ଇତିହାସରେ ପ୍ରଥମ ଗଣ୍ଡ ପର୍ଧାନ ଚିତ୍ରଶିଳ୍ପୀ “ଜନଗଡ଼ ସିଂ ଶ୍ୟାମ”

18 Min Read

ଜନଗଡ଼ ମଧ୍ୟପ୍ରଦେଶରେ ପର୍ଧାନ ପରିବାରରେ ଜନ୍ମହୋଇଥିଲେ ଓ ସେମାନଙ୍କର ମୁଖ୍ୟ କାମ ଥିଲା ପାରମ୍ପରିକ ବାଦ୍ୟ ସହ ଗୀତ ଗାଇବା । ଜନଗଡ଼ ଥିଲେ ଜଣେ ଅଦ୍ଭୁତ କଳାକାର । ଗାୟନ, ବାଦନ ସାଙ୍ଗକୁ ସେ କାନ୍ଥରେ ଚିତ୍ର ଅଙ୍କନ କରି ବିଶ୍ୱରେ ନିଜର ପରିଚିତି ସୃଷ୍ଠି କରିଥିଲେ । ଏହି ଅଦ୍ୱିତୀୟ ଆଦିବାସୀ କଳାକାର କିନ୍ତୁ ବିଦେଶରେ ଆତ୍ମହତ୍ୟା କରିଥିଲେ । କେଉଁଭଳି ପରିସ୍ଥିତିରେ ସେ ବିଦେଶରେ ଯାଇ ନିଜର କଳାତ୍ମକ ପରିବେଷଣ କରିଥିଲେ ଏବଂ କେମିତି ବିଦେଶୀମାନଙ୍କ ଶୋଷଣର ଶିକାର ହୋଇ ଜଣେ ନିରୀହ କଳାକାର ନିଜ ଜୀବନ ହାରିବାପାଇଁ ବିବ୍ରତ ହୋଇପଡ଼ିଲେ। ଉକ୍ତ ଲେଖାଟିରେ ଲେଖକ ପରିପ୍ରକାଶ କରିଛନ୍ତି ଯେ, “କୌଣସି ଚିତ୍ରକଳା ବିଦ୍ୟାଳୟରେ ପାଠ ନପଢି ଗୋଟିଏ ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରି, ଇଂରାଜୀ ବୁଝିବା ଓ କହିବା ନଜାଣି ମଧ୍ୟ ଚମତ୍କାର ଛବି ଆଙ୍କି ସେ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଏହା କମ ଗୌରବର କଥାନୁହେଁ । ଜନ୍‌ଗଡ଼ଙ୍କ ଆତ୍ମହତ୍ୟା ପରେ ତାଙ୍କ କାହାଣୀର ପୂର୍ଣ୍ଣଛେଦ ପଡ଼ିନାହିଁ । ଜନଗଡ଼ଙ୍କ ରାସ୍ତାରେ ଆଜି ଗଣ୍ଡ ପର୍ଧାନ ଚିତ୍ରଶିଳ୍ପୀ ମାନେ ବାଟ ଚାଲିବା ଆରମ୍ଭ କରିଛନ୍ତି । ଏହା ଦିନେ ସେମାନଙ୍କୁ ସମାଜରେ ପ୍ରତିଷ୍ଠା ଆଣିଦେବ ଏଥିରେ ସନ୍ଦେହ ନାହିଁ ” । – ସମ୍ପାଦକ

Support Samadhwani

ଜନଗଡ଼ ସିଂ ଶ୍ୟାମଙ୍କ ଜନ୍ମ ୧୯୬୨ ମସିହା ରେ ପୂର୍ବ ମଧ୍ୟପ୍ରଦେଶର ମଣ୍ଡଳ ଜିଲ୍ଲାର ପତନ୍‌ଗଡ଼ ଗାଁ ରେ ହୋଇଥିଲା । ଜନଗଡ଼ଙ୍କ ଜନ୍ମବେଳେ ସରକାରୀ ଜନଗଣନା ଅନୁଯାୟୀ ତାଙ୍କ ନାମ ଜନଗଡ଼ ରଖା ଯାଇଥିଲା । ଗଣ୍ଡ ଜନଜାତିର ଏକ ଶୀଖା ପର୍ଧାନ ପରିବାରରେ ଜନଗଡ଼ ଜନ୍ମ ନେଇଥିଲେ । ପିଲାଦିନ ତାଙ୍କର ଘୋର ଦାରିଦ୍ର୍ୟ ଭିତରେ କଟିଥିଲା । ଦାରିଦ୍ର୍ୟ ଯୋଗୁଁ ଖୁବ୍ କମ୍ ବୟସରୁ   ପାଠ ପଢାରେ ଡ଼ୋରି ବନ୍ଧା ହୋଇଥିଲା । ପରିବାରର ଚାଷବାସ କାମ ଓ ମଇଁଷୀ ମାନଙ୍କ ଦେଖାରେଖା କରିବାରେ ତାଙ୍କ ପିଲାଦିନ କଟିଥିଲା । ମଇଁଷୀ କ୍ଷୀର ଧରି ପାଖ ବଜାରକୁ ଯାଇ ବିକ୍ରୟ କରିବା ଦାୟୀତ୍ୱ ଜନଗଡ଼ଙ୍କ ଉପରେ ନ୍ୟସ୍ତଥିଲା ।

      ଜନଗଡ଼ ଯେଉଁ ପର୍ଧାନ ପରିବାରରେ ଜନ୍ମହୋଇଥିଲେ ସେମାନଙ୍କର ମୁଖ୍ୟ କାମ ଥିଲା ପାରମ୍ପରିକ ବାଦ୍ୟ ସହ ଗୀତ ଗାଇବା। ଭାଟ ମାନଙ୍କ ପରି ପର୍ଧାନ ମାନଙ୍କ କାର୍ଯ୍ୟ ଶୈଳୀ ସମାନ । ପର୍ଧାନମାନେ କେନ୍ଦରା ପରି ଦିଶୁ ଥିବା ତିନିତାର ବାଲା ପାରମ୍ପାରିକ ଯନ୍ତ୍ର “ଡ଼ିଙ୍ଗ୍ରି”, ଯାହାକୁ ବଜାଇ ସେମାନେ ଗୀତ ବୋଲିଥାଆନ୍ତି । ଘଣ୍ଟା ଘଣ୍ଟା ଧରି ମନେଥିବା ସେମାନଙ୍କର ମହାକାବ୍ୟ ଓ  ବଂଶଲତାର କାହାଣୀ ସହ ଦେବାଦେବୀଙ୍କ ସଂପର୍କରେ କାହାଣୀ ସବୁ ଗାଇପାରନ୍ତି । ମୁଖ୍ୟତଃ ବିବାହ, ଜନ୍ମ, ମୃତ୍ୟୁ ଓ ବିଶେଷ ପର୍ବ ପର୍ବାଣୀ ମାନଙ୍କରେ ପର୍ଧାନମାନେ ଗୀତ ଗାଇଥାଆନ୍ତି । ଏକ କାଳୀନ ଘଣ୍ଟା ଘଣ୍ଟା ଧରି, ଏସବୁ ବିଷୟରେ ଗାଇବା ପାଇଁ ଗୀତ ସବୁ ମନେ ରଖିଥାଆନ୍ତି । ଏମାନେ ମୁଖ୍ୟତଃ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ବସବାସ କରନ୍ତି । ଓଡ଼ିଶାରେ ଏମାନଙ୍କୁ ପରଧନିଆ କୁହାଯାଏ । ଗୀତବୋଲିବା ଛଡ଼ା ଏବେ ଏବେ ସେମାନେ ଚାଷବାସ, କାମ କରିବା, ବାଉଁଶ ବଣରେ ମଧ୍ୟ ବିଭିନ୍ନ କାର୍ଯ୍ୟ କରିଥାଆନ୍ତି । ସେମାନେ ନିଜସ୍ୱ ଭାଷାରେ କଥାବାର୍ତ୍ତା କରିବା ସହ ହିନ୍ଦୀ, ମରାଠି ଓ ଗୋଣ୍ଡି ଭାଷାରେ ମଧ୍ୟ କଥାବାର୍ତ୍ତା କରିଥାଆନ୍ତି ।

