ଗୋଟିଏ ବର୍ଷ ପରେ!!

Swayamprava Parhi (Chief Editor)
4 Min Read

୨୦୧୯ ମାର୍ଚ୍ଚ ୧୦ ତାରିଖ ‘ସମଧ୍ୱନି’ ୱେବ୍ ପତ୍ରିକାର ପ୍ରଥମ ଜନ୍ମଦିନ । ଏଇ ଭିତରେ ବର୍ଷଟିଏ ବିତିଯାଇଛି । ଆମକୁ ମିଳିଛି ଅନେକ ସ୍ମୃତି, ଅନେକ ଅନୁଭୂତି । ପୁଣି ମିଳିଛି କାମଟିକୁ ଆଗେଇ ନେବାପାଇଁ ଅନେକ ଆଶା ଓ ସମ୍ଭାବନା । କାମ ଭିତରେ ଭୂଲ ଠିକ୍ ଦେଖିବାର ଅବସର ମିଳିନାହିଁ । ଗୋଟିଏ ଅଭିଯାନରେ ମାତିଚାଲିଛୁ ସମସ୍ତେ ଯାହା ନିନ୍ଦା ପ୍ରଶଂସାର ଅନେକ ଦୂରରେ । କିନ୍ତୁ ସମଗ୍ର ଅନୁଭୂତିରୁ ଆଗକୁ ଯିବାପାଇଁ ଅନେକ ଆଶାକୁ ଏକାଠି କରିପାରିଛୁ । ଆଶା ଗୁଡ଼ିକର ଆଧାର ହେଉଛନ୍ତି ଗାଁ ଗହଳିର ଅତି ସାଧାରଣ ମଣିଷ, ଯେଉଁମାନେ ଆମ କାମର ମୂଳ ଭିତ୍ତିଭୂମି ।

ବର୍ଷକର କାମକୁ ସମୀକ୍ଷା କରିବା ବାହାନାରେ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ‘ନିଷ୍ପେଷିତର ସଙ୍ଗୀତ’ ବିଷୟରେ ଆଲୋଚନା କରାଯିବା ପାଇଁ ନିସ୍ପତ୍ତି ହୋଇଛି । ସଙ୍ଗୀତ କ୍ଷେତ୍ରରେ ସାଧାରଣ ମଣିଷର ଭୂମିକାଟି ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ । ସାଧାରଣ ମଣିଷ ଓ ସେମାନଙ୍କ ଚାରିପଟେ ନିଜର କଳାତ୍ମକ ସୃଷ୍ଟିକୁ ଉପସ୍ଥାପନ କରିଆସିଥିବା ଚରୀତ୍ର ଯଦି ଶାସକ ଶ୍ରେଣୀ ବା ରାଷ୍ଟ୍ରର ପୃଷ୍ଠପୋଷକତା ପାଇ ନଥାଏ ତେବେ ଏକ ଅବହେଳିତ ଓ ନିଷ୍ପେଷିତ ଜୀବନ ବିତାଇବା ଅନିର୍ବାର୍ଯ୍ୟ ହୋଇଯାଏ । ନିଜର ସ୍ଥିତିକୁ ବା ଗ୍ରହଣୀୟତାକୁ ନେଇ ସମୀକ୍ଷା କରିବାର ସାମର୍ଥ୍ୟ ନିଷ୍ପେଷିତ କଳାକାର ପାଖରେ ନଥାଏ । ସେଇଥିପାଇଁ ‘ସମଧ୍ୱନି’ର ଉଦ୍ୟମ ନିଷ୍ପେଷିତଙ୍କ କଳା, ସଙ୍ଗୀତ ଓ କଳାକାର ମାନଙ୍କୁ ବୁଝିବା ତଥା ସେମାନଙ୍କ ସମ୍ପର୍କରେ ବ୍ୟାପକ ବୁଝାମଣା ସୃଷ୍ଟିକରିବା ।

