗଲି । ଶେଷରେ କୃଷି ବିଷୟରେ ତିନି ଚାରିଜଣ ଛାତ୍ରୀଙ୍କର ଲେଖାକୁ ଉଦାହରଣ ମାଧ୍ୟମରେ ଯାହା କହିଲି ଏଠାରେ ଉପସ୍ଥାପନ କରାଯାଇଛି ।
“କୋରାପୁଟ ଜିଲ୍ଲାର ଗୋଡିହଞ୍ଜର ଗାଁ’ର ଝିଅ ରଜନୀ ଖେମୁଣ୍ଡ ଓ ନଲିନୀ ହନ୍ତାଳ ଲେଖିଛନ୍ତି ଯେ, ଅତୀତର ଅନେକ ଖାଦ୍ୟ ଯେମିତିକି; କାଙ୍ଗୁ ଭାତ, ସୁଆଁ ଭାତ, କୋଦ ଭାତ, ପିତା ଶାଗ, ଆମସୀ ଶାଗ , ଉମାର ଶାଗ , ପିତା କନ୍ଦା, ସରେଣ୍ଡା କନ୍ଦା, ତାରଗାଇ କନ୍ଦା, ନଙ୍ଗଲ କନ୍ଦାକୁ ଲୋକେ ପୂରାପୂରି ଭୁଲି ଗଲେଣି । ତାଙ୍କ ଗାଁ’ର ପାଖାପାଖି ୪୦ ପ୍ରତିଶତ ଯୁବ ପିଢୀ ଗାଁ ଛାଡି କାମ ପାଇଁ ବାହାରକୁ ଚାଲିଯାଉଛନ୍ତି । କୋରାପୁଟ ଜିଲ୍ଲାର ପ୍ରାୟ ୧୦ଟି ଗାଁରୁ ସଂଗୃହିତ ତଥ୍ୟରେ ଏଭଳି ଆକଳନ ରହିଛି । ସେମିତି ଛାତ୍ରଛାତ୍ରୀମାନେ ଝୁଡୁଙ୍ଗା ଓ ଲଟା ମଞ୍ଜିକୁ କେମିତି ରୋଷେଇ ଘରେ ଟଙ୍ଗେଇ ଅଧିକ ଦିନ ସଂରକ୍ଷଣ କରାଯାଏ ଲିପିବଦ୍ଧ କରିଛନ୍ତି । ପାଇକମାଳ ବ୍ଲକର ଛାତ୍ରୀମାନେ ବିଭିନ୍ନ ପରିବା ମଞ୍ଜିକୁ ସାଇତି ରଖିବାର କୌଶଳ ଜାଣିବାକୁ ପାଇଛନ୍ତି । ଯେମିତିକି, କାକୁଡି, ପାତଲଘଣ୍ଟା ମଞ୍ଜିକୁ ରୋଷେଇ ଘର କାନ୍ଥରେ ବିଲ ମାଟି ଓ ଗୋବର ଦେଇ ଲିପି ଦିଆଯାଏ । କୁଦୋଗୁଡ଼ା ଗାଁ’ର ଲୋପମୁଦ୍ରା ପ୍ରଧାନ, ନିଜ ଅଜା ମାଧବ ସାହୁଙ୍କ ନିକଟରୁ ଅନେକ ପୁରୁଣା ଜ୍ଞାନ କୌଶଳ ଜାଣିବାକୁ ପାଇଛନ୍ତି । ବିଭିନ୍ନ କୀଟ ପତଙ୍ଗର ଶବ୍ଦ ଶୁଣି କେମିତି ଲୋକେ ଜାଣୁଥିଲେ ବର୍ଷା ଆସିଲା ବୋଲି । ଆକାଶରେ ବାଦଲକୁ ଅନେଇ ଚାଷୀ କହୁଥିଲେ ଏବର୍ଷ ଭଲ ଫସଲ ହେବ କି ନା । ବିଲର ମାଟିକୁ ଦେଖିଲେ ଚାଷୀ କହିପାରୁଥିଲେ ଏହା ଚାଷ ଉପଯୋଗୀ କି ନାହିଁ । ଆହୁରି ଅନେକ ପାରମ୍ପରିକ ଜ୍ଞାନ ବିଷୟରେ ସେ ଲେଖିଛନ୍ତି । ଗାଁ’ର କୃଷି ସଂସ୍କୃତି ବିଷୟରେ ଛାତ୍ରଛାତ୍ରୀମାନେ ଲେଖିଛନ୍ତି ଯେ, ଅତୀତରେ ଝିଅ, ବୋହୁ ଓ ମା’ମାନେ ଦଳ ଦଳ ହୋଇ ଧାନ ରୋଇବାକୁ ଯାଉଥିଲେ । ଆଜି ବି ମା’ମାନେ ଧାନ ରୋଇବାକୁ ଯାଉଛନ୍ତି କିନ୍ତୁ ଝିଅମାନେ କମ ଯାଉଛନ୍ତି । ଅତୀତରେ ଅଦଳ ବଦଳ ହୋଇ ଗାଁ’ରେ ସମସ୍ତେ ଧାନ ରୋଇ ଯାଉଥିଲେ । ଗଉଁନ୍ତିଆ ଘରର ଝିଅ ବି ଅନ୍ୟ ଘରକୁ ଧାନ ରୋଇ ଯାଉଥିଲା । ଅଧ୍ୟାପିକା ଜୟଶ୍ରୀ ସାହୁ ପିଲାଦିନେ ଏକଥା ଦେଖିଛନ୍ତି ବୋଲି କୁହନ୍ତି ।
