ହିନ୍ଦୋଳ ଗାଁର ଇତିହାସ, ସଂସ୍କୃତି ଓ ଜନଜୀବନ

A village remembered, a history preserved...

Ananya Priyadarshini
565 Views
40 Min Read

Since 2005, the “Aam Gaon Aam Jeevan” campaign has encouraged students to document their village’s history and culture; in 2025, Samadhwani extended this through a college internship programme. The History, Culture, and Life of Hindol Village is one such result. During her 2026 summer break, Ananya Priyadarshini, a Political Science student at Ispat Autonomous College, documented the oral history of Nuapani Sahi in her native ‘Hindol Village’, covering its traditions, water issues, education, and livelihoods with honesty and care. Samadhwani congratulates her on this valuable contribution to preserving local history.

Contents
ଗାଁର ସମ୍ପୂର୍ଣ୍ଣ ପରିଚୟସାକ୍ଷାତକାର:ଛବି ସେଠୀଦିବାକର ପଟ୍ଟନାୟକ :ଭୌଗୋଳିକ ସ୍ଥିତିପ୍ରାଚୀନ ଇତିହାସଗାଁରେ ପାଣିର ସମସ୍ୟାସନ୍ଧ୍ୟାରାଣୀ ଗୋଛାୟତ :ଗାଁର ଜଙ୍ଗଲ ଓ ପଶୁପକ୍ଷୀଗାଁରେ ଶିକ୍ଷାରାଧିକା ଗୋଛାୟତ :ଗାଁର ଡାକ୍ତରଖାନାଗାଁର ରାସ୍ତାଘାଟଆଜିକାଲି ଗାଁର ପରିସ୍ଥିତିଗାଁର ଅତୀତଦିବାକର ପଟ୍ଟନାୟକ :ଗାଁର ଦେବୀ ଦେବତାଗାଁର ପର୍ବ ପର୍ବାଣୀଗାଁ ଲୋକଙ୍କ ମଧ୍ୟରେ ସମ୍ପର୍କଗାଁରେ ବିବାହ, ଜନ୍ମ, ମୃତ୍ୟୁ ପାଳନବିବାହ ପାଳନଜନ୍ମ ପାଳନମୃତ୍ୟୁ ପାଳନଗାଁର ରୋଜଗାର ଓ ଜୀବିକାବ୍ରମର ବେହେରା :ବିଶ୍ୱନାଥ ମୁଦୁଲି :ଗାଁରେ ଖେଳା ଯାଉଥିବା ଖେଳଆର.ଏନ. ନାୟକ :ଗାଁରେ ଧନୀ ଓ ଗରିବ ମଧ୍ୟରେ ତୁଳନାବର୍ତ୍ତମାନ ଗାଁ ପରିସ୍ଥିତିକୁ ଭିତ୍ତି କରି ଭବିଷ୍ୟତ ପାଇଁ ନିଜ ଦୃଷ୍ଟିକୋଣଗାଁ’ର ଗୀତପରିଶେଷରେFrequently Asked Questions (FAQ)

ଅଧିକାଂଶ ସମୟରେ ଚର୍ଚ୍ଚା ହୁଏ ଯେ, ଆଜିର ଯୁବପିଢୀ ଆମ ସଂସ୍କୃତି, ଆମ ଗାଁ ଓ ଚାଷବାସର ଭବିଷ୍ୟତକୁ ନେଇ ଉଦାସୀନ । ସେଥିପାଇଁ ଆମ ସଂସ୍କୃତିର ଭବିଷ୍ୟତ ଆମକୁ ଅସୁରକ୍ଷିତ ମନେହୁଏ । ଏହି ଯୁକ୍ତି ହୁଏତ ଏକ ଦୁର୍ବଳ ଯୁକ୍ତି । ଯଦି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ପରିସରକୁ ବ୍ୟାପକ କରାଯାଏ ଓ ସେଥିରେ ନିଜ ଗାଁ, ମାଟି, ପାଣି, ପବନ ଓ ସେଠାରେ ରହୁଥିବା ମଣିଷ, ଜୀବଜନ୍ତୁ, ଗଛଲତା ସମସ୍ତଙ୍କୁ ସାମିଲ କରାଯାଏ ତେବେ ସେମାନେ ଏସବୁର ସୁରକ୍ଷା ଓ ସଂରକ୍ଷଣ ବିଷୟରେ ନିଶ୍ଚୟ ଚିନ୍ତା କରିବେ। ଏକଥା ୨୦୦୫ ମସିହାରୁ “ଆମ ଗାଁ ଆମ ଜୀବନ” ଅଭିଯାନ ପ୍ରମାଣିତ କରିଚାଲିଛି । ଏହି ଅଭିଯାନରେ ଓଡ଼ିଶାର ଅନେକ ସ୍କୁଲର ଛାତ୍ରଛାତ୍ରୀ ଏବେ ଯୋଡ଼ି ହୋଇଛନ୍ତି । ୨୦୨୫ ମସିହାରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ଏକ ଇଣ୍ଟର୍ଣ୍ଣଶିପ କାର୍ଯ୍ୟକ୍ରମ ମାଧ୍ୟମରେ “ଆମ ଗାଁ ଆମ ଜୀବନ” ଅଭିଯାନ ସହିତ ଯୋଡ଼ିବାପାଇଁ ‘ସମଧ୍ଵନି ‘ ପ୍ରୟାସ ଆରମ୍ଭ କରିଛି । ଉଦ୍ଦେଶ୍ୟ ଯେ, ଯୁବ ଛାତ୍ରଛାତ୍ରୀମାନେ ପଢାପଢି ସହିତ ନିଜ ସଂସ୍କୃତି, ନିଜ ମାଟି, ନିଜ ଗାଁ ଓ ନିଜ ଲୋକଙ୍କୁ ଭଲକରି ଜାଣିବେ, ବୁଝିବେ ଓ ଏହାର ସଂରକ୍ଷଣ କେମିତି କରିବେ ନିଜେ ଚିନ୍ତା କରିବେ । ଏଠାରେ ଉପସ୍ଥାପନ କରାଯାଇଥିବା “ହିନ୍ଦୋଳ ଗାଁର ଇତିହାସ, ସଂସ୍କୃତି ଓ ଜନଜୀବନ” ଏହି ଇଣ୍ଟର୍ଣ୍ଣଶିପ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ‘ଗାଁ ଇତିହାସର’ ଏକ ଉଦାହରଣ ।

୨୦୨୬ ମସିହା ଖରା ଛୁଟି ସମୟରେ (ଅବଧି: ୧୫ ମେ, ୨୦୨୬ରୁ ୧୫ ଜୁନ୍ ୨୦୨୬) ଅନନ୍ୟା ପ୍ରିୟଦର୍ଶିନୀ ତାଙ୍କର ପ୍ରିୟ ଗ୍ରାମ ହିନ୍ଦୋଳର ନୂଆପାଣି ସାହିକୁ ନେଇ ଯେଉଁ ଗବେଷଣାତ୍ମକ କାର୍ଯ୍ୟ ସମ୍ପାଦନ କରିଛନ୍ତି, ତାହା ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। ମାତ୍ର ଏକ ମାସ ଭିତରେ ସେ ଗାଁର ବୟୋଜ୍ୟେଷ୍ଠଙ୍କ ସାକ୍ଷାତକାର ମାଧ୍ୟମରେ ମୌଖିକ ଇତିହାସ ସଂଗ୍ରହ କରିବା ଠାରୁ ଆରମ୍ଭ କରି, ଗ୍ରାମର ଭୌଗୋଳିକ ପରିଚୟ, ପରମ୍ପରା, ଦେବୀ-ଦେବତା, ପାଣି ସମସ୍ୟା, ଶିକ୍ଷା, ରୋଜଗାର ଓ ଭବିଷ୍ୟତ ଦୃଷ୍ଟିକୋଣ ପର୍ଯ୍ୟନ୍ତ ଏକ ପୂର୍ଣ୍ଣାଙ୍ଗ ଗ୍ରାମ-ଇତିହାସ ଲେଖା ପ୍ରସ୍ତୁତ କରିଛନ୍ତି । ଏହି ଲେଖା ମାଧ୍ୟମରେ ଅନନ୍ୟା ନିଜ ଗାଁର ସୌନ୍ଦର୍ଯ୍ୟ ଓ ଗୌରବକୁ ପ୍ରକାଶ କରିବା ସହିତ ପାଣି, ସ୍ୱାସ୍ଥ୍ୟ, ଶିକ୍ଷାର ଅସୁବିଧା ଓ ଧନୀ-ଗରିବ ମଧ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ ସାହସର ସହ ଉପସ୍ଥାପନ କରିଛନ୍ତି। ଛବି ସେଠୀ, ଦିବାକର ପଟ୍ଟନାୟକଙ୍କ ଭଳି ଗାଁର ବୟୋଜ୍ୟେଷ୍ଠ ମାନଙ୍କ ପିଲାଦିନର ସ୍ମୃତିକୁ ଲିପିବଦ୍ଧ କରି ସେ ହିନ୍ଦୋଳର ଗଡ଼ଜାତ ଇତିହାସର ଏକ ଅମୂଲ୍ୟ ଅଭିଲେଖ ସୃଷ୍ଟି କରିଛନ୍ତି, ଯାହା ଆଜିର ସମୟରେ ଲିପିବଦ୍ଧ ହେବା ନିତ୍ୟାନ୍ତ ଜରୁରୀ ମନେହୁଏ । ଏହା ଜଣେ ଛାତ୍ରୀ ଇତିହାସକାର ଭାବେ ତାଙ୍କର ପରିପକ୍ୱତାର ପ୍ରମାଣ। ଅନନ୍ୟା ପ୍ରିୟଦର୍ଶିନୀ ଇସ୍ପାତ ଅଟୋନୋମସ୍ କଲେଜରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ। ଶିକ୍ଷା କ୍ଷେତ୍ରରେ ସେ ରାଜନୀତି ବିଜ୍ଞାନର ଛାତ୍ରୀ ହୋଇ ମଧ୍ୟ, ନିଜ ଗ୍ରାମର ମୌଖିକ ଇତିହାସ ସଂଗ୍ରହ, ଲିପିବଦ୍ଧକରଣ ଓ ଉପସ୍ଥାପନ କ୍ଷେତ୍ରରେ ଯେଉଁ ଆଗ୍ରହ ଓ ପରିଶ୍ରମର ପରିଚୟ ଦେଇଛନ୍ତି, ତାହା ଉଲ୍ଲେଖନୀୟ। ଏହା ପ୍ରମାଣ କରେ ଯେ ଗ୍ରାମ-ଇତିହାସ ଓ ସଂସ୍କୃତି ପ୍ରତି ଆଗ୍ରହ କୌଣସି ନିର୍ଦ୍ଦିଷ୍ଟ ବିଷୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ନୁହେଁ । ଯେକୌଣସି ପୃଷ୍ଠଭୂମିର ଯୁବପିଢ଼ି ଏଥିରେ ସାମିଲ ହୋଇ ମୂଲ୍ୟବାନ ଅବଦାନ ଦେଇପାରିବେ । ନିଜ ଗବେଷଣା, ସାକ୍ଷାତକାର ଓ ସଞ୍ଜୟ କୁମାର ପ୍ରଧାନଙ୍କ ଗାଁ’ର ଗୀତ ସଂଯୋଜନା, ଏହି କାର୍ଯ୍ୟକୁ ଏକ ବ୍ୟକ୍ତିଗତ ପ୍ରୟାସରୁ ଏକ ସାମୂହିକ ସାଂସ୍କୃତିକ ପ୍ରୟାସରେ ପରିଣତ କରିଛି। ସମଧ୍ୱନି ପକ୍ଷରୁ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ଆନ୍ତରିକ ଅଭିନନ୍ଦନ। ତାଙ୍କର ଏହି ପ୍ରୟାସ ଆଗାମୀ ଯୁବ ଗବେଷକମାନଙ୍କ ପାଇଁ ଏକ ଆଦର୍ଶ ଉଦାହରଣ ହୋଇ ରହିବ। – ସ୍ଵୟଂପ୍ରଭା ପାଢୀ, ସମ୍ପାଦକ