ଏତିକି କହିଲାବେଳେ ଆଉ ଗୋଟିଏ କଥା କହିବା ଉଚିତ ମନେକରିବୁ ଯେ, ‘ସମଧ୍ୱନି’ ଏକ ବ୍ୟବସାୟିକ ୱେବ ପତ୍ରିକା ନୁହଁ । ଗତ ଗୋଟିଏ ବର୍ଷ ଭିତରେ(ଯଦିଓ ପ୍ରିଣ୍ଟ ପତ୍ରିକାକୁ ୬ବର୍ଷ ପୁରିଗଲାଣି) ‘ସମଧ୍ୱନି’ ୱେବ୍ ପତ୍ରିକା ଆରମ୍ଭ ହେବାପରେ ପରେ ଅନେକ ୱେବ୍ ପତ୍ରିକା ପ୍ରକାଶ ପାଇଛି । ବଡ଼ ବଡ଼ କମ୍ପାନୀଙ୍କଠାରୁ ଆରମ୍ଭ କରି ରାଜନୈତିକ ଭିତ୍ତିଭୂମି ଉପରେ ଏହିସବୁ ପତ୍ରିକା ଦଣ୍ଡାୟମାନ । ‘ସମଧ୍ୱନି’ ସାଂସ୍କୃତିକ ସଙ୍ଗଠନ ସହିତ ଯେଉଁମାନେ ସବୁବେଳେ ଏକାଠି ଅଛନ୍ତି ଏବଂ ସମଧ୍ୱନିକୁ ଯେଉଁମାନେ ଦୀର୍ଘ ୧୪ବର୍ଷ ଧରି ବା ୨୦୦୫ ମସିହାରୁ ଜାଣିଛନ୍ତି ସେମାନେ କାମଟିର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ‘ସମଧ୍ୱନି’ର କର୍ମକର୍ତ୍ତାମାନେ କେଉଁସବୁ କାର୍ଯ୍ୟ ଆଯିଯାଏ କରିଆସିଛନ୍ତି ଏବଂ ଏହି କାର୍ଯ୍ୟ କେଉଁଭଳି ବିନା ଆର୍ଥିକ ଭିତ୍ତିଭୂମିରେ ଚାଲିଛି ସେ ସମ୍ପର୍କରେ ଅବଗତ ଅଛନ୍ତି ।

ଆଜି ଯେଉଁଭଳି ଏକ ନିର୍ଦ୍ଦିଷ୍ଟ ଧାର୍ମିକ ସାଂସ୍କୃତିକ ଆଧିପତ୍ୟ ଆମ ଦେଶ ଭିତରେ ଚାଲିଛି ଏବଂ ଏକ ନିର୍ଦ୍ଦିଷ୍ଟ ଧର୍ମର ରକ୍ଷକ ବୋଲି ନିଜକୁ ଘୋଷଣା କରିଥିବା ଗୋଷ୍ଠୀ ଯେଉଁମାନେ ଆଜି ଭାରତୀୟ ସଂସ୍କୃତିର ରକ୍ଷକ ନୁହଁନ୍ତି ସମ୍ପୁର୍ଣ୍ଣ ଭକ୍ଷକ ସାଜିଛନ୍ତି ସେମାନଙ୍କ ବିରୁଦ୍ଧରେ ‘ସମଧ୍ୱନି’ ପୃଷ୍ଠାରେ ବାରମ୍ବାର ସ୍ୱର ଉତ୍ତ୍ୱଳନ କରିଛନ୍ତି ପ୍ରଫେସର ଭଗବତ ପ୍ରସାଦ, ପ୍ରଫେସର ବୀରେନ୍ଦ୍ର ନାୟକ, ସୁଧୀର ପଟ୍ଟନାୟକ। ବିଶେଷକରି ପ୍ରଫେସର ବୀରେନ୍ଦ୍ର ନାୟକଙ୍କର କବିତା ଓ ଗଳ୍ପ ଗୁଡ଼ିକ ‘ସମଧ୍ୱନି’ ପୃଷ୍ଠାକୁ ବହୁ ଚର୍ଚ୍ଚିତ କରାଇପାରିଛି ।

Samadhwani Support us

ପ୍ରଫେସର ଭଗବତ ପ୍ରସାଦଙ୍କର ‘ମହାଭାରତ ଏକ ସତ୍ୟାନ୍ୱେଷୀ ଦୃଷ୍ଟି, ସଙ୍କଟଯୁକ୍ତ ଆଧୁନିକତା ଓ ଦଳିତ ଏନ୍ତୁଡ଼ିଶାଳାର କିଛି ଝଲକ, ପରଭକ୍ଷୀ ପରଶେଷୀ କବଳରୁ ଜୀବନ ହେଉ ଯନ୍ତ୍ରଣାମୁକ୍ତ’ ଏମିତି ଭାରତୀୟ ସାଂସ୍କୃତି ଓ ଦର୍ଶନ ଉପରେ ସମୀକ୍ଷା ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ। ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣାତ୍ମକ ଲେଖା ଧାରାବାହିକ ଭାବରେ ‘ସମଧ୍ୱନି’ରେ ପ୍ରକାଶ କରିଛନ୍ତି ପ୍ରଫେସର କୈଳାସଚନ୍ଦ୍ର ଦାଶ।

