କେଉଟ ଧରେ ମାଛ ଖାଏ କଙ୍କଡ଼ା

A Poor Man's Meal, A Rich Man's Delicacy: The Strange Journey of the Crab

ନଟବର ଷଡ଼ଙ୍ଗୀ
176 Views
15 Min Read

Natabar Sadangi’s memoir revisits rural coastal Odisha seventy to eighty years ago, opening with a caste-coded saying: fisherfolk keep the fish, while crab and the small genda go to Dalit and other lower-caste communities, mocked as “kankadi” or “gendal.” Sadangi complicates this, recalling his fisherman grandfather regularly cooking crab at home, while his Brahmin grandmother and mother refused to touch it, guarding caste purity. Through memories of a barter economy, a boyhood fishing trip, and detailed crab recipes, the essay closes sharply: pesticide use has wiped out crab populations once dismissed as unfit for upper castes, now a costly five-star delicacy for all. – Editor

କେଉଟ ଧରେ ମାଛ ଖାଏ କଙ୍କଡ଼ା । ଅଛୁଆଁ ଜାତି ଧରିବେ ମାଛ ଖାଇବେ ଗେଣ୍ଡା । ଉଚ୍ଚବର୍ଗର ଲୋକମାନେ ଦଳିତ ମାନଙ୍କର ଖାଇବେ । ସେଇମାନଙ୍କୁ କଙ୍କଡ଼ି, ଗେଣ୍ଡାଳ କହିବେ । ଏପରି ତାଚ୍ଛଲ୍ୟ ନକଲେ ସେମାନେ କି ବ୍ରାହ୍ମଣ, କି ଛୁଆଁ ଜାତି ! ଗେଣ୍ଡା କଙ୍କଡ଼ା ମାଛର ଭାଇ ବିରାଦର । ମାଛ ଭଳି ପାଣିରେ ରୁହନ୍ତି । ସ୍ଥଳ ଭାଗରେ ମଧ୍ୟ ରହିପାରନ୍ତି । ବିଲ ବାଡ଼ି, ଓଦାଳିଆ ମାଟି,  ହିଡ଼ ଦାଢରେ ଗାତ କରି ଏମାନେ ରୁହନ୍ତି । ଅଣ୍ଡା ଦିଅନ୍ତି । ଛୁଆ ବଢ଼ାନ୍ତି । ଜମି ବାଡ଼ିରେ ତ ଆମେ ଏବେ ହୁଡ଼ା ଦେଉନାହୁଁ । ଆମ ପିଲା ବେଳେ ଆମେ ଧାନ ବିଲକୁ ଯାଉ ତ ବେଳେ ବେଳେ ଗେଣ୍ଡା ପାଦ କାଟିଦିଅନ୍ତି । କଙ୍କଡ଼ା ଉପରେ ଗୋଡ଼ ପଡ଼ିଗଲା ତ କାମୁଡ଼ି ଧରିବେ ଯେ ମାମୁଁଘର ଦେଖାଇ ଦେବେ। ଗେଣ୍ଡା କଙ୍କଡ଼ା ଚାଷୀଙ୍କ ବନ୍ଧୁ । ବିଲରେ ବୁଲି ପୋକ ଜୋକ ଖାଇଯାଆନ୍ତି । ମାଟିକୁ ଖୋଳିପକାନ୍ତି । ଗେଣ୍ଡା ଗଳା ମାଟି ଖୁବ ଉର୍ବର । ସେମାନେ ଜମିରେବି ମଳତ୍ୟାଗ କଲେ । ଜମି ଉର୍ବର ହେଲା । ମଣିଷ ପ୍ରକୃତିରୁ ଯାହା ଠାରୁ ଉପକାର ପାଏ ତାକୁ ଠାକୁର ଭାବେ ପୂଜା କରେ । ଜଗନ୍ନାଥଙ୍କର ଚିତାଲାଗି ଅମାବାସ୍ୟା । ନୂଆ ଧାନରୁ ଚାଉଳ ସଂଗ୍ରହ ହେବ । ଚାଉଳ ବାଟି ଚିତା ଦେବେ । ଭୋଦୁଅ ମାସ । ଗାଁ ମାନଙ୍କରେ ଚିତୋଊ ଅମାସିଆ ପର୍ବ । ସେ ଦିନ ଚିତୋଉ ପିଠା ହେବ । ଧାନ ଜମିରେ ପାଣି ଅଛି । ଗେଣ୍ଡା କଙ୍କଡ଼ାଙ୍କ ବଂଶ ବର୍ଷ ଦିନେ ବଢ଼ିଯାଏ । ଚିତୋଉ ପିଠା ପାଞ୍ଚ ଦଶଟି ବିଲରେ ପଡ଼ିବ । ଗେଣ୍ଡା କଙ୍କଡ଼ା ଖାଇବେ ।

