ସମଧ୍ଵନିର ‘ଡାଲଖାଇ’ ବିଶେଷାଙ୍କ ପାଇଁ ଏହି ପ୍ରବନ୍ଧଟି ଲେଖିଛନ୍ତି ଡକ୍ଟର ଅଞ୍ଜଳି ପାଢୀ । ତାଙ୍କ ଲେଖାରେ ମାତୃଶକ୍ତି ଉପାସନା, ପ୍ରଜନନ ପ୍ରଥା ଓ ଗ୍ରାମ୍ୟ ସମାଜର ସାମୂହିକ ସୃଜନଶୀଳତାର ଭିତ୍ତିଭୂମି ଉପରେ ଡାଲଖାଇ କେଉଁଭଳି ଅବସ୍ଥାପିତ ଓ ଆଜି ବି ଏହି ଗୀତ-ନୃତ୍ୟ ଲୋକଜୀବନର ଅଭିନ୍ନ ଅଂଶ ହୋଇ ରହିଛି ସେ ସମ୍ପର୍କରେ ଚର୍ଚ୍ଚା କରାଯାଇଛି । ଡାଲଖାଇ କେବଳ ଏକ ଉତ୍ସବ ନୁହେଁ, ଏହା ଗାଁ’ଜୀବନର ଉତ୍ସବ, ଗାଁ’ର ଆତ୍ମାର ପ୍ରକାଶ ଓ ନାରୀଶକ୍ତିର ସ୍ୱର ବୋଲି ନିଜ ଲେଖା ଭିତରେ ପ୍ରକାଶ କରିଛନ୍ତି ବିଶିଷ୍ଟ ଲୋକ ସଂସ୍କୃତି ଗବେଷିକା ଡକ୍ଟର ଅଞ୍ଜଳି ପାଢୀ । – ସମ୍ପାଦକ
ଡାଲଖାଇ ଏକ ପ୍ରଥାଭିତ୍ତିକ ନୃତ୍ୟ। ମାତୃକାପୂଜା, କୋଠିଶାଳ, ଯନ୍ତ୍ରପୂଜା ଓ ପ୍ରଜନନ ପ୍ରଥା ସହିତ ଏହା ସୂତ୍ରାୟିତ। କୁମାରୀମାନେ ଏହି ଓଷା ପାଳନକରନ୍ତି, ଗୀତଗାଆନ୍ତି ଏବଂ ନାଚନ୍ତି। ପ୍ରଥମେ ଏହା ଗଣ୍ଡ, ବିଂଝାଲ, ଶବର, ମିର୍ଦ୍ଧା ଓ କୁଡ଼ା ଆଦି ଆଦିବାସୀଗୋଷ୍ଠୀର ସାମାଜିକ ଓ ସାଂସ୍କୃତିକ ଜୀବନଚର୍ଯ୍ୟା ସହିତ ଜଡ଼ିତ ଥିଲା ଏବଂ ପରବର୍ତ୍ତୀ କାଳରେ ଅଣଆଦିବାସୀ ଗୋଷ୍ଠୀ, ଯଥା- ଗଉଡ, ଡମ, ଗଣ୍ଡା ଆଦି ନିମ୍ନବର୍ଗୀ ଗ୍ରହଣ କରିନେଇଥିଲେ । ସଂପ୍ରତି ଯେକୌଣସି ଜାତିର ଲୋକ ଏହି ନୃତ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ଉତ୍ସବଗୁଡ଼ିକରେ ପରିବେଷଣ କରୁଛନ୍ତି। ଏହି ନୃତ୍ୟ ମୁଖ୍ୟତଃ ଓଡ଼ିଶାର ପଶ୍ଚିମାଞ୍ଚଳର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ଦେବଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବେଶ୍ ଲୋକପ୍ରିୟ । କ୍ଷେତ୍ର ସର୍ବେକ୍ଷଣ କାଳରେ, ନୃତ୍ୟ ସଂପର୍କରେ ବହୁ ପ୍ରଶ୍ନ- ପ୍ରଥମତଃ ଏହା ପୃଥିବୀରେ ଅନ୍ୟ ଅଂଚଳଗୁଡ଼ିକରେ ପାଳିତ ପ୍ରଜନନ ପ୍ରଥାର ପ୍ରତିରୂପ, ଦ୍ଵିତୀୟତଃ: ଆଦିମ ଜନଜାତି ଓ ବହିରାଗତ ଆର୍ଯ୍ୟମାନଙ୍କ ମଧ୍ୟରେ ସଂଘଟିତ ସାଂସ୍କୃତିକ ସମନ୍ଵୟ, ତୃତୀୟତଃ: ଅତୀତର ଦକ୍ଷିଣ କୋଶଳ ନାମରେ ପରିଚିତ ଏକ ବୃହତ୍ତର ରାଜନୀତିକ ଆୟତନର ସାଂସ୍କୃତିକ ଓ ଧର୍ମୀୟ ଜୀବନଧାରାର କଳାତ୍ମକ ଅଭିବ୍ୟକ୍ତି ଏବଂ ଚତୁର୍ଥତଃ: କେଉଁ ବିଶେଷ କାରଣରୁ ଧାର୍ମିକ ପରମ୍ପରାର ଅର୍ଗଳିମୁକ୍ତ ହୋଇ ଏହା ମନୋରଂଜନର ଅନ୍ୟତମ ପ୍ରଧାନ ମାଧ୍ୟମ ହୋଇପାରିଛି- ମୋତେ ଆନ୍ଦୋଳିତ କରିଛି । ଏହି ଆଲୋଚନାକୁ ଉପରୋକ୍ତ ପ୍ରଶ୍ନଗୁଡ଼ିକର ଗ୍ରନ୍ଥିମୋଚନ ଭାବରେ ଗ୍ରହଣ କରାଯାଇପାରେ |
ଡାଲଖାଇ କୁମାରୀମାନଙ୍କ ଦ୍ଵାରା ପାଳିତ ଏକ ଓଷା, ଯାହା ଆଶ୍ଵିନମାସ ଶୁକ୍ଳପକ୍ଷ ଅଷ୍ଟମୀଦିନ ପାଳିତ ହୁଏ । ଦଶଭୁଜା, ଶାକମ୍ବରୀ, ଶୁକ୍ରକେଶୀ ମା’ ଦୁର୍ଗା ପ୍ରସନ୍ନ ହେଲେ ଧନ, ଜନ, ପୁତ୍ର, ଯଶ, ଖ୍ୟାତି ପ୍ରାପ୍ତହୁଏ ବୋଲି ଲୋକବିଶ୍ଵାସ ରହିଛି। ଏଥିନିମନ୍ତେ ଏହି ଦିନ କୁମାରୀମାନେ ନିଜ ଭାଇର ମଙ୍ଗଳକାମନା କରି ନିର୍ଜଳା ଉପବାସ ରହି ବ୍ରତ ରଖନ୍ତି ଏବଂ ଦୁର୍ଗାଙ୍କର ଆରାଧନା କରନ୍ତି | ପୂଜା ଶେଷରେ ଡାଲଖାଇ ନୃତ୍ୟ ଅନୁଷ୍ଠିତ ହୁଏ। *
‘ଡାଲଖାଇ’ ନାମକରଣ ପ୍ରସଙ୍ଗରେ କୁହାଯାଏ, ‘‘ଡାଲଖାଇ ଏକ ଗ୍ରାମ୍ୟ-ଦେବୀ, ତାଙ୍କ ଉଦ୍ଦେଶ୍ୟରେ ପୂଜାଅର୍ଚ୍ଚନା ଅର୍ପଣ କରାଯାଉଥିବା ପୀଠସ୍ଥଳି ‘ଡାଲଖାଇ’। ପାରମ୍ପରିକ ଡାଲଖାଇ ଓଷା ଦିନ’ ଏକ ଅଁଳାଡାଳ ପୂଜା କୋଠିରେ ପୋତି ଦିଆଯାଏ ଓ ପୂଜା ପରେ ନାଚ ହୁଏ। ସମ୍ଭବତଃ ବଣଜଙ୍ଗଲକୁ କେନ୍ଦ୍ରକରି ଏ ଅଞ୍ଚଳର ଆଦିମ ସମାଜ, ସଂସ୍କୃତି, ଅର୍ଥନୀତି ଗଢ଼ିଉଠୁଥିବାରୁ କରମା, ଡାଲଖାଇ ପ୍ରଭୃତି ନାଚ ପୂର୍ବରୁ, ବଣଜଙ୍ଗଲର ପ୍ରତୀକ ଗୋଟିଏ ଡାଳକୁ ପୂଜାକରି ସରଳ ଅଧିବାସୀମାନେ ନିଜର ପର୍ବପର୍ବାଣି, ଆନନ୍ଦଉତ୍ସବ ପାଳନ କରୁଥିଲେ।୩ ଗ୍ରାମାଞ୍ଚଳର ଲୋକମାନେ କହନ୍ତି- ପୂର୍ବକାଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦି ପଶୁଙ୍କୁ ‘ଚରୁଆ’ମାନେ ଜଙ୍ଗଲକୁ ‘ଚରା’ ନିମନ୍ତେ ନେଉଥିଲେ। ଗଛର ଡାଳପତ୍ର ପଶୁମାନଙ୍କୁ ଖୁଆଇ ସେମାନେ ଗ୍ରାମକୁ ଫେରୁଥିଲେ। ଜଙ୍ଗଲରେ ବାଘ, ଚିତା ଆଦି ଶ୍ଵାପଦ ଦେଖି, ଏହି ଗୃହପାଳିତ ପଶୁମାନେ ଭୟଭୀତ ହେଉଥିଲେ। ସେମାନଙ୍କ ମନରୁ ଭୟ ଦୂରକରିବା ସକାଶେ ‘ଚରୁଆ’ମାନେ ବାଘ ବା ଚିତାର ଛାଲକୁ ଗଛରେ ତାଳପତ୍ର ମଧ୍ୟରେ ଓହଳାଇ ରଖୁଥିଲେ ଏବଂ ପଶୁମାନଙ୍କୁ ଡାଳପତ୍ର ଖୁଆଉଥିଲେ। ଏହି ପର୍ବକୁ ‘ଡାଲଖୁଆ’, ‘ଡାଲଖେଲା’ କୁହାଯାଉଥିଲା। ସମ୍ଭବତଃ ଏହି ଶବ୍ଦଗୁଡ଼ିକରୁ ‘ଡାଲଖାଇ’ ନାମ ଆସିଥାଇପାରେ । ଆଷାଢଖେନା ଯାତରା ସମୟରେ ଏହି ପ୍ରଥା ଅନୁଷ୍ଠିତ ହେଉଥିଲା। * ଗଞ୍ଜାମ ଜିଲ୍ଲାରେ ‘ଡାଲଖାଇଦେବୀ’ ପୂଜାପାଆନ୍ତି। ବଣଜଙ୍ଗଲରେ ବାଟୋଇଟିଏ ଗଲାବେଳେ ଗଛରୁ ଡାଳଟିଏ ଭାଙ୍ଗି ତଳେ ପକାଇ ଦେଇଥାଏ | କାଳକ୍ରମେ ସେହି ସ୍ଥାନଟି ଦେବୀଘର ବା ଆସ୍ଥାନ ହୋଇଯାଏ | ଡାଲଖାଇ ଓଷା ସହ ଏକ ଲୋକଗାଥା ଶୁଣିବାକୁ ମିଳେ। ଏଥିରେ ସୂଚିତ ଅଛି, ନଳରାଜାଙ୍କର ଭଉଣୀ ରଇଲାବତୀ ଦୁର୍ଗାଙ୍କ ଆଦେଶ ପାଳନ ପୂର୍ବକ ପ୍ରଥମେ ମର୍ତ୍ତ୍ୟଭୂମିରେ ‘ଡାଳଖାଇ ଓଷା’ ଆରମ୍ଭ କରିଥିଲେ I ମା’ ଦୁର୍ଗା, ସ୍ଵୟଂ ଏକ ଫୁଲଡାଳକୁ ଅଧା ସ୍ଵର୍ଗରୁ ମର୍ତ୍ତ୍ୟଭୂମିକୁ ପକାଇଦେଇ ଆଦେଶ ଦେଇଥିଲେ ଡାଲଖାଇ ଓଷା କରିବା ପାଇଁ। * ସେହି ‘ଡାଳ’ ମା’ ଦୁର୍ଗାଙ୍କର ପ୍ରତୀକ ରୂପେ ଡାଲଖାଇ ଦେବୀ ନାମରେ ପୂଜା ପାଇ ଆସୁଛନ୍ତି। ବଣଜଙ୍ଗଲର ଆଦିବାସୀ-ନାରୀମାନେ ଅଶ୍ଵୀନ ମାସ ଶୁକ୍ଳପକ୍ଷ ଅଷ୍ଟମୀଦିନ ସାତ ପ୍ରକାର ଗଛର ପତ୍ରକୁ ଚାଉଳ ସହ ଶିଳରେ ବାଟି ପିଠା ପ୍ରସ୍ତୁତ କରିଥାନ୍ତି। ସେହି ପତ୍ରପିଠା ମା’ ଦୁର୍ଗାଙ୍କୁ ଅର୍ପଣ କରାଯାଏ। ଡାଲଖାଇ ଗୀତରେ ଏହି ପତ୍ରଗୁଡ଼ିକରେ ବର୍ଣ୍ଣନା ରହିଛି।
ଡାଲଖାଇରେ, ଡାଲଖାଇରେ
ଫାଞ୍ଜି, ଭଲଭଦରିଆ, ଲହଲହକା
ଧାଙ୍ଗରିବଧୂ, ଦହିଦହିକା