ଗାଁର ସମ୍ପୂର୍ଣ୍ଣ ପରିଚୟ

Samadhwani Support us

ଆମ ଗାଁର ନାମ ହିନ୍ଦୋଳ । ଏହା ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ । ଏହାର ବ୍ଲକ ହିନ୍ଦୋଳ ଓ ଏହା ଓଡ଼ିଶାରେ ଅବସ୍ଥିତ ଏକ ଛୋଟ ଗ୍ରାମ, ଯାହା ଏବେ ଏକ ଏନ.ଏସ.ସିରେ ପରିଣତ ହୋଇଯାଇଛି। ଏହା ଏନ.ଏସ.ସିରେ ପରିଣତ ହେବାର ପ୍ରାୟ ଚଉଦ ବର୍ଷ ହୋଇଗଲାଣି । ହିନ୍ଦୋଳ ଲୋକଙ୍କ ତଥ୍ୟ ଅନୁଯାଇ ଏହା ୨୦୧୨ ମସିହାରେ ଏନ.ଏସ.ସିରେ ପରିଣତ ହେଲା ଓ ପରେ ଏହା ଛୋଟ ଛୋଟ ବିଭିନ୍ନ ଗ୍ରାମରେ ବିଭାଜିତ ହେଲା । ଏଠାରେ ପ୍ରାୟ ଏକଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି ଓ ଏଠାରେ ପ୍ରାୟ ୨୫୦୦ରୁ ୩୦୦୦ ଘର ପରିବାର ରହୁଥିବାର ଅନୁମାନ କରାଯାଇଛି । ଏଠାରେ ଅନେକ ସମ୍ପ୍ରଦାୟର ଲୋକ ବସବାସ କରନ୍ତି ଯଥା : ଚାଷୀ, କୁମ୍ଭାର, ଧୋବା, କରଣ, ଖଣ୍ଡାୟତ, ମୁସଲମାନ ଇତ୍ୟାଦି । ହିନ୍ଦୋଳରେ ଥିବା ଛୋଟ ଛୋଟ ଗାଁ ଭିତରୁ ନୂଆପାଣି ସାହି ହେଉଛି ଏକ ଛୋଟ ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗାଁ, ଯେଉଁଠାରେ ଆମ ଘର । ପ୍ରକୃତିର ସବୁଜ ପରିବେଶ, ଶାନ୍ତ ଗ୍ରାମ୍ୟ ଜୀବନ ଓ ଲୋକମାନଙ୍କ ସରଳ ସ୍ଵଭାଵ ଏହି ସାହିର ବିଶେଷତ୍ୱ । ଏଠାରେ ଲୋକମାନେ ପ୍ରାୟତଃ ଚାଷ, ଛୋଟ ବ୍ୟବସାୟ ଓ ଦୈନନ୍ଦିନ କାମକାର୍ଯ୍ୟ କରିବା ଉପରେ ନିର୍ଭର କରନ୍ତି । ସାହିରେ ପୁରୁଣା ସଂସ୍କୃତି, ପର୍ବପର୍ବାଣି ଓ ଗ୍ରାମୀଣ ପରମ୍ପରା ଆଜି ମଧ୍ୟ ଦେଖିବାକୁ ମିଳେ । ରଜ, ଦୋଳ, ଦୁର୍ଗାପୂଜା, ଗଣେଶପୂଜା ଭଳି ପର୍ବ ଗୁଡ଼ିକ ଏଠାରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଏ । ନୂଆପାଣି ସାହିରେ ରାସ୍ତା, ବିଦ୍ୟୁତ, ପାଣି ଓ ଶିକ୍ଷା ଭଳି ସୁବିଧା କ୍ଷେତ୍ରରେ ଧୀରେ ଧୀରେ ଉନ୍ନତି ହେଉଛି ।

ସାକ୍ଷାତକାର:

ଛବି ସେଠୀ

“ଛବି ସେଠୀ ହେଉଛନ୍ତି ନୂଆପାଣି ସାହି ଗ୍ରାମର ଜଣେ ବୟସ୍କ ବ୍ୟକ୍ତି । ତାଙ୍କର ଜନ୍ମ ୧୦, ୦୫, ୧୯୪୯ ମସିହାରେ । ତାଙ୍କର ବୟସ ଏବେ 77 ହେବ । ସିଏ ହେଉଛନ୍ତି ମୋ ନିଜ ଜେଜେ ବାପା । ସେ ଏହି ଗାଁର ଜଣେ ପୁରୁଣା ବ୍ୟକ୍ତି । ତାଙ୍କ କହିବା ଅନୁଯାଇ ଏହି ଗାଁକୁ ତାଙ୍କୁ ହିନ୍ଦୋଳର ରାଜା କଟକ ସହରରୁ ନେଇ ଆସିଥିଲେ । ସେତେବେଳେ ଛବି ସେଠୀଙ୍କ ବାପା ନୀଳକଣ୍ଠ ସେଠୀ ହିନ୍ଦୋଳର ରାଜା ନବକିଶ୍ଵର ନାରାୟଣ ସିଂଦେଓଙ୍କର ସେବକ ଥିଲେ । ସେ ଯେତେବେଳେ ଏହି ଗାଁକୁ ପ୍ରଥମେ ଆସିଥିଲେ ସେତେବେଳେ ଏଠି ଜଙ୍ଗଲ ଥିଲା ଓ ନୂଆପାଣି ସାହିରେ ସେତେବେଳେ କନ୍ଧ ଓ ସାନ୍ତାଳମାନେ ବସବାସ କରୁଥିଲେ । ସେ କହିବା ଅନୁଯାଇ ଏହି ସାହିରେ ପାଣିର ସ୍ରୋତ ଥିବାରୁ ଲୋକ ଏଠି ବସବାସ କରୁଥିଲେ । ସେମାନେ କଟକରୁ ହିନ୍ଦୋଳ ଆସିବାର କିଛି ବର୍ଷ ପରେ ଏହି ଗାଁର ନାଁ ନୂଆପାଣି ସାହି ହୋଇଥିଲା । ପରେ ସେଠାରେ ଅନେକ ସମ୍ପ୍ରଦାୟର ଲୋକ ଆସି ବସତି ସ୍ଥାପନ କରିଥିଲେ ।

ଦିବାକର ପଟ୍ଟନାୟକ :

“ଦିବାକର ପଟ୍ଟନାୟକ ମଧ୍ୟ ଏହି ସାହିର ଜଣେ ବୃଦ୍ଧ ବ୍ୟକ୍ତି । ତାଙ୍କର ଜନ୍ମ ୨୪, ୦୮, ୧୯୪୧ରେ ହୋଇଥିଲା । ତାଙ୍କ ବୟସ ଏବେ ୮୫ ବର୍ଷ । ଗାଁ ଇତିହାସ ଲିପିବଦ୍ଧ କରିବା ସମୟରେ ମୋତେ ଗାଁର ଅଧିକାଂଶ ତଥ୍ୟ ଏହି ବୃଦ୍ଧ ବ୍ୟକ୍ତି ଠାରୁ ମିଳିଛି । ସେ ହେଉଛନ୍ତି ରଘୁନାଥ ପଟ୍ଟନାୟକଙ୍କ ପୁତ୍ର । ତାଙ୍କ ବାପା ମଧ୍ୟ ହିନ୍ଦୋଳ ରାଜାଙ୍କର ଜଣେ ସେବକ ଥିଲେ । ଦିବାକର ପଟ୍ଟନାୟକ ୨୦ ବର୍ଷ ବୟସରେ ହିନ୍ଦୋଳ ନୂଆପାଣି ସାହିର ସରପଞ୍ଚ ହୋଇଥିଲେ । ସେତେବେଳେ ପଇସାର ବହୁତ ଆସୁଥିବା ଥିବାରୁ ଯେତିକି ତାଙ୍କ ଦ୍ୱାରା ସମ୍ଭବ ସେ ଏହି ସାହି ପାଇଁ ସେତିକି କରିଥିଲେ । ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ସେ ନୂଆପାଣି ସାହିରେ ୧୫ ବର୍ଷ ଯାଏ ସରପଞ୍ଚ ଭାବେ ନିଯୁକ୍ତି ପାଇଥିଲେ । ଦିବାକର ପଟ୍ଟନାୟକ ଗାଁକୁ ଆସିଥିବା ସମୟରେ ଗାଁରେ ମାତ୍ର ୬, ୭ଟି ଘର ଥିଲା ଓ ସେଠାରେ ସମୁଦାୟ ୩୦ଟି ଲୋକ ବସବାସ କରୁଥିଲେ । ପରେ ସେଠାରେ କିଛି ଦଶକରୁ ଶତାଧିକ ଘର ସ୍ଥାପନ ହେଲା ଓ ସେଠାରେ ଶହଶହ ଲୋକ ବସବାସ କଲେ ।

ଭୌଗୋଳିକ ସ୍ଥିତି

ଓଡ଼ିଶାର ଐତିହ୍ୟବାହୀ ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ଅଞ୍ଚଳ ହେଉଛି ହିନ୍ଦୋଳ। ପୂର୍ବତନ ଗଡ଼ଜାତ ରାଜ୍ୟ ଭାବେ ପରିଚିତ ଏହି ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଙ୍ଗଲ, ପାହାଡ଼ ଓ ଗ୍ରାମୀଣ ସଂସ୍କୃତିର ଏକ ଅନନ୍ୟ ସମନ୍ୱୟ। ହିନ୍ଦୋଳ ବ୍ଲକ୍ ଅଧୀନରେ ଅନେକ ଗ୍ରାମ ଓ ସାହି ଅବସ୍ଥିତ ଥିବାବେଳେ, ସେମାନଙ୍କ ମଧ୍ୟରୁ ନୂଆପାଣି ସାହି ଗୋଟିଏ ଶାନ୍ତ, ସରଳ ଓ ପ୍ରାକୃତିକ ପରିବେଶରେ ଭରା ଗ୍ରାମାଞ୍ଚଳ।

ନୂଆପାଣି ସାହି ଚାରିପାଖରେ ସବୁଜ ଗଛ, ଚାଷଜମି, ପୋଖରୀ ଓ ଛୋଟ ଛୋଟ ପାହାଡ଼ିଆ ଅଞ୍ଚଳ ଦେଖିବାକୁ ମିଳେ। ଏଠାର ପ୍ରାକୃତିକ ପରିବେଶ ଗ୍ରାମର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରିଥାଏ। ବର୍ଷା ଋତୁରେ ସବୁଜ ପ୍ରକୃତି ଓ ଜଳଭରା ପୋଖରୀ ଗ୍ରାମକୁ ଆହୁରି ମନୋହର ରୂପ ଦେଇଥାଏ। ପୂର୍ବକାଳରେ ଏହି ଅଞ୍ଚଳ ଘନ ଜଙ୍ଗଲରେ ଆବୃତ ଥିଲା ବୋଲି ସ୍ଥାନୀୟ ଲୋକକଥାରୁ ଜଣାଯାଏ । ହିନ୍ଦୋଳ ବ୍ଲକର ଜଳବାୟୁ ସାଧାରଣତଃ ଉଷ୍ଣ ଓ ଆର୍ଦ୍ର ପ୍ରକୃତିର। ଏଠାରେ ଲୋକମାନେ ପ୍ରାୟତଃ କୃଷି, ପଶୁପାଳନ ଓ ଛୋଟ ବ୍ୟବସାୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ଗ୍ରାମୀଣ ଜୀବନର ସରଳତା, ପରସ୍ପର ସହଯୋଗ ଓ ପରମ୍ପରାଗତ ସଂସ୍କୃତି ଏହି ଅଞ୍ଚଳର ମୁଖ୍ୟ ବିଶେଷତ୍ଵ। ବର୍ତ୍ତମାନ ସମୟରେ ହିନ୍ଦୋଳ ଓ ଏହାର ଅନ୍ତର୍ଗତ ଗ୍ରାମଗୁଡ଼ିକରେ ରାସ୍ତାଘାଟ, ଶିକ୍ଷା, ବିଦ୍ୟୁତ୍, ପାଣି ଓ ସ୍ୱାସ୍ଥ୍ୟ ସୁବିଧାର ଉନ୍ନତି ଘଟିଛି। ତଥାପି ଏଠାକାର ଗ୍ରାମୀଣ ପ୍ରାକୃତିକ ପରିବେଶ ଓ ଶାନ୍ତ ସରଳ ଜୀବନ ଆଜି ମଧ୍ୟ ଅବିକୃତ ରହିଛି। ନୂଆପାଣି ସାହି ହିନ୍ଦୋଳର ଐତିହ୍ୟ, ପ୍ରକୃତି ଓ ଗ୍ରାମୀଣ ଜୀବନଧାରାର ଏକ ସୁନ୍ଦର ପରିଚୟ ବହନ କରୁଛି।