କେଉଟ ମାଛ ଧରିଲା ବେଳେ ଜାଲରେ ମାଛ ପଡ଼ନ୍ତି ଗେଣ୍ଡା କଙ୍କଡ଼ା ବି ପଡ଼ନ୍ତି । କେଉଟ ମାନେ ବାଉରୀ ବାବରଙ୍କ ଠାରୁ ଟିକେ ସୁତୁରିଆ ଜାତି । ଗେଣ୍ଡା ଉପରେ ଆଖି ନଥାଏ । କାଳିଆ କଙ୍କଡ଼ା ମହତ୍ତ୍ଵ ଜାଣିଛନ୍ତି । କଙ୍କଡ଼ା ମାନଙ୍କୁ ଖାଳେଇରେ ପୁରାନ୍ତି । ମୁଁ ୭୦/୮୦ ବର୍ଷ ତଳ କଥା ଲେଖୁଛି । ସେତେବେଳେ ହାଟ ବଜାରରେ  ମାଛ ବିକ୍ରୀ ଟିକିରି ଚାଲି ନଥାଏ । କେଉଟ ଭାଇ ଖାଳେଇ ଅଣ୍ଟାରେ  ବାନ୍ଧିଥବ । ଭଉଁରୀ କନ୍ଧରେ ଧରିଥବ । ଗାଁ ଗାଁ ବୁଲିବ । ସେତେବେଳେ ମାଛ ଓଜନ ପାଇଁ ବିଣା । ବିଣାଏ  ମାଛ ବା ବାଣ୍ଟେ ମାଛ ଆଜିକା କିଲୋ ଓଜନରେ  ପ୍ରାୟ ୨ କିଲୋ । ରୋହି, ଭାକୁଡ଼ ବିଶାଏ ମାଛକୁ ୨ ଅଣା (ଆଜିକା ୧୨ ପଇସା )ନହେଲେ ୨ ସେର ଧାନ ବା ସେର ଚାଉଳ । ସେତେବେଳେ ପଇସା ଚଳଣି ବେଶି ନଥିଲା । ଧାନ, ଚାଉଳ, ମୁଗ, ବିରି, କୋଳଥ ବା ସୋରିଷ ବଦଳରେ ମାଛ । ତେଲ ମସଲା କିଣା ବିକା ହେଉଥିଲା । ଅର୍ଥନୀତିଜ୍ଞମାନେ ଏ ପ୍ରକାରର କାରବାରକୁ ବାର୍ଟର ଇକୋନୋମି ନାଁ ଦେଇଥାନ୍ତି । ହାତ ନ ଲାଗେ ଗୋଡ଼ ନ ଲାଗେ ତେଲ ପିଠାଟି ସୁଆଦ ଲାଗେ ।