Support Samadhwani

                ଗଣ୍ଡପର୍ଧାନ ପରିବାରରେ ଜନଗଡ଼ ଜନ୍ମ ହୋଇଥିବାରୁ ସେ ପର୍ଧାନୀ ପାରମ୍ପାରିକ ବାଦ୍ୟ ଯନ୍ତ୍ର ମଧ୍ୟ ବଜାଇବା ସହ ବେଶ୍ ଗୀତ ମଧ୍ୟ ଗାଇପାରୁଥିଲେ । ଅନେକ ପାରମ୍ପାରିକ ଗୀତ ତାଙ୍କର ମୁଖସ୍ତ ଥିଲା । ତୁଳସୀ ଦୁଇପତ୍ରରୁ ବାସିବା ପ୍ରାୟେ ପିଲାଟିଦିନରୁ ତାଙ୍କର ପ୍ରତିଭା ଜଣାପଡ଼ିଥିଲା । ସେ ପାରମ୍ପାରିକ ଗୀତ ଗାଇବା ସହ ସେହି ଗୀତର ବିଷୟବସ୍ତୁ ଓ ଚରିତ୍ର ମାନଙ୍କୁ ସେ ପ୍ରଥମ କରି ଚିତ୍ରରେ ରୂପଦେବା ଆରମ୍ଭକଲେ । ତାଙ୍କ ପୂର୍ବରୁ ଗଣ୍ଡମାନଙ୍କ ଚିତ୍ରର କୌଣସି ପରମ୍ପରା ନଥିଲା । ଜନଗଡ଼ ହିଁ ଗଣ୍ଡ ପ୍ରର୍ଧାନ ଇତିହାସରେ ହିଁ ପ୍ରଥମ ଚିତ୍ର ଶିଳ୍ପୀ ଭାବରେ ଉଭା ହେଲେ । ସେ ତାଙ୍କ ଚିତ୍ରରେ ଶହ ଶହ ବର୍ଷ ଧରି ଲୋକ ମୁଖରେ ସାଇତା ହୋଇରହିଥିବା ଗଣ୍ଡ ବିଶ୍ୱାସ, ଚଳଣୀ, ଦେବାଦେବୀ, ଆଖପାଖର ପ୍ରକୃତି ଓ ପରିବେଶକୁ ଛବିମାଧ୍ୟରେ ସେ ରୂପ ଦେଉଥିଲେ । ପିଲାଦିନରୁ ସେ ଘରର କାନ୍ଥରେ ଏ ଛବି ସବୁ ଗେରୁ, ହଳଦିଆ ଓ କଳା ମାଟିକୁ ରଂଗ କରି ସେଥିରେ ସେ ଅଙ୍କନ କରିଥିଲେ ।

                ଆଦିବାସୀ ଜନଜାତି ମାନଙ୍କ କଳାକୃତି ସଂଗ୍ରହ ପାଇଁ ଆସିଥିବା ବିଶିଷ୍ଟ ଭାରତୀୟ ଚିତ୍ରଶିଳ୍ପୀ ଜଗଦୀଶ ସ୍ୱାମୀନାଥନଙ୍କ ଆଖିରେ ଜନଗଡ଼ଙ୍କର କାନ୍ଥଚିତ୍ର ଆଖି ପଡ଼ିଲା । କଥାରେ ଅଛି “ଗୁଣ ଚିହ୍ନେ ଗୁଣିଆ”, ସୁନା ଚିହ୍ନେ ବଣିଆ” । ନ୍ୟାୟରେ ସ୍ୱାମୀନାଥନ ଜନଗଡ଼ଙ୍କର କାନ୍ଥଚିତ୍ର ଦେଖି ଆଶ୍ଚର୍ଯ୍ୟ ଓ ମୋହିତ ହେଲେ ଏବଂ ଏହାର ଶିଳ୍ପୀଙ୍କୁ ଖୋଜିବାରେ ଲାଗିପଡ଼ିଲେ । ବିଶିଷ୍ଟ ଚିତ୍ର ଶିଳ୍ପୀ ଜଗଦୀଶ ସ୍ୱାମୀନଥନ୍ (୧୯୨୮-୧୯୯୪) ଭୋପାଳ ଠାରେ ଆରମ୍ଭ କରିଥିବା “ଭାରତ ଭବନ” ଓ  “ରୂପଙ୍କର” ସଂଗ୍ରାହଳୟର ସେ ଥିଲେ ନିର୍ଦ୍ଦେଶକ । ଉକ୍ତ ସଂଗ୍ରାହଳୟ ପାଇଁ ଜନଜାତିଙ୍କର କଳାକୃତି ସଂଗ୍ରହ ଅବସରରେ ଜନ୍‌ଗଡ଼ଙ୍କର ଚିତ୍ର ତାଙ୍କ ସାମ୍ନାକୁ ଆସିଥିଲା । ଜନ୍‌ଗଡ଼ ତାଙ୍କ ସହ ଭୋପାଳ ଆସିଥିଲେ । ଭୋପାଳର ପ୍ରଫେସର କଲୋନୀରେ ଥିବା ସ୍ୱାମୀନାଥନଙ୍କ ବାରିପଟରେ ଥିବା ଟିଣଘରେ ତାଙ୍କୁ ରଖାଇଲେ ଓ ‘ଭାରତ ଭବନ’ ର ଜଣେ ତଳିଆ କର୍ମଚାରୀ ଭାବେ ଗ୍ରାଫିକ ଆର୍ଟ ଡ଼ିପାଟମେଣ୍ଟରେ ତାଙ୍କୁ ଚାକିରିଟିଏ କରାଇଦେଲେ ।