ଉମେଶ ଚନ୍ଦ୍ର ବିଶ୍ୱାଳ(ଶତାବ୍ଦୀ କ୍ରିଏସନ୍) ଓ  ଲକ୍ଷ୍ମୀଧର ମୁର୍ମୁ(ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ) ଉଭୟ ‘ସମଧ୍ୱନି’ ସହିତ ଅଘୋଷିତ ଭାବରେ ଭିଡ଼ିଓ ନିର୍ମାଣରେ ସହଯୋଗ କରିଆସିଛନ୍ତି । ଖୁସି ଖବର ହେଲା ‘ସମଧ୍ୱନି’ର କିଛି ଭିଡ଼ିଓର ଦର୍ଶକ ୧୦ଲକ୍ଷରୁ ଉର୍ଦ୍ଧ ଅଟନ୍ତି ବିଶେଷ କରି ଲୋକକଳା ସଂସ୍କୃତି ଉପରେ ହୋଇଥିବା ଭିଡ଼ିଓକୁ ଅଧିକ ଦର୍ଶକ ପସନ୍ଦ କରୁଛନ୍ତି । ଏହିସବୁ ଭିଡ଼ିଓ ନିର୍ମାଣ ପାଇଁ ‘ସମଧ୍ୱନି’ ନିର୍ମାତାମାନଙ୍କୁ ଆଜିଯାଏ କେବେବି ପାରିଶ୍ରମିକ ଦେଇପାରିନାହିଁ । ଏହି ଅକୁଣ୍ଠ ସହଯୋଗ ପାଇଁ ଲେଖକ, ଲେଖିକା ତଥା ଭିଡ଼ିଓ ନିର୍ମାତା ମାନଙ୍କ ନିକଟରେ ‘ସମଧ୍ୱନି’ ବିନମ୍ରତାର ସହିତ କୃତଜ୍ଞତା ଜ୍ଞାମ୍ପନ କରୁଛି ।

ଆର୍ଥିକ ସମସ୍ୟା ଯୋଗୁଁ ଅନେକ କାର୍ଯ୍ୟ ବାଧାପ୍ରାପ୍ତ ମଧ୍ୟ ହେଉଛି । ଅନେକ ଲୋକକଳା ଓ ସଂସ୍କୃତି ଯାହାର ସୁରକ୍ଷା କରାଯିବା ବର୍ତ୍ତମାନ ସମୟରେ ଜରୁରୀ ସେସବୁ ଉପରେ ଗଭୀର ଗବେଷଣା ଓ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଯାହା ଆମେ ଏକା କରିବା ସମ୍ଭବ ହୋଇପାରୁ ନାହିଁ। ଯୁବପିଢ଼ୀର କଳାକାରମାନଙ୍କୁ ନେଇ ଏବଂ ଓଡ଼ିଶାରେ ସାଙ୍ଗୀତିକ ବାତାବରଣ ସୃଷ୍ଟି କରିବାପାଇଁ ଯଦିଓ ଆମେ ଅନେକ ଗୁଡ଼ିଏ ନୂଆ କଥା ଚିନ୍ତା କରିଛୁ ସେସବୁକୁ ଆଗେଇ ନେବାପାଇଁ ସାଥୀ ଆବଶ୍ୟକ ହେଉଛନ୍ତି । ଯୁବ କଳାକାର ତଥା ସଂସ୍କୃତି ପ୍ରେମୀ ମଣିଷମାନେ ଆମର ଏହି କାମରେ ଯଦି ସ୍ୱତଃପ୍ରବୃତ ଭାବରେ ନିଷ୍ଠାର ସହ ଭାଗ ନ ନିଅନ୍ତି ତେବେ ଆଗକୁ ଯିବା କଷ୍ଟକର ହେଇପଡ଼ିବ । କଥାଟି ଉପରେ ବିଚାର କରିବାପାଇଁ ଅନୁରୋଧ ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.