ପ୍ରାଚୀନ ଇତିହାସ

ହିନ୍ଦୋଳ ଢେଙ୍କାନାଳ ସହରରୁ ପ୍ରାୟ ୫୦ରୁ ୬୦ କିଲୋମିଟର ଦୂରରେ ଅବସ୍ଥିତ । ହିନ୍ଦୋଳ ପୂର୍ବରୁ ଏକ ଗଡ଼ଜାତ ରାଜ୍ୟ ଥିଲା । ବ୍ରିଟିଶ ଶାସନ ସମୟରେ ଏହାର ନିଜସ୍ୱ ରାଜପରିବାର ଓ ଐତିହ୍ୟ ଥିଲା । ଏଠାରେ ପ୍ରଧାନତଃ ଓଡ଼ିଆ ଭାଷା କୁହଯାଏ । ହିନ୍ଦୋଳ ରାଜବାଟୀ ସ୍ଥାନୀୟ ଐତିହ୍ୟର ଏକ ଅଂଶ ଭାବେ ପରିଚିତ । ଇତିହାସ ଅନୁସାରେ ହିନ୍ଦୋଳ ପ୍ରଥମେ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ଥିଲା, ଯେଉଁଠାରେ ସ୍ଥାନୀୟ ଅଧିବାସୀ ସମୁଦାୟ ଓ ଗ୍ରାମବାସୀମାନେ ରହୁଥିଲେ । ଏଠାକୁ ପ୍ରଥମେ କନ୍ଧ ସମ୍ପ୍ରଦାୟ ଆସିଥିଲେ ଓ ପରେ ସାନ୍ତାଳ, ମୁଣ୍ଡା ଓ ସବର ପରି ଜନଜାତିମାନଙ୍କ ଆସିଥିବାର ଉଲ୍ଲେଖ ମିଳେ । ସ୍ଥାନୀୟ ବୃଦ୍ଧ ଲୋକମାନଙ୍କ କଥା ଅନୁସାରେ, ପୂର୍ବକାଳରେ ଏଠାରେ ଆଦିବାସୀ ସମୁଦାୟ ଓ କିଛି ଚାଷୀ ପରିବାର ବସବାସ ଆରମ୍ଭ କରିଥିଲେ। ଜଙ୍ଗଲ ସଫା କରି ସେମାନେ ଧୀରେ ଧୀରେ ଗ୍ରାମ ଗଠନ କରିଥିଲେ । “ନୂଆପାଣି” ନାମଟି ସ୍ଥାନୀୟ ଜଳସ୍ରୋତ ସହ ଜଡ଼ିତ ବୋଲି ମନେ କରାଯାଏ। କୁହାଯାଏ ଯେ, ଏଠାରେ ନୂତନ ଭାବେ ପାଣିର ଉତ୍ସ ମିଳିଥିବାରୁ ଲୋକମାନେ ଏହି ସ୍ଥାନକୁ “ନୂଆପାଣି” ବୋଲି ଡାକିବା ଆରମ୍ଭ କରିଥିଲେ। ପରେ ଏହି ଅଞ୍ଚଳରେ ଲୋକବସତି ବଢ଼ିବା ସହ ସାହିର ଗଠନ ହୋଇଥିଲା। ହିନ୍ଦୋଳ ଅଞ୍ଚଳରେ ପୁରୁଣା ସମୟରୁ ବହୁତ ପାହାଡ଼ ଓ ପୋଖରୀ ରହିଛି । ଗଡ଼ଜାତ ସମୟରେ ଏଗୁଡ଼ିକ ପାଣି, ସୁରକ୍ଷା ଓ ଗ୍ରାମ ଜୀବନ ପାଇଁ ଖୁବ ଦରକାରୀ ଥିଲା । ହିନ୍ଦୋଳ ଚାରିପାଖରେ ଛୋଟ – ବଡ଼ ପାହାଡ଼ ଓ ଜଙ୍ଗଲ ଅଞ୍ଚଳ ଅଛି । କୁତୁରିଆ, ରସଲ ଦିଗରେ ଅଧିକ ପାହାଡ଼ିଆ ପରିବେଶ ମିଳେ । ଗାଁରେ ପୁରୁଣା ରାଜା ସମୟରେ ପୋଖରୀ ଅଛି ସେଗୁଡ଼ିକ ପାଣି ସୁରକ୍ଷା, ସ୍ନାନ, ପୂଜା ପାଠ, ଚାଷ କାମ ପାଇଁ ବ୍ୟବହାର ହେଉଥିଲା ।

ଗାଁରେ ପାଣିର ସମସ୍ୟା

ଆମ ଗାଁରେ ଅନେକ କୂପ, ନଳକୂପ, ଓ ପୋଖରୀ ଅଛି । ଏଠାରେ ପ୍ରାୟ ହଜାରରୁ ଅଧିକ ନଳକୂପ ଓ ବହୁତ ପୁରୁଣା କୂପ ଅଛି, ଯଦିଓ ଏବେ କିଛି କମ ବ୍ୟବହାର ହୁଏ । ପ୍ରାୟ ପ୍ରତ୍ୟେକ ଗ୍ରାମରେ ଏକ କିମ୍ବା ତାଠାରୁ ଅଧିକ ପୋଖରୀ ଅଛି । ଏଠାରେ ଏକ ପୁରୁଣା ପୋଖରୀ ଅଛି ଯାହା ହିନ୍ଦୋଳ ରାଜବାଟୀର ଠିକ ସମ୍ମୁଖରେ ଅବସ୍ଥିତ । ହିନ୍ଦୋଳରେ ବାସ କରୁଥିବା କିଛି ଲୋକଙ୍କ ମତ ଅନୁଯାଇ ସେହି ପୋଖରୀରେ ହିନ୍ଦୋଳ ରାଜାଙ୍କ ରାଣୀ ସ୍ନାନ କରିବା ପାଇଁ ସେହି ପୋଖରୀର ବ୍ୟବହାର କରନ୍ତି ଓ ରାଜା ପୂଜା କାର୍ଯ୍ୟ ସମୟରେ ସେହି ପୋଖରୀର ବ୍ୟବହାର କରନ୍ତି । ଏଠାରେ ଏକ ଛୋଟ ଡ୍ୟାମ ମଧ୍ୟ ଅଛି ଯାହା ଖରାଦିନେ ସୁଖି ଯାଏ ଓ ବର୍ଷା ଦିନେ ଏହାର ପାଣି ପାଖ ଗାଁକୁ ଅଧିକ କ୍ଷତି ପହଞ୍ଚାଇଥାଏ । ଗାଁ ଭିତରେ କିଛି ଛୋଟ ଛୋଟ ଗ୍ରାମକୁ ପାଣିର ଅନେକ ଅସୁବିଧା ମଧ୍ୟ ଅଛି, ତାଙ୍କୁ କେବଳ ଗୋଟିଏ ଘଣ୍ଟା ପାଇଁ ପାଣି ଦିଆଯାଏ ଓ ଅନ୍ୟ ସମୟରେ ପାଣିର ବହୁତ ଅସୁବିଧା ହେଉଥାଏ । ଲୋକେ ସେତେବେଳେ ସେହି ପାଣିକୁ ଅଧା ଅଧା କରି ବ୍ୟବହାର କରନ୍ତି ।

ସନ୍ଧ୍ୟାରାଣୀ ଗୋଛାୟତ :

“ସନ୍ଧ୍ୟାରାଣୀ ଗୋଛାୟତ ହେଉଛନ୍ତି ଆମ ସାହିର ଜଣେ ଶିକ୍ଷିତ ମହିଳା । ତାଙ୍କର ଜନ୍ମ ୧୫-୦୪-୧୯୮୯ରେ ହୋଇଥିଲା ତାଙ୍କୁ ବର୍ତ୍ତମାନ ୩୭ ବର୍ଷ । ସେ ଏନ.ଏସ.ସିରେ ଝାଡୁ କରିବାର କାମ କରନ୍ତି । ସେ ପାଣିର ସମସ୍ୟାକୁ ନେଇ ଅନେକ କଥା କହିଛନ୍ତି । ତାଙ୍କ ତଥ୍ୟ ଅନୁଯାଇ ଗାଁରେ ଆଗ ଅପେକ୍ଷା ପାଣିର ସୁବିଧା ଟିକେ ବଢ଼ିଛି କିନ୍ତୁ ଏବେ ମଧ୍ୟ ଠିକ ଭାବେ ପାଣି ଯୋଗାଯାଉ ନାହିଁ । ସାହିରେ କେବଳ ୨ ଘଣ୍ଟା ପାଣି ଆସିଛି, ସେତିକି ଭିତରେ ନୂଆପାଣି ସାହିର ଲୋକେ ପାଣି ରଖନ୍ତି ଓ ପାଣି ଯଦି ସରିଯାଏ ତେବେ ଗାଁ ଲୋକେ ସହଯୋଗ କରନ୍ତି । ଓ ଖରାଦିନେ ନୂଆପାଣି ସାହିକୁ ପାଣି ଦିନେ ଆସିଲେ ଦିନେ ଆସେ ନାହିଁ ବୋଲି ସେ ମଧ୍ୟ କହୁଥିଲେ । ମୁଁ ଏହି କଥା ଶୁଣି ଅଧିକ ଦୁଃଖିତ ହେଲି କାରଣ ସରକାର ପାଣିର ସୁବିଧା କରିପାରିଲେ ନାହିଁ ଓ ଆମ ସାହିର ଲୋକେ ଆଜି ମଧ୍ୟ ଅସୁବିଧାରେ ପଡ଼ୁଛନ୍ତି ।”

ଗାଁର ଜଙ୍ଗଲ ଓ ପଶୁପକ୍ଷୀ

ପୁରୁଣା ସମୟରେ ହିନ୍ଦୋଳ ଅଞ୍ଚଳ ଘନ ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ଅଞ୍ଚଳ ପାଇଁ ପରିଚିତ ଥିଲା । ଗଡ଼ଜାତ ସମୟରେ ହିନ୍ଦୋଳର ଜଙ୍ଗଲ ଅଞ୍ଚଳ ଆଜିଠାରୁ ବହୁତ ଅଧିକ ବିସ୍ତୃତ ଥିଲା । ଇତିହାସ ଅନୁସାରେ, ଏହା ଜଙ୍ଗଲ ଅଞ୍ଚଳ – ଯେମିତି ରସଲ, କୁତୁରିଆ, ବାମୁଁର ଦିଗ ଓ ଅନ୍ୟ ଗଡ଼ଜାତ ସୀମା ପର୍ଯ୍ୟନ୍ତ ଫଇଥିଲା । ସେତେବେଳେ ଏଠାରେ ହାତୀ, ହରିଣ, ବନ୍ୟ ପଶୁ, ଭାଲୁ ଭଳି ପଶୁ ମଧ୍ୟ ମିଳୁଥିବା କୁହାଯାଏ । ପରେ ଧୀରେ ଧୀରେ ଲୋକ ବସତି, ଚାଷ ଓ ରାସ୍ତା ବଢ଼ିବାରୁ ଜଙ୍ଗଲ ଅଞ୍ଚଳ କମିଗଲା । ନୂଆପାଣି ସାହି ଚାରିପାଖରେ ମଧ୍ୟ ବହୁ ପ୍ରକାର ଗଛପଲା, ଜଙ୍ଗଲୀ ଫଳ ଓ ଔଷଧୀୟ ଉଦ୍ଭିଦ ଦେଖିବାକୁ ମିଳୁଥିଲା। ଏହି ଜଙ୍ଗଲ ଗ୍ରାମବାସୀଙ୍କ ଜୀବନର ଏକ ଅବିଭାଜ୍ୟ ଅଂଶ ଥିଲା। ଲୋକମାନେ ଜଙ୍ଗଲରୁ କାଠ, ପତ୍ର, ଫଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସଂଗ୍ରହ କରି ଜୀବନ ନିର୍ବାହ କରୁଥିଲେ। ଏହା ସହିତ ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ସୁନ୍ଦର କରୁଥିଲେ। ପ୍ରଭାତ ସମୟରେ ପକ୍ଷୀମାନଙ୍କର କୁହୁକୁହୁ ଶବ୍ଦ ଗ୍ରାମ ପରିବେଶକୁ ମନୋହର କରିଦେଉଥିଲା। ଜଙ୍ଗଲ କେବଳ ପଶୁପକ୍ଷୀଙ୍କ ଆଶ୍ରୟସ୍ଥଳ ନୁହେଁ, ଏହା ଗ୍ରାମର ପରିବେଶ ସୁରକ୍ଷା ଓ ଜଳବାୟୁ ସମତୁଳନରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଉଥିଲା। ବର୍ଷା ହେବା, ଶୁଦ୍ଧ ବାତାସ ଓ ପ୍ରାକୃତିକ ସନ୍ତୁଳନ ରକ୍ଷାରେ ଜଙ୍ଗଲର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବର୍ତ୍ତମାନ ସମୟରେ ଜନସଂଖ୍ୟା ବୃଦ୍ଧି ଓ ଜଙ୍ଗଲ କଟା ହେବାରୁ ପୂର୍ବାପେକ୍ଷା ଜଙ୍ଗଲ ଅଞ୍ଚଳ କମିଯାଇଛି। ତଥାପି ହିନ୍ଦୋଳ ଓ ଏହାର ଚାରିପାଖରେ ଆଜି ମଧ୍ୟ ପ୍ରକୃତିର ସୁନ୍ଦର ଛାପ ଦେଖିବାକୁ ମିଳେ। ଗ୍ରାମବାସୀମାନେ ଜଙ୍ଗଲ ଓ ପରିବେଶ ସୁରକ୍ଷା ପ୍ରତି ଆଗ୍ରହୀ ହେବା ଆବଶ୍ୟକ, କାରଣ ଏହା ଆମର ପ୍ରାକୃତିକ ସମ୍ପଦ ଓ ଆଗାମୀ ପିଢ଼ି ପାଇଁ ଅମୂଲ୍ୟ ।

ଗାଁରେ ଶିକ୍ଷା

ଶିକ୍ଷା ମନୁଷ୍ୟ ଜୀବନର ଏକ ଅମୂଲ୍ୟ ସମ୍ପଦ। ଗ୍ରାମର ଉନ୍ନତି ଓ ସମାଜର ପ୍ରଗତି ପାଇଁ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବକାଳରେ ଗ୍ରାମ ଅଞ୍ଚଳରେ ଶିକ୍ଷାର ସୁବିଧା ଅତ୍ୟନ୍ତ କମ୍ ଥିଲା। ଲୋକମାନେ ଅଧିକାଂଶ ସମୟରେ କୃଷି ଓ ଦୈନନ୍ଦିନ କାମରେ ବ୍ୟସ୍ତ ରହୁଥିଲେ। ସେଥିପାଇଁ ଅନେକ ଶିଶୁ ଶିକ୍ଷାରୁ ବଞ୍ଚିତ ହେଉଥିଲେ। କିନ୍ତୁ ସମୟ ସହିତ ଗ୍ରାମରେ ଶିକ୍ଷାର ଉନ୍ନତି ଘଟିଛି। ବର୍ତ୍ତମାନ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ରହିଛି। ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଶିଶୁମାନେ ମାଗଣା ପୁସ୍ତକ, ମଧ୍ୟାହ୍ନ ଭୋଜନ ଓ ପୋଷାକ ପାଉଛନ୍ତି। ଏଥିପାଇଁ ଅଭିଭାବକମାନେ ମଧ୍ୟ ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇବା ପାଇଁ ଆଗ୍ରହୀ ହେଉଛନ୍ତି।