ଲୁଡୁ, କରଡ଼ିଗଜା, ମୂଷାତ କାନି
ସାଗଡାଲର ପିଠା ଖାଏଲୁ ମା ଝାରସେନି
ମାଁ ଝାରସେନି, କାଏଁ ଡାଲଖାଇରେ । ୬
ଝାର୍ ଅର୍ଥାତ୍ ଜଙ୍ଗଲ। ଘଞ୍ଚ ଜଙ୍ଗଲ ମଣିଷ ପ୍ରାଣରେ ଭୀତି ସଂଚାର କରୁଥିଲା। ଏହି ହେତୁ ଜଙ୍ଗଲକୁ ଦେବୀରୂପେ କଳ୍ପନା କରିବା ମଣିଷର ଆଦିମତମ ଭୟର ପରିପ୍ରକାଶ। ଧାର୍ମିକ ପ୍ରଥାଗୁଡ଼ିକରେ ସାମ୍ୟ ଏହି କ୍ରମରେ ସୃଷ୍ଟି ହୋଇଥିଲା ଏବଂ ସମୟକ୍ରମେ ପରମ୍ପରା ରୂପେ ଅନୁସୃତ ହେଲା। ମଣିଷର ପରମ୍ପରାମାନ୍ୟତା, ତାର ବିଶ୍ଵାସ, ଧାରଣା- ଜୀବନ ଜୀଉଁଥିବା ଅଭିଜ୍ଞତାରୁ ଉପଲବ୍ଧ ହୋଇଥାଏ। କାଳକ୍ରମେ ଅରଣ୍ୟ- ନିର୍ଭର ମଣିଷ, କୃଷି-ନିର୍ଭର ହେଲା ଏବଂ କୃଷିକୈନ୍ଦ୍ରିକ ଆବଶ୍ୟକତା, ଯଥା- ବିହନ, ହଳବଳଦ, ପାଣି ଆଦିକୁ ନେଇ ଅଲୌକିକ କାହାଣୀର ବୀଜ ଅଙ୍କୁରିତ ହେଲା I କେବଳ କାହାଣୀ ବା ମିଥ୍ ନୁହେଁ, ବିଭିନ୍ନ କୃଷିଭିତ୍ତିକ ପ୍ରଥା ଓ ପରମ୍ପରାର ସୂତ୍ରପାତ ଘଟିଲା। ବୀଜରୁ ଅଙ୍କୁର, ନବପତ୍ର, ଫୁଲ ଓ ଫଳର ଅଭିପ୍ରକାଶ ସେହି ଯୁଗର ଅଧିବାସୀଙ୍କୁ ବିସ୍ମୟ ଓ ଆନନ୍ଦରେ ଅଧୀର କରିଥିଲା । ସେହି ଆଶ୍ଚର୍ଯ୍ୟମିଶା ଆନନ୍ଦର ପ୍ରତିକ୍ରିୟା ରୂପ ପାଇଥିଲା ସମ୍ମିଳିତ ନୃତ୍ୟ ଅନୁଷ୍ଠାନରେ ।
ପୃଥିବୀର ଅଧିକାଂଶ ଦେଶରେ ମାଟି ଓ ଶସ୍ୟଦେବତାଙ୍କୁ ପୂଜା କରିବା ପ୍ରଥା ପ୍ରଚଳିତ। ଭୂମିର ଉର୍ବରତା ତଥା ଉତ୍ପାଦିକା ଶକ୍ତି ବୃଦ୍ଧି ନିମନ୍ତେ ଭିନ୍ନ ଭିନ୍ନ ଅଞ୍ଚଳରେ ପାଳିତ ପ୍ରଥାଗୁଡ଼ିକରେ ଏହା ଦେଖିବାକୁ ମିଳେ । ଏହି ପ୍ରଥାରେ କୁମାରୀ କନ୍ୟାମାନଙ୍କର ସମ୍ମିଳିତ ନୃତ୍ୟ ଓ ଗୀତ ଅନୁଷ୍ଠିତ ହୁଏ। ଏହାକୁ ପ୍ରଜନନପ୍ରଥା କୁହାଯାଏ। ପୃଥିବୀର ସକଳ ସଂସ୍କୃତିରେ ମାତୃଶକ୍ତି ପୂଜା ଓ ଯୌନ ଅଭିଚାର କେବଳ ଦେଖାଯାଏ ନାହିଁ, ଅଧିକନ୍ତୁ ସକଳ ସଂସ୍କୃତିର ଆଭିଚାରିକ ପଦ୍ଧତିରେ ବହୁ ସାମ୍ୟ ପରିଲକ୍ଷିତ ହୁଏ। ସିରିଆର ମାତୃଶକ୍ତି ଗଲି, ହେରାପଲିସର ଅସ୍ତାର୍ତ୍ତେ, ଏଲୁନିସୀୟ ଓ ଫ୍ରାଜିୟ ରହସ୍ୟ, ମାରୀୟ ରହସ୍ୟ, ଡାୟନିସୀୟ ଅଭିଚାରର ପ୍ରାଚୀନ ଭାରତୀୟ ତନ୍ତ୍ର ସଂସ୍କୃତି ସହ ବିପୁଳ ସାମ୍ୟ ରହିଛି।’୭ ‘‘ମେକ୍ସିକୋର ପୂର୍ବାଞ୍ଚଳରେ ନଉହାଢ଼ଲ ଗ୍ରାମରେ ତୋନୋସ୍ଥି ଦେବୀଙ୍କର ପୂଜା କରାଯାଏ। ଏହି ପୂଜାର ଉଦ୍ଦେଶ୍ୟ ସୃଜନ ତଥା ପ୍ରଜନନ ଶକ୍ତିର ଅଭିବୃଦ୍ଧି। ଏଥିନିମନ୍ତେ ପ୍ରତୀକାତ୍ମକ ରୀତିରେ କେତେକ ପ୍ରଥା ପାଳନ କରାଯାଏ।’’ ‘ସୋଭିଏତ ଋଷିଆରେ ଧରଣୀମାତାଙ୍କୁ ପ୍ରାଚୀନ ପ୍ରଥା ଜରିଆରେ ପୂଜା କରିବା ବିଧି ଦୃଷ୍ଟିଗୋଚର ହୋଇଥାଏ।’” ଭାରତବର୍ଷରେ ମଧ୍ୟ ସିନ୍ଧୁସଭ୍ୟତା ଓ ସଂସ୍କୃତିରେ ମାତୃଶକ୍ତି କୌଣସି ନା କୌଣସି ରୂପରେ ପୂଜିତ ହେଉଥିବା ନଜରକୁ ଆସିଛି।୧୦ ଏକଦା ପଶ୍ଚିମ ଓଡ଼ିଶାର ପାଟଣାଗଡ଼, ସୋନପୁର ଅଞ୍ଚଳ ତନ୍ତ୍ରପୀଠ ରୂପେ ଖ୍ୟାତିଲାଭ କରିଥିଲା । ଏଥିସହିତ ନୂଆପଡ଼ା ଜିଲ୍ଲାର ପାତାଲଗଙ୍ଗା ତୀର୍ଥ ସ୍ଥାନରେ ‘ଯୋନି’ ମାତୃକା ମୂର୍ତ୍ତୀ ମିଳିଛି। ଯୋନି ଆକୃତିର ଏକ ଶିଳାଖଣ୍ଡକୁ ‘ଦ୍ଵାରଶନି’ ଦେବୀରୂପେ ପୂଜା କରାଯାଉଛି । କଳାହାଣ୍ଡି ଓ ନୂଆପଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରୁ ‘ଯୋନି’ ଏବଂ ମାତୃକା ମୂର୍ତ୍ତି ମିଳିଛି। ଖ୍ରୀ.ପୂ. ପ୍ରଥମ ଶତକରେ ପାଟଣାଗଡ଼ରେ କାନ୍ତର (ବା କରଣ୍ଡଜାତିର) ରାଜାଙ୍କ ଦ୍ଵାରା ‘କାମଚଣ୍ଡି’ କଲ୍ଟ୍ର ପ୍ରତିଷ୍ଠା ତଥା ତନ୍ତ୍ରସାଧିକା ସାତବହେନ (ମଦନା/ ଗୁଣି/ ଜ୍ଞାନଦେଇ ମାଲେନ, ନିତାଇଧୁବେନ, ଲୁହୁକୁଟି ଲୁହୁରେନ, ସୁକୁଟି ଚମାରେନ ପତରପିନ୍ଧି ବା ପିତେଇ ସଉରେନ, ସାଂଗି ଶଭରେନ, ସୁଆ ତେଲନ) ସାଧନା କରୁଥିଲେ | ଦକ୍ଷିଣ ଦେଶବାସୀ ଧନ୍ଵନ୍ତରୀ ନାମକ ଜଣେ ବ୍ରାହ୍ମଣଠାରୁ ତନ୍ତ୍ରବିଦ୍ୟା ଶିକ୍ଷା କରିଥିଲେ । ୯୨ ଶିବ ପ୍ରସାଦ ଦାଶ କହନ୍ତି, ”ଏହି କାଉଁରୀବିଦ୍ୟା ବସ୍ତୁତଃ ବୌଦ୍ଧଯୁଗତନ୍ତ୍ର ସଂସ୍କୃତି ସହ ସଂପୃକ୍ତ ନୁହେଁ କିମ୍ବା ତାନ୍ତ୍ରିକ ଧର୍ମ ଓ ଦର୍ଶନ ସଂଗେ ସଂଶ୍ଳିଷ୍ଟ ନୁହେଁ। ୧୩+++ ବରଂ ଏହାକୁ ସେ ବୈଦିକ ଯୁଗରୁ ଗଣ୍ଡ ଓ ଶବର ଜାତିଙ୍କ ଦ୍ଵାରା ସିଦ୍ଧିପ୍ରାପ୍ତ ‘ଶବରୀବିଦ୍ୟା’ ବୋଲି କହୁଛନ୍ତି। ଏଥିରୁ ଅନୁମାନ କରାଯାଏ, ପଶ୍ଚିମ ଓଡ଼ିଶାର ଜନଜାତି ତନ୍ତ୍ରସାଧିକା ‘ସାତବହେନଙ୍କୁ’ ସାଂସ୍କୃତିକ ଓ ଧାର୍ମିକ ଜୀବନ କ୍ରିୟାରେ ସ୍ଵୀକାର କରୁଥିଲେ। ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ବିଭିନ୍ନ ଗ୍ରାମରେ ସପ୍ତକୁମାରୀ ବା ସାତବହେନଙ୍କର ପୂଜା ପ୍ରଚଳିତ। ନୂଆପଡ଼ା ଜିଲ୍ଲାର କେତେକ ବ୍ରାହ୍ମଣ ପରିବାରର ଇଷ୍ଟଦେବୀ ସାତବହେନ|
ଅପରପକ୍ଷରେ ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ସୂତ୍ର ସମର୍ଥିତ ତଥ୍ୟରୁ ପ୍ରତୀୟମାନ ହୁଏ ଯେ, ପଶ୍ଚିମଓଡ଼ିଶା ମାତୃ ଉପାସନାର କେନ୍ଦ୍ରସ୍ଥଳ ଥିଲା । ଭାରତର ସର୍ବପ୍ରାଚୀନ ସପ୍ତମାତୃକା ମୂର୍ତ୍ତି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସବ୍ଡିଭିଜନର ଘୋଡ଼ାଲ ଗ୍ରାମରୁ ମିଳିଛି । ବିଶିଷ୍ଟ ପ୍ରତ୍ନତାତ୍ତ୍ୱିକ କେଦାରନାଥ ମହାପାତ୍ର ଏହି ମୂର୍ତ୍ତିକୁ ଆନୁମାନିକ ଖ୍ରୀଷ୍ଟୀୟ ସପ୍ତମ ଶତକର ବୋଲି ଦର୍ଶାଇଛନ୍ତି। ସପ୍ତମାତୃକା ବିଗ୍ରହ ସହ ଗଣେଶ ଓ ବୀରଭଦ୍ରଙ୍କ ପ୍ରତିମା ବଡ଼ଶିଳାଖଣ୍ଡରେ ଖୋଦିତ ହୋଇଛି। ୧୪ ଈଶାନ ଗରୁଡ଼ ପଦ୍ଧତି (୧.୫୨.୭୯୬)ରେ ବର୍ଣ୍ଣିତ ଅଛି, ଅନ୍ଧକାସୁର ବଧ ସମୟରେ ଶିବ ନିଜ ମୁଖରୁ ଶକ୍ତି ସ୍ଵରୂପିଣୀ ଯୋଗେଶ୍ଵରୀଙ୍କୁ ସୃଷ୍ଟି କରିଥିଲେ । କାରଣ ଶିବଙ୍କ ଆଘାତରେ ଅନ୍ଧକାସୁର ଶରୀରରେ ଯେଉଁ କ୍ଷତ ସୃଷ୍ଟି ହେଉଥିଲା, ସେଥିରୁ ନିର୍ଗତ ରକ୍ତ ପୃଥିବୀ ସ୍ପର୍ଶ କରିବା ମାତ୍ରକେ ଶହ ଶହ ଅନ୍ଧକ ଜନ୍ମ ହେଉଥିଲେ । ଏହି ରକ୍ତଧାରକୁ ପ୍ରତିରୋଧ କରିବା ପାଇଁ ଯୋଗେଶ୍ଵରୀଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର, କୁମାର, ବରାହ, ଇନ୍ଦ୍ର ଓ ଯମ ଆଦି ପ୍ରମୁଖ ଦେବତା ନିଜ ନିଜର ଶକ୍ତି ପ୍ରେରଣ କରିଥିଲେ । ଏହି ରୂପେ ସପ୍ତମାତୃକାଙ୍କର ଜନ୍ମ “କେତେକ ପୁରାଣରେ ସପ୍ତମାତୃକା ସହ ଅଷ୍ଟମାତୃକା ବିଷୟ ଉଲ୍ଲେଖ ଅଛି। କାଳକ୍ରମେ ମାତୃକା ଦେବୀଙ୍କର ସଂଖ୍ୟା ଷୋଡ଼ଶରୁ ଚଉଷଠୀକୁ ବୃଦ୍ଧି ପାଇଛି | ରାନୀପୁର ଝରିଏଲର ‘ଚଉଷଠି ଯୋଗିନୀ ମୂର୍ତ୍ତି ଏହି ତଥ୍ୟକୁ ପରିପୁଷ୍ଟ, କରିଥାଏ।