ଜନଗଡ଼ ପ୍ରଥମ କରି ସେଠାକାର ଚିତ୍ରକାରମାନେ ବ୍ୟବହାର କରୁଥିବା ରଂଗ, ତୁଳୀ ବ୍ୟବହାର କରି ଛବି ଅଙ୍କନ କରୁଥିବାର ଦେଖିଲେ । ତାଙ୍କୁ ଦେଖିଦେଖି ସେ ନିଜସ୍ୱ ଢଙ୍ଗରେ ଚିତ୍ର ଆଙ୍କିବା ଆରମ୍ଭ କଲେ । ପ୍ରଥମ କରି ସେ ସେଠାରେ କାନଭାସ ଓ କାଗଜରେ ଚିତ୍ର ଆଙ୍କିଲେ ଯାହା ଗଣ୍ଡ ପଧାନଙ୍କ ଇତିହାସରେ ଥିଲା ପ୍ରଥମ । ଛବିରେ ସେ ତାଙ୍କ ପରିବେଶ, ଜୀବନ, ସଂସ୍କୃତି, ବିଶ୍ୱାସ ଓ ଚଳଣୀକୁ ରୂପ ଦେଇଥିଲେ । ଗଣ୍ଡମାନଙ୍କର ଦେବାଦେବୀ ଓ ଅପଦେବତା ମାନଙ୍କୁ ପ୍ରଥମ କରି ରୂପ ଦେଇଥିଲେ । ଜନ୍‌ଗଡ଼ଙ୍କ ଦ୍ୱାରା ଅଙ୍କାଯାଇଥିବା ଚିତ୍ର ମଧ୍ୟରେ ଗଣ୍ଡଦେବାଦେବୀ ଆଜି ବି ଗଣ୍ଡ ସମାଜରେ ଦେବାଦେବୀଙ୍କ ଯେଉଁ ଆଧାରକୁ ନେଇ ପୂଜା ହେଉଛି ସେ ସବୁର ସ୍ରଷ୍ଠା ଥିଲେ ଜନଗଡ଼ । ତାହା ଜନଗଡ଼ଙ୍କର କଳ୍ପନାର କୃତି ବୋଲି  ବିବେଚନା କରାଯାଏ ।

ଗଣ୍ଡ ବିଶ୍ୱାସର ସବୁଠାରୁ ବଡ଼ ଦେବତା(ବଡ଼ଦେବ) ଶସ୍ୟର ଦେବୀ-ମେଦିକି ମାତା, ମାସ୍ ଖାସି ଦେବୀ ସହ ଅନେକ ରାକ୍ଷସ, ପିଶାଚ ମାନଙ୍କୁ ପ୍ରଥମ ଥର ରୂପରେ ପ୍ରକାଶ କରିଥିଲେ ଜନ୍‌ଗଡ଼ । ଏମାନଙ୍କୁ ରୂପଦେଲା ବେଳେ ଅନେକ ସମୟରେ ନିଜେ ଆତଙ୍କିତ ହୋଇ ପଡ଼ୁଥିଲେ ।  ତାଙ୍କୁ ଲାଗୁଥିଲା ସତେ ଯେମିତି ଏଇମାତ୍ର ସେମାନେ ପ୍ରକଟହୋଇ ଯିବେ । ସେ ଗଣ୍ଡପଧାନ ସମାଜର ପ୍ରଚଳିତ ସମସ୍ତ କାହାଣୀ, ବିଶ୍ୱାସ, ଚଳଣୀ ଓ ସଂସ୍କୃତିକୁ ଏବଂ ତାର ଆଧାର ମାନଙ୍କୁ ଖୁବ୍ ବେଶି ବିଶ୍ୱାସ କରୁଥିଲେ । ନିଜର ବିଶ୍ୱାସ, ଜୀବନ ଓ ଜୀବନଚର୍ଯ୍ୟା ଠାରୁ ତାଙ୍କ ଚିତ୍ର ଚିନ୍ତନ ଓ କର୍ମ ଆଦୌ ଅଲଗା ନଥିଲା ।

                ଆଧୁନିକ କଳାଜଗତ, ପୁରାତନ ଚିତ୍ରଜଗତ ଉପରେ ପର୍ଯ୍ୟବେସିତ । ପୁରାତନକୁ ବାଦ ଦେଇ ଆଧୁନିକତାର ମାନେ କିଛି ନଥାଏ । ପୁରାତନ ଗୁମ୍ଫାଚିତ୍ର, ଲୋକଚିତ୍ର, ଆଦିବାସୀଙ୍କ ଚିତ୍ର, ପୋଥିଚିତ, ଲୋକକଳା, ମୁଖାତିଆରି, ଦେହରେ କୁଟେଇଥିବା ଚିତା, ବେଶ ପୋଷାକ, ଚଳଣୀ, ଲୋକକାହାଣୀ, ଲୋକକଥାରୁ ଉପାଦାନ ମାନ ସଂଗ୍ରହ କରି ନୂତନ ଭାବରେ ତାକୁ ରୂପଦେଇ ଆଧୁନିକତା ସୃଷ୍ଟି କରାଯାଏ । ସେଥିପାଇଁ ତ ଆଧୁନିକ ଚିତ୍ରକଳାର ସଂଗ୍ରହାଳୟ ଥିବାବେଳେ ଜନଜାତି ଲୋକ  କଳା ସଂଗ୍ରାହଳୟ ସମାନ୍ତରାଳ ଭାବେ ଗଢି ଉଠିଛି । ଆଦିବାସୀ ଚିତ୍ର ଓ ପାରମ୍ପାରିକ ଚିତ୍ରର ଚାହିଦା ଆଧୁନିକ ସମାଜରେ ସଂପ୍ରତି ବୃଦ୍ଧି ପାଇଥିବା ବେଳେ ତାର ସ୍ରଷ୍ଟା ମାନଙ୍କୁ ଅବହେଳା କରୁଥିବା ଦେଖିବାବୁ ମିଳିଛି । ତାକୁ ନେଇ ବେପାର କରୁଥିବା ତଥାକଥିତ ବେପାରୀମାନେ ସମାଜରେ ସେମାନଙ୍କୁ ପାଖରେ ବସାଇବାକୁ ଘୃଣା କରନ୍ତି ।

ଅଥଚ ସେମାନଙ୍କ ଦ୍ୱାରା ତିଆରି କଳାତ୍ମକ ସାମଗ୍ରୀକୁ ସେମାନଙ୍କ ପାଖରୁ ଶାଗ ମାଛ ଦରରେ କ୍ରୟକରି ବିଦେଶରେ ଲକ୍ଷାଧିକ ଟଂକାର ବିକ୍ରୟ କରିଥାଆନ୍ତି । ସରଳ ଆଦିବାସୀ ଲୋକମାନେ ଆଧୁନିକ ମଣିଷ ମାନଙ୍କ ଛନ୍ଦ କପଟ ମଧ୍ୟରେ ପଶିପାରୁନଥିବା ବେଳେ ସେମାନଙ୍କ କଳା ସଂସ୍କୃତିକୁ ନେଇ ଦେଶ ବିଦେଶରେ ଯେ ଗବେଷଣା ଚାଲିଛି ତାହା ସେମାନେ ଜାଣିବେ କୁଆଡ଼ୁ। କେବଳ ଆମଦେଶରେ ନୁହେଁ ବିଦେଶରେ ଏମାନଙ୍କ କଳାର ଚାହିଦା ଖୁବ୍ ବେଶି ବୃଦ୍ଧି ପାଇଛି ।

