ସମ୍ପାଦିକା ସମଧ୍ଵନି ମହାଶୟା,
୨୦ବର୍ଷ ପୂର୍ତ୍ତି ଉପଲକ୍ଷେ ସମଧ୍ଵନି ପରିବାରର ସମସ୍ତଙ୍କୁ ସ୍ୱାଗତ ଓ ସାଧୁବାଦ ଜ୍ଞାପନ କରୁଛି। ପ୍ରଗତିଶୀଳ ସଂସ୍କୃତି ଚର୍ଚ୍ଚା ଓଡ଼ିଶାରେ ଅତ୍ୟନ୍ତ ନଗଣ୍ୟ। ବିଶେଷ କରି ବିଶ୍ୱର ନବଜାଗରଣ ଓ ଦେଶର ସ୍ୱାଧିନତା ଆନ୍ଦୋଳନର ଚିନ୍ତା, ଶିକ୍ଷା ଓ ବାର୍ତ୍ତାଗୁଡିକୁ ସାହିତ୍ୟ, ସଙ୍ଗୀତ ଓ ନାଟକ ଆଦି ମାଧ୍ୟମରେ ଓଡିଶାକୁ ନେଇ ଆସିଥିବା ମନୀଷୀମାନଙ୍କ ଜୀବନ ସଂଗ୍ରାମକୁ ଆଜିର ପ୍ରଜନ୍ମର ମାନସ ପଟରେ ତୋଳିଧରିବାର ରାସ୍ତାରେ ଯେଉଁ ମୁଷ୍ଟିମେୟ ସଂଗଠନମାନେ କାମ କରୁଛନ୍ତି ସେମାନଙ୍କ ମଧ୍ୟରେ ସମଧ୍ଵନି ପରିବାର ଅନ୍ୟତମ ଓ ସେହି ଉଦ୍ୟମକୁ ମୁଁ ପ୍ରସଂଶା ନକରି ରହିପାରେ ନାହିଁ। ଆହୁରି ମଧ୍ୟ ଆଧୁନିକ ଟେକ୍ନୋଲୋଜିର ଯୁଗରେ ସେହି ପ୍ରଗତିଶୀଳ କଳାକୃତିଗୁଡିକୁ ଡିଜିଟାଲ ରୂପରେ ପ୍ରଦାନ କରିବାର ସଫଳତା ପାଇଁ ସମଧ୍ଵନି ପ୍ରଶଂସାର ପାତ୍ର । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମର ସଫଳତା କାମନା କରିବା ସଙ୍ଗେ ସଙ୍ଗେ ଏହି କ୍ଷେତ୍ରରେ ଏକ ମିଳିତ ଉଦ୍ୟମ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ଏହାକୁ ବ୍ୟାପକ ଭାବେ ପହଞ୍ଚାଇବା ପାଇଁ ଉଦ୍ୟମ କରିବାକୁ ଆଶା କରୁଛି।
ରାଜେନ୍ଦ୍ର ବର୍ମା
ସମ୍ପାଦକ, ଯୁଗ ପ୍ରବର୍ତ୍ତକ