ଓଡିଶାର ଶାସ୍ତ୍ରୀୟ ସଂଗୀତର ସ୍ଥିତି ଓ ପ୍ରଗତି : କାଲି ଓ ଆଜି

Guru Karunakar Nayak
234 Views
19 Min Read

ଗୁରୁ ଶ୍ରୀ କରୁଣାକର ନାୟକ ଦୀର୍ଘଦିନ ଧରି ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ବିଭାଗରେ ଅଧ୍ୟାପନା କରି ଆସୁଛନ୍ତି । ଶାସ୍ତ୍ରୀୟ ସଙ୍ଗୀତପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଏହି ଲେଖାରୁ ଅନଭବ କରିହେଉଛି । ତାଙ୍କ ଅଧ୍ୟାପନା ଜୀବନର ଅନୁଭୂତିକୁ ଲିପିବଦ୍ଧ କରିବାପାଇଁ ସମଧ୍ଵନି ତରଫରୁ ଆମେ ତାଙ୍କୁ ବାରମ୍ବାର ଅନୁରୋଧ କରିଆସିଛୁ । ସଙ୍ଗୀତ କ୍ଷେତ୍ରରେ ଗୁରୁଙ୍କ ସହିତ ସମ୍ପର୍କ, ସାଧକଙ୍କ ପ୍ରତିବଦ୍ଧତା ଓ ସାମାଜିକ ପ୍ରେରଣା – ଏଭଳି ବିଷୟରେ ସେ ଯେଉଁ ବାର୍ତ୍ତା ଦେବାପାଇଁ ପ୍ରୟାସ କରିଛନ୍ତି ତାହା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ମନେହୁଏ । – ସମ୍ପାଦକ

Support Samadhwani

ପ୍ରଥମେ ସଂଗୀତ ଓ ପରେ ଶାସ୍ତ୍ରୀୟ ସଂଗୀତ ବୋଲି ମୋ ଜାଣିବାରେ ଆମେ ପିଲାବେଳଠୁ ଯାହା ଆନୁଭବ ଓ ଅନୁମାନ କରିଛୁ ସେ ବିଷୟରେ ଏଠାରେ କିଛି ପ୍ରକାଶ କରିବି । ଶାସ୍ତ୍ରୀୟ ସଂଗୀତ ପରିସରକୁ ଆସିବା ପୂର୍ବରୁ ମୋର ପିଲାବେଳର ସଂଗୀତ ପ୍ରତି ଅନୁରାଗ ଓ ଅନୁଭବକୁ ଉପସ୍ଥାପନ କଲେ ବର୍ତ୍ତମାନର ସ୍ଥିତିକୁ ତୁଳନା କରିବାରେ କିଛିଟା ସହାୟ ହେବ ବୋଲି ମନେକରେ । କାରଣ ପୂର୍ବବର୍ତ୍ତିକୁ ଅନୁକରଣ ବା ଅନୁସରଣ କରି ପରବର୍ତ୍ତିର ଆବିର୍ଭାବ ହୋଇଥାଏ ।

ଆମ ଗାଁରେ ସେତେବେଳେ ଏକ ଛୋଟିଆ ସଂକୀର୍ତ୍ତନ ମଣ୍ଡଳୀ ଥାଏ । ଆମ ବାପା ୰ଶ୍ରୀ ପୂର୍ଣ୍ଣାନନ୍ଦ ନାୟକ ଉଭୟ ଗାୟକ ଓ ବାୟକ ଭୂମିକା ନିର୍ବାହ କରନ୍ତି । ତେଣୁ ସ୍ୱଭାବିକ ଭାବେ ପିଲାବେଳରୁ ଆମର ସଂଗୀତ ପ୍ରତି ଦୁର୍ବଳତା ରହିଲା । ସେଥିପାଇଁ ସ୍କୁଲର ଶିକ୍ଷକମାନେ ବିଭିନ୍ନ ଗୀତି ନାଟକ, ନାଟକ, ବୃନ୍ଦସଂଗୀତ ଓ ବିଭିନ୍ନ ଉତ୍ସବ ମାନଙ୍କରେ ଆମ୍ଭକୁ ସାଂଗିତିକ କାର୍ଯ୍ୟକ୍ରମରେ ସାମିଲ କରାନ୍ତି । ଆମର ପ୍ରତିଭା ଥିଲେ ମଧ୍ୟ ଗାଁ ମଫସଲରେ ସଂଗୀତ ଶିଖିବା ପାଇଁ କିଛି ସୁବିଧା ସୁଯୋଗ ନଥିଲା । ତେଣୁ ଶାସ୍ତ୍ରୟ ସଂଗୀତ ଶିକ୍ଷା ବିଷୟରେ ଆମର ଧାରଣା ମାଟ୍ରିକ୍‌ ପାଶ୍‌ ପର୍ଯ୍ୟନ୍ତ ମଧ୍ୟ ନଥିଲା । ସେତେବେଳେ ସଂଗୀତ କହିଲେ ଡ୍ରାମା, ଅପେରା, ରେଡ଼ିଓରେ ବାଜୁଥିବା ବନ୍ଦନା, କଥାଚିତ୍ର ଗୀତ କିମ୍ୱା ଚୁଙ୍ଗା ମାଇକ୍‌ରେ ବାଜୁଥିବା ଗ୍ରାମଫୋନ୍‌ ରେକର୍ଡ ଗୀତ ଇତ୍ୟାଦିକୁ ବୁଝାଏ । ହଁ ସେତେବେଳେ ରେଡ଼ିଓରେ ବେଳେବେଳେ ଶାସ୍ତ୍ରୀୟ ସଂଗୀତ ର ସ୍ୱର ଆ……ଆ……. କରିଦିଏ । ହେଲେ କେହି ବୁଝନ୍ତିନି ବରଂ କୁହନ୍ତି ରେଡ଼ିଓଟିକୁ ବନ୍ଦ କରିଦେବା ପାଇଁ । ଏଇଠି କହିରଖେ କି ଯଦି ଆମ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ସ୍ତରଠାରୁ ଶାସ୍ତ୍ରୀୟ ସଂଗୀତର ଉପଯୋଗିତା ବା ଉପକାରିତା ସମନ୍ଧରେ କିଛି ପାଠ୍ୟ ପୁସ୍ତକ କିମ୍ୱା କିଛି ସୂଚନା ଦିଆ ଯାଇଥାନ୍ତା ତେବେ ପିଲାବେଳରୁ ମଧ୍ୟ ଆମ୍ଭେମାନେ ସଂଗୀତ ଓ ଶାସ୍ତ୍ରୀୟ ସଂଗୀତ ମଧ୍ୟରେ କିଛିଟା ଧାରଣା ପାଇଥାନ୍ତୁ । ଆଜିକାଲି ପିଲାମାନେ ପାଠ ସହିତ କେତେ ପ୍ରକାରର କାର୍ଯ୍ୟକଳାପ ଗୁଡ଼ିକ ବା କୋ କରିକୁଲର ଏକଟିଭିଟି ଯେମିତି ଶିଖୁଛନ୍ତି ତାହା ସମସ୍ତଙ୍କୁ ଜଣା ।