ଜାପାନ ରେ ‘ନିଗାତା’ ସଂଗ୍ରାହଳୟରେ ଭାରତୀୟ ଲୋକକଳା ଓ ଆଦିବାସୀ କଳା ସ୍ଥାନ ପାଇଥିବା ବେଳେ ସଂଗ୍ରହାଳୟ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ଭାରତୀୟ ପାରମ୍ପାରିକ ଚିତ୍ର ଆଙ୍କୁଥିବା କଳାକାର ମାନଙ୍କୁ ଜାପାନ ନିମନ୍ତ୍ରଣ କରି ନେଇଥାଆନ୍ତି ଓ ସ୍ୱଳ୍ପ ଅର୍ଥରେ ସେମାନଙ୍କ ଠାରୁ ନିଜ ପସନ୍ଦ ମୁତାବକ ଚିତ୍ର ତିଆରି କରାଇଥାଆନ୍ତି । ସଂଗ୍ରାହଳୟ ଖୋଲିଥିବା ଏଇ ଚିତ୍ରକଳା ବେପାରୀମାନେ ଅଧିକ ଅର୍ଥ ଦେଇ ଚିତ୍ର କିଣିବା ଅପେକ୍ଷା ଶିଳ୍ପୀମାନଙ୍କୁ ଖାଇବା ପିଇବା ଦେଇ ଅଳ୍ପ କିଛି ଅର୍ଥ ବଦଳରେ ସେମାନଙ୍କ ଠାରୁ ବହୁତ ଛବି ଅଙ୍କାଇ ନିଅନ୍ତି । ଆମ ଦେଶରେ ସେହି ଆର୍ଥିକ  ପ୍ରୋତ୍ସାହନର ଅଭାବ ଥିବାରୁ ଶିଳ୍ପୀମାନେ ବିଦେଶରେ ରହି କାର୍ଯ୍ୟକରିବାକୁ ଉଚିତ ମନେ କରୁଛନ୍ତି । ସେହି କ୍ରମରେ ଜନ୍‌ଗଡ଼ ଭୋପାଳରୁ ଜାପାନ କୁ ଯାତ୍ରା କରିଥିଲେ ।

                ଜାପାନର “ନିଗାତା ସଂଗ୍ରାହଳୟ”ର ଅଂଶ ବିଶେଷ ଥିଲା “ମିଥିଲା ମ୍ୟୁଜିୟମ୍‌” । ମିଥିଳା ସଂଗ୍ରାହଳୟ ପୂର୍ବରୁ ମିଥିଳା ଜଗତର ପ୍ରମୁଖ ଗଙ୍ଗାଦେବୀ ଓ ଶାନ୍ତୀଦେବୀ, ଖାର୍ଲି ଚିତ୍ରକଳାର ଶିଳ୍ପୀ ଦିମ୍ୟା, ସୋମୀ ଜାପାନ ଯାଇ ସେଠାରେ ଚିତ୍ର ଆଙ୍କୁଥିଲେ । ଏହି ମିଥିଳା ସଂଗ୍ରାହଳୟର ପ୍ରତିଷ୍ଠାତା ନିର୍ଦ୍ଦେଶକ ତୋକିଓ ହ୍ୟସେଗାୱା ଜନ୍‌ଗଡ଼ଙ୍କ ଛବି ଦେଖି ଚମତ୍କୃତ ହେଲେ ଓ ତାଙ୍କୁ ଜାପାନ ଯିବାପାଇଁ ନିମନ୍ତ୍ରଣ କଲେ । ୧୯୮୯ ମସିହାରେ ଜନଗଡ଼ ଜାପାନ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ପ୍ରଥମ କରି ବିଦେଶ ଯାତ୍ରା ଜନଗଡ଼ଙ୍କୁ ବେଶ ଆମୋଦିତ କରିଥିଲା ।

ସେ ଯାହା ଆଶା ରଖିଥିଲେ ସେଥିରେ ସେ ନିରାଶ ହେଲେ । ଭାରତରୁ ଡ଼କାଇ ନିଆଯାଇଥିବା ଶିଳ୍ପୀ ମାନଙ୍କୁ ସେଠାରେ କିଛି ବିଶେଷ ସମ୍ମାନ ମିଳେନାହିଁ । ରହିବା ଖାଇବା ସର୍ବନିମ୍ନ ଆବଶ୍ୟକତା ପୂରଣ କରାଯାଇ ସେମାନଙ୍କଠାରୁ କାମ ଆଦାୟ କରାଯାଏ । ଜନଗଡ଼ଙ୍କ ଭାଗ୍ୟରେ ତାହା ହିଁ ଘଟିଲା । ପତନଗଡ଼ିର ପାହାଡ଼ ଜଙ୍ଗଲ ଘେରାପରିବେଶ ଠାରୁ ଭୋପାଳର ଭାରତଭବନ ଓ ସେଠାରୁ ଯାଇ ଜାପାନ ସହର ତାଙ୍କୁ ବେଶ ଆମୋଦିତ କରୁଥିଲା । ସେଠାରେ କିଛିଦିନ ରହଣୀପରେ ଶକୁରାକୋ ନାମକ ଜଣେ ଭଦ୍ର ମହିଳାଙ୍କ ସହ ତାଙ୍କର ବଂଧୁତା ହେଲା । ସେ ଜନଗଡ଼ଙ୍କ ଛବିର ଥିଲେ ଅନ୍ୟତମ ପ୍ରଶଂସକ ।

ସେ ସେଠାରେ ଜନଗଡ଼ଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଥିଲେ । ପୂର୍ବରୁ ଅନେକଥର ଭାରତ ଭ୍ରମଣରେ ଆସି ଶକୁରାକୋ ଭୋପାଳରେ ଜନଗଡ଼ଙ୍କ ସହ ପରିଚିତ ହୋଇଥିଲେ । ଜାପାନ୍ ଜନଗଡ଼ଙ୍କର ଏତେ ବେଶି ପ୍ରିୟ ହୋଇଗଲା ଯେ ସେ ତାଙ୍କ ଝିଅ ନାଁ ଜାପାନୀ ବୋଲି ରଖିଥିଲେ କିଛିମାସ ପରେ  ସେ କାମସାରି ଭାରତ ଫେରିଆସିଲେ ।