ପ୍ରାକ୍ବୈଦିକ ଓ ପରବର୍ତ୍ତୀକାଳୀନ ସଭ୍ୟତାରେ ମାତୃଶକ୍ତି ଆରାଧନାର ପ୍ରାଧାନ୍ୟ ଲକ୍ଷ୍ୟ କରାଯାଏ। ଆଦିମ କୃଷି ସଂସ୍କୃତିରେ ଉତ୍ପାଦିକା ଶକ୍ତିର ଅଭିବୃଦ୍ଧି ନିମନ୍ତେ ଯୋନିପୂଜା ଓ ଯୌନାଚାରର ଅନୁକରଣ କରାଯାଉଥିଲା। ଏହି ଅଭିଚାର ସଂପାଦନ ପରେ ମାତୃପ୍ରତିମାକୁ ଶୋଭାଯାତ୍ରାରେ ବାଦ୍ୟ, ସଂଗୀତ ଓ କୁମାରୀମାନଙ୍କ ନୃତ୍ୟର ସମତାଳରେ ଗ୍ରାମବାସୀମାନଙ୍କ ଗୃହକୁ ନିଆଯାଉଥିଲା।
ପଶ୍ଚିମ ଓଡ଼ିଶାରେ କୁମାରୀ ପୂଜା ପ୍ରଚଳନ ଥିଲା । ମାତୃଶକ୍ତି ସଂପନ୍ନ ଲୋକଦେବୀ ଯଥା- ଦ୍ଵାରଶନି, ଗଙ୍ଗାଦେଈ, ମାଉଲି ତଥା ଅନେକ ଗ୍ରାମଦେବୀ ଘଣ୍ଟାସନି, ପାଟନେଶ୍ଵରୀ, ଡାଲଖାଇ, ବୁଢ଼ିମା, ବାବୁରେ ଆଦି ଲୋକବିଶ୍ଵାସରେ ସର୍ବଶକ୍ତିମୟୀ ଦୁର୍ଗାଙ୍କ ରୂପରେ ପୂଜା ପାଉଥିଲେ। ପାଶୁପତ ଶୈବଧର୍ମ ଏହି ଅଂଚଳରେ ପ୍ରଭାବ ବିସ୍ତାର କଲାପରେ, ପ୍ରାକ୍ବୈଦିକ କୁମାରୀ ଦେବୀମାନେ ଶିବ ଶକ୍ତିଙ୍କର ଯୁଗ୍ମ ଭାବରେ ପ୍ରତିଭାତ ହେଲେ ଏବଂ ପାଶୁପତ ଶୈବଧର୍ମ ଏହିସବୁ ସଂସ୍କୃତିର ଯୌନାଭିଚାର ଓ ତନ୍ତ୍ରାଭିଚାରକୁ ଆତ୍ମୀକରଣ କରିଥିଲା।୧୬
ଡାଲଖାଇ ଓଷା :
ଅଶ୍ଵୀନମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଡାଲଖାଇ ଓଷା ପାଳନ କରାଯାଏ। ପଶ୍ଚିମଓଡ଼ିଶାର କୁମାରୀମାନେ ଏହି ଓଷା କରିଥାନ୍ତି। ସେଦିନ ସେମାନେ ନିର୍ଜଳା ଉପବାସ ରହନ୍ତି । ଓଷାସ୍ଥଳରେ ଷୋହଳଟି ଆୟତ୍ତାକାର / ବର୍ଗାକାର କୋଠି ପ୍ରସ୍ତୁତ କରାଯାଏ। କୋଠିଶାଳ ନିକଟସ୍ଥ ଗୃହର ମାଟିକାନ୍ଥରେ ଷୋହଳ ଦେବଦେବୀଙ୍କର ଚିତ୍ର ଅଙ୍କନ କରାଯାଏ । ଦେବଦେବୀମାନେ ଦୁର୍ଗା, ପାର୍ବତୀ, ଈଶ୍ଵର , ଅହଲ୍ୟା, ତୁଳସାରାଣୀ, ନାରଦ, କୂର୍ମଦେବତା, ହନୁମାନ, ଦହନା ଇତ୍ୟାଦି। ଜଣେ ‘ଗୁଆନୀ’ (ପୁରୁଷ ଅଥବା ସ୍ତ୍ରୀ)କୁ ନିମନ୍ତ୍ରଣ କରାଯାଏ | ସେ ଧୁନକେଲ ବାଦ୍ୟ ବଜାଏ ଓ ଡାଲଖାଇ ଓଷା ସମ୍ପର୍କିତ ଏକ ଲୋକଗାଥା ଗାଏ| ଲୋକଗାଥା- ସୃଷ୍ଟିର ଆରମ୍ଭ, କୃଷିର ବିକାଶ, ରାଜତନ୍ତ୍ରର ପ୍ରତିଷ୍ଠା ଓ ମର୍ତ୍ତ୍ୟରେ ଡାଲଖାଇ ଓଷାର ପ୍ରବର୍ତ୍ତକଙ୍କ ସହିତ ସମ୍ବଦ୍ଧିତ। ଲୋକଗାଥା ଅନୁଯାୟୀ- ପୃଥିବୀରେ ପ୍ରଥମ ରାଜାଙ୍କ ପୁତ୍ର ନଳରାଜାଙ୍କ ଶୁଭମନାସି ତାଙ୍କର ଭଉଣୀ ରଇଲାବତୀ (ମା’ ଦୁର୍ଗାଙ୍କ ଆଦେଶରେ), ‘ଡାଲଖାଇ ଓଷା ପାଳନ କରିଥିଲେ। ଓଷାବିଧି ପାଳନରେ ରଇଲାବତୀଙ୍କୁ ଭାଉଜ ତୁଳସାରାଣୀ ସହାୟତା କରିଥିଲେ। ଦୁର୍ଗାଙ୍କର ଅନ୍ୟନାମ ଶାକମ୍ଭରୀ। ସେଥିନିମନ୍ତେ ଶାକ ବା ଡାଳପତ୍ରର ପୂଜାବିଧି ଏହି ଓଷା ସହ ସଂଶ୍ଳିଷ୍ଟ | ଡାଲଖାଇ ଓ ଦେବୀ ଦୁର୍ଗାଙ୍କୁ ଏକ ଓ ଅଭିନ୍ନ ବୋଲି ପରିକଳ୍ପନା କରାଯାଇଛି।
ଧୁନକେଲ ବାଦ୍ୟ :
ଧୁନିକେଲ ଏକ ବାଦ୍ୟ ଯନ୍ତ୍ର। ନୂଆ ମାଟିହାଣ୍ଡି ଉପରେ କୁଲାକୁ ଓଲଟାଇ, ତା’ ଉପରେ ଧନୁର ଦଣ୍ଡକୁ ରଖାଯାଏ ଏବଂ ଧନୁର ଦନ୍ତୁରିତ ଅଂଶକୁ ଗୋଟିଏ ଲୁହାଖାଡ଼ି ସାହାଯ୍ୟରେ ‘ଗୁଆନୀ’ ଘଷେ ଓ ଧନୁର ଗୁଣକୁ ଟାଣେ । ଏହି ଘର୍ଷଣରୁ ଗମ୍ଭୀରନାଦ ସୃଷ୍ଟି ହୁଏ । ଓଷାକୋଠି ନିକଟକୁ ପୁରୁଷ ପ୍ରବେଶ ନିଷେଧ। ଏକମାତ୍ର ଗୁଆନୀ (ଯଦି ପୁରୁଷ ହୋଇଥାଏ) ହିଁ ପ୍ରବେଶ ଅନୁମତି ପାଇଥାଏ। କୋଠି ନିକଟରେ ଧୁନକେଲ ବାଜୁଥାଏ, ଗୁଆନୀ ଲୋକଗାଥା ଶୁଣାଉଥାଏ| ଓଷେଇତୀମାନଙ୍କର ଶରୀରରେ କେଉଁ କେଉଁଦେବଦେବୀ ଅବତରି ଆସନ୍ତି, ସେହିମାନଙ୍କୁ ‘ଦହନା’ ଡାଳ ସୁଂଘାଇ ଦିଆଯାଏ | ଏହି ଡାଳର ସୁବାସ ଦେବଦେବୀଙ୍କର ଅତ୍ୟନ୍ତ ପ୍ରିୟ। ଦେବଦେବୀଙ୍କର କୋପ ଶାନ୍ତ କରିବା ଉଦ୍ଦେଶ୍ୟରେ ଏହିପରି କରାଯାଏ। କୋଠିଶାଳର ପରିବେଶ ପବିତ୍ରଭାବରେ ଉଛୁଳି ଉଠେ। କେତେକ ଗ୍ରାମରେ ଧୁନକେଲ ବାଦ୍ୟ ସହ ସ୍ଵତନ୍ତ୍ର ପୂଜା, ଅଲଗା କୋଠିଶାଳ ଓ ନୃତ୍ୟ ସଂଶ୍ଳିଷ୍ଟ ଥାଏ। ଲୋକମୁଖରୁ ଶୁଣାଯାଏ- ଅଷ୍ଟମୀ ତିଥିର ଅବ୍ୟବହିତ ପୂର୍ବରୁ କୁମାରୀମାନେ ନିଜନିଜର ‘ପରଲି’ (ବାଉଁଶ ନିର୍ମିତ ଚାଙ୍ଗୁଡି) ଧରି ‘ଢୁଲିଆ’ ସହିତ ନଦୀଘାଟକୁ ଯାଆନ୍ତି। ସେଠାରେ ନଦୀରୁ ବାଲିସଂଗ୍ରହ କରି ନିଜନିଜର ‘ଗଉଲି’ ପୂର୍ଣ୍ଣ କରନ୍ତି ଓ ପୁନର୍ବାର ଧୁନକେଲକୋଠିଶାଳକୁ ଫେରିଆସନ୍ତି | ନଦୀଘାଟରେ ‘ସାତବହେନ’ ପୂଜା ଅନୁଷ୍ଠିତ ହୁଏ । ଧୁନକେଲ କୋଠିଶାଳରେ ବିଭିନ୍ନ ଦେବୀଙ୍କର ପୂଜା କରାଯାଏ । କିନ୍ତୁ କେତେ ସଂଖ୍ୟକ ଦେବୀଙ୍କୁ ପୂଜା କରାଯାଏ, ସେ ବିଷୟରେ ଅଲଗା ଅଲଗା ମତ ରହିଥିବା ଜଣାଯାଏ। ଚିତ୍ରସେନ ପଶାୟତ, ଧୁନକେଲ କୋଠିଶାଳରେ ନଅ ଜଣ ଦେବୀଙ୍କର ପୂଜା ହୋଇଥାଏ ବୋଲି ଉଲ୍ଲେଖ କରିଛନ୍ତି । ୧୭
ଡାଲଖାଇ ନୃତ୍ୟ :
ଡାଲଖାଇ ଓଷାର ପୂଜକ ସାଧାରଣତଃ ଆଦିବାସୀ ସଂପ୍ରଦାୟର । ପୂଜାଶେଷରେ କୁମାରୀମାନଙ୍କଦ୍ୱାରା ସମ୍ମିଳିତ ନୃତ୍ୟ ଓ ଗୀତ ଅନୁଷ୍ଠିତ ହୁଏ। ଏହା ଡାଲଖାଇ ନୃତ୍ୟ। ଅଷ୍ଟମୀ ରାତିସାରା ନୃତ୍ୟ ଚାଲୁଥାଏ। ପରଦିନ ଅର୍ଥାତ୍ ନବମୀ ଦିନ ଗାଧୋଇସାରି କୁମାରୀମାନେ ନିଜନିଜର ପୂଜା ଉପକରଣ ନଦୀରେ ବିସର୍ଜନ କରି ଫେରିଆସନ୍ତି ଏବଂ ପୁଣି ଗାଁ ଦାଣ୍ଡରେ ନାଚ ଆରମ୍ଭ ହୋଇଯାଏ। ବିଶେଷ କରି ଛକଗୁଡ଼ିକରେ ନାଚ ହୁଏ। ଗୀତ ସମ୍ବନ୍ଧରେ ଏକ ସାଧାରଣ ଧାରଣା ରହିଛି, ଯେ ଏଗୁଡ଼ିକ ଅଶ୍ଳୀଳ ଓ ଶୃଙ୍ଗାର ରସପୁଷ୍ପ। ମାତ୍ର ଆରମ୍ଭରେ ଦେବୀଙ୍କ ସ୍ତୁତି ସହିତ ସ୍ଥଳବିଶେଷରେ ପୌରାଣିକ କାହାଣୀ ବର୍ଣ୍ଣନା କରାଯାଏ। ନୃତ୍ୟ ସହ ପଞ୍ଚବାଦ୍ୟ, ଯଥା- ଢୋଲ, ମହୁରୀ, ତାସା, ନିଶାନ ଓ ଝାଞ୍ଜ ବାଜେ ଅତୀତରେ ପଶ୍ଚିମ ଓଡ଼ିଶାରେ ନୃତ୍ୟ ପରିବେଷଣ ପାଇଁ କୁମାରୀମାନେ ଦଳଦଳ ହୋଇ ଗୋଟିଏ ଗ୍ରାମରୁ ଅନ୍ୟଗ୍ରାମକୁ ଯାଉଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଆତିଥ୍ୟ ଓ ରାଜା, ଜମିଦାର, ଗଉଁନ୍ତିଆମାନେ ଧାନ, ଚାଉଳ, ଉଖୁଡ଼ା, ଗୁଡ଼ ଦେଉଥିଲେ | ଗ୍ରାମଗୁଡ଼ିକରେ ମାସାଧିକ କାଳ ନୃତ୍ୟ ଅନୁଷ୍ଠିତ ହେଉଥିବା ହେତୁ, ଏହାକୁ ଡାଲଖାଇ ଯତରା ମଧ୍ୟ କୁହାଯାଉଥିଲା।