କଲେଜ ଶିକ୍ଷାର ୨/୩ ବର୍ଷ ପରେ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ( ସେଇ ଅନୁଭୂତି ବଖାଣିଲେ ଏକ ବହି ହୋଇପାରେ, ଆତ୍ମଜିବନୀ ଭାବେ ) କଟକ କଳାବିକାଶ କେନ୍ଦ୍ର, ଯାହାକି ଓଡିଶାର ବଡ଼ ବଡ଼ କଳାକାରମାନଙ୍କର ପ୍ରଥମ ବିକାଶର ଅନୁଷ୍ଠାନ, ସେଠାରେ ମୋର ପ୍ରଥମ ଶାସ୍ତ୍ରୀୟ ସଂଗୀତ ଗୁରୁ ଶ୍ରୀଯୁକ୍ତ ଗୟାଧର ଶାହାଙ୍କ ଠାରୁ ପ୍ରାଥମିକ ସ୍ତରର ଶିକ୍ଷା ଆରମ୍ଭ ହୁଏ । ୨ବର୍ଷ ପରେ ସେ ପୁଣି କୁହନ୍ତି ଭୁବନେଶ୍ୱରର ସଂଗୀତ ମହାବିଦ୍ୟାଳୟ ସରକାରୀ ଅନୁଷ୍ଠାନ ସମ୍ୱନ୍ଧରେ । ସେତେବେଳେକୁ ମୋର ବୟସ ୨୧ ବର୍ଷ ଉପରେ । ଏଥିରୁ ଅନୁମାନ କରିହୁଏ ଆଜିକାଲି ପିଲାମାନେ LKG UKG ରୁ ମଧ୍ୟ ଶାସ୍ତ୍ରୀୟ ସଂଗୀତ ଆରମ୍ଭ କରିପାରୁଛନ୍ତି । ସେ ସହର ହେଉ କିମ୍ୱା ମଫସଲ । କାରଣ ବର୍ତ୍ତମାନର Mobile ଦୁନିଆରେ ସମସ୍ତଙ୍କୁ ଉଣା ଅଧିକେ ସବୁ ବିଷୟ ଜଣା ।

Support Samadhwani

ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ପଦ୍ଧତି ଓ ସାଧନା ବିଷୟରେ ଆଲୋଚନା କରିବା । ମୋ ଅନୁଭୂତିରେ ଏହାକୁ ୨ଟି ସ୍ତରରେ ବିବେଚନା କରାଯାଇପାରେ (୧) ବେସରକାରୀ (Private) ଓ (୨) ସରକାରୀ (Government) ଶିକ୍ଷା ପଦ୍ଧତି । ପ୍ରକୃତରେ ଦେଖିବାକୁଗଲେ ବେସରକାରୀ ସ୍ତରରେ ଅଧିକାଂଶ ପିଲା ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରୁଛନ୍ତି । ଏହାର ମୁଖ୍ୟ କାରଣ ହେଲା ସାଧାରଣ ପାଠ ପଢୁଥିବା ପିଲାମାନେ ଯାହା ହେଲେ ବି ନିଜର ପାଠ ପଢାକୁ ଅଧିକ ଧ୍ୟାନ ଦେବେ ଏହା ସହିତ ସେ ଗୀତ, ନାଚ, ବାଦ୍ୟ, ଚିତ୍ରକଳା ଇତ୍ୟାଦି ଶିଖିବେ । ସେଥିପାଇଁ ସେମାନଙ୍କର ତାଲିମ୍‌ ସମୟ ସ୍କୁଲ ସମୟ ପରେ କିମ୍ୱା ଛୁଟି ଦିନ ମାନଙ୍କରେ ହୋଇଥାଏ । ବିଭିନ୍ନ ବେସରକାରୀ ସଙ୍ଗୀତ ଅନୁଷ୍ଠାନମାନଙ୍କରେ ପିଲାମାନେ ବିଭିନ୍ନ ବର୍ଗ ଓ ବୟସର ତାରତମ୍ୟ ନଥାଇ ମଧ୍ୟ ଶିଖି ଚାଲିଛନ୍ତି । ଆହୁରି ମଧ୍ୟ ଯେଉଁମାନେ ଚାକିରି କରିଛନ୍ତି କିନ୍ତୁ ସଙ୍ଗୀତ ଶିଖିବା ପାଇଁ ଇଛା ଅଛି, ସେମାନଙ୍କ ପାଇଁ ମଧ୍ୟ ଅନୁରୂପ ସମୟ ପ୍ରଯୁଯ୍ୟ ।

ସରକାରୀ ସ୍ତରରେ ଯେଉଁ ସଙ୍ଗୀତ ଶିକ୍ଷାର୍ଥୀ ଶିଖୁଛନ୍ତି ସେମାନେ କେବଳ ସଙ୍ଗୀତ ଶିକ୍ଷାରେ ହିଁ ସମୟ ବିତାଉଛନ୍ତି । ଭାବିବାକୁଗଲେ ସରକାରୀ ସ୍ତରରେ କେବଳ ହାତ ଗଣତି ଶିକ୍ଷାନୁଷ୍ଠାନ ଉପଲବ୍‌ଧ । ସେଠାରେ ସାଧାରଣ ସ୍କୁଲ କଲେଜ ପରି ମଧ୍ୟ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ପ୍ରତିଦିନ ନିୟମିତ ଛାତ୍ରଛାତ୍ରୀ ଭାବେ ପଢିବାକୁ ପଡ଼େ । ତେଣୁ ସେମାନଙ୍କର ସଂଖ୍ୟା ସିମୀତ ଅଟେ । କିନ୍ତୁ ସେହି ପିଲାମାନେ ବେସରକାରୀ ପିଲାମାନଙ୍କ ଠାରୁ ଅଧିକ ପ୍ରତିଭାବାନ୍‌ ହେବା କଥା । ବେଳେବେଳେ ଦେଖାଯାଏ ସରକାରୀ ଅନୁଷ୍ଠାନ ପିଲାମାନଙ୍କ ଠାରୁ ବେସରକାରୀ କିମ୍ୱା କୌଣସି ଗୁରୁମାନଙ୍କଠାରୁ ଶିକ୍ଷାପ୍ରାପ୍ତ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଧିକ ପ୍ରତିଭା ପରିଚୟ ପ୍ରଦାନ କରୁଛନ୍ତି। ଏଠାରେ ବୁଦ୍ଧିଜୀବି ଓ ପଣ୍ଡିତମାନେ ତୁଳନାତ୍ମକ ବିଚାର କରନ୍ତି ଯେ, ଉପଯୁକ୍ତ ସାଧନା (Practice) ବା ନିରବଛିନ୍ନ ସାଧନା ହିଁ ସଫଳତାର କାରଣ ।

ଏଠାରେ ଶିକ୍ଷାପଦ୍ଧତି ଓ ସାଧନା ୨ଟି ଯାକ ମୁଖ୍ୟକାରଣ ହେଉଛି ଜଣେ ବିଦ୍ୟାର୍ଥିୀର ଆଗକୁ ବଢିବାର ମାର୍ଗ ଅଟେ । ପରିବେଶ ଅନୁକୂଳ ଥାଉ କି ପ୍ରତିକୁଳ ଥାଉ। ସେଇଟା ଜଣେ ସାଧକ ପକ୍ଷରେ ଅଧିକ ଜରୁରୀ । କାରଣ ଆମେ ବିଭିନ୍ନ ପାରଦର୍ଶିତା ଲାଭ କରିଥିବା କଳାକାର ମାନଙ୍କର ଜିବନୀ ଇତିହାସ ଯେତିକି ଜାଣିବାପାଇଁ ପାଇଛୁ ସେଥିରେ ଅଧିକାଂଶ ବିଦ୍ୱାନ ପଣ୍ଡିତମାନେ ପ୍ରତିକୂଳ ପରିବେଶକୁ ଦୃଢତାର ସହ ସାମନା କରି ଗୋଟିଏ ଲେଖାଁଏ ଉଜ୍ଜଳ ତାରକା ହୋଇଛନ୍ତି ।