                ୨୦୦୧ ମସିହାରେ ସେ ଦ୍ୱିତୀୟଥର ପାଇଁ ମାସକୁ ୧୨ହଜାର ଟଙ୍କା ବିନିମୟରେ ଚିତ୍ର କରିବା ପାଇଁ ପୁଣି ଜାପାନ ଗଲେ । ତିନି ମାସ ମଧ୍ୟରେ ସଂଗ୍ରାହଳୟର ଆବଶ୍ୟକ ମୁତାବକ ଚିତ୍ର ଶେଷକରିବାକୁ ଯାଇ ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ୁଥିଲା । ତାଙ୍କର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହୋଇପାରୁନଥିଲା ଏତେ ପରିଶ୍ରମ କରି ବି । ସେହି ବାରିପଟେ ରହୁଥିବା ଟିଣ ଘରୁ ତାଙ୍କ ପରିବାର ଉନ୍ନତ ଅବସ୍ଥାକୁ ଆସି ପାରୁନଥିଲେ । ସେତେବେଳକୁ ଜଣେ ଶିଳ୍ପୀର ମାନ୍ୟତା ସେ ପାଇସାରିଥିଲେ ଓ ବିଭିନ୍ନ ପ୍ରଦର୍ଶନୀରେ ତାଙ୍କର କିଛି କିଛି ଚିତ୍ର ବିକ୍ରୟ ମଧ୍ୟ ହେଉଥିଲା । ମାତ୍ର ଗ୍ରାଫିକ୍ ଷ୍ଟୁଡ଼ିଓର ଜଣେ ତଳିଆ କର୍ମଚାରୀ ଭାବେ ବିଭିନ୍ନ ସମୟରେ ସେ ଟାହି ଟାପରାର ଶରବ୍ୟ ହୋଇଥିଲେ ।  ଉଚ୍ଚ ବର୍ଗର ମଣିଷ ମାନଙ୍କର କୁତ୍ସିତ ମାନସିକତା ତାଙ୍କ ମନରେ ବଡ଼ କଷ୍ଟ ଦେଉଥିଲା । ୧୯୮୯ ରେ ପ୍ରଥମଥର ଜାପାନ ଯାଇ ଫେରିଲା ବେଳେ ପୁନରାୟ ୨୦୦୦ମସିହାରେ ଜାପାନ ଯିବାକୁ ଚୁକ୍ତିବଦ୍ଧ ହୋଇଥିଲେ ମାତ୍ର କୌଣସି କାରଣ ବଶତଃ ସେ ନଯାଇ ପାରି ୨୦୦୧ରେ ଦ୍ୱିତୀୟଥର ଯାଇଥିଲେ । ଚୁକ୍ତି ଖିଲାପକରି ଥିବାରୁ ସଂଗ୍ରାହଳୟ କର୍ତ୍ତୃପକ୍ଷ ତାଙ୍କ ଉପରେ ସାମାନ୍ୟ ବିରକ୍ତି ପ୍ରକାଶ କଲେ । ତାଙ୍କୁ ଗୋଟିଏ ଦ୍ୱିପକୁ ନିଆଯାଇ ସେଠାରେ ଗୋଟାଏ ବଡ଼ ଛବିକୁ କମ୍ ସମୟରେ ସାରିବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରାଗଲା । ସେ ସେଠାରେ ନିଜକୁ ଏକା ଅନୁଭବ କରୁଥିଲେ ଓ ଉପରେ ଚାପପ୍ରୟୋଗ ତାଙ୍କୁ ବହୁତ କଷ୍ଟ ଦେଉଛି ବୋଲି ତାଙ୍କ ସ୍ତ୍ରୀଙ୍କ ପାଖକୁ ପତ୍ର ମାଧ୍ୟମରେ ଜଣାଇଥିଲେ । ଯେଉଁ ଜାପାନକୁ ଆସିବାକୁ ସେ ଅଧିକ ଆଗ୍ରହ ଦେଖାଉଥିଲେ ଯେଉଁ ଜାପାନକୁ ସେ ଏତେ ଭଲ ପାଉଥିଲେ ସଂଗ୍ରାହଳୟ କର୍ତ୍ତୃପକ୍ଷଙ୍କ ବ୍ୟବହାର ତାଙ୍କୁ ଏତେ ଅତିଷ୍ଟ କଲା ଯେ ସେଠାରୁ ଆସିବା ପାଇଁ ବାଟ ଖୋଜି ବସିଲେ ।

ଜନଗଡ଼ ଭାରତ ଫେରି ଆସିବାକୁ ବ୍ୟସ୍ତ ହେଲାବେଳେ ସଂଗ୍ରାହଳୟ କର୍ତ୍ତୃପକ୍ଷ ତାଙ୍କୁ ଗୋତିଶ୍ରମିକ ଭଳି ପରିଶ୍ରମ କରାଉଥିଲେ ଓ ଅଧିକରୁ ଅଧିକ ଛବି ତିଆରି କରିବା ପାଇଁ ବାଧ୍ୟ କରୁଥିଲେ । ଶିଳ୍ପୀର ସ୍ୱାଧୀନତା ବୋଲି କିଛି ନଥିଲା । ସେ ତାଙ୍କୁ ଏତେ ବେଶୀ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ଦେଉଥିଲେ ଯେ ସେହି ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହୋଇପାରୁ ନଥିଲା । ଏଣୁ ଫେରିବାର ସମୟ ଗଡ଼ି ଗଡ଼ି ଯାଉଥିଲା ବେଳେ ନିଜ ପରିବାରକୁ ଭେଟିବାର ଆକୁଳତା ତାଙ୍କ ମନ ମଧ୍ୟରେ ବଢି ବଢି ଯାଉଥିଲା । ସଂଗ୍ରାହଳୟ କର୍ତ୍ତୃପକ୍ଷ ତାଙ୍କ ପାଖରୁ ତାଙ୍କ ପାସପୋର୍ଟକୁ ମଧ୍ୟ ରଖିନେଇ ଥିଲେ ଯାହା ଫଳରେ ତାଙ୍କ ଫେରିବାର ଆଶା ସବୁ ମଉଳି ଯାଇଥିଲା ।

ନିଜ ଦେଶରେ ମୁକ୍ତ  ବିହଙ୍ଗର ଜୀବନ ବିତାଉଥିବା ଝରଣା ପରି ଛଳ ଛଳ ସରଳ ଜୀବନ ଜିଉଁଥିବା ପକ୍ଷୀଟିକୁ ପିଞ୍ଜରା ମଧ୍ୟରେ ଆବଦ୍ଧ କରି ରଖିବା ଭଳି ଜନ୍‌ଗଡ଼ଙ୍କ ସରଳ ଜୀବନ ସଂଗ୍ରହାଳୟ କତ୍ତୃପକ୍ଷଙ୍କ ବ୍ୟବହାରରେ ଅତିଷ୍ଟ ହୋଇ ଶେଷକୁ ଆତ୍ମହତ୍ୟାର ନିଷ୍ପତ୍ତି ନେଉଥିଲା । ତା ପୂର୍ବରୁ ସେ ଏକ ପତ୍ର ମାଧ୍ୟମରେ ପରଚିତ ଜ୍ୟୋତିଷ ଚନ୍ଦ୍ର ଜୈନଙ୍କୁ ଏକ ପତ୍ର ଲେଖି ଜାପାନୀ ସଂଗ୍ରାହଳୟରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ସେ ପତ୍ର ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଜୁଲାଇ ୨ ତାରିଖରେ ତାଙ୍କ ରହୁଥିବା କୋଠରୀ ଛାତରେ ଓହଳିଥିବା ଫ୍ୟାନ୍‌ରେ ଦଉଡ଼ି ଦେଇ ଆତ୍ମହତ୍ୟା କରି ଦେଇଥିଲେ । ସେତେବେଳକୁ ତାଙ୍କର ବୟସ ଥିଲା ମାତ୍ର ଅଣଚାଲିଶ ବର୍ଷ ।