ଭାଇଜୁଁତିଆ ଓଷା :
ପଶ୍ଚିମ ଓଡ଼ିଶାରେ ଡାଲଖାଇ ଓଷା ସହ ସମାନ୍ତରାଳ ଭାବରେ ଅନ୍ୟ ଏକ ଓଷା ପାଳିତ ହେଉଛି। ତାହାର ନାମ ଭାଇଜୁଁତିଆ ଓଷା | ଆଦିବାସୀ, ଅଣଆଦିବାସୀ ଗୋଷ୍ଠୀର କୁମାରୀ, ସଧବା, ବିଧବାମାନେ ଅଶ୍ବିନ ଶୁକ୍ଳ ଅଷ୍ଟମୀ ଦିନ, ନିଜ ଭାଇର ମଙ୍ଗଳ ଉଦ୍ଦେଶ୍ୟରେ ଉପବାସ କରନ୍ତି। ଏହି ଓଷାର ଆରାଧ୍ୟ ଦେବୀ ଦୁର୍ଗା I ପୂଜା ଶେଷରେ ଡାଲଖାଇ ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏଥିରେ ଗ୍ରାମର କୁମାରୀ କନ୍ୟା ସହ ବୋହୂ ଓ ବୁଢ଼ୀମାନେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି। କେବଳ ସହରାଞ୍ଚଳରେ ଉଚ୍ଚ ବଂଶର ନାରୀମାନେ ଡାଲଖାଇ ନୃତ୍ୟରେ ଅଂଶଗ୍ରହଣ କରନ୍ତି ନାହିଁ। ଦୁର୍ଗାଷ୍ଟମୀ ବେଳକୁ ଭାଇଜୁଁତିଆ ନିମନ୍ତେ ଗରିବ, ଧନୀ ନିର୍ବିଶେଷରେ ଭଉଣୀମାନେ ଭାଇଘରକୁ ଆସନ୍ତି।
ଓଷାବିଧି :
ଭାଇଜୁଁତିଆ ଓଷାର ଅବ୍ୟବହିତ ପୂର୍ବରୁ, ଅର୍ଥାତ୍ ଆଶ୍ଵିନ କୃଷ୍ଣପକ୍ଷ ଅମାବାସ୍ୟା ଦିନ ସନ୍ଧ୍ୟାରେ ଗ୍ରାମର କୁମାରୀ ତଥା ବଧୂମାନେ ମାଟିକଳସ ଧରି ନଦୀ ଅଥବା ବନ୍ଧ (ପୋଖରୀ)କୁ ଯାଆନ୍ତି। ଢୋଲ ବାଜୁଥାଏ। ଭଉଣୀମାନେ ପାଣିରେ ବୁଡ଼ପକାଇ ମା’ ଦୁର୍ଗାଙ୍କୁ ସ୍ମରଣକରି ବାଲି କାଢ଼ନ୍ତି । ସାତଥର ବୁଡ଼ରେସାତମୁଠା ବାଲି କାଢ଼ି ଘାଟରେ ମଣ୍ଡପ ତିଆରି କରନ୍ତି । ସେହି ବାଲିରେ ଲିଙ୍ଗ ସ୍ଥାପନା କରନ୍ତି | କାକୁଡ଼ିକୁ ଚକି ଚକି କରି କାଟି, ଅପମାରଙ୍ଗ ଓ ସରଗି କାଠି ସାହଯ୍ୟରେ ମୋଡୋ (ଛତ୍ରଭଳି) ତିଆରି କରନ୍ତି | ଏହି ଲିଙ୍ଗକୁ ଦୂବ, ଚାଉଳ, ଅଁଳା ପତ୍ରରେ ବନ୍ଦାଇ, ହଳଦୀବଟା ଲଗାଇ ଗାଧୋଇ ଘରକୁ ଫେରନ୍ତି । କେତେକ ଗ୍ରାମରେ ଓଷେଇତୀମାନେ ସାତଥର ବୁଡ଼ପକାଇକାଢ଼ିଥିବା ବାଲିକୁ ନିଜ ନିଜର ପରଲି (ବାଉଁଶ ଚାଙ୍ଗୁଡି)ରେ ଘରକୁ ଆଣି, ସେଥିରେ ସାତ ପ୍ରକାର ଶସ୍ୟର ବୀଜ ବିହନ ରୂପେ ପକାଇଦିଅନ୍ତି। ସେହି ସାତ ଶସ୍ୟ ବୀଜ ହେଉଛି- ଗହମ, ମକା, ସୋରିଷ, ମୁଗ, ବିରି, ମାଣ୍ଡିଆ ଓ ଗୁରୁଜୀ । ପ୍ରତିଦିନ ସେହି ‘ପରଲି’ରେ ହଳଦୀପାଣି ଛିଞ୍ଚନ୍ତି। ତିନିଦିନ ପରେ ମଞ୍ଜିରୁ ଗଜା ବାହାରେ। ଅଷ୍ଟମୀଦିନଚାଙ୍ଗୁଡ଼ି ସହ ଏହି ଗଜାକୁ ଦୁର୍ଗାଙ୍କ ନିକଟରେ ସମର୍ପଣ କରିଦିଆଯାଏ । ଏହି ବିଧିକୁ ନୂଆପଡ଼ା, ବଲାଙ୍ଗୀର, ଟିଟିଲାଗଡ଼ ଅଞ୍ଚଳରେ ‘ବାଏଲକଢ଼ା’ କୁହାଯାଏ। ଭିନ୍ନଭିନ୍ନ ଗ୍ରାମରେ ‘ବାଏଲକଢ଼ା’ ରୀତିନୀତିରେ ତାରତମ୍ୟ ଦେଖିବାକୁ ମିଳେ।
ଡାଲଖାଇ ନୃତ୍ୟ:
ଅଷ୍ଟମୀ ଦିନ ଗ୍ରାମରେ ଯେଉଁ ବ୍ୟକ୍ତି ବାଦ୍ୟଯନ୍ତ୍ରର ବ୍ୟବସ୍ଥା କରିଥାଏ, ସାଧାରଣତଃ ତାଙ୍କ ଅଗଣାରେ ଭାଇଜୁଁତିଆ ଓଷାକୋଠି କରାଯାଏ। ଘରର ମାଟି କାନ୍ଥରେ ଦୁର୍ଗାଙ୍କର ଚିତ୍ର ଆଙ୍କିଦିଆଯାଏ| ଷୋହଳଟି କୋଠିରେ ବିଭିନ୍ନ ଦେବଦେବୀ ପୂଜା ପାଆନ୍ତି| ଗଣେଶ, କାର୍ତ୍ତିକ, ଶିବ, ପାର୍ବତୀ, ଦୁର୍ଗା, ରଇଲା, ଦହନା, ହନୁମାନ, ନାରଦ, କୂର୍ମ, ମାଛ ଇତ୍ୟାଦି | ଦେବଦେବୀଙ୍କୁ ଷୋହଳଟି ଦନାରେ ଉଖୁଡ଼ା ଓ ଚୁଡ଼ା ଭୋଗ ଲାଗିକରାଯାଏ। କୌଣସି କୌଣସି କୋଠିଶାଳରେ ମୂଷାକୁ ମଧ୍ୟ ଗୋଟିଏ ଦନା ଭୋଗ ଦିଆଯାଏ | ପୂଜା ସାମଗ୍ରୀରେ ଥାଏ ଆଠବର୍ଷର ଫୁଲ ଓ ଫଳ- କଖାରୁ, ଦୀପ, ଅଗରବତୀ, ଉଖୁଡ଼ା, ଚୁଡ଼ା, କାକୁଡ଼ି, ବେଲପତ୍ର ଓ ସରଗିପତ୍ର| କୋଠିଶାଳ ମଧ୍ୟଭାଗରେ ଅଁଳାଡାଳ ଅଥବା ଆଖୁଦଣ୍ଡ ପୋତାଯାଇଥାଏ। ଓଷେଇତୀମାନେ ୧୦୮ଟି ଅକ୍ଷତ ଚାଉଳ, ୧୦୮ଟି ଦୂବକୁ ସରଗିପତ୍ରରେ ପୁଢ଼ାବାନ୍ଧି ରଖିଥାଆନ୍ତି। ଦୀପ ଲାଗେ । କୋଠିଶାଳରେ ଦୁର୍ଗାଙ୍କ ସମ୍ମୁଖରେ ‘କଖାରୁ’ ବଳି ଦିଆଯାଏ। ସେମାନେ ଅକ୍ଷତ ଅରୁଆଚାଉଳ ଓ ଦୂବର ପୁଡ଼ିଆରେ ଜୁଁତିଆକୁ କାକୁଡ଼ି ଅଥବା କଦଳୀରେ ବାନ୍ଧି ଦେବୀଦୁର୍ଗାଙ୍କୁ ସମର୍ପଣ କରିଦିଅନ୍ତି। ଜୁଁତିଆ ଅର୍ଥାତ୍ ‘ହଳଦୀ ରଙ୍ଗର ସୂତା’। ଏହି କୋଠିଶାଳରେ ଓଷେଇତୀମାନେ ଭାଇଜୁଁତିଆ ଲୋକକଥା ଶୁଣିଥାନ୍ତି।
ଲୋକଗାଥା:
ପୂର୍ବେ ଚମ୍ପାବତୀ ନାମକ ଏକ ନଗର ଥିଲା। ସେହି ରାଜ୍ୟର ରାଜକୁମାରୀ ଅରୁଣା ଓ ମନ୍ତ୍ରୀପୁଅ ମଦନସୁନ୍ଦର ପରସ୍ପରକୁ ଭଲ ପାଇଲେ। ରାଜା କେତେ ଉପାୟ ପାଞ୍ଚି ମଦନସୁନ୍ଦରକୁ ମାରିବା ପାଇଁ ଉଦ୍ୟମ କଲେ। ମଦନସୁନ୍ଦରର ଭଉଣୀ ମାଳତୀ ଓ ତା’ର ମା’ ଦୁର୍ଗାଙ୍କୁ ଆରାଧନା କଲେ। ଓଷା ପାଳନ କଲେ। ମଦନସୁନ୍ଦରଙ୍କୁ ଦେବୀଦୁର୍ଗା ଘାତକ ହସ୍ତରୁ ବ୍ୟାଘ୍ରରୂପରେ ରକ୍ଷାକଲେ। ବିଷପାନରୁ ବଞ୍ଚାଇଦେଲେ। ସେହି ଦିନଠାରୁ ଭାଇଜୁଁତିଆ ଓଷା ପ୍ରସିଦ୍ଧିଲାଭ କଲା।
ଓଷା ଶେଷ ହେଲେ ମଧ୍ୟ ଭଉଣୀମାନେ ପାଣିସୁଦ୍ଧା ଛୁଅଁନ୍ତି ନାହିଁ ନବମୀ ଦିନ ସକାଳୁ ଗାଧୋଇସାରି, ବାଲିଗଜାକୁ ପାଣିରେ ବିସର୍ଜନକରି, ଭଉଣୀମାନେ ନିଜ ଭାଇମାନଙ୍କୁ ବନ୍ଦାଇ, ଦୁର୍ଗାଙ୍କୁ ଚଢ଼ାଉଥିବା ଅକ୍ଷତ ଚାଉଳ ଓ ଦୂବକୁ ସେମାନଙ୍କ ଦେହରେ ଛୁଆଁଇ ଦିଅନ୍ତି। ଏହାକୁ ‘ଦୂବମଖା’ କୁହାଯାଏ। ଭାଇଜୁଁତିଆ ଦିନ ଭଉଣୀମାନେ ନୂଆ ଲୁଗା ପିନ୍ଧନ୍ତି। ଦୂବମଖା ଶେଷ କରି ଗ୍ରାମର ଚାରିଛକରେଡାଲଖାଇ ନାଚନ୍ତି | କେଉଁ କେଉଁ ଗ୍ରାମରେ ଯୁବତୀମାନେ ରାସ୍ତା ଅବରୋଧ କରି ନୃତ୍ୟ କରନ୍ତି ଏବଂ ରାସ୍ତାରେ ଯାଉଥିବା ଯାନବାହନ ଅଟକାଇ ଚାନ୍ଦା ଅସୁଲ କରନ୍ତି | ଅସୁଲ ହେଉଥିବା ଟଙ୍କାରୁ କିଛି ଢୁଲିଆକୁ ଦିଅନ୍ତି ଓ ବଳକା ଚାନ୍ଦାରେ ଭୋଜିଭାତ କରନ୍ତି। ଭାଇଜୁଁତିଆ ଓଷାକୋଠି ପାଖରେ ବ୍ରହ୍ମଣ ପୂଜାବିଧି ସମାପନ କରନ୍ତି | ଗାଥା ଶୁଣନ୍ତି |