ଏଠାରେ ଦେଖାଯାଉଛି ଯେ, ପୂର୍ବ ସାଧକମାନଙ୍କ ଠାରୁ ବର୍ତ୍ତମାନର ଶିକ୍ଷାର୍ଥୀମାନେ ସାଧନା ବିମୁଖି ହେଉଛନ୍ତି । ଅତି ସହଜରେ କିପରି ନାଁ କରିବୁ ସେଥିପାଇଁ ବ୍ୟସ୍ତ ହୁଅନ୍ତି, ତାଙ୍କ ସାଧନାରେ ସିଦ୍ଧି ଥାଉ କି ନଥାଉ । ଶାସ୍ତ୍ରୀୟ ସଙ୍ଗୀତ ହେଉଛି ଏକ ବିଜ୍ଞାନ । ଏହାର ମୁଖ୍ୟ ଚାରି ବିଭାଗ ଗୁଡ଼ିକ ହେଲା – ( Physics, Mathemetics, Biology & Chemestry) ପଦାର୍ଥ, ଗଣିତ, ଜୀବ ଓ ରସାୟନ ବିଜ୍ଞାନର ସମିଶ୍ରଣ ଅଟେ । ସାଧାରଣ ସଙ୍ଗୀତ ମନୋରଞ୍ଜନାତ୍ମକ ହୋଇଥିବାବେଳେ ଶାସ୍ତ୍ରୀୟ ସଙ୍ଗୀତ ବିଜ୍ଞାନ ଧର୍ମୀ ମାନସିକ ଓ ଶାରିରୀକ (Music Therapy) ଅଟେ । ଏହାକୁ ବର୍ତ୍ତମାନର ଶିକ୍ଷାର୍ଥୀ ନ ବୁଝି କେବଳ ସନୋରଞ୍ଜନାତ୍ମକ ମନୋଭାରେ ନେଉଥିବାରୁ ସାଧନାରୁ ନିବୃତ ହେଉଛନ୍ତି ।

ଏହି ବିଷୟରେ ଅଧିକ ଜାଣିବା ପାଇଁ ଆମେ କେତେଜଣ ଓଡ଼ିଶାର କେତେକ ବିଦ୍ୱାନ ସଙ୍ଗୀତକାରମାନଙ୍କ ସହିତ ଆଲୋଚନା କରିଥିଲୁ । ସେମାନଙ୍କ ମତକୁ ଅତାତ ଓ ବର୍ତ୍ତମାନ ସ୍ଥିତିରେ ସଂକ୍ଷେପରେ ଏଠାରେ ଉତ୍‌ଥାପନ କରୁଛୁ ।

ଗୁରୁ ଡ଼ଃ. ରଘୁନାଥ ସାହୁ : ୧୦୦ ପୂର୍ବରୁ ଓଡିଶାରେ ସେପରି ବିଶେଷ କିଛି ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ଓ ପ୍ରସାର ନଥିଲା । ଶ୍ରୀଜଗନ୍ନାଥଙ୍କ ପାଇଁ ପୁରୀ ଏକ ମୁଖ୍ୟ ଧାର୍ମିକ ସ୍ଥଳୀ ତଥା ଏକ ‘ଧାମ’ ହୋଇଥିବାରୁ ବାହାରୁ ଅନ୍ୟାନ୍ୟ ଭକ୍ତମାନଙ୍କ ସହ ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତବି ଭକ୍ତ ମଧ୍ୟ ଆସିଥାନ୍ତି । ସେହି ସମୟରେ ପୁରୀ ମଧ୍ୟ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ପେଣ୍ଠସ୍ଥଳୀ ଥିଲା । ତେଣୁ ବାହାରୁ ଆସୁଥିବା ବିଶିଷ୍ଠ ସଙ୍ଗୀତଜ୍ଞମାନଙ୍କର କାର୍ଯ୍ୟକ୍ରମ ମଧ୍ୟ ସେଠାରେ ରଖାଯାଉଥିଲା, ଯାହାଦ୍ୱାରା ସେମାନଙ୍କର ସାଙ୍ଗୀତିକ କାର୍ଯ୍ୟକ୍ରମ ଆମ ରାଜ୍ୟର କଳାକାର ମାନଙ୍କଉପରେ ଯଥେଷ୍ଟ ପ୍ରଭାବ ପକାଉଥିଲା । ପରବର୍ତ୍ତି ସମୟରେ ଓଡିଶାର ବିଭିନ୍ନ ସଙ୍ଗୀତାନୁଷ୍ଠାନ ଯଥା – ପୁରୀର ସିଂହାରୀଶ୍ୟାମ ସୁନ୍ଦର ବିଦ୍ୟାଳୟ, କଟକର କଳା ବିକାଶ କେନ୍ଦ୍ର, ଭୁବନେଶରର ରାଜଧାନୀ କଳାସାଂସଦ, କଳାକେନ୍ଦ୍ର, ବାଲେଶ୍ୱରର ନୃତ୍ୟ ସଙ୍ଗୀତ ବିଦ୍ୟାଳୟ, ବଲାଙ୍ଗିରର କଳାମଣ୍ଡଳ ଇତ୍ୟାଦି ବେସରକାରୀ ଅନୁଷ୍ଠାନ ମାଧ୍ୟମରେ କେତେକାଂଶରେ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଓ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଚାଲିଥିଲା । ପରେ ସରକାରୀ ସ୍ତରରେ୧୯୬୪ ମସିହାରେ ଉତ୍କଳ ସଂଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା ଯୋଗୁଁ ସେଠାରେ ନିଯୁକ୍ତ ପ୍ରଖ୍ୟାତ ଗୁରୁମାନଙ୍କ ମାଧ୍ୟମରେ ଉତ୍ତମ ଶିକ୍ଷାଦାନ ପୂର୍ବକ ପ୍ରଚାର ଓ ପ୍ରସାର କିଛି ମାତ୍ରାରେ ଅଗ୍ରଗତି ଚାଲିଛି । ସେତେବେଳର ବିଶିଷ୍ଟ ଗୁରୁ ଯଥା – ପଣ୍ଡିତ ଡଃ ଦାମୋଦର ହୋତା, ଡଃ. ମୋହନ ଚରଣ ସେନାପତି, ପଣ୍ଡିତ ଗଜାନନ ନନ୍ଦି, ପଣ୍ଡିତ ଉମେଶ ଚନ୍ଦ୍ର କର, ଗୁରୁ ବାଉରୀ ବନ୍ଧୁ ସେଠୀ, ପଣ୍ଡିତ ମୋହିନୀ ମୋହନ ପଟ୍ଟନାୟକ, ପଣ୍ଡିତ ନବ କୁମାର ପଣ୍ଡା, ଉସ୍ତାଦ ହମିଦ୍‌ ଆହମଦ୍‌ ଇତ୍ୟାଦି ଉଭୟ କଣ୍ଠ ଓ ଯନ୍ତ୍ର ସଙ୍ଗୀତ ଗୁରୁମାନଙ୍କ ମାଧ୍ୟମରେ କେତେକ ପ୍ରତିଭାବାନ‌ ଶିଷ୍ୟ ଶିଷ୍ୟାମାନେ ଶାସ୍ତ୍ରୀୟ ସଙ୍ଗୀତକୁ ଆଗକୁ ନେବାରେ ପ୍ରୟାସ କରିଛନ୍ତି । ତାଙ୍କ ମତରେ ହିନ୍ଦୁସ୍ତାନୀ ସଙ୍ଗୀତକୁ ଯେତେ ପ୍ରଚାର ପ୍ରସାର କରିବାକୁ ସରକାରୀ ସ୍ତରରେ ପ୍ରୋତ୍ସାହନ କରାଯିବ ସେତିକି ପରିମାଣରେ ଆମର ଓଡ଼ିଶୀ ବା ଉଡ୍ରସଙ୍ଗୀତର ମଧ୍ୟ ବିକାଶ ଓ ପ୍ରସିଦ୍ଧି ଆଗକୁ ଯିବ, ଯେପରି କି ପଶ୍ଚିମ ବଙ୍ଗରେ ହିନ୍ଦୁସ୍ତାନୀ ଓ ରବିନ୍ଦ୍ର ସଙ୍ଗୀତର ପ୍ରାଧାନ୍ୟ ଏକା ସାଙ୍ଗରେ ଅଛି ।