ସାଆନ୍ତମାନେ ଘାସକୁ ଲମ୍ବ ପାଳକୁ ଛୋଟ । ପାଣିରେ ପସି ମାଛ ଧରିବେ ? କେଉଟ ଆସିଲେ ନକଡ଼ା ଛକଡ଼ାରେ କିଣିବେ । ଘଡ଼ିଏ ଦି ଘଡ଼ି ଭିତରେତ ମାଛ ଶେଷ । ଖାଳେଇରେ କଙ୍କଡ଼ାମାନେ ଖସର ଖାସର ହେଉଥାନ୍ତି । ଉପରକୁ ତଳକୁ ଉଠ ପଡ଼ ହୁଅନ୍ତି । କେଉଟ ଘରକୁ ବାହୁଡ଼ା ହୁଏ । ଘରଣୀଙ୍କ ପାଖେ ଖାଳେଇ ଥୋଇ କୁହନ୍ତି “ନେ କଙ୍କଡ଼ା ପୋଡ଼ ଚଟଣି କଲେ ଖାଇବା”। ଆଲୋ ମା ମାଛ କାହିଁ ?” ମାଛ ଆମେ ଖାଇବା ତ ପାଟିକୁ ଗୁଣ୍ଡା ଯିବ କେମିତି? ଜାଉଳି ଫିଟାଇ ଦେଖ । ପାଞ୍ଚ ଛଅ ସେର ଚାଉଳ ହବ । ଡ଼ାଲି ଅଛି । ୪/୫ ଦିନ ତ ଚଳିଯିବ । ମାଛ ଦିନେ ଓଳିଏ ଖାଇଥାନ୍ତେ । କଣ ପେଟେ ପୁରିଥାନ୍ତା । ଆଲୋ ଆମେ ତ ଛୋଟ ଜାତି । ଅଛୁଆଁ  । ବାଡ଼ି ଗୋବରେ ଗୋବେ ଜମି ନାହିଁ । ସାଆନ୍ତମାନେ, ମକଦ୍ଦମ, ଜମିଦାର, ବଡ଼ଲୋକ, ରଜା ସେମାନଙ୍କ ପାଇଁ ଜମି ଖଞ୍ଜି ଦେଇଛି ନା । ଆମେ କେତେକ ଲୋକ । ବାମନ ହୋଇ ଚାନ୍ଦକୁ ହାତ ବଢେଇବା । ପୁରାଣ,ଶାସ୍ତ୍ର ପରା ଆମକୁ ଶୂଦ୍ର ଜାତି କରିଦେଇଛି । ଆମେ ଖଟିବା ଖାଇବା । ଧେତ ତୋତେ ଭାଗବତ ଶୁଣାଇବି ନା ପେଟ କଁ କଁ ଡ଼ାକିଲାଣି ଦିଗୁଣ୍ଡା ଖାଇବି । ସାବି ତୁ ଗୋଟେ କାମ କର । ବାରିଘରୁ ପତର ପୁଳାଏ ଗଦା । ମୁଁ କଙ୍କଡ଼ା ମାନଙ୍କୁ ପୋଡୁଛି । କଞ୍ଚା ଲଙ୍କା ୨/୪ ଟା ଆଣ । କଙ୍କଡ଼ା ପୋଡ଼ା ହେଲା । ପିଠି ଖୋଳ ପୋଡ଼ି ଗଲାତ ପୋଡ଼ା କଙ୍କଡ଼ା ମାନଙ୍କୁ ବାହାର କରି କେଉଟ ଭାଇ ଝାଡ଼ି ଝୁଡ଼ି ଦେଲା । ବଡ଼ ପଲମଟିଏ ସାବି ଆଣିଛି । ପଟା ଖଣ୍ଡିଏ ଆଣି ପିଟଣାରେ ପୋଡ଼ା କଙ୍କଡ଼ା ମାନଙ୍କୁ ଛେଚି ଦେଇ ପଲମରେ ରଖେ । ମଦନା ସାହୁକୁ ମାଛ ଦେଇ ଘଣା ସୋରିଷ ତେଲ ସିସିଏ ଆଣି ଥାଏ । ସାବି କଳା ସୂର୍ଯମୁଖୀ ଲଙ୍କା, ଲୁଣ ସୋରିଷ ତେଲ ଗେରସ୍ତ ପାଖେ ଥୋଇଦେଲା ।“ଭାତ ରାନ୍ଧି ତ ପଖାଳ କରିଥିବୁ । ଭାତ ବାଢ । କଙ୍କଡ଼ା ଚଟଣି ତ ହେଲା ଜାଣ”।