                ଜାପାନରେ ଜନଗଡ଼ଙ୍କର ଆତ୍ମହତ୍ୟା ଘଟଣା ଥିଲା ଅତିବ ଦୁଃଖ ଦାୟକ । ଭାରତରେ ବିଭିନ୍ନ ସମ୍ବାଦପତ୍ରରେ ଏ ଘଟଣା ପ୍ରକାଶ ପାଇ କଳାକାର  ଓ କଳାପ୍ରେମୀ ମାନଙ୍କୁ ମର୍ମାହତ କରିଥିଲା ସମସ୍ତେ ଏହାର କାରଣ ଜାଣିବା ପାଇଁ ଉତ୍ସୁକତା ଦେଖାଉଥିବା ବେଳେ  ସଂଗ୍ରହାଳୟ କର୍ତ୍ତୃପକ୍ଷ ତାଙ୍କ ୱେବସାଇଟ୍‌ରେ ମୃତ୍ୟୁର କାରଣ ସଂପର୍କରେ କିଛି ତଥ୍ୟ ପରିବେଷଣ କରିଥିଲେ । ତାହା ଥିଲା ଯେ ଜନ୍‌ଗଡ଼ ଚୁକ୍ତି ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ  କାର୍ଯ୍ୟ ଶେଷ ହୋଇ ନଥିବାରୁ ଭାରତକୁ ଫେରିବା ମାତ୍ର ତିନି ମାସ ପାଇଁ ଘୂଞ୍ଚାଇ ଦିଆଯାଇଥିଲା । ଜନ୍‌ଗଡ଼ଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ଜାପାନ ଆସିବା ଆଗରୁ  ଆଣ୍ଟିଡି଼ପ୍ରେସନ ବଟିକା ଖାଉଥିଲେ ଯାହାକି ତାଙ୍କ କୋଠରୀ ମଧ୍ୟରେ ମିଳିଥିଲା । ସଂଗ୍ରାହଳୟ କର୍ତ୍ତୃପକ୍ଷ ତାଙ୍କ ମର ଶରୀରକୁ ମଧ୍ୟ ଭାରତ ପଠାଇବାକୁ ରାଜି ନଥିଲେ । ଏ ନେଇ ତାଙ୍କ ପରିବାର ଓ ଅନ୍ୟ ଚିତ୍ର ଶିଳ୍ପୀମାନେ କେନ୍ଦ୍ରମନ୍ତ୍ରୀ ଓ ତତ୍‌କାଳୀନ ମଧ୍ୟ ପ୍ରଦେଶର ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲାପରେ ସେମାନଙ୍କ ଚେଷ୍ଟା ଯୋଗୁଁ ମୃତ୍ୟୁର ଦଶଦିନ ପରେ ତାଙ୍କ ମରଶରୀର କଫିନରେ ଭର୍ତ୍ତି ହୋଇ ଭାରତରେ ପହଞ୍ଚିଥିଲା ।

                ଏ ଦୁଃଖଦ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଭାରତର ପ୍ରମୁଖ ଚିତ୍ରଶିଳ୍ପୀମାନେ ଏକ ମିଳିତ ଭାବେ ଦସ୍ତଖତ କରି ସରକାରଙ୍କୁ ଯଥାଶିଘ୍ର ପଦକ୍ଷେପ  ନେବାକୁ ଅନୁରୋଧ କରିଥିଲେ ।  ଘଟଣା ସମ୍ପର୍କରେ ଆନ୍ତର୍ଜାତିକ ବୁଦ୍ଧିଜୀବୀମାନେ ମଧ୍ୟ ସ୍ୱର ଉତ୍ତୋଳନ କଲେ । ଧନୀରାଷ୍ଟ୍ରର କଳାସଂଗ୍ରାହଳୟମାନେ ଅନୁନ୍ନତ ଦେଶର ପାରମ୍ପାରିକ ଚିତ୍ରଶିଳ୍ପୀଙ୍କୁ କିଭଳି ଭାବେ ଶୋଷଣ କରୁଛନ୍ତି ଓ ତାକୁ ବିରୋଧ କରିବା ଉଚିତ୍ ବୋଲି ବିଭିନ୍ନ କଳା ସମାଲୋଚକମାନେ ସମ୍ବାଦ ପତ୍ର ମାଧ୍ୟମରେ ମଧ୍ୟ ସ୍ୱର ଉଠାଇଲେ ଯାହାଫଳରେ ସଂଗ୍ରାହଳୟ କର୍ତ୍ତୃପକ୍ଷ ଜନ୍‌ଗଡ଼ଙ୍କର ମାନସିକ ଅବସ୍ଥା ଭଲ ନଥିଲା କଥାଟିକୁ ୱେବସାଇଟରୁ ଉଠାଇ ଦେଇଥିଲେ । ଅମାନବିକ ଭାବେ ସେ ମରଶରୀରକୁ ଭାରତ ପଠାଇବା ପାଇଁ କୌଣସି ଆର୍ଥିକ ଅଟକଳ ନଥିବା କଥା କହି ଜାପାନ ସଂଗାହଳୟ ପକ୍ଷରୁ ଯୁକ୍ତି ବାଢିଥିଲା ।

                ଜନଗଡ଼ ସିଂ ଶ୍ୟାମ ଯେଉଁ ପ୍ରକାର ଛବି ଆଙ୍କିଥିଲେ, ତାହା ସଂପୂର୍ଣ୍ଣ  ଭାବରେ ଶୈଳି ଓ ଭାବ ଦୃଷ୍ଟିରୁ ନିଜସ୍ୱ ଥିଲା ଓ ତାହା ଥିଲା ଅଭିନବ । ତାଙ୍କ ଚିତ୍ର ଶୈଳୀକୁ “ଜନଗଡ଼ କାଲାମ” କୁହାଗଲା । କଳାସମାଲୋଚକ ଉଦୟନ ବାଜପେୟୀ ହିଁ ଚିତ୍ରଶିଳ୍ପୀ ଭାବରେ “ଜନଗଡ଼ କାଲାମ” ବୋଲି ନାଁ ଦେଇଥିଲେ । ପର୍ଧାନ ସଂଗୀତକୁ ଚିତ୍ରରେ ରୂପ ଦେଇଥିବା ଜନଗଡ଼ ହିଁ ଆଜିର ଅନେକ ଗଣ୍ଡ ପର୍ଧାନ ଚିତ୍ର ଶିଳ୍ପୀଙ୍କ ପଥ ପଦର୍ଶକ । (ଜନଗଡ଼ ସିଂ ଶ୍ୟାମ, ଲେଖକ- ରମାକାନ୍ତ ସାମନ୍ତରାୟଙ୍କ ଛାୟାରେ । ଅନ୍ୱେଷା ପତ୍ରିକା ପୃ-୨୨) ସଂଗୀତ କ୍ଷେତ୍ରରେ ‘ଘରାନା’ ପରି କାଲାମ ଶବ୍ଦର ବ୍ୟବହାର କରାଯାଇଛି ।