ଗ୍ରାମର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ କେବଳ ପାଠପଢ଼ା ନୁହେଁ, ଭଲ ଆଚରଣ, ଶୃଙ୍ଖଳା ଓ ନୈତିକ ଶିକ୍ଷା ମଧ୍ୟ ଦେଉଛନ୍ତି। ଏବେ ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ସହରକୁ ଯାଇ ସଫଳତା ଅର୍ଜନ କରୁଛନ୍ତି। ତଥାପି କିଛି ଗ୍ରାମରେ ଶିକ୍ଷା କ୍ଷେତ୍ରରେ ଅସୁବିଧା ରହିଛି। ଭଲ ପାଠାଗାର, ପ୍ରୟୋଗଶାଳା ଓ ଡିଜିଟାଲ ଶିକ୍ଷାର ଆବଶ୍ୟକତା ଅନୁଭବ କରାଯାଉଛି। ତଥାପି ଗ୍ରାମରେ ଶିକ୍ଷାର ଆଲୋକ ଧୀରେ ଧୀରେ ପ୍ରସାରିତ ହେଉଛି ଓ ଏହା ଗ୍ରାମର ଉନ୍ନତିର ମୂଳ ଭିତ୍ତି ହେବାକୁ ଲାଗିଛି ।

ହିନ୍ଦୋଳ ବ୍ଲକରେ ସମୁଦାୟ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲକୁ ମିଶାଇ ଶହେରୁ ଅଧିକ ଅବସ୍ଥିତ ।

ରାଧିକା ଗୋଛାୟତ :

“ରାଧିକା ଗୋଛାୟତ ହେଉଛନ୍ତି ସନ୍ଧ୍ୟାରାଣୀ ଗୋଛାୟତଙ୍କ ଝିଅ । ତାଙ୍କର ବୟସ ବର୍ତ୍ତମାନ ୧୯ ବର୍ଷ । ସେ ତାଙ୍କ ପାଠପଢ଼ା ୧୫ ବର୍ଷରୁ ଛାଡ଼ି ସାରିଛନ୍ତି କାରଣ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ତାଙ୍କ ପାଠପଢ଼ା ଛାଡ଼ି ଦେଇଥିଲେ କାରଣ ସନ୍ଧ୍ୟାରାଣୀ ଗୋଛାୟତଙ୍କୁ ତାଙ୍କ ଝିଅକୁ ପଢ଼ାଇବାରେ ସକ୍ଷମ ନଥିଲା ଓ ସରକାରଙ୍କ ତରଫରୁ ମଧ୍ୟ କୌଣସି ପ୍ରକାରର ସାହାଯ୍ୟ ମିଳିଲା ନାହିଁ ସେଥିପାଇଁ ତାଙ୍କ ପାଠପଢ଼ା ଅଧାରୁ ରୋକି ଦିଆଗଲା ।”

ଗାଁର ଡାକ୍ତରଖାନା

ହିନ୍ଦୋଳ ବ୍ଲକରେ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରଖାନାର ସୁବିଧା ଅଛି କିନ୍ତୁ ଏହା ଆଗ ଭଳି କାର୍ଯ୍ୟ କରି ହେଉନାହିଁ । ଅଙ୍ଗନବାଡ଼ି ଓ ଆଶା କର୍ମଚାରୀମାନେ ମଧ୍ୟ ଗ୍ରାମ ଅଞ୍ଚଳରେ ସେବା ଦେଉଥାନ୍ତି । ଏଠାରେ ସାଧାରଣତଃ ଜ୍ୱର, ସର୍ଦି, ଓ ଛୋଟ ଛୋଟ ଚିକିତ୍ସା ଓ ଟୀକାକରଣ ହୁଏ । ଗର୍ଭବତୀ ମହିଳା ଓ ବଡ଼ ବଡ଼ ଚିକିତ୍ସା ପାଇଁ ଡାକ୍ତରଖାନାର ଡାକ୍ତରମାନେ ଅନ୍ୟ ଏକ ଡାକ୍ତରଖାନାକୁ ପଠାଇ ଦେଉଛନ୍ତି ଯାହା ଏଠାରୁ ୩୦ କି.ମି. ଦୂରରେ ଅଛି ଓ ଲୋକଙ୍କୁ ସେଠାକୁ ଯିବା ପାଇଁ ଅନେକ ଅସୁବିଧା ହେଉଅଛି । ଆଗ ଅପେକ୍ଷା ଏଠାରେ ଡାକ୍ତରଖାନାର ଅସୁବିଧା ଅଧିକ ଅଛି । ଆମ ସାହିଠାରୁ ହିନ୍ଦୋଳ ଡାକ୍ତରଖାନା ୨ କି.ମି. ଦୂରରେ ଅବସ୍ଥିତ । ଅନ୍ୟ ଛୋଟ ଛୋଟ ସାହି ପରି ଆମ ସାହି ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେଉଛି । ଏବେର ନୂଆ ନୂଆ ଡାକ୍ତରମାନେ ଭଲ ଚିକିତ୍ସା ଦେଉନାହାନ୍ତି ବୋଲି ସବୁ ସାହିର ଲୋକେ ଅଭିଯୋଗ ପ୍ରଦାନ କରୁଥିଲେ ।

ଗାଁର ରାସ୍ତାଘାଟ

ପୂର୍ବକାଳରେ ସାହିରେ ଭଲ ରାସ୍ତାର ସୁବିଧା ନଥିଲା। ଲୋକମାନେ ମାଟିର ରାସ୍ତା ଦ୍ୱାରା ପଦଯାତ୍ରା କିମ୍ବା ବୃଷଭ ଗାଡ଼ିରେ ଯାତାୟାତ କରୁଥିଲେ। ବର୍ଷା ଋତୁରେ ରାସ୍ତା କାଦୁଆ ହୋଇଯାଉଥିବାରୁ ଯାତାୟାତରେ ବହୁତ ଅସୁବିଧା ସୃଷ୍ଟି ହୋଇଥାଏ।

କିନ୍ତୁ ସମୟ ସହିତ ସାହିର ରାସ୍ତାଘାଟ ବ୍ୟବସ୍ଥାର ଉନ୍ନତି ଘଟିଛି। ବର୍ତ୍ତମାନ ଅନେକ ସାହିକୁ ପିଚୁ ରାସ୍ତା ଯୋଡ଼ିଛି। ନୂଆପାଣି ସାହିରୁ ସହର ଓ ଅନ୍ୟାନ୍ୟ ଅଞ୍ଚଳକୁ ଯାତାୟାତ ସୁବିଧା ବଢ଼ିଛି। ବସ୍, ଅଟୋ, ବାଇକ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ କରୁଛି।

ରାସ୍ତାର ଉନ୍ନତି ଫଳରେ ଗ୍ରାମବାସୀମାନେ ଶିକ୍ଷା, ଚିକିତ୍ସା ଓ ବ୍ୟବସାୟ କ୍ଷେତ୍ରରେ ବହୁତ ସୁବିଧା ପାଉଛନ୍ତି। ଚାଷୀମାନେ ମଧ୍ୟ ନିଜ ଉତ୍ପାଦିତ ଫସଲକୁ ସହଜରେ ବଜାରକୁ ନେଇପାରୁଛନ୍ତି। ଆପତକାଳୀନ ସମୟରେ ରୋଗୀଙ୍କୁ ହସ୍ପିଟାଲକୁ ନେବା ମଧ୍ୟ ସହଜ ହୋଇଛି। ତଥାପି କିଛି ଭିତର ସାହିରେ ଏବେ ମଧ୍ୟ ଭଲ ରାସ୍ତାର ଅଭାବ ଦେଖାଯାଏ। ବର୍ଷା ଦିନରେ କେତେକ ରାସ୍ତା ଚଳାଚଳ ଯୋଗ୍ୟ ରହେ ନାହିଁ। ସେଥିପାଇଁ ଗ୍ରାମର ସମ୍ପୂର୍ଣ୍ଣ ଉନ୍ନତି ପାଇଁ ରାସ୍ତାଘାଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ।

ଆଜିକାଲି ଗାଁର ପରିସ୍ଥିତି

ନୂଆପାଣି ସାହି ଆଜିକାଲି ଧୀରେ ଧୀରେ ଉନ୍ନତିର ପଥରେ ଆଗକୁ ବଢ଼ୁଛି। ପୂର୍ବକାଳରେ ଗ୍ରାମରେ ଅନେକ ମୌଳିକ ସୁବିଧାର ଅଭାବ ଥିଲେ ମଧ୍ୟ, ବର୍ତ୍ତମାନ ସମୟରେ ରାସ୍ତାଘାଟ, ବିଦ୍ୟୁତ୍, ପାଣି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳୁଛି।

ଗ୍ରାମର ଲୋକମାନେ ପ୍ରାୟତଃ କୃଷି, ଦୈନନ୍ଦିନ କାମ, ଛୋଟ ବ୍ୟବସାୟ ଓ ଚାକିରି ଉପରେ ନିର୍ଭର କରି ଜୀବନଯାପନ କରୁଛନ୍ତି। କିଛି ଯୁବକ ଓ ଯୁବତୀ ଉଚ୍ଚ ଶିକ୍ଷା ଓ ଚାକିରି ପାଇଁ ସହରକୁ ଯାଉଛନ୍ତି। ତଥାପି ଗ୍ରାମରେ ସରଳ ଜୀବନଶୈଳୀ ଓ ପରସ୍ପର ସହଯୋଗର ପରମ୍ପରା ଆଜି ମଧ୍ୟ ଅବିକୃତ ରହିଛି। ନୂଆପାଣି ସାହିରେ ବର୍ତ୍ତମାନ ମୋବାଇଲ ନେଟୱାର୍କ ଓ ଇଣ୍ଟରନେଟ ସୁବିଧା ମଧ୍ୟ ଲୋକମାନଙ୍କୁ ଆଧୁନିକ ଜୀବନ ସହ ଯୋଡ଼ିଛି। ପିଲାମାନେ ସ୍କୁଲକୁ ଯାଉଛନ୍ତି ଓ ଶିକ୍ଷା ପ୍ରତି ଆଗ୍ରହ ବଢ଼ୁଛି। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକମାନେ ଅନେକ ସୁବିଧା ପାଉଛନ୍ତି।

ତଥାପି କିଛି ସମସ୍ୟା ଆଜି ମଧ୍ୟ ରହିଛି। କେତେକ ସ୍ଥାନରେ ଭଲ ରାସ୍ତା, ପରିଷ୍କାର ପାଣି ଓ ଚାକିରି ସୁବିଧାର ଆବଶ୍ୟକତା ଅନୁଭବ କରାଯାଉଛି। ତଥାପି ନୂଆପାଣି ସାହି ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ, ଗ୍ରାମୀଣ ସଂସ୍କୃତି ଓ ସାମୁଦାୟିକ ଏକତାକୁ ନେଇ ଆଗକୁ ବଢ଼ୁଛି।

ଗାଁର ଅତୀତ

ପ୍ରତ୍ୟେକ ଗ୍ରାମର ନିଜସ୍ୱ ଏକ ଗୌରବମୟ ଅତୀତ ରହିଛି। ନୂଆପାଣି ସାହିର ଅତୀତ ମଧ୍ୟ ପ୍ରକୃତି, ପରିଶ୍ରମ ଓ ପରମ୍ପରାର ଏକ ସୁନ୍ଦର କାହାଣୀ। ପୁରାତନ କାଳରେ ଏହି ଅଞ୍ଚଳ ଘନ ଜଙ୍ଗଲ, ଛୋଟ ପାହାଡ଼ ଓ ପ୍ରାକୃତିକ ଜଳସ୍ରୋତରେ ପରିପୂର୍ଣ୍ଣ ଥିଲା। ସେତେବେଳେ ଲୋକବସତି କମ୍ ଥିଲା ଏବଂ ଅଧିକାଂଶ ସ୍ଥାନ ଜଙ୍ଗଲ ଦ୍ୱାରା ଆବୃତ ରହିଥିଲା।