ଗୁରୁ ହରିହର ରଥ :

ଶାସ୍ତ୍ରୀୟ ସଙ୍ଗୀତ ଏକ ସାଧନା ସାପେକ୍ଷ ବିଷୟ ଅଟେ । ଶାସ୍ତ୍ର ପକ୍ଷ ଅପେକ୍ଷା କ୍ରିୟାତ୍ମକ ପକ୍ଷ ଅଧିକ ଗୁରୁତର ଓ ସାଧନା ସାପେକ୍ଷ ଯୋଗୁଁ ଉପଯୁକ୍ତ ଗୁରୁଙ୍କ ତତ୍ତ୍ଵାବଧାନରେ ଅଭ୍ୟାସ ଜାରି ରଖିଲେ ସଫଳତା ଆସିଥାଏ । ଏହି କ୍ଷେତ୍ରରେ ପ୍ରଗତି ପାଇଁ ଆଗ ଅପେକ୍ଷା ଏବେ ବିଭିନ୍ନ ଅନୁଷ୍ଠାନ ଓ ଗୁରୁମାନେ ତଥାକଥିତ କାର୍ଯ୍ୟକ୍ରମ ଗୁଡିକୁ ବିଭିନ୍ନ ଆସର, ପ୍ରତିଯୋଗୀତା କାର୍ଯ୍ୟକ୍ରମ, ବାର୍ଷିକଉତ୍ସବ, କୋଭିଡ଼ ସମୟରେ ମଧ୍ୟ ଅନଲାଇନ୍ ଶିକ୍ଷାଦାନ ଓ ସଙ୍ଗୀତ ଆସର, ବୈଠକି ଇତ୍ୟାଦି କରି ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ଓ ପ୍ରସାରରେ ଲାଗିଛନ୍ତି । ଗୁରୁମାନଙ୍କର ଭୂମିକାକୁ ମଧ୍ୟ ସେ ଗୁରୁତର ଭାବେ ବର୍ଣ୍ଣନା କରି କହିଛନ୍ତି ଯେ, ଗୁରୁମାନେ ମଧ୍ୟ ଖୋଲା ମନରେ ଶାସ୍ତ୍ରୀୟ ସଙ୍ଗୀତର ମର୍ଯ୍ୟାଦାକୁ ଠିକ୍‌ ରଖି ପିଲାମାନଙ୍କୁ ଆପଣେଇ ଶିକ୍ଷା ଦାନକଲେ, ପିଲାମାନଙ୍କ ମଧ୍ୟରେ ଉତ୍ସାହ ସହ ଆଗକୁ ଗବେଷଣାତ୍ମକ ମନୋଭାବ ପରିଲକ୍ଷିତ ହୋବ । ଗୁଣାତ୍ମକ ମାନର ଶିକ୍ଷାପଦ୍ଧତି ଓ କାର୍ଯ୍ୟକ୍ରମ ଆଗକୁ ସଙ୍ଗୀତର ପ୍ରଚାର ପ୍ରସାରରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଚାଲିବ ବୋଲି ଦୃଢ଼ ବିଶ୍ୱାସ ।

ଗୁରୁକୁଳମଣି ସାହୁ :

ସମଗ୍ର ବିଶ୍ୱକୁ ଯେପରି ଭାରତୀୟ ସଙ୍ଗୀତର ଅବଦାନ ଭାରତୀୟ ସଙ୍ଗୀତକୁ ଓଡିଶାର ଅବଦାନ ତଦନୁରୂପ ରହିଛି । ରାଗ ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତର ଶ୍ରେଷ୍ଠ ନିଦର୍ଶନ । ରାଗ ସଙ୍ଗୀତ ସ୍ୱରମାନଙ୍କୁ ନେଇ ବିଭିନ୍ନ ରଙ୍ଗରେ ସଜେଇ ହୋଇ ଶକ୍ତି ପ୍ରଦାନ କରେ । ସମୟ ସ୍ରୋତରେ ପ୍ରାଚୀନରୁ ଆଧୁନିକ ପର୍ଯ୍ୟନ୍ତ ପରିବର୍ତ୍ତନଶୀଳ ଭାବେ ଆଗେଇ ଚାଲିଛି । ସୁନାର ମୂଲ୍ୟ ଯେପରି ଆଗକୁ ବଢି ଚାଲିଛି, ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ବଢି ଚାଲିଛି । ଏହା କେବଳ କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ମଧ୍ୟରେ ରହିଛି, କାରଣ ଏହା ସାଧନା ସାପେକ୍ଷ । ଧୈର୍ଯ୍ୟ, ନିଷ୍ଠା ଓ ଗୁରୁଭକ୍ତି ଦ୍ୱାରା ଏହାର କାୟା ବିସ୍ତାରିତ ହୁଏ ।

ବର୍ତ୍ତମାନ ଫାଷ୍ଟଫୁଡ ଯୁଗରେ ପିଲାମାନଙ୍କର ଧୈର୍ଯ୍ୟଶକ୍ତି ନଥିବାରୁ ସେତେଟା ଆଗକୁ ଶୀଘ୍ର ପ୍ରସାରିତ ହୋଇପାରୁ ନାହିଁ । କିନ୍ତୁ ଆଜିକାଲିର ଟିଭିର ରିଏଲିଟି ସୋ ଓ ଫେସନ ସଙ୍ଗୀତରେ, ଶାସ୍ତ୍ରୀୟ ସଙ୍ଗୀତ ତାଲିମର ସିଡି ଥିବା ପ୍ରତିଯୋଗୀମାନଙ୍କର ଚାହିଦା ବଢିଥିବାରୁ ଆଗକୁ ଏହି ସଙ୍ଗୀତର ଆବଶ୍ୟକତା ସୁଦୂର ପ୍ରସାରୀ ବୋଲି ମନେହୁଏ । ଆଗରୁ କେବଳ କ୍ରିୟାତ୍ମକ ଶିକ୍ଷା ଥିବା ବେଳେ ଏବେ ତଥ୍ୟାତ୍ମକ ଶିକ୍ଷା ବିଭିନ୍ନ କଲେଜ ମାନଙ୍କରେ ପାଠ୍ୟକ୍ରମ ମଧ୍ୟରେ ରଖାଯାଇ ଶିକ୍ଷାଦାନ ଚାଲିଛି ଯାହାଦ୍ୱାରା ପିଲାମାନଙ୍କର ଉଭୟ ଜ୍ଞାନ ବର୍ଦ୍ଧିତ ହୋଇ ବିଭିନ୍ନ ସ୍କୁଲ୍‌ କଲେଜମାନଙ୍କରେ ନିଯୁକ୍ତି ପାଇଁ ପିଏଚଡ଼ି ଓ ନେଟ ପାସ କରିବାପାଇଁ ସାହାଯ୍ୟ କରିବା ସହିତ ଗବେଷଣାତ୍ମକ ପ୍ରକ୍ରିୟାରେ ସହାୟ ହେଉଛି । ସରକାରୀ ସ୍ତରରେ ତ୍ରିଧାରା କାର୍ଯ୍ୟକ୍ରମ ( ହିନ୍ଦୁସ୍ତାନୀ, ଓଡିଶୀ ଓ କର୍ଣ୍ଣାଟକୀ ) ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୋତ୍ସାହନ ମିଳିଲେ ବିଶେଷକରି ଓଡିଶୀ ଓ ହିନ୍ଦୁସ୍ତାନୀ ପିଲାମାନଙ୍କ ମଧ୍ୟରେ ଏକ ପ୍ରତିଯୋଗୀତା ମୂଳକ ମନୋଭାବ ବର୍ଦ୍ଧିତ ହୋଇ ଆଗାମୀ ଦିନରେ ଉଭୟ ସଙ୍ଗୀତର ଭବିଷ୍ୟତ ଉଜ୍ଜଳ ମୟ ହେବ ବୋଲି ଆଶା କରୁ ।

