ଗତକାଲି ୨୦.୧୨.୨୦୨୫ ତାରିଖରେ ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକର ଟେମରୀ ହାଇସ୍କୁଲରେ ଯାହା ଘଟିଗଲା, ତାହା କେବଳ ଏକ ବିଦ୍ୟାଳୟ ଉତ୍ସବ ନୁହେଁ, ଏହା ଓଡ଼ିଶାର ପାରମ୍ପରିକ ପାଲା ସଂସ୍କୃତିର ପୁନରୁଦ୍ଧାର ପାଇଁ ଏକ ଐତିହାସିକ ପଦକ୍ଷେପ। ବାର୍ଷିକ ଉତ୍ସବ ଅବସରରେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନେ ଗାଁ ଇତିହାସ ଉପରେ ଆଧାରିତ ଏକ ସମ୍ପୂର୍ଣ୍ଣ ଏକ ଘଣ୍ଟିଆ ପାଲା ପରିବେଷଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି।
ପାଲା ହେଉଛି ଗୀତ, ବାଦ୍ୟ, ନୃତ୍ୟ ଏବଂ ଅଭିନୟର ବଳିଷ୍ଠ ସମନ୍ଵୟରେ ଓଡ଼ିଶାରେ ପରିବେଷିତ ହୋଇଆସୁଥିବା ଏକ ଲୋକପ୍ରିୟ ବିଦଗ୍ଧ ଲୋକ ନାଟକ। ଏହି ସଙ୍ଗୀତ ଭିତ୍ତିକ ଲୋକନାଟକର ଇତିହାସ ଶତାବ୍ଦୀ ପ୍ରାଚୀନ । ମୋଗଲ ସମ୍ରାଟ ଆକବରଙ୍କ ଶାସନକାଳରୁ ହିନ୍ଦୁ ଓ ମୁସଲମାନ ମୈତ୍ରୀ ବନ୍ଧନର ସ୍ମାରକୀ ଭାବେ ଏହାର ଆତ୍ମପ୍ରକାଶ ଘଟିଥିଲା। ସତ୍ୟନାରାୟଣ ବା ସତ୍ୟପୀରଙ୍କ ମହିମା ପ୍ରଚାରରୁ ଆରମ୍ଭ ହୋଇଥିବା ଏହି କଳା ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟର ପୂରାଣ, ମହାକାବ୍ୟ ଓ ନାନା ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରି ଏକ ସମୃଦ୍ଧ ସାଂସ୍କୃତିକ ପରମ୍ପରାରେ ପରିଣତ ହୋଇଥିଲା।
କିନ୍ତୁ ବିଗତ କିଛି ଦଶନ୍ଧି ଧରି ଆଧୁନିକୀକରଣ, ବୈଦ୍ୟୁତିକ ମନୋରଞ୍ଜନ ମାଧ୍ୟମର ପ୍ରସାର ଏବଂ ସାମାଜିକ ଉଦାସୀନତା ଯୋଗୁଁ ଏହି ପ୍ରାଚୀନ କଳା ସଙ୍କଟରେ ପଡ଼ିଛି । ପ୍ରାଚୀନ ପାଲା ଗୁରୁମାନେ ଗୋଟିଏ ପରେ ଗୋଟିଏ ଅବସାନ ନେଉଛନ୍ତି, ଏବଂ ନୂତନ ପ୍ରତିଭା ଏହି କ୍ଷେତ୍ରକୁ ଆସୁ ନାହାନ୍ତି । ଗ୍ରାମାଞ୍ଚଳରେ ଯେଉଁଠି ପାଲା ଏକଦା ମୁଖ୍ୟ ମନୋରଞ୍ଜନ ଓ ଶିକ୍ଷାର ମାଧ୍ୟମ ଥିଲା, ସେଠାରେ ବର୍ତ୍ତମାନ ଏହାର ପ୍ରସାର କ୍ଷୀଣ ହୋଇଯାଉଛି।