Samadhwani Support us

କେଉଟ ଭାଇ ପଲମରେ କଞ୍ଚା ଲଙ୍କା, ଲୁଣ, ଘଣା ସୋରିଷ ତେଲ ୮/୧୦ ଟୋପା ପକାଇ ଚକଟା ଚକଟି କରିଦିଏ ତ ବାସ ମହକିଲାଣି । ଭାତ କଂସାରେ ଧରି ଗେରସ୍ତ, ଭାରିଜା,ଝିଅ ମିନା ବସିଗଲେ । ଭାତ ଗୁଣ୍ଡାକୁ ପଲମରୁ କଙ୍କଡ଼ା ଚଟଣି ବଡ଼ିଏ । ୧୦/୧୨ ଟା କାଳିଆ କଙ୍କଡ଼ାତ । ଚଟଣି ୨/୩ ଛଟାଙ୍କି । ମିଳିମିଶି ଖାଇଦେଇ ତୋରାଣି ପିଅନ୍ତିତ କେଉଟ ଭାଇ ୨/୩ ଟି ହାକୁଟି ମାରେ ।“ ଶଳା ସାଆନ୍ତ ମାଛ ଖାଇବ । ଆରେ ଏ କଙ୍କଡ଼ା ଚଟଣି ମଜା ପାଇବ । କଙ୍କଡ଼ା ନାଲି ଇଟା ଚିକ୍କଣ ଲାଗିଯାଉଛି । ଆମକୁ କହିବେ କଙ୍କଡ଼ି । ଆରେ କଙ୍କଡ଼ିର ହାତ ଘଷିଦେଲେ ନିଆଁ ବାହାରିପଡ଼ିବ । ଏ ସରବା କେଉଟ ୫ ଜଣ ବ୍ରାହ୍ମଣ ଟୋକାଙ୍କୁ କାଖରେ ଜାକିଦବ ।

ସ୍କୁଲ ଛୁଟି ବେଳ । ଆମ ଫେରିବା ବାଟରେ କେଉଟ ସାହି । ତାଙ୍କର ଖିଆ ପିଆ ଚାଲିଥାଏ । ମୁଁ କଙ୍କଡ଼ା ଚଟଣି ଖାଇଛି । ନନା ବି ଖୁବ ମାଛ, କଙ୍କଡ଼ା ଧରନ୍ତି । ବୋଉ କଙ୍କଡ଼ାକୁ ନାକ ଟେକେ । ନନା ବାଡ଼ିଆରେ ଛଣରେ ନିଆଁ ଲଗାଇ କଙ୍କଡ଼ା ପୋଡ଼ନ୍ତି । ମତେ ଇଟା ଚିକ୍କଣ ଚିହ୍ନାଇ ଥାନ୍ତି । ଚକଟା ଚକଟି କରନ୍ତି । ନନା, ବୋଉ କଙ୍କଡ଼ା ଖାଆନ୍ତିନି । ବ୍ରାହ୍ମଣ ପରା । ଜାତି ଚାଲିଯିବ । ୨/୩ ଟା କାଳିଆ କଙ୍କଡ଼ା ଚକଟା । ମୁଁ ବାଲା କଢେଇ ଭାତ, ମାଛ ତରକାରୀ, କଙ୍କଡ଼ା ଚଟଣି ଖାଇଦିଏ । କେଉଟ ସାହିରେ କଙ୍କଡ଼ା ଚଟଣିକୁ ପଖାଳ ଭାତ ଦେଖି ସତରେ ମୋ ପାଟିରୁ ଲାଳ ବୁହେ । ଚୈତ୍ର, ବୈଶାଖ ମାସ । ଗଡ଼ିଆ ପୋଖରୀରୁ ପାଣି କମିଯାଉଛି । ନନାତ ମାଛ,କଙ୍କଡ଼ା ଧରିବାରେ ଓସ୍ତାଦ । ୩/୪ ଟି ନଡ଼ିଆ ବରଡ଼ା ଚିରି ଗୋଟେ ଚାଞ୍ଚ ତିଆରି କଲେ । ଚାଞ୍ଚକୁ ଦୁଇ ମୁଣ୍ଡରୁ ବାନ୍ଧିଦେଇ । ଗୋଟେ ଓଦର ଭଳି ଆକାର । ଘୋସାରି ଘୋସାରି ହୃଦଙ୍ଗ ପୋଖରୀ ପାଖେ ପହଞ୍ଚନ୍ତି । ସାହାଡ଼ା ଡ଼ାଳ ହାଣି ଓଦର ଭିତରେ ଖଞ୍ଜା ହୁଏ । ସନ୍ଧ୍ୟା ହେଲା । ବୋଊକୁ ସଧେଇ ଦି ସେର ଚାଉଳ ଭାତ କରାଇଲେ । ଭାତ ଗୋଟେ ହାଣ୍ଡିରେ ଧରି ଚାଲିଲେ ହୃଦଙ୍ଗା । ସେତେବେଳକୁ ମୋତେ ୧୫/୧୬ ବର୍ଷ ହବ । ନନାଙ୍କ ସାଙ୍ଗରେ ବାଗେଇଲି । ଭାତ ତକ ଓଦରରେ ପକାଇ ନନା ଓଦରକୁ ଘୋସାରି ଛାତିଏ ପାଣିରେ ରଖିଦେଲେ । ଘରକୁ ଫେରିଲୁ ।