ଗନ୍ଧମାର୍ଦ୍ଦନ ପର୍ବତର ଜୈବ ବିବିଧତା ବିଷୟରେ ବଇଦପାଲି ଗାଁ’ର ହିମାନୀ ପ୍ରଧାନ ଲେଖିଛନ୍ତି ଯେ, ଆମ ଗାଁରେ ବୈଦ୍ୟମାନେ ରହୁଥିବାରୁ ଏହାର ନାମ ବଇଦପାଲି ଦିଆଯାଇଥିଲା । ତାଙ୍କ ଗାଁ’ର ଜଣେ ନାରୀ ବୈଦ୍ୟ ଗନ୍ଧମାର୍ଦ୍ଦନର ଚେରମୂଳି ଦେଇ ହଜାର ହଜାର ଯକ୍ଷ୍ମା ରୋଗୀଙ୍କୁ ଭଲ କରିଛନ୍ତି । ପାଇକମାଳ ବ୍ଲକର ମାଣ୍ଡିଆଢିପା ଗାଁ’ର ଗାୟତ୍ରୀ ଦନସନା ଗନ୍ଧମାର୍ଦ୍ଦନ ପର୍ବତର ଜୈବ ବିବିଧତା ସମ୍ପର୍କରେ ଗାଁର ବୟସ୍କମାନଙ୍କ ନିକଟରୁ ତଥ୍ୟ ସଂଗ୍ରହ କରି ଲେଖିଛନ୍ତି ଯେ, ଓଡିଶାରେ 3 ହଜାର ପ୍ରଜାତିର ଭାସ୍କୁଲାର ପ୍ଳାଣ୍ଟ, 130 ପ୍ରଜାତିର ଅର୍ଚିଡ, 12ଟି ପ୍ରଜାତିର ଫର୍ଣ୍ଣର ର ସନ୍ଧାନ ମିଳିଛି । ସେଥିରୁ ଅର୍ଦ୍ଧାଧିକ ଆମ ଗନ୍ଧମାର୍ଦ୍ଦନରେ ଅଛି । ଗନ୍ଧମାର୍ଦ୍ଦନରେ ଥିବା ୫୦ରୁ ଅଧିକ ଔଷଧୀୟ ଗଛର ଏକ ଲାମ୍ବା ଲିଷ୍ଟ ସେ ଦେଇଛନ୍ତି।“
ଏସବୁ ତଥ୍ୟ ଶୁଣିବା ପରେ ଉପସ୍ଥିତ ସମସ୍ତ ସଭ୍ୟ ଏହି କାମକୁ ନେଇ ବହୁତ ଉତ୍ସାହିତ ହୋଇଥିଲେ । FAO (Food and Agriculture Organization) ତରଫରୁ ଏହି ଅଧିବେଶନର ଅଧ୍ୟକ୍ଷତା କରୁଥିବା ପଦ୍ମଶ୍ରୀ ସାବରମତି ଓ ମାୟା ନାୟାର ଓ ଓଡିଶାରେ GIAHS (Globally Important Agricultural Heritage Systems) ର ପ୍ରୋଜେକ୍ଟ ମୁଖ୍ୟ ଅମିଶା ପଟେଲ ଏହିଭଳି ଏକ ଉଦ୍ୟମ ବ୍ୟାପକ ଭାବରେ ହେବା ଆବଶ୍ୟକ ବୋଲି ଆଲୋଚନା କରିଥିଲେ । ସେମାନଙ୍କର ମତ ଥିଲା ଯେ, ଏହି ଉଦ୍ୟମ ଦ୍ଵାରା କେବଳ ଲିପିବଦ୍ଧ କାମ ହେଉ ନାହିଁ ବରଂ ଆସନ୍ତା ପିଢୀ ନିଜର ଗାଁ’ର ଐତିହ ଓ ଅସ୍ମିତାକୁ ସଂରକ୍ଷଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଯୁବ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କରାଯାଉଥିବା ଏହି ଉଦ୍ୟମ ଆମ ସଂସ୍କୃତି, ଓ ଐତିହ୍ୟକୁ ଲିପିବଦ୍ଧ କରିବା ଓ ଏହାକୁ ସଂରକ୍ଷିତ କରିବାପାଇଁ କେତେ ଜରୁରୀ ଓ କେତେ ସମୟୋପଯୋଗୀ ସମସ୍ତେ ଅନୁଭବ କରିଥିଲେ ।
ଏବେ ଏହି କାମ କେବଳ ଓଡିଶା ନୁହେଁ ବିଶ୍ଵର ବିଭିନ୍ନ ଦେଶର ଆଦିବାସୀ ରହୁଥିବା ଗାଁ ଗୁଡିକରେ ଆରମ୍ଭ ହୋଇଛି । ଜର୍ମାନୀର ଏକ ସାମାଜିକ ସଂଗଠନ ଜୋଯନ୍ତୁ ଏହି କାମ ଦ୍ଵାରା ପ୍ରଭାବିତ ହୋଇ ଅତି ଉତ୍କଣ୍ଠାର ସହିତ ଗାଁ’ର ଯୁବ ଛାତ୍ରଛାତ୍ରୀମାନଙ୍କୁ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି । ଏ କ୍ଷେତ୍ରରେ ସେମାନେ ଆମର ଅନୁଭୂତିର ସହଯୋଗ ନେଇଛନ୍ତି ।
ଏଭଳି ଏକ ସମୟରେ ଖୁସି ଲାଗୁଛି ଯେ, ଯେଉଁମାନେ ଏହି କାମକୁ ପରିକଳ୍ପନା କରିଥିଲେ ଓ ପ୍ରଥମେ ପରୀକ୍ଷଣ କରି ଏହାର ଗୁରୁତ୍ତ୍ଵକୁ ଅନୁଭବ କରିଥିଲେ, ସେମାନେ ଆମପାଇଁ କେତେ ବଡ କାମ କରିଛନ୍ତି । ସେଥିପାଇଁ ସେମାନଙ୍କ ନିକଟରେ ଆମେ ସମସ୍ତେ ଚିର ଋଣି ରହିବା । ବିଶେଷକରି ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ଯିଏକି ଏହି କାମକୁ ୧୯୯୪ ମସିହାରେ ପରିକଳ୍ପନା କରିଥିଲେ ଓ ଭଞ୍ଜନଗର ନିକଟରେ କିଛି ଗାଁ’ରେ ନିଜ ବନ୍ଧୁ ଅମୂଲ୍ୟ ଦାସଙ୍କ ସହିତ ମିଶି ପରୀକ୍ଷଣ କରିଥିଲେ, ତାଙ୍କର ଅବଦାନ ଅତୁଳନୀୟ । ଆଜି ବି ସେ ଆମକୁ ଅନେକ ସମୟରେ ପରାମର୍ଶ ଦେଉଛନ୍ତି କେମିତି ଏହି କାମକୁ ଆହୁରି ଆଗକୁ ନିଆଯାଇ ପାରିବ ।
ଏହି କାମକୁ ପ୍ରେରଣା ଦେବା ଓ ଓଡିଶାରେ ସରକାରୀ ସ୍ତରରେ ସ୍ବୀକୃତି ଦେବା କ୍ଷେତ୍ରରେ ପ୍ରଫେସର ସ୍ଵାଧିନାନନ୍ଦ ପଟ୍ଟନାୟକ ଓ ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ଭୂମିକା ମଧ୍ୟ ଅତି ଗୁରୁତ୍ତ୍ୱପୂର୍ଣ୍ଣ । ପ୍ରଫେସର ବୀରେନ୍ଦ୍ର ନାୟକ ସମଦୃଷ୍ଟି ମୁକ୍ତ ବିଦ୍ୟାଳୟର ଗ୍ରାମ୍ୟ ସାମ୍ବାଦିକତା ଛାତ୍ରଛାତ୍ରୀମାନଙ୍କୁ ଗାଁ ସମ୍ପର୍କରେ ବୁଝେଇବା ସମୟରେ ମୋର ନିଜର ଅନେକ ବିଷୟରେ ବୁଝାମଣା ସୃଷ୍ଟି ହୋଇଛି । ଆଶା ଭବିଷ୍ୟତରେ ଏହିଭଳି ଗୁରୁମାନଙ୍କର ଦୃଷ୍ଟିକୋଣକୁ ପାଥେୟ କରି ଆମ କାମ ଆଗେଇ ଚାଲିବ । କୃଷି କ୍ଷେତ୍ରରେ ଆମର ଆଖି ଖୋଲି ଦେଇଛନ୍ତି ସମଦୃଷ୍ଟି ମୁକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ବିଶିଷ୍ଟ ଦେଶୀ ଚାଷୀ ଶ୍ରୀଯୁକ୍ତ ନଟବର ଷଡଙ୍ଗୀ । ଗାଁ ସମ୍ପର୍କରେ ଲିପିବଦ୍ଧ କାମ କରିବା ବେଳେ ଆମେ ଅନେକ ସମୟରେ ତାଙ୍କର ପରାମର୍ଶ ଗ୍ରହଣ କରିଥାଉ ।