ଗୁରୁ କୃଷ୍ଣଚ଼ନ୍ଦ୍ର ଦାଶ :

ଅଧୁନା ଓଡିଶାର ୩/୪ ଦଶନ୍ଧି ମଧ୍ୟରେ ଶାସ୍ତ୍ରୀୟ ସଙ୍ଗୀତ ବହୁଳ ପ୍ରଚାର ହୋଇଛି । କିନ୍ତୁ ଗୁଣାତ୍ମକ ମାନର ଅବନ୍ନତି ହୋଇ ସଂଖ୍ୟାତ୍ମକ ମାନ ବର୍ଦ୍ଧିତ ବୋଲି ମନେ ହୁଏ । ଏହାର କାରଣ ଶାସ୍ତ୍ରୀୟ ସଙ୍ଗୀତରେ ମୁଖ୍ୟ ଆଧାର ଏହାର ଶାସ୍ତ୍ରୀୟତା ଓ ଶୃଙ୍ଖଳତା, ଯାହାକୁ ବଜାୟ ରଖି ଅଧ୍ୟୟନ ଓ ଅଧ୍ୟାପନା ପୂର୍ବକ ଏହାକୁ ପ୍ରଚାର ପ୍ରସାର କରିବା ପାଇଁ ଏକ ସମର୍ପିତ ମନ ଓ ଶୁଦ୍ଧ ଆଚରଣ ଯୁକ୍ତ ଅଧ୍ୟବସାୟର ଆବଶ୍ୟକତା ଯୁଗ ଯୁଗରୁ ରହି ଆସିଛି । କିନ୍ତୁ ଏଥିରୁ ବିମୁଖ ଅନେକ ଗୁରୁ ସଙ୍ଗୀତର ମଙ୍ଗ ଧରିଛନ୍ତି । ସାଧାରଣ ଜନମାନସକୁ ଆଦୃତ କରି ତୁଟି ଯୁକ୍ତ ପରିବେଷଣ ପୂର୍ବକ ନିଜର ପ୍ରାଧାନ୍ୟକୁ ବଜାୟ ରଖି ସଂଖ୍ୟା ବଢାଇ ଚାଲିଛନ୍ତି । ତଥାପି ସମୟ ସହ ତାଳ ଦେଇ ନପାରି ମଧ୍ୟ ଅନେକ ଗୁରୁ ଯେଉଁମାନେ ମୂଷା ଦୌଡ଼ରେ ସାମିଲ ନହୋଇ ଶାସ୍ତ୍ରୀୟତା ଓ ସ୍ଵାଭିମାନକୁ ବଜାୟ ରଖି ମହାନ ପରମ୍ପରାର ପୃଷ୍ଠଭୂମିକୁ ଦୃଢ କରି ରଖିଛନ୍ତି ସମୟର ସ୍ରୋତ ସେମାନଙ୍କୁ ପ୍ରମାଣିତ କରିବ ।

ଉପରୋକ୍ତ ତଥ୍ୟଭିତିକ ମତାନୁସାରେ କେତେକାଂଶରେ ଜାଣିବାକୁ ପାଇଲୁ କି ବିଗତ ଦିନର ସଙ୍ଗୀତ ଶିକ୍ଷାର ସୁଯୋଗ ଅପେକ୍ଷାକୃତ ବିଭିନ୍ନ ମାଧ୍ୟମରେ ଉନ୍ନତି ଘଟିଛି, ଯଥା – ବିଭିନ୍ନ ସଙ୍ଗୀତାନୁଷ୍ଠାନମାନଙ୍କର ସଂଖ୍ୟା ବୃଦ୍ଧି, ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଓ ପ୍ରତିଯୋଗୀତା, ସଙ୍ଗୀତ ବହି ଗୁଡ଼ିକର ଚାହିଦା ଓ ଉପଲବ୍‌ଧ, ବିଭିନ୍ନ ଗୁରୁମାନଙ୍କର ଆସର ବା ବୈଠକି, ଇଲେକ୍‌ଟ୍ରୋନିକ୍‌ ମିଡ଼ିଆର ସୁବିଧା ସୁଯୋଗ, ବିଶେଷକରି ମୋବାଇଲ୍‌ ମାଧ୍ୟମରେ ପ୍ରଚାର ପ୍ରସାର ଦୃତଗତିରେ ଆଗେଇ ଚାଲିଛି । ଏସବୁ ଗୁଡ଼ିକର ଉଚିତ୍‌ ସୁବିଧା ବା ପାଇବା ଛାତ୍ରଛାତ୍ରୀମାନେ ଉଚିତ୍‌ ମାର୍ଗରେ ପାଇ ପାରିଲେ ଆଗାମୀ ଭବିଷ୍ୟତ ପାଇଁ ଓଡିଶା ସଙ୍ଗୀତ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠିତ ହୋଇପାରିବ ବୋଲି ବହୁ ବିଦ୍ୱାନମାନଙ୍କର ଆଶା ଓ ଆକାଂକ୍ଷା ରହିଛି ।

ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଓଡିଶା ଯେଉଁମାନଙ୍କୁ ନେଇ ଗର୍ବ କରେ ବା ନିଜର ମହାନତା ଦେଶ ଓ ବିଦେଶରେ ଦର୍ଶାଇଥାଏ, ସେଇ ମହାନ୍‌ ସାରଥୀମାନେ ଅନେକ କଷ୍ଟ ସହି, ନିନ୍ଦା ଅପମାନକୁ ଭ୍ରୃକ୍ଷେପ ନକରି, ନିଜର ଏକନିଷ୍ଠ ସାଧନାକୁ ଲକ୍ଷ୍ୟରେ ରଖି ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ଓ ଓଡିଶାର ଭବିଷ୍ୟତ ସାଧକମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେମାନଙ୍କ ମଧ୍ୟରେ ଗୁରୁ, ଡଃ. ଦାମୋଦର ହୋତା, ଗୁରୁ କ୍ଷେତ୍ରମୋହନ କର, ବିଦୁଷୀ ସୁନନ୍ଦା ପଟ୍ଟନାୟକ, ଭୁବନେଶ୍ୱର ମିଶ୍ର ଇତ୍ୟାଦି ଜଣେ ଜଣେ କାଳଜୟୀ କଳାକାର ଅଟନ୍ତି । ସେମାନଙ୍କର ସଙ୍ଗୀତ ଜୀବନର ଯାତ୍ରାକୁ ବଖାଣିଲେ ଏକ ଏକ ଗ୍ରନ୍ଥ ହୋଇପାରେ । ତେବେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ସାଧନାରେ ଗତି ଓ ଅବଦାନ ବିଷୟରେ ସଂକ୍ଷେପରେ କିଛିଟା ଉପସ୍ଥାପନା କଲେ ଆଗାମୀ ପିଢିପାଇଁ ପ୍ରେରଣାର ବାର୍ତ୍ତା ହେବ ବୋଲି ଆଶାକରେ ।