ଭାଇଜୁଁତିଆ:
ଉପରୋକ୍ତ ଦୁଇଟି ଓଷା ମଧ୍ୟରେ ଉପାଦାନଗତ ସାମ୍ୟ ଓ କାଳାନୁକ୍ରମିକ ମୂଲ୍ୟବୋଧରେ ପରିବର୍ତ୍ତିତ ସାଂସ୍କୃତିକ ପ୍ରତୀକଗୁଡ଼ିକର ସଂଯୋଜନା ଆଧାରରେ ଲୋକାୟତ ସଂସ୍କୃତିର ଆର୍ଯ୍ୟାୟନ ଓ ସଂସ୍କୃତିକରଣର ପ୍ରଚେଷ୍ଟାର ପ୍ରତିରୂପ ସମ୍ବନ୍ଧରେ ଆଲୋଚନା ଆବଶ୍ୟକ ମନେହୁଏ | ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି ତନ୍ତ୍ରଭିତ୍ତିକ ଥିଲା। ଏହି ତନ୍ତ୍ର, ବୌଦ୍ଧଧର୍ମର ଅବଶେଷ, ସହଜଯାନର ଅନୁସରଣ ନୁହେଁ| ପୃଥିବୀର ଆଦିମ ଜନଜାତିର ସଂସ୍କୃତି ପରି, ଜୀବନଜିଜ୍ଞାସାର ଅନ୍ଵେଷଣ, ତାନ୍ତ୍ରିକ ଅନୁସନ୍ଧିତ୍ସାକୁ ନେଇ ‘ଦକ୍ଷିଣ କୋଶଳ ଭୂମି ପରିପୁଷ୍ଟ ଥିଲା। ଏହି ଭୂଖଣ୍ଡର ଧର୍ମାଚାର, ନୃତ୍ୟଗୀତ ଓ ନାଟ, ଲୋକବିଶ୍ଵାସ, ମିଥ୍ ତଥା ପଥର ଗାତ୍ରରେ ଲୋକ ବିଚାରର ବିଭବଗୁଡ଼ିକର ସଂକେତ ମିଳିଥାଏ I ଗୁପ୍ତ ସାମ୍ରାଜ୍ୟାଧୀନ ହେଲା ପରେ ବ୍ରାହ୍ମଣମାନେ ଏହି ଅଞ୍ଚଳକୁ ଶାସକମାନଙ୍କ ସହିତ ପ୍ରବେଶ କରିଛନ୍ତି ଏବଂ ଆଦିମ ଜନଜାତିଙ୍କର ପ୍ରତିସ୍ପର୍ଶୀ ପ୍ରତିଭା ରୂପରେ କ୍ଷମତା ବିସ୍ତାରଣ କରିଛନ୍ତି । ଭୂମି, ବାଣିଜ୍ୟ ଓ କ୍ଷମତା- ଏହି ତିନୋଟି ବିଭବକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ସଂଘର୍ଷ ଅବ୍ୟାହତ ରହିଛି ଏବଂ ବ୍ରାହ୍ମଣମାନେ ଏହି ସଂଘର୍ଷରେ ଜିତିଛନ୍ତି। ସୋମ, ଶରଭପୁରୀୟ, ଚୌହାନ ରାଜବଂଶମାନଙ୍କ ଶାସନ କାଳରେ ଶୈବଧର୍ମ ପ୍ରାଧାନ୍ୟ ଲାଭ କରିଛି ଏବଂ ତନ୍ତ୍ର ଶକ୍ତିପୀଠଗୁଡ଼ିକରେ କ୍ରମେ ଉଭୟ ଶିବ ଓ ଶକ୍ତିଙ୍କ ପୂଜା ଆରମ୍ଭ ହୋଇଛି । ପ୍ରାକ୍-ବୈଦିକ ଯୋନି ଓ ଲିଙ୍ଗ, ଯୌନାଭିଚାର ସହ, ବିଭିନ୍ନ ପ୍ରଥାଗୁଡ଼ିକରେ ଶିବ ଓ ଅନ୍ୟାନ୍ୟ ଦେବଦେବୀ ପୂଜା ପାଇଛନ୍ତି। ଗଙ୍ଗବଂଶର ପଶ୍ଚିମଓଡ଼ିଶା ଅଧିକାର ପରେ ବୈଷ୍ଣବଧର୍ମ ଲୋକାୟତ ଧର୍ମର ନିକଟତର ହୋଇଛି। ମାତୃ ଉପାସନା କୋଠିଶାଳଗୁଡ଼ିକରେ ନୂତନ ଦେବବିଗ୍ରହର ଉପସ୍ଥିତି ରାଜକୀୟ ପୃଷ୍ଠପୋଷକତାର ପରିଣତି ବୋଲି ସ୍ପଷ୍ଟତଃ କୁହାଯାଇପାରେ।
ଧୁନକେଲ ବାଦ୍ୟ ପରିବେଷଣ, ଡାଲଖାଇ କୋଠି, କୋଠିଶାଳରେ ଦୁର୍ଗାଙ୍କର ଅର୍ଚ୍ଚନା, କୁମାରୀମାନଙ୍କର ନୃତ୍ୟ ଓ ସକଳ ବିଧି ଆଦିମକାଳର ପ୍ରଜନନ ପ୍ରଥାକୁ ସୂଚିତ କରିଥାଏ। ପୂର୍ବ ଆଲୋଚନାକୁ ଆଧାର କରି ଏହା ଉଲ୍ଲେଖ କରାଯାଇପାରେ, ଯେ ଷୋଡ଼ଶ ମାତୃକାଙ୍କ ମଧ୍ୟରେ ଗୌରୀ ପ୍ରମୁଖ ଦେବୀ, ଦୁର୍ଗାଙ୍କର ଅନ୍ୟନାମ କାତ୍ୟାୟିନୀI ଶକ୍ତିସ୍ୱରୂପିଣୀ ମାତା ଦୁର୍ଗା, ତନ୍ତ୍ରର ଆରାଧ୍ୟ ଦେବୀ, ପଶ୍ଚିମ ଓଡ଼ିଶାର ଜନସଂସ୍କୃତିରେ ବିପୁଳ ପ୍ରସିଦ୍ଧି ଲାଭ କରିଥିଲେ | ଡାଲଖାଇ ଓଷାର କାଳ ନିର୍ଣ୍ଣୟ ପ୍ରସଙ୍ଗ ଆଲୋଚନା କାଳରେ ଏଥିସହ ସଂଲଗ୍ନ ଅଭିଚାରଗୁଡ଼ିକରୁ ଏହା ପ୍ରାକ୍-ବୈଦିକ ସଭ୍ୟତାର ସଂରଚନା ବୋଲି କୁହାଯାଇପାରେ। ଡାଲଖାଇ କୋଠି ବୈଦିକ ତାନ୍ତ୍ରିକ ଓ ଲୌକିକ ଉପାସନା ପଦ୍ଧତିର ଏକ ସମ୍ମିଳିତ ରୂପ। ୧୮ ଆମ ସମାଜରେ ପ୍ରଚଳିତ ଅନେକ ଧର୍ମଭାବନା, ପୌରାଣିକ ଆଖ୍ୟାୟିକା ଏବଂ ତାନ୍ତ୍ରିକ ଭାବଧାରାର ଏକ ସଫଳ ସମନ୍ଵୟ । ୧୯ ଓ ଭାଇଜୁଁତିଆ ଓଷା, ଡାଲଖାଇ ଓଷାର ପରିବର୍ତ୍ତିତ ଓ ପରିବର୍ଦ୍ଧିତ ରୂପ। ଆର୍ଯ୍ୟମାନଙ୍କ ଆଗମନ ଫଳରେ ସମାଜରେ ଜାତି ପ୍ରଥା ସୃଷ୍ଟି ହୋଇଥିଲା। ଧାର୍ମିକ ପ୍ରଥା ହିଁ ବ୍ରାହ୍ମଣୋତ୍ତର ଜାତି ତଥା ଆର୍ଯ୍ୟତର ଜାତି ମଧ୍ୟରେ ସାଂସ୍କୃତିକ ସଦ୍ଭାବ ପ୍ରତିଷ୍ଠା କରିପାରେ। ଭାଇଜୁଁତିଆ ଓଷା ପଶ୍ଚିମ ଓଡ଼ିଶାରେ ସାଂସ୍କୃତିକ ସମୀକରଣର ନିଦର୍ଶନ। ଏହା ପ୍ରାୟ ଶହେବର୍ଷରୁ ପ୍ରାଚୀନ ନୁହେଁ ଭାଇଜୁଁତିଆ ଓଷା ସହ ସଂଲଗ୍ନ ଲୋକକଥା ନିଶ୍ଚିତ ରୂପେ ବ୍ରାହ୍ମଣମାନଙ୍କ ଦ୍ଵାରା ଲିଖିତ। ରାଜକୀୟ କ୍ଷମତାରେ ଅଧିଷ୍ଠିତ ବ୍ୟକ୍ତି ଲୋକସାଧାରଣଙ୍କର ପ୍ରଥାକୁ ଆପଣାର କରିନେବା ଏବଂ କ୍ରମେ ତାହାକୁ ସର୍ବକାଳୀନ ପ୍ରଥା ରୂପେ ପ୍ରତିଷ୍ଠା କରିବା ମୂଳରେ, ଲୋକଧର୍ମର ଅଧିକ ନିକଟତର ହେବା ପ୍ରୟାସ ଲୁକ୍କାୟିତ ବୋଲି ମନେହୁଏ | ଆର୍ଯ୍ୟ/ ବ୍ରାହ୍ମଣଗୋଷ୍ଠୀ, ପଶ୍ଚିମ ଓଡ଼ିଶାର ଆଦିମ ଜନଜାତିଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବା ନିମନ୍ତେ ପ୍ରଥା ଓ ପରମ୍ପରାକୁ ମୁଖ୍ୟ ଆୟୁଧ ରୂପେ ବ୍ୟବହାର କରିଥିଲେ। ଏହି କାରଣରୁ ଆଦିବାସୀ ଗୋଷ୍ଠୀର ବିଭିନ୍ନ ସାମାଜିକ ପ୍ରଥାଗୁଡ଼ିକ କ୍ରମେ ବ୍ରାହ୍ମଣ ପୂଜକମାନଙ୍କର ଅନୁପ୍ରବେଶକୁ ତ୍ଵରାନ୍ୱିତ କରିଛି।
ଡାଲଖାଇ କୁଠିଶାଳରେ ‘ଗୁଆନୀ’ ଧୁନକେଲ ପରିବେଷଣ କରୁଥିବା ସମୟରେ ଯେଉଁ ଲୋକଗାଥା ଗାଉଥାଏ, ତାହା ମଧ୍ୟ ବିଶେଷ ପ୍ରାଚୀନ ବୋଲି ମନେହୁଏ। ଜାଙ୍ଗଲିକ ସଭ୍ୟତାରୁ କୃଷିଭିତ୍ତିକ ସଭ୍ୟତାକୁ ପ୍ରାଧାନ୍ୟ ଦେବା ସମୟରେ ଆଦିମ ଜନଜାତିଙ୍କର ମାନସିକ ଚେତନାରେ ମାତୃ ପ୍ରତିମା ରୂପରେ ଶାକମ୍ବରୀ ବା ଡାଲଖାଇ ଗ୍ରହଣଯୋଗ୍ୟ ମନେ ହେଉଛନ୍ତି। ଭାରତୀୟ ପୁରାଣ, ଧର୍ମଶାସ୍ତ୍ରଗୁଡ଼ିକରେ ଦୁର୍ଗାଙ୍କର ଉଲ୍ଲେଖ ପରବର୍ତ୍ତୀକାଳୀନ ସଂଯୋଜନ| ତେଣୁ ଏକଦା ଘଞ୍ଚ ଅରଣ୍ୟାନି ପରିବେଷ୍ଟିତ ଦକ୍ଷିଣକୋଶଳ ଅନ୍ତର୍ଭୂତ ପଶ୍ଚିମଓଡ଼ିଶାର ଆଦିମ ଜନଜାତି, କୃଷିସଭ୍ୟତାର ପ୍ରାରମ୍ଭିକ ପର୍ଯ୍ୟାୟରେ ମାତୃଉପାସନା ମାଧ୍ୟମରେ ଡାଲଖାଇ ପ୍ରଥା/ନୃତ୍ୟର ସୂତ୍ରପାତ କରିଥିଲେ, ଏଥିରେ ସନ୍ଦେହ ନାହିଁ।
ଡାଲଖାଇ ନୃତ୍ୟ ଓ ସାଂସ୍କୃତିକ ପରିବର୍ତ୍ତନ :
ସଂସ୍କୃତି ମଣିଷ ସୃଷ୍ଟି, ତେଣୁ ତାହାର ପରିବର୍ତ୍ତନ ଅବଶ୍ୟମ୍ଭାବୀ। ଶିଳ୍ପବାଣିଜ୍ୟର ବିକାଶ, ବୈଜ୍ଞାନିକ କୌଶଳର ଉଦ୍ଭାବନ ଓ ପ୍ରୟୋଗ, ନଗରାଭିମୁଖୀ ଗ୍ରାମ୍ୟସଭ୍ୟତା, ପରିବର୍ତ୍ତିତ ଶାସନ ବ୍ୟବସ୍ଥା, ମାନସିକ ବିଶ୍ୱାସ ଓ ଧାରଣାକୁ ମଧ୍ୟ ବଦଳାଇଥାଏ। ଏହା ପ୍ରଥା ଓ ପରମ୍ପରା ବ୍ୟକ୍ତି ଓ ସମୂହର ଉତ୍ସବ, ଯାତ୍ରା, ନୃତ୍ୟ ଆଦିରେ ପ୍ରତିଫଳିତ ହୋଇଥାଏ।
