ଓଡ଼ିଶାର ଲୋକମାନେ ପ୍ରାୟତଃ ଖାଦ୍ୟପ୍ରିୟ। ବିଭିନ୍ନ କିସମର ଖାଦ୍ୟ ପ୍ରସ୍ତୁତି କରି ଖାଇବା ସେମାନଙ୍କର ଏକ ଅଭ୍ୟାସଗତ ପ୍ରବୃତ୍ତି। ପ୍ରତିଦିନର ଖାଦ୍ୟ ରାନ୍ଧିବା ଅଲଗା ଅଲଗା ପ୍ରକାରର ହୋଇଥାଏ। ରନ୍ଧା ହେଉଥିବା ଖାଦ୍ୟର ପ୍ରକାରଭେଦ ସାଧାରଣତଃ ଋତୁ ଉପରେ ପର୍ଯ୍ୟବେସିତ। ଯେମିତିକି ଗ୍ରୀଷ୍ମ ବେଳେ ପଖାଳ ଖାଇବା ସମସ୍ତଙ୍କୁ ଭଲ ଲାଗେ ଓ ଏହା ଏକ ରକମର ଅଭ୍ୟାସରେ ପରିଣତ ହୋଇଯାଏ। ପଖାଳ ସାଙ୍ଗକୁ ସୁହାଇଲା ଭଳି ବିଭିନ୍ନ ରକମର ତରକାରୀ, ଭଜା, ଚଟଣୀ ଇତ୍ୟାଦି ପ୍ରସ୍ତୁତ କରାଯାଏ । କହିବାକୁ ଗଲେ ଏହା ଏକ ରକମର କଳା। ସାଧାରଣ, ସହଜଲବ୍ଧ ଓ ଋତୁଭିତ୍ତିକ ପନିପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ତିଆରି ହୁଏ। ଖାଦ୍ୟକୁ ରୁଚିକର କରିବା ପାଇଁ ବିଭିନ୍ନ ବ୍ୟଞ୍ଜନର ଆବଶ୍ୟକତା ରହିଛି । କେବଳ ଯେ ଦୈନନ୍ଦିନ ଜୀବନରେ ନୁହେଁ, ଏହାର ପ୍ରତିଫଳନ ଦେଖାଯାଏ ଭୋଜିମାନଙ୍କରେ। ନିତ୍ୟ ବ୍ୟବହାର୍ଯ୍ୟ ବ୍ୟଞ୍ଜନ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଡାଲି, ଡାଲମା, ଗୋଟା ମୁଗ ଡାଲି ଇତ୍ୟାଦି ପ୍ରମୁଖ ଭୂମିକା ନେଇଥିବା ବେଳେ ଖଟାମିଠା ଦିଆ କୋଳଥ ଡାଲି, ଦେଶୀ କାନ୍ଦୁଲ ଡାଲି ଓ ଗଞ୍ଜାମର ଖେସେରି ଡାଲିର ସ୍ୱାଦ ନିହାତି ନ୍ୟାରା। ଗଞ୍ଜାମର ଗାଁ ଗହଳିରେ ଓ ପ୍ରାୟ ପ୍ରତ୍ୟେକ ଘରେ ଡାଲି ଏକ ଦୈନନ୍ଦିନ ବ୍ୟଞ୍ଜନ। ଡାଲି ମଧ୍ୟରେ ମୁଗ, କାନ୍ଦୁଲ ଓ ଖେସେରି ଡାଲିର ପ୍ରଚଳନ ବହୁତ ବେଶୀ।