ଲୋକ ବିଜ୍ଞାନ ପରିଷଦର “ଆମ ଗାଁ ଆମ ଜୀବନ” ପୁସ୍ତକରୁ ମୋ ନିଜର ଗାଁ’ର ଜୀବନୀ ଲେଖିବା କାର୍ଯ୍ୟକ୍ରମ ସହିତ ସମ୍ପର୍କ ୨୦୦୫ ମସିହାରେ ଆରମ୍ଭ ହୋଇଥିଲା । ୨୦୦୮ ମସିହାରେ ସମଦୃଷ୍ଟି ମୁକ୍ତବିଦ୍ୟାଳୟ ଆରମ୍ଭ ହେବା ପରେ ଛାତ୍ର ସାମ୍ବାଦିକମାନେ ଗାଁ’ର ଜୀବନୀ ଲେଖିବା, ସମ୍ବାଦିକତା କାର୍ଯ୍ୟକ୍ରମର ପ୍ରଥମ ପାହାଚ ଓ ସେଇ ଲେଖା ନଦେବା ଯାଏ ନାମ ପଞ୍ଜୀକରଣ କରାଯାଉ ନଥିଲା । ସମ୍ବାଦିକତା ଶିକ୍ଷା କ୍ଷେତ୍ରରେ ମୋର ଅନୁଭୂତି ହୋଇଥିଲା ଯେ, ବହୁତ କମ ଛାତ୍ରଛାତ୍ରୀ ଗାଁ କଥାକୁ ନେଇ ଅଧିକ ଆଗ୍ରହୀ ଥିଲେ । ମୋତେ ସେଥିପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଯୋଡି ହୋଇ ଏହି କାମ କରିବାରେ ଆଗ୍ରହ ଥିଲା । ପ୍ରାରମ୍ଭିକ ବୟସର ଛାତ୍ରଛାତ୍ରୀମାନଙ୍କ ଭିତରେ ଗାଁ’କୁ ନେଇ ଯେଉଁ ଶ୍ରଦ୍ଧା ଆମେ ପରୀକ୍ଷା ଭିତରେ ଦେଖିବାକୁ ପାଇଛୁ ତାହା ଅତ୍ୟନ୍ତ ନିଆରା । ସେମାନଙ୍କ ଲେଖାକୁ ସମୀକ୍ଷା କରିବା ପାଇଁ ମୋତେ ଏହି ବିଷୟରେ ଧାରାବାହିକ ଲେଖିବାକୁ ହେବ । ତେବେଯାଇ ଆପଣମାନଙ୍କୁ ଜଣେଇପାରିବି ଯୁବ ଛାତ୍ରଛାତ୍ରୀମାନେ କେମିତି ନିଜ ଗାଁକୁ ଦେଖୁଛନ୍ତି ଓ ବୁଝୁଛନ୍ତି । ଏହି ବିଷୟ ତ ବହୁତ ପ୍ରଭାବଶାଳୀ । ଦେଖାଯାଉ ସମୟର ସ୍ୱଳ୍ପତା ମଧ୍ୟରେ କେମିତି ସବୁ କଥାକୁ ଏକାଠି କରି ଉପସ୍ଥାପନ କରିପାରୁଛି ସମୟ କହିବ । ତଥାପି ୧୪ ନଭେମ୍ବର ୨୦୨୫, ଶିଶୁ ଦିବସରେ ଆରମ୍ଭ ହୋଇଥିବା ଏହି ଲେଖା ସାଂସ୍କୃତିକ ପୁନର୍ଜାଗରଣ କ୍ଷେତ୍ରରେ ଶିଶୁ ଓ ଯୁବ ଛାତ୍ରଛାତ୍ରୀ ମାନଙ୍କ ଭୂମିକାକୁ ନିର୍ଣ୍ଣୟ କରିବା ପାଇଁ ପ୍ରୟାସ କରିବ ।
ଆପଣଙ୍କର ଆଗ୍ରହ ଓ ଧର୍ଯ୍ୟ ପାଇଁ ବହୁତ ବହୁତ ଧନ୍ୟବାଦ
ନମସ୍କାର – ୧୪-୧୧-୨୦୨୫, ଶିଶୁ ଦିବସ ଉପଲକ୍ଷେ

