ଲୋକେ ବଂଚିଲେ ଲୋକକଳା ବଂଚିବ

Swayamprava Parhi (Chief Editor)
4 Min Read

“ଶ୍ରେଷ୍ଠ ଭାରତ ସଂସ୍କୃତି ସମାଗମ” ଆୟୋଜନ କରି କେନ୍ଦ୍ର ସଂସ୍କୃତି ବିଭାଗ କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରକୁ ଚଳଚଞ୍ଚଳ କରିପକାଇଛନ୍ତି ।

Photo by Laxmidhar Murmu(Samadhwani Video team member)

ଲୋକକଳା, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ନାଟକ, ଜନଜାତି କଳା ସଂସ୍କୃତି, କଣ୍ଢେଇ ନାଚର ବିଶିଷ୍ଟ କଳାକାରମାନେ ଏକାଠି ହୋଇଛନ୍ତି ଗୋଟିଏ ମଞ୍ଚରେ । ଜନଜାତି କଳା ସଂସ୍କୃତିର ଗବେଷକ ପୁଣି ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ମହାନ ହସ୍ତୀମାନଙ୍କୁ ଗୋଟିଏ ମଞ୍ଚରେ ପାଇବା କମ୍ ବଡ଼ କଥାନୁହେଁ!!

Samadhwani Support us

ସାଂସ୍କୃତିକ ପରିବେଶକୁ ଚଳଚଞ୍ଚଳ କରିବାପାଇଁ ଏହା ହୁଏତ କାମ କରିଥାଇପାରେ । ଶ୍ରେଷ୍ଠ ନାମଟି ରହୁ ବା ନରହୁ ଭାରତୀୟ ସମାଜରେ ଥିବା କଳା ସଂସ୍କୃତି ବିଶେଷକରି ସଙ୍ଗୀତରେ ବିବିଧତା ଭାରତୀୟ ମାନଙ୍କ ସାମ୍ନାରେ ମଝିରେ ମଝିରେ ଉପସ୍ଥାପନ କରାଯିବା ଦରକାର ।

ଭାରତୀୟ ସମାଜ ବ୍ୟବସ୍ଥାର ଇତିହାସକୁ ଦେଖିଲେ  ପ୍ରତିଟି କଳା ଓ ସାଂସ୍କୃତିକ ଢ଼ାଞ୍ଚା ପଛରେ ଏବଂ ସେମାନଙ୍କ ବିଷୟବସ୍ତୁ ଭିତରେ ସମାଜରେ ଥିବା ବିବିଧତା ଏବଂ ବୈଷମ୍ୟ ମଧ୍ୟ ପ୍ରତିଫଳିତ ହୋଇଥାଏ ଯାହା ହଜାର ହଜାର ବର୍ଷଧରି ଆମ ସଂସ୍କୃତିର ଅସ୍ଥିମଜ୍ଜାଗତ ହୋଇରହିଛି ।

ଆମେ ଯେଉଁମାନେ ସାଂସ୍କୃତିକ ବିବିଧତାକୁ ନେଇ ଗୌରବାନ୍ୱିତ ମନେକରୁଛୁ ଏବଂ ସେହିସବୁ ଗୌରବକୁ ନେଇ ମହୋତ୍ସବ ଆୟୋଜନ କରୁଛୁ ଆମେ ଏକଥାଟି ସାଧାରଣତଃ ଭୁଲିଯାଇଥାଉ ଯେ ଆମ ସାଂସ୍କୃତିକ ବିବିଧତାର ଚେରଟି ବିବିଧତା କେବଳ ନୁହେଁ ସମାଜ ଭିତରେ ଥିବା ବୈଷମ୍ୟ ଭିତରେ ହିଁ ଲୁଚି ରହିଛି ।

ଲୋକ ଏବଂ ଲୋକଙ୍କ ସମସ୍ୟାର ଭିତ୍ତିକୁ ଅଣଦେଖା କରି କେବଳ ସେମାନଙ୍କର କିଛି ସଂସ୍କୃତିକୁ ନେଇ କେତେ ଚର୍ଚ୍ଚା ବା ଆଲୋଚନା କଲେ କ’ଣ ଆମେ ଏକ ‘ଶ୍ରେଷ୍ଠ ଭାରତ’ର ନିର୍ମାଣ କରିପାରିବା?

                କେବଳ କେନ୍ଦ୍ର ସରକାର କାହିଁକି ଆମ ରାଜ୍ୟ ସରକାର ବି ସଂସ୍କୃତି ସୁରକ୍ଷା ନାଁ’ରେ ମହୋତ୍ସବମାନ ଆୟୋଜନ କରି କୋଟି କୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଅଞ୍ଚଳ ସମେତ ସଂସ୍କୃତିର ପୁନଃରୁଦ୍ଧାର କରିବାପାଇଁ ରାଜ୍ୟବ୍ୟାପି ବିଭିନ୍ନ ନାଁ’ରେ ମହୋତ୍ସବମାନ ବର୍ଷସାରା ଆୟୋଜନ ହେଉଛି ।

ବଡ଼ ବଡ଼ ମଣ୍ଡପରେ ସମସ୍ତେ ଦେଖୁଥିବେ କଳାକାରମାନେ କେମିତି ବିଭିନ୍ନ ଲୋକକଳାକୁ ଅନୁକରଣ କରି ବେଶ ପୋଷାକ ହୋଇ ରଙ୍ଗୀନ ଆଲୁଅ ଆଗରେ ରସରକେଲି, ଘୁମର, ଝୁମୁରା, ଡ଼ାଲଖାଇ, ଗଣ୍ଡାବଜା…ଏମିତି ଅନେକ ରକମର ନୃତ୍ୟ, ଗୀତ, ବାଦ୍ୟ ପରିବେଷଣ କରି ସହରୀ ପରିବେଷକୁ ଉଷ୍ମ କରୁଛନ୍ତି ।

ମଣ୍ଡପ ଗୁଡ଼ିକରେ ଭିଡ଼ ଜମୁଛି ଏବଂ ଏହା ସହିତ ସହରୀଆଙ୍କ ବେପାର ବି ବଢ଼ୁଛି । ଲୋକକଳା ସଂସ୍କୃତିକୁ ବଞ୍ଚାଇ ରଖିବାପାଇଁ ଏମିତି ଯଦି ଭ୍ରମାତ୍ମକ ଉଦ୍ୟମ ଜାରୀରହେ ତେବେ ଅନେକ ଲୋକଙ୍କ ପକେଟ ପ୍ରତିବର୍ଷ ଉଷ୍ମ ହୋଇଚାଲିଥିବ କିନ୍ତୁ ଲୋକସଂସ୍କୃତି, ଲୋକକଳା, ଲୋକସଙ୍ଗୀତର ସୁରକ୍ଷା ବିଷୟ ଇତ୍ୟାଦି କେବଳ ଏକ ସ୍ୱପ୍ନ ଭିତରେ ଅବା ଅଭିଳାସ ହୋଇ ରହିଯିବ ।

                ଯେଉଁକଳା ସଂସ୍କୃତିକୁ ଲୋକେ ହଜାର ହଜାର ବର୍ଷ ଧରି ବିନା ପ୍ରୋତ୍ସାହନରେ ବଞ୍ଚାଇ ରଖିଛନ୍ତି ସେହି ସଂସ୍କୃତିର ସୁରକ୍ଷା ବା ବିକାଶ କେମିତି ହେବ ସେକଥା ସେହି ଅଞ୍ଚଳର ଲୋକେ କହିପାରିବେ ନାହିଁ ବୋଲି ସରକାର ଏବଂ ଆମେ ସମସ୍ତେ ଭାବୁଛନ୍ତି କାହିଁକି? ଲୋକକଳାକୁ ଲୋକଙ୍କ ନିକଟରୁ ଏବଂ ସେମାନଙ୍କ ସାଂସ୍କୃତିକ ପରିବେଶରୁ ଛଡ଼ାଇ ନେଇ ସହରବାସୀଙ୍କ ବଜାରର ଉସ୍ମତାପୂର୍ଣ୍ଣ ପରିବେଶକୁ ଆହୁରି ଉଷ୍ମ କରିବା ସଂସ୍କୃତି ସୁରକ୍ଷା ନାଁ’ରେ ବିନାଶର ରାସ୍ତା ନୁହେଁ କି?

ମହୋତ୍ସବ କଲେ ପ୍ରକୃତରେ କ’ଣ ଲୋକକଳାର ସୁରକ୍ଷା ହୋଇପାରିବ? ଯଦି ପ୍ରକୃତରେ ମହୋତ୍ସବର ଲୋକକଳା ସୁରକ୍ଷା ସହିତ ସମ୍ପର୍କ ରହିଛି ତେବେ ଏହି ସମ୍ପର୍କରେ ନୀରପେକ୍ଷ ଗବେଷଣା କରାଯାଉ, ଏତେବର୍ଷ ଧରି ଚାଲିଥିବା ମହୋତ୍ସବ କେଉଁଭଳି ସହଯୋଗ କରିଛି ଲୋକକଳାକୁ ସୁରକ୍ଷା କରିବାପାଇଁ!

                ଲୋକଙ୍କ ସହିତ ଯୋଡ଼ି ହୋଇଥିବା ସଂସ୍କୃତି ଓ ପ୍ରାକୃତିକ ପରିବେଶର ଏବେ କ’ଣ ଅବସ୍ଥା? ଲୋକଙ୍କୁ ସେମାନଙ୍କର ସାଂସ୍କୃତିକ ପରିବେଶରୁ ଉଦବାସ୍ତୁ କରିବାପାଇଁ ସମଗ୍ର ଦେଶରେ ସରକାରମାନେ ଯଥା ସମ୍ଭବ ପ୍ରୟାସ ଜାରୀ ରଖିଛନ୍ତି । ଆଧୁନିକ ବିକାଶ ପ୍ରକ୍ରିୟାର ଦ୍ୱାହୀଦେଇ ଆଦିବାସୀ ଓ ଜନଜାତିଙ୍କର ଜମି ଓ ଜଙ୍ଗଲକୁ ଦଖଲ କରିବା ଏବଂ ସେମାନଙ୍କ ସାସ୍କୃତିକ ପରିବେଶଟିକୁ ଧ୍ୱଂସ କରାଯାଇ ଆସିଛି ।

                ଆଗରୁ ଆମେ ଲୋୟର ଇନ୍ଦ୍ର ଅଞ୍ଚଳର ବିସ୍ଥାପିତ କଳାକାର ‘ଧନୁହଂସ’ଙ୍କ ସମ୍ପର୍କରେ ଉଲ୍ଲେଖ କରିଛୁ । ସେଠିକାର ଲୋକେ ବର୍ଷ ବର୍ଷ ଧରି ସରକାରଙ୍କୁ ଗୁହାରି କରିଛନ୍ତି, ଯେମିତି; ଧନୁହଂସ ହାତଯୋଡ଼ି ସରକାରଙ୍କୁ ବିନତି କରିଛନ୍ତି, ‘ହେ ସରକାର ତମେ ଯେତେ ସାର୍ଟିଫିକେଟ୍, ଫଳକ, ସମ୍ମାନ ଦେଇଥିଲ ସବୁ ନେଇଯାଅ ହେଲେ ମୋତେ ରହିବାପାଇଁ ଯାଗା ଟିକିଏ ଦିଅ’(www.samadhwani.com ରେ ସ୍ଥାନୀତ ଉମେଶ ବିଶ୍ୱାଳଙ୍କ ଧନୁହଂସର ଜୀବନ ସଙ୍ଗୀତ ଭିଡ଼ିଓ ଦେଖନ୍ତୁ) । ଚିନ୍ତା କରନ୍ତୁ ତ ସଂସ୍କୃତିର କେଉଁଭଳି ବିକଳ ଅବସ୍ଥା? ଏ ହେଉଛି ଲୋକକଳାର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଜଣେ କଳାକାରଙ୍କର କୋହଭରା ଅନୁରୋଧ । ଏବେ ଲୋୟର ଇନ୍ଦ୍ର ଅଞ୍ଚଳର ଅତି ପୁରୁଣା ସଭ୍ୟତାର ଓ ସଂସ୍କୃତିର ଧ୍ୱଂସାବଶେଷକୁ କେଉଁସବୁ ଲୋକମହୋତ୍ସବ କରି ସୁରକ୍ଷିତ କରି ରଖିହେବ?

                ଯେଉଁଠି ଲୋକଙ୍କ ଜୀବନ ହା ହା କାର ସେଠି ଲୋକକଳାର ସୁରକ୍ଷାପାଇଁ  ମହୋତ୍ସବ ପରେ ମହୋତ୍ସବର ଆୟୋଜନ: ଲୋକେ ବଂଚିଲେ ସିନା ଲୋକକଳା ସଂସ୍କୃତି ବଂଚିବ!! ଆମେ ଲୋକଙ୍କୁ ଛାଡ଼ି ଲୋକଙ୍କ ସଂସ୍କୃତି ନାଁ’ରେ ଯେଉଁ ପ୍ରହସନ ଚଲାଇଆସିଛନ୍ତି ତାକୁ ଅନ୍ତତଃ କିଛିସମୟ ସ୍ଥଗିତ ରଖି ଚାଲନ୍ତୁ ଲୋକଙ୍କୁ ଯାଇ ପଚାରିବା କ’ଣ କଲେ ସେମାନଙ୍କ ସଂସ୍କୃତି ବଂଚିରହିବ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.