ଗୁରୁ ପଣ୍ଡିତ ଡଃ. ଦାମୋଦର ହୋତା ( ସ୍ୱରରଙ୍ଗ ):

ଶାସ୍ତ୍ରୀୟ ସଙ୍ଗୀତର ମହାନ୍‌ ଗୁରୁ, ଗାୟକ ତଥା ଗବେଷକ ପଣ୍ଡିତ ଦାମୋଦର ହୋତାଙ୍କ ବିଷୟରେ ସଂକ୍ଷେପରେ ଲେଖିବା ବହୁତ କଠିନ ହେଉଛି କାରଣ ପିଲାବେଳଠାରୁ ତାଙ୍କର ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ସୁଦୁର ସଙ୍ଗୀତର ଜୀବନ ଯାତ୍ରା ଯେତିକି ସଂଘର୍ଷମୟ ସେତିକି ରୋମାଞ୍ଚକର ମଧ୍ୟ । ତାଙ୍କ ସାଧନାର ଆଦର୍ଶମୟ ଓ ଶିକ୍ଷଣୀୟ ବାର୍ତ୍ତା ଯାହାକୁ ବର୍ତ୍ତମାନର ସାଧନାରତ ଛାତ୍ରଛାତ୍ରୀଗଣ ବିଭିନ୍ନ ସୂତ୍ରରୁ ପଠନ କରି ଅନୁଭବ କଲେ ତାହା ସେମାନଙ୍କ ସାଧନାରେ ନିତ୍ୟାନ୍ତ ପ୍ରେରଣା ଦାୟକ ଉତ୍ସ ହେବ ବୋଲି ଅନୁମାନ କରାଯାଏ । ଏହି ସୂତ୍ରମାନଙ୍କ ମଧ୍ୟରେ ‘ସମଧ୍ୱନି’ ଇ-ପତ୍ରିକାର ୨୦୨୨ ମସିହାର ଫେବୃଆରୀ ୬ ତାରିଖରେ ପ୍ରକାଶିତ ଶ୍ରଦ୍ଧାଞ୍ଜଳି ଗୁରୁଜୀ ( ସାକ୍ଷାତ୍‌କାର ପଣ୍ଡିତ ଡ଼ଃ ଦାମୋଦର ହୋତା ) ଲେଖାଟିକୁ ଅବଲୋକନ କଲେ କେତେକାଂଶରେ ତାଙ୍କର ସାଧନା ଓ ଆମ ରାଜ୍ୟ ପାଇଁ ଉଚ୍ଚାଙ୍ଗ ସଙ୍ଗୀତର ଅବଦାନ ବିଷୟରେ ଜାଣିପାରିବା ତଥାପି ତାଙ୍କର ସିଧାସଳଖ ଛାତ୍ର ହିସାବରେ ବିଗତ ୩୦ ରୁ ୩୨ ବର୍ଷର ଶିକ୍ଷା ଓ ସମ୍ପର୍କ ବିଷୟରେ ଅନୁଭବର କଥା ସଂକ୍ଷେପରେ ଉତ୍‌ଥାପନ କରୁଛି ।

ସାଧନା କ୍ଷେତ୍ରରେ ସିଦ୍ଧି ପାଇଁ ଯେପରି ଜିଦି କରି ଏକନିଷ୍ଠ ସାଧନା କରି ସିଦ୍ଧିଲାଭ କରିନ୍ତି ଓ କ୍ରିୟାତ୍ମକ ତଥା ତଥ୍ୟାତ୍ମକ ଭିତିରେ ସର୍ବୋତ୍କୃଷ୍ଟ/ Top-grade ଓ ବିଭିନ୍ନ ପତ୍ରିକା ପାଇଁ ପ୍ରବନ୍ଧ ଓ କ୍ରିୟାତ୍ମକ ଓ ତଥ୍ୟାତ୍ମକ ବିଭିନ୍ନ ହିନ୍ଦୁସ୍ଥାନୀ ଓ ଉଡ୍ର ପଦ୍ଧତୀୟ ବହି ଲେଖି ଓଡିଶାର ସଙ୍ଗୀତ ଇତିହାସରେ ଆଗାମି ପିଢି ପାଇଁ ଉଦାହରଣ ସାଜିଛନ୍ତି । ଠିକ୍‌ ସେହିପରି ସଙ୍ଗୀତଜ୍ଞମାନଙ୍କ ବୃତ୍ତି ଓ କର୍ମନିଯୁକ୍ତି ପାଇଁ ଶିକ୍ଷା କ୍ଷେତ୍ରରେ କିପରି କଳାକାରମାନେ ସମ୍ମାନର ସହ ବଞ୍ଚିବା ପାଇଁ ବି.ଜେ.ବି. ତଥା ରମାଦେବୀ କଲେଜ୍‌ରେ ସାଧାରଣ ଶିକ୍ଷାରେ ସଙ୍ଗୀତକୁ ଏକ ନିଜ ପସନ୍ଦର ବିଷୟ ଭାବେ ପ୍ରବେଶ କରାଇ ଉଦାହରଣ ପାଲଟିଛନ୍ତି । ଯେଉଁଥିପାଇଁ ଏବେ ଓଡିଶାର ବହୁ କଲେଜ୍‌ରେ ସଙ୍ଗୀତ ଅଧ୍ୟାପକମାନେ ନିଯୁକ୍ତି ପାଇଁ ନିଜକୁ ଧନ୍ୟ ମନେକରୁଛନ୍ତି । ଏହା ହେଉଛି ଶିକ୍ଷା କ୍ଷେତ୍ରରେ ସଙ୍ଗୀତ ପାଇଁ ଓଡିଶାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଇପାରେ ।

ଉଡ୍ରପଦ୍ଧତୀୟ ବା ଓଡିଶୀ ସଙ୍ଗୀତକୁ ରାଷ୍ଟ୍ରିୟ ମାନ୍ୟତା ପ୍ରାପ୍ତ କରାଇବାପାଇଁ ଅନେକ ଉଡ୍ରପଦ୍ଧତୀୟ ସଙ୍ଗୀତ ଯଥା- କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର କେତେକ ଗୀତର ସ୍ୱରଲିପି ସହ ରଚନା କରିଛନ୍ତି ।

ତାଳମେଳ ଲକ୍ଷଣା – ଉଡ୍ରପଦ୍ଧତୀୟ ସଙ୍ଗୀତ ୧ମ ରୁ ୬ଷ୍ଠ ଭାଗ ପର୍ଯ୍ୟନ୍ତ ଇତ୍ୟାଦି… । ସଙ୍ଗୀତ ଶାସ୍ତ୍ର ଓ ଭାରତୀୟ ସଙ୍ଗୀତର ଇତିହାସ ଆଦି ରଚନା କରିଛନ୍ତି । କ୍ରିୟାତ୍ମକ କ୍ଷେତ୍ରରେ ମଧ୍ୟ ସେ ଯେଉଁ ଶିକ୍ଷା ବା ତାଲିମ୍‌ ଦେଇଛନ୍ତି ତାହା ଦ୍ୱାରା ବର୍ତ୍ତମାନ ତାଙ୍କ ଛାତ୍ରମାନେ ଓଡିଶାର ଜଣେ ଜଣେ ଶାସ୍ତ୍ରୀୟ ସଙ୍ଗୀତର ଆଗଧାଡିର ଗୁରୁ ରୂପେ ପ୍ରତିଷ୍ଠିତ ହୋଇଛନ୍ତି । ସେମାନେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ଓଡିଶାର ଶାସ୍ତ୍ରୀୟ ସଙ୍ଗୀତର ମାନ ରକ୍ଷା କରୁଛନ୍ତି ଓ ନିଜ ଉଦ୍ୟମରେ ସଙ୍ଗୀତର ପ୍ରଚାର ଓ ପ୍ରସାର କରି ଚାଲିଛନ୍ତି । ତାଙ୍କର ସୁଯୋଗ୍ୟ ଜ୍ୟେଷ୍ଠା କନ୍ୟା ସୁଦୁର ଆମେରିକାରେ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତର ଶିକ୍ଷାଦାନ କରି ବିଭିନ୍ନ ଆସର ଓ ପ୍ରୋଗ୍ରାମ କରି ଓଡିଶା ତଥା ଭାରତର ମାନ ବୃଦ୍ଧି କରିଚାଲିଛନ୍ତି ।