ସ୍ଥାନୀୟ ଲୋକକଥା ଅନୁସାରେ, କିଛି ପରିବାର ଜୀବିକା ଓ ଚାଷ ପାଇଁ ଏଠାରେ ଆସି ବସବାସ ଆରମ୍ଭ କରିଥିଲେ। ସେମାନେ ଜଙ୍ଗଲ ସଫା କରି ଚାଷଜମି ପ୍ରସ୍ତୁତ କରିଥିଲେ ଏବଂ ଧୀରେ ଧୀରେ ଗ୍ରାମର ବିକାଶ ହୋଇଥିଲା। ସେହି ସମୟରେ କୂଅ, ପୋଖରୀ ଓ ପ୍ରାକୃତିକ ଜଳଧାରା ହିଁ ପାଣିର ମୁଖ୍ୟ ଉତ୍ସ ଥିଲା। ଗ୍ରାମର ଲୋକମାନେ କୃଷି, ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ ନିର୍ଭର କରି ଜୀବନଯାପନ କରୁଥିଲେ। ସେମାନଙ୍କ ଜୀବନ ସରଳ ହୋଇଥିଲେ ମଧ୍ୟ ପରସ୍ପର ସହଯୋଗ, ଭାଇଚାରା ଓ ସାମାଜିକ ଏକତାରେ ପରିପୂର୍ଣ୍ଣ ଥିଲା। ବିଭିନ୍ନ ପର୍ବପର୍ବାଣୀ, ମେଳା ଓ ଧାର୍ମିକ କାର୍ଯ୍ୟକ୍ରମ ଗ୍ରାମର ସାଂସ୍କୃତିକ ଜୀବନକୁ ସମୃଦ୍ଧ କରୁଥିଲା। ସମୟର ପରିବର୍ତ୍ତନ ସହ ଗ୍ରାମରେ ଶିକ୍ଷା, ଯୋଗାଯୋଗ ଓ ଜୀବନଧାରାର ଉନ୍ନତି ଘଟିଛି। କିନ୍ତୁ ଗ୍ରାମର ଅତୀତ ଆଜି ମଧ୍ୟ ତାହାର ପରମ୍ପରା, ସଂସ୍କୃତି ଓ ପୁରୁଣା ସ୍ମୃତି ମାଧ୍ୟମରେ ଜୀବନ୍ତ ରହିଛି। ଏହି ଅତୀତ ହିଁ ଗ୍ରାମର ପରିଚୟ ଓ ଭବିଷ୍ୟତ ବିକାଶର ଭିତ୍ତି।

ଦିବାକର ପଟ୍ଟନାୟକ :

“ଦିବାକର ପଟ୍ଟନାୟକ”ଙ୍କ ତଥ୍ୟ ଅନୁସାରେ, ନବକିଶୋର ସିଂ ଦେଓ ରାଜାଙ୍କ ଶାସନ ସମୟରୁ ହିନ୍ଦୋଳରେ ଲୋକମାନେ ବାସ କରୁଥିଲେ । ତାଙ୍କ କହିବା ଅନୁଯାଇ ରାଜା ହରିହର ରାୟଙ୍କ ସମୟରେ ହିନ୍ଦୋଳର ପ୍ରତିଷ୍ଠା ହୋଇଥିଲା (୧୫୫୪) । ପ୍ରଥମେ ଏଠାରେ କନ୍ଧମାନେ ଆସି ବସତି ସ୍ଥାପନ କରିଥିଲେ । ପରେ ଏଠାକୁ ସାନ୍ତାଳ, ମୁଣ୍ଡା ଓ ସବର ମାନେ ଆସି ରହିବା ଆରମ୍ଭ କରିଥିଲେ । ସେ କହିବା ଅନୁଯାଇ ଏଠାରେ ଅଧିକ ପାହାଡ଼ ଓ ପ୍ରକୃତି ଦୋଳନ ପରି ଲାଗୁଥିବାରୁ, ସେଥିପାଇଁ ଏହାର ନାମ “ହିନ୍ଦୋଳ” ପଡ଼ିଥିଲା । ହରିହର ସିଂ ଦେଓଙ୍କ ପରେ ଏଠାରେ ନବକିଶୋର ସିଂ ଦେଓ, ତା ପରେ ତାଙ୍କ ପୁଅ ପ୍ରତାପ ଚନ୍ଦ୍ର ସିଂ, ତା ପରେ ଏବେ ସୈଲେନ୍ଦ୍ର ନାରାୟଣ ସିଂ ଦେଓଙ୍କ ରାଜୁତି ଚାଲିଛି । ରାଜାଙ୍କ ଶାସନ ଏବେ ନଥିଲେ ମଧ୍ୟ ସେ ରାଜା ହିନ୍ଦୋଳର ଉନ୍ନତି ପାଇଁ ଅନେକ ସାହାଯ୍ୟ କରୁଛନ୍ତି ।

ହିନ୍ଦୋଳ ଢେଙ୍କାନାଳ ଠାରୁ ୫୦-୬୦ କି.ମି. ଭିତରେ ଅବସ୍ଥିତ । ବ୍ରିଟିଶ ଶାସନ ସମୟରେ ଓଡ଼ିଶାର ଯେଉଁ ୨୬ଟି ଗଡ଼ଜାତ ରାଜ୍ୟ ଥିଲା, ହିନ୍ଦୋଳ ସେମାନଙ୍କ ମଧ୍ୟରୁ ଗୋଟିଏ । ଏଠାରେ ନିଜସ୍ୱ ରାଜା, ରାଜବାଟୀ, ପ୍ରଶାସନ ଓ ରାଜ୍ୟ ବ୍ୟବସ୍ଥା ଥିଲା । ପରେ ୧୯୪୮ ମସିହାରେ ଭାରତ ସ୍ୱାଧୀନତା ପରେ ଏହା ଓଡ଼ିଶା ସହ ମିଶିଗଲା, ଓ ପରେ ଢେଙ୍କାନାଳ ଜିଲ୍ଲାର ଅଂଶ ହେଲା ।

ଗାଁର ଦେବୀ ଦେବତା

ଓଡ଼ିଶାର ଗ୍ରାମୀଣ ଜୀବନରେ ଦେବୀ-ଦେବତାଙ୍କର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନୂଆପାଣି ସାହି ଓ ଏହାର ଆଖପାଖ ସାହି ଲୋକମାନେ ପ୍ରାଚୀନ କାଳରୁ ମା’ ରତ୍ନେଶ୍ୱରୀଙ୍କୁ ଆରାଧନା କରିଆସୁଛନ୍ତି । ଗ୍ରାମର ଶାନ୍ତି, ସମୃଦ୍ଧି, ସୁଖ ଓ ମଙ୍ଗଳ କାମନା କରି ଲୋକମାନେ ନିୟମିତ ପୂଜାପାଠ କରନ୍ତି । ଗ୍ରାମରେ ସାଧାରଣତଃ ମା’ ରତ୍ନେଶ୍ୱରୀଙ୍କୁ ସର୍ବାଧିକ ଶ୍ରଦ୍ଧାର ସହ ପୂଜା କରାଯାଏ । ରତ୍ନେଶ୍ୱରୀଙ୍କୁ ଗ୍ରାମର ରକ୍ଷାକର୍ତ୍ତ୍ରୀ ବୋଲି ମନେ କରାଯାଏ । ଏହାଛଡ଼ା ଭଗବାନ ଶିବ, ମା’ ଦୁର୍ଗା, ମା’ କାଳୀ, ଭଗବାନ ଜଗନ୍ନାଥ, ଭଗବାନ ହନୁମାନ ଓ ଅନ୍ୟାନ୍ୟ ଦେବଦେବୀଙ୍କ ପୂଜା ମଧ୍ୟ ପ୍ରଚଳିତ ଅଟେ ।

ବର୍ଷର ବିଭିନ୍ନ ସମୟରେ ଗ୍ରାମରେ ପୂଜା, ଯଜ୍ଞ, ମେଳା ଓ ଧାର୍ମିକ ଉତ୍ସବର ଆୟୋଜନ କରାଯାଏ । ଏହି ସମସ୍ତ ଉତ୍ସବରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଭକ୍ତି ଓ ଆନନ୍ଦର ସହ ଅଂଶଗ୍ରହଣ କରନ୍ତି । ଏହା ଗ୍ରାମର ସାମାଜିକ ଏକତା ଓ ସାଂସ୍କୃତିକ ପରମ୍ପରାକୁ ସୁଦୃଢ଼ କରିଥାଏ । ଦେବୀ-ଦେବତାଙ୍କ ପ୍ରତି ଗ୍ରାମବାସୀଙ୍କର ଆସ୍ଥା ଓ ଭକ୍ତି ଗ୍ରାମର ଧାର୍ମିକ ଜୀବନକୁ ସମୃଦ୍ଧ କରିଛି । ଏହି ପରମ୍ପରା ପିଢ଼ି ପରେ ପିଢ଼ି ଚାଲିଆସୁଛି ଏବଂ ଗ୍ରାମର ସାଂସ୍କୃତିକ ଐତିହ୍ୟର ଏକ ମୂଲ୍ୟବାନ ଅଂଶ ଭାବେ ରହିଆସିଛି ।

ଗାଁ ଲୋକଙ୍କ ମତ ଅନୁଯାୟୀ ହିନ୍ଦୋଳର ରାଜା ମା’ଙ୍କ ବିନା ମତ ନେଇ କୌଣସି ବି ଶୁଭ କାର୍ଯ୍ୟ କରୁନଥିଲେ । ସେ ମା’ଙ୍କୁ ଇଷ୍ଟଦେବୀ ବୋଲି ମନେ କରୁଥିଲେ । ମା’ ରତ୍ନେଶ୍ୱରୀ ହିନ୍ଦୋଳର ପ୍ରତ୍ୟକ୍ଷ ଦେବୀ । ଏବେ ମଧ୍ୟ ତାଙ୍କ ଆରାଧନା ନ କରି କୌଣସି ଭକ୍ତ ହିନ୍ଦୋଳ ବାହାରକୁ ଯାନ୍ତି ନାହିଁ ।

ଗାଁର ପର୍ବ ପର୍ବାଣୀ

ଗ୍ରାମୀଣ ଜୀବନରେ ପର୍ବପର୍ବାଣୀର ଏକ ବିଶେଷ ସ୍ଥାନ ରହିଛି। ପର୍ବପର୍ବାଣୀ କେବଳ ଆନନ୍ଦ ଓ ଉତ୍ସବର ଅବସର ନୁହେଁ, ବରଂ ଏହା ଗ୍ରାମର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଜୀବନର ପ୍ରତିଫଳନ। ନୂଆପାଣି ସାହି ଓ ହିନ୍ଦୋଳ ଅଞ୍ଚଳର ଲୋକମାନେ ବିଭିନ୍ନ ପର୍ବପର୍ବାଣୀକୁ ବହୁତ ଉତ୍ସାହ ଓ ଭକ୍ତିର ସହ ପାଳନ କରି ଆସୁଛନ୍ତି।

ଗ୍ରାମରେ ରଜ ପର୍ବ ବହୁତ ଆନନ୍ଦର ସହ ପାଳନ କରାଯାଏ। ଏହି ପର୍ବରେ ଝିଅମାନେ ଦୋଳି ଖେଳନ୍ତି, ନୂଆ ବସ୍ତ୍ର ପିନ୍ଧନ୍ତି ଓ ବିଭିନ୍ନ ପିଠାପଣା ପ୍ରସ୍ତୁତ କରାଯାଏ। ଦୋଳଯାତ୍ରା ମଧ୍ୟ ଗ୍ରାମର ଏକ ପ୍ରମୁଖ ପର୍ବ, ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୁଏ।

ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଓ ସରସ୍ୱତୀ ପୂଜା ଭଳି ହିନ୍ଦୁ ଧର୍ମର ପ୍ରମୁଖ ପର୍ବଗୁଡ଼ିକ ମଧ୍ୟ ଗ୍ରାମରେ ଧୂମଧାମରେ ପାଳନ କରାଯାଏ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକମାନେ ବୋଇତ ବନ୍ଦାପନା କରି ନଦୀ କିମ୍ବା ପୋଖରୀରେ ଭସାନ୍ତି। ମକର ସଂକ୍ରାନ୍ତି ଓ କୁମାର ପୂର୍ଣ୍ଣିମା ମଧ୍ୟ ଆନନ୍ଦ ଓ ପରମ୍ପରାର ସହ ପାଳନ କରାଯାଏ।

ଗ୍ରାମର ନିଜସ୍ୱ ହରିହାଟ ଯାତ୍ରା, ମେଳା ଓ ପୂଜାପର୍ବ ମଧ୍ୟ ଲୋକମାନଙ୍କ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ଏହି ସମୟରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ପୂଜା, ଭଜନ, କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରନ୍ତି।

ପର୍ବପର୍ବାଣୀ ଗ୍ରାମର ଲୋକମାନଙ୍କ ମଧ୍ୟରେ ଭାଇଚାରା, ସହଯୋଗ ଓ ଏକତାର ଭାବନାକୁ ସୁଦୃଢ଼ କରିଥାଏ। ଏହା ଗ୍ରାମର ସାଂସ୍କୃତିକ ଐତିହ୍ୟକୁ ଜୀବନ୍ତ ରଖିବା ସହ ନୂତନ ପିଢ଼ିକୁ ନିଜ ପରମ୍ପରା ସହ ପରିଚିତ କରାଏ।

ଗାଁ ଲୋକଙ୍କ ମଧ୍ୟରେ ସମ୍ପର୍କ

ସାହିରେ ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଲୋକମାନଙ୍କ ମଧ୍ୟରେ ଥିବା ସ୍ନେହ, ସହଯୋଗ ଓ ଆତ୍ମୀୟତା। ନୂଆପାଣି ସାହିର ଲୋକମାନେ ପରସ୍ପର ସହ ଘନିଷ୍ଠ ସମ୍ପର୍କ ରଖି ଆସୁଛନ୍ତି। ସୁଖ-ଦୁଃଖ, ବିପଦ-ଆପଦ ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ଗ୍ରାମବାସୀମାନେ ପରସ୍ପରକୁ ସହଯୋଗ କରନ୍ତି।