ଗଞ୍ଜାମରେ କିନ୍ତୁ କୋଳଥ ଡାଲିର ପ୍ରଚଳନ ଆପାତତଃ କମ୍। ଏହି ଦୁଇ ତିନି ଦଶନ୍ଧି ମଧ୍ୟରେ ଖେସେରି ଡାଲି ଚାଷ ପ୍ରାୟ କରାଯାଉ ନାହିଁ, କାରଣ ସରକାରଙ୍କ ନିର୍ଦ୍ଦେଶନାମା ଆସିଲା ଯେ ଖେସେରି ଡାଲି ଖାଇଲେ କାଳେ ପକ୍ଷାଘାତ ରୋଗ ହୁଏ। କିନ୍ତୁ ଆଜିଯାଏଁ ଗାଁ ଗହଳିରେ ଲୋକମାନେ ପ୍ରାୟ ଖେସେରି ଡାଲି ହିଁ ଖାଉଥିଲେ। ଡାଲି ପରେ ଦ୍ୱିତୀୟ ବ୍ୟଞ୍ଜନ ଯାହା ଗାଁ ଓ ସହର ସବୁ ଘରେ ଆଦୃତ, ସେ ହେଲା ଆମ୍ବିଳ। ଗଞ୍ଜାମରେ ଆମ୍ବିଳର ପ୍ରଚଳନ ବହୁତ ଅଧିକ। ସମସ୍ତ ପ୍ରକାର ପନିପରିବା ଓ ସବୁ ଋତୁରେ ଚାଷ କରାଯାଉଥିବା ପରିବାରୁ ଆମ୍ବିଳ ପ୍ରସ୍ତୁତ ହୁଏ। ତେନ୍ତୁଳି ରସ, ଗୁଡ଼ ଓ ପରିବା ଦେଇ ଆମ୍ବିଳ ପ୍ରସ୍ତୁତ କରାଯାଏ। ବିଭିନ୍ନ ପ୍ରକାରର ମଧୁର ଓ ଲୁଣି ମାଛରୁ ମଧ୍ୟ ସୁସ୍ୱାଦୁ ଆମ୍ବିଳ ପ୍ରସ୍ତୁତ ହୁଏ । ଗାଁ ମାନଙ୍କରେ ବିଶେଷ କରି ନିମ୍ନ ମଧ୍ୟବିତ୍ତ ଚାଷୀ ପରିବାର ମାନଙ୍କରେ ଏହା ବହୁତ ଲୋକପ୍ରିୟ। ଡାଲିର ବିକଳ୍ପ ଭାବେ ଆମ୍ବିଳ ବନାଯାଏ। ସେହିପରି ମନ୍ଦିରମାନଙ୍କର ଭୋଗରେ ମୁଖ୍ୟ ବ୍ୟଞ୍ଜନ ଡାଲି ଓ ଆମ୍ବିଳ । ତରକାରୀ ନହେଲେ ଚଳିବ, କିନ୍ତୁ ଆମ୍ବିଳ ହେବ। ଏହାର ଅନ୍ୟ ଏକ କାରଣ ହେଲା ଗାଁମାନଙ୍କର ଚାଷୀମାନେ ପର୍ଯ୍ୟାପ୍ତ ଆଖୁ ଚାଷ କରୁଥିଲେ ଓ ଗୁଡ଼ ତିଆରି ହେଉଥିଲା। ଗାଁ ମାନଙ୍କରେ ତେନ୍ତୁଳିର ଅଭାବ ନାହିଁ। ତେନ୍ତୁଳି ଗଛକୁ ଲୋକମାନେ ସାଧାରଣ ଭାବରେ କାଟନ୍ତି ନାହିଁ । ତେଣୁ କୌଣସି ମତେ ଗୁଡ଼ ଓ ତେନ୍ତୁଳିର ଅଭାବ ନଥାଏ। ଋତୁଭିତ୍ତିକ ପରିବାରୁ ଆମ୍ବିଳ ବନାଯାଏ। ଯେମିତି କି ଖରାମାସରେ ଆମ୍ବିଳର ମୁଖ୍ୟ ପରିବା ଭିତରେ: ଚଲଣା, ପାଣି କାକୁଡ଼ି, ଛଚିନ୍ଦ୍ରା ବା ବାଡ଼ି ପୋଟଳ, କଞ୍ଚା ପଣସ ଇତ୍ୟାଦି ଏହା ବ୍ୟତୀତ ପାଚିଲା ପଣସ ମଞ୍ଜି, ଝୁଡ଼ଙ୍ଗ ମଞ୍ଜି, ବଡ଼ କାନ୍ଦୁଲ ମଞ୍ଜି ଓ ସିମ୍ବ ମଞ୍ଜି ଲୋକେ ସାଇତି ରଖି ଆମ୍ବିଳ ପ୍ରସ୍ତୁତ କରନ୍ତି । ଏହାଛଡ଼ା ଘରମାନଙ୍କରେ ପାଣି ଆମ୍ବିଳର ପ୍ରସ୍ତୁତି ହେଉଥିଲା। ତେନ୍ତୁଳି ରସରେ ଅଳ୍ପ ପରିବା ସହ ଝୁଡ଼ଙ୍ଗ, କାନ୍ଦୁଲ ମଞ୍ଜି ବା ସିମ୍ବ ମଞ୍ଜି ଦେଇ, ଅଳ୍ପ ମିଠା ଦେଇ ପାଣି ଆମ୍ବିଳ ପ୍ରସ୍ତୁତ ହୁଏ। ଏଥିରେ ପାଣି ଅଂଶ ଅଧିକ ଥାଏ । ଡାଲିର ବିକଳ୍ପ ଭାବେ ଭାତରେ ଗୋଳାଇ ଖାଇବା ପାଇଁ ପାଣି ଆମ୍ବିଳ କରନ୍ତି ।
ବେଳେବେଳେ ବିଭିନ୍ନ ପରିବା ନ ମିଶାଇ କେବଳ ଗୋଟିଏ ପରିବା ଦେଇ ମଧ୍ୟ ଆମ୍ବିଳ କରାଯାଏ, ଯେମିତି କି ଭେଣ୍ଡି ଆମ୍ବିଳ ଓ କଲରା ଆମ୍ବିଳ। ତେଲୁଗୁ ସମ୍ପ୍ରଦାୟରେ ଆମ୍ବିଳକୁ ‘ପୁଲୁସୁ’ କହନ୍ତି। ସମୁଦ୍ର କୂଳିଆ ଗାଁ ମାନଙ୍କରେ ମୁଖ୍ୟତଃ ଲୁଣି ମାଛ ଆମ୍ବିଳ ପ୍ରସ୍ତୁତ କରନ୍ତି, କାରଣ ମାଛ ଆମ୍ବିଳ ଦିନେ ଦୁଇଦିନ ପର୍ଯ୍ୟନ୍ତ ଖରାପ ନ ହୋଇ ରହୁଥିଲା । ଏହି ଅଞ୍ଚଳର ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଭାତ ଓ ମାଛ ଆମ୍ବିଳ। ବିଭିନ୍ନ ପ୍ରକାର ଲୁଣି ମାଛ ଯଥା- କାବଲା, କାନଗୁରୁତା, ଖଣ୍ଡବାଳିଆ, ଖଇଙ୍ଗା ଓ ଚାନ୍ଦି ଇତ୍ୟାଦି ମାଛର ଆମ୍ବିଳ ବହୁତ ସୁସ୍ୱାଦୁ।
ଚିଲିକାର ବଡ଼ ଚିଙ୍ଗୁଡ଼ି ଓ କଙ୍କଡ଼ା ଆମ୍ବିଳ ଆଜିକାଲି ଦୁର୍ଲଭ। ବଡ଼ କଙ୍କଡ଼ାର ଗୋଡ଼ ଓ ଖଣ୍ଡକୁ ଗୁଡ଼, ତେନ୍ତୁଳି ଓ ଫୁଟଣ ଦେଇ ଆମ୍ବିଳ ବନାଯାଏ। ଏଥିରେ ପାଣି ଅଂଶ କମ୍ ଥାଏ। ଚିଲିକାର ଖଇଙ୍ଗା ମାଛ ଆମ୍ବିଳ ଏବେ ବି ପିଲାଦିନ କଥା ମନେ ପକାଇଦିଏ । ଘରକୁ କୁୁଣିଆ ଆସିଲେ କଙ୍କଡ଼ା, ଚିଙ୍ଗୁଡ଼ି ବା ଖଇଙ୍ଗା ମାଛ ଆମ୍ବିଳ ପ୍ରସ୍ତୁତ କରି ପରସା ଯାଉଥିଲା । ମଧୁର ମାଛରେ ମଧ୍ୟ ଶେଉଳ ଓ ବାଳିଆ ମାଛ ଆମ୍ବିଳ ଅତି ସୁସ୍ୱାଦୁ। ମାଛ ଗୀତରେ ଗାଉଥିଲେ-
“ଶେଉଳ ମାଛ ଥାଇ ବୋଲଇ
ମୋ ମୁଣ୍ଡଟା ମୋଜା
ସେଥିକି ମଦନ ଗଡ଼ି ପଡ଼ୁଥାଏ
ଗୁଡ଼ ତେନ୍ତୁଳିର ମଜା। ”
ଖରା ମାସରେ ଗାଁ ମାନଙ୍କରେ ପୋଖରୀ ମାନଙ୍କରୁ ଶେଉଳ, ବାଳିଆ ଇତ୍ୟାଦି ମାଛ ଧରାହୁଏ। ଘର ମାନଙ୍କରେ ମାଛର ଅନ୍ୟାନ୍ୟ ତରକାରୀ ବା ଭଜା ସହିତ, ଆମ୍ବିଳ ବି ବନାଯାଏ। ଏହି ଆମ୍ବିଳକୁ ଦୁଇ ତିନି ଦିନ ଯାଏଁ ରଖି ଖିଆ ଯାଉଥିଲା। ସେତେବେଳେ ଘର ମାନଙ୍କରେ ରେଫ୍ରିଜେରେଟର୍ ର ପ୍ରଚଳନ ବିଲକୁଲ ନଥିଲା, ତଥାପି ଏ ମାଛ, ଆମ୍ବିଳ କୌଣସି ପ୍ରକାରେ ଖରାପ ହେଉନଥିଲା। କାରଣ ଥିଲା ଏଠାରେ ତେନ୍ତୁଳି ରସ ଓ ଗୁଡ଼ ଉଭୟେ ସଂରକ୍ଷକ (ଚକ୍ସରଗ୍ଦରକ୍ସଙ୍ଖବଗ୍ଧସଙ୍ଖର) ପରି କାମ କରନ୍ତି। ସେତେବେଳର ରାଜା ରାଜୁଡ଼ା ଘର ମାନଙ୍କରେ ମଧ୍ୟ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାର ଆମ୍ବିଳବନା ଯାଉଥିଲା। ମୋ ବୋଉର ମାମୁଁ ଶେରଶଡ଼ ରାଜାଘର ମୁଖ୍ୟ ରୋଷେୟା ଥିଲେ। ସେ ତାଙ୍କର ଅନୁଭୂତିରୁ କହନ୍ତି, ସେ ସମୟରେ ବନ୍ୟଜନ୍ତୁ ଯଥା ସମ୍ବର, ବାରହା, ଜିଆଦ, କୁଟୁରା ଶୀକାର କରାଯାଉଥିଲା, ଏବଂ ଏ ସବୁ ମାଂସର ସାକରା (ଗୁଡ଼, ତେନ୍ତୁଳି ଦେଇ) ପ୍ରସ୍ତୁତ ହେଉଥିଲା। ମୁଁ ପିଲାଦିନେ ଯେତେବେଳେ ଏହି ମାଂସ ଘରକୁ ଆସେ, ସେଥିରେ ପ୍ରସ୍ତୁତ ହେଉଥିବା ମାଂସ ସାକରା ଖୁବ ଆଗ୍ରହର ସହ ଖାଉଥିଲି। ମାଂସ ସାକରା ବି ବାହାରେ ପ୍ରାୟ ୫ଦିନ ପର୍ଯ୍ୟନ୍ତ ରହୁଥିଲା, କୌଣସି ମତେ ଖରାପ ନ ହୋଇ।
ଗଞ୍ଜାମର ସବୁଠି ଆମ୍ବିଳର ପ୍ରଚଳନ। ମନ୍ଦିରର ଭୋଗରେ ଆମ୍ବିଳ ନିଶ୍ଚୟ ହବ। ଆଜିକାଲିକା ଖଟାର ପ୍ରଚଳନ ନଥିଲା। କଞ୍ଚା ଆମ୍ବରୁ ପ୍ରସ୍ତୁତ ହେଉଥିଲା, ଆମ୍ବ ଆମ୍ବିଳ ବା ଗୁଡ଼ ଆମ୍ବ ଏବେ ବି ଘରେ ଏସବୁ ପ୍ରସ୍ତୁତ ହୁଏ। ମନ୍ଦିର ମାନଙ୍କରେ ବାଇଗଣ, ବୋଇତାଳୁ, ମୂଳା ନଡ଼ିଆକୋରା ବା ନଡ଼ିଆ ଖଣ୍ଡ ଓ ପାତି ପଡ଼ିଥିବ। ତାର ବାସ୍ନା ଓ ସ୍ୱାଦ ଭୁଲିବାର ନୁହେ। ଘରମାନଙ୍କରେ ଯେତେସବୁ ପର୍ବପର୍ବାଣୀରେ ଅନ୍ନଭୋଗ ହୁଏ, ସେଥିରେ ଆମ୍ବିଳ ନିଶ୍ଚୟ ରହିବ। ପର୍ବ ପର୍ବାଣୀର ଖେଚୁଡ଼ି ସାଙ୍ଗକୁ ଆମ୍ବିଳର ମେଳ ଅଦ୍ୱିତୀୟ। ଶୁଦ୍ଧି କ୍ରିୟା ସମୟରେ ହେଉ ବା ଶ୍ରାଦ୍ଧ ଦିନ ପିଣ୍ଡରେ ଝଟା (ଶିମ୍ବ)ମଞ୍ଜି ମିଶା ପରିବା ଆମ୍ବିଳ ନିଶ୍ଚୟ ପଡ଼ିବ। ଗୁରୁବାର ଲକ୍ଷ୍ମୀପୂଜାରେ ଆମ୍ବିଳ ନିଶ୍ଚିତ, ଲକ୍ଷ୍ମୀ ପୁରାଣରେ ଲେଖା ଅଛି… “ଆମ୍ବିଳ ଖାଇବ ଖଣ୍ଡ ସାକର ମିଶାଇ।”
ଭୋଜି ଭାତରେ ଆମ୍ବିଳର ସ୍ୱାଦ ସମ୍ପୂର୍ଣ୍ଣ ନିଆରା। ବିଭିନ୍ନ ପ୍ରକାରର ପରିବା ସାଙ୍ଗକୁ ନଡ଼ିଆ ଖଣ୍ଡ କି ପାତି ପକାଇ ଯେଉଁ ଆମ୍ବିଳ ତିଆରି ହୁଏ ତାହାର ସ୍ୱାଦ ଅବର୍ଣ୍ଣନୀୟ। ଯୋଖା (ମିଠା ଖେଚୁଡ଼ି) ସାଙ୍ଗକୁ ଆମ୍ବିଳର ମେଳ ଅତି ଅପୂର୍ବ।
ସାକରା:- ଆମ୍ବିଳର ଅନ୍ୟ ଏକ ସଂସ୍କରଣ ହେଲା ସାକରା। ମୋ ପିଲାଦିନରେ ଶୁଣିଛି ଲୋକେ କହନ୍ତି ସାକରା କାକରା ନ ଥିବା ଭୋଜି ଭଲ ଭୋଜିର ମାନ୍ୟତା ପାଇ ନ ପାରେ। ଏ ସାକରାଟି କ’ଣ? … ତେନ୍ତୁଲିର ମୋଟା ରସ ସହ ପ୍ରଚୁର ଗୁଡ଼ ଦେଇ ଗୋଟିଏ ବା ଦୁଇଟି ପ୍ରକାର ପରିବା ପଡ଼ି ବନାଯାଏ ସାକରା। ଏହି ସାକରା ପ୍ରାୟ ୧୫ଦିନ ପର୍ଯ୍ୟନ୍ତ ରହୁଥିଲା। ଭୋଜି ମାନଙ୍କରେ ବିଶେଷ କରି ଖରାଦିନ ଭୋଜିରେ ପାଚିଲା ପାଣି କଖାରୁ, ନଡ଼ିଆ, କଖାରୁ ବଡ଼ି ପଡ଼ି ସାକରା ପ୍ରସ୍ତୁତ ହୁଏ। ଏହା ଏତେ ମିଠା ହୋଇଥାଏ, ଦୁଇ ତିନି ଚାମଚରୁ ଅଧିକ ଖାଇ ହେବ ନାହିଁ। ବେଳେବେଳେ ଏଥିରେ ଅଳ୍ପ ମାଟିଆଳୁ ପଡ଼ିଥାଏ। ଏହା ଛଡ଼ା ପୂର୍ବ ବର୍ଣ୍ଣିତ ପ୍ରକାରେ ଚିଙ୍ଗୁଡ଼ି, କଙ୍କଡ଼ା ଓ ମାଂସ ସାକରା ମଧ୍ୟ ପ୍ରସ୍ତୁତ ହେଉଥିଲା। ପିଲାଦିନେ ଘରେ ନଡ଼ିଆ ସାକରା ବନା ଯାଉଥିଲା। ଭାରି ସୁସ୍ୱାଦୁ। ସେତେବେଳେ ଗାଁ ମାନଙ୍କରେ ପ୍ରଚୁର ଆଖୁ ଚାଷ ହେଉଥିଲା। ଆଖୁରୁ ଚାଷିମାନେ କେହ୍ଲୁଆଶାଳରେ ଗୁଡ଼ ପ୍ରସ୍ତୁତ କରୁଥିଲେ। ଘର ମାନଙ୍କରେ ପ୍ରଚୁର ଗୁଡ଼ ମହଜୁଦ ରହୁଥିଲା। ନଡ଼ିଆ, ଗୁଡ଼, ତେନ୍ତୁଳି ବି ସେମିତି ବର୍ଷ ବର୍ଷ ଧରି ସାଇତି ରଖୁଥିଲେ। ଗାଁ ଲୋକଙ୍କ ବିଶ୍ୱାସ ଥିଲା, ତେନ୍ତୁଳି ଯେତେ ପୁରୁଣା ହେବ ତାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ନୁହେଁ।
ପରବର୍ତ୍ତୀ ସମୟରେ ଆମ୍ବିଳ ଓ ସାକରା ପରି ସୁସ୍ୱାଦୁ ବ୍ୟଞ୍ଜନର ଲୋକପ୍ରିୟତା କମି କମି ଆସିଛି। ତାର ସ୍ଥାନ ନେଇଛି ଆଜିକାଲିକା ଖଟା। ସେ ଟମାଟ ଖଟା ଠାରୁ ଆରମ୍ଭ କରି ଆମ୍ବ ଓ ସପୁରୀ ପର୍ଯ୍ୟନ୍ତ ଲମ୍ବିଛି। ଏହାର କାରଣ ସୁସ୍ପଷ୍ଟ ଲୋକଙ୍କ ପାଖରେ ନା ଅଛି କେହ୍ଲୁଆଶାଳର ଗୁଡ଼, ନା ଅଛି ପର୍ଯ୍ୟାପ୍ତ ପୁରୁଣା ତେନ୍ତୁଳି. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାକରା ଓ ଆମ୍ବିଳ ବନେଇବାର ଜ୍ଞାନ କୌଶଳ, ଆମ ପରବର୍ତ୍ତୀ ପିଢି ପାଖରେ। ତେଣୁ ଚଳନ୍ତି ପିଢିରେ ଏସବୁ ବ୍ୟଞ୍ଜନ ଲୁପ୍ତପ୍ରାୟ। ସମୟର ସ୍ୱଳ୍ପତାର ଦ୍ୱାହି ଦେଇ ଏ ସବୁ ବ୍ୟଞ୍ଜନ ଦୁଷ୍ପ୍ରାପ୍ୟ ହେବାକୁ ବସିଛି। ୟାର ଭିତରେ ଆଉ ଏକ କଥା ରହିଛି। ତାହା ହେଉଛି ଆମର ଆଧୁନିକତା। ଏଣୁ ଆମ୍ବିଳ ଓ ସାକରା ପଦ ପ୍ରାୟ ବିଲୁପ୍ତ। କହିବାକୁ ଗଲେ, ଆମେ ଆମର ଖାଦ୍ୟ ସଂସ୍କୃତିର ଏକ ସଂବୃଦ୍ଧ ବ୍ୟଞ୍ଜନକୁ ହରାଇବାକୁ ବସିଛେ। ଆମର ପର ପିଢି ଏ ପ୍ରକାର ବ୍ୟଞ୍ଜନ ସଂକ୍ରାନ୍ତରେ ଅଜ୍ଞ ହୋଇ ରହିବେ।