ଗୁରୁଜୀ ଜୀବନ ବ୍ୟାପୀ ଉଡ୍ର ସଙ୍ଗୀତର ପ୍ରସାର ପାଇଁ ତ୍ରିଧାରା ଭଳି ଏକ ତୁଳନାତ୍ମକ ଆଦର୍ଶ କାର୍ଯ୍ୟକ୍ରମ ଆରମ୍ଭକରି କର୍ଣ୍ଣାଟକୀ, ଉଡ୍ର ଓ ହିନ୍ଦୁସ୍ତାନୀ ସଙ୍ଗୀତର ସମାନତାକୁ ପ୍ରତିପାଦନ କରି ଚାଲିଥିଲେ । ଏହାଦ୍ୱାରା ଆମ ଓଡିଶୀ ସଙ୍ଗୀତ କୌଣସି ଗୁଣରେ ଅନ୍ୟ ଦୁଇ ସଙ୍ଗୀତ ପଦ୍ଧତି ଠାରୁ କମ୍‌ ନୁହେଁ ବୋଲି ସେ ନିଜେ ଗାୟନ କରି ପ୍ରତିପାଦିତ କରୁଥିଲେ । ଆହୁରି ଅନେକ ସଂସ୍କାର ଧର୍ମୀ ସାଂସ୍କୃତିକ କାର୍ଯ୍ୟ ସେ  କରିଥିଲେ ଯାହା ସମ୍ପର୍କରେ ପରବର୍ତ୍ତି ଲେଖା ଗୁଡ଼ିକରେ ଆଲୋଚନା କରାଯିବ ।

ସେହିପରି ଆଉଜଣେ ମା ସରସ୍ୱତୀଙ୍କ ବରଦାତ୍ରୀ ପୁତ୍ରୀ ତରାନା ସାସ୍ତ୍ରାଜ୍ଞୀ ବିଦୁଷୀ ସୁନନ୍ଦା ପଟ୍ଟନାୟକ, ସଙ୍ଗୀତ କ୍ଷେତ୍ରରେ ଓଡିଶାର ଗର୍ବ ଓ ଗୌରବ । ଖାଲି ଓଡିଶା ନୁହେଁ ଭାରତ ତଥା ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ସେ ବିଶେଷ ଭାବେ ପରିଚିତ । ପିତା ବୈକୁଣ୍ଠ ନାଥ ପଟ୍ଟନାୟକଙ୍କର ସେ ଥିଲେ ସୁଯୋଗ୍ୟା କନ୍ୟା । ସ୍ୱାଧୀନତା ପୂର୍ବ ଭାରତର ସାଙ୍ଗୀତିକ ସ୍ଥିତି, ପ୍ରତିକୁଳ ପରିବେଶ, ରକ୍ଷଣଶିଳ ପରିବାରରେ ସଙ୍ଗୀତ ଶିକ୍ଷା ପ୍ରତି ଅନାଦର ସତ୍ତ୍ୱେ ବିଦୁଷୀ ସୁନନ୍ଦା ପଟ୍ଟନାୟକଙ୍କର ସଙ୍ଗୀତ ପ୍ରତି ଦୃଢ ସମର୍ପିତ ସଂକଳ୍ପ ଓ ସାଧନା ତାଙ୍କୁ ସଙ୍ଗୀତ ଆକାଶରେ ଏକ ଉଜ୍ଜଳ ତାରକା କରି ରଖିଛି ଓ ରହିବ ମଧ୍ୟ । ତାଙ୍କର ସଙ୍ଗୀତମୟ ଜୀବନ ସେ କଲିକତା ବିତାଇ ଥିଲେ । କାରଣ କଲିକତାରେ ରବିନ୍ଦ୍ର ସଙ୍ଗୀତର ଆଦୃତି ସହ ହିନ୍ଦୁସ୍ତାନୀ ସଙ୍ଗୀତର ଆଦର, ଚର୍ଚ୍ଚା ମଧ୍ୟ ବିଶେଷ ଭାବେ ଚାଲିଥିଲା । ଆମର ଆଗାମୀ ଯୁବ ଶାସ୍ତ୍ରୀୟ ସଙ୍ଗୀତ କଳାକାରମାନଙ୍କ ପାଇଁ ବିଦୁଷୀ ସୁନନ୍ଦା ପଟ୍ଟନାୟକ ଏକ ଉତ୍ତମ ଆଦର୍ଶର ନିଦର୍ଶନ ଅଟନ୍ତି । ଓଡିଶା ପ୍ରତି ଅଭିମାନ ଥିଲେ ମଧ୍ୟ ତାଙ୍କର ସ୍ୱାଭିମାନ ସମ୍ମାନାର୍ଥେ ଓଡିଶା ସରକାର ଓଡଆ ଭାଷା, ସାହିତ୍ୟା, ସଂସ୍କୃତି ବିଭାଗର ଓଡିଶା ସଙ୍ଗୀତନାଟକ ଏକାଡେମୀ ତରଫରୁ ପ୍ରତିବର୍ଷ ସୁନନ୍ଦା ପୁରସ୍କାର/ ‘ Sunanda Award ’ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରି ତାଙ୍କର ଅମ୍ଳାନ କୀର୍ତ୍ତିର ସ୍ମୃତିଚାରଣ କରିଥାନ୍ତି । ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ତାଙ୍କ ପାଇଁ ଏକ ‘ ସୁନନ୍ଦା ଚେୟାର ନାମରେ ଏକ ସ୍ୱତନ୍ତ୍ର ବିଭାଗ ଖୋଲି ତାଙ୍କ ପ୍ରତି ସମ୍ମାନ ପ୍ରଦାନ କରିଛନ୍ତି ।