ସାହିରେ ଏକ ପରିବାରର ଖୁସି କିମ୍ବା ଦୁଃଖକୁ ସମଗ୍ର ଗ୍ରାମ ନିଜର ବୋଲି ମନେ କରେ। ବିବାହ, ବ୍ରତ, ପୂଜାପର୍ବ, ମେଳା ଓ ଅନ୍ୟାନ୍ୟ ସାମାଜିକ ଉତ୍ସବରେ ସମସ୍ତେ ମିଳିମିଶି ଅଂଶଗ୍ରହଣ କରନ୍ତି। ଏହି ମିଳନ ଓ ସହଯୋଗ ଗ୍ରାମର ସାମାଜିକ ବନ୍ଧନକୁ ଆହୁରି ଦୃଢ଼ କରିଥାଏ।

ପୁରାତନ କାଳରୁ ସାହିରେ ଭାଇଚାରା ଓ ସମନ୍ୱୟର ପରମ୍ପରା ରହି ଆସିଛି। ଚାଷ କାମ, ଘର ନିର୍ମାଣ କିମ୍ବା ଅନ୍ୟ କୌଣସି ସାମୂହିକ କାର୍ଯ୍ୟରେ ଲୋକମାନେ ପରସ୍ପରକୁ ସାହାଯ୍ୟ କରୁଥିଲେ। ଏହି ପରସ୍ପର ସହଯୋଗ ଗ୍ରାମର ଏକତା ଓ ସମୃଦ୍ଧିର ମୂଳ ଭିତ୍ତି ଥିଲା।

ବର୍ତ୍ତମାନ ସମୟରେ ଆଧୁନିକତାର ପ୍ରଭାବ ପଡ଼ିଥିଲେ ମଧ୍ୟ, ଗ୍ରାମରେ ମାନବିକତା, ସମ୍ମାନ ଓ ସହଯୋଗର ଭାବନା ଆଜି ମଧ୍ୟ ଅବିକୃତ ରହିଛି। ଗ୍ରାମବାସୀମାନେ ପରସ୍ପରର ସମସ୍ୟାରେ ସାଥି ହୋଇ ରହନ୍ତି ଏବଂ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଠନରେ ନିଜର ଅବଦାନ ରଖନ୍ତି।

ଏହି ସ୍ନେହ, ଭାଇଚାରା ଓ ସାମାଜିକ ଏକତା ହିଁ ଗ୍ରାମ ଜୀବନର ପ୍ରକୃତ ପରିଚୟ ଏବଂ ଏହା ନୂଆପାଣି ସାହିର ସାମାଜିକ ଶକ୍ତିର ମୂଳ ଆଧାର ଅଟେ।

ଗାଁରେ ବିବାହ, ଜନ୍ମ, ମୃତ୍ୟୁ ପାଳନ

ଆମ ସାହିରେ ବିବାହ, ଜନ୍ମ ଓ ମୃତ୍ୟୁ ମାନବ ଜୀବନର ତିନୋଟି ପ୍ରମୁଖ ସଂସ୍କାର ଭାବେ ପରିଗଣିତ। ଏହି ସମସ୍ତ ସାମାଜିକ ଓ ପାରିବାରିକ କାର୍ଯ୍ୟ ପରମ୍ପରା, ରୀତିନୀତି ଓ ସାମୂହିକ ସହଯୋଗର ମାଧ୍ୟମରେ ପାଳନ କରାଯାଏ।

ବିବାହ ପାଳନ

ସାହିରେ ବିବାହ ଏକ ଆନନ୍ଦମୟ ଓ ସାମାଜିକ ଉତ୍ସବ। ବିବାହ ପୂର୍ବରୁ ନିର୍ବନ୍ଧ, ମଙ୍ଗଳାଚରଣ, ହଳଦୀ ଓ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତି ପାଳନ କରାଯାଏ। ବିବାହ ଦିନରେ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀମାନେ ଏକତ୍ରିତ ହୋଇ ବର-କନ୍ୟାଙ୍କୁ ଆଶୀର୍ବାଦ କରନ୍ତି। ଭୋଜିଭାତ, ଗୀତ ଓ ଆନନ୍ଦ ଉତ୍ସବ ମାଧ୍ୟମରେ ବିବାହ ସମ୍ପନ୍ନ ହୁଏ।

ଜନ୍ମ ପାଳନ

ପରିବାରରେ ଏକ ଶିଶୁର ଜନ୍ମକୁ ଶୁଭ ଓ ଆନନ୍ଦର ବିଷୟ ଭାବେ ଗ୍ରହଣ କରାଯାଏ। ଶିଶୁ ଜନ୍ମ ପରେ ନାମକରଣ ଉତ୍ସବ ଆୟୋଜନ କରାଯାଏ। ପରିବାର ଓ ସମ୍ପର୍କୀୟମାନେ ନବଜାତ ଶିଶୁକୁ ଆଶୀର୍ବାଦ ପ୍ରଦାନ କରନ୍ତି। ଶିଶୁର ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଏ।

ମୃତ୍ୟୁ ପାଳନ

ମୃତ୍ୟୁ ଜୀବନର ଏକ ଚିରନ୍ତନ ସତ୍ୟ। ଗ୍ରାମରେ କାହାର ମୃତ୍ୟୁ ହେଲେ ପରିବାର ସହ ସମଗ୍ର ଗ୍ରାମ ଶୋକ ପ୍ରକାଶ କରେ। ଧାର୍ମିକ ରୀତିନୀତି ଅନୁଯାୟୀ ଅନ୍ତ୍ୟେଷ୍ଟି କାର୍ଯ୍ୟ ସମ୍ପନ୍ନ କରାଯାଏ। ପରେ ଶୁଦ୍ଧିକ୍ରିୟା, ଶ୍ରାଦ୍ଧ ଓ ସ୍ମୃତି ସଭା ମାଧ୍ୟମରେ ମୃତ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଏ।

ଏହି ବିବାହ, ଜନ୍ମ ଓ ମୃତ୍ୟୁ ସମ୍ବନ୍ଧୀୟ ପରମ୍ପରା ଗ୍ରାମର ସାମାଜିକ ଓ ସାଂସ୍କୃତିକ ଜୀବନକୁ ସମୃଦ୍ଧ କରିଥାଏ ଏବଂ ଲୋକମାନଙ୍କ ମଧ୍ୟରେ ଏକତା, ସହଯୋଗ ଓ ଆତ୍ମୀୟତାର ଭାବନାକୁ ଦୃଢ଼ କରେ ।

ଗାଁର ରୋଜଗାର ଓ ଜୀବିକା

ଗ୍ରାମୀଣ ଜୀବନର ମୁଖ୍ୟ ଆଧାର ହେଉଛି ରୋଜଗାର ଓ ଜୀବିକା। ନୂଆପାଣି ସାହି ଓ ହିନ୍ଦୋଳ ଅଞ୍ଚଳର ଅଧିକାଂଶ ଲୋକ ପାରମ୍ପରିକ ଭାବରେ କୃଷି ଓ ଏହା ସହ ଜଡ଼ିତ କାମ ଉପରେ ନିର୍ଭର କରି ଆସୁଛନ୍ତି। ଜମି ଚାଷ, ପଶୁପାଳନ ଓ ଛୋଟ ବ୍ୟବସାୟ ଗ୍ରାମବାସୀଙ୍କ ଜୀବିକାର ପ୍ରମୁଖ ମାଧ୍ୟମ ଅଟେ।

ଗ୍ରାମର ଅନେକ ଲୋକ ଧାନ, ଡାଲି, ପନିପରିବା ଓ ଅନ୍ୟାନ୍ୟ ଫସଲ ଚାଷ କରି ଜୀବନ ନିର୍ବାହ କରନ୍ତି। ଗୋପାଳନ, ଛେଳି ପାଳନ, କୁକୁଡ଼ା ପାଳନ ଭଳି କାମ ମଧ୍ୟ ଅନେକ ପରିବାରର ଅତିରିକ୍ତ ଆୟର ଉତ୍ସ ଅଟେ।

କିଛି ଲୋକ ଗ୍ରାମରେ ଛୋଟ ବ୍ୟବସାୟ, ଦୋକାନ, ନିର୍ମାଣ କାମ ଓ ଅନ୍ୟାନ୍ୟ ଶ୍ରମଭିତ୍ତିକ କାର୍ଯ୍ୟ କରି ରୋଜଗାର କରନ୍ତି। ଆଜିକାଲି ଅନେକ ଯୁବକ ଶିକ୍ଷା ଲାଭ କରି ସରକାରୀ ଓ ବେସରକାରୀ ଚାକିରି, ବ୍ୟବସାୟ ଏବଂ ବାହାର ଅଞ୍ଚଳରେ କାମ କରି ନିଜ ପରିବାରକୁ ସହଯୋଗ କରୁଛନ୍ତି।

ପୂର୍ବକାଳରେ ଜଙ୍ଗଲ ମଧ୍ୟ ଗ୍ରାମବାସୀଙ୍କ ଜୀବନର ଏକ ଅଂଶ ଥିଲା। ଜଙ୍ଗଲରୁ ମିଳୁଥିବା କିଛି ସମ୍ପଦ ଲୋକମାନଙ୍କ ଆବଶ୍ୟକତା ପୂରଣରେ ସହାୟକ ହେଉଥିଲା। ବର୍ତ୍ତମାନ ସମୟରେ ଶିକ୍ଷା ଓ ନୂତନ ସୁଯୋଗ ବଢ଼ିବା ସହ ଲୋକମାନଙ୍କ ରୋଜଗାରର ମାର୍ଗ ମଧ୍ୟ ବିସ୍ତାରିତ ହୋଇଛି।

ଗ୍ରାମର ଆର୍ଥିକ ଉନ୍ନତି ପାଇଁ କୃଷିର ଆଧୁନିକୀକରଣ, ଛୋଟ ଶିଳ୍ପ ଓ ନୂତନ ରୋଜଗାର ସୁଯୋଗର ଆବଶ୍ୟକତା ରହିଛି। ଏହା ଦ୍ୱାରା ଗ୍ରାମବାସୀଙ୍କ ଜୀବନମାନ ଆହୁରି ଉନ୍ନତ ହେବ।

ବ୍ରମର ବେହେରା :

“ବ୍ରମର ବେହେରା ହେଉଛନ୍ତି ଆମ ସାହିର ଜଣେ ଚାଷୀ । ତାଙ୍କ ବୟସ ୭୨ ବର୍ଷ । ସେ ଚାଷ କାମ କରି ତାଙ୍କ ଘର ଚଳାନ୍ତି । ତାଙ୍କର ୩ଟି ଝିଅ ଗୋଟିଏ ପୁଅ, ତାଙ୍କ ପୁଅ ଘରେ ଘରେ ରଙ୍ଗ ମାରି ଘର ଚଳାଏ । ବ୍ରମର ବେହେରା ଅନେକ ଚାଷ କରନ୍ତି ଯେପରି କି ଧାନ, ଗହମ, ମାଣ୍ଡିଆ, ଓ ପନିପରିବାରେ ସେ କୋବି, ବାଇଗଣ ପରି ବହୁତ କିଛି ଚାଷ କରନ୍ତି ଓ ସେଥିରେ ତାଙ୍କ ଘର ପରିବାର ପୋଷନ୍ତି । ଏହି ବ୍ୟବସାୟରୁ ସେ ତାଙ୍କ ଦୁଇ ଝିଅଙ୍କ ବିବାହ କରି ସାରିଲେଣି ଓ ସାନ ଝିଅର ପାଠପଢ଼ାରେ ଲଗାଉଛନ୍ତି । ତାଙ୍କ ଚାଷ କାର୍ଯ୍ୟରେ କୌଣସି ପ୍ରକାରର କେମିକାଲ ବ୍ୟବହାର କରନ୍ତି ନାହିଁ, ସେ କେବଳ ପ୍ରାକୃତିକ ଉପାୟରେ ଚାଷ କାମ କରନ୍ତି । ସେଥିପାଇଁ ତାଙ୍କ ପନିପରିବା ଗାଁର ଓ ସାହିର ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି ।

ବିଶ୍ୱନାଥ ମୁଦୁଲି :

“ବିଶ୍ୱନାଥ ମୁଦୁଲି ହେଉଛନ୍ତି ଆମ ଗାଁର କୁମ୍ଭାର । ସେ ଅନେକ ପ୍ରକାରର ମାଟି ହାଣ୍ଡି, ସୁରେଇ, ମାଟିରେ ତିଆରି ଅନେକ ପାତ୍ର ବନାନ୍ତି । ତାଙ୍କ ତିଆରି ଜିନିଷ ଆମ ସାହିର ଲୋକମାନଙ୍କୁ ବହୁତ ଭଲ ଲାଗେ । ସେ ତାଙ୍କ ସମସ୍ତ ଜିନିଷକୁ ନେଇ ହାଟରେ ବିକ୍ରି କରନ୍ତି ଓ ନିଜ ଘର ଚଳାନ୍ତି । ବିଶ୍ୱନାଥ ମୁଦୁଲିଙ୍କୁ ବର୍ତ୍ତମାନ ୭୦ ବର୍ଷ।