ଗତ ସେପ୍ଟେମ୍ବର ମାସରେ ଟେମରୀ ହାଇସ୍କୁଲରେ ଗାଁ ଇତିହାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେହି ସମୟରେ ଛାତ୍ରଛାତ୍ରୀମାନଙ୍କୁ ଗାଁ ଇତିହାସ ଲେଖିବା ପାଇଁ ଉତ୍ସାହିତ କରାଯାଇଥିଲା। ସେତେବେଳେ ଗୋଟିଏ ଅଭୂତପୂର୍ବ ଘଟଣା ଘଟିଲା । ଛାତ୍ରୀ ରେଣୁକା ହାତୀ, ଯିଏ ୮ମ ଶ୍ରେଣୀରୁ ବିଭିନ୍ନ ଗାଁରେ ପାଲା ଗାଇଥାନ୍ତି, ସେ ଏକ ସାହସିକ ପ୍ରସ୍ତାବ ରଖିଲେ: “ମ୍ୟାଡାମ୍, ଆପଣମାନେ ଯଦି ଆମକୁ ସହଯୋଗ କରିବେ, ଆମେ ଗାଁ ଇତିହାସ ଉପରେ ଗୋଟିଏ ପାଲା ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ।” ଏହା କେବଳ ଏକ ସ୍ୱପ୍ନ ନୁହେଁ, ଏକ ସାଂସ୍କୃତିକ ପରିବର୍ତ୍ତନର ବୀଜ ଥିଲା। ଛାତ୍ରୀମାନଙ୍କୁ ଗାଁ ଇତିହାସର ମୂଳ ଲକ୍ଷ୍ୟ, କିଛି ଗୀତ, ଧାରଣା ଓ କିଛି ମାର୍ଗଦର୍ଶନ ଦେଇଥିଲୁ । ନଭେମ୍ବର ମାସରୁ ସେମାନେ ଗଭୀର ଭାବରେ ସ୍କ୍ରିପ୍ଟ ଲେଖିବାରେ ଲାଗିଗଲେ । ମାତ୍ର ଦୁଇରୁ ତିନି ମାସ ମଧ୍ୟରେ, ଏହି କିଶୋରୀମାନେ ଯାହା ସୃଷ୍ଟି କଲେ, ତାହା ପ୍ରତିଷ୍ଠିତ ପାଲା କଳାକାରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟରେ ପକାଇଦେବାକୁ ଯଥେଷ୍ଟ ଥିଲା ।
ପାରମ୍ପରିକ ପାଲା ମୁଖ୍ୟତଃ ପୁରାଣ, ମହାକାବ୍ୟ କିମ୍ବା ଧାର୍ମିକ ବିଷୟବସ୍ତୁ ଉପରେ ଆଧାରିତ ହୋଇଥାଏ। କିନ୍ତୁ ଟେମରୀ ହାଇସ୍କୁଲର ଛାତ୍ରୀମାନେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ସେମାନଙ୍କ ପାଲାର ବିଷୟବସ୍ତୁ ପୁରାଣ କିମ୍ବା ଧର୍ମ ସମ୍ବନ୍ଧୀୟ ନୁହେଁ, ଏହା ଟେମରୀ ଗାଁର ଅତୀତ, ତାର ଜଙ୍ଗଲ, କୃଷି ଓ ସାଂସ୍କୃତିକ ଜୀବନକୁ କେନ୍ଦ୍ର କରି ରଚିତ। ଏହି ପାଲା ମାଧ୍ୟମରେ ଛାତ୍ରୀମାନେ ନିଜ ଗାଁ ଓ ତାର ସମ୍ପଦକୁ ବୁଝିବାକୁ, ଚିହ୍ନିବାକୁ, ମୂଲ୍ୟ ଦେବାକୁ ଏବଂ ସୁରକ୍ଷିତ ରଖିବାକୁ ସମସ୍ତଙ୍କୁ ଏକ ବିନମ୍ର ଆବେଦନ ଜଣାଉଛନ୍ତି। ଏହା କେବଳ ଏକ ସାଂସ୍କୃତିକ ପରିବେଷଣ ନୁହେଁ, ଏହା ସ୍ଥାନୀୟ ଐତିହ୍ୟ ଓ ପରିବେଶ ସଚେତନତାର ଏକ ଶକ୍ତିଶାଳୀ ବାର୍ତ୍ତା।