                ଭୋପାଳର ଭାରତ ଭବନରେ ଗ୍ରାଫିକ୍ ଡ଼ିପାର୍ଟମେଣ୍ଟରେ କାମ କରୁଥିଲାବେଳେ କିଛି ବିଦେଶୀ ଶିଳ୍ପୀଙ୍କୁ ସହାୟତା କରୁଥିବାବେଳେ  ସେହିଗ୍ରାଫ କଳା କୌଶଳକୁ ଭଲଭାବେ ଆୟତ କରିପାରିଥିଲେ । ଏଣୁ ତାଙ୍କ ଛବିକୁ କଳା ସମାଲୋଚକମାନେ ଦୁଇ ଭାଗରେ ବିଭକ୍ତ କରିଥାଆନ୍ତି ପ୍ରଥମଟି କାଗଜ ଓ କ୍ୟାନଭାସ ଉପରେ ଅଙ୍କାଚିତ୍ର ଓ ଦ୍ୱିତୀୟଟି ସେ ଦେଶ ବିଦେଶର କାନ୍ଥରେ ଆଙ୍କିଥିବା ଅନେକ ଭିତ୍ତିଚିତ୍ର । ଅଳ୍ପ ସମୟ ଭିତରେ  ଜନଗଡ଼ ତାଙ୍କ ଚିତ୍ର ଓ ତା’ରଶୈଳୀକୁ  ପ୍ରତିଷ୍ଠିତ କରାଇପାରିଥିଲେ । ଜନଗଡ଼ ତାଙ୍କ ଛବିରେ ରେଖା  ଓ ବିନ୍ଦୁର ପର୍ଯ୍ୟାପ୍ତ ପରିମାଣରେ ବ୍ୟବହାର କରୁଥିଲେ । ଉଜ୍ଜ୍ୱଳ ବର୍ଣ୍ଣ ଚୟନ ଓ ଅନେକ ସମୟରେ ଭିନ୍ନ ଭିନ୍ନ ରଂଗ ଗୁଡ଼ିକର ଆକସ୍ମିକ ଓ ସାବଲିଳ ସହାବସ୍ଥାନ କରାଇ ସେ ତାଙ୍କ ଛବିକୁ ଏକ ସ୍ୱତନ୍ତ୍ରତା ଆଣିଦେଇଥିଲେ । ସେଥିପାଇଁ ୧୯୮୬ରେ ତାଙ୍କୁ ମଧ୍ୟପ୍ରଦେଶର ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ମିଳିଥିଲା । କେବଳ ସେତକ ନୁହେଁ ବିଖ୍ୟାତ ସ୍ଥପତି ଚାର୍ଲସ କୋରିଆଙ୍କ ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁସାରେ ଭୋପାଳ ବିଧାନ ପରିଷଦର ନୂତନ ସୌଦ୍ଧ ବାହାରପଟକୁ ୧୯୮୯ରେ ଛବି ଆଙ୍କି ସୁନ୍ଦର କରିବାର ଦାୟିତ୍ୱ ଜନଗଡ଼ଙ୍କୁ ମଧ୍ୟ ମିଳିଥିଲା । ତାଙ୍କ ଚିତ୍ରର ପୃଷ୍ଠଭୂମିରେ କେବଳ ପର୍ଧାନ ସଂଗୀତ ବର୍ଣ୍ଣିତ କାହାଣୀର ଚିତ୍ରର ଚିତ୍ରଣ ନୁହେଁ ବରଂ ସଙ୍ଗୀତର ଧ୍ୱନି ଓ ଛନ୍ଦ ବିନ୍ୟାସର ପ୍ରଭାବ ବାରିହୋଇ ପଡ଼ୁଥିଲା । ଅଷ୍ଟେଲିଆର ଆଦିମ ଅଧିବାସୀ ମାନଙ୍କ ଛବି ସହ ଆଶ୍ଚର୍ଯ୍ୟଜନକ ଭାବେ ଜନଗଡ଼ଙ୍କ ଛବିର ସାମଞ୍ଜସ୍ୟ ରହିଥିବାର ଦେଖିବାକୁ ମିଳିଥାଏ ।

                ଜନଗଡ଼ଙ୍କ ଛବିର ଶୈଳୀକୁ ଆଧାର କରି ଅନେକ ଗଣ୍ଡ ଚିତ୍ରଶିଳ୍ପୀ ଏବେ ତାଙ୍କୁ ଆଦର୍ଶ ଭାବେ ମାନି ଛବି ଅଙ୍କନ କରୁଛନ୍ତି । କିଛି ଉତ୍ସାହୀଯୁବକ ତାଙ୍କ ଉପରେ ପୁସ୍ତକ ଲେଖିବା ସହ ଚଳଚିତ୍ର ଓ ବୃତ୍ତଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ ଚିତ୍ର ମାନଙ୍କର ପ୍ରଦର୍ଶନୀମାନ କରାଇ ଜନ୍‌ଗଡ଼ଙ୍କୁ ବଞ୍ଚାଇ ରଖିଛନ୍ତି ଜନଗଡ଼ଙ୍କ ପତ୍ନୀ ନାନ୍‌କୁସିଆ ବାକର, ଝିଅ ଜାପାନୀ ଶ୍ୟାମ୍‌, ପୁଅ ମୟଙ୍କ ଶ୍ୟାମ । ଜନଗଡ଼ଙ୍କ ଝିଅ ଜାପାନୀ ଶ୍ୟାମ୍‌, ପୁଅ ମୟଙ୍କ ଶ୍ୟାମ, ଜନଗଡ଼ କାଲାମର ପ୍ରମୁଖ ଚିତ୍ରଶିଳ୍ପୀ ଭାବରେ ପରିଚିତି ଲାଭ କରିଛନ୍ତି । ଜନଗଡ଼ଙ୍କ ଝିଅ ଜାପାନୀ ଶ୍ୟାମ ମାତ୍ର ବାରବର୍ଷ ବୟସରେ ୧୯୯୯ ମସିହାରେ ତାଙ୍କ ଚିତ୍ର ପାଇଁ ସେ କମଳା ଦେବୀ ପୁରସ୍କାର ପାଇ ଥିଲେ ଆଜି ଜନଗଡ଼ କାଲାମର ପ୍ରମୁଖ ଚିତ୍ରଶିଳ୍ପୀ ।