ଗାଁରେ ଖେଳା ଯାଉଥିବା ଖେଳ

ଖେଳକୁଦ ଗ୍ରାମୀଣ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଶରୀର ଓ ମନର ବିକାଶରେ ମଧ୍ୟ ସହାୟକ ହୋଇଥାଏ। ନୂଆପାଣି ସାହି ଓ ହିନ୍ଦୋଳ ଅଞ୍ଚଳରେ ପୁରାତନ କାଳରୁ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ଖେଳ ଖେଳାଯାଇ ଆସୁଛି। ପୂର୍ବକାଳରେ ପିଲା ଓ ଯୁବକମାନେ କବାଡ଼ି, ଖୋ-ଖୋ, ଗିଲି ଡାଣ୍ଡା, ବାଘୁଡ଼ି, ଲୁଚକାଳି ଓ ଦଉଡ଼ ପ୍ରତିଯୋଗିତା ଭଳି ଦେଶୀ ଖେଳ ଖେଳୁଥିଲେ। ଏହି ଖେଳଗୁଡ଼ିକ ଗ୍ରାମୀଣ ସଂସ୍କୃତିର ଏକ ଅଂଶ ଥିଲା ଏବଂ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଭାଇଚାରା ବଢ଼ାଉଥିଲା। ବର୍ତ୍ତମାନ ସମୟରେ କ୍ରିକେଟ, ଫୁଟବଲ ଗ୍ରାମର ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ବିଶେଷକରି କ୍ରିକେଟ ଖେଳ ପ୍ରତି ଯୁବକମାନଙ୍କର ଅଧିକ ଆଗ୍ରହ ଦେଖାଯାଏ। ବିଭିନ୍ନ ପର୍ବପର୍ବାଣୀ ଓ ଛୁଟି ଦିନରେ ଖେଳ ପ୍ରତିଯୋଗିତାର ଆୟୋଜନ ହୁଏ, ଯେଉଁଥିରେ ଗ୍ରାମର ଅନେକ ଯୁବକ ଅଂଶଗ୍ରହଣ କରନ୍ତି। ଖେଳକୁଦ ଦ୍ୱାରା ଶାରୀରିକ ସୁସ୍ଥତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଦଳଗତ ମନୋଭାବ ବିକଶିତ ହୁଏ। ଏହା ଯୁବପିଢ଼ିଙ୍କୁ ମଦ୍ୟପାନ ଓ ଅନ୍ୟାନ୍ୟ ଖରାପ ଅଭ୍ୟାସରୁ ଦୂରେ ରଖି ଏକ ସୁସ୍ଥ ଓ ସକ୍ରିୟ ଜୀବନ ବିତାଇବାରେ ସହାୟତା କରେ।

ଆର.ଏନ. ନାୟକ :

ଆମ ଗାଁରେ ଅଗଷ୍ଟ ୨୦୨୩ରେ ଏକ ଇନଡୋର ଷ୍ଟାଡ଼ିୟମର ନିର୍ମାଣ ହୋଇଥିଲା । ଏଠାରେ ନିହାର ରଞ୍ଜନ ପଟ୍ଟନାୟକ ପିଲାମାନଙ୍କୁ ବ୍ୟାଡ୍‌ମିଣ୍ଟନ ଶିଖାଆନ୍ତି । ଆର.ଏନ. ନାୟକଙ୍କୁ ବର୍ତ୍ତମାନ ୫୨ ବର୍ଷ ଓ ସେ ଇନଡୋର ଷ୍ଟାଡ଼ିୟମରେ ଜଣେ ହେଲ୍ପର ଭାବେ କାର୍ଯ୍ୟ କରନ୍ତି । ତାଙ୍କ ମତ ଅନୁଯାଇ ଅନେକ ପିଲା ଡିଷ୍ଟ୍ରିକ୍ଟ ଲେଭେଲରେ ଖେଳି ଉନ୍ନତି କରିଛନ୍ତି ।

ନାମ :

ପ୍ରିୟଙ୍କା ମିଶ୍ର (u-14) ୨୦୨୪-୨୫ ଲିଖିତା ନାୟକ (u-14) ୨୦୨୫-୨୬ ସୋହେଲ ଖାନ (u-19) ସୂର୍ଯ୍ୟ ପ୍ରକାଶ ରାଜ (u-11) ସନ୍ଦୀପ ସାମନ୍ତ (u-19)

ଏହି ଷ୍ଟାଡ଼ିୟମରେ ୫୦ରୁ ଅଧିକ ପିଲା ଖେଳ ଖେଳନ୍ତି ଓ ଗାଁର କୌଣସି ଅସୁବିଧା ହେଲେ ସେହି ଷ୍ଟାଡ଼ିୟମ କାର୍ଯ୍ୟରେ ଆସେ । ସେହି ଷ୍ଟାଡ଼ିୟମର ନାମ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡ଼ିୟମ ।

ଗାଁରେ ଧନୀ ଓ ଗରିବ ମଧ୍ୟରେ ତୁଳନା

ଗ୍ରାମ ସମାଜରେ ବିଭିନ୍ନ ଆର୍ଥିକ ସ୍ଥିତିର ଲୋକ ବସବାସ କରନ୍ତି। କେତେକ ପରିବାର ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଥିବାବେଳେ, ଅନ୍ୟ କେତେକ ପରିବାର ସାଧାରଣ କିମ୍ବା ଆର୍ଥିକ ଭାବେ ଦୁର୍ବଳ ଅବସ୍ଥାରେ ରହନ୍ତି। ଏହି ପାର୍ଥକ୍ୟ ମୁଖ୍ୟତଃ ଜମି, ରୋଜଗାର, ଶିକ୍ଷା ଓ ଆୟର ଉତ୍ସ ଉପରେ ନିର୍ଭର କରେ। ଧନୀ ପରିବାରମାନଙ୍କ ପାଖରେ ସାଧାରଣତଃ ଅଧିକ ଚାଷଜମି, ବ୍ୟବସାୟ କିମ୍ବା ସ୍ଥାୟୀ ଆୟର ଉତ୍ସ ଥାଏ। ସେମାନେ ଉତ୍ତମ ଘର, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ସୁବିଧା ସହଜରେ ପାଇପାରନ୍ତି। ଅନ୍ୟପକ୍ଷରେ, ଗରିବ ପରିବାରମାନେ ପ୍ରାୟତଃ ଦୈନିକ ମଜୁରୀ, ଛୋଟ ଚାଷ କିମ୍ବା ଅନ୍ୟାନ୍ୟ ଶ୍ରମଭିତ୍ତିକ କାମ ଉପରେ ନିର୍ଭର କରନ୍ତି। ସେମାନଙ୍କୁ ଜୀବନର ମୌଳିକ ଆବଶ୍ୟକତା ପୂରଣ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼େ। ତଥାପି ଗ୍ରାମ ସମାଜରେ ଧନୀ ଓ ଗରିବଙ୍କ ମଧ୍ୟରେ ପରସ୍ପର ସହଯୋଗ ଓ ସାମାଜିକ ସମ୍ପର୍କ ରହିଥାଏ। ବିଭିନ୍ନ ପର୍ବପର୍ବାଣୀ, ସାମାଜିକ କାର୍ଯ୍ୟ ଓ ଗ୍ରାମର ଉନ୍ନତିମୂଳକ କାମରେ ସମସ୍ତେ ମିଳିମିଶି ଅଂଶଗ୍ରହଣ କରନ୍ତି। ଏହା ଗ୍ରାମର ସାମାଜିକ ଏକତାକୁ ଦୃଢ଼ କରିଥାଏ।

ବର୍ତ୍ତମାନ ସମୟରେ ଶିକ୍ଷା, ସରକାରୀ ଯୋଜନା ଓ ନୂତନ ରୋଜଗାର ସୁଯୋଗ ଦ୍ୱାରା ଆର୍ଥିକ ଅସମାନତା କମାଇବାର ପ୍ରୟାସ ଚାଲିଛି। ଗ୍ରାମର ସାର୍ବଜନୀନ ଉନ୍ନତି ପାଇଁ ସମସ୍ତ ଶ୍ରେଣୀର ଲୋକଙ୍କ ସହଯୋଗ ଓ ସମାନ ସୁଯୋଗ ଆବଶ୍ୟକ।

ଏକ ସୁସ୍ଥ ଓ ସମୃଦ୍ଧ ଗ୍ରାମ ସେହିଠାରେ ଗଢ଼ି ଉଠେ, ଯେଉଁଠାରେ ଧନୀ ଓ ଗରିବ ସମସ୍ତେ ପରସ୍ପରକୁ ସମ୍ମାନ କରି ଏକତାର ସହ ବସବାସ କରନ୍ତି ।

ସୋମନାଥ ସେଠୀ :

ସୋମନାଥ ସେଠୀ ହେଉଛନ୍ତି ଆମ ଗାଁର ସବୁଠାରୁ ଧନୀ ଲୋକ । ତାଙ୍କ ବୟସ ୫୨ ବର୍ଷ । ସେ ହେଉଛନ୍ତି ଜଣେ ସରପଞ୍ଚ । ସେ ଗାଁ ପାଇଁ ବହୁତ କିଛି କରିଛନ୍ତି । ତାଙ୍କ ଘରେ ସେ ସବୁ ପ୍ରକାର ବ୍ୟବସ୍ଥା ମିଳିପାରେ ଯାହା ଏକ ସାଧାରଣ ଲୋକ କିମ୍ବା ଗୋଟିଏ ଗରିବ ଘରେ ପାଇବ ନାହିଁ । ଆମ ଗାଁରେ ସବୁଠାରୁ ବଡ଼ ଘର ହେଉଛି ତାଙ୍କର । ତାଙ୍କ ଘରେ ୩ଟି କାର, ଗୋଟିଏ ଜେ.ସି.ବି, ଓ ଅନେକ ପ୍ରକାର ଯାନବାହନ ଅଛି ।

କାଳିଆ ପରିଡ଼ା :

କାଳିଆ ପରିଡ଼ା ହେଉଛନ୍ତି ଆମ ଗାଁର ଜଣେ ଗରିବ ବ୍ୟକ୍ତି । ତାଙ୍କ ବୟସ ୫୦ ବର୍ଷ । ସେ ହେଉଛନ୍ତି ଜଣେ ସାମାନ୍ୟ ଚାଷୀ । ତାଙ୍କ ଘର ଚାଳ ଛପର । ତାଙ୍କ ପାଖରେ ସେ ସବୁ ସୁବିଧା ନାହିଁ ଯାହା ସୋମନାଥ ସେଠୀଙ୍କ ପାଖରେ ମିଳିପାରେ । ସେଥିରେ ମଧ୍ୟ ସେ ଖୁସିରେ ରହନ୍ତି ଓ ତାଙ୍କ ପରିବାର ପୋଷନ୍ତି । ତାଙ୍କ ପାଖରେ ମାତ୍ର ଗୋଟିଏ ସାଇକେଲ ଅଛି ଯାହାକୁ ଧରି ସେ ହାଟ ଓ ନିଜ କାମରେ ଯାଆନ୍ତି ।

ବର୍ତ୍ତମାନ ଗାଁ ପରିସ୍ଥିତିକୁ ଭିତ୍ତି କରି ଭବିଷ୍ୟତ ପାଇଁ ନିଜ ଦୃଷ୍ଟିକୋଣ

ଗ୍ରାମ ହେଉଛି ଆମ ସମାଜର ମୂଳ ଆଧାର। ଗ୍ରାମର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ନୂଆପାଣି ସାହି ଓ ହିନ୍ଦୋଳ ଅଞ୍ଚଳର ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଗତ କିଛି ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ଅନେକ ପରିବର୍ତ୍ତନ ଘଟିଛି। ପୂର୍ବରୁ ଯେଉଁଠାରେ ଶିକ୍ଷା, ଯାତାୟାତ, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ବ୍ୟବସ୍ଥା ସୀମିତ ଥିଲା, ବର୍ତ୍ତମାନ ସେହି କ୍ଷେତ୍ରଗୁଡ଼ିକରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେଉଛି। ତଥାପି ଆହୁରି ଅନେକ କ୍ଷେତ୍ରରେ ବିକାଶର ସୁଯୋଗ ରହିଛି ଏବଂ ସେଥିପାଇଁ ଦୂରଦୃଷ୍ଟି ଓ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ।

ମୋର ଦୃଷ୍ଟିରେ ଭବିଷ୍ୟତରେ ନୂଆପାଣି ସାହି ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ ହେବା ଉଚିତ। ଗ୍ରାମର ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବା ସହିତ ଆଧୁନିକ ଜ୍ଞାନ ଓ ନୈତିକ ଶିକ୍ଷାରେ ଶିକ୍ଷିତ ହେବା ଦରକାର। ଗ୍ରାମରେ ଏକ ସମୃଦ୍ଧ ପାଠାଗାର, ଡିଜିଟାଲ ଶିକ୍ଷା କେନ୍ଦ୍ର ଓ କୌଶଳ ବିକାଶ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହେଲେ ଯୁବପିଢ଼ି ଅଧିକ ସଶକ୍ତ ହୋଇପାରିବେ। ଶିକ୍ଷିତ ଯୁବକ ଓ ଯୁବତୀମାନେ ନିଜ ଗ୍ରାମର ଉନ୍ନତିରେ ସକ୍ରିୟ ଭୂମିକା ନେବେ ବୋଲି ମୋର ବିଶ୍ୱାସ।

କୃଷି ଗ୍ରାମର ମୁଖ୍ୟ ଜୀବିକା ହୋଇଥିବାରୁ ଏହାର ସଂରକ୍ଷଣ ଆବଶ୍ୟକ। ଏହା ସହିତ ପଶୁପାଳନ, ମତ୍ସ୍ୟଚାଷ ଓ କୁଟୀର ଶିଳ୍ପର ବିକାଶ ଗ୍ରାମବାସୀଙ୍କ ପାଇଁ ନୂତନ ରୋଜଗାରର ଦ୍ୱାର ଖୋଲିପାରିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆହୁରି ଉନ୍ନତି ଆବଶ୍ୟକ। ଗ୍ରାମର ପ୍ରତ୍ୟେକ ଲୋକ ଉନ୍ନତ ସ୍ୱାସ୍ଥ୍ୟ ସେବା, ପରିଷ୍କାର ପାନୀୟ ଜଳ ଓ ସ୍ୱଚ୍ଛ ପରିବେଶ ପାଇବା ଦରକାର। ନିୟମିତ ସ୍ୱାସ୍ଥ୍ୟ ଶିବିର, ସଚେତନତା କାର୍ଯ୍ୟକ୍ରମ ଓ ପରିମଳ ବ୍ୟବସ୍ଥାର ଉନ୍ନତି ଦ୍ୱାରା ଏକ ସୁସ୍ଥ ଗ୍ରାମ ଗଠନ କରାଯାଇପାରିବ।

ପରିବେଶ ସୁରକ୍ଷା ମୋର ଭବିଷ୍ୟତ ଦୃଷ୍ଟିକୋଣର ଏକ ମୁଖ୍ୟ ଅଂଶ। ପୂର୍ବରୁ ଏହି ଅଞ୍ଚଳ ଘନ ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଥିଲା। ତେଣୁ ଆଗାମୀ ଦିନରେ ଅଧିକ ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ପରିବେଶ ସଚେତନତା ଉପରେ ଗୁରୁତ୍ୱ ଦେବା ଉଚିତ। ଏହା ଦ୍ୱାରା ପ୍ରାକୃତିକ ସନ୍ତୁଳନ ବଜାୟ ରହିବ ଏବଂ ଆଗାମୀ ପିଢ଼ି ଏକ ସୁନ୍ଦର ପରିବେଶ ପାଇପାରିବ।

ମୁଁ ଏପରି ଏକ ନୂଆପାଣି ସାହିର ସ୍ୱପ୍ନ ଦେଖେ, ଯେଉଁଠାରେ ଦାରିଦ୍ର୍ୟ, ନିରକ୍ଷରତା ଓ ବେକାରୀ ସମସ୍ୟା ବହୁ ପରିମାଣରେ କମିଯିବ; ଯେଉଁଠାରେ ପ୍ରତ୍ୟେକ ଘର ଶିକ୍ଷାର ଆଲୋକରେ ଆଲୋକିତ ହେବ; ଯେଉଁଠାରେ ଯୁବପିଢ଼ି ନିଜ ଗ୍ରାମର ଗୌରବ ବଢ଼ାଇବେ; ଏବଂ ଯେଉଁଠାରେ ପରମ୍ପରା ଓ ଆଧୁନିକତାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିବ।

ଶେଷରେ କୁହାଯାଇପାରେ ଯେ, ଗ୍ରାମର ବର୍ତ୍ତମାନ ପରିସ୍ଥିତି ଆମକୁ ଆଶା ଓ ସମ୍ଭାବନାର ବାର୍ତ୍ତା ଦେଉଛି। ସରକାର, ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀଙ୍କ ସମ୍ମିଳିତ ପ୍ରୟାସ ଦ୍ୱାରା ନୂଆପାଣି ସାହି ଭବିଷ୍ୟତରେ ଏକ ଶିକ୍ଷିତ, ସ୍ୱାବଲମ୍ବୀ, ସ୍ୱଚ୍ଛ, ସବୁଜ ଓ ସମୃଦ୍ଧ ଗ୍ରାମ ଭାବେ ପରିଚିତ ହେବ ବୋଲି ମୋର ଦୃଢ଼ ବିଶ୍ୱାସ।

ଗାଁ’ର ଗୀତ

ମନ୍ଦିର ମାଳିନୀ

କେତେ ସୁନ୍ଦର ମୋ ହିନ୍ଦୋଳ ସହର

କେତେ ସୁନ୍ଦର ତା’ ନାଆଁ,

ହିନ୍ଦୁ ଶବ୍ଦରୁ ଆସି ଅଛି ବୋଲି

ହିନ୍ଦୁସ୍ଥାନ ତାର ମାଆ  । । ୧  । ।

ଜୀବନରେ ଥରେ ଯିଏ ନ ଦେଖିଛି

ହିନ୍ଦୋଳ ଜଗନ୍ନାଥ ମନ୍ଦିର,

ସେହି ଏକା ରାଜେ ଭୁବନେଶ୍ଵରକୁ

ମନ୍ଦିର ମାଳିନୀ ନଗ୍ର  । । ୨  । ।

ହିନ୍ଦୋଳରେ ଅଛି ଅନେକ ମନ୍ଦିର

ବେଢ଼େଇଛନ୍ତି ଛୋଟ ସହର,

ବାର ମାସେ ତେର ପର୍ବ ଭୂଇଁର

ହରିନାଁ ସଦା ମୁଖର  । । ୩  । ।

ନିରତ ନମାଜ ପଠନ ହୁଅଇ

ମସଜିଦ୍‌ରେ ଏହାର,

ରାଷ୍ଟ୍ରୀୟ ଭବନେ ଭାଇଚାରା ଭଲ

ଦେଖାଯାଏ ଏଠାର  । । ୪  । ।

ଗୋଟି ପାହୁଣ୍ଡରେ ଯିବାକୁ ଥୁଅଇ

କାଳିଆ ଶୁଭେ ଏହିଠି,

ସେ ଲୁଗା ତନିହେଁ ପଲ ପଲ ଯାନ୍ତି

ମାଆ ମଙ୍ଗଳା ସେପିଠି  । । ୫  । ।

ମାଦଳ ଅକ୍ଷପ ଜାଣିକୁ ଯାଆନ୍ତି

ରଥର ଉପରେ ସିଧା,

ବଡ଼ ଦାଣ୍ଡ ସମ ଦିଶୁଥାଏ ଏଠି

ଆହା କେତେ ମନଲୋଭା  । । ୬  । ।

ତ୍ରେତୟା ଯୁଗରେ ଶ୍ରୀରାମ ଭୁଞ୍ଜିଲେ

…. ବରୀର ମିଠା ଫଳ,

ଏକାଳ କାଳରେ ପ୍ରଭୁ ଭୁଞ୍ଜୁଛନ୍ତି

ନାନା ମିଠା ହିନ୍ଦୋଳର  । । ୭  । ।

ପ୍ରକୃତି ରାଣୀମା ସଜାଇ ଦେଇଛି

କାନନରେ ଚତୁପାର୍ଶ୍ଵ,

ଆହା କି ମନଲୋଭା ଦିଶୁଥାଏ ଏଠି

ହେଉ ହେଉ ବାରମାସ  । । ୮  । ।

ଆହୁରି ଅନେକ ଗାଥା ଗୌରବ

ଅଛି ଆମ ହିନ୍ଦୋଳର,

ଯେ ଶୁଣିବ ସବୁ ଆପେ ଆପେ ନଇଁ

ମଥା ନଇଁ ଯିବ ତାର  । । ୯  । ।

— ସଂଜୟ କୁମାର ପ୍ରଧାନ

ପରିଶେଷରେ

ନୂଆପାଣି ସାହି ହେଉଛି ହିନ୍ଦୋଳ ଅଞ୍ଚଳର ଏକ ଶାନ୍ତ, ସୁନ୍ଦର ଓ ଐତିହ୍ୟବାହୀ ଗ୍ରାମ। ଏହି ଗ୍ରାମର ପ୍ରାକୃତିକ ପରିବେଶ, ସାମାଜିକ ଏକତା, ସାଂସ୍କୃତିକ ପରମ୍ପରା ଏବଂ ଲୋକମାନଙ୍କ ସରଳ ଜୀବନଧାରା ଏହାର ପ୍ରମୁଖ ବିଶେଷତ୍ୱ। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଗ୍ରାମଟି ଅନେକ ପରିବର୍ତ୍ତନ ଓ ବିକାଶର ସାକ୍ଷୀ ହୋଇଆସିଛି। ଶିକ୍ଷା, ରାସ୍ତାଘାଟ, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ହୋଇଥିଲେ ମଧ୍ୟ ଗ୍ରାମଟି ନିଜର ପରମ୍ପରା ଓ ସଂସ୍କୃତିକୁ ଆଜି ମଧ୍ୟ ଅକ୍ଷୁଣ୍ଣ ରଖିଛି। ଗ୍ରାମର ଲୋକମାନଙ୍କ ମଧ୍ୟରେ ଥିବା ଭାଇଚାରା, ପରସ୍ପର ସହଯୋଗ ଓ ସାମାଜିକ ସମ୍ପ୍ରୀତି ଏହାର ପ୍ରକୃତ ଶକ୍ତି। ଭବିଷ୍ୟତରେ ଶିକ୍ଷା, ରୋଜଗାର, କୃଷି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଆହୁରି ଉନ୍ନତି ଘଟିଲେ ନୂଆପାଣି ସାହି ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ ହୋଇପାରିବ।

ଏହି ଗାଁ ଇତିହାସ ଗବେଷଣା ମାଧ୍ୟମରେ ମୁଁ ମୋର ପ୍ରିୟ ଗ୍ରାମ ନୂଆପାଣି ସାହିର ଇତିହାସ, ଭୌଗୋଳିକ ଅବସ୍ଥିତି, ସଂସ୍କୃତି, ପରମ୍ପରା, ସାମାଜିକ ଜୀବନ ଓ ବର୍ତ୍ତମାନର ପରିସ୍ଥିତିକୁ ଉପସ୍ଥାପନ କରିବାର ଏକ ଛୋଟ ପ୍ରୟାସ କରିଛି। ମୋର ଆଶା ଯେ, ଏହି ଲେଖାଟି ଭବିଷ୍ୟତ ପିଢ଼ିକୁ ନିଜ ଗ୍ରାମର ଐତିହ୍ୟ ଓ ଗୌରବ ବିଷୟରେ ଜାଣିବାରେ ସହାୟକ ହେବ ଏବଂ ଗ୍ରାମର ଉନ୍ନତି ପାଇଁ ପ୍ରେରଣା ଯୋଗାଇବ।

“ଗ୍ରାମ ଆମର ଗୌରବ, ଗ୍ରାମ ଆମର ପରିଚୟ। ଏହାର ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।”

Name :- Ananya Priyadarsani

College:- Ispat Autonomous College

Department :- Political science

Frequently Asked Questions (FAQ)

  1. What is this publication about?
    This is a village history documented by a student as part of the Village History Documentation Internship under the “Aam Gaon Aam Jeevan” initiative. Here, the history, culture, and contemporary life of Hindol Village (Nuapani Sahi) in Dhenkanal district are documented through field research and oral history interviews.

2. Who documented this village history?
The village history was documented by Ananya Priyadarshini, a Political Science student of Ispat Autonomous College, during the 2026 Summer vacation. During the summer vacation, Ananya joined Samadhwani’s Village History Documentation Program.

3. Why was Hindol selected for documentation?
Village history documentation is always done on ones own village. As Ananya was in her village, Hindol, during summer vacation for a month, she took this internship. Hindol has a rich historical and cultural heritage as a former Garhjat princely state. Its oral traditions, local memories, and changing rural life make it an important village to document.

4. What kind of information does this village history include?
The documentation covers:

  • The origin and history of Hindol
  • Oral histories from village elders
  • Water resources and water-related challenges
  • Education and healthcare
  • Forests, biodiversity, and environment
  • Festivals, temples, and local beliefs
  • Roads, livelihoods, and present-day development
  • Community aspirations for the future

5. Who shared the oral history of the village?
The documentation is based on interviews with respected elders and local residents, including Chhabi Sethi, Dibakar Pattnaik, Sandhyarani Gochhayat, and other community members.

6. Why are oral histories important?
Many aspects of village history are not found in written records. Oral histories preserve the memories, experiences, and knowledge of older generations before they are lost.

7. Does the publication only highlight the positive aspects of Hindol?
No. It presents a balanced picture by documenting both the strengths of the village and the challenges it continues to face, including water supply, healthcare, education, and infrastructure.

8. What makes this documentation unique?
It combines historical research with community voices, making local people the primary storytellers of their own history rather than relying only on published sources.

9. What can readers learn from this story?
Readers can understand how a village has evolved over time, how local traditions are preserved, and how communities adapt to changing social, economic, and environmental conditions.

10. Why is preserving village history important?
Village histories help preserve cultural identity, strengthen community pride, support future research, and ensure that the memories of older generations are not forgotten.

11. Can young people contribute to preserving local history?
Absolutely. This publication demonstrates that students can make meaningful contributions by interviewing elders, documenting traditions, and recording their village’s history with sincerity and care.

12. Where can I read more village histories like this?
More village histories and cultural documentation are regularly published by Samadhwani as part of the “Aam Gaon Aam Jeevan” initiative.

Share This Article
Name: Ananya Priyadarshini || College: Ispat Autonomous College || Department: Political Science Ananya Priyadarshini is a Political Science student at Ispat Autonomous College. As part of her internship with Samadhwani, she undertook a village history documentation project on Hindol village, focusing on Nuapani Sahi, during the summer vacation of 2026, documenting the village's history, culture, and everyday life through interviews with local elders.