ଉପରୋକ୍ତ ସମସାମୟିକ ଦୁଇ ଶାସ୍ତ୍ରୀୟ ସଙ୍ଗୀତର ବିଦ୍ୱାନ ତାରକାମାନଙ୍କ ସହିତ ଯନ୍ତ୍ର ସଙ୍ଗୀତରେ ମଧ୍ୟ ଅନେକ ବିଦ୍ୱାନ ଗୁରୁମାନେ ତାଙ୍କର ଏକନିଷ୍ଠା ସାଧନା ଦ୍ୱାରା ନିଜ ନିଜ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି । ସେମାନଙ୍କ ମଧ୍ୟରେ ପଣ୍ଡିତ କ୍ଷେତ୍ରମୋହନ କର ତଥା ତାଙ୍କର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଉମେଶ ଚନ୍ଦ୍ର କର, ପଣ୍ଡିତ ହରମୋହନ ଖୁଣ୍ଟିଆ ତବଲାରେ, ପଣ୍ଡିତ ବନମାଳୀ ମହାରଣା, ପଖାୱଜରେ, ପଣ୍ଡିତ ଭୁବନେଶ୍ୱର ମିଶ୍ର, ଉସ୍ତାଦ୍‌ ହମିଦ୍‌ ସାହା ଭାୟୋଲିନରେ, ପଣ୍ଡିତ ଗଜାନନ ନନ୍ଦି ଓ ପଣ୍ଡିତ ବାଉରୀ ବନ୍ଧୁ ସେଠି ସୀତାରରେ, ପଣ୍ଡିତ ମୋହିନୀ ମୋହନ ପଟ୍ଟନାୟକ ବଂଶୀରେ ତଥା ବିଶିଷ୍ଟ ବଂଶୀବାଦକ ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ମୂଳ ଉତ୍ସ ମଧ୍ୟ ଆମ ଉତ୍କଳ ଭୂମି ଅଟେ । ଆହୁରି ଅନେକ ବରିଷ୍ଠ କଳାକାର ନିଜର ଅଦମ୍ୟ ସାଧନା ଦ୍ୱାରା ଓଡିଶାର ଗୌରବ ମଣ୍ଡନ କରି ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରାଇ ଆଗାମୀ ଭବିଷ୍ୟତ ପିଢିପାଇଁ ଉଦାହରଣ ସାଜିଛନ୍ତି । ଯେଉଁମାନଙ୍କର ଜୀବନୀ ଇତିହାସ ପୃଷ୍ଠା ମନ୍ଥନକଲେ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଓ ସାଧନାର ମାର୍ଗ ପରିପୃଷ୍ଟ ହେବ ଏହା ନିଃସନ୍ଦେହ ।

ତଥାପି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଯେତିକି ଆଗେଇବା କଥା ତାହା ଦୃଷ୍ଟିଗୋଚର ହୁଏନାହିଁ । ଏହାର କାରଣ ହେଲା;

(୧) ସରକାରୀ ସ୍ତରରେ ସ୍କୁଲ ଓ କଲେଜରେ କେବଳ ବାର୍ଷିକ ଉତ୍ସବ କିମ୍ବା ଅନ୍ୟାନ୍ୟ ଉତ୍ସବରେ କେବଳ ମନୋରଞ୍ଜନ କାର୍ଯ୍ୟକ୍ରମ ରୂପେ ରେକର୍ଡ ସଙ୍ଗୀତ ଦ୍ୱାରା ନୃତ୍ୟ ପ୍ରଦର୍ଶନ ହୁଏ । ଏହାଦ୍ୱାରା ପିଲାମାନଙ୍କ ମାନସରେ କେବଳ ସେତିକି ହିଁ ସଙ୍ଗୀତ ଭାବେ ସିମୀତ ରହିଯାଏ । ବରଂ ତୃଣମୂଳ ସ୍ତରରୁ ସଙ୍ଗୀତର ସୃଷ୍ଟି ଓ ବିକାଶ ସମ୍ବନ୍ଧୀୟ ଶିକ୍ଷାର ଅଭିଯାନ ଦ୍ୱାରା କେତେକାଂଶରେ ଆମ ସଂସ୍କୃତିର କରାଯାଇ ପାରନ୍ତା । ବର୍ତ୍ତମାନର ପରିସ୍ଥିତିରେ ଆମ ଶିକ୍ଷା କ୍ଷେତ୍ରରେ ସଂସ୍କାର ନିତ୍ୟାନ୍ତ ଆବଶ୍ୟକ ବୋଲି ମନେହୁଏ । ବିଭିନ୍ନ ସଙ୍ଗୀତ ଓ ବିଜ୍ଞ ପଣ୍ଡିତମାନଙ୍କୁ ନେଇ ଏକ ବିଜ୍ଞାନ ଧର୍ମୀ ପାଠ୍ୟକ୍ରମ, ଶାସ୍ତ୍ରୀୟ ପୁସ୍ତକ, ସଙ୍ଗୀତର କ୍ରିୟାତ୍ମକ ଶୈଳୀରେ ପିଲାମାନଙ୍କୁ ହୃଦ୍‌ବୋଧ ହେଲାଭଳି ପ୍ରଚଳନ ଦରକାର । ମାନସିକ ରୋଗୀ, ସ୍ନାୟୁ-ବିକାଶଜନିତ ସ୍ଥିତି, ବା Autism ରୋଗୀମାନଙ୍କୁ ସଙ୍ଗୀତ ଥେରାପି/ Therapy ଦ୍ୱାରା ଉପଚାର କରାଯାଉଛି, କୋମଳମତି ପିଲାମାନଙ୍କୁ ତିଆରି କରିବା କ୍ଷେତ୍ରରେ ଶାସ୍ତ୍ରୀୟ ସଙ୍ଗୀତ ନିଶ୍ଚୟ ସାହାଯ୍ୟ କରିବ ବୋଲି ଅନେକ ବୁଦ୍ଧିଜୀବି ପଣ୍ଡିତମାନେ ମତ ଦିଅନ୍ତି ।

(୨) ଉକ୍ତ ଶିକ୍ଷାର ପ୍ରଚଳନ ଦ୍ୱାରା ବିଭିନ୍ନ ପ୍ରତିଯୋଗୀତା କରାଯାଇ ପିଲାମାନଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସାହ ସୃଷ୍ଟି କରାଯାଇ ପାରିବ, ଯେପରି ବିଭିନ୍ନ ଖେଳକୁଦ, ବିଜ୍ଞାନ ମେଳା ଡ୍ରଇଁ, ବକୃତା ଇତ୍ୟାଦି ପ୍ରତିଯୋଗିତା କରାଯାଉଛି ଠିକ ସେମିତି ।

ଶେଷକଥା:
ଓଡିଶାର ଶାସ୍ତ୍ରୀୟ ସଙ୍ଗୀତର ଯାତ୍ରା ପାଲାଗୀତ, ସଂକୀର୍ତ୍ତନ ଓ ଲୋକସଂସ୍କୃତିରୁ ଆରମ୍ଭ ହୋଇ ଆଜି ସଂଗଠିତ ଶିକ୍ଷା, ପ୍ରଯୁକ୍ତି ଓ ଅନଲାଇନ୍ ମାଧ୍ୟମରେ ଏକ ବ୍ୟାପକ ଆକାର ନେଇଛି। ପୂର୍ବ କାଳରେ ସୀମିତ ସୁଯୋଗ, କିନ୍ତୁ ଗଭୀର ସାଧନାରୁ ଯେପରି ସାରଗର୍ଭୀୟ ପ୍ରତିଭା ସୃଷ୍ଟି ହେଉଥିଲେ, ଆଜି ସେହି ସାଧନାର ମୂଲ୍ୟବୋଧକୁ ପୁଣିଥରେ ପୁନର୍ଜୀବିତ କରିବା ଆବଶ୍ୟକ ମନେହୁଏ । ଯେତେବେଳେ ସୁବିଧାସୁଯୋଗ, ପାଠ୍ୟକ୍ରମ ଓ ଗ୍ଲୋବାଲ୍ ପ୍ଲାଟଫର୍ମ ଉପଲବ୍ଧ ଅଛି, ସେତେବେଳେ ଶାସ୍ତ୍ରୀୟ ସଙ୍ଗୀତକୁ “ବିଦ୍ୟା” ଓ “ସାଧନା”ର ସମନ୍ୱୟରେ ଆଗେଇ ନେଲେ ଓଡିଶା ପୁଣିଥରେ ସଙ୍ଗୀତରେ ନୂତନ ଦିଗ୍‌ଦର୍ଶନ ହେଇପାରିବ ବୋଲି ଆଶା ଓ ବିଶ୍ଵାସ ।

Share This Article
ଅଧ୍ୟାପକ, ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ବିଭାଗ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