୨୦ ଡିସେମ୍ବର ତାରିଖରେ ଟେମରୀ ହାଇସ୍କୁଲର ବାର୍ଷିକ ଉତ୍ସବରେ ଏହି ପାଲାର ପ୍ରଥମ ସାର୍ବଜନୀନ ପରିବେଷଣା ହେଲା। ବିଦ୍ୟାଳୟର ମୁଖ୍ୟଶିକ୍ଷକ ଶ୍ରୀ ଦୋଳମଣି ଭୋଇ ସମଧ୍ୱନିର ସମ୍ପାଦକ ସ୍ଵୟଂପ୍ରଭା ପାଢୀଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରିଥିଲେ, ଯଦିଓ ସ୍ୱାସ୍ଥ୍ୟଗତ କାରଣରୁ ସେ ସେଠାକୁ ଯାଇପାରିନଥିଲେ। ତଥାପି ସମଧ୍ୱନିର ସହଯୋଗୀ ଲକ୍ଷ୍ମୀଧର ମୁର୍ମୁ ସେଠାରେ ଉପସ୍ଥିତ ଥିଲେ ଏବଂ ପରିବେଷଣର ଭିଡିଓ ରେକର୍ଡ କରିଥିଲେ। ସେଥିରୁ କିଛି ଭିଡ଼ିଓ କ୍ଲିପ ଏଠାରେ ଦିଆ ଯାଇଛି ।

ପ୍ରାୟ ଏକ ଘଣ୍ଟା ଧରି ଛାତ୍ରୀମାନେ ଗାଁ ଇତିହାସ ଆଧାରିତ ଏହି ପାଲା ପରିବେଷଣ କରି ସଭାସ୍ଥଳରେ ଥିବା ଶହ ଶହ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଦେଲେ । ପାଲା ଗାୟିକା ରେଣୁକା ହାତୀ, ବାୟକ ଇନ୍ଦ୍ରମଣି ପାତ୍ର, ଏବଂ ପାଳିଆମାନଙ୍କ ମଧ୍ୟରେ ବାସନ୍ତୀ ବନଛୋର, ନିମା ବାରିକ, ଚାନ୍ଦିନୀ ବନଛୋର ଆଦି ସମସ୍ତେ ଏକ ଅଭୂତପୂର୍ବ ପ୍ରଦର୍ଶନ ଉପସ୍ଥାପନ କଲେ । ପାଲା ଗୁରୁ ପ୍ରହଲ୍ଲାଦ ହଂସଙ୍କ ମାର୍ଗଦର୍ଶନରେ ଏହି ଦଳ ଏକ ସଂପୂର୍ଣ୍ଣ ଏବଂ ଉଚ୍ଚମାନର ପାଲା ସୃଷ୍ଟି କରିପାରିଲେ।
କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ?
ଏତେ କମ୍ ବୟସର ଛାତ୍ରୀମାନେ ନିଜର ସୃଜନଶୀଳତାକୁ ବ୍ୟବହାର କରି ଯଦି ଏଭଳି ଉଚ୍ଚମାନର ପାଲା ପ୍ରସ୍ତୁତ କରିପାରୁଛନ୍ତି, ତେବେ ଏହା ଆମ ଲୋକକଳା ଓ ଲୋକସଂସ୍କୃତି ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ । ପାଲା କଳାର ଭବିଷ୍ୟତ ଏହି ଯୁବପିଢ଼ିର ହାତରେ ସୁରକ୍ଷିତ ବୋଲି ଆଶା ଜାଗ୍ରତ ହୁଏ। ଏହାଛଡା ପାଲାକୁ କେବଳ ପୁରାଣ ଓ ଧର୍ମର ସୀମାରେ ବାନ୍ଧି ରଖିବା ଜରୁରୀ ନୁହେଁ । ଟେମରୀ ହାଇସ୍କୁଲର ଛାତ୍ରୀମାନେ ଦେଖାଇଛନ୍ତି ଯେ, ପାଲା ମାଧ୍ୟମରେ ସ୍ଥାନୀୟ ଇତିହାସ, ପରିବେଶ ସଚେତନତା ଓ ସାମାଜିକ ବିଷୟ ମଧ୍ୟ ଉପସ୍ଥାପିତ ହୋଇପାରେ । ଏହା ପାଲାକୁ ନୂତନ ଯୁଗରେ ନୂଆ ବାର୍ତ୍ତା ଦେଇ ଯୁବ ପିଧୀଙ୍କୁ ଆକର୍ଷିତ କରିବ ଓ ସବୁ ସମୟ ପାଇଁ ପ୍ରାସଙ୍ଗିକ କରିପାରିବ । ବିଗତ ଚାରି-ପାଞ୍ଚ ଦଶନ୍ଧି ଧରି ମହିଳାମାନେ ପାଲା ଜଗତରେ ପ୍ରବେଶ କରିବା ଆରମ୍ଭ କରିଛନ୍ତି । ଟେମରୀ ହାଇସ୍କୁଲର ଏହି କିଶୋରୀମାନେ କେବଳ ଗାୟିକା କିମ୍ବା ପାଳିଆ ନୁହଁନ୍ତି, ସେମାନେ ସ୍କ୍ରିପ୍ଟ ଲେଖକ, ସଂଯୋଜକ ଓ ସୃଜନଶୀଳ ସ୍ରଷ୍ଟା । ଏହା ପାଲା ଭଳି ଲୋକକଳାରେ ମହିଳା ନେତୃତ୍ୱର ଏକ ଶକ୍ତିଶାଳୀ ଉଦାହରଣ । ବିଦ୍ୟାଳୟ ଶିକ୍ଷାର ସହିତ ସାଂସ୍କୃତିକ ଶିକ୍ଷାର ସମନ୍ୱୟ ହେବା ଅତ୍ୟନ୍ତ ଆବଶ୍ୟକ। ଟେମରୀ ହାଇସ୍କୁଲ ଏହାର ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛି । ଗାଁ ଇତିହାସ ଲେଖନ କାର୍ଯ୍ୟକ୍ରମକୁ ପାଲା ପରି ପାରମ୍ପରିକ କଳା ସହିତ ଯୋଡ଼ିବା ଦ୍ୱାରା ଛାତ୍ରୀମାନେ ସେମାନଙ୍କର ମୂଳକୁ ଚିହ୍ନି ପାରିଛନ୍ତି ଏବଂ ଗର୍ବ ଅନୁଭବ କରୁଛନ୍ତି ।
ପାଲା ଏକଦା ଓଡ଼ିଶାର ପୁରପଲ୍ଲୀରେ ଅତ୍ୟନ୍ତ ଲୋକପ୍ରିୟ ଥିଲା। ପାଲା ଗାୟକମାନଙ୍କର ଭାଷାର ସରଳତା, ଭିନ୍ନ ଶୈଳୀ ଏବଂ ଅଙ୍ଗଭଙ୍ଗୀ ସହିତ ଗାୟନ, ବାଦନର ରୋଚକପୂର୍ଣ୍ଣ ପରିବେଷଣ ଶ୍ରୋତାଙ୍କ ମନରେ ବିଶେଷ ଆକର୍ଷଣ ସୃଷ୍ଟି କରୁଥିଲା। ମୃଦଙ୍ଗ, ଝାଞ୍ଜ, ମଞ୍ଜିରା ଓ ଚାମରର ସହାୟତାରେ ପରିବେଷିତ ଏହି କଳା ଧର୍ମ ପ୍ରଚାର, ସାହିତ୍ୟ ଚର୍ଚ୍ଚା, ନୈତିକ ଶିକ୍ଷା ଓ ମନୋରଞ୍ଜନର ଏକ ସମନ୍ୱିତ ମାଧ୍ୟମ ଥିଲା। କିନ୍ତୁ ବିଗତ ଦିନମାନଙ୍କରେ ଆମେ ପାଲା ସଂସ୍କୃତିକୁ ଅଣଦେଖା କରିଆସୁଥିବା ପରି ଜଣାପଡ଼େ । ପୁରାଣଶାସ୍ତ୍ର, ସାହିତ୍ୟଚର୍ଚ୍ଚା, ପୁରାତନ ନୃତ୍ୟ, ସଙ୍ଗୀତ ଠାରୁ ମୁହଁ ଫେରାଇବାରେ ଆମେ ବ୍ୟସ୍ତ । ପାରମ୍ପରିକ ପାଲା ଗୁରୁମାନେ ଅବସାନ ନେଉଛନ୍ତି, ଏବଂ ନୂତନ ପ୍ରତିଭା ଏହି କଳାକୁ ସଂରକ୍ଷଣ କରିବାକୁ ଆଗକୁ ଆସୁନାହାନ୍ତି।
ଗବେଷକ ଡକ୍ଟର ତପସ୍ୱିନୀ ଗୁରୁ ଓ ଡକ୍ଟର ଅଜିତ କୁମାର ମୁନୀ ଏ ବିଷୟରେ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, ଆମ ଦୃଷ୍ଟିଭଙ୍ଗୀ ଓ ମାନସିକତାରେ ପରିବର୍ତ୍ତନ ନଆଣିଲେ, ପାଲା ପରି ଏକ ପ୍ରାଚୀନ, ସାରସ୍ୱତ ପରମ୍ପରା ନିକଟ ଭବିଷ୍ୟତରେ ଅବଲୁପ୍ତ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