ଡାଲଖାଇ ନୃତ୍ୟ ପ୍ରସଙ୍ଗରେ ଆଲୋଚନା କଲାବେଳେ ଏହାର ଲୋକବାଦ୍ୟକୁ ନିଆଯାଉ। ଲୋକବାଦ୍ୟ, ଗୋଟିଏ ଗୋଷ୍ଠୀର କର୍ମଶୃଙ୍ଖଳା ଅଥବା କୌଳିକ ବୃତ୍ତର ଏକ ଅଙ୍ଗହେବା ପୂର୍ବରୁ ଲୋକ ସମୂହର ବାଦ୍ୟ ଥିଲା। ଆଦିମ ଜନଜାତି ଏହି ବାଦ୍ୟ ସମୂହକୁ ପ୍ରଥା, ଅଭିଚାର ଅଥବା ଆନନ୍ଦମୁଖର ସନ୍ଧ୍ୟାପାଇଁ ବ୍ୟବହାର କରୁଥିଲା। ଆଜି ମଧ୍ୟ ନୂଆପଡ଼ାର ପାହାଡ଼ ପର୍ବତ ଉପରେ ପହରିଆ ଜନଜାତିର ଅଧିବାସୀ ବଇଁଶୀଟିଏ ଧରି ଫୁଙ୍କୁଥିବା ଦେଖାଯାଏ। ବାଦ୍ୟଯନ୍ତ୍ର ଲୋକର ସାଥୀ ଓ ସହୋଦର ଥିଲା। ଆଦିମମଣିଷ ନିଜ ନିଜର ଗୃହୋପଯୋଗୀ ଦ୍ରବ୍ୟ ସହିତ ସାମ୍ୟ ରଖି ବାଦ୍ୟଗୁଡ଼ିକ ଯତ୍ନ ସହକାରେ ତିଆରି କରିଥିଲା। ନିଶାନ, ଢୋଲ, ତାସା, ମହୁରୀ ଏହାର ଉଦାହରଣ । କିନ୍ତୁ ଆର୍ଯ୍ୟ ପ୍ରଭାବିତ ବ୍ୟବସ୍ଥାରେ ନିମ୍ନଗୋଷ୍ଠୀ (ଡମ, ଗଣ୍ଡା) ଏହି ବାଦ୍ୟଯନ୍ତ୍ର ସମୂହକୁ ନିଜର କୌଳିକବୃତ୍ତି ରୂପରେ ଗ୍ରହଣ କରିଥିଲେ। ଡାଲଖାଇ ନୃତ୍ୟ ନିମନ୍ତେ କ୍ରମେ ‘ଗଣ୍ଡାବଜା’ ବ୍ୟବହାର ହେଲା| କୌଣସି ଗ୍ରାମରେ ‘ଗଣ୍ଡାବଜା’ ଦଳ ନଥିଲେ ନିକଟବର୍ତ୍ତୀ ଗ୍ରାମରୁ ସେମାନଙ୍କୁ ଆମନ୍ତ୍ରଣ କରାଯାଉଥିଲା। ଏହି ବାଦ୍ୟକାରମାନଙ୍କୁ ଧାନ, ଚାଉଳ ପଡ଼ି ହିସାବରେ ଦିଆଯାଉଥିଲା। ଆଦିବାସୀମାନଙ୍କର ବାଦ୍ୟ ସମୂହକୁ ଆପଣେଇ ନେଲା ପରେ ଗଣ୍ଡା ଜାତିରେ ବାଦ୍ୟଯନ୍ତ୍ରକୁ ନେଇ ଅନେକ ମିଥ୍ ଓ ଲୋକକଥା ସୃଷ୍ଟି ହେଲା | ମୁଁ ଜାତିର ମହତ୍ତ୍ଵ ବଢ଼ାଇବା ପାଇଁ ଏଗୁଡ଼ିକର ସଂରଚନା ଥିଲା ସଚେତନ ପ୍ରୟାସ।
ଡାଲଖାଇ ନୃତ୍ୟ ଓଷାଭିତ୍ତିକ ଥିବା ପର୍ଯ୍ୟନ୍ତ, ବାଦ୍ୟକାରଗୋଷ୍ଠୀ ନିଜର ସ୍ନାତନ୍ତ୍ର୍ୟ ରକ୍ଷା କରିଥିଲେ I ଓଷାର ପରିସର ବାହାରେ ନୃତ୍ୟ ପ୍ରଦର୍ଶିତ ହେଲାପରେ, ବାଦ୍ୟକାର ଗୋଷ୍ଠୀ ସୀମିତ ରହିଲେ ନାହିଁ । ଯେ କୌଣସି ବ୍ୟକ୍ତି- ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ନିଶାନ, ଢୋଲ, ତାସା ଓ ମହୁରୀ ଆଦି ବାଜା ବଜେଇଲେ । ଅପରପକ୍ଷରେ, ବାଦ୍ୟକାର ଗୋଷ୍ଠୀ ଭୂମିରୁ ଭୂମ୍ୟନ୍ତରୀ ହେବା ପରେ, ନୂତନ ଭୂମିରେ ନିଜ ବାଦ୍ୟଯନ୍ତ୍ରକୁ ବ୍ୟବହାର କଲେ । ସ୍ଥଳବିଶେଷରେ ସେହି ଭୂମିର ବାଦ୍ୟକୁ ନିଜ ବାଦ୍ୟସହ ସଂଯୋଜନ କଲେ । ସେହି କାରଣରୁ ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରୁ ଭୂମ୍ୟନ୍ତରୀ ହୋଇଥିବା ବାୟକଗୋଷ୍ଠୀ, ମାଟିର ତାସା ପରିବର୍ତ୍ତେ ଲୁହା, ଷ୍ଟିଲ୍ ବା ଗିଳଟରତାସା; ମହୁରୀ ପରିବର୍ତ୍ତେ ସାହାନାଇ ବ୍ୟବହାର କରିଛନ୍ତି। ଛତିଶଗଡ଼ ଓ ରାୟପୁର ଅଭିମୁଖେ ଭୂମ୍ୟନ୍ତରୀ ଦଳର ସଂସ୍କୃତିରେ ମଧ୍ୟ ପରିବର୍ତ୍ତିନ ଆସିଛି। ଲୋକବାଦ୍ୟ ସେଥିରୁ ବାଦ୍ ଯାଇନାହିଁ। ପୁନଶ୍ଚ ନୃତ୍ୟ ଆଦି ମଞ୍ଚ ଉପରେ ପ୍ରଦର୍ଶିତ ହେବା ଯୋଗୁଁ, ଦର୍ଶକ (ଉପଭୋକ୍ତା)ର ରୁଚି ଓ ଚାହିଦା ଅନୁଯାୟୀ, ନୂତନ ବାଦ୍ୟଯନ୍ତ୍ରର ମଧ୍ୟ ପ୍ରୟୋଗ ହେଉଛି। ଅତ୍ୟାଧୁନିକ ଇଲେକଟ୍ରୋନିକ୍ସ ବାଦ୍ୟଯନ୍ତ୍ର ଏବେ ଗ୍ରାମୀଣ ବାଦ୍ୟକୁ ଅକ୍ତିଆର କରିନେଲାଣି। ଧୁନକେଲ ବାଦ୍ୟ ପ୍ରାୟତଃ ଲୁପ୍ତହେବାକୁ ବସିଲାଣି। ଡାଲଖାଇ ଓଷାସ୍ଥଳରେ କାଁଭାଁ କେଉଁଠାରେ ଧୁନକେଲ ବାଜୁଛି।
କ୍ଷେତ୍ର-ସର୍ବେକ୍ଷଣ ସମୟରେ ଉପଲବ୍ଧ ତଥ୍ୟରୁ ଜଣାଯାଏ, ନୂଆପଡ଼ା ଜିଲ୍ଲାର ଦରଗାଁରେ ପୂର୍ବେ ପ୍ରତିବର୍ଷ ଧୁନକେଲ ପୂଜା ହେଉଥିଲା। ସମୟାନ୍ତରରେ ଦଶ ବର୍ଷରେ ଥରେ ଏବଂ ବର୍ତ୍ତମାନ କୋଡିଏ ବର୍ଷରେ ଥରେ ଏହି ବାଦ୍ୟର ପୂଜା ଅନୁଷ୍ଠିତ ହେଉଅଛି। ଧୁନକେଲ ଶବ୍ଦ ଅପଭ୍ରଂଶ ହୋଇ ‘ଧୁନିକୀ’୨୦ ରେ ପରିଣତ ହୋଇଛି। ଏବଂ ଧୁନକୀ ବାଦ୍ୟ ପୂଜାରୁ ଧୁନକୀ ଦେବତା ପୂଜା ବର୍ତ୍ତମାନ କାଳରେ ଦରଗାଁରେ ଅନୁଷ୍ଠିତ ହେଉଅଛି। ମାତୃକା ପୂଜାର ପ୍ରଥାଗୁଡ଼ିକ କ୍ରମଶଃ ଲୋପ ପାଇଆସୁଛି। ନୂଆପ୍ରଥା ସଂଯୋଗ ହେଉଛି। ଅଥଚ ଡାଲଖାଇ ଓଷାର ଅବଶେଷ ଡାଲଖାଇ ନୃତ୍ୟରେ ବଞ୍ଚିରହିଛି। ‘ଗୁଆନୀ’ର ଲୋକଗାଥା ଶୁଣିବା ପାଇଁ କୁମାରୀମାନଙ୍କର ଆଗ୍ରହ ନାହିଁ। ଗୁଆନୀ ସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ପାଉଛି। ଆଧୁନିକ ସଭ୍ୟତାରେ ଲୋକଗାଥା ଗାୟକୀ ଓ ପୁରାତନ ବାଦ୍ୟ ବାଦନ କାଳକୁ ନେଇ ଜୀବିକାର୍ଜନ ସମ୍ଭବ ହେଉନାହିଁ। ଏହି କାରଣରୁ ଅଷ୍ଟମୀ ରାତି ପୂର୍ବରୁ ଯେ କୌଣସି ଦିନ ଗୁଆନୀର ସୁବିଧାନୁଯାୟୀ ଧୁନକେଲ ବାଦ୍ୟ ବାଜୁଛି ଓ କୁମାରୀମାନେ ଲୋକଗାଥା ଶୁଣୁଛନ୍ତି। ଆଶ୍ୱିନମାସ କୃଷ୍ଣପକ୍ଷ ଅମାବାସ୍ୟାଠାରୁ ଆରମ୍ଭ କରି ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଯେ କୌଣସି ତିଥିରେ ଧୁନକେଲ ବାଦ୍ୟ, ଲୋକଗାଥାକୁ ନେଇ କୁମାରୀମାନେ ଡାଲଖାଇ କୁଠିଶାଳରେ ଓଷା ପାଳନ କରୁଛନ୍ତି |
ଡାଲଖାଇ ନୃତ୍ୟ :
ଆମେ ଯଦି ତାଳ, ଲୟଯୁକ୍ତ ଅର୍ଥ ବହଅଙ୍ଗ ସଂଚାଳନକୁ ନୃତ୍ୟ କହିବା- ଡାଲଖାଇରେ ପଦ ସଂଚାଳନ କ୍ରିୟା ଅଧିକ ମହତ୍ତ୍ୱପୂର୍ଣ୍ଣ ଏହା ଏକକ ନୁହେଁ କୁମାରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସମବେତ, ଦଳଭିତ୍ତିକ ଗୋଷ୍ଠୀ ନୃତ୍ୟ ଡାଲଖାଇ ଓଷା ବ୍ୟତୀତ ବିବାହ, କୁଣାବେରା ଆଦି ମାଙ୍ଗଳିକ କାର୍ଯ୍ୟରେ ଗ୍ରାମର ଯୁବତୀ ଓ ବଧୂମାନେ ମଧ୍ୟ ଏହି ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ବର୍ତ୍ତମାନ ନୃତ୍ୟକଳା ଅନୁଷ୍ଠାନଗୁଡ଼ିକରେ ଏହି ନୃତ୍ୟ ଶିକ୍ଷା ଦିଆଯାଉଛି । ରାଜ୍ୟର ବିଭିନ୍ନ ଆନୁଷ୍ଠାନିକ ଉତ୍ସବଗୁଡ଼ିକରେ ‘ଡାଲଖାଇ’ ଏକ ଲୋକପ୍ରିୟ ନୃତ୍ୟ ରୂପେ ପରିବେଷଣ ହେଉଛି। ରାଜ୍ୟ ବାହାରେ ଲୋକନୃତ୍ୟର ପ୍ରତିନିଧିତ୍ଵ କରିବା ନିମନ୍ତେ ଡାଲଖାଇ ଲୋକନୃତ୍ୟ ଦଳ ଯାଉଛନ୍ତି। ତେଣୁ ଏଠାରେ ବସ୍ତୁତଃ କୁହାଯାଇପାରେ, ଯେ ଏହି ଲୋକନୃତ୍ୟ ଓଷାକୋଠି ମଧ୍ୟରେ ସୀମିତ ହୋଇ ରହିନାହିଁ। ଅତୀତରେ ସାମନ୍ତମାନଙ୍କ ପରି, ଆଜି କ୍ଷମତା ପରିମଣ୍ଡଳ ଡାଲଖାଇକୁ ନିୟନ୍ତ୍ରଣ କରୁଛନ୍ତି।
ପଶ୍ଚିମ ଓଡ଼ିଶାରଲୋକ ନୃତ୍ୟଗୁଡ଼ିକରେ ‘ଠିଆ, ବସା, ଉଠା, ଚାଲି’- ଏହି ଚାରୋଟି ଭଙ୍ଗୀ ବିଶେଷ ଗୁରୁତ୍ଵପୂର୍ଣ୍ଣ ‘ଡାଲଖାଇ ନୃତ୍ୟ’ ଏହାର ବ୍ୟତିକ୍ରମ ନୁହେଁ। ନୃତ୍ୟ ଆରମ୍ଭରେ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ସେଥିନିମନ୍ତେ ବାୟକ ବାଦ୍ୟରେ ଦେବତା ପାଇଁ ଅର୍ଥାତ୍ ଦେବତାଙ୍କ ନିମନ୍ତେ ଉଦ୍ଦିଷ୍ଟ ତାଳ ବସାଣ କରନ୍ତି । ଏହା ଫଳରେ ନୃତ୍ୟଙ୍ଗନାମାନଙ୍କ ମଧ୍ୟରୁ କାହାର କାହାର ଶରୀରରେ ଦେବୀ ଆବିର୍ଭାବ ହୁଅନ୍ତି । କିନ୍ତୁ ମଞ୍ଚପ୍ରସ୍ତୁତ ଡାଲଖାଇ ନୃତ୍ୟ ଏହାର ବ୍ୟତିକ୍ରମ। ବାଦ୍ୟଯନ୍ତ୍ରର ତାଳରେ କୁମାରୀମାନେ ନାଚ ଆରମ୍ଭ କରନ୍ତି ଏବଂ ଏଥିରେ ପାଦସଂଚାଳନ କ୍ରିୟା ପ୍ରାଧାନ୍ୟଲାଭ କରିଥାଏ। ସେମାନେ ଦୁଇ ପାଦରେ ଶରୀରର ଭାର ରଖି ତାଳ ଅନୁଯାୟୀ ପାଦ ଆଗକୁ ଓ ପଛକୁ ଏବଂ କେତେକ ସମୟରେ ବାମ ଓ ଡାହାଣ ପାର୍ଶ୍ଵକୁ ନିଅନ୍ତି । ଏହିପରି କେତେ ପାଦ ଗତି ପରେ ଦେହକୁ ଆଗକୁ ନୁଆଁଇ ନାଚନ୍ତି ଏବଂ ତାଳ ଛିଣ୍ଡିଲେ, ପୁନର୍ବାର ନିଜ ସ୍ଥାନରେ ‘ଠିଆ’ ହୋଇଯାଆନ୍ତି। ତେଣୁ ପାଦଚାଳନା ପରି ‘ଠିଆ’ ଭୂମିକା ମଧ୍ୟ ନୃତ୍ୟରେ ଗୁରୁତ୍ଵପୂର୍ଣ୍ଣ ନାଚୁଥିବା କୁମାରୀମାନଙ୍କ ମଧ୍ୟରୁ ଜଣେ ଗୀତ ଗାଉଥାଏ | ଗୀତ ସମୟରେ କେହି ନାଚନ୍ତି ନାହିଁ। ଗୋଟିଏ ପଦ ଗାୟକ ଗାଇବା ପରେ, ବାୟକମାନେ ବାଜା ବଜାନ୍ତି ଓ ନାଚ ଆରମ୍ଭ ହୋଇଯାଏ।
ସଂପ୍ରତି ନାଚରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳେ । ଉଭୟ ପୁରୁଷ ଓ ନାରୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସ୍ଥଳବିଶେଷରେ ନାରୀମାନେ ଆଗରେ ଓ ବାଦକ ନିଜନିଜର ବାଦ୍ୟଯନ୍ତ୍ର ସହ ପଛରେ ନାଚୁଛନ୍ତି। ଗୀତ ସହ ଅଭିନୟ ମଧ୍ୟ ଏଥିରେ ସଂଯୋଜନ ର ହୋଇଛି। ଲୋକନୃତ୍ୟ ଏତେ ବ୍ୟବସାୟିକ ହୋଇଛି, ଯେ ଗୁରୁମାନେ ଡାଲଖାଇ ସହ, ବରିଆ, ହୋମୋବଉଲି ନାଚକୁ ମିଶାଇ, ‘ନୃତ୍ୟନାଟିକା’ମାନ ପରିବେଷଣ କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ‘ବିଷୟବସ୍ତୁ’କୁ ଆଧାରକରି ନୃତ୍ୟର ‘କୋରିଓଗ୍ରାଫି’ ତିଆରି ହେଉଅଛି।
ଲୋକଗୀତ :
ଗୀତ ଡାଲଖାଇର ଏକ ବିଶେଷ ଅଙ୍ଗ । ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ଏହି ଗୀତଗୁଡ଼ିକ ରଚିତ ଗୀତର ଆରମ୍ଭରେ ‘ଡାଲଖାଇ’ରେ ଦୁଇଥର ଆବୃତ୍ତି କରାଯାଏ। ସେହିପରି କାଁଏ, ବୋ ଇତ୍ୟାଦି ସମ୍ବୋଧନରେ ଗୀତ ସମାପ୍ତ ହୁଏ। ଏହି ଗୀତଗୁଡ଼ିକ ଦୁର୍ଗାଙ୍କ ବନ୍ଦନା, ରାଧାକୃଷ୍ଣ ପୀରତି, ଶୃଙ୍ଗାରରସ ଆଧାରିତ। ଗୀତଗୁଡ଼ିକ ଦୁଇ, ଚାରି, ଛଅ ଅଥବା ଷୋହଳ ପଦବିଶିଷ୍ଟ। ନୃତ୍ୟ ଆରମ୍ଭରେ ଦେବୀ ବନ୍ଦନା ଥାଏ।
ଡାଲଖାଇରେ ଡାଲଖାଇରେ
ଡାଲ ତ ଡାଲ ଅଏଁଲା ଡାଲ
ଗୁଥିରଖି ଅଛେ ମନ୍ଦାରମାଲ
ମନ୍ଦାରମାଲଥି ମା’ର ଶରଧା
ଚଢ଼ାମି ବଲି କରିଛେ ଆଶା
ମାଁ ଦୟାକଲେ ଅଂଧାର ଉକିଆ
ଆପଦେ ବିପଦେ ହୁଏ ସେ ଠିଆ
ଦୁଃଖନାଶେନୀ, ସିଂହବାହେନୀ, ଘେନ ଦଇନି
ଦୟାକରିଥିବ ମାଗୋ, ମନକେ ଜାନି, ସମିଆ ଜାନି
ଡାଲଖାଇରେ ଡାଲଖାଇରେ
ସିଂହବାହିନୀ ମା’ ଦୁର୍ଗାଙ୍କର ମନ୍ଦାରମାଳକୁ ଅତି ଶରଧା । ମା’ଙ୍କର ମନକଥା ଜାଣି ଭକ୍ତ ଯତ୍ନ ସହକାରେ ମନ୍ଦିରମାଳ ଗୁନ୍ଥି ରଖିଥାଏ। ସକଳ ବିପଦର ଉଦ୍ଧାରକାରିଣୀ, ଦୁଃଖହାରିଣୀ, ଦୁର୍ଗତିନାଶିନୀ, ଅଭୟଦାୟିନୀ, ଜଗତଜନନୀ ସାହା ହେଲେ ଭକ୍ତର ଜୀବନରୁ ସକଳ ଦୁଃଖ ଦୂରହୁଏ।
ଓଷାର ବିଧିବିଧାନକୁ ନେଇ କେଉଁ କାଳରୁ ଗ୍ରାମର ମହିଳାମାନେ ଗୀତ ଗାଇଥାନ୍ତି।
ଡାଲଖାଇରେ ଡାଲଖାଇରେ
ଲାଲ ଟହଟହ କରି ଉଡ଼ିଗଲା ବେଲ
ମୁନଗା ଗଛେ କରେ କୁଆ କା କା
ମାଲତୀ କେ ଉଠେଇକରି କହୁଛେ ତାର ମାଆ
ବୋଇଲେ ମାଲତୀ, ହେନ୍ତା ହେଲେ କହିଦିଅ
ମା ଗୋ ଭାଇଜୀଉଁନ୍ତିଆ ନୀତି
ଆଠବରଣ ଫୁଲ, ଆଠବରଣ ଫୁଲ
ରାତ୍ରୀବେଳେ ପୂଜା କରିବୁ ମାଲୋ|
ଜାଲିବୁ ଜାଗର
କେଁ ଡାଲଖାଇରେ।୨୨
ବହୁ ଡାଲଖାଇ ଗୀତ ଆଦି ରସାତ୍ମକ ଚରିତ୍ର ଓ କାହାଣୀ ମୁଖ୍ୟତଃ ଯମୁନା ନଦୀ କଦମ୍ବମୂଳ, ରାଇ- କାହ୍ନା ପ୍ରୀତି ଓ ପରିବେଶ କୈନ୍ଦ୍ରିକ | ଯଥା-
ଡାଲଖାଇରେ ଡାଲଖାଇରେ
ଦିନେ କଲାକାହ୍ନୁ କଦମ୍ବମୂଲେ
ରାଧାର କଥା ଭାବି ମନ ବିକଲେ
ମୋହନ ମୁରଲୀ ହାତେ ଧରିଲା
ରାଧା ରାଧା ବୋଲି କହ୍ନେଇ ବଇଁଶୀ ଫୁଙ୍କିଲେ କଦମ୍ବମୂଲେ,
ଯମୁନାକୂଲେ, କେଁ ଡାଲଖାଇରେ ୨୩
ସମୟକ୍ରମେ ଗାଁର ଛକ ଅଥବା ଦାଣ୍ଡରେ କୁମାରୀମାନେ ନାଚିବା ସମୟରେ ଯୁବକମାନେ ସେମାନଙ୍କ ଗୀତ ସହିତ ନିଜନିଜର ପଦ ଯୋଡ଼ିଲେI ଏହି ଯୁବକମାନେ
ସାଧାରଣତଃ ପାଖ ଗ୍ରାମର ବାସିନ୍ଦା। ଅତୀତରେ ନିଜ ଗାଁର ଝିଅବୋହୂଙ୍କୁ ନେଇ ଲୋକମାନେ ଗୀତ ରଚନା କରୁନଥିଲେ।
ଶରତର ନିର୍ମଳ ଆକାଶ ଓ ଜହ୍ନ କିରଣରେ ଯୌବନର ଉନ୍ମାଦନାରେ ଅଧୀର ଯୁବକ ଗୀତରେ ଗୀତରେ ତା’ ଆତ୍ମାର କଥା କହିଲା ଏବଂ ଉତ୍ତର ଦେଲା ଭାବ ପ୍ରଗଲଭା ନାରୀ-
ପୁରୁଷ- ଡାଲଖାଇରେ…
ବାହାଲର ବଡ଼ଧାନ ଲପଲପାଲ
ତୋତେ ଦେଖିକରି ନନିଗା
ଛାତିମୋର ଧକ୍ ଧକଲା କେଁ (୨), ଡାଲଖାଇରେ…
ନାରୀ – ଡାଲଖାଇରେ…
ଗହଟିଆ ଘର ଖାରିଡୋଲିର କାଲିଖୁଜି ଧାନ
ମନକଲେ କାଏଁ କରବୁ ପିଲାଗୋ ହାତେ ନାଇ ଧନ
ଡାଲଖାଇରେ
ପୁରୁଷ- ଡାଲଖାଇରେ
ନଏଦ ତରାର କେଉଁନଦୀ ନଏଦତରାର କେଉଁ
ତାକନ ମରବା କେନ ଜୀହିଁବା ନନିଗା
ତୁଇ ମୁଁଇ ବିହା ହେଇଥାଉଁ କେ
ଡାଲଖାଇରେ…
ନାରୀ- ଡାଲଖାଇରେ
ଫଟାଟିନଟିନରେ, ଫଟା ଟିନଟିନ
ବିହାହେବୁ ବେଲେ ପିଲା ଗୋ,
ଠିକ୍ ଠାକ୍ କର ଦିନ କେଁ
ଡାଲଖାଇରେ …
ପୁରୁଷ- ଡାଲଖାଇରେ
ଖରଉରନରେ ନନୀ ଖରଉରନ(୨)
ତୋର ମୋର ଇଚ୍ଛା ହେଲେ ନନିଗା
ଇହାଦେ ଲଗନ କେଁ (୨)
ଡାଲଖାଇରେ… ୨୪
ସେମାନଙ୍କ ଗୀତଗୁଡ଼ିକରେ ସୁର ଓ ପଦ ସଂଯୋଜନା ସରଳ, ଅକୃତ୍ରିମ, ନାରୀପୁରୁଷର ସମ୍ମିଳନ ଭାବରେ ପ୍ରାଣବନ୍ତ । ପ୍ରେମିକପ୍ରେମିକାମାନେ ମନଖୋଲି ନିଜ ନିଜ ଆବେଗ ଓ ସପନର ପେଡ଼ି ଖୋଲିଦିଅନ୍ତି। ଏକାଠି ହେବାର ସ୍ଥାନ, କାଳର ସୂଚନା ଦିଅନ୍ତି। ମାନ ଅଭିମାନ, ହାସ ପରିହାସରେ ସତେଯେପରି ଭିଜିଯାଇଥାନ୍ତି। ନିଜ ଭିତରେ ଏତେ ମାତ୍ରାରେ ହଜିଯାଇଥାନ୍ତି, ଯେ ଅନ୍ୟରୁ ଅଶ୍ଳୀଳ ପରି ବୋଧହେଉଥିବା ଦେହକୈନ୍ଦ୍ରିକ ଶବ୍ଦ ଓ ସଂକେତ ମଧ୍ୟ ସ୍ଵାଭାବିକ ଭାବରେ ଅଭିବ୍ୟକ୍ତ ହେଉଥାଏ। ଏବଂ ଏହି ଅନୁଭବ ସୁର ଓ ଶବ୍ଦରେ ସୀମିତ ନରହି, ପାଦ, ନିତମ୍ବ, ଛାତି ଓ ଆଖିର ଇସାରାରେ ଜୀବନ୍ତ ହେଉଥାଏ। ତେଣୁ କେହି କେହିଡାଲଖାଇ ନାଚ ଓ ଗୀତକୁ ଅଶ୍ଳୀଳ, ନିମ୍ନବର୍ଗର ମଣିଷମାନଙ୍କର ଅବାଧ ଓ ମୁକ୍ତ ଯୌନାଚାରର ଉଲଙ୍ଗ ପରିପ୍ରକାଶ ବୋଲି କଟୁମନ୍ତବ୍ୟ ଦେଇଥାନ୍ତି। ଗୀତ ଓ ନାଚ ଅବଶ୍ୟ ଆଦିରସାତ୍ମକ, ମାତ୍ର ଏଗୁଡ଼ିକୁ ଉଲଙ୍ଗ ଅପଦୁଆ ଦେବା ସାମନ୍ତ ମାନସିକତାର ପ୍ରତିଧ୍ଵନି।
ଗୀତ, ବାଦ୍ୟ ଓ ନର୍ତ୍ତକ / ନର୍ତ୍ତକୀମାନଙ୍କର ଅଙ୍ଗ ସଂଚାଳନ, ପରିବେଶ, ପୋଷାକ ମଧ୍ୟ ଯେକୌଣସି ନାଚର ଅନ୍ୟତମ ବିଶେଷ ଆବଶ୍ୟକତା । ଅତୀତରେ ଡାଲଖାଇ ନାଚୁଥିବା କୁମାରୀମାନଙ୍କର ବେଶଭୂଷା ଥିଲା ବେଶ୍ ସ୍ଵଭାବିକ | ବେହରଣରେ ଶାଢି, ଅଣ୍ଟାରେ ଗୁନସୀ, ପାଦରେ ପଏଁରି ଓ ହାତରେ ବନ୍ଦରିଆ, ମଥାରେ ଶୋଭା ପାଉଥିଲା ଢଲିଆଖୋସା, ଖୋସାରେ ପାନପତ୍ରୀ ଥିଲା ପ୍ରଧାନ ଆଭୂଷଣ । ମାତ୍ର ସଂପ୍ରତି ନାଚର ବେଶଭୂଷାରେ ମଧ୍ୟ କେତେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ସେମାନଙ୍କ ଦେହରେ ସପଟାପର ଶାଢି ଓ ବ୍ଲାଉଜ, ମୁହଁ ଓ ଆଖିରେ ଭାରି ପ୍ରସାଧନ, ବାହାସୂତା, ଅଣ୍ଟାରେ ସମ୍ବଲପୁରୀ ଗାମୁଛା, ମଥାରେ ବଜାରରେ ଉପଲବ୍ଧ ସୁଦୃଶ୍ୟ ସାମଗ୍ରୀ ଶୋଭାପାଉଛି। ପାରମ୍ପରିକ ଗୀତର ସୁର ଓ ନୃତ୍ୟଶୈଳୀରେ ମଧ୍ୟ ଆଧୁନିକତା ପ୍ରବେଶ କରିଛି। ଉଭୟ ପୁରୁଷ ଓ ନାରୀ, ସର୍ପିଳ ଓ ବୃତ୍ତାକାରରେ ନୃତ୍ୟରଚନା କରୁଛନ୍ତି। ଗାଁର କୁମାରୀମାନେ ଆରାଧ୍ୟ ଦେବୀଙ୍କପାଇଁ ଏବଂ ନିଜର ଆନନ୍ଦପାଇଁ, ନିଜ ସୃଜନଶୀଳ କଳାବୋଧ ଓ ମନର ଆବେଗକୁ ଅନ୍ୟପାଖରେ କହିବା ପାଇଁ ନାଚୁ ନାହାନ୍ତି, ଅନ୍ୟ ଗ୍ରାହକମାନଙ୍କ ପାଖରେ ନିଜ କଳାବୋଧକୁ ସତେଯେପରି ବଜାରର ସାମଗ୍ରୀ କରିଥୋଉଛନ୍ତି। ନାଚ, କାଳ ଓ ଲୋକରୁଚି ଅନୁସାରେ ପରିବର୍ତ୍ତନର ଶିକାର ହେଉଛି।
ସହାୟକ ଗ୍ରନ୍ଥସୂଚୀ:
୧. ପୁରୋହିତ, ଶାନ୍ତନୁକୁମାର ୨୦୦୨ | ‘ଡାଲଖାଇରସ୍ଵରୂପ ଏବଂ ଉତ୍ତରଣ ସଂ-ମଂଗଳୁଚରଣ ବିଶ୍ବାଳ, ଲୋକମହୋତ୍ସବ, ସ୍ମରଣିକା, ସମ୍ବଲପୁର, ପୃ.୧୧୮
୨. ମିଶ୍ର, ମୁରାରୀ ପ୍ରସାଦ | ୧୯୯୭। ସମ୍ବଲପୁରୀ ଲୋକନୃତ୍ୟସଂ– ଗୋବିନ୍ଦଚନ୍ଦ୍ର ଉଦ୍ଗାତା, ଲୋକନୃତ୍ୟ ଓ ସଂଗୀତ ମହୋତ୍ସବ ସ୍ମରଣିକା, ସମ୍ବଲପୁର, ପୃ.୫
୩. ମହାପାତ୍ର, ନଟରାଜ, ଗ୍ରାମ- ଝୋଲପଥର, ଜିଲ୍ଲା- ନୂଆପଡାଙ୍କ ନିକଟରୁ ସଂଗୃହୀତ
୪. ପାଢ଼ୀ, ରାଜେନ୍ଦ୍ର, ଗ୍ରାମ କୁନ୍ଦୁରା, ଜୟପୁରଙ୍କଠାରୁ ସଂଗୃହୀତ
୫. ପ୍ରଧାନ, ମାନଭଞ୍ଜନ | ‘ପଶ୍ଚିମଓଡ଼ିଶାର ଲୋକସାହିତ୍ୟର ସ୍ବରୂପ, ଅପ୍ରକାଶିତ ପାଣ୍ଡୁଲିପି, ପୃ.୧୫୫
୬. ଶ୍ରୀମତୀ ପଦ୍ମା ମୁଣ୍ଡ, ଗ୍ରାମ- ଝୋଲାପଥରଙ୍କ ଠାରୁ ସଂଗୃହୀତ, ଅପ୍ରକାଶିତ ପାଣ୍ଡୁଲିପି
୭. ଭଟ୍ଟାଚାର୍ଯ୍ୟ, ଏନ୍.ଏନ୍. ୧୯୮୭. History of Tantric Religion, Delhi, Manohar
୮. Sandstorm, Alan R. 1982. ‘The Tanantsi cult of the Eastern Nahua’ in Mother Worship, (ed), J B Priston, Chapel Hill, The University of North Carulina Press, p. 32
୯. Habbs, Joanna. 1982. The Worship of Mother Earth on Mother Worship, (ed), J B Priston, The University of North Carulina Press, P. 123
୧୦. Dash, Mahesh Prasad. 1965. A Descriptive Catalog of Sanskrit Manuscripts of Orissa, Introduction, Bhubaneswar, Orissa State Museum, P. xxvii
୧୧. Singh Deo, J.P. 2004. Tantrik Esoterism of Orissa, Kolkata, Page-2
୧୨. ମଲ୍ଲିକ, ରାମଚନ୍ଦ୍ର ୧୯୩୧। ସଂକ୍ଷିପ୍ତ କୋଶଳ ଇତିହାସ, ବଉଦ, କପିଲପ୍ରିଣ୍ଟେକ୍ସ
୧୩. ଦାଶ, ଶିବପ୍ରସାଦ। ୧୯୬୮ । ସମ୍ବଲପୁର ଇତିହାସ, ସମ୍ବଲପୁର, ବିଶ୍ବଭାରତୀ ପ୍ରେସ, ପୂ: ୪୨୬
୧୪. Dash, Mahesh Prasad. 1965. A Descriptive Cata logue of Sanskrit Manuscript of Orissa, Introduction, Bhubaneswar, Orissa State Museum, P.xxx
୧୫. Singh Deo, J.P. 2001. Tantric Art of Orissa, Delhi, Kalpaz Publication, P.51.
୧୬. ସାହୁ, ସୁଧୀର କୁମାର | ୨୦୦୮ । ପଶ୍ଚିମ ଓଡ଼ିଶାର ସଂସ୍କୃତି: ଏକ ତାତ୍ତ୍ୱିକ ଦିଗ, ସପ୍ତର୍ଷି, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜ୍ୟୋତିବିହାର, ପୃ.୩୦
୧୭. Pasayat, Chitrasen, 2007. ‘Tribal Nontribal Interaction with special reference to Dalkhai in Orissa’, in Tribal 6. Non Tribal Dance, Myth and Reality, Bhubaneswar, ହ Bholanath Press, P. 133 to 139
୧୮. ଆଚାର୍ଯ୍ୟ, ସୁଦର୍ଶନ ୨୦୦୦ ଓଷାକୋଠି, ବ୍ରହ୍ମପୁର
୧୯. ରଥ, ଶିବରାମ। ୨୦୦୦ ଓଷାକୋଠି, ବ୍ରହ୍ମପୁର
୨୦. କୈଶବ ଜଗତ, ଗ୍ରାମ- ଦରଗାଁ, ଜିଲ୍ଲା- ନୂଆପଡ଼ାଙ୍କଠାରୁ ସଂଗୃହୀତ
୨୧. କାର୍ଷିକ ଚନ୍ଦ୍ର ମାଝୀ, ଗ୍ରାମ- ଝଗ୍ରାହୀ, ଜିଲ୍ଲା- ନୂଆପଡ଼ାଙ୍କଠାରୁ ସଂଗୃହୀତ
୨୨. ବାସନ୍ତୀ ଦୁରିଆ, ଗ୍ରାମ- ପଣ୍ଡରାପଖାନ, ଜିଲ୍ଲା- ନୂଆପଡ଼ାଙ୍କଠାରୁ ସଂଗୃହୀତ
୨୩. ଦୂର୍ମିଳାସୁନାନୀ, ଗ୍ରାମ-ପଣ୍ଡରାପଖାନ, ଜିଲ୍ଲା- ନୂଆପଡ଼ାଙ୍କଠାରୁ ସଂଗୃହୀତ
୨୪. କାର୍ତ୍ତିକଚନ୍ଦ୍ର ମାଝୀ, ଗ୍ରାମ- ଝଗ୍ରାହୀ, ଜିଲ୍ଲା- ନୂଆପଡ଼ାଙ୍କଠାରୁ ସଂଗୃହୀତ