ପରଦିନ ସକାଳ । ନନା କେତେବେଳେ ହୃଦଙ୍ଗା ଯାଇ ଓଦର ଝାଡ଼ିଛନ୍ତି । ଦୁଆରେ ଜାଉଳି ଫିଟାଇ ଦିଅନ୍ତିତ ୨/୩ ଟା ମାଗୁର, ରତା ୫/୭ ଟା, ଗୋଟେ ଶେଉଳ, ଦଶରଥ ମାନେ ଦୁଆର ସାରା ଖେଦି ଗଲେଣି । କଙ୍କଡ଼ା ଦେଖି ବୋଊ ନନାଙ୍କ ଉପରେ ବିରି ବିରି ହେଲାଣି । ମାଛକୁ ପିଟଣାରେ ବାଡେଇ ବୋଊକୁ ଧରେଇ ଦେଲେ । ବଡ଼ ବଡ଼ କାଳିଆ କଙ୍କଡ଼ା ୧୦/୧୫ । ସେମାନଙ୍କୁ ଗୋଟି ଗୋଟି ଛେଚି ଛୋଟ ଗୋଡ଼ ଗୁଡ଼ିକ ଛିଣ୍ଡାଇ ପକାଇଲେ । ଆମେ ଭାଇଭଉଣୀବି ଲାଗିଗଲୁ । ମାଛ ତ ଭଜା ତରକାରି ହବ । ବୋଊକୁ ବରାଦ କଲେ । ଗୋଟେ ପାଗ ଛଡ଼ା ହାଣ୍ଡିରେ ପାଣି ଫୁଟିଲା । ହାଣ୍ଡି ମୁହଁରେ ଅଥାର ଭଳି କନା ଖଣ୍ଡିଏ ଭିଡ଼ା ହେଲା । ବୋଊ କଙ୍କଡ଼ା ଛୁଇଁବନି । ନନା କଙ୍କଡ଼ା ତକ ଧୁଆ ଧୁଇ କରି କନା ଉପରେ ଗଦା କଲେ । ପଲମଟିଏ ଘୋଡ଼ା ହେଲା । ୧୦/୧୫ ମିନିଟ ପରେ ବାମ୍ଫ ବାହାରିଲାତ ପଲମକାଢି କଙ୍କଡ଼ା ମାନଙ୍କୁ ଉଦ୍ଧାର କଲେ । ଆମେ ଏକ ଲୟରେ ଚାହିଁଥାଉ ।

ମୋତେ କାମରେ ଲଗାନ୍ତି । ବତେଇ ଦିଅନ୍ତି । ନନା ଓ ମୁଁ କଙ୍କଡ଼ା ଖୋଳ ସବୁ କାଢି ମାଉଁସ ବାହାର କଲୁ । ୪୦୦/୫୦୦ ଗ୍ରାମ ମାଲ । ନାଲି ଇଟା ୫/୭ ଟା ବି ଅଛି । ବୋଊକୁ ବରାଦ ହେଲା । ବୋଊ ଜୀରା, ଲଙ୍କା, ଅଦା,ରସୁଣ, ଦେଶୀ ପିଆଜ ବଟାବଟି କଲା । କଡ଼େଇ ମାରା ହୋଇଯିବ । ଗୋଟିଏ ପାଗ ଛଡ଼ା ତେଲୁଣିରେ କଙ୍କଡ଼ା ତରକାରି ହେଲା । ଘଣା ସୋରିଷ ତେଲ, ଫୁଟଣରେ ମସଲା କରି କଙ୍କଡ଼ା ମାଂସକୁତ ପକାଇଦିଅନ୍ତି । କସି କସି ତରକାରି ଲାଲ।ଗୋଟେ କଡ଼ା ଫୁରୁକୁଟିଆ ବାସ ବିଛା ମାଳିଆ ଚୁଙ୍ଗୁଡ଼ି ତରକାରି ବାସ ପରି । ପାଣି ମାପରେ ଢାଳି ୧୦/୧୫ ମିନିଟ ଫୁଟିଲା ପରେ ଗରମ ମସଲା ବାଟ ଦେଇ ତରକାରି ଓହ୍ଲାଇଲେ । ଗାଏ ମାଖା ତରକାରି । ସେଇ ତେଲୁଣିରେ ତରକାରି । ୩/୪ଟା ଥାଳି, ଥାଳିଆରେ ଗରମ ଭାତ । ଆମେ ଭାଇ ଭଉଣୀ ଏକାଠି ବସିଗଲୁ । ସେ ତରକାରି ! ହାତରେ ଚିକ୍କଣ ଲାଗିଯାଉଥାଏ । ଛଡ଼ିଆ ପଡ଼ିଆ ହୋଇ ଖାଇ ତ ଯାଉଥାଉ । ଇଟା ମଜା । ମୁଁ ଇଟା ମାହାତ୍ମ୍ୟ କାହାକୁ ନ କହି ଏକା ଚଲେଇ ଦେଲି । ଆଃ, ସ୍ଵର୍ଗ, ମର୍ତ୍ତ୍ୟ,ପାତାଳା ତିନି ପୁର ଯେମିତି ସମାନ ।

ଆଉ ନାହିଁରେ ବାପ,ସେ କାଳ ପଖାଳ ଖଟା । ଆଉ ଅଛି ?

ନାଁ, ଆଜିତ ମାଛ ବଂଶ ନିପାତ । ଗେଣ୍ଡା, କଙ୍କଡ଼ା ହରି ହୋଇଯାଉଛନ୍ତି  । କାଁ ଭାଁ ଜୀବନ ମରଣ ସଙ୍ଗେ ଲଢ଼େଇ କରି ଲୁଚି ଛପି ଆଙ୍ଗୁଠି ଗଣତି କେତୋଟି ବଂଶ ରକ୍ଷା କରିଛନ୍ତି । ସାର, କୀଟନାଶକ ଜମିରେ ପକାଇ ଚାଷ କଲେ । ଅଧିକ ଫଳିବ । ଅଧିକ ପାଇବାକୁ ବାରଣାସୀ ଗଲା ନା ମାଇପ ଥାଉ ଥାଉ ଘଇତା ମଲା । ଅଧିକ ଧାନ ପାଉଥା । ଆଉ ମାଛ ଆଗ ଭଳି ମିଳୁଛି ?ନାଁ, ଗେଣ୍ଡା କଙ୍କଡ଼ା ଆଖିରେ ପକାଇବାକୁ ନାହାନ୍ତି । କୀଟନାଶକ ବିଷ ସମସ୍ତଙ୍କୁ ଖାଇଗଲା । ମାଟିରେ ବିଷ, ପାଣିରେ ବିଷ, ଖାଦ୍ୟରେ ବିଷ । ବିଷ ଖାଦ୍ୟ ଖାଉଥା । ରୋଗବଇରାଗ ଭୋଗୁଥା । ଧନ୍ୟରେ ମଣିଷ । ତୋ ବୁଦ୍ଧି ବିବେକ ସବୁ ପୋଡ଼ି ଖାଇଲୁ । ବିଷ ଚାଷରେ ମାତିଛୁ । ତେଣିକି ଯିବାନି । କଙ୍କଡ଼ା କଥା ସାରିଲେ ଗେଣ୍ଡା ଆଡ଼କୁ ଆଖି ପକାଇବା ।