ପାଲା ଯେଉଁ ସମୟରେ ଏକ ସଙ୍କଟର ସମ୍ମୁଖୀନ ହେଉଛି, ସେହି ସମୟରେ ଟେମରୀ ହାଇସ୍କୁଲର ଏହି ଛାତ୍ରୀମାନେ ଏକ ଆଶାର ଆଲୋକ ଦେଖାଇଛନ୍ତି । ସେଥିପାଇଁ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ବୋଲି ଅନେକ ଦର୍ଶକ ମତ ଦେଇଛନ୍ତି । ଗାଁ ଇତିହାସ କାର୍ଯ୍ୟକ୍ରମ ପାଇଁ ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଗାଁ ଇତିହାସ କାର୍ଯ୍ୟକ୍ରମ ଯୁବ ପିଧୀଙ୍କୁ ଏହି ଆନ୍ଦୋଳନରେ ସାମିଲ କରିବା ସହିତ ସେମାନଙ୍କର ସ୍ରୁଜନଶୀଳ ଚିନ୍ତା ଚେତନାକୁ ପରିସ୍ପୁଟ କରିବା ପାଇଁ ସବୁବେଳେ ପ୍ରୟାସ କରିଆସିଛି ଓ ଏହା ଆଗକୁ ଜାରି ରହିବ ବୋଲି ସମଧ୍ଵନି ଦୃଢ ଆଶା ପ୍ରକାଶ କରାଯାଇଛି । ଟେମରୀ ହାଇସ୍କୁଲର ଏହି ପ୍ରତିଭାଶାଳୀ ଛାତ୍ରୀମାନଙ୍କ ପ୍ରୟାସକୁ ସ୍ୱୀକୃତି ଦେବା ଏବଂ ଉତ୍ସାହିତ କରିବା ନିମିତ୍ତ ସମଧ୍ୱନି ପ୍ରୟାସ କରିବ । ଏହା କେବଳ ଏକ ପରିବେଷଣ ନୁହେଁ, ଏହା ଏକ ବାର୍ତ୍ତା ଯେ, ପାଲା କଳା ଆଜି ମଧ୍ୟ ଜୀବନ୍ତ ଏବଂ ପ୍ରାସଙ୍ଗିକ। ଏହା ଏକ ଉଦାହରଣ ସୃଷ୍ଟି କରିବ ଯେ ଗ୍ରାମାଞ୍ଚଳର ବିଦ୍ୟାଳୟମାନଙ୍କରେ ମଧ୍ୟ ଉଚ୍ଚମାନର ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ଭବ। ଏହା ଅନ୍ୟ ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିବ।
ପାଲାକୁ ବଞ୍ଚେଇ ରଖିବା ଆମର ଦାୟିତ୍ଵ
ଟେମରୀ ହାଇସ୍କୁଲର ଏହି କିଶୋରୀମାନେ ଏକ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏହା କେବଳ ଆରମ୍ଭ। ପାଲାକୁ କେବଳ ପୁରାଣ ଓ ଧର୍ମରେ ସୀମିତ ନରଖି ସମକାଳୀନ ବିଷୟ ପରିବେଶ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ, ମହିଳା ସଶକ୍ତୀକରଣ, ଶିକ୍ଷାର ମହତ୍ଵ, ସମାଜ ସଂସ୍କାର, ଗାଁ ସଂସ୍କୃତି ଓ ପରମ୍ପରା, ପାହାଡ ଓ ଜଙ୍ଗଲର କାହାଣୀକୁ ପାଲାର ବିଷୟରେ ଅନ୍ତର୍ଭୁକ୍ତ କରିପାରିବେ । ଯେମିତି ଗାଁ ଇତିହାସ ସହିତ ସମନ୍ଵୟ କରାଯାଇ ଟେମରୀ ହାଇସ୍କୁଲରେ ଛାତ୍ରୀମାନେ ପାଲା ପରିବେଷଣ କଲେ ସେମାନଙ୍କୁ ଅନୁସରଣ କରି ଅନ୍ୟ ବିଦ୍ୟାଳୟମାନ ମଧ୍ୟ ନିଜ ନିଜ ଗାଁର ଇତିହାସ ଉପରେ ପାଲା ସୃଷ୍ଟି କରିପାରିବେ। ପାଲା କଳା ଯେଉଁ ସମୟରେ ଏକ ସଙ୍କଟର ସମ୍ମୁଖୀନ ହେଉଛି, ଠିକ୍ ସେହି ସମୟରେ ବରଗଡ଼ ଜିଲ୍ଲାର ଏକ ଛୋଟ ଗ୍ରାମୀଣ ବିଦ୍ୟାଳୟରୁ ଏକ ଆଶାର ଆଲୋକ ଦେଖାଦେଇଛି। ରେଣୁକା ହାତୀ, ଇନ୍ଦ୍ରମଣି ପାତ୍ର, ବାସନ୍ତୀ ବନଛୋର, ନିମା ବାରିକ, ଚାନ୍ଦିନୀ ବନଛୋର ଏବଂ ସେମାନଙ୍କ ଗୁରୁ ପ୍ରହଲ୍ଲାଦ ହଂସ-ଏହି ନାମଗୁଡ଼ିକ ଆଜି ବୋଧହୁଏ ଅଳ୍ପ ଲୋକଙ୍କ ପରିଚିତ। କିନ୍ତୁ ଏମାନେ ଯାହା କରି ଦେଖାଇଛନ୍ତି, ତାହା ଏକ ସାଂସ୍କୃତିକ ବିପ୍ଳବର ସୂଚନା। ଏମାନେ ପ୍ରମାଣ କରିଛନ୍ତି ଯେ ପାଲା କେବଳ ଅତୀତର ଏକ ସ୍ମୃତି ନୁହେଁ, ଏହା ଭବିଷ୍ୟତର ଏକ ସମ୍ଭାବନା। ଯେଉଁଠାରେ ଇଚ୍ଛାଶକ୍ତି ଅଛି, ଯେଉଁଠାରେ ମାଟି ପ୍ରତି ସମ୍ମାନ ଅଛି, ଯେଉଁଠାରେ ସୃଜନଶୀଳତା ଅଛି, ସେଠାରେ କୌଣସି କଳାର ମୃତ୍ୟୁ ହୋଇପାରେ ନାହିଁ।
ପାଲା କଳା ବଞ୍ଚିବ, କାରଣ ଆମର ଯୁବପିଢ଼ି ଏହାକୁ ବଞ୍ଚେଇ ରଖିବାକୁ ସଂକଳ୍ପବଦ୍ଧ । ଟେମରୀ ହାଇସ୍କୁଲର ଏହି କିଶୋରୀମାନେ ଆମକୁ ଶିଖାଇଛନ୍ତି ଯେ ପରିବର୍ତ୍ତନ ବଡ଼ ସହରରୁ ନୁହେଁ, ବଡ଼ ମଞ୍ଚରୁ ନୁହେଁ, ପରିବର୍ତ୍ତନ ଆରମ୍ଭ ହୁଏ ଛୋଟ ଗାଁରୁ, ସାଧାରଣ ବିଦ୍ୟାଳୟରୁ, ସାହସୀ ସ୍ୱପ୍ନ ଦେଖୁଥିବା କିଶୋରୀମାନଙ୍କ ହୃଦୟରୁ ।
ସମଧ୍ୱନି ଏହି ସମସ୍ତ ପ୍ରତିଭାଶାଳୀ ଛାତ୍ରୀଙ୍କୁ ହୃଦୟରୁ ସଲାମ୍ ଜଣାଉଛି ଏବଂ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି ଓ ସଫଳତା କାମନା କରୁଛି। ସମଧ୍ୱନି ପ୍ରତିଜ୍ଞାବଦ୍ଧ ଯେ, ଏହି ଛାତ୍ରୀମାନଙ୍କୁ ସମ୍ମାନନୀୟ ମଞ୍ଚ ପ୍ରଦାନ କରାଯିବ । ସେମାନଙ୍କର ଏହି ଅଭୂତପୂର୍ବ ପ୍ରୟାସ ଅନ୍ୟ ବିଦ୍ୟାଳୟ ଓ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ ସେ ଦିଗରେ ପଦକ୍ଷେପ ନେବ ।