ଫରାସୀ କଳା ସମାଲୋଚକ ଓ କଳା ସଂଗ୍ରାହକ ହର୍ଭେ ପର୍ଦ୍ରିୟୋଲ ଜନଗଡ଼ଙ୍କ ଛବି ସଂଗ୍ରହକରିବା ସହ ଗଣ୍ଡ ଚିତ୍ରକଳା ସଂପର୍କରେ ପୁସ୍ତକ ଲେଖିଛନ୍ତି । ଚଳଚିତ୍ର ନିର୍ମାତା ଅମିତ ଦତ୍ତ“ଇନ୍‌ଭିଜିବଲ୍ ୱେବସ ଅନ୍ ଆର୍ଟ ହିଷ୍ଟୋରିକାଲ୍ ଇନ୍‌କ୍ୱାରି ଇଣ୍ଟୁ ଦି ଲାଇଫ ଆଣ୍ଡ ଡ଼େଥ ଅଫ୍ ଜନ୍‌ଗଡ଼ ସିଂଶ୍ୟାମ” ନାମରେ ପୁସ୍ତକ ରଚନା କରିଛନ୍ତି । ଏହାଛଡ଼ା କଳା ସମାଲୋଚକ ଓ ସଂଗ୍ରାହକ ମିଶେଲ ଅବଦୁଲ କରିମ ପ୍ରତିବର୍ଷ ଭାରତ ଆସିଲେ ସେ ଜନଗଡ଼ଙ୍କ କିଛିଛବି କିଣି ନେଉଥିଲେ । ଅରୋହଗୀତା ଦାସ ୨୦୧୭ ମସିହାରେ ମିଶେଲଙ୍କ ଦ୍ୱାରା ସଂଗୃହିତ ଜନଗଡ଼ଙ୍କ ଛବି ମାନଙ୍କୁ ନେଇ “ଜନ୍‌ଗଡ଼ ସିଂ ଶ୍ୟାମ ଦି ଏନ୍‌ଚାଇଣ୍ଡେଟ୍ ଫଟେଷ୍ଟ” ନାମରେ ପୁସ୍ତକ ରଚନା କରିଥିଲେ । ୨୦୧୮ ମସିହା ଡ଼ିସେମ୍ବର ୪ତାରିଖରୁ ୨୦୧୯ ଜାନୁୟାରୀ ୧୧ ପର୍ଯ୍ୟନ୍ତ ଦିଲ୍ଲୀର ‘କୀରଣନାଦର’ ସଂଗ୍ରହାଳୟରେ ଜ୍ୟୋତିନ୍ଦ୍ର ଜୈନ ଓ ରୁବିନା କରଡ଼େଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପ୍ରଦର୍ଶନୀରେ ଜନଗଡ଼ ସିଂ ଶ୍ୟାମଙ୍କର ଅନେକ ଛବି, ଭିତ୍ତିଚିତ୍ରର ଫଟୋ ଗ୍ରାଫ, ବ୍ୟକ୍ତିଗତ ଫଟୋ ଓ ଆତ୍ମହତ୍ୟାର ‘ସୁଇସାଇଡ଼ାଲ ନୋଟ’ ଇଦ୍ୟାଦି ପ୍ରଦର୍ଶିତ ହୋଇଥିବା ବେଳେ ମ୍ୟୁଜିୟମ ଅଫ ଆର୍ଟ ଏଣ୍ଡ ଫଟୋଗ୍ରାଫି ଦ୍ୱାରା ପ୍ରକାଶିତ ଜ୍ୟୋତିନ୍ଦ୍ର ଜୈନଙ୍କ ଦ୍ୱାରା ଲିଖିତ “ଏ କଞ୍ଜୋରର୍ସ ଆକ୍ରାଇଭ” ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା ।

                ଜନଗଡ଼ ସିଂ ଶ୍ୟାମଙ୍କ ଛବି ଗୁଡ଼ିକ ଭାରତ ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ଜୟପୁର, ଅହମ୍ମଦାବାଦ, ବରୋଦା, ଭୋପାଳ, ନାଗପୁର, ଆଦିରେ ଆୟୋଜିତ ପ୍ରଦର୍ଶନୀ ମାନଙ୍କରେ ଅଂଶ ଗ୍ରହଣ କରିଛି । ସେହିପରି ବିଦେଶରେ ଲଣ୍ଡନ, ଜାପାନ, ପ୍ୟାରିସ୍‌, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆମେରିକା ଓ କୋରିଆ ପରି ଦେଶ ମାନଙ୍କରେ ତାଙ୍କ ଛବି ପ୍ରଦର୍ଶିତ ହୋଇଛି । ତାଙ୍କର “ଲ୍ୟାଣ୍ଡସ୍କୋପ ୱିଥ ସ୍ୱାଇଡ଼ର” ନାମକ ଗୋଟିଏ ଛବି ୨୦୧୦ ମସିହାରେ ସତଥି ଅକ୍ସନ ହାଉସ ଦ୍ୱାରା ନିୟୁର୍କରେ ୩୧,୨୫୦ ଡ଼ଲାରରେ ନିଲାମ ହୋଇଥିଲା ।

୨୦୦୬ ମସିହାରେ କଣ୍ଡପର୍ଧାନ କାହାଣୀ କହିବାର ମୌଖିକ ମାଧ୍ୟମକୁ ସ୍କଟଲାଣ୍ଡର ଏକ କମ୍ପାନୀ ଆନିମେଶନ ମାଧ୍ୟମରେ ଫିଲ୍ମଟିଏ କରିଥିଲେ । କୌଣସି ଚିତ୍ରକଳା ବିଦ୍ୟାଳୟରେ ପାଠ ନପଢି ଗୋଟିଏ ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରି, ଇଂରାଜୀ ବୁଝିବା ଓ କହିବା ନଜାଣି ମଧ୍ୟ ଚମତ୍କାର ଛବି ଆଙ୍କି ସେ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଏହା କମ ଗୌରବର କଥାନୁହେଁ । ଜନ୍‌ଗଡ଼ଙ୍କ ଆତ୍ମହତ୍ୟା ପରେ ତାଙ୍କ କାହାଣୀର ପୂର୍ଣ୍ଣଛେଦ ପଡ଼ିନାହିଁ । ଜନଗଡ଼ଙ୍କ ରାସ୍ତାରେ ଆଜି ଗଣ୍ଡ ପର୍ଧାନ ଚିତ୍ରଶିଳ୍ପୀ ମାନେ ବାଟ ଚାଲିବା ଆରମ୍ଭ କରିଛନ୍ତି । ଏହା ଦିନେ ସେମାନଙ୍କୁ ସମାଜରେ ପ୍ରତିଷ୍ଠା ଆଣିଦେବ ଏଥିରେ ସନ୍ଦେହ ନାହିଁ ।

PHOTO CREDIT – WIKIPEDIA

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