କାଳିଆ କଙ୍କଡ଼ାତ ଖାଇଲେ । ଆଉ ଗୋଟେ ପ୍ରକାରର କୁଜି ଛୋଟ ଛୋଟ ଧଳା କଙ୍କଡ଼ା ବି ଥାନ୍ତି । ୧୦/୧୫ ଟି  ପୋଡ଼ିଲେ ଜଣକ ମାନିଆ ଚଟଣି ମିଳିବ । ତେବେ ଏମାନେ ନିରାପଦରେ ଥାନ୍ତି । ଧଳା ଛୋଟ କଙ୍କଡ଼ା ଉପରେ କାହାରି ଆଖି ନଥାଏ । କଙ୍କଡ଼ା ତ ହିଡ଼ରେ ଗାତ କରି ରୁହନ୍ତି । ଭୋଦୁଅ ମାସରେ ମାଈ କଙ୍କଡ଼ା ଛୁଆ କରେ । ମୁଁ ଦେଖିଛି । କଙ୍କଡ଼ାର ଗୋଟିଏ ଘୋଡ଼ଣି  ଟେକିଦେଲେ ଶହ ଶହ କୁନି କୁନି ଛୁଆ ସାଲୁ ବାଲୁ ହଉଥିବେ । ବିଲୁଆ କଙ୍କଡ଼ା ଖାଇବ । ଗାଡ଼ରେ ଲାଞ୍ଜ ପୁରାଏ । କଙ୍କଡ଼ା ଲାଞ୍ଜ ଧଇଲାତ ବିଲୁଆ ଲାଞ୍ଜ ଟାଣି ଆଣିଲା । ଲାଞ୍ଜ ବୁଲାଇ କଙ୍କଡ଼ାଟିକୁ ସେବା କଲା । ଥରେ ଗୋଟେ ବିଲୁଆ କଙ୍କଡ଼ା ଗାଡ଼ରେ ଲାଞ୍ଜ ପୁରାଇଛି ତ ଗୋଟେ ବଡ଼ କାଳିଆ କଙ୍କଡ଼ା ଲାଞ୍ଜକୁ ଟାଣି ଧରିଛି । ବିଲୁଆ ଲାଞ୍ଜ ଟାଣିଲେ ନ ଆସେ । ଆରେ କଙ୍କଡ଼ାଟାର କେତେ ବଳ । ମୋତେ ଆଖି ଦେଖାଉଛି । ଟାଣିତ ଦେଇଛି ଜୋରରେ । ଲାଞ୍ଜ ଗାତରେ ବିଲୁଆ ବୋପା ମା ହୋଇ ଦୌଡ଼ିଛି । ସାଙ୍ଗ ବିଲୁଆ ମାନେ ହସି ହସି ଗଡ଼ିଯାଉଛନ୍ତି ।

ଏମାନେ ସବୁ ମଧୁର ଜଳ କଙ୍କଡ଼ା । ସମୁଦ୍ର କଙ୍କଡ଼ା ଖୁବ ବଡ଼ ବଡ଼ । ଗୋଟେ ଗୋଟେ କଙ୍କଡ଼ା କିଲେ ଦି କିଲୋ ଓଜନ ହେବେ । ଖୁବ ଛୋଟ ହେଲେ ୨୦୦ ଗ୍ରାମ । ଏମାନେ ବି କଳା କଙ୍କଡ଼ା । ନାଲି କଙ୍କଡ଼ା, ନୀଳ କଙ୍କଡ଼ା ଅଛନ୍ତି । ଏମାନଙ୍କ ସଂଖ୍ୟା କମ । ଏମାନଙ୍କ ସୁରକ୍ଷା ପାଇଁ ସରକାର ନାଲି,  ନୀଳ କଙ୍କଡ଼ା ଧରିବା ଉପରେ ରୋକ ଲଗାଇଛନ୍ତି । ଆଇନ ତା ବାଟରେ । ଶିକାରୀ ତା ବାଟରେ । ନାଲି, ନେଳି କଙ୍କଡ଼ା ଶିକାର ଚାଲିଛି । ଏମାନେ ଅମୂଲ ମୂଲ । ପଇସା ତ ଶସ୍ତା । ଚୋର ବେପାର  ଯୋର ସୋର ଚାଲିଛି । ଚୋରି କନିଆ ନେଇ ଆଣି ଥୋଇ ପାରିଲେ ହେଲା । ଆଉ କଙ୍କଡ଼ା ଅଛୁଆଁ ଜାତିଙ୍କର ଖାଦ୍ୟ ହୋଇ ନାହିଁ । ପାଞ୍ଚ ତାରକା ହୋଟେଲରେ ଏମାନେ ଆଗ ଧାଡ଼ିରେ । ଗ୍ରାହକ ମାଛ, ମାଂସ, ଚିଙ୍ଗୁଡ଼ି କୁ ଆଡେଇ କଙ୍କଡ଼ା ତରକାରୀରେ ମାତିଲେଣି । ବ୍ରାହ୍ମଣ, କରଣ,ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ନାହିଁ । ଜାତି, ବର୍ଣ୍ଣ, ଧର୍ମ  ନିର୍ବିଶେଷରେ ସମସ୍ତେ ଏବେ କଙ୍କଡ଼ା ଭକ୍ତ । ଗୋଟିଏ କଙ୍କଡ଼ା ପ୍ଳେଟ ୫୦୦ ଟଙ୍କା !

 

FAQs

1. What does the title of the essay mean?
The title reflects an old caste-based saying: that fisherfolk (Kaivartas) catch and keep the fish, while the crab — considered a lesser catch- is left as food for Dalit and other so-called “untouchable” communities.

2. Why wouldn’t the author’s grandmother and mother eat crab, even though it was caught and cooked at home?
As Brahmins, they treated eating crab as a violation of caste purity- something that would “spoil their caste” – even though the author’s grandfather regularly fished for and ate crab himself, and the rest of the children in the household grew up eating it without hesitation.

3. How were fish and crab traditionally bought and sold in the author’s childhood?
Money played a limited role. Fish were weighed using an old unit called bina, and traded directly for paddy, rice, mug, biri, kolath, or mustard seed rather than cash, an arrangement the essay notes economists would call a barter economy.

4. How does the essay describe preparing crab as food?
It describes two traditional preparations: crab roasted directly over fire and mashed into a spicy chutney with green chili, salt, and raw mustard oil, and a fuller crab curry made by extracting the meat, grinding cumin, chili, ginger, garlic, and country onion, and cooking it in mustard oil with a tempering of spices.

5. What environmental change does the author describe toward the end?
He describes a sharp decline in crab and fish populations in the region’s fields and ponds, which he attributes to the growing use of pesticides and chemical fertilisers in farming, a change he contrasts with the essay’s closing observation that crab, once dismissed as food unfit for the upper castes, is now an expensive delicacy served in five-star restaurants to people across caste and religious lines.

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)