ନୂଆ କଥାଟିଏ କୁହ!

Swayamprava Parhi (Chief Editor)
5 Min Read

ସ୍ୱାଧିନତା ଆନ୍ଦୋଳନ ସମୟରେ ଫିରିଙ୍ଗୀ ଶାସନକୁ ତ୍ୟାଗ କରି ଏକ ନୂଆ ସମାଜ, ନୂଆ ସରକାର ଗଢ଼ିବାପାଇଁ ଭାରତବାସୀ ଶପଥ ନେଇଥିଲେ। ଦେଶ ସ୍ୱାଧିନ ହେଲା, ନୂଆ ସମ୍ବିଧାନ ପ୍ରଣୟନ ହେଲା, ନୂଆଭଳି ମନେହେଉଥିବା ଆଇନ୍ କାନୁନ୍ ଦେଶରେ ଲାଗୁ ହେଲା। ଲୋକେ ଏସବୁକୁ ନୂଆ ଆଶା ଓ ଉଦ୍ଦୀପନାର ସହିତ ସ୍ୱାଗତ କରିଥିଲେ। ସେତେବେଳେ ଓଡ଼ିଶା ମାଟିରୁ ଅନେକ ସ୍ୱାଗତ ସଙ୍ଗୀତ ସୃଷ୍ଟି ହୋଇଥିଲା ସେଥିରୁ ଗୋଟିଏ ଥିଲା;

‘ଅଗଣିତ ସହୀଦଙ୍କ ସାଧନାର ମନ୍ଦିର,

                ସ୍ୱାଗତମ୍ ସ୍ୱାଗତମ୍ ହେ ଅଗଷ୍ଟ ପନ୍ଦର…” ।

କିନ୍ତୁ ଫିରିଙ୍ଗୀ ଶାସନର ସ୍ୱେଚ୍ଛାଚାରୀତାରୁ, ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଓ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ କବି ବାଞ୍ଛାନିଧି ମହାନ୍ତି ଲେଖିଲେ-

Samadhwani Support us

“କି ହେବ ଏ ସ୍ୱରାଜ୍ୟ ଘେନି

ଯେବେ ମୋର ନ ପୁରେ ପେଟ…

ଖଟି ଖଟି ଆମେ ମଲୁଣି ମୂଲିଆ

ଚାଷ ଚଷୀ ଦାନା କନା ନିଅଣ୍ଟ… ।

ବସ୍ ପଛେ ଲାଟ୍ ଆସନେ…

ମନ୍ତ୍ରୀହୁଅ ନୂଆ ଶାସନେ…

ଚାଷ ଯେ ତିମିରେ ଚାଷୀ ସେ ତିମିରେ

(ତାର) ସୁଖ ସଙ୍ଗେ କେବେ ହେବକି ଭେଟ…

କି ହେବ ଏ ସ୍ୱରାଜ୍ୟ ଘେନି…” ।

ଗୋରା ସରକାରଙ୍କ ଶାସନରେ ଦେଶବାସୀ ଅତିଷ୍ଟ, ଏମିତି ଏକ ସମୟରେ କବି ଯେଉଁ ନୂଆ ଚିନ୍ତାଟି କରୁଛନ୍ତି ତାକୁ ଲୋକେ ସ୍ୱାଗତ କରିଛନ୍ତି। ବର୍ତ୍ତମାନର ସମୟରେ ସେହି ଗୀତ ଗୁଡ଼ିକର ପ୍ରାସଙ୍ଗିକତାକୁ ଯଦି ସମୀକ୍ଷା କରାଯାଏ ତେବେ ଏବେବି ଏହା ନୂଆକୁ ଆବାହନ କରିବାପାଇଁ ପ୍ରେରଣା ଦେଉଛି । କିନ୍ତୁ କିଭଳି ‘ନୂଆ’ ତା’ର ଏଯାଏଁ ସଂଜ୍ଞା ନିରୂପଣ ହୋଇପାରିନାହିଁ ।

କାରଣ ଦେଶ ସ୍ୱାଧୀନ ହୋଇଛି ସତ କିନ୍ତୁ ଅତି ସାଧାରଣ ମଣିଷପାଇଁ ଏହାର କିଛି ସୁଫଳ ମିଳିପାରି ନାହିଁ । ଯେଉଁ ତିମିର ଭିତରେ ସେ ଫିରିଙ୍ଗୀ ଶାସନରେ ଥିଲା ଆଜିବି ସେହି ତିମିର ଭିତରେ ରହିଛି । ବରଂ ସେତେବେଳେ ପ୍ରତିବାଦ ଓ ପ୍ରତିରୋଧ କରିବାପାଇଁ ଓ ନୂଆ କିଛି କରିବାପାଇଁ ଯେଉଁ ପରିବେଶଟି ଥିଲା ଏବେ ସେଇ ରାସ୍ତାଟି ଅତି ଜଟିଳ ହୋଇଯାଇଛି।

ଚାରିଆଡ଼େ ପୁରୁଣାକୁ ଜାବୁଡ଼ି ଧରିବାର ମାନସିକତା କେତେବେଳେ ଧର୍ମ ନାଁ’ରେ ତ କେତେବେଳେ ଜାତି ନାଁ’ରେ, କେତେବେଳେ ଗୋଷ୍ଠୀ ନାଁରେ ତ କେତେବେଳେ ଆଞ୍ଚଳିକତା ନାଁ’ରେ । ସାମୂହିକ କ୍ଷେତ୍ରଟିରେ ପୁରୁଣାକୁ ଜାବୁଡ଼ି ଧରୁଥିବା ମଣିଷ ନିଜପାଇଁ କିନ୍ତୁ ସବୁ ନୂଆ ଚାହେଁ । ଯେମିତି ସାମୂହିକ ଉନ୍ନତି ଓ ସ୍ୱାର୍ଥପାଇଁ କିଛି କରିବା, ନୂଆ ଭାବରେ ଦେଶରେ ସମସ୍ତଙ୍କ ହିତପାଇଁ ଆଇନ୍ ତିଆରି କରିବା ବା ବ୍ୟକ୍ତିଗତ ସ୍ୱାର୍ଥର ଉଦ୍ଧ୍ୱର୍କୁ ଯାଇ ସମୂହର ସ୍ୱାର୍ଥପାଇଁ ଏକ ବିଶ୍ୱର ନିର୍ମାଣ କରିବା ପାଇଁ ଯେଉଁ ମାନସିକ ପ୍ରସ୍ତୁତି ଦରକାର ତାହାର ଅଭାବ ଦେଖାଯାଉଛି । ଅନ୍ୟ ପକ୍ଷରେ ସୁଖ ସ୍ୱାଚ୍ଛନ୍ଦରେ ନିଜେ ନିଜ ପରିବାର ଲୋକେ ବଞ୍ଚିବାପାଇଁ ସମୂହକୁ ବିନାଶ କରିବାର ମାନସିକତା ଆଜି ଅଧିକ ବିପଦ ସୃଷ୍ଟି କରିଛି।

କେତେବେଳେ ପୁରୁଣାକୁ ନେଇ ଦ୍ୱନ୍ଦ ତ କେତେବେଳେ ସ୍ୱାର୍ଥକୁ ନେଇ ଦ୍ୱନ୍ଦ । ହିଂସା, ଯୁଦ୍ଧ, ଲୁହ ଲହୁର ତାଣ୍ଡବ ଚାଲିଛି ଯୁଗ ଯୁଗ ଧରି । ଘୃଣା, ଅତ୍ୟାଚାର, ଆକ୍ରମଣ, ପ୍ରତିଆକ୍ରମଣ ଲାଗିରହିଛି ସମଗ୍ର ବିଶ୍ୱରେ ଯାହାର ଅନ୍ତ ନାହିଁ । ଏହି ଦ୍ୱନ୍ଦର ଅନ୍ତଃ କରି ଏକ ନୂତନ ବିଶ୍ୱର କଳ୍ପନା ଅବଶ୍ୟମ୍ଭାବୀ ହୋଇପଡ଼ିଛି । ଏକ ମୈତ୍ରୀ ଓ ସମତାପୂର୍ଣ୍ଣ ବିଶ୍ୱ ଯେଉଁଠି ଘୃଣା ନୁହେ,ଁ ପ୍ରେମ ମଣିଷ ଜୀବନର ନୀୟାମକ ହୋଇଥିବ । ଏହି ନୂଆ ଚିନ୍ତାଟି ଆପଣେଇବା ବେଳେ ପୁରୁଣା ଭିତରେ ଥିବା ଅତି ସୁନ୍ଦର କଥା ଗୁଡ଼ିକୁ ନିରିଖେଇ ସାଉଁଟି ନେବାକୁ ହେବ।

ଯେଉଁସବୁ ପୁରୁଣାକୁ ନୂଆ ଭାବରେ ପ୍ରତିଷ୍ଠିତ କରିହେବ ଓ ନୂଆ ତର୍କରେ ପ୍ରତିପାଦିତ କରିହେବ ସେସବୁକୁ ସ୍ୱାଗତ କରିବାକୁ ହେବ । ଏକ ସମାନତା ପୂର୍ଣ୍ଣ ଓ ମୈତ୍ରୀପୂର୍ଣ୍ଣ ଜୀବନ ଯେଉଁଠି କେବଳ ଭଲପାଇବା, ଏକାଠି ସମସ୍ତେ ଭଲରେ ରହିବା, ପଶୁପକ୍ଷୀ, ଜୀବଜନ୍ତୁ ସମସ୍ତେ ମିଳିମିଶି ବଞ୍ଚିବାର ବାଟ କାଢ଼ି ହେବ । ଯେଉଁ ବିଶ୍ୱରେ ସ୍ୱାର୍ଥପର ହୋଇ ମଣିଷ ଜାତି, ଧର୍ମ ଓ ଆଞ୍ଚଳିକ ବିଭେଦ ସୃଷ୍ଟିକରି ହତ୍ୟା କରୁନଥିବ, ଯେଉଁଠି ଭୌଗଳିକ ସୀମାରେଖା ମଣିଷକୁ ଭଲପାଇବାରେ ପ୍ରତିବନ୍ଧକ ହେଉନଥିବ, ଯେଉଁଠି ମୋର ମୋର ବୋଲି କିଛି ନଥିବ ସବୁକିଛି ସମସ୍ତଙ୍କ ପାଇଁ ଓ ସମସ୍ତଙ୍କର ହୋଇଥିବ, ସେହିଭଳି ଏକ ବିଶ୍ୱର କାମନା ସମସ୍ତେ ଯଦି କରିବେ ତେବେ ସମସ୍ତେ ଏକାଠି ଭଲରେ ବଞ୍ଚିପାରିବେ । ଏମିତି ଏକ ବିଶ୍ୱର କଳ୍ପନା କଲାବେଳେ ମନେପଡ଼େ କବି ମନମୋହନ ମିଶ୍ରଙ୍କର ଏକ ଗୀତ;- (“ନବିନ ବିଶ୍ୱ”- ୧ମ ବର୍ଷ-୧ମ ସଂଖ୍ୟା,  ଜାନୁଆରୀ – ୧୯୪୨)

“ବର୍ଷ ଯାଏ ବର୍ଷ ଆସେ…

ମହାକାଳର ଆଖିର, ମାତ୍ର ପଲକ

ଆଖି ବୁଜେ, ଯାଏ…ଆଖି ଖୋଲେ, ଆସେ…

ପୁଣି ଆଉ ବର୍ଷେ… ତେବେ; ବିସ୍ତିର୍ଣ୍ଣ ନିଃସ୍ୱର…

କ୍ରୁର ପଟୁଆର ଚାଲିଛି, ଚାଲିବ

ନବିନ ବିଶ୍ୱର ଦୃପ୍ତ ଆଗୁସାର, ଆସୁଛି ଆସିବ… ।

ସେ ଆଜି ହାହାକାରୀ ନିଃସ୍ୱ

କିନ୍ତୁ ସେମାନେ ଆସୁଛନ୍ତି

ସେମାନଙ୍କର ଅଭିଷେକ ହିଁ

ନବିନ ବିଶ୍ୱ, ତାର ଆରମ୍ଭ ଓ…ତାର ଧାରାର ସନ୍ଦେଶ ।”

କବି ମନମୋହନ ମିଶ୍ର ଏହି ନବିନ ବିଶ୍ୱର କଳ୍ପନା କଲାବେଳେ ଓଡ଼ିଶାର ନୂଆ ବେଶ କଥା ଚିନ୍ତାକରି ଲେଖିଛନ୍ତି;-

“ଗୋନାସିକା ଦେଓମାଳି ମିଳନରୁ ଏହି ଦେଶ

ସୁନାର ଫସଲ ଥାଳି ଧରି ହେବ ନୂଆ ବେଶ

ଜୀବନର ଜୁଆଖେଳ ମରଣର ବିଭିଷିକା

ପାଦେ ଦଳିଦେବୁ ତୁହି ଆଗୋ ରାଣୀ ଗୋନାସିକା” ।

ସେହିଭଳି ଆମ ସମୟର ଗୀତିକାର ସୁଧୀର ପଟ୍ଟନାୟକଙ୍କ ଦ୍ୱାରା ରଚୀତ ଗୀତଟିଏ ସମାନ ଭାବେ ପ୍ରାସଙ୍ଗୀକ ଲାଗୁଛି ଯାହା ନୂତନତାକୁ ଆହ୍ୱାନ ଜଣାଉଛି ।

ଏ ଗୋନାସିକାରୁ ବହିଯାଉ ସାଥି

                ଆଉ ଏକ ବୈତରଣୀ

ଜ୍ଞାନର ଧାରାରେ ଧୋଇ ଦେଇଯାଉ

                ଉକ୍ରଳର ଧରଣୀ…

ଏମାଟିରେ ହେଉ କଲମର ଝଡ଼

                ଜନମନ୍ତୁ ବେଦବ୍ୟାସ

ନିଜ କଲମରେ ନିଜେ ସେ ଲେଖନ୍ତୁ

                ନୂଆ ଏକ ଇତିହାସ… ।

ନୂଆ ବିଶ୍ୱର ନୂଆ ଏକ ଇତିହାସ ଲେଖିବାପାଇଁ ପ୍ରତ୍ୟେକ ମଣିଷ ଏବେ ସଜାଗ ରୁହନ୍ତୁ, ନିଜକୁ ପ୍ରସ୍ତୁତ କରନ୍ତୁ । ସବୁବେଳେ ସବୁଠି ପଚାରନ୍ତୁ ନୂଆ କଥାଟିଏ କୁହ! ଯେଉଁ କଥାଟିରେ ସମସ୍ତଙ୍କୁ ଭଲପାଇବା ଭରିହୋଇଥିବ, ଅନ୍ୟାୟକୁ ପ୍ରତିବାଦ କରି ନ୍ୟାୟକୁ ପ୍ରତିଷ୍ଠା କରିବାର ଆଶା ଓ ଭରସା ଥିବ, ସମସ୍ତ ସଂକୀର୍ଣ୍ଣ ଅସ୍ମିତାକୁ ସମାଧି ଦେଇ ଏକ ସମ୍ବେଦନଶୀଳ, ସହନଶୀଳ, ସ୍ନେହବତ୍ସଳ ମଣିଷର ଅସ୍ମିତାକୁ ପ୍ରତିଷ୍ଠା କରିବାପାଇଁ ସ୍ୱପ୍ନ ଓ ସଙ୍କଳ୍ପ ଥିବ